ରୋହିତର ଡାଏରୀ (ବିଂଶ ପର୍ବ)

 

 

 

 

 

 

 

 

 

 

ରୋହିତର ଡାଏରୀ

(ବିଂଶ ପର୍ବ)

ଚିତ୍ତରଞ୍ଜନ ଦାସ

 

–ରୋହିତର ଗଚ୍ଛିତ ଦିନଲିପିଗୁଡ଼ିକ ଏହି ବିଂଶ ପର୍ବରେହିଁ ସରିଯିବ ।

 

ଏହି ଅବସରରେ ଏଗୁଡ଼ିକର ପ୍ରକାଶକ ଶ୍ରୀଯୁକ୍ତ ନଳିନୀକାନ୍ତ ନନ୍ଦଙ୍କର କଥା ସବାଆଗ ମନେ ପଡ଼ୁଛି । ତାଙ୍କର ପିତା ଅଧ୍ୟାପକ ଚୌଧୁରୀ ବିଚିତ୍ରାନନ୍ଦ ନନ୍ଦ ଅମାପ ଉତ୍ସାହରେ ପୃଷ୍ଠାପରେ ପୃଷ୍ଠା ପ୍ରୁଫ୍ ସଂଶୋଧନ କରି ଆସିଛନ୍ତି । ଜଣେ ଲେଖକ ପ୍ରକାଶକଙ୍କର ପ୍ରିୟଜନରେ ପରିଣତ ହେବା,–ଏକଥା ମୋ’ ଜୀବନରେ ସତ ହୋଇଛି ।

 

ଏହି ବାକ୍ୟଗୁଡ଼ିକୁ ଲେଖିଲାବେଳେ ମୁଁ ସତେଅବା ଉଭୟଙ୍କୁ ସ୍ପଷ୍ଟ ଦେଖିପାରୁଛି । ପ୍ରସ୍ତୁତ ବିଂଶ ପର୍ବଟିକୁ ମୁଁ ଉଭୟଙ୍କୁହିଁ ଉତ୍ସର୍ଗ କରୁଛି ।

Image

 

୧୨ । ୪ । ୮୯

 

ଏକଦା ରୁଷିଆ ଦେଶରେ ସାମ୍ୟବାଦ ବିରାଜମାନ କରୁଥିଲା । ଉପରେ ଗୋଟାଏ ଆଦର୍ଶବାଦକୁ ପତାକା କରି ଉଡ଼ାଇ ସେଠାରେ ନିତାନ୍ତ ନୃଶଂସମାନେ ଗୋଟାଏ systemକୁ ଲୋକମାନଙ୍କ ଉପରେ ହୁଏତ ଲଦି ଦେଇଥିଲେ । ସେହି ଉଦ୍ୟମଗୁଡ଼ିକଦ୍ଵାରା ସୋଭିଏଟ୍ ରୁଷିଆରେ ଏକ ନୂଆ ସୋଭିଏଟ୍ ମଣିଷ ତିଆରି ହେଉଛି ଅଥବା ହୋଇ ସାରିଲାଣି ବୋଲି ପ୍ରଚାରବିଭାଗର ପ୍ରଚାରଦ୍ଵାରା ଏକ ପ୍ରତୀତି ଦିଆଯାଉଥିଲା । ଏମିତି ପ୍ରାୟ ସତୁରିବର୍ଷର ରାଷ୍ଟ୍ରଭୟ ଏବଂ ଅଭିନୟ ପରେ ହଠାତ ଜଣେ ମଣିଷ ସତ କହିବାକୁ ବାହାରିଲା ଓ ସତବି କହିଲା । ହୁଏତ ଭାରି ଆଶ୍ଚର୍ଯ୍ୟ ହୋଇ ସିଏ ଆବିଷ୍କାର କଲା ଯେ ଦେଶରେ ବହୁସଂଖ୍ୟକ ମଣିଷ ପ୍ରାୟ ତାହାରି ପରିହିଁ ଭାବୁଛନ୍ତି, ମାତ୍ର ନାନାବିଧ ଭୟ ହେତୁ କିଛି କହୁନାହାନ୍ତି ।

 

ଏହିପରି ଭାବରେ ରୁଷିଆରେ ଏକ ବିପୁଳ ଘରଭଙ୍ଗାର ଯୁଗ ଆରମ୍ଭ ହେଲା । ଯେଉଁଗୁଡ଼ାକୁ ସେଠାରେ ଭଗବାନ୍ ବୋଲି ବିଶ୍ଵାସ କରାଯାଉଥିଲା, ସେମାନେ ମିଛ ପିତୁଳାମାନଙ୍କ ପରି ଚାହୁଁଚାହୁଁ ପଦାରେ ପଡ଼ିଗଲେ ଏବଂ ଭାଙ୍ଗି ପଡ଼ିଲେ । ଭୟଗୁଡ଼ାକ ହଟିଯିବାର ସପକ୍ଷରେ ସାଧାରଣଙ୍କର ପୂର୍ଣ୍ଣ ସମର୍ଥନ ଥିବାରୁ ଏକଥା ସମ୍ଭବ ହୋଇ ପାରିଲା । ଏବଂ, ବର୍ତ୍ତମାନ ପ୍ରାୟ ଗୋଟାଏ ବର୍ଷ ହେଲା ରୁଷିଆ ଏକ ରୁଷିଆରୁ ଶାସନ କରୁଥିବା ଏକଛତ୍ରବାଦୀ ମିଛଦ୍ଵାରା ଆକ୍ରାନ୍ତ ହୋଇ ରହିଥିବା ସମଗ୍ର ପୂର୍ବ ଇଉରୋପରେ କ’ଣ ସବୁ ଘଟିବାରେ ଲାଗିଛି ? ଏକ ବ୍ୟାଧିଗ୍ରସ୍ତ ଓ ଭୟଦ୍ଵାରା ପ୍ରଣୋଦିତ ଅତିଆଞ୍ଚଳିକତାହିଁ ସେଠାରେ ମାଟିତଳୁ ବାହାରି ସବୁଠାରୁ ଅଧିକ ପ୍ରବଳ ହୋଇଥିବା ପରି ମନେ ହେଉଛି । ରାଜ୍ୟଗୁଡ଼ିକ ସାନ ସାନ ଭାଷା ଏକ ରକ୍ତସମ୍ପର୍କକୁ ଆଳ କରି ଗୋଟିଏ ଗୋଟିଏ ସ୍ଵାଧୀନ ରାଷ୍ଟ୍ର ହେବାକୁ ବାହାରିଲେଣି । ସର୍ବମାନେ, କ୍ରୋଆଟ୍‌ମାନଙ୍କ ସହିତ ଏକାଠି ରହିପାରୁନାହାନ୍ତି, ମାସଡ଼ୋନ୍‌ମାନେ ମୁସଲମାନମାନଙ୍କ ସହିତ ଏକାଠି ରହିପାରୁନାହାନ୍ତି । ପ୍ରତ୍ୟେକ ପ୍ରତ୍ୟେକଙ୍କ ଠାରୁ ଅଲଗା ହୋଇ ରହିବେ ବୋଲି ଅସ୍ତ୍ର ଧରି ବାହାରିଲେଣି । ମଣିଷ ସତେଅବା ଇତିହାସରେ ପଛକୁ ଫେରିଯାଉଛି । ଜବରଦସ୍ତିଦ୍ଵାରା ଯେକୌଣସି ଅସଲ ପରିବର୍ତ୍ତନ ହୁଏନାହିଁ, ପୃଥିବୀର ସେହି ଦୁର୍ଭାଗ୍ୟ ଅଂଶଟିରେ ପ୍ରଧାନତଃ ତାହାହିଁ ଘୋଷିତ ହେବାରେ ଲାଗିଛି ।

 

୧୩ । ୪ । ୯୨

 

ଭାରତୀୟ କାଳଗଣନା ଅନୁସାରେ ଗୋଟିଏ ବର୍ଷର ଶେଷ ଓ ଆଉ ଗୋଟିଏ ବର୍ଷର ଆରମ୍ଭ । ସେଥିଲାଗି ଓଡ଼ିଶାରେ କେତେ ସ୍ଥାନରେ କେତେ ଉତ୍ସାହ ଓ ସମାରୋହର ବନ୍ଦୋବସ୍ତ କରାଯାଇଛି । ସେଦିନ ରାମନବମୀ ଉପଲକ୍ଷେ ମଧ୍ୟଦେଶର କେତେ ଆଡ଼େ କେତେ ଉତ୍ସାହ କରାଗଲା । ନେତାମାନେ ଭାଷଣ ଦେବାକୁ ଡକା ହୋଇ ଆସିଥିଲେ । ମୁଁ ଭାବେ, ମଣିଷ ଭିତରେ ସତକୁସତ ରାମଭକ୍ତଟିଏ ରହିଥିଲେ ସିଏ ଘୃଣା କରିପାରିବ କିପରି ? ନୂଆ ବର୍ଷଟିକୁ ଅଭିନନ୍ଦନ ଜଣାଉଥିବା ନୂଆ ମନ ନୂଆ ହୃଦୟ ମଣିଷମାନଙ୍କୁ ହତ୍ୟା କରିବ କିପରି ?

 

ଭଗବାନ୍‍ଙ୍କରେ ଦ୍ଵାହି ଦେଇ ଅନେକ ମଣିଷ ପ୍ରଧାନତଃ ପୂଜା କରନ୍ତି । ନିଜ ନାମରେ ଜୟନାଦ ଦିଅନ୍ତି । ପର୍ବ ପାଳନ କରି ତାହାକୁହିଁ ସଂସ୍କୃତି ବୋଲି ହୁରି କରୁଥିବା ଅନେକ ମନୁଷ୍ୟଙ୍କ ଭିତରେ ଗୋଟାଏ ଦୈତ୍ୟ ମହାରାଜସିକତା ସହିତ ଏସବୁର ଉପଭୋଗ କରୁଥାଏ ଏବଂ ଆପଣା ଭିତର ଦେବତାଟିକୁ ମାଡ଼ି ବସିଥାଏ । ଦେଶଟାଯାକ ଚାରିଆଡ଼େ ସତେଅବା ଏହି ଆତ୍ମକାମୀ ଦୈତ୍ୟମାନେ ମନ୍ଦିରଗୁଡ଼ିକୁ ମାଡ଼ି ବସିଛନ୍ତି, ଘୃଣାର ନାନାବିଧ ସନ୍ତକରେ ଜୀବନବେଭାରର ଯାବତୀୟ ମନ୍ଦିରକୁ ଦୂଷିତ କରି ରଖିଛନ୍ତି । ଏମାନଙ୍କୁ ଦବାଇବା ଲାଗି ସମାନ ଘୃଣା ଓ ସମାନ କ୍ରୁଦ୍ଧତା ସହିତ ଆମେ ଆଉଗୋଟାଏ ଦଳ ତିଆରି କଲେ ଉପଦ୍ରବ ବଢ଼ିବ ସିନା, କଦାପି ବନ୍ଦ ହେବନାହିଁ । ଏପରି ଗୋଟିଏ ଗୋଟିଏ ସାନ ଗୋଷ୍ଠୀ ସାହସର ସହିତ ବାହାରିବା ଉଚିତ, ଯେଉଁମାନେ କି ନିଜ ଭଗବାନ୍‍ମାନଙ୍କୁ ବଞ୍ଚିବେ, ଅଫିମ ଖାଇବେନାହିଁ, କୋଳାହଳ କରିବେନାହିଁ । ସେମାନେ ପରସ୍ପରକୁ ଘୃଣାରହିତ ଭାବରେ ଜୀବନ ବଞ୍ଚିବାକୁ ବଳ ଦେବେ । ହୁଏତ ସେହିମାନେହିଁ ଅଫିମିଆମାନଙ୍କୁ ଜିତି ପାରିବେ । ଏକ ଅନ୍ୟପ୍ରକାର ଜୀବନର ସମ୍ଭବ ବୋଲି ଅଫିମ ଖାଇ ଉପଦ୍ରବ କରୁଥିବା ମଣିଷମାନେ ଏବେ ପ୍ରାୟ ଭୁଲି ଯାଇଛନ୍ତି । ସେହି ଅନ୍ୟ ସମ୍ଭାବନାଟିକୁ ନଦେଖିଲେ ସେମାନେ ବିଶ୍ଵାସ କରିବେନାହିଁ, ମଣବି ହେବେନାହିଁ ।

 

୧୭ । ୪ । ୯୨

 

ମୁଁ ଆଗେ ମୋ’ର ଦେହକୁ ଦୋସାଲା ବୋଲି ମନେ କରୁଥିଲି । ମୁଁ ମନେ କରୁଥିଲି ବୋଲି କହିଲେ ପୂରା ଠିକ୍ ହେବନାହିଁ । ମୋ’ର ପାରିପାର୍ଶ୍ଵିକ ସଂସ୍କାର ମୋତେ ସେହିପରି ମନେ କରିବାକୁ ଶିଖାଇଥିଲା । ମୁଁ ଦେହକୁ ସହି ପାରୁ ନଥିଲି, ଭାରି ଈର୍ଷା କରୁଥିଲି । ଏହି ଦେହଟାହିଁ ମୋତେ ସବୁବେଳେ ପଛକୁ ଟାଣିରଖିଛି ବୋଲି ବିରକ୍ତି କରୁଥିଲି । ଦେହକୁ ଲୁଚାଇ ରଖୁଥିଲି । ସତେ ଯେପରି ଏହି ଦେହଟା ନଥିଲେ ଆଡ଼େ ମୋ’ର ଆଦୌ କୁଆଡ଼ୁ କିଛି ଅସୁବିଧା ହେଉନଥାନ୍ତା, ପ୍ରାୟ ସେହିଭଳି ଭାବିବାକୁ ଖୁବ୍ ଭଲ ପାଉଥିଲି । ଦେହକୁ ଲୁଚାଇ ରଖିବାର ଫନ୍ଦିରେ ନିଜକୁ ମଧ୍ୟ ନିଜଠାରୁ ଲୁଚାଇ ରଖିବାରେ ଅପକର୍ମରେ ପଡ଼ି ଯାଉଥିଲି । ଏବଂ, ଏହି ସବୁକିଛିକୁ ମିଶାଇ ଯେଉଁ ଅଡ଼ୁଆ ସୂତାଗୁଳାଟିଏ ମୋ’ ଜୀବନ ଭିତରେ ତିଆରି ହୋଇ ରହିଥିଲା, ମୁଁ ତାହାକୁ ଅତ୍ୟନ୍ତ ଅଭ୍ୟସ୍ତ ଭାବରେ ମୋ’ର ନୈତିକ ଜୀବନ ବୋଲି କହୁଥିଲି ।

 

ଏବେ ସେହି ଦେହ ଅଛି, ମାତ୍ର ତା’ ସହିତ ମୋ’ ସମ୍ବନ୍ଧର ପରିଧିଗୁଡ଼ିକୁ ବଦଳି ପାଇଛି-। ଏବେ ମୋ’ ଦେହ ମୋତେ ମୋ’ ସୋଦର ବୋଲି ଲାଗୁଛି । ତେଣୁ ଦେହରୂପକ ଚୋର ପଛରେ ନିଜକୁ ପୁଲିସ ନାମକ ମହାଚୋର ବନି ମୋଟେ ଦଉଡ଼ିବାକୁ ପଡ଼ୁନାହିଁ । ମୋ’ ଭିତରେ alter-ego ବୋଲି, ଦୋସର ବୋଲି ସତେଯେପରି ଆଉ କିଛିହେଲେ ନାହିଁ । କେନ୍ଦ୍ରଟିର ଚାରିପାଖରେ ଏକ ସ୍ଵାଭାବିକ ସଖ୍ୟର ସମସ୍ତେ ଗୋଟିଏ ହୋଇ ରହିଛନ୍ତି । ଗୋଟିଏ ନେତ୍ରହିଁ ଶତନେତ୍ର ହୋଇ ସବୁକିଛି ଅନୁଭବ କରୁଛି । ପବିତ୍ରତା କହିଲେ ବିଶେଷ କୌଣସି ଏକ କ୍ଷତ୍ରିୟତାକୁ ନବୁଝାଇ ଏକ ସମଗ୍ର ସ୍ଵୀକୃତି ଓ ସମଗ୍ର ପ୍ରତ୍ୟୟକୁ ବୁଝାଉଛି । ସେହି ପ୍ରତ୍ୟୟଟିକୁ ନିରନ୍ତରର ଧନ କରି ରଖିବାରେ ଦେହ ମଧ୍ୟ ସହଯୋଗ କରୁଛି । ଆଗେ ମୋ’ ଭିତରେ ସତେଅବା ଏକ ଦୁଷ୍ଟ ସଂସ୍କାରର ଜାଲରେ ପଡ଼ି କିଏ ଦେହର କଥା ପଡ଼ିଲେହିଁ ନାକ ଟେକିବାକୁ ଧାର୍ମିକତା ବୋଲି ଭାବୁଥିଲା । ଆଜି ସେପରି ଆଦୌ ହେଉନାହିଁ । ଯିଏ ସେତେବେଳେ ନାକ ଟେକୁଥିଲା, ସିଏ ଆପଣାକୁ ସମ୍ପ୍ରସାରିତ କରି ଦେହକୁ ମଧ୍ୟ ସ୍ଵୀକାର କରି ନେଇଛି । ତାହାରିଦ୍ଵାରାହିଁ ଦୃଷ୍ଟିଗତ ତଥା ଆଚରଣଗତ ବହୁତ ସମସ୍ୟାର ସମାଧାନ ହୋଇଯାଇଛି । ଦେହ ଗୋଟାସୁଦ୍ଧା ସାଙ୍ଗ ଭଳି ରହିଛି-

 

୧୮ । ୪ । ୯୨

 

ପରମ ସତ୍ୟକୁ ଏକ ଦେବତାମାଳରେ ପରିଣତ କରି ମଣିଷ ଯୁଗଯୁଗ ହେଲା ଯାବତୀୟ vulgarity କେଡ଼େ ବାଗରେ ନିଜ ଜୀବନମନ୍ଦିର ଭିତରେ ପ୍ରବେଶ କରିବାକୁ ବାଟ ଛାଡ଼ିଦେଇଛି ।

 

ମଣିଷ ଆପେ ଆପେ vulgar ହେବାକୁ ମନ କରି ନିଜର ଠାକୁରମାନଙ୍କୁ ଅର୍ଥାତ୍ ନିଜର ଠାକୁର କଳ୍ପନାଗୁଡ଼ିକୁ vulgar ହେବାଲାଗି ପ୍ରାୟ ଏକ ଅବଶ୍ୟମ୍ଭାବୀ ଆବଶ୍ୟକତା ଅନୁଭବ କରିଛି ଅଥବା ସବାଆଗ ଆପେ ଆସ୍ଥାନଟିଏ ହୋଇପାରିବା ଆଗରୁ ଠାକୁରମାନଙ୍କୁ ଆପଣାର ବିରୂପ କଳ୍ପନାର ନିଶା ଦେଇ ଦଂଶନ କରିବାକୁ ଯାଇଛି, କିଏ ସେ କଥାର ନିରୂପଣ କରିପାରିବ ? ମାତ୍ର, ଏହି କଥାଟି ଭାରି ଜଳଜଳ ହୋଇ ଦିଶିଯାଉଛି ଯେ, ଏହି ତଥାକଥିତ fundamentalist ମାନେ ନଥିଲେ ଆମ ସଂସାରର ଠାକୁରମାନଙ୍କୁ କଦାପି ଏଡ଼େ ହୀନସ୍ତା ହେବାକୁ ପଡ଼ୁନଥାନ୍ତା । ଠାକୁରମାନେ ଯେଉଁ ଧର୍ମର ହୋଇଥାଆନ୍ତୁ ପଛକେ, ସେମାନେ କେବେ fundamentalist ହୋଇ ନଥିବେ । ଆହୁରି ସ୍ଥୂଳ ଭାବିଲେ କହିଲେ ରାମଚନ୍ଦ୍ର ଏବଂ ଆଲ୍ଲା କଦାପି କେଉଁ ସ୍ଵର୍ଗର ରାଜନୀତିରେ ଆପଣାକୁ ଆଉ କାହାଠାରୁ ବଡ଼ ବୋଲି କହୁନଥିବେ ଏବଂ ନିଜର ମନ୍ଦିରଟାଏ ତିଆରି ନହେଲେ ସେମାନଙ୍କର ମହିମା କ୍ଷୁଣ୍ଣ ହୋଇ ପଡ଼ିବ ବୋଲି କଦାପି ଚିନ୍ତା କରୁନଥିବେ । ଯେଉଁ ମଣିଷ ପାହାଚ ଉଠିବାକୁ ନୁହେଁ, ନିଜର ଧର୍ମନିଶା ଅଥବା ଧର୍ମବପୁ ବଢ଼ାଇବ ବୋଲି ଏହି ଧରଣୀପୃଷ୍ଠରେ ଜଣେ fundamentalist ହେବାଲାଗି ମନ ବଳାଇଛି ଓ ତାହାକୁହିଁ ଯାବତୀୟ ଧାର୍ମିକତାର ସମବାଚୀ ବୋଲି ଧରିନେଇଛି, ସେହି ମଣିଷଭିତରେହିଁ ଆମ ଏଯୁଗର ସବୁଯାକ ବିଷାକ୍ତ ପୋକ ବସା ବାନ୍ଧି ରହିଛନ୍ତି । ମଣିଷ ଭିତରେ ରହିଥିବା ହୃଦୟନାମକ ସେହି ସମ୍ଭାବନାଟି କେଡ଼େ ସହଜରେ ଯେ ନିଶା ଖାଇ ଉଗ୍ର ହୋଇପାରେ ଓ ଆପଣାର ଗଭୀରତା ବିଷୟରେ ବିସ୍ମୃତ ହୋଇ ରହିପାରେ, ଆମର ଏ ଯୁଗରେ ନିତି ତାହାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି, ଏବଂ ସେହି ଦୃଷ୍ଟାନ୍ତଗୁଡ଼ିକର ସଂଖ୍ୟାରେ ବୃଦ୍ଧି ଏବଂ କ୍ଷେତ୍ରରେ ପ୍ରସାରଣ ଘଟିବା ସଙ୍ଗେ ସଙ୍ଗେ ପୃଥିବୀ ଠାକୁରଧାରାରେ ସାଂଘାତିକ ଅବମୂଲ୍ୟନ ଘଟିବାରେ ଲାଗିଛି ଭଗବାନ୍‍ଙ୍କ ପକ୍ଷରେ, ବିବେକର ପକ୍ଷରେ, ଜୀବନର ପକ୍ଷରେ ଓ sanityର ପକ୍ଷରେ ରହିବାକୁ ନିଜ ଭିତରେ ଏବଂ ବାହାରେ ରୀତିମତ ସଂଗ୍ରାମ କରିବାକୁ ପଡ଼ୁଛି । ନିଜର ଧ୍ୟାନରେ ଅବିଚଳିତ ରହିବାକୁ ପଡ଼ୁଛି ।

 

୧୯ । ୪ । ୯୨

 

ଯେଉଁମାନେ କେବଳ ଅଳପ ଦେଖୁଛନ୍ତି, ସେମାନଙ୍କର ଆଖିକୁ ଯେତିକି ଦେଖାଯାଉଛି ସେତିକିକୁହିଁ ସବୁକିଛି ବୋଲି ଦେଖୁଛନ୍ତି; ସେମାନେ ସବୁକିଛି ବିଷୟରେ ଅତ୍ୟନ୍ତ ଅନମନୀୟ ଭାବରେ ନିଶ୍ଚିତ ହୋଇ ପାରୁଛନ୍ତି । ସେହି ଗୋଟାଏ ପାହାଚକୁ ହାସଲ କରିବା ନିମନ୍ତେ ସେମାନେ ପ୍ରାୟ ଅନ୍ଧ ହୋଇ ଲାଗି ପଡ଼ୁଛନ୍ତି । ଆମେ କ’ଣ ଏହିମାନଙ୍କୁ ମୌଳବାଦୀ ବୋଲି କହିବା ? ମୌଳବାଦୀ ଯେତିକି ଦେଖୁଛି, ସେତିକି ବିଷୟରେ ସିଏ ଏତେ ଅଧିକ ପରିମାଣରେ ଦୃଢ଼ନିଶ୍ଚିତ ହୋଇଯାଉଛି ଯେ, ସଙ୍ଗେ ସଙ୍ଗେ ଖଡ଼୍‌ଗ ଧରି ଏକାବେଳେକେ ଆଖି ବୁଜିଦେଇ ନିଜର ଲକ୍ଷ୍ୟ ହାସଲ କରିବାପାଇଁ ବାହାରି ପଡ଼ୁଛି । ତା’ର ମତ ବ୍ୟତୀତ ଆଉ ଯେ କୌଣସି ମତବି ଥାଇପାରେ, ସିଏ ସେକଥା କଳ୍ପନା ମଧ୍ୟ କରି ପାରୁନାହିଁ ।

 

ବାହାରର ଆଖିପରି ମଣିଷର ଭିତରେ ମଧ୍ୟ ଆଖିମାନ ରହିଛି, ଯାହାଦ୍ଵାରାବି ଅନେକ ଅଧିକ ଦୂରକୁ ଦେଖିପାରିବା ସମ୍ଭବ ହୁଏ । ଭିତରର ଆଖି ଦେଇ ଦେଖିଲେ ନିଜ ସମେତ ଅନ୍ୟମାନଙ୍କୁ ମଧ୍ୟ ଦେଖିହୁଏ । ତା’ପରେ ଆଉ ଆପଣା ଆଦର୍ଶଟିକୁ ସଫଳକାମ କରିବା ଲାଗି ଖଡ଼୍‌ଗ ଧରି ବାହାରି ପଡ଼ିବାକୁ ପ୍ରକୃତରେ ଲାଜ ମାଡ଼େ । ମୁଁ ଯେତିକି ଦେଖୁଛି, ତାହାର ସେପାଖରେ ଆହୁରି ଅନେକ ପାହାଚ ରହିଛି ବୋଲି ଭିତରୁ ସତେଅବା କୌଣସି ବନ୍ଧୁଠାରୁ ସଙ୍କେତ ମିଳେ । ସେହି ବନ୍ଧୁକୁ ସ୍ଵୀକାର କରିବା ନିମନ୍ତେ ସେତେବେଳେ ଏକ ସ୍ଵାଭାବିକ ବ୍ୟାକୁଳତା ଜନ୍ମେ ଏବଂ ସେହି ବ୍ୟାକୁଳତାର ଅନୁରୋଧରେ ହାତରେ ଧରା ଯାଇଥିବା ଖଡ଼୍‌ଗମାନେ ଖସି ପଡ଼ନ୍ତି । ସାଙ୍ଗମାନେ ଦିଶନ୍ତି, ଭିତରେ ଦିଶୁ ଦିଶୁ ବାହାରେ ମଧ୍ୟ ଦିଶିବାକୁ ଆରମ୍ଭ କରନ୍ତି । ଏହିପରି ଭାବରେ ମଣିଷ ଅନେକ ଅନାବଶ୍ୟକ କାମୁକତା, ଉଗ୍ରତା ଏବଂ ଅତ୍ୟାତୁରତାର କବଳରୁ ରକ୍ଷା ପାଇଯାଏ । ପୃଥିବୀରେ ଶୁଭ ଏବଂ ହିତର ବୃଦ୍ଧିସାଧନରେ ଜଣେ ମନୁଷ୍ୟ ସେତେବେଳେ ଯାଇ ସାହାଯ୍ୟ କରିବାକୁ ସମର୍ଥ ହୁଏ । ନିଜକୁ ଆଉ କୌଣସି ସମ୍ପ୍ରଦାୟ ପାଖରେ ବିକି ଦେଇଥିଲା ପରି ମୋଟେ ଲାଗେନାହିଁ । ସମ୍ପ୍ରଦାୟମାନେ ଅବଶ୍ୟ ରହିଥାନ୍ତି, ତଥାପି ନିଜ ଭିତରେ ସେମାନେ ଗୋଟିଏ ଗୋଟିଏ ପାହାଚ ପରି ଦିଶନ୍ତି । ଏବଂ, ପାହାଚରେ ଅଟକି ଯିବାକୁ ମନ ନଥିଲେ କିଏ କାହିଁକି ପାହାଚଗୁଡ଼ାକୁ ନେଇ ଯୁଦ୍ଧ କରିବେ ?

 

୨୦ । ୪ । ୯୨

 

ଆଗରେ ବାଟ ସଫା ହୋଇ ପଡ଼ିଥିବା ଭିତରେ ସାଙ୍ଗ ହୋଇ ବାଟ ଚାଲିବାକୁ ସିଏ ସତତ, ଡାକିଲାମାତ୍ରକେ ଅନୁଭବ କଲାମାତ୍ରକେ ମିଳି ଯାଉଥିବେ, ଖୁସି ଆଉ ଅବିକଳ ବିଶ୍ଵାସ ବ୍ୟତୀତ ନିଜ ଜୀବନଟିକୁ ବଞ୍ଚିବାର ଆଉ ଅନ୍ୟ କୌଣସି ସନ୍ତକ ଅଛି ବୋଲି ଭାବିବାକୁ ମଧ୍ୟ ମନେ ପଡ଼ୁନଥିବ,–ସେତିକିବେଳେହିଁ ଏହି ତଥାକଥିତ ମର ସଂସାରରେ ଥାଇ ମଧ୍ୟ ଅମରତ୍ଵର ପ୍ରତ୍ୟକ୍ଷ ପ୍ରେରଣା ମିଳି ଯାଉଥାଏ । ହଁ, ଆଉ କେଉଁଠି ହେଲେ ମୁଣ୍ଡ ନୁଆଁଇ ଦେଉଥିବା ପରି ଅଥବା ହଟିଯିବା ପରି ଆଦୌ ମନେ ହେଉନଥାଏ । ହେ, ଭଗବାନ୍, ଏଠି ମୁଁ ପ୍ରକୃତରେ କେଡ଼େ ଭାଗ୍ୟବାନ୍ ! ହଟିଯିବାର ଆଦୌ କୌଣସି ଅବକାଶହିଁ ନାହିଁ ।

 

ଏହି ଅମରତ୍ଵକୁ ବୟସ ଦେଇ ମୋଟେ ଗଣି ହୁଏନାହିଁ । ନିଜକୁ ଗୋଟିଏ ଅସରନ୍ତି ପୃଥିବୀ ଓ ଅପରିମିତ ଶ୍ରଦ୍ଧା ଅବିଚ୍ଛିନ୍ନତା ଭିତରେ ଅତ୍ୟନ୍ତ ମୂର୍ତ୍ତ ଭାବରେ ଠାବ କରି ହୁଏ ଓ ଦେଖି ହୁଏ, ଯେଉଁଠି ଖାଲି ଏହି ତଥାକଥିତ ମୁଁ ନୁହେଁ, ଯେଉଁଠି ଏହି ଅନନ୍ତ ଜୀବନ ଓ ଅନନ୍ତ ସମ୍ଭାବନା ହାତଗୋଡ଼ ଏବଂ ଚମମାଉଁସ ଲାଗିଥିବା ଏକାନ୍ତ ମୂର୍ତ୍ତ ଏକ ସ୍ଵପ୍ନପରି ବାଟ ଚାଲୁଥିବା ଭଳି ଓ ପାହାଚ ଉଠୁଥିବା ପରି ଅନୁଭବ ହୁଏ । ସିଏ ବାଟ ଚାଲୁଥାଏ, ମୁଁ ସାଙ୍ଗରେ ଥାଏ, ଏବଂ, ମୁଁ ବାଟ ଚାଲୁଥାଏ, ସିଏ ସାଙ୍ଗରେ ଥାଏ । ସାଙ୍ଗରେ ରହିଥିବାର ଏହି ନିତ୍ୟ,–ଅନୁଭୂତି, ବାହାର ତଥା ଅନ୍ତର ଉଭୟ କ୍ଷେତ୍ରରେ ଅନୁକ୍ଷଣ ସେହି ଅନୁଭୂତି, ସତକୁସତ ଅନୁଭବ କରିପାରିବାର ଏହି ପ୍ରକ୍ରିୟା ଓ ଏହି ପ୍ରତିଷ୍ଠାଟି,–ମୁଁ ଏହାକୁହିଁ ଅମରତ୍ଵ ବୋଲି କହିବି । ଏଇଟିକୁ ଏକ ସତ୍ୟରୂପେ ନିଜ ଜୀବନରେ ପଇଠ କରିବାକୁ ପଡ଼େ । ଯେକୌଣସି ଶାସ୍ତ୍ରର ପ୍ରମାଣ ଅପେକ୍ଷା ଆମକୁ ଏହାହିଁ ଦୃଢ଼ କରେ, ଆମର ଜୀବନକୁ ବିଶ୍ଵାସରେ ପୂର୍ଣ୍ଣ କରେ, ଉଦ୍ୟମଦ୍ଵାରା ସ୍ଵାଭାବିକ କରି ରଖିଥାଏ । ଏହି ଅନୁଭବଟି ଆମ ଚେତନାରେ ଅନୁଭବ ପରିଧି ମଧ୍ୟରେ ରହିଥିବା ସତ୍ତ୍ୱେ ଅନେକ ମଣିଷ ଏବାଟେ ନଯାଇ କାହିଁକି ମୃତ୍ୟୁ ଭାବନାର ମିଛ ପାଲଗୁଡ଼ାକ ଭିତରେ ନୈରାଶ୍ୟ ସହିତ, ଅସମର୍ଥତା ସହିତ ରମଣ କରୁଥାନ୍ତି କେଜାଣି ? ଭଗବାନ୍ କରନ୍ତୁ, ସେମାନେ ମଧ୍ୟ ସାଙ୍ଗରେ ଆସନ୍ତୁ, ସେମାନେ ଅପ୍ରମତ୍ତ ହୁଅନ୍ତୁ,–ହାତରୁ ଛାଡ଼ି ଯାଇଥିବା ଡାଳଗୁଡ଼କୁ ସେମାନେ ପୁନର୍ବାର ନିଜର ହାତଭିତରେ ଫେରି ପାଆନ୍ତୁ ।

 

୨୧ । ୪ । ୯୨

 

ଆଉ ସିଧା ହୋଇ କେହି କଥା କହୁନାହାନ୍ତି । ସମ୍ବନ୍ଧଗୁଡ଼ାକ ସତେଅବା ପ୍ରଧାନତଃ କେତେଟା ତାତ୍‍କାଳିକ ପ୍ରୟୋଜନୀୟତାରେ ପରିଣତ ହୋଇ ସାରିଲାଣି । ଏମାନେ ଯେପରି ସମସ୍ତେ କେବଳ ନିଜେହିଁ ଏହି ପୃଥିବୀଗୋଟାକରେ ବଞ୍ଚି ରହିବାକୁ ସମୃଦ୍ଧମନ୍ତ ହୋଇ ଦିଶିବାକୁ ଅଭିଳାଷ ରଖି ସମ୍ବନ୍ଧର ବଜାରକୁ ବାହାରିଛନ୍ତି । ପଦେପଦେ ନିରାଶ ହୋଇ ବସିଯିବା ନିମନ୍ତେ ପ୍ରରୋଚନା ମିଳୁଛି । ତଥାପି, ଆପଣା ଭିତରର ଅସଲ ଅନୁଭବ ଓ ଅସଲ ଆବେଦନଟି ଅନୁସାରେ ଅନ୍ୟଟି ଭିତରେ ମଧ୍ୟ ତାହାକୁହିଁ ଅନୁଭବ କରିବାକୁ ପଡ଼ୁଛି । ସେହି ସାରବସ୍ତୁ ଅର୍ଥାତ୍ ସ୍ନେହବସ୍ତୁଟି ସତେଅବା ସେମାନଙ୍କ ଭିତରେ କେତେ ତଳେ ଯାଇ ପୋତିହୋଇ ରହିଛି । ଏବେର ମଣିଷ କ’ଣ ପରିସ୍ଥିତିଦ୍ଵାରା ବାଧ୍ୟ ହୋଇ ଅଥବା ପ୍ରୟୋଜନରେ ପଡ଼ି ଅତ୍ୟନ୍ତ ଆତ୍ମକେନ୍ଦ୍ରୀ ହୋଇ ସେହି ଅସଲ ବସ୍ତୁଟିକୁ ଯଥାସମ୍ଭବ ନିଜ ଭିତରେ ଉଢ଼ୁଆଳରେ ପୋତି ରଖିବାକୁ ଚେଷ୍ଟା କରୁଛି ତ-? ଅପର ପାଖରେ ଆପଣାର ଅନ୍ତରଙ୍ଗ ସନ୍ତକଟିକୁ ନେଇ ପରିଚିତ ହେବାଲାଗି ସିଏ ଏବେ ସଙ୍କୋଚବୋଧ କରୁଛି କି ?

 

ଅନେକ ମଣିଷ ଅଛନ୍ତି, ଯେଉଁମାନଙ୍କର ସମ୍ପର୍କରେ ଆସିବାମାତ୍ରକେ ସତେଅବା କେଉଁଠି ଆସି ଧକା ଖାଇଯିବା ପରି ଲାଗେ । ଅନ୍ୟ ପକ୍ଷଟିରୁ ଏପରି ଏକ ବ୍ୟବହାର ମିଳେ, ସତେଯେପରି ବିନା ଅନୁମତିରେ ମୁଁ କାହାର ହତାଭିତରେ ଯାଇ ପଶି ଯାଇଛି । ସେତେବେଳେ ଭାରି ସ୍ଥିର ରହିବାକୁ ହୁଏ । ତେବେଯାଇ ଆର ମଣିଷଟିର ଭିତରକୁ ପ୍ରବେଶ କରିବାର ସୁରାକ ମିଳିଯାଏ । ସୁରାକ ମିଳିଗଲେ ତା’ପରେ ତା’ର ଅସଲ ଜାଗାଟିକୁ ସ୍ପର୍ଶ କରିପାରିବା ମଧ୍ୟ ଅପେକ୍ଷାକୃତ ଅଧିକ ସହଜ ହୋଇଥାଏ । ଏବଂ, ଭିତରେ ପ୍ରବେଶ କରିପାରିଲେ ଯାଇ ମଣିଷର ଭିତରେ ଥିବା ଅସଲ ବସ୍ତୁଟିର, ଅସଲ ବନ୍ଧୁଟିର ଅର୍ଥାତ୍ ଅସଲ ସମଧର୍ମୀଟିର ସାକ୍ଷାତ ମିଳେ । ସତେଅବା ଭଗବତ୍ ସାକ୍ଷାତକାରର ପ୍ରୟାସରେ ଏକ ବୃହତ୍ ସିଦ୍ଧି ହାସଲ କରୁଥିବା ପରି ମନେହୁଏ । ସେତେବେଳେ ସବୁ ସୁନ୍ଦର ଦିଶେ, ସବୁ କେତେ ନା କେତେ ଆଶାରେ ଉଜ୍ଜ୍ଵଳ ହୋଇ ରହିଥିବାର ଉପଲବ୍‌ଧି ହୁଏ । ଦୂରତାମାନେ ଦୂର ହୁଅନ୍ତି ତେଣୁ ବୈରାଗ୍ୟ ମଧ୍ୟ ଦୂର ହୁଏ । ସମସ୍ତେ କେଡ଼େ ଆପଣାର ପରି ଲାଗନ୍ତି ।

 

୨୨ । ୪ । ୯୨

 

ସମ୍ଭବତଃ ଅସାଧୁମାନେହିଁ ସାଧୁମାନଙ୍କର ବର୍ଣ୍ଣନା କରୁଥିବା ସମୟରେ ଏଡ଼େ ଭାବପ୍ରବଣ ହୋଇପଡ଼ନ୍ତି । ନିଜ ଭିତରେ ସମ୍ଭବତଃ ଏକାଧିକ ଉପକାର ପାଉଥିବା ହେତୁ ଦୁର୍ଜନଟିକୁ ପୋଷିପାଳି ଜାକି ଧରିଥିବା ଅନେକ ମଣିଷ ସଜ୍ଜନମାନଙ୍କର ପ୍ରସଙ୍ଗ ପକାଇବାବେଳେ ଶତ ବା ସହସ୍ର ମୁଖରେ ଭାବପ୍ରବଣ ହୋଇଉଠନ୍ତି । ନିଜ ଭିତରେ ଅସଲ ପୁରୁଷଟିକୁ କେଉଁ ତଳେ ପୋତି ରଖିଥିବା ବହୁ ବ୍ୟକ୍ତି ମହାପୁରୁଷମାନଙ୍କର ଗୁଣାବଳୀକୁ ବଖାଣିବା ସମୟରେ ସତେଅବା ପରମ ଉତ୍ସାହର ସହିତ ଚାରିବାହୁ ମେଲି ଭାବପ୍ରବଣ ହୋଇ ଉଠିଥାନ୍ତି । ଓଡ଼ିଶାରେ ଉତ୍କଳମଣି ଗୋପବନ୍ଧୁ ଓ ସେହି କାଟର ଅନ୍ୟମାନଙ୍କ ବିଷୟରେ କିଛି ଲେଖିବା କିମ୍ବା କହିବା ସମୟରେ ଅଧିକାଂଶତଃ ତାହାହିଁ ଦୃଷ୍ଟିଗୋଚର ହୁଏ ।

 

ତ୍ୟାଗୀମାନେ ଆମକୁ ତ୍ୟାଗର ଉଦ୍‌ବୋଧନ ଦେଉଥାନ୍ତେ, ପଥଚାରୀ ମଧ୍ୟ ପଥର ଉଦ୍‌ବୋଧନ ଦେଉଥାନ୍ତେ । ଜଣେ ଆଦର୍ଶବାନ୍ ପୁରୁଷ ଆଦର୍ଶରେ ଉଦ୍‌ବୋଧନ ଦେଉଥାନ୍ତେ । ଜଣେ ମହାପୁରୁଷ ଆମ ପ୍ରତ୍ୟେକଙ୍କ ମଧ୍ୟରେ ରହିଥିବା ମହାନ୍ ସମ୍ଭାବନାଗୁଡ଼ିକର ପ୍ରେରଣା ଦେଉଥାନ୍ତେ । ଲେଖିବା ଲୋକେ, କହିବା ଲୋକେ ଅନେକ ସମୟରେ ସେହି ସର୍ବପ୍ରଥମେ କଥାଟିକୁ ପାସୋରି ଦେଇଥାନ୍ତି । ଯେତିକି ଅଧିକ ପାସୋରି ଦେଇଥାନ୍ତି, ସେତିକି ଅଧିକ ଭାବପ୍ରବଣ ହେବାକୁ ମୁହଁ ପାଆନ୍ତି । ଲକ୍ଷେ ମଣିଷ ଭିତରେ ଜଣେ ମଣିଷ ସତକୁସତ ନିଜ ଭିତରେ ଏକ ଆହ୍ଵାନ ପାଇଲା, ବାଟ ଚାଲିଲା,–ବାରିହୋଇ ପଡ଼ିଲା,–ଆମେସବୁ ଅନ୍ୟମାନେ ତା’ର ଜୀବନରୁ କୌଣସି ଉଦ୍‌ବୋଧନ ପାଇବାନାହିଁ, କେବଳ ଭଲ ଭଲ ଶାବ୍ଦିକତାରେ ସେଗୁଡ଼ାକର ବର୍ଣ୍ଣନା କରୁଥିବା,–ସିଏ ଆମର ଏହି ମାଟିକୁ ଧନ୍ୟ କରି ଦେଇଗଲା ବୋଲି ଓଠକୁ କମ୍ପାଇ କହୁଥିବା, ଅଥବା ଲେଖୁଥିବା,–ଏଇଟା ବଡ଼ ଅରୀତି । ଏହି ଅରୀତି ମଣିଷକୁ ମିଛଟାରେ ସ୍ତାବକ ବନାଏ ଏବଂ ବଞ୍ଚିତ କରି ରଖିଥାଏ । ସାଧୁତାର ପ୍ରଶସ୍ତି ବଢ଼ି ଚାଲିଥାଏ, ମାତ୍ର ଅସାଧୁମାନେହିଁ ଚତୁର୍ଦ୍ଦିଗରେ ରାଜା ହୋଇ ବସିଥାନ୍ତି ।

 

୨୩ । ୪ । ୯୨

 

ଅସଲ ଭକ୍ତି ଭେକକୁ ଅପେକ୍ଷା କରି ରହେନାହିଁ ଅଥବା ଅସଲ ସତ୍ୟକୁ କଦାପି ଏକ ମୂର୍ତ୍ତି ବ୍ୟବସ୍ଥା ଭିତରେ ଆବଦ୍ଧ କରି ରଖେନାହିଁ । ଅସଲ ଆଧ୍ୟାତ୍ମିକତା ଯେପରି କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଢାଙ୍କୁଣି ତଳେ ଚାପି ରଖିଦେଇ ହୁଏନାହିଁ, ଏହା ପ୍ରାୟ ସେହିପରି କଥା । ତଥାପି ପୃଥିବୀରେ ଭେକ ଚିରଦିନ ରହିଆସିଛି, ମୂର୍ତ୍ତିର ମାଧ୍ୟମରେ ଉପାସନା କରିବାଲାଗି ଲୋକେ, ସମ୍ଭବତଃ ଅଧିକ ସଂଖ୍ୟକ ଲୋକେ ଆଗ୍ରହ ଦେଖାଇ ଆସିଛନ୍ତି ଏବଂ ସମ୍ପ୍ରଦାୟମାନେ ତଥାପି ରହିଛନ୍ତି । ସମ୍ପ୍ରଦାୟମାନେ ରହିଛନ୍ତି ବୋଲି ଧର୍ମଗୁଡ଼ିକ ଗୋଟିଏ ଗୋଟିଏ ଆଡ଼ମ୍ବରମୟ ସଂସ୍କୃତିରେ ମଧ୍ୟ ପରିଣତ ହୋଇ ପାରିଛନ୍ତି ସେହି ଆଡ଼ମ୍ବର ଓ ସଂସ୍କୃତିକୁ ନେଇ ମନୁଷ୍ୟର କଳାତ୍ମକ ମାନସିକତା କେତେ କେତେ ପୁଲକ ଅନୁଭବ କରିଛି । ଧର୍ମ ଭିତରେ ଆଧ୍ୟାତ୍ମିକତା, ମୂର୍ତ୍ତି ଭିତରେ ମର୍ମ ଓ ଭେକ ଭିତରେ ଭକ୍ତି ଲାଗି ଯଥାର୍ଥ ଉଦ୍‌ବୋଧନଟି ପ୍ରଚ୍ଛନ୍ନ ହୋଇ ରହିଥିଲେ ମଧ୍ୟ ତଥାପି ପୃଥିବୀର ଅଧିକାଂଶ ଧର୍ମୋଦ୍ୟମ କାହିଁକି ସେଆଡ଼କୁ ବେଶି ମନ ଦେଉ ନାହିଁ ଓ ଆପଣାର ମନପସନ୍ଦ ସ୍ତରଟିରେ ନିଜକୁ ଏତେ ଅତିବିଶ୍ଵାସ ସହିତ ପୋତି କରି ରଖିଛି, ତାହାରି ଏକ ସ୍ଵତନ୍ତ୍ର ବିଚାର ଏବଂ ବିଶ୍ଳେଷଣ କରାଯାଇପାରେ ।

 

ମୋ’ର ମଧ୍ୟ ଭେକ ରହିଛି । ନିଜର କୌଣସି ସମ୍ପ୍ରଦାୟ ଅଥବା ତଜ୍ଜନିତ କୌଣସି ସରାଗ ନଥିଲେ ମଧ୍ୟ କିଛି ନା କିଛି ଭେକ ଅବଶ୍ୟ ରହିଛି । ଲୟ, ନାମସ୍ମରଣ ଏବଂ ମନନର ନିଜସ୍ଵ ଏକାନ୍ତ ବ୍ୟକ୍ତିଗତ ରୀତିମାନେ ରହିଛି ସେଗୁଡ଼ିକ ଏକାଧିକ ଧର୍ମ ତଥା ଉପାସନା ମାର୍ଗକୁ ପ୍ରେରଣା ଆଣିଛି, ସେଗୁଡ଼ିକର ଛାଞ୍ଚରୁ ମଧ୍ୟ କିଛି କିଛି ସଂଗ୍ରହ କରିଛି । ମାତ୍ର, ମୋ’ ନିଜର ଅନୁରାଗଗୁଡ଼ିକ ଏହିସବୁ ସୂତ୍ରରେ ବାନ୍ଧି ହୋଇ ଏକ ନିର୍ଦ୍ଦିଷ୍ଟ ରୀତିର ହୋଇ ରହିଥିଲେ ମଧ୍ୟ ମୁଁ ତଥାପି ସେଗୁଡ଼ିକର କୌଣସି ପ୍ରଚାର କରିନାହିଁ । ସେହିସବୁ ରୀତି ସହିତ ଅନ୍ୟ ରୀତିଗୁଡ଼ିକର କେବେ ତୁଳନା କରିନାହିଁ ଏବଂ ତଦ୍ଦ୍ଵାରା କୌଣସି ପ୍ରକାରେ ହୃଷ୍ଟବୋଧ କରିନାହିଁ । ଏବଂ, ଯିଏ ମୋ’ ଆଗରେ ତା’ ନିଜର ଭେକ, ମୂର୍ତ୍ତି ଓ ସମ୍ପ୍ରଦାୟକୁ ନେଇ ଫୁଲେଇ ହେବାକୁ ଆସିଛି, ସେତେବେଳେ ମୁଁ ଆଧ୍ୟାତ୍ମିକତା ବିଷୟରେ ତା’ର ରହିଥିବା ଅସଲ ସାଧୁତାଗୁଡ଼ିକୁ ସନ୍ଦେହ କରିବାକୁବି ଆରମ୍ଭ କରିଛି ।

 

୨୪ । ୪ । ୯୨

 

ଆମର ଜଣେ କେହି ଆତ୍ମୀୟସ୍ଵଜନ ମରିଗଲେ ଆମେ ଆଗରୁ ମାନସିକ ଭାବରେ ପ୍ରସ୍ତୁତ ହୋଇ ରହିଥିବା ପରି ହଠାତ ଶୋକଚିତ୍କାର କରି ଉଠବା ଓ ବେଶ୍ କେତେଘଡ଼ି ପର୍ଯ୍ୟନ୍ତ ସତେଅବା ଏଠି ଏହି ସଂସାରରେ ତଥାପି ଯେ ଏକ ଭୂମି ରହିଛି, ସେକଥା ଆପାତତଃ ଏକାବେଳେକେ ଭୁଲିଯିବା,–ମୃତ୍ୟୁଲାଗି ମଣିଷର ଏତିକି response କ’ଣ ଏତିକି ପ୍ରତିକ୍ରିୟାଦ୍ଵାରା ବ୍ୟକ୍ତ କରାଯାଇପାରିବ ? ନିୟତିର ସମଗ୍ର ଭୂମିଟି ଏଠୁ ଏହି ଭୂଇଁଟି ଠାରୁ, ପୃଥିବୀର ଜୀବନଠାରୁ ସେ ଭୂଇଁ ଯାଏଁ ମୃତ୍ୟୁକୁ ଅତିକ୍ରମ କରି ବିସ୍ତାରିତ ହୋଇ ରହିଛି । ମଣିଷ ନିଜର କେନ୍ଦ୍ରଟିକୁ ଛୁଇଁ ରହିଥିଲେ ଏହି ସତ୍ୟଟିକୁ ସିଏ କେଡ଼େ ସ୍ଵାଭାବିକ ଭାବରେ ଅନୁଭବ କରିପାରେ । ମାତ୍ର, ତଥାପି, ଜଣେ କେହି ମେଳରୁ ସାଙ୍ଗ ଛାଡ଼ି ଚାଲିଗଲେ ସିଏ ହଠାତ ଗୋଟାଏ ବୋବାଳି ଛାଡ଼ିଦେଇ ନିଜର କାଳ କିପରି ସାରିଦିଏ ? ତା’ପରେ ସାମାଜିକ ରୀତିଗୁଡ଼ିକ ଅନୁସାରେ ପ୍ରେତସଂସ୍କାରର ପର୍ଯ୍ୟାୟଟି ଆରମ୍ଭ ହୁଏ, ଶୋକାର୍ତ୍ତ ମନୁଷ୍ୟମାନେ ସେହି mechanism ବା drillଟି ଭିତରେ ପ୍ରବେଶ କରି କ୍ରମଶଃ ପ୍ରକୃତିସ୍ଥ ହୁଅନ୍ତି ଓ ଅଶୌଚ କାଳଟି ଚାଲିଗଲେ ସତେଅବା ସବୁ ପାସୋରି ଗଲାପରି ଆପଣାର ପୁରୁଣା ଗୁଳାଟିର ମୁଦ ଭିତରକୁ ପୁନର୍ବାର ଫେରି ଆସନ୍ତି । ପୁଣି କେଡ଼େ ଗ୍ରନ୍ଥିଳ ଭାବରେ ବାନ୍ଧିହୋଇ ଯାଆନ୍ତି । ଏହି ସଂସାରର ସିଦ୍ଧଗୁଡ଼ିକୁ ଉପଭୋଗ କରୁଥାନ୍ତି ।

 

ମୋ’ ପ୍ରତିବେଶୀ ଯେଉଁ ବାଟରେ ଗଲେ, ମୁଁ ନିଜେ ମଧ୍ୟ ଦିନେ ସେହି ବାଟରେ ଯିବି । ତେଣୁ, କ୍ଷଣେ ଚିତ୍କାର କରି ଉଠିବାଦ୍ଵାରା ମୋ’ର ଯେପରି ଆଦୌ କୌଣସି ଲାଭ ହୁଏନାହିଁ, ପୁଣି ସବୁ ବିସ୍ମରି ଦେଇ ଗୁଳା ଭିତରକୁ ଫେରି ଆସିବାଦ୍ଵାରା ମଧ୍ୟ କୌଣସି ଲାଭ ହୁଏନାହିଁ । ଗୋଟିଏ ଖିଅ ଅଛି, ଯାହାକୁ ଆବିଷ୍କାର କରିବାକୁ ହୁଏ । ସେହି ଖିଅଟି ଏଠା ସହିତ ସେଠାକୁ ଯୋଡ଼ିକରି ରଖିଥାଏ । ମୋ’ ଭିତରେ ଯୋଡ଼ି ରଖିଥାଏ, ମୋ’ ବାହାରେ ମଧ୍ୟ ଯୋଡ଼ି ରଖିଥାଏ । ତେଣୁ, ଯିଏ ଗଲା, ତାହା ସହିତ ଏକ ଅଭିନବ ନିୟତିର ସୂତ୍ରରେ ମୁଁ ଯୋଡ଼ି ହୋଇ ରହିଛି । ତେଣୁ, ଯୁକ୍ତ ହୋଇ ରହିବାର ସେହି ପ୍ରସନ୍ନ ପଥଟିକୁ ଆବିଷ୍କାର କରିବାକୁ ହେବ ।

 

୨୯ । ୪ । ୯୨

 

ମଣିଷ ଭିତରେ ମଧୁର ମଣିଷଟି, ସେଇଟି ଅସଲ ମଣିଷ । ନିଜ ଭିତରେ ସେହି ଅସଲ ମଧୁର ମଣିଷଟିକୁ ଖୋଜି ବାହାରିବା ଓ ଅଧିକରୁ ଅଧିକ ପରିମାଣରେ ତାହାରିଦ୍ଵାରା ପ୍ରେରିତ ହୋଇ ନିଜକୁ ଏବଂ ସଂସାରକୁ ଦେଖିବା,–ତାହାହିଁ କ’ଣ ମନୁଷ୍ୟର ଯାବତୀୟ ସାଧନା ମଧ୍ୟରେ ରହିଥିବା ତା’ର ଅସଲ ସାଧନା ? ନିଜର ଗ୍ରହଣଶୀଳତାରେ କୃପଣ ହୋଇ ରହିଥିବା ପର୍ଯ୍ୟନ୍ତ ମଣିଷ ଆପଣା ଭିତରେ ସେହି ସ୍ଵତନ୍ତ୍ର କେନ୍ଦ୍ରଟିରୁ ମୋଟେ ବଞ୍ଚି ପାରେନାହିଁ ।

 

ଭଗବାନ୍‍ରୂପୀ ପ୍ରତୀକଟି ଭିତରେ ମଧୁରତାକୁ ଭୂମି କରି ଛିଡ଼ା ହୋଇ ରହିଥିବା ସେହି ପ୍ରତୀକଟି,–ତାହାହିଁ ମଣିଷର ଅସଲ ଆଧାର । ଶାସ୍ତ୍ରକାରମାନେ କେତେ କିଏ ସେହି ପ୍ରତୀକଟିକୁ ନାନା ପ୍ରସ୍ଥରେ ଲମ୍ବାଇ କେତେ କ’ଣ ତତ୍ତ୍ଵ ଓ ସିଦ୍ଧାନ୍ତର ସୂତ୍ର ବାହାର କରିଛନ୍ତି, ତତ୍ତ୍ଵ ସୂତ୍ରଗୁଡ଼ିକରେ ଅଲିଅଳ କଳ୍ପନାମାନ ଦେଇ କେତେଭଳି ମୂର୍ତ୍ତିପିତୁଳା ଗଢ଼ି ଥୋଇ ଦେଇଛନ୍ତି ଏବଂ ପିତୁଳାମାନଙ୍କ ଅନୁସାରେ ବହୁ ଉପାସନାମାର୍ଗ ଏବଂ ସମ୍ପ୍ରଦାୟର ରଚନା କରିଛନ୍ତି । ମାତ୍ର, ମଣିଷ ନିଜେ ମନ କଲେ ଯାଇ ନିଜ ଭିତରେ ସେହି ମଧୁରତାର ଆୟାମଟିକୁ ସ୍ପର୍ଶ କରିବାର ଯୋଗ୍ୟ ହୁଏ । ଯାବତୀୟ ଉପାସନା ଅର୍ଥାତ୍ ଏକଦେଶୀୟତାର ଗାରକୁ ଡେଇଁ ପାରିବାର ଅସଲ ଅନୁରାଗଟିକୁ କର୍ଷଣ କରିପାରିଲେ ଯାଇ ସେ ନିଜ ମଧୁରତାର ମଧୁଚକ୍ରଟିକୁ ଠାବ କରିପାରେ । ମୋ’ର ଜ୍ଞାନ, ମୋ’ର ଭକ୍ତି ଓ ସେଗୁଡ଼ିକର ଆନୁଷଙ୍ଗିକ ମୋ’ର ଯାବତୀୟ ଧନ୍ଦା ଏବଂ ଯାବତୀୟ ବିଦ୍ୟା ମୋତେ କିପରି କ୍ରମଶଃ ସେହି ମଧୁରତାର ଅଧିକରୁ ଅଧିକ ନିକଟବର୍ତ୍ତୀ କରି ଆଣିଛନ୍ତି, ଅନେକ ସମୟରେ ଭିତରକୁ ଓ ପଛକୁ ଅନାଇବାବେଳେ ମୁଁ ସବାଆଗ ତାହାକୁହିଁ ପ୍ରତ୍ୟକ୍ଷ କରିଥାଏ । ସେତେବେଳେ ମୂର୍ତ୍ତିମାନେ ମଧ୍ୟ ପଥ ପରି ଦିଶନ୍ତି । ପଥଚାରଣାରେ ଗୋଟିଏ ଗୋଟିଏ ଥାନରେ ମୂର୍ତ୍ତିମାନେ ଆପେ ଆପେ ରହି ଯାଆନ୍ତି । ମୋତେ ସତେଅବା ଆହୁରି ଆଗକୁ ବାଟ ଛାଡ଼ିଦିଅନ୍ତି ଏବଂ ସେମାନଙ୍କର ଶୁଭକାମନାକୁ ପାଥେୟ କରି ମୁଁ ଆଗକୁ ବାହାରିଯାଏ । ଏଣୁ ମୋ’ ଜୀବନରେ ମୂର୍ତ୍ତିମାନେ ହୁଏତ କେବେହେଲେ କଣ୍ଟକ ହୋଇନାହାନ୍ତି । ଅସଲ ଲୟଟି ଭିତରକୁ ଅତିକ୍ରମ କରି ଯିବାପାଇଁ କୌଣସି ସଙ୍ଗୀତ ଭିତରେ ରହିଥିବା ଓ ତାକୁ ଶରୀର ଦେଇ ରଖିଥିବା ଶବ୍ଦ, ତାଳ ଓ ରାଗଗୁଡ଼ିକ କାହିଁକି ପ୍ରତିବନ୍ଧକ ବା କଣ୍ଟକ ହୋଇ ଛିଡ଼ା ହେବ ? ହଁ, ଆମେ ମନ କଲେ ଏମାନେ ସେହିପରି ଏକ ଭୂମିକାରେ ଯାଇ ଅବତୀର୍ଣ୍ଣ ହୋଇ ପାରନ୍ତି ।

 

୧ । ୫ । ୯୨

 

ବାସନା କହିଲେ ବହୁ ନକାରାତ୍ମକତାଦ୍ଵାରା ଗରୁ ହୋଇ ରହିଥିବା ଆମ ପରମ୍ପରାରେ ତୁଚ୍ଛା ଦୁର୍ବାସନା ତଥା ଅଶୁଭବାସନାଗୁଡ଼ିକୁ ଏପରି ଏକପାଖିଆ କରି ଦେଖାଇ ଦିଆଯାଇଛି ଯେ, ଈଶ୍ଵର–ଉପଲବ୍‌ଧି ଲାଗି ବାସନା ରଖିବା ବୋଲି କହିଲେ ଆମକୁ ସତେଯେପରି କେମିତି କେମିତି ଲାଗୁଛି । ଆମର ତୁଚ୍ଛା କଳାପାଖଗୁଡ଼ାକୁହିଁ ଠଉରାଇବାରେ ଆପଣାର ଯାବତୀୟ ବିବେଚନାଶକ୍ତିକୁ ସାରିଥିବା ଆମର କେତେ ମହଜ୍ଜନ ମଧ୍ୟ କହି ଆସିଛନ୍ତି ଯେ, ତଥାକଥିତ ବାସନାଗୁଡ଼ିକୁ ଛିଣ୍ଡାଇ ଆସି ପାରିଲେ ଯାଇ ଆମେ ଆମ ଭଗବାନ୍‍ଙ୍କର ଭାଜନ ହୋଇ ପାରିବା । ମାତ୍ର, ନିଜ ଜୀବନରେ ମୁଁ ଯେଉଁଠାରୁ ଯେଉଁଯାଏଁ ଆସିଲିଣି, ତାହାକୁ ଅନାଇ ଦେଖିବାବେଳକୁ ମୋଟେ ସେହି ଗୁରୁବାକ୍ୟଗୁଡ଼ିକୁ ସ୍ଵୀକାର କରି ପାରୁନାହିଁ ।

 

ହଁ ସେଠୁ ଏଯାଏଁ ଗୋଟିଏ ଅବିଚ୍ଛିନ୍ନ ସୋପାନମାଳା,–ତଥାକଥିତ ତଳକୁ ତଥାକଥିତ ଉପର ସହିତ ସଂଯୁକ୍ତ କରି ରଖିଛି । ନିଜପ୍ରତି ଉଦାସୀନ ହୋଇ ବାହାରୁ ଦେଖିଲେ ସବୁକିଛି ତଳ ଉପର ହୋଇ ଦିଶୁଛି, ଏବଂ ତଳଗୁଡ଼ିକୁ ବାସନା ବୋଲି କହିବାରେ ଅଭ୍ୟସ୍ତ ହୋଇ ରହିବାକୁ ଉପରଗୁଡ଼ିକୁ ଠିକ୍ ସେହି ନାମରେ ଅଭିହିତ କରିବାକୁ ଆଦୌ ମନ ହେଉନାହିଁ । ମାତ୍ର, ନିଜେ ନିଜେ ସାଥୀ ପରି, ସାକ୍ଷୀ ପରି, ସହୋଦର ପରି ଅନୁରାଗ ସହିତ ଦେଖିବାକୁ ମନ କଲାମାତ୍ରକେ, ତଳୁ ଉପର ଯାଏଁ ସବୁକିଛି ଗୋଟିଏ ସମଗ୍ରତା ପରିହିଁ ଅନୁଭୂତି ହେଉଛି, ଏଠି ତଳ କେଉଁଟା, ପୁଣି ଉପରଟାବି କେଉଁଟା ? ସବୁଯାକ ଖାଲି ବ୍ୟାକୁଳତା, ଖାଲି ସମଗ୍ରରୁ ସମଗ୍ରତର ଭାବରେ ଅଙ୍ଗେ ନିଭାଇବାର ଇଚ୍ଛା, ହେବାର ଇଚ୍ଛା, ପୂର୍ଣ୍ଣରୁ ପୂର୍ଣ୍ଣତର ଭାବରେ ସମ୍ମିଳିତ ହେବାର ଇଚ୍ଛା । ଗୋଟିଏ ଆରଟି ଆଡ଼କୁ ବାଟ କାଢ଼ି ନେଇଛି, ଆରଟି ଏଇଟିକୁ ପବିତ୍ର କରି ରଖିଛି, ଆପଣାର ବହୁ ସମ୍ଭୂତିର ଇତିହାସ ଭିତରେ କେଡ଼େ ଆଦରରେ ସାଇତି ରଖିଛି । ସିଏ ବାସନା, ଇଏବି ବାସନା । ଗୋଟିଏ ଆରଟିଠାରୁ ଅଲଗା ବୋଲି କହିଲେ ମୋତେ ମିଛହିଁ କହିବାକୁ ପଡ଼ିବ ।

 

୨ । ୫ । ୯୨

 

ଖାଲି ଅତୀତ ଯେ ମନଉପରେ ବୋଝ ପରି ଲଦି ହୋଇ ରହିବାକୁ ଇଚ୍ଛା କରୁଥାଏ ତା’ ନୁହେଁ, ତଥାକଥିତ ଭବିଷ୍ୟତ୍‍ଟା ମଧ୍ୟ ସତେଅବା ଆମ ଜୀବନର ଏକମାତ୍ର ଭର୍ତ୍ତା ପରି ଆମକୁ ଭାରି ଆକର୍ଷଣମୟ ପରାକ୍ରମ ସହିତ ଟାଣିବାରେ ଲାଗିଥାଏ ଓ ବର୍ତ୍ତମାନ ବିଷୟରେ ଆମକୁ ଏକାନ୍ତ ବିମୁଖ ଏବଂ ଅନ୍ୟମନସ୍କ କରି ରଖିବାକୁ ଚେଷ୍ଟା କରୁଥାଏ । ବର୍ତ୍ତମାନ ବ୍ୟତୀତ ଯେ ଅତୀତ ବା ଭବିଷ୍ୟତ୍ କୌଣସି ଗୋଟିକର ସେପରି କୌଣସି ତାତ୍ପର୍ଯ୍ୟ ନାହିଁ, ସେ କଥାଟି ବିଷୟରେ ଯଥାସମ୍ଭବ ଅଧିକ ବିସ୍ମୃତ ହୋଇ ରହିବାଲାଗି ଆମକୁ ଅତୀତ ଏବଂ ଭବିଷ୍ୟତ୍ ତରଫରୁ ଅନୁକ୍ଷଣ କେତେ ପ୍ରଲୋଭନ ଓ ପ୍ରରୋଚନା ମିଳିବାରେ ଲାଗିଥାଏ ତେଣୁ, ବେଳେବେଳେ ଇହନିଷ୍ଠ ହୋଇ ରହିଥିବା ନିମନ୍ତେ ରୀତିମତ ସଂଗ୍ରାମ କରିବାକୁ ପଡ଼େ । ସେହି ବର୍ତ୍ତମାନ ଉପରେ ଛିଡ଼ା ହୋଇ ବର୍ତ୍ତମାନକୁ ସାମନା କରିପାରିବା ସକାଶେ ନିଜସହିତ ମଧ୍ୟ କେତେ ସଂଗ୍ରାମ କରିବାକୁ ହୋଇଥାଏ । ବାସ୍ତବକୁ ଏଡ଼ିବା ଲାଗି ଆଦର୍ଶ ସତେଅବା ଲାବଣ୍ୟବନ୍ତ ହୋଇ ଆଗରେ ଛିଡ଼ା ହୋଇଥାଏ ଏବଂ ଗଣିବାରେ ଲାଗିଥାଏ ।

 

ଏହିଠାରେହିଁ ଦୃଢ଼ପ୍ରତିଷ୍ଠା ହୋଇ ଛିଡ଼ା ହୋଇପାରିଲେ ଅତୀତ ଓ ଭବିଷ୍ୟତ୍ ଏକାବେଳେକେ ଅନ୍ୟପ୍ରକାରେ ଦିଶନ୍ତି । ଏକାନ୍ତ ସହଯୋଗୀ ପରି ଦିଶନ୍ତି । ଆଦୌ କୌଣସି ଭାବପ୍ରବଣତା ଭିତରେ ଆପଣାକୁ ଅଳସଶୟନନିମଗ୍ନ ନକରି ରଖିବାଲାଗି ଆଦୌ କୌଣସି ଆବଶ୍ୟକତା ଅନୁଭୂତ ହୁଏନାହିଁ । ଅତୀତକୁ ନେଇ ଯାବତୀୟ ଗୌରବବୋଧ ସେତେବେଳେ ପ୍ରାୟ ଏକ ପୁଞ୍ଜିରେ ପରିଣତ ହୁଏ । ଅନୁକ୍ଷଣ କାମରେ ଲାଗୁଥାଏ, ଅନବତର ପ୍ରାସଙ୍ଗିକ ହୋଇ ରହିଥାଏ । ଭବିଷ୍ୟତ୍ ସମ୍ବନ୍ଧରେ ଯାବତୀୟ ସ୍ଵପ୍ନ ମଧ୍ୟ ଏଇଠି ମୋତେ ନିମିତ୍ତ କରି ଏକାବେଳେକେ ଦୃଶ୍ୟମାନ ହାତଗୋଡ଼ ସହିତ ବିଚରଣ କରିବାରେ ଲାଗିଥାନ୍ତି । ତେଣୁ ଯଦି ନିଜକୁ ପ୍ରକୃତରେ ଏକ ନିମିତ୍ତରୂପେ ତିଆରି କରିବାର କଥା ଆମକୁ ଏହିଠାରେହିଁ ଠିଆ ହୋଇ ଶିଖିବାକୁ ହେବ, ଏହିଠାରେ ରହି ଅତୀତ ତଥା ଭବିଷ୍ୟତ୍ ମଧ୍ୟରୁ ଯାବତୀୟ ପ୍ରେରଣାକୁ ଆବାହନ କରି ଆଣିବାକୁ ପଡ଼ିବ ।

 

୩ । ୫ । ୯୨

 

କୌଣସି ବ୍ୟକ୍ତିର ଦେହରେ ଦୂରରୁ କେହି ପେଷିଥିବା ଶରଟିଏ ଆସି ବାଜିଲେ ତୁମେ ଆହତ ବ୍ୟକ୍ତିର ବିହିତ ଉପଚାରମାନ କରି ତାକୁ ସୁସ୍ଥ କରାଇବ ନା ତାହାର ଜାତି ପଚାରିବ, କୁଳ ପଚାରିବ, ସେତେବେଳେ କେଉଁ ଦିଗରୁ ପବନ ବୋହୁଥିଲା, ସେହି ବିଷୟରେ ଅନୁସନ୍ଧାନ କରିବାକୁ ମନ କରିବ,–ଏକଥା ଭାରତବର୍ଷରେ ଦିନେ ଗୌତମ ବୁଦ୍ଧ ପଚାରିଥିଲେ । ଏହି ପ୍ରଶ୍ନଟି କେବଳ ଭାତରବର୍ଷ ଲାଗି ପଚରା ହୋଇ ନଥିଲା, ସମଗ୍ର ମାନବଜାତି ଲାଗି ପଚରା ହୋଇଥିଲା-। ଆମର ଏହି ତଥାକଥିତ ଅଧିକ information ଓ ଅଧିକ mediaର ଯୁଗରେ ସେହି ପ୍ରଶ୍ନଟି ପଚରା ହେବାର ଏକାନ୍ତ ପ୍ରାସଙ୍ଗିକତା ମଧ୍ୟ ଅବଶ୍ୟ ରହିଛି ।

 

ଏବେ ଉପଦ୍ରବକାରୀକୁ ନଦେଖି ତା’ର ଧର୍ମକୁ ଦେଖାଯାଉଛି, ତା’ର ଜାତିକୁ ଦେଖାଯାଉଛି, ତା’ ଚମଡ଼ାର ରଙ୍ଗକୁ ଦେଖାଯାଉଛି; ଏବଂ ତା’ର ଜାତୀୟତାରୁ ତାକୁ ଠାବ କରିବାର ଚେଷ୍ଟା କରାଯାଉଛି । ମାତ୍ର କେତେବର୍ଷ ତଳେ ମଣିଷକୁ ତା’ର ରାଜନୀତିକ ମତବାଦ ଦୃଷ୍ଟିରୁ ଦେଖା ଯାଉଥିଲା ଏବଂ ଆବଶ୍ୟକ ମନେ କରାଯାଉଥିବା ପ୍ରତିଶୋଧ ମଧ୍ୟ ନିଆଯାଉଥିଲା-। ସେ କଥା ତଥାପି ବୁଝି ହେଉଥିଲା । ମାତ୍ର, ଏବେ ଯେତେବେଳେ ଧର୍ମ, ଜାତି, ଜାତୀୟତା ଓ ଦେହର ରଙ୍ଗ ସବାଆଗ ଦେଖାଯାଉଛି ଓ ସେହିଭଳି ଦେଖୁଥିବା ମତ୍ତ ଅଳପମାନେ ଧର୍ମ ଓ ଜାତି ନାମରେ ଦଙ୍ଗା ଆରମ୍ଭ କରି ଦେଉଛନ୍ତି, ସନ୍ତ୍ରାସବାଦୀ ହେଉଛନ୍ତି ଆମେ ଏଥିଲାଗି ମଣିଷ ଭିତରେ ଅତିରିକ୍ତ ଭାବରେ ଏକଜିଦିଆ ହୋଇ ବଢ଼ି ଆସିଥିବା ଅମଣିଷଟାକୁ ଦୋଷ ଦେବା ନା ଏ ଯୁଗରେ ଅତ୍ୟନ୍ତ ସୁଲଭ ହୋଇ ପାରିଥିବା ବନ୍ଧୁକ ଓ ବୋମାଗୁଡ଼ାକୁ ଦୋଷ ଦେବା ? ଦଙ୍ଗା କେବଳ ପଞ୍ଜାବରେ, କାଶ୍ମୀର ଉପତ୍ୟକାରେ ନୁହେଁ, ଧନୀ ଦେଶ, ଗଣତନ୍ତ୍ରର କୁବେରପୁର ଆମେରିକାରେ ମଧ୍ୟ ଲାଗିଲାଣି । ଅପରାଧୀକୁ ଆଳ କରି ଅପରାଧୀର ଚମର ରଙ୍ଗଟାକୁ ଆଗ ଦେଖାଯାଉଛି ଓ ସେହି ଅନୁସାରେ ପ୍ରତିଶୋଧ ନିଆଯାଉଛି । ଏବଂ, ଖୋରାକ ଯୋଗାଇଦେବା ସକାଶେ ଛୁରି, ତରବାରି ବୋମା ଓ ବନ୍ଧୁକମାନେ ସର୍ବଦା ହାତପାଖରେ ପ୍ରସ୍ତୁତ ହୋଇ ରହିଛନ୍ତି ।

 

୪ । ୫ । ୯୨

 

ଶ୍ରୀ ଅରବିନ୍ଦ bj ctivising the Truth ବିଷୟରେ କହିଛନ୍ତି ଏବଂ ପୃଥିବୀରେ ପ୍ରାୟ ଯାବତୀୟ ଶିବିରରେ the Truth ପିତୁଳାରେ ପରିଣତ କରି ରଖିବାର ତାମସା ଚାଲିଛି । ଏବଂ, ପିତୁଳାପୂଜକମାନେ ପିତୁଳାମାନଙ୍କୁ ଆଳକରି ପରସ୍ପର ସହିତ ଯୁଦ୍ଧରେ ଲିପ୍ତ ହୋଇ ରହିଛନ୍ତି ।

 

ଏପରି କାହିଁକି ହେଉଛି ? ଇତିହାସରେ ଅଧିକାଂଶତଃ କାହିଁକି ଏହିପରି ହୋଇଆସିଛି-? ଖାଲି ତଥାକଥିତ ଧର୍ମ ବା ତଥାକଥିତ ଆଧ୍ୟାତ୍ମିକତାର ଡେରାମାନଙ୍କରେ ନୁହେଁ, ସାମୂହିକ ଜୀବନର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପ୍ରାୟ ତାହାହିଁ ହୋଇଛି । ଗୁରୁମାନେ ମଣିଷର ବାଟ କଢ଼ାଇ ତାକୁ ଆଗକୁ ନେଇଯିବା ପରିବର୍ତ୍ତେ ତାକୁ ଭଳିଭଳି ସମ୍ପ୍ରଦାୟ ଭିତରେ କାବୁ କରି, ତୁଚ୍ଛା ପୌତ୍ତଳିକରେ ପରିଣତ କରି ରଖି ଦେଇଛନ୍ତି । ତଥାକଥିତ ପରମସତ୍ୟମାନେ କଣ୍ଢେଇ ବନି ବେଶ ହୋଇ ସିଂହାସନରେ ବସି କେଡ଼େ ସୁନ୍ଦର ଦିଶୁଛନ୍ତି, ମାତ୍ର ସେଥିରୁ ମନୁଷ୍ୟ ସ୍ଵୟଂ ସୁନ୍ଦର ହେବାର ପ୍ରୋତ୍ସାହନ ବା ପ୍ରେରଣା ଖୁବ୍ ବେଶି ଲବ୍‌ଧ ହୋଇ ପାରିନାହିଁ । ବହି ଗଦା ଗଦା ଲେଖାଯାଇଛି, ତୁଚ୍ଛା ଅଗାଡ଼ିମାନର ମଠାବସ୍ତ୍ର ପିନ୍ଧି ଭଗବାନ୍‍ଙ୍କର ମହିମାପ୍ରଚାର ଲାଗି ଦିଗ୍‌ବିଜୟ ଯାତ୍ରାରେ ବାହାରିଛନ୍ତି । ଢାଳ, ଢୋଲ, ଭେରୀ ଓ କାହାଳୀମାନଙ୍କର ଭିଆଣ ହୋଇଛି । ଭଳିଭଳି ପ୍ରତୀକ ଓ ଭେକମାନଙ୍କରବି ଭିଆଣ ହୋଇଛି । ସତ୍ୟକୁ ପିତୁଳା କରି ବସାଇ ଦିଆଯାଇଛି ଏବଂ ଜୀବନକୁ ଅଲକ୍ଷଣା ହେବାଲାଗି ଛାଡ଼ି ଦିଆଯାଇଛି । ଅତ୍ୟନ୍ତ ଦୃଶ୍ୟମାନ ଭାବରେ ମୁଁ ଯେତେବେଳେ ଅଲକ୍ଷଣା ଲୋକମାନଙ୍କୁ ଛତି ଓ ତରାସ ଧରି ଭଗବାନ୍‍ଙ୍କ ନାମରେ ସମ୍ପ୍ରଦାୟର ବେଢ଼ା ଭିତରେ ବୁଲୁଥିବାର ଦେଖେ, ସେତେବେଳେ ମୁଁ ବାହାରେ ସିନା କୌଣସି ପାଟି କରେନାହିଁ, ମାତ୍ର ଭିତରେ ଭାରି ସାବଧାନ ହୋଇଯାଏ । ଭିତରେ ବସିଥିବା ପରମ ମଇତ୍ରଟି ପାଖରେ ପୁନର୍ବାର ମୋ’ର ଅସଲ ଆନୁଗତ୍ୟର ଶପଥ ନେବାକୁ ଧାଇଁଯାଏଁ । ମୁଁ ଅନୁକ୍ଷଣ ସେହିଠାରୁହିଁ ବଳ ପାଏ, ସାନ୍ତ୍ଵନାବି ପାଏ । ସେହି ବଳଟି ମୋ’ର ଖିଅମାନେ ଲାଗି ରହିଥିବା ପର୍ଯ୍ୟନ୍ତ ହାଟ ଲଗାଇଥିବା ଏହି କାଳିସୀମାନେ ମୋତେ କଦାପି ବିଚଳିତ କରିପାରିବେନାହିଁ ବୋଲି ମୁଁ ଭିତରୁ ଭରସା ପାଏ । ମୋ’ର ମେରୁଦଣ୍ଡ ସିଧା ହୋଇ ରହିବାର ଭରସା ପାଏ ।

 

୫ । ୫ । ୯୨

 

ବାସନା ବଢ଼ୁଥିବ, ଆବଶ୍ୟକତା ବଢ଼ୁଥିବ,–ଚେତନା ସଂପ୍ରସାରିତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ଅଭାବବୋଧ ମଧ୍ୟ ବଢ଼ିବାରେ ଲାଗିଥିବ । ଜୀବନର ଏକ ସର୍ବନିମ୍ନ ପ୍ରତିଷ୍ଠା ନିମନ୍ତେ ଏବଂ ସେହି ଅନୁସାରେ ନିଜଭିତରେ ଏକ ସ୍ଵାଭାବିକ ପ୍ରତିଷ୍ଠାବୋଧ ଆସିପାରିବା ନିମନ୍ତେ ସବାଆଗ ଯେଉଁ ଭୌତିକ ଭୂମିଟିର ଆବଶ୍ୟକତା ରହିଛି, ସବୁ ମଣିଷଙ୍କ ଜୀବନରେ ସେହି ଆବଶ୍ୟକତା ପୂରଣ ଲାଗି ଏକ ଦୃଢ଼ ଭୂମି ଓ ଦୃଢ଼ ପରିପାର୍ଶ୍ଵର ନିର୍ଭର ଅବଶ୍ୟ ରହିଥିବା କେବଳ ୟା’ପାଇଁ ବା ତା’ପାଇଁ ନୁହେଁ, ସବୁ ମଣିଷଙ୍କ ପାଇଁ ସେହି ନିର୍ଭର ରହିଥିବ । ସେହି ନିର୍ଭରଟି ସବାଆଗ ପୃଥିବୀ ଉପରେ ବଳବତ୍ତର ରହିପାରିନଥିବା ପର୍ଯ୍ୟନ୍ତ ପୃଥିବୀ କଦାପି ସୁସ୍ଥ ହୋଇ ପାରିବନାହିଁ ।

 

ମାତ୍ର, ସାମଗ୍ରୀ ଯେତିକି ଅଧିକ ହେଉଥିବ, ପୃଥିବୀର ଅର୍ଥାତ୍ ପୃଥିବୀରେ ଘର ବାନ୍ଧିଥିବା ମଣିଷର ସୁସ୍ଥତା ମଧ୍ୟ ସେତିକି ଯେ ବୃଦ୍ଧି ପାଉଥିବ, ସେ ବିଷୟରେ ଆଦୌ କୌଣସି ନିଶ୍ଚୟତା ନାହିଁ । ସାମଗ୍ରୀମାନେ ସୁସ୍ଥତାକୁ ଏକ ପ୍ରାଥମିକ ଭୂମି ବା ପ୍ରତ୍ୟୟ ଯୋଗାଇଦେବେ ସିନା, ମାତ୍ର ମନୁଷ୍ୟର ପରବର୍ତ୍ତୀ ଉତ୍ତୋଳନଗୁଡ଼ିକ ନିମନ୍ତେ ସାମଗ୍ରୀକୁ କଦାପି ଏକ ପ୍ରେରଣକାରୀ କାରଣ ବୋଲି ଗ୍ରହଣ କରାଯାଇପାରିବ ନାହିଁ । ପ୍ରତ୍ୟେକ ବ୍ୟକ୍ତି ତା’ର ନିଜ ଗାରଟିକୁ ନିଜେ ଟାଣିବ । ମୋ’ର ସାମଗ୍ରୀଗୁଡ଼ିକ ମୋତେ କେଉଁଠାକୁ ଆସି ସାମଗ୍ରୀଗୁଡ଼ିକର ବାଡ଼କୁ ଡେଇଁ ସେପାଖକୁ ଚାଲିଯିବାକୁ ହେବ, ତାହାରି ବାଟଟିକୁ କାଢ଼ିବାରେ ଏବଂ ସେହି ନିର୍ଣ୍ଣୟଟିରେ ପହଞ୍ଚିବାରେ ସାହାଯ୍ୟ କରିପାରୁଥିବେ । ସାମଗ୍ରୀଗୁଡ଼ିକରେ ଅସଲ ସୁଖ ଓ ଅସଲ ଉତ୍ତୋଳନ ନାହିଁ ବୋଲି ଉଚ୍ଚମତିମାନେ ଯାହା ଯୁଗେଯୁଗେ କହି ଆସିଛନ୍ତି, ସେକଥା ସମ୍ପୂର୍ଣ୍ଣ ଭାବରେ ସତ । ମାତ୍ର, ସେମାନଙ୍କ ଏହିପରି ଏକ ନୀତିବଚନ ଆଳରେ ପୃଥିବୀରେ ଅଧିକସଂଖ୍ୟକ ମଣିଷଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକରୁ ବଞ୍ଚିତ ହୋଇ ରହିବାର ଏକ ଅବ୍ୟବସ୍ଥା ଓ ଅମାନୁଷିକତା ମଧ୍ୟରେ ବାଧ୍ୟ କରି ରଖି ଆସିଛନ୍ତି । ଫଳରେ ପୃଥିବୀରେ ଅଧିକାଂଶ ସତ୍ୟ କେବଳ ଶାସ୍ତ୍ରରେହିଁ ପରିଣତ ହୋଇ ରହିଛି ଏବଂ ସମ୍ବନ୍ଧଗୁଡ଼ାକ ଅତ୍ୟନ୍ତ କପଟ ପ୍ରେରିତ ହୋଇ ରହିଛି । ସାମଗ୍ରୀ ଭରପୂର ହୋଇ ରହିଛି ଏବଂ ଏଣେ କୋଟି କୋଟି ମଣିଷ ନାନାଭାବେ ବଞ୍ଚିତ ହୋଇ ଏକାନ୍ତ ଦୟନୀୟ ଜୀବନଯାପନ କରୁଛନ୍ତି । ଅଗ୍ରଗତିର ସବୁଯାକ ଲକ୍ଷଣ ମହଜୁଦ ହୋଇ ରହିଥିଲେ ମଧ୍ୟ ଜୀବନ ବଡ଼ ଅଲକ୍ଷଣା ହୋଇ ପଡ଼ିଛି । ସବାଆଗ ଏଇଟାହିଁ ବଦଳୁ । ତେବେଯାଇ ଶୁଭର ଯୁଗ ଆସିବ, ଅସଲ ଚେତନାର ଅବତରଣ ନିମନ୍ତେ ଆବଶ୍ୟକ ଭୂମି ପ୍ରସ୍ତୁତ ହୋଇଯିବ ।

 

୬ । ୫ । ୯୨

 

ମୋ’ ଜୀବନରେ ସାମଗ୍ରୀଗୁଡ଼ିକ ଲାଗି ଗାରଟିକୁ ମୁଁ ଟାଣିବି । ଏହି ଗାର ଟାଣିବାର କାର୍ଯ୍ୟଟିକୁ ଅନେକ ସମୟରେ ନୈତିକତା କରିଛି, ଶାସ୍ତ୍ର କରିଛି, ନୀତି ଏବଂ ଧର୍ମର ପ୍ରହରୀରୂପେ ରାଷ୍ଟ୍ର ମଧ୍ୟ କରିବାକୁ ସରାଗ ଏବଂ ପରାକ୍ରମ ଦେଖାଇଛି । ତାହାରି ବେଶି କିଛି ଫଳ ଫଳିନାହିଁ ।

 

ସାମଗ୍ରୀଗୁଡ଼ିକର ସେହି ଗାରଟି ପରେ ଜୀବନରେ ଛୁଇଁ ପାରିବା ଲାଗି ଆହୁରି ଅନେକ ଗାର ରହିଛି ବୋଲି ହୃଦୟ ବୁଝିଗଲା ପରେ ଏହି ପ୍ରଥମ ଗାରଟିକୁ ଡେଇଁଯିବା ପ୍ରକୃତରେ ବଡ଼ ସହଜ ହୋଇଯାଏ । ସଂସାର ଆଉ ବନ୍ଧନ ହୋଇ ରହେନାହିଁ, ସଂସାର ମୁକ୍ତିର ସାଧନ ହୁଏ । ବାସନାମାନେ ତା'ପରେ ଆଉ କଦାପି ଜାଲରେ ପକାଇଦେବେ ବୋଲି ଚକ୍ରାନ୍ତ କରି ଆସନ୍ତିନାହିଁ । ସେମାନେ ସତକୁସତ ଡେଣା ପରି କାମରେ ଲାଗନ୍ତି, ଖିଅ ହୋଇ ଯୋଡ଼ି ପାରନ୍ତି, ଏଠା ସହିତ ସେଇଟିର ସଂଯୋଗ ସ୍ଥାପନ କରାଇ ଦିଅନ୍ତି ! ତେଣୁ, ବାସନାଗୁଡ଼ାକୁ ଲୁଚି ଲୁଚି ଆଦରି ରହିବାର ଆଉ ଆଦୌ କୌଣସି ଆବଶ୍ୟକତାବି ରହେନାହିଁ । ସମୟ ଜାଣି, ଭିତରର ଆକାଂକ୍ଷାଗୁଡ଼ିକୁ ଠଉରାଇପାରି ଗାର ଡେଇଁବାକୁ ସମର୍ଥ ହେଉଥିଲେ ସଂସାର ମୋଟେ ଅନିତ୍ୟ ଲାଗେନାହିଁ, ମାୟା ଭଳି ଲାଗିବା ତ ଆହୁରି ଅଧିକ ଦୂରର କଥା । ସଂସାର ଏକ ପଥପରି ଲାଗେ, କୌଣସି ଜଣେ ପରମବନ୍ଧୁଦ୍ଵାରା ନିର୍ଦ୍ଦେଶିତ କରି ଦିଆଯାଇଥିବା ପଥ ପରି ଅନୁଭବ ହୁଏ । ସେଥିପାଇଁ ବାଟଟିକୁ ଚାଲିବାହିଁ ଜୀବନର ସର୍ବମୀମାଂସାକାରୀ ଆଧ୍ୟାତ୍ମିକ କର୍ତ୍ତବ୍ୟ ବୋଲି ଅତ୍ୟନ୍ତ ସ୍ଵାଭାବିକ ଭାବରେ ସ୍ଵୀକୃତ ହୋଇଯାଏ । ଏବଂ, ସମ୍ଭବତଃ ସବୁଠାରୁ ବଡ଼କଥା ହେଉଛି, ପରମବନ୍ଧୁଟି ସତତ ନିଜର ଭିତରେହିଁ ବାସ କରୁଥିବାର ଅନୁଭୂତ ହୁଅନ୍ତି, ଦେଖା ଯାଆନ୍ତି । ଏତେ ପାଖରେ, ନିଜ ଭିତରେ ତାଙ୍କୁ ଦେଖିପାରିଲେ ଅଲିଅଳ ଭାବରେ ପ୍ରଶ୍ରୟ ପାଇ ଆସିଥିବା ମାୟାବାଦମାନେ କୁଆଡ଼େ ଲାଜରା ହୋଇ ପଳାୟନ କରନ୍ତି । ଗାର ଡେଇଁ ପାରୁଥିବା ମଣିଷକୁ ସଂସାରରେ ସବୁ ମଣିଷ ପଥଚାରୀ ପରି ଲାଗନ୍ତି । ପାଷଣ୍ଡ ପରି ଆଦୌ କେହି ଲାଗନ୍ତିନାହିଁ । ନିଜପାଇଁ ଜୀବନ ବଞ୍ଚିବା ସତକୁସତ ତାଙ୍କରିପାଇଁ ଜୀବନ ବଞ୍ଚିବାରେ ପରିଣତ ହୁଏ । ତାଙ୍କରିପାଇଁ ଜୀବନ ବଞ୍ଚିବାକୁ ଯେଉଁ ବିସ୍ତୃତି ଉପଲବ୍‌ଧ ହୁଏ, ତାହାହିଁ ପରିତ୍ରାଣର କାରଣ ହୁଏ, ତାହାହିଁ ଯୁକ୍ତ କରି ରଖିଥାଏ ।

 

୭ । ୫ । ୯୨

 

ଭଗବାନ୍‍ଙ୍କୁ ପ୍ରଧାନତଃ ମାଗୁଥିବା ମଣିଷ କ୍ରମେ ପ୍ରାୟ ସେହି ପ୍ରକ୍ରିୟା ବଶବର୍ତ୍ତୀ ହୋଇ ପୌତ୍ତଳିକ ହୋଇଯାଏ । ପିତୁଳାଟିଏ ତା’ପାଇଁ ସବୁଦିନ ପାଇଁ ପିତୁଳା ହୋଇ ରହିଥାଉ, ଏକ ଅତ୍ୟନ୍ତ ଅନ୍ତର୍ଗତ inhibitionର ପ୍ରକୋପଦ୍ଵାରା ପ୍ରତାରିତ ହୋଇ ସିଏ ସମ୍ଭବତଃ ତାହାହିଁ ଇଚ୍ଛା କରୁଥାଏ ଓ ତାକୁହିଁ ନିଜର ଆବଶ୍ୟକତା ବୋଲି ମାଗୁଥାଏ ।

 

ଅସଲ ଚେତନା ଏବଂ ତାହାରି ମାଧ୍ୟମରେ ଆସଲ ଉତ୍ତୋଳନକୁ ମନ କରୁଥିବା ମଣିଷ ମୂର୍ତ୍ତି ବା ପ୍ରତିମାକୁ ସୋପାନ କରି ମର୍ମ ଯାଏଁ ଆରୋହଣ କରିଯାଇପାରେ । ଉତ୍ତୋଳନକାମୀ ମନୁଷ୍ୟ ଉତ୍ତୋଳନହିଁ ମାଗେ, ଉତ୍ତୋଳନ ବ୍ୟତୀତ ଆଉ କିଛିହେଲେ ମାଗେନାହିଁ । ଆପଣାର ଉତ୍ତୋଳିତ ଦୃଷ୍ଟି ତଥା ଉତ୍ତୋଳିତ ଅନୁରାଗରେ ସେ ଆପଣାର ନୁହେଁ, ସମଗ୍ର ବିଶ୍ଵରହିଁ ଯଥାର୍ଥ କଲ୍ୟାଣ ଅର୍ଥାତ୍ ଯଥାର୍ଥ ଉତ୍ତୋଳନ କାମନା କରିଥାଏ । କେବଳ ନିଜପାଇଁ ମାଗିବାର ଉତ୍ସାହ ରଖିଥିଲେ ମଣିଷ ଭଗବାନ୍‍ଙ୍କୁ କିଳି ରଖିବାପାଇଁ ଆପଣା ଲାଳସା ଏବଂ ସ୍ଵାର୍ଥର କାନ୍ଥଗୁଡ଼ାକୁ ତିଆରି କରିପକାଏ । ଏହିଗୁଡ଼ାକୁ ପୁଟ ଦେଇ ସିଏ ଏକ ଚମତ୍କାର ଆରୋପଣର ଆଳଙ୍କାରିତାରେ ପୁରାଣ ଲେଖେ, ସ୍ତୋତ୍ର ଫାନ୍ଦେ, ପର୍ବ ଓ ପାର୍ବଣର ତୀର ମାରି ମୂର୍ତ୍ତିରୂପେ ଥୁଆ ହୋଇଥିବା ତା’ ଭଗବାନ୍‍ଙ୍କୁ କାବୁ କରି ରଖିଥାଏ । ଏହିଭଳି କ୍ଷେତ୍ରରେ ଉତ୍ତୋଳନ ଅଥବା ଉନ୍ମୋଚନର ଆଦୌ କୌଣସି ପ୍ରଶ୍ନହିଁ ନଥାଏ । ଇତିହାସର ଧର୍ମମାନେ ଏହିପରି ଭାବରେ ନାନା କାନ୍ଥଦ୍ଵାରା ନିଜକୁ କିଳି ରଖିଛନ୍ତି ଏବଂ ପ୍ରାୟ ଯାବତୀୟ ଉତ୍ତୋଳନକୁ ବର୍ଜିତ କରି ରଖିଛନ୍ତି । ସେମାନେ ସତ୍ୟର ମୁହଁକୁ ନାନାବିଧ ରାଜସିକତା ଏବଂ ତାମସିକତା ଢାଙ୍କୁଣିଦ୍ଵାରା ଘୋଡ଼ାଇ ରଖିଛନ୍ତି । ଅପକବିମାନେ ଭଗବାନ୍‍ଙ୍କୁ ନିତାନ୍ତ ମୂର୍ତ୍ତିସ୍ତରକୁ ଓହ୍ଲାଇ ଆଣିଛନ୍ତି, ଉତ୍ତୋଳନଗୁଡ଼ିକୁ ଉପାସନା ଭିତରେ ବାନ୍ଧି ରଖିଛନ୍ତି । ମଣିଷ ମାଗି ମାଗି ଏପରି ଅକିଞ୍ଚନ ହୋଇଗଲାଣି ଯେ, ନିଜଭିତରେ ସଦାବର୍ତ୍ତମାନ ହୋଇ ରହିଥିବା ଚିରୋଜ୍ଜ୍ଵଳ ସାନ୍ନିଧ୍ୟଟିକୁ ମଧ୍ୟ ସେ କ୍ରମେ ପାସୋରିଦେଇ ସାରିଲେଣି । ଆପଣା ଭିତରୁ ଅସଲ ସୂତ୍ରଗୁଡ଼ିକୁ ହରାଇ ସିଏ ଭୀରୁ ହୋଇ ବସିଲାଣି । ତା’ ଭିତରର ଭୀରୁ ଓ ତା’ ଭିତରର ପୌତ୍ତଳିକ ପରସ୍ପରକୁ ସାହାଯ୍ୟ କରିବାରେ ଲାଗିଛନ୍ତି । ଅନ୍ଧାର ଘୋଟି କରି ରହିଛି ।

 

୮ । ୫ । ୯୨

 

ମୋତେ ଯଦି ନାଚି ଆସେ, ତେବେ ମୁଁ ନାଚିବା ଥାନକୁ ଯିବି । ଯଦି ମୁଁ ଶାସନରେ ଥିବି, ତେବେ ନାଚିବା ଥାନମାନଙ୍କୁ ଯାଇ ଭାଷଣ ଦେବା ସକାଶେ ମୋତେ ସମୟ କେତେବେଳେ ମିଳିବ ? ଭାରତବର୍ଷରେ, ଏବଂ ଅଧିକ ଉପଦ୍ରବ ସହିତ ଓଡ଼ିଶାରେ ବିଗତ କେତେବର୍ଷ ହେଲା ଯେଉଁ ଅସୁସ୍ଥ ପରମ୍ପରାଟି ଫୁଲପାଣି ପାଇ ସାନଗଛଟିଏ ହୋଇ ଆସୁଥିଲା, ତାହା କ୍ରମେ ସତକୁସତ ଏକ ବ୍ୟାଧିରେ ପରିଣତ ହେବାକୁ ବସିଲାଣି । ମନ୍ତ୍ରୀମାନେ ନଗଲେ ଏଠାରେ ଆମର ଆଦୌ କୌଣସି ଜମାଏତ ବସି ପାରୁନାହିଁ ଏବଂ ତାହାକୁହିଁ ସାଂସ୍କୃତିକ ରୀତି ବୋଲି କୁହାଯାଉଛି ।

 

ଏହାକୁ ମୁଁ ଏକ ବ୍ୟାଧି ବୋଲି କହିବି । ଆମ କ୍ଷମତାସୀନ ମଣିଷମାନଙ୍କୁ ଅନାଇ ହୁଏତ ଏକ ନିଲଜତା ବୋଲି କହିବି । ଯେଉଁ ମଣିଷ ନିଜର ସୀମାଗୁଡ଼ିକୁ ନଜାଣେ, ସେଇ ହେଉଛି ଏକ ନିଲଜ ମଣିଷ । ଏବଂ, ଯିଏ ଆପଣାର ଯଥାର୍ଥ ସ୍ଵଭାବଟିକୁ ଆବିଷ୍କାର କରିନଥାଏ, ବିଚରା ସେଇ ଆପଣା ଜୀବନ ବିଚରଣର ସୀମାଗୁଡ଼ିକୁ ଜାଣିବାକୁ ବଞ୍ଚିତ ହୋଇ ରହିଥାଏ । ସତକୁସତ କେଉଁଠିହେଲେ ଆପଣାକୁ ସ୍ଵୀକୃତ ବୋଲି ଅନୁଭବ କରିପାରୁନଥିବା ମଣିଷ ସତେଅବା ସବୁ ଜାଗାରେ ସବାଆଗ ଆସନ ମାଡ଼ି ବସିଯିବାକୁ ଇଚ୍ଛା କରୁଥାଏ । ସମ୍ଭବତଃ ଏହିଭଳି ଅଧିକାରଶୂନ୍ୟ ଏବଂ ଉତ୍ତରାଧିକାରଶୂନ୍ୟ ବ୍ୟକ୍ତିମାନେ ଆଗ ଆଦୌ କିଛିହେଲେ ନହୋଇ କ୍ଷମତାଗୁଡ଼ିକୁ ଆତ୍ମସାତ କରିନେବାକୁ ଇଚ୍ଛା କରନ୍ତି ଏବଂ ସବୁ ଜାଗାରେ ପୁଣି ସିଂହାସନ ଉପରେ ଯାଇ ବସିଯିବାକୁ ଉଦ୍ଦଣ୍ଡ ହୋଇ ରହିଥାନ୍ତି । ମନ୍ତ୍ରୀ ମଧ୍ୟ ମଣିଷ, ହାକିମ ମଧ୍ୟ ମଣିଷ,–ତା’ର ଅବଶ୍ୟ ଏକ ସୀମା ଅଛି । ତା’ ସ୍ଵଭାବ ଅନୁସାରେ ତା’ର ବିଶେଷ ଅନୁରାଗଟିକୁ ବା ଅନୁରାଗଗୁଡ଼ିକୁ ଚିହ୍ନିବାର ଶାଳୀନତା ତା’ର ଅବଶ୍ୟ ରହିଥିବା ଉଚିତ । ତେଣୁ, ସବୁଠାରେ ସିଂହାସନଟାକୁ ମନ କରି ସିଏ ଆମର ଆସରଗୁଡ଼ିକୁ ତୁଚ୍ଛା କେତେଟା ମିଛ ପ୍ରଦର୍ଶନର ଗୁହାଳରେ ପରିଣତ କରି ନଦେଉ । ସିଏ ଆସରକୁ ଅବଶ୍ୟ ଆସୁ, ମାତ୍ର ସାଧାରଣ ଶ୍ରୋତାରୂପେ ଆସୁ, ଯଥାର୍ଥ ଆଗ୍ରହ ନେଇ ସମସ୍ତଙ୍କ ସହିତ ଧାଡ଼ିରେ ବସୁ, ଅନୁରାଗୀମାନଙ୍କୁ ଶୁଣୁ ଓ ନିଜ ଭିତରେ ଅନୁରାଗଗୁଡ଼ିକର ସମ୍ଭାବନାର କ୍ଷେତ୍ରରେ ଏକ ସୁସ୍ଥ ବିସ୍ତାର ମଧ୍ୟ ଘଟାଉ । ସିଏ ନିଜର ସୀମାଟିକୁ ଚିହ୍ନୁ । ବିଟପୁରୁଷ ପରି ପ୍ରମତ୍ତତା ନଦେଖାଉ, ସଂଯୁକ୍ତ ସମସ୍ତଙ୍କ ଆଖିରେ ହାସ୍ୟାସ୍ପଦ ନହେଉ ।

 

୯ । ୫ । ୯୨

 

ଜିଜ୍ଞାସୁର ପରିଚୟ ହେଉଛି ଜଣେ ମନୁଷ୍ୟର ସର୍ବଶ୍ରେଷ୍ଠ ପରିଚୟ । ଜିଜ୍ଞାସାର ସ୍ତରହିଁ ଜଣେ ମନୁଷ୍ୟର ଚେତନାର ସ୍ତର ତଥା ଅନୁରାଗର ସ୍ତର ବିଷୟରେ ଆମକୁ ସମ୍ୟକ ସୂଚନା ପ୍ରଦାନ କରିଥାଏ । ଏବଂ, ଯେଉଁମାନେ ନିଜର ଚଉକିଟାଦ୍ଵାରା ନିଜର ପରିଚୟ ଦେବାଲାଗି ବ୍ୟାକୁଳ ହେଉଥାନ୍ତି, ସେମାନେ ବିଚରା ବଡ଼ ଭାଗ୍ୟହୀନ । ନିଜଭିତରେ ଆପଣାର ସୀମାଗୁଡ଼ିକ ବିଷୟରେ ସେମାନେ ଅତ୍ୟନ୍ତ ଦୁଃଖଦ ଭାବରେ ଅନବହିତ ହୋଇ ରହିଥାନ୍ତି ।

 

ଆପଣାର ସୀମାଗୁଡ଼ିକୁ ହୃଦୟଙ୍ଗମ କରିପାରୁଥିବା ଜଣେ ମଣିଷହିଁ ଜିଜ୍ଞାସୁ ହେବାର ଯୋଗ୍ୟତା ଅର୍ଜନ କରିପାରିବ । ଯେଉଁମାନେ ରାଜନୀତିରେ ରହିଥିବାରୁ ଶାସନର ମର୍ଯ୍ୟାଦାବନ୍ତ ସ୍ଥାନଗୁଡ଼ିକରେ ଅବସ୍ଥାପିତ ହୋଇ ରହିଛନ୍ତି, ସେମାନେ ନିଜକୁ ଯେକୌଣସି ସାଧାରଣ ଅବସରରେ ଦକ୍ଷତମ ବିଶାରଦ ବୋଲି ଧରି ନେଉଛନ୍ତି କିପରି ? ସେମାନଙ୍କୁ ରାଜା ସଜାଇ ସଭାକୁ ଡାକୁଥିବା ବ୍ୟକ୍ତିମାନେ ହୁଏତ ଆଉକିଛି ଅନ୍ୟ ସୁଯୋଗ ହାସଲ କରିବାର ମତଲବରେ ସ୍ଥାନସ୍ଥମାନଙ୍କୁ ସଭାକୁ ଡାକି ବସାଇବାର ଫିକର କରୁଛନ୍ତି । ମାତ୍ର, ସ୍ଵୟଂ ରାଜାମାନଙ୍କର ତ ଏହି କଥାଟିକୁ ବୁଝି ପାରିବା ଉଚିତ । ହଁ, ସେମାନେ ଆସନ୍ତେ; ଶୁଣିବାକୁ ଆସନ୍ତେ, ସମସ୍ତଙ୍କ ସହିତ ଜିଜ୍ଞାସୁମାନଙ୍କର ଧାଡ଼ିରେ ବସନ୍ତେ, ଅନ୍ତତଃ ସେତିକି ସମୟ ନିମନ୍ତେ ନିଜର ଚଉକି–ପରିଚୟଟାକୁ ପାସୋରି ପାରନ୍ତେ । ତେବେ ସେମାନଙ୍କର ଅସଲ ସାବାଳକତାର ହୁଏତ ପରିଚୟ ମିଳନ୍ତା । ପଦରୁ ବାହାରିଗଲେ, ଥାନଛଡ଼ା ହୋଇଗଲେ, ଅର୍ଥାତ୍ ଜଣେ ବ୍ୟକ୍ତି ହିସାବରେ ଯେ ସେମାନଙ୍କୁ ଆଦୌ କେହି ପଚାରିବେ ନାହିଁ, ଚଉକିରେ ବସିଥିବା ଅନ୍ୟମାନଙ୍କୁ ସ୍ମରଣ କରିବେ, ଏକଥା ସେମାନେ ଖୁବ୍ ଉତ୍ତମରୂପେ ଜାଣିଥିବେ । ତଥାପି ଯେ ସେମାନେ ନିଜକୁ ପଦାରେ ପକାଇ ନିଜକୁ ରଜା ବୋଲି ଦେଖାଇବାକୁ ଆସନ୍ତି, ଏହାହିଁ ସେମାନଙ୍କର ଦାରିଦ୍ର୍ୟର ପରିଚୟ ଦିଏ । ସେମାନେ ଆମ ସାମୂହିକ ଜୀବନର ଦିଗଗୁଡ଼ିକୁ ଭାରି ନିନ୍ଦିତ କରି ରଖିଥାନ୍ତି ।

 

୧୦ । ୫ । ୯୨

 

ପୃଥିବୀରେ କୋଟି କୋଟି ମଣିଷ ଅଛନ୍ତି, ମଝିରେ ମଝିରେ କୌଣସି ନା କୌଣସି ଦୁର୍ବିପାକ ଘଟିଗଲେ ସେଥିରୁ ଶହେ କି କେତେ ଶହ ମରିଗଲେ ସେଥିରେ ଦୁଃଖିତ ହେବାର କିଛି ନାହିଁ ବୋଲି ଅନେକ ବ୍ୟକ୍ତି କହିଥାନ୍ତି । ଅନେକେ ରହସ୍ୟଗାମୀ ଏହାକୁ ପ୍ରକୃତିର ଏକ ଲୀଳା ବୋଲି କହିଥାନ୍ତି । ଏକ ବୈଜ୍ଞାନିକ ଝୁଙ୍କ ରହିଥିବା ବ୍ୟକ୍ତିମାନେ ତାହାକୁ natural selection ବୋଲି କହନ୍ତି । ମନ୍ଦାଏ ପିମ୍ପୁଡ଼ିଙ୍କ ଉପରେ ତୁମର କିମ୍ବା କାଳର ଗୋଡ଼ ପଡ଼ିଯିବାଫଳରେ ଯଦି ସେଥିରୁ କିଛି ମାଡ଼ିମକଚି ହୋଇ ମରିଗଲେ, ସେଥିରେ ପୁଣି ବିଚଳିତ ହେବାର କ’ଣ ରହିଛି ବୋଲି ଘଟନାଦ୍ୱାରା ପରିଚାଳିତ ନହୋଇ ତତ୍ତ୍ଵରେ ଚାଲୁଥିବା ବ୍ୟକ୍ତିମାନେ ମତ ଦେଇଥାନ୍ତି ।

 

ପ୍ରକୃତି ପ୍ରକୃତରେ ନଖ ଆଉ ଦାନ୍ତ ବିସ୍ତାର କରି ଅପେକ୍ଷା କରିଥାଏ ଏବଂ ଆପଣାର ଖିଆଲ ହେବାମାତ୍ରକେ ପୁଳାଏ ମଣିଷଙ୍କୁ କୌଣସି ନା କୌଣସି ଉପଲକ୍ଷ୍ୟର ଭିଆଣ କରି ନେଇଯାଏ, ଏପରି ଏକ ଯୁକ୍ତିରେ କଟକରେ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଓ ହରାଉଥିବା କେତେଶହ ବ୍ୟକ୍ତିଙ୍କର ଦୁର୍ଦ୍ଦଶାକୁ ଦେଖିବାକୁ ମୋ’ର ମନ ଆଦୌ ରାଜି ହେଉନାହିଁ । ଆପଣାର ମୃତ୍ୟୁରେ ଖୋଦ୍ ମଣିଷର ନିଜର ମଧ୍ୟ ଏକ ହାତ ରହିଥାଏ । ଗୋଟାଏ ଭୂଖଣ୍ଡର ସରକାର ଅଧିକ ପଇସା କମାଇବାର ନିର୍ବୋଧତାରେ ପଡ଼ି ମଦଦୋକାନମାନ ଖୋଲୁ, ମଣିଷମାନେ ଆକର୍ଷିତ ହୋଇ ଅମଣିଷମାନେ ଠିକା ନେଇଥିବା ଏହିସବୁ ଦୋକାନକୁ ଏତେ ସଂଖ୍ୟାରେ ଆସନ୍ତୁ ଏବଂ ମଦ ପିଇ ପ୍ରାଣ ହରାନ୍ତୁ ବୋଲି ପ୍ରକୃତି ଯେ ପୂର୍ବରୁ ଯୋଜନା କରିଥିଲା, ମୁଁ ଏକଥା କଦାପି ମାନି ନେବିନାହିଁ । ଏହି ଘଟନା ପଛରେ ମଣିଷର କେତେ ହାତ ଯେ ଅଛି, ସେ କଥା ଜଣେ ମୋଟାବୁଦ୍ଧିଆକୁ ମଧ୍ୟ ଅବଶ୍ୟ ଜଳଜଳ ହୋଇ ଦେଖାଯିବ । ମଣିଷର ପ୍ରକୃତି କହିଲେ କୌଣସି ମହାପ୍ରତାପୀ ଦୈତ୍ୟକୁ କଦାପି ବୁଝାଏ ନାହିଁ । ଏହା ଏକାବେଳେକେ ଅନେକ ସମ୍ଭାବନାକୁ ବୁଝାଏ-। ମଣିଷ ସେହି ସମ୍ଭାବନାଗୁଡ଼ିକୁ ବାଛିବ, ନିରତ ବାଛୁଥିବ । ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ଉଭୟ କ୍ଷେତ୍ରରେ ବାଛିବ । ଏହି ପୃଥ୍ଵୀବିବର୍ତ୍ତନର ଦାୟିତ୍ଵଗୁଡ଼ିକୁ ଯିଏ ବା ଯେଉଁମାନେ ଯେଉଁ ସ୍ତରରେ ଗ୍ରହଣ କରିଛି, ସିଏ ତଥା ସେମାନେ ସେହି ଅନୁସାରେହିଁ ବାଛୁଥିବେ । ନିଜ ଭାଗ୍ୟର ଗୁଳାଗୁଡ଼ିକୁ ତିଆରି କରୁଥିବେ ।

 

୧୧ । ୫ । ୯୨

 

ଦିନେ ଦିନେ ସବୁଯାକ ଦୃଷ୍ଟି ପ୍ରାୟ ଗୋଟାସୁଦ୍ଧା ନିଜ ଉପରେ ଆସି ସଂକେନ୍ଦ୍ରିତ ହୋଇ ରହିଥାଏ । ଏବଂ ଆଉ ଦିନେ ଦିନେ ସେହିପରି ପ୍ରାୟ ଗୋଟାସୁଦ୍ଧା ଆପଣା ବାହାରେ ରହିଥିବା ପରି ମନେ ହେଉଥିବା ପୃଥିବୀଟି ଉପରେ ସଂକେନ୍ଦ୍ରିତ ହୋଇ ରହିଥାଏ । ମୋତେ ଦୁଇଟିଯାକ ସଂକେନ୍ଦ୍ରଣ ଭଲ ଲାଗେ, ସୁସ୍ଥ ଲାଗେ, ବଳଦାୟକ ମନେହୁଏ । ତଥାକଥିତ ନିଜର ଭିତର ଓ ତଥାକଥିତ ନିଜର ବାହାର ଦୁଇଟିଯାକକୁ ଏକାଠି କରି ଯୋଡ଼ିଥିବା ଆଉ ଗୋଟିଏ ସ୍ପନ୍ଦନକେନ୍ଦ୍ର ରହିଛି, ଯାହାକି ଦୁଇଟିଯାକକୁ ପରସ୍ପରର ପରିପୂରକ କରି ରଖିଥାଏ । ଏବଂ ସେହି ପରିପୂରକତା ପ୍ରକୃତରେ ଅନେକ ପରିତ୍ରାଣରେ କାରଣ ହୁଏ, ଅନେକ ପ୍ରମାଦରୁ ରକ୍ଷା କରେ ।

 

ବାହାରର ସକଳ ସଂଶୟକୁ ଅନ୍ତର ଭିତରେ ପାର ହେବାର କଥା ବିଜ୍ଞମାନେ କହି ଯାଇଛନ୍ତି । ଆହୁରି କେତେକ ମଣିଷ ମଧ୍ୟ ରହିଛନ୍ତି, ଯେଉଁମାନେ କି ଅନ୍ତରର ସକଳ ସଂଶୟକୁ ବାହାରର କୌଣସି ସମାଧାନକାଠିର ସାହାଯ୍ୟରେ ସମାଧାନ କରିବାର ଅନ୍ୟ ବାଟଟିକୁ ଅଧିକ ପସନ୍ଦ କରିଥାନ୍ତି । ସେମାନେ ଭିତରର ଅଡ଼ୁଆଗୁଡ଼ାକଦ୍ଵାରା ଆପଣାକୁ ଉପଦ୍ରୁତ ବୋଧକଲେ ବାହାରଗୁଡ଼ାକର ଶରଣ ଯାଇଥାନ୍ତି ଓ ଅନ୍ୟ ପକ୍ଷରେ ଆଉମାନେ ବାହାରର ଅଡ଼ୁଆଗୁଡ଼ାକଦ୍ଵାରା ଉତ୍ପୀଡ଼ିତ ହୋଇ ଭିତରର ଶରଣ ଯାଆନ୍ତି । ଏଇଟା ମଧ୍ୟ ମୋତେ ସତେଅବା ଏକ ବିଭାଜନ ପରି ମନେ ହୋଇଥାଏ । ମୁଁ ଭାବେ ଆପଣାର ଅନୁରାଗ ଅର୍ଥାତ୍ ସମ୍ମତିର କ୍ଷେତ୍ରରେ ଏପରି ଗୋଟିଏ ସଂଯୁକ୍ତକାରୀ ପ୍ରସ୍ଥ ଅନୁକ୍ଷଣ ମହଜୁଦ ରହିଛି, ଯାହାକୁ ସ୍ଵୀକାର କରିଦେଇ ପାରିଲେ ବାହାର ଏବଂ ଭିତରକୁ ପରସ୍ପରଠାରୁ ଅଲଗା କରି ଦେଖିବାକୁ ଏବଂ ତଦନୁରୂପ ଏକ ବିଭାଜନକାରୀ ବିବେକଦ୍ଵାରା ପରିଚାଳିତ ହେବାର ଆଉ କୌଣସି ପ୍ରୟୋଜନ ରହେନାହିଁ । ଭିତରର ଦେହ ଉପରେ ବାହାର ପ୍ରତିଫଳିତ ହୋଇ ରହିଥାଏ ଏବଂ ବାହାରଟା ଉପରେ ଭିତର ଏବଂ ବାହାର ଉଭୟ ଅଳିନ୍ଦରେ ଯୁଗପତ୍ ଭାବରେ ଆପଣାକୁ କ୍ରିୟାଶୀଳ କରି ରଖିବା ସମ୍ଭବ ହୋଇଯାଏ । ତେଣୁ, ଭିତରର ଠାକୁରମାନଙ୍କ ଠାରେ ନିରାଶ ହୋଇ ବାହାରର କୌଣସି ଠାକୁରଙ୍କର ବେଢ଼ା ଭିତରକୁ ପଳାଇବାକୁ ହୁଏନାହିଁ ଅଥବା ବାହାରର ଠାକୁରମାନଙ୍କ ଠାରୁ ମାଡ଼ି ଖାଇ ଅତ୍ୟନ୍ତ ଅବଶ ଭାବରେ ଭିତରର ଠାକୁରମାନଙ୍କ ପାଖରେ ଆର୍ତ୍ତନାଦ କରିବାର ମଧ୍ୟ କୌଣସି ପ୍ରୟୋଜନ ନଥାଏ-

 

୧୨ । ୫ । ୯୨

 

ଜଣେ ବନ୍ଧୁ ଲେଖିଛନ୍ତି, ସିଏ ଭିଡ଼ ଭିତରେ ସବୁବେଳେ ବାଉଳା ହୋଇ ଯାଆନ୍ତି । ମୁଁ ଭିଡ଼ ଭିତରେ ଥାଏ; ମାତ୍ର ଭିଡ଼କୁ ଦେଖେନାହିଁ, ଭିଡ଼ ଭିତରେ ରହିଥିବା ମଣିଷମାନଙ୍କୁ ଦେଖେ । ଏବଂ, ମଣିଷମାନଙ୍କୁ ଦେଖିଲେ ଜଣେ ମଣିଷ ବାଉଳା ହୋଇଯିବେ କାହିଁକି ?

 

ବେଳେବେଳେ ଅବଶ୍ୟ ଏପରି ଅନେକ ଭିଡ଼ର ସମ୍ମୁଖୀନ ହେବାକୁ ହୁଏ, ଯେଉଁଠାରେ କି ମଣିଷମାନେ ନଥାନ୍ତି, କେବଳ ଭିଡ଼ଟାଏହିଁ ରହିଥାଏ । ସମସ୍ତେ ସତେଅବା ନିଜର ଏକକତ୍ଵକୁ ତଥା ଅନନ୍ୟତ୍ଵକୁ ଭିଡ଼ ଭିତରେ ବିସର୍ଜନ କରି ଦେଇଥାନ୍ତି । ସେଠି ଭିଡ଼ରେ ପୋତିହୋଇ ପଡ଼ିବାର ଅନେକ ଆଶଙ୍କା ରହିଥାଏ । ତେଣୁ, ନିଜଭିତରେ ଟିକିଏ ବିଶେଷ ଭାବରେ ସାବଧାନ ଓ ବିଶେଷ ଭାବରେ ଶ୍ରଦ୍ଧାଶୀଳ ହେବାକୁ ପଡ଼େ । ଏବଂ, ଶ୍ରଦ୍ଧାଶୀଳ ରହିପାରିଲେ ତୁଚ୍ଛା ଭିଡ଼ ଭିତରେ ମଧ୍ୟ ମଣିଷମାନଙ୍କୁ ଉଦ୍‌ବୋଧିତ କରିଆଣିବା ସମ୍ଭବ ହୋଇଯାଏ । ଅନେକ ମଣିଷ ଅଛନ୍ତି, ଯେଉଁମାନେ ମୂଳତଃ ଏକୁଟିଆ, ଏକସିଙ୍ଗିଆ ହୋଇ ରହିବେ ବୋଲି ଭିଡ଼କୁ ଡରନ୍ତି । ସେମାନେ ମଣିଷକୁ ଡରନ୍ତି, ମଣିଷକୁ ଅପର ମଣନ୍ତି, ମଣିଷକୁ ଘୃଣା କରନ୍ତି । ଅର୍ଥାତ୍ ସେମାନେ ନିଜକୁ ମଧ୍ୟ କେଉଁଠି ଘୃଣା କରୁଥାନ୍ତି, ନିଜ ଭିତରର କିଛିକୁ ଲୁଚାଇ ରଖିବାକୁ ଅହରହଃ ଚେଷ୍ଟା କରୁଥାନ୍ତି । ଆପଣାକୁ ଭଲ ପାଉଛନ୍ତି ବୋଲି ଆଣ୍ଟ କରୁଥାନ୍ତି ସିନା ମାତ୍ର, ଆପଣାକୁ ଘୃଣାବି କରୁଥାନ୍ତି । ଭଲ ପାଇବା ଭିତରେ ତଥାପି ଘୃଣାବି କରିବା, ଇଏ ହେଉଛି ସଚରାଚର ନିଜ ସହିତ ପୂରାପୂରି ବନ୍ଧୁ ବାନ୍ଧି ନପାରିଥିବା ମଣିଷମାନଙ୍କର ରୀତି । ଏପରି ମଣିଷମାନଙ୍କୁ ଆଗେ ଡର ଲାଗୁଥିଲା, ଏବେ ଡର ଲାଗୁନାହିଁ । ମୁଁ ସେମାନଙ୍କର ଅଳିଆମଳିଆର ଜଙ୍ଗଲଟାକୁ ଆଡ଼େଇ ଆଡ଼େଇ କେନ୍ଦ୍ରସ୍ଥ ଏକ ସରୋବର ପାଖରେ ଯାଇ ପହଞ୍ଚିବାକୁ ଚେଷ୍ଟା କରିପାରୁଛି, ଯେଉଁଠି ଥିର ହୋଇ ପଦ୍ମଟିଏ ଫୁଟୁଛି-। ପ୍ରତ୍ୟେକ ମଣିଷ ଭିତରେ ସରୋବରଟିଏ ଅଛି, ଯେଉଁଠାରେ କି ଥିର ହୋଇ ପଦ୍ମଟିଏ ଫୁଟିଛି । ଆଉଜଣଙ୍କୁ ଛୁଇଁ ଦେଲାମାତ୍ରକେ ଯିଏ ସେହି ପଦ୍ମଟିଏ ଛୁଇଁପାରେ ପୃଥିବୀରେ ମୁଁ ତାହାକୁହିଁ ପ୍ରକୃତ ଭାଗ୍ୟବାନ୍ ବୋଲି କହିବି ।

 

୧୩ । ୫ । ୯୨

 

ଏକୁଟିଆ ରହିଥିବା ସମୟରେ କ’ଣ କମ୍ ସନ୍ତାପିତ ହେବାକୁ ପଡ଼େ ? ତୁଚ୍ଛା ମଣିଷପଲଗୁଡ଼ାକୁ ଭାଙ୍ଗି ଯେତେବେଳେ ଆଧୁନିକ ସମାଜରେ ଅଳ୍ପବହୁତ ସଚେତନ ଭାବରେ ବ୍ୟକ୍ତି ଜନ୍ମଲାଭ କଲା, ସେତେବେଳେ ସିଏ କେଡ଼େ ସରାଗରେ ତୁଚ୍ଛା ଆପଣା ଭିତରେହିଁ ସବୁଯାକ ସତ୍ୟକୁ ପାଇଯିବ ଓ ସବୁଯାକ ସତ୍ୟକୁ ଭୋଗ କରିବ ବୋଲି ଆଣ୍ଟ ବାନ୍ଧିଥିଲା । ତା’ପରେ ବ୍ୟକ୍ତିମାନେ କେଡ଼େ ମଞ୍ଜୁଳ ଓ ବର୍ତ୍ତୁଳ ଦିଶିଲେ, ବଡ଼ ଆକାଶଟା ଭିତରେ ସତେଅବା ଏକା ଛିଡ଼ା ହୋଇଥିବା ପରି ଅନୁଭବ କଲେ । ମାତ୍ର, କ୍ରମେ ଅନ୍ୟ ଆହ୍ଵାନଟିରବି ସମ୍ମୁଖୀନ ହେବାକୁ ପଡ଼ିଲା । ପରମ ସଂଗ୍ରହ ପରସ ସଞ୍ଚୟ ଏବଂ ପରମ ବିକାଶଲାଭ ପରେ ପରମ–ସମପର୍ଣର ଆହ୍ଵାନ ଆସି ପହଞ୍ଚିଲା । ଅନିଚ୍ଛୁକ ଆତ୍ମକେନ୍ଦ୍ରୀମାନେ ପ୍ରଧାନତଃ ନାନା ଅନ୍ତର୍ଗତ କାରଣରୁ ଗଣ୍ଠିଗୁଡ଼ିକୁ ମୋଟେ ଫିଟାଇ ପାରିଲେନାହିଁ । ସେମାନେ ଏହି ଦ୍ଵିତୀୟ ସୋପାନଟିକୁ ଆସି ହାରିଗଲେ । Sharingର ଯୋଗ୍ୟ ହୋଇ ନପାରି alienated ହେଲେ; ସବୁକିଛି ଗଦା ହୋଇ ରହିଥିଲେ ମଧ୍ୟ alienated ହେଲେ । Alienationକୁ ସତେଅବା ଏକ ଦେବଗତିର ସମ୍ମାନ ଦେଇ କବିତା ଲେଖାଗଲା, ଏବେ ମଧ୍ୟ ଲେଖା ଚାଲିଛି । ‘ମୁଁ’ ‘ମୁଁ’ ଶବ୍ଦରେ ଗଗନ ଫାଟିଲା, ନିଜ ଭିତରେ ଭଗବାନ୍ ଅବସନ୍ନ ହୋଇଗଲେ ।

 

ଭିଡ଼କୁ ସେଇମାନେ ଡରନ୍ତି, ଯେଉଁମାନେ ସୂତ୍ରଟିକୁ ପାଇନଥାନ୍ତି ସୂତ୍ରଟିକୁ ଠାବ କରିବାର ବ୍ୟାକୁଳତା, ନିଜକୁ ଠାବ କରିବାର ବ୍ୟାକୁଳତା ଠାରୁ ତାହା କ’ଣ ଭିନ୍ନ ଧାତୁର ? ତେଣୁ, ଯେଉଁ ଆତ୍ମମହିମମାନେ ନିଜକୁ ଠାବ କରିବାରେ ଲାଗିଛନ୍ତି ବୋଲି କହନ୍ତି ଅଥଚ ସୂତ୍ରଟିକୁ ଠଉରେଇ ନେଇ ପାରନ୍ତି ନାହିଁ, ସେମାନେ ନିଜର ଆପଣା ସଦନ ନାମରେ କେଉଁ ଅଡ଼ୁଆବାଣ ଭିତରେ ଗୁରାଇତୁରାଇ ହୋଇ ରହି ନଥାନ୍ତି ତ ଏବଂ ସେହିପରିହିଁ ରହିବାକୁ ପସନ୍ଦ କରୁନଥାନ୍ତି ତ-? ମୁଁ ତଥାକଥିତ ବହୁ ଆତ୍ମବାଦୀଙ୍କୁ ଦେଖିଛି, ଯେଉଁମାନେ କି ଏହିଭଳି ଗୁରାଇତୁରାଇ ହୋଇ ବସିଥାନ୍ତି; ଏକ ଦାର୍ଶନିକ ପରାଙ୍‌ମୁଖତାକୁ ଅସଲ ରୀତି ବୋଲି ଗ୍ରହଣ କରିଥାନ୍ତି ଓ ଯାବତୀୟ ଖିଅ ଲଗାଇବାକୁ ଭୟ କରୁଥାନ୍ତି, ହୁଏତ ଅସଲ କେନ୍ଦ୍ରଟି ନଥାଏ ବୋଲି ଅସଲ ଖିଅଗୁଡ଼ିକ ମଧ୍ୟ ହାତରେ ଅନୁଭବ କରି ହୁଏନାହିଁ ।

 

୧୪ । ୫ । ୯୨

 

ଦୁଃଖ ଚାଲିଗଲେ ଯାଇ କ’ଣ ସୁଖ ଆସେ ? ଜୀବନ ଲାଗି ରହିଥାଏ କେତେବେଳେ ନିତି-ସାକ୍ଷାତକାରର ଅନୁଭବ ମିଳୁଥାଏ ଓ ତାହାରିଫଳରେ ସୁଖରବି ଅନୁଭବ ହେଉଥାଏ । ସ୍ପର୍ଶ କରି ରହିଥିବାର, ଖିଅ ଲଗାଇ ରହିଥିବାର ଅନୁଭୂତି,–ତାହାହିଁ ସୁଖ । ନାନାବିଧ କାରଣରୁ ସେହି ସ୍ପର୍ଶଟି ଆଉ ମିଳୁନଥିବା ପରି ଲାଗେ, ନିଜ ହାତ ଭିତରେ, ଅନୁରାଗର ହାତ ଭିତରେ ଖିଅଟିକୁ ଅନୁଭବ କରି ହୁଏନାହିଁ । ସେତେବେଳେ ସବୁ ଚହଲିଯାଏ, ତାହା ଦୁଃଖ । ସୁଖବେଳେ ମଧ୍ୟ କେତେ ବାତ୍ୟା ବୋହୁଥାଏ, ମାତ୍ର ଖୁଣ୍ଟ ପରି ଭିତରେ କିଏ ଛିଡ଼ା ହୋଇ ରହିଥାଏ, ପ୍ରସନ୍ନତା ଭରି ରଖିଥାଏ, ପୂର୍ଣ୍ଣ ପ୍ରତ୍ୟୟ ଦେବାରେ ଲାଗିଥାଏ । ସଂସାରର ନିତ୍ୟନୈମିତ୍ତିକ ବହିଗୁଡ଼ାକ ଅନୁସାରେ ଦୁଃଖ ବୋଲି ଯାହାକିଛିକୁ କୁହାଯାଏ, ସେହି ସବୁକିଛି ଅଙ୍ଗେ ନିଭା କଥା ହୋଇ ରହିଥାଏ । ତଥାପି ଚିତ୍ତ ସ୍ଥିର ଥାଏ,–ପ୍ରସନ୍ନ ଥାଏ ।

 

ତେବେ, ଦୁଃଖ ପରେ ସୁଖ ବା ସୁଖ ପରେ ଦୁଃଖ ଆସେ ବୋଲି ସାଧୁମାନେ କ’ଣପାଇଁ କହିନଥାନ୍ତି ? ସେମାନେ ଧନଦଉଲତ ଆସିବାର ଓ ଚାଲିଯିବାର କଥା କହୁଥାନ୍ତି । ପ୍ରାୟ ତୁଚ୍ଛା ବସ୍ତୁଗୁଡ଼ାକର କଥା କହୁଥାଆନ୍ତି । ଯେଉଁ ସଂସାର ବସ୍ତୁକୁ ସୁଖ ବୋଲି ମଣେ, ସେହି ସଂସାରର ମନ ନେବାଲାଗି ସେମାନେ ସେପରି କହୁଥାନ୍ତି । ଯେଉଁ ସଂସାରର ଧନ ଓ ଦୌଲତ ସେମାନଙ୍କୁ ବାନ୍ଧି ପକାଇବ ବୋଲି ସେମାନେ ଯାବତୀୟ ଭୋଗକୁ ପରିହାର କରି ସାଧୁ ହେବାକୁ ମନସ୍ଥ କଲେ, ସମ୍ଭବତଃ ସେହି ସଂସାରର ରୀତିକୁ ରକ୍ଷା କରି ସେମାନେ ସେପରି କହୁଥାନ୍ତି । ସୁଖ ପରେ ଦୁଃଖ ଆସେନାହିଁ, ଭିତରେ ବିଶ୍ଵାସର ଖୁଣ୍ଟ ହଲିଗଲେ ଦୁଃଖ ଆସେ, ଗୋଡ଼ଗୁଡ଼ାକ କେଉଁଠି ପ୍ରତ୍ୟୟର ସହିତ ଠାକି ପାରୁନଥାନ୍ତି । ତେଣୁ ସବୁ ଚାଲିଗଲା ପରି ଲାଗେ । ବସ୍ତୁତଃ ଆଦୌ କିଛି ଚାଲିଯାଇ ନଥାଏ । ଖୁବ୍ ସମ୍ଭବ ଜୀବନର challenge ଗୁଡ଼ିକର ପରିପ୍ରେକ୍ଷୀ କିଞ୍ଚିତ୍ ବଦଳି ଯାଇଥାଏ, ଏବଂ ତଦ୍ଦ୍ଵାରା ଏକ ନୂତନ ସ୍ତରରେ ନୂତନ challenge ଗୁଡ଼ିକର ସମ୍ମୁଖୀନ ହୋଇ ପାହାଚଟିଏ ଉଠିଯିବା ଲାଗି ଏକ ଆହ୍ଵାନ ଆସି ପହଞ୍ଚିଥାଏ । ଏହାକୁ କିଏ କାହିଁକି ଦୁଃଖ ବୋଲି କହିବ ?

 

୧୫ । ୫ । ୯୨

 

କାଲି ଏକଦା ଜଣେ ପ୍ରବୀଣ ଓ ଅଧୁନା ଅବସରପ୍ରାପ୍ତ ଶିକ୍ଷକମହାଶୟ ମୋ’ର ହାବଭାବରୁ କ’ଣ ଆଭାସ ପାଇଗଲେ କେଜାଣି, ଏକାବେଳେକେ ମୋ’ ପାଖକୁ ଲାଗିଆସି ନିଜର ଅତିବାହିତ ଶିକ୍ଷକଜୀବନ ବିଷୟରେ ପରମୋତ୍ସାହିତ ଭାବରେ ବୟାନମାନ ଦେବାକୁ ଲାଗିଲେ । ଅର୍ଥାଭାବ ହେତୁ ସିଏ ପାଠପଢ଼ାରେ ବେଶି ଉପରକୁ ଯାଇପାରି ନଥିଲେ ଅଥବା କୌଣସି ଅତ୍ୟୁଚ୍ଚ ଚାକିରିପାଇଁ ପ୍ରତ୍ୟାଶୀ ହୋଇ ପାରି ନଥିଲେ; ତଥାପି କଠୋର ସଂଗ୍ରାମ ମଧ୍ୟଦେଇ ପାହାଚ ଉଠି ବାଧା କାଟି ସିଏ ଯେତିକି କୃତିତ୍ୱର ଅଧିକାରୀ ହୋଇ ପାରିଛନ୍ତି, ଅତି ଭାବବିହ୍ଵଳ ଭାବରେ ମୋ’ ଆଗରେ ସେଗୁଡ଼ିକୁ ବର୍ଣ୍ଣନା କରି କହୁଥିଲେ । ତାଙ୍କ ଭଳି ତାଙ୍କ ବିଷୟରେ ଜଣେ ପ୍ରବୀଣ ଶିକ୍ଷକ ଓଡ଼ିଶାରେ କୁଆଡ଼େ କେଉଁଠିହେଲେ ନାହାନ୍ତି ବୋଲି ତତ୍‍କାଳୀନ ଶିକ୍ଷାବିଭାଗର ଉଚ୍ଚପଦସ୍ଥ ହାକିମମାନେ ଅତ୍ୟନ୍ତ ପ୍ରକାଶ୍ୟ ଭାବରେ ଏକାଧିକ ଅବସରରେ ସ୍ଵୀକାର କରୁଥିଲେ । ସେ ନିଜେ ବଡ଼ ହୋଇନାହାନ୍ତି ସତ, ମାତ୍ର କେତେ ବଡ଼ବଡ଼ ପଦଧାରୀମାନଙ୍କର ସନ୍ତାନମାନଙ୍କୁ ହାଇସ୍କୁଲ ସ୍ତରରେ ପାଠ ପଢ଼ାଇ ଭବିଷ୍ୟତ୍ ଲାଗି ସେମାନଙ୍କର ବଡ଼ ଏବଂ ସଫଳ ହେବାରେ ସାହାଯ୍ୟ କରିଛନ୍ତି । ଅମୁକ ହାଇସ୍କୁଲରେ ଦୀର୍ଘ ଏତେବର୍ଷ ରହିବା କାଳରେ ସେ ପ୍ରଧାନଶିକ୍ଷକ ନଥିଲେ ମଧ୍ୟ ସମସ୍ତେ ତାଙ୍କୁ ପ୍ରଧାନଶିକ୍ଷକର ସମ୍ମାନ ଦେଉଥିଲେ ଓ ମାନୁଥିଲେ, ଇତ୍ୟାଦି କେତେକେତେ କଥା । ତାଙ୍କର ଯାବତୀୟ କଥା ଓ ବର୍ଣ୍ଣନା ମଧ୍ୟରେ ‘ମୁଁ’ ‘ମୁଁ’ ‘ମୁଁ’ ‘ମୁଁ’ ଶବ୍ଦଟା ଶୁଣିବା ମଣିଷର କାନକୁ ସତେଅବା ବଧିରା କରି ଦେଉଥିଲା ।

 

ସେ ଅତ୍ୟନ୍ତ ଶାନ୍ତ ସ୍ଵରରେ ସବୁ କହି ଯାଉଥିଲେ । ମୁଁ ଶୁଣି ଯାଉଥିଲି ଓ ମୋ’ ନିଜ କାନର ଧୈର୍ଯ୍ୟକୁ ଧନ୍ୟବାଦ ଦେଉଥିଲି । ବୟସ ବଢ଼ିଲେ ମଣିଷ ତାହାର ପରାକ୍ରମରେ ପଡ଼ି ‘ମୁଁ’ ‘ମୁଁ’ ହେବା ବ୍ୟତୀତ ଅନ୍ୟକିଛି ଭାବି ବା କହିପାରେ ନାହିଁ ଅଥବା ‘ମୁଁ’ ‘ମୁଁ’ର ସେହି ବିଶେଷ ସ୍ଵଭାବଟିର କବଳରେ ପଡ଼ିବାଦ୍ୱାରା ଯେ କ୍ରମଶଃ ତାହାରିଦ୍ଵାରାହିଁ ନିଜର ପ୍ରାୟ ଅଜାଣତରେ ବୁଢ଼ା ହୋଇଯାଏ, ଅତ୍ୟନ୍ତ ସହାନୁଭୂତି ସହିତ ମୁଁ ସେହିକଥାହିଁ ଭାବୁଥିଲି । ବୁଢ଼ା ହେବାର ଏପରି ଏକ ନିଶ୍ଚିତ ଫଳପ୍ରଦ ଉପାୟ ଯେତେବେଳେ ଜଗତ୍‍ରେ ରହିଛି, ବୁଢ଼ା ନହେବାପାଇଁ ମଧ୍ୟ ଅଳ୍ପବଳ ମଣିଷର ହାତରେ କେଡ଼େ ସୁନିଶ୍ଚିତ ବାଟଟିଏବି ମହଜୁଦ ରହିଛି !

 

୧୬ । ୫ । ୯୨

 

ଏବେ ଅଧିକରୁ ଅଧିକ ଲୋକ କହିଲେଣି, ଦୁନିଆରେ ଆଉ କେହି କାହାରି ବନ୍ଧୁ ହୋଇ ନାହାନ୍ତି । କେହି ଏଠି କାହାରି ନୁହନ୍ତି ବୋଲି ଆମ ଜଣାଣ ଓ ଭଜନର ଲେଖକମାନେ କେତେ ଫୁଲେଇ ହୋଇ କାଳକାଳରୁ କହି ଆସିଛନ୍ତି । ଆଗକାଳର ମନୁଷ୍ୟମାନେ ନାନା ବାହ୍ୟ କାରଣରୁ ଆପଣାକୁ ଅସହାୟ କିମ୍ବା ଅଳ୍ପ ସହାୟ ଭଳି ମନେ କରୁଥିଲେ ବୋଲି ସମ୍ଭବତଃ ସେପରି କହୁଥିଲେ ଅଥବା ସେପରି ଅନୁଭବ କରୁଥିଲା । ଏବେର ମଣିଷମାନେ ସମ୍ଭବତଃ ଚଲାଖ ହେବାକୁ ଅସଲ ଶିକ୍ଷା ବୋଲି ମନେ କରୁଛନ୍ତି ବୋଲି ସେପରି କହୁଛନ୍ତି ।

 

କେହି କାହାରି ନୁହନ୍ତି ବୋଲି କହୁଥିବା ମଣିଷମାନେ କେଉଁଠି କେଉଁ ଅବିଶ୍ଵାସଟିକୁ ନିଜ ଭିତରେ ଲୁଚାଇ ରଖିଥାଆନ୍ତି । ଏବଂ ବାହାରେ ଭଗବାନ୍‍ଙ୍କୁହିଁ ଏକମାତ୍ର ବନ୍ଧୁ ବୋଲି ଡାକୁଥାନ୍ତି । ଭଗବାନ୍‍ଙ୍କୁ ସତକୁସତ ବନ୍ଧୁ ବୋଲି ଅନୁଭବ କଲେ ମଣିଷକୁ ସଂସାରଟାଯାକ ସମସ୍ତେ କେବଳ ବନ୍ଧୁ ଭଳି ଦେଖାଯିବେ, ତାହା ହେଉଛି ଏକ ପରୀକ୍ଷିତ ସତ୍ୟ । ମାତ୍ର, ବହୁତ ମଣିଷ ହୁଏତ ଆଉଗୋଟିଏ କାରଣରୁ ମଧ୍ୟ ଭଗବାନ୍‍ଙ୍କର ଦ୍ଵାରସ୍ଥ ହୋଇଥାନ୍ତି । ସେମାନେ କବାଟ କିଳି ଭଗବାନ୍‍ଙ୍କୁ ଡାକନ୍ତି, ଆଖି ବୁଜି ଭଗବାନ୍‍ଙ୍କୁ ଡାକନ୍ତି । କେବଳ ଆପଣା ଘରଟି ଭିତରେ ଭଗବାନ୍‍ଙ୍କୁ ବନ୍ଦି କରି ରଖିବାକୁ ଇଚ୍ଛା କରୁଥାନ୍ତି । ସେମାନେ କେବଳ ଆପଣାପାଇଁ ଭଗବାନ୍‍ଙ୍କୁ ଲୋଡ଼ୁଥାନ୍ତି, ସେଥିଲାଗି ବୃହତ୍ତର ପୃଥିବୀରେ ଅନ୍ୟ କାହାରିକୁ ଦେଖି ପାରୁନଥାନ୍ତି । ଏମାନେ ଆଦୌ କାହାରି ବନ୍ଧୁ ହୋଇ ପାରନ୍ତିନାହିଁ । ଏବଂ, ଖାସ୍ ସେହି କାରଣରୁ ବନ୍ଧୁଟିଏ ପାଇ ପାରନ୍ତିନାହିଁ । ମୋ’ ବାଟରେ ମୁଁ ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ଅନୁରାଗ ନେଇ ଏଯାଏଁ ଆସିଛି । ମଣିଷ ଯେତିକି ଯେତିକି ତାଙ୍କର ନିକଟବର୍ତ୍ତୀ ହେଉଥାଏ, ସେହି ପ୍ରକ୍ରିୟାରେ ପୃଥିବୀରେ ମଧ୍ୟ ସେତିକି ସେତିକି ଅଧିକ ମଣିଷଙ୍କର ନିକଟବର୍ତ୍ତୀ ହୋଇ ଯାଉଥାଏ ବୋଲି ମୁଁ ଅଙ୍ଗେ ନିଭାଇଛି । ତେଣୁ, ସଂସାର ଭିତରେ କେବଳ ବନ୍ଧୁହିଁ ବନ୍ଧୁ ଦେଖିଛି ଓ ପାଇଛି । ଏଠି ଏହି ସଂସାରରେ କେହି କାହାରି ନୁହନ୍ତି ବୋଲି କହିବାକୁ ମୋ’ର କେବେହେଲେ ମନ ହୋଇନାହିଁ । ଏବଂ, ସବୁଠାରୁ ବଡ଼କଥା ହେଉଛି, ସଂସାରଯାକକୁ ବନ୍ଧୁ କରି ପାଇଥିବାରୁ ମୁଁ ଆପଣାକୁ ମଧ୍ୟ ଆପଣାର ବନ୍ଧୁ ପରି ପାଇଛି ।

 

୧୭ । ୫ । ୯୨

 

ସମସ୍ତେ ଏକା ଏକା ଆଦର୍ଶ ଆଡ଼କୁ ଦଉଡ଼ୁଥିବା ପର୍ଯ୍ୟନ୍ତ ଲୋକମାନେ ଗୁମ୍ଫା ଭିତରେ ବନ୍ଦ ହୋଇ ରହିଥିବେ ଏବଂ ତୁଚ୍ଛା ମିଛଟାରେ ସତକୁସତ ଅଭୀଷ୍ଟ ସ୍ଥାନରେ ଯାଇ ପହଞ୍ଚି ଯାଇଥିବାର ଭ୍ରମ ଭିତରେ ପଡ଼ି ରହିଥିବେ । ନିଜର ଆଦର୍ଶଗୁଡ଼ିକୁ ଯଥାସମ୍ଭବ ଏକା ଏକା କାର୍ଯ୍ୟକାରୀ କରିବାର ଉତ୍ସାହରେ କେତେ ମଣିଷ ଯେ କ୍ରମେ ସ୍ଵେଚ୍ଛାଚାରୀ ହୋଇ ପଡ଼ିଛନ୍ତି, ଇତିହାସରୁ ତାହାର ଏକାଧିକ ଉଦାହରଣ ଦିଆଯାଇପାରିବ ।

 

ସମ୍ଭବତଃ ସେହି କାରଣରୁହିଁ ଆଦର୍ଶବାଦୀମାନେ ଅନେକ କ୍ଷେତ୍ରରେ ସବାଆଗ କ୍ଷମତା ହାସଲ କରିବାକୁ ମନ କରିଛନ୍ତି ଓ ହାସଲ କରିବାର ସେହି ପ୍ରକ୍ରିୟାରେ ସେଚ୍ଛାଚାରୀ ହୋଇ ପଡ଼ିଛନ୍ତି । ଏବଂ, ସ୍ଵେଚ୍ଛାଚାରୀ ହେଉ ହେଉ ଯାବତୀୟ ଆଦର୍ଶକୁ ହରାଇ ବସିଛନ୍ତି । ସେମାନେ ଯାହା ପ୍ରକୃତରେ ଇଚ୍ଛା କରିଥିଲେ, ତାହାର କେବଳ ଏକ ଅତିବିକୃତି ଆଉକିଛିକୁ ସମ୍ଭବ କରି ପାରିଛନ୍ତି ଓ ତଦ୍ଦ୍ଵାରା ପୃଥିବୀକୁ ଅନେକ ଅନେକ ଅନିଷ୍ଟକୁ ଡାକି ଆଣିଛନ୍ତି । କେଉଁ ଅନ୍ତର୍ଗତ ଦୁରବସ୍ଥାର କବଳରେ ପଡ଼ି ମଣିଷ ନିଜର ବାଟ ଚାଲିବାରେ, ସ୍ଵପ୍ନ ଦେଖିବାରେ ଓ ଏପରିକି ଭୋଗ କରିବାରେ ଅନ୍ୟମାନଙ୍କୁ ମଧ୍ୟ ସାମିଲ କରିବାକୁ ଇଚ୍ଛା କରୁନଥାଏ କେଜାଣି ? ଏହି ପୃଥିବୀକୁ ସମସ୍ତଙ୍କ ଲାଗି ଏକ ସୁନ୍ଦର ଘର କରି ତିଆରି କରିବେ ବୋଲି କେଡ଼େ ଉତ୍ସାହରେ ଆଦର୍ଶମାନେ, ଧର୍ମମାନେ ତଥା ଅତ୍ୟୁତ୍ସାହୀ ପୁରୋଗାମୀମାନେ ଆଗକୁ ନବାହାରିଛନ୍ତି, ମାତ୍ର କେଡ଼େ ଶୀଘ୍ର ସେମାନେ ସେହି ସବୁକିଛିକୁ ଉଦରସାତ୍ କରି ନପକାଇଛନ୍ତି । ଏବଂ, ଭେକ, ବିଧି ଓ ଆହୁରି କେତେ କ’ଣର ବହୁ ବର୍ଣ୍ଣାଢ଼୍ୟ ଭିଆଣଦ୍ଵାରା ସବୁକିଛିକୁ କେଡ଼େ ବିକୃତି କରି ନପକାଇଛନ୍ତି-! ଆପଣାର ତତ୍‍କାଳୀନ ପରିଧିଗୁଡ଼ିକୁ ଅତିକ୍ରମ କରି ଆଉକିଛି ଇଚ୍ଛା କରିବା ଏବଂ ସେଥିଲାଗି ସତକୁସତ ଗୋଡ଼ କାଢ଼ି ଅଗ୍ରସର ହେବାକୁ ଯଦି ଆଦର୍ଶ ବୋଲି କୁହାଯାଏ, ତେବେ କେଇ ଖୋଜ ଆଗକୁ ଯିବାମାତ୍ରକେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ସମଗ୍ର ପୃଥିବୀ ସହିତ ସତେଅବା ଏକ ଅବିଚ୍ଛେଦ୍ୟ ସୂତ୍ରରେ ଅନ୍ତରଙ୍ଗ ଭାବରେ ବାନ୍ଧିହୋଇ ରହିଥିବା ପରି ଅବଶ୍ୟ ଏକ ଉପଲବ୍‌ଧି ହେବ-। ଏବଂ ତାହାହିଁ ଆଦର୍ଶକୁ ତଥା ଆଦର୍ଶବାନ୍ ଯେକୌଣସି ବ୍ୟକ୍ତିକୁ ବହୁ ଐଶ୍ଵର୍ଯ୍ୟ ଓ ଯଥାର୍ଥ ବଳ ଆଣି ଦେବ । ଏକା ଏକା ବାଟ ଚାଲିବା ଲାଗି ତା’ର ଯାବତୀୟ ଅଭିମାନ କେଡ଼େ ସହଜରେ ପରାଭୂତ ହୋଇଯିବ ।

 

୧୮ । ୫ । ୯୨

 

ପ୍ରଧାନତଃ ଏକ ଅସହାୟତାବୋଧରୁହିଁ ସଂସାରବିମୁଖତା ଜନ୍ମଲାଭ କରିଥାଏ । ଏବଂ ସଂସାରବିମୁଖତା ମନୁଷ୍ୟକୁ ଏକ ମୂଳଭୂତ ଉପେକ୍ଷାଦର୍ଶନର ଜାଲରେ ଆଣି ପକାଇଦିଏ । ଏବଂ, ସେହି ଜାଲରେ ପଡ଼ି ଯାଇଥିବା ବ୍ୟକ୍ତି କର୍ମବାଦୀ ହୁଏ । କର୍ମବାଦୀ ବ୍ୟକ୍ତିହିଁ ସ୍ଵାର୍ଥପରାୟଣ ହୁଏ, ତେଣୁ, ନିର୍ମମ ହୁଏ, ନିଷ୍ଠୁର ହୁଏ । ଆଉ ଯେଉଁଠାରେ ହୋଇଥାଉ ବା ନହୋଇଥାଉ, ଅନ୍ତତଃ ଭାରତବର୍ଷରେ ତାହାହିଁ ହୋଇଛି । ଭାରତରେ କବିମାନେ ଯାହା କହିଥାନ୍ତୁ ବା କହି ଆସିଥାନ୍ତୁ ପଛକେ, ଏଠି ଅଧିକାଂଶ ମଣିଷ ଯୁଗେଯୁଗେ ଅତ୍ୟନ୍ତ ଶୋଚନୀୟ ଅସହାୟତା ମଧ୍ୟରେ ଜୀବନ କଟାଇବାକୁ ବାଧ୍ୟ ହୋଇ ଆସିଛନ୍ତି । ଭାରତୀୟ ସାମୂହିକ ଜୀବନବ୍ୟବସ୍ଥାର ଯାବତୀୟ system ହିଁ ବହୁ ସଂଖ୍ୟକ ମଣିଷଙ୍କୁ ଅସହାୟ କରି ରଖିଛି । ଅତ୍ୟନ୍ତ ଦୃଶ୍ୟମାନ ଭାବରେ ଅସହାୟ କରି ରଖିଛି । ମଣିଷଟିଏ ଘୁଷୁରି ପରି ଜୀବନଯାପନ କଲେ ଯେପରି ଅତ୍ୟନ୍ତ ଦୃଶ୍ୟମାନ ଭାବରେ ତାହାକୁ ଦେଖିହୁଏ, ପ୍ରାୟ ସେହିପରି ଦୃଶ୍ୟମାନ ଭାବରେ ।

 

ଏହିସବୁ ଅସହାୟତାକୁ ଦୂର କରିପାରିବା ନିମନ୍ତେ ଆଖି ଆଗରେ କିଛି ବଳ ନାହିଁ କିମ୍ବା ସମ୍ବଳ ନାହିଁ । ଯେଉଁମାନେ ଏହି ଅସହାୟତା ମଧ୍ୟରେ ଘାଣ୍ଟି ହେବାକୁ ଏକ ଅସହ୍ୟ ଦଣ୍ଡ ବୋଲି ଅନୁଭବ କରିଛନ୍ତି, ସେମାନେ ସଂସାର ଛାଡ଼ି ସନ୍ନ୍ୟାସ ଗ୍ରହଣ କରି ପଳାଇଛନ୍ତି । ସନ୍ୟାସୀ କାଳେ କାଳେ ଏହି ଭାରତବର୍ଷରେ ଏକ ଲୋଭର ବସ୍ତୁ ହୋଇ ରହିଛି । ବୁଢ଼ାକୁ, ମଳୁକୁ ଏବଂ ମୃତକୁ ଦେଖି ସାରିବା ପରେ ସତେଅବା ଏସବୁର ଏକ ଅମୋଘ ପ୍ରତିକାରରୂପେ ଗୌତମ ବୁଦ୍ଧ ଜଣେ ସଂସାରତ୍ୟାଗୀ ସନ୍ୟାସୀକୁ ଦେଖିଛନ୍ତି, ଏବଂ ସେହିଭଳି ଏକ ସମାଧାନ ଭିତରକୁ ଡେଇଁ ପଡ଼ିଛନ୍ତି । ଜଣେ ସନ୍ୟାସୀର ଅନ୍ତର୍ବଳ, ସନ୍ୟାସୀର ସାହସ ଏବଂ ସନ୍ୟାସୀ ଶ୍ରଦ୍ଧା ନେଇ, ଆପଣା ଭିତରେ ଏକ ଅନୁରାଗକୁହିଁ ସମଗ୍ର ଦୃଷ୍ଟିରୂପେ ଗ୍ରହଣ କରି ଯଦି ଭାରତର ଉଜ୍ଜ୍ଵଳ ବିବେକଗୁଡ଼ିକ ମଳୁ, ବୃଦ୍ଧ ଓ ମୃତ ପାଖକୁ ଫେରି ଆସିବାର ଉଦ୍‌ବୋଧନ ପାଇଥାନ୍ତା, ତେବେ ଭାରତର ଉଦ୍ୟମ ଓ ଭାରତର ଇତିହାସ ଅନ୍ୟ ପ୍ରକାରର ହୋଇ ଥାଆନ୍ତା । ଭାରତବର୍ଷର ମଣିଷମାନେ, ଯେଉଁମାନେ ସଂସାର ଭିତରେ ଅଛନ୍ତି ସେମାନେ ମଧ୍ୟ, କଦାପି ଏପରି ସଂସାରବିମୁଖ ହୋଇନଥାନ୍ତେ, ଏବଂ ଅସହାୟତାକୁହିଁ ଆପଣାର ଭାଗ୍ୟ ବୋଲି ମାନି ନେଇ ନଥାନ୍ତେ ।

 

୧୯ । ୫ । ୯୨

 

ସଭାଘରମାନଙ୍କରେ ଯେଉଁମାନେ ସଂସ୍କୃତି ବିଷୟରେ ଏତେ ପାଟି କରୁଛନ୍ତି, ସେମାନେ କ’ଣ ପ୍ରକୃତରେ ସଂସ୍କୃତିକୁ ଇଚ୍ଛା କରୁଛନ୍ତି ? ବିଚରା ଏହି ଆସୀନମାନେ ଖୁବ୍ ଭଲ କରି ଜାଣିଛନ୍ତି ଯେ, ଆପେ ଅଧିକାର କରି ରହିଥିବା ଆସନଟା ସକାଶେହିଁ ଲୋକମାନେ ସେମାନଙ୍କୁ ଲୋଡ଼ୁଛନ୍ତି । ଏହି ଆସନଟା ଚାଲିଯିବା ପରେ, ସେମାନେ ଆଦୌ ସଂସ୍କୃତି ଭିତରେ ରହିଲେ କି ନାହିଁ, ସେମାନେ ଗଧ ହେଲେ କି ଘୁଷୁରି ହେଲେ, ସେ କଥା କେହି ପଚାରିବାକୁବି ଯିବନାହିଁ । ସମ୍ଭବତଃ ସେଇଥିପାଇଁ ସମୟ ଥିବାତକ ଅର୍ଥାତ୍ ହାତ ଭିତରେ କିଛି କ୍ଷମତା ଓ କ୍ଷମତା ଆଣି ଦେଉଥିବା କିଛି ପଇସା ଥିବାତକ ସେମାନେ ଯାହା ପାରୁଛନ୍ତି, ତାହା ଉଦ୍‌ଗାରି ଦେବାରେ ଲାଗିଛନ୍ତି ।

 

ବାତାବରଣଟା କପଟପୂର୍ଣ୍ଣ ହୋଇଯାଏ ବୋଲି ମଣିଷ ମଧ୍ୟ ତିଷ୍ଠି ରହିବାକୁ କପଟୀ ହେବାପାଇଁ ଯେ ବାଧ୍ୟ ହୁଏ, ଏକଥା ଥୋକେ ମଣିଷ କାହିଁକି ଯେ କହନ୍ତି, ମୁଁ ସେ କଥା ବୁଝି ପାରେନାହିଁ । ଏହି ବାତାବରଣରେ ଯାବତୀୟ ପ୍ରଦୂଷଣ ପଛକେ କପଟୀ ମଣିଷମାନଙ୍କରେହିଁ ସର୍ବଦା ଏକ ଭୂମିକା ରହିଥାଏ । ସେହି ଭୂମିକାର ଦାୟିତ୍ଵଟିକୁ ଯେଉଁମାନେ ଏକାଧିକ କାରଣରୁ ସ୍ଵୀକାର କରନ୍ତି ନାହିଁ, ସାଧାରଣତଃ ସେହିମାନେହିଁ ବାତାବରଣ ଉପରେ ସବୁଯାକ ଦାୟିତ୍ଵକୁ ନେଇ ଢାଳି ଦେଇଥାନ୍ତି । ବର୍ତ୍ତମାନ ବାତାବରଣ କପଟୀ ହୋଇଗଲା, କାରଣ ଏହି ବାତାବରଣ ଭିତରେ ଆତଯାତ ହେଉଥିବା ବହୁସଂଖ୍ୟକ ମଣିଷ କପଟୀ ହେବାକୁ ମନ କଲେ; ସେମାନେ କାହିଁକି କପଟୀ ହେବାକୁ ମନ କଲେ, ସେଥିଲାଗି ମଧ୍ୟ ବାତାବରଣକୁ କଦାପି ସମ୍ପୂର୍ଣ୍ଣ ଭାବରେ ଦାୟୀ କରାଯାଇପାରିବ ନାହିଁ । କାରଣ, ମନୁଷ୍ୟମାନଙ୍କୁ ବାଦ୍ ଦେଇ ଆଦୌ କୌଣସି ବାତାବରଣର କଳ୍ପନାହିଁ କରାଯାଇପାରିବ ନାହିଁ । ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଅନେକ ବିକଳ୍ପ ମଧ୍ୟରୁ କୌଣସି ଗୋଟିକୁ ବାଛି ନେବାପାଇଁ ଏକ ଆହ୍ଵାନର ସମ୍ମୁଖୀନ ହୋଇଥାଏ । ଜଣେ ଭୀରୁ ମଣିଷ ପ୍ରାୟ କିଛି ବାଛେନାହିଁ, ସିଏ ପବନଗୁଡ଼ାକୁ ଯେପରି ଘ୍ରାଣ କରୁଥାଏ, ତାହାରି ଅନୁସାରେ ପ୍ରାୟ ଏପାଖକୁ ଅଥବା ସେପାଖକୁ ଆଉଜି ପଡ଼ିବାରେ ଲାଗିଥାଏ ।

 

୨୦ । ୫ । ୯୨

 

ନିଜ ପାଖରେ ମଧ୍ୟ ଏକ weaning କରିବାକୁ ପଡ଼େ ଓ ସମ୍ଭବତଃ ତାହାହିଁ ସବୁଠାରୁ ଅଧିକ କଷ୍ଟକର । ଆମର ପିଲାକାଳରେହିଁ ଅସଲ weaningଟି କଦାପି ସରି ଯାଏଁ ନାହିଁ, ତାହା ଜୀବନଯାକ ଲାଗି ରହିଥାଏ ।

 

ନିଜର ଅନେକ ତଥାକଥିତ ସରାଗଠରୁ ନିଜକୁ wean କରି ଆଣିବାକୁ ପଡ଼େ । ବୃହତ୍ତର ପରିଧିଟିଏ ଠାବ ହୋଇଗଲେ, ସମସ୍ତେ ଯେ କେବଳ ସେହି କାରଣରୁ ଆଗରୁ ଜାବୁଡ଼ି ଧରିଥିବା ଅନେକ କ୍ଷୁଦ୍ରତର ପରିଧି ମଧ୍ୟରୁ ଫକ୍ କରି ଡେଇଁ ପଳାଇ ଆସନ୍ତି, ସେ କଥା ଆଦୌ ନୁହେଁ । ସେଥିପାଇଁ ରୀତିମତ ଉଦ୍ୟମ କରିବାକୁ ହୁଏ, ଅନେକ ସମୟରେ ଯୁଦ୍ଧବି କରିବାକୁ ହୋଇଥାଏ । ନୂଆ ଠାକୁରଟିଏ ପାଇଲେ ଅନେକ ମଣିଷ ଆପଣାର ଅଭ୍ୟସ୍ତ ପୁରୁଣା ଠାକୁରମାନଙ୍କ ପାଖରୁ ମଧ୍ୟ ସହଜରେ ବାହାରି ଆସି ପାରନ୍ତିନାହିଁ । ପୁରୁଣା ଠାକୁରମାନଙ୍କୁ ଭିତରେ ସେମାନେ ସତେଅବା ନୂଆ ହଳଦି ମାରିଦେଇ ଅଥବା ନୂଆ ଚିକଣଟିଏ ଲଗାଇଦେଇ ତାହାକୁହିଁ ନୂଆ ଠାକୁର ବୋଲି କହୁଥାନ୍ତି । ସମଗ୍ର ବିଶ୍ଵ ସହିତ ଯଥାର୍ଥ ଭାବରେ ଖିଅ ଲଗାଇ ବଞ୍ଚି ପାରିବା ଲାଗି ଅନେକ ମଣିଷ ଆପଣାର ଦେଶଠାରୁ ଆପଣାକୁ wean କରି ଆଣି ପାରନ୍ତିନାହିଁ-। ଏକ ଉଚ୍ଚତର ଆଦର୍ଶର ସମୀପବର୍ତ୍ତୀ ହୋଇ ମଧ୍ୟ ଅନେକ ସମୟରେ ପୁରାତନ ସଂକୀର୍ଣ୍ଣତାର ଆଦର୍ଶ ମଧ୍ୟରୁ ନିଜକୁ wean କରି ଆଣିବା ବେଶ୍ କଷ୍ଟକର ହୋଇଥାଏ । ଯେଉଁ ମଣିଷଟି ସତତ ବୃଦ୍ଧିଲାଭ କରିବାକୁ ଅର୍ଥାତ୍ ସଂପ୍ରସାରିତ ହେବାକୁହିଁ ଜୀବନର ସର୍ବମୂଳ ଧର୍ମ ବୋଲି ଗ୍ରହଣ କରିପାରେ, କେବଳ ସେଇ ଅନାୟାସରେ weaning ନାମକ ସେହି ପ୍ରକ୍ରିୟାରେ ପ୍ରୟୋଜନଗୁଡ଼ିକୁ ସ୍ଵୀକାର କରି ନେଇପାରେ । ତାକୁ ପ୍ରକୃତରେ କେଉଁଠି କିଛି ଆଦୌ ଛାଡ଼ିଯିବାକୁ ପଡ଼େନାହିଁ ଆପଣାର ଅଭୀପ୍‌ସାଗୁଡ଼ିକ ଅନୁସାରେ ଆପଣାକୁ କେବଳ ପ୍ରସାରିତ କରିଦେବାକୁହିଁ ହୋଇଥାଏ । ନିଜ ନିଜ ଧର୍ମରେ ରହିଥିବା ମନୁଷ୍ୟମାନେ ଯଦି ଗବାକ୍ଷଗୁଡ଼ିକ ଖୋଲି ଯାଉଥିବା ଅନୁସାରେ ନିଜକୁ ପ୍ରସାରିତ କରିଦେଇ ପାରୁଥାନ୍ତେ, ତେବେ ଜଗତ୍‍ର ସବୁ ପରେ ଥାନ ପାଇବାଲାଗି ସେମାନଙ୍କୁ କଦାପି ନିଜ ଘରଟିକୁ ଛାଡ଼ି ଆସିବାକୁ ପଡ଼ନ୍ତା ନାହିଁ । ପୃଥିବୀର ଅନେକ ଭାଷା ଭିତରକୁ ପ୍ରବେଶ ଲାଭ କଲେ ଯେମିତି ନିଜର ଭାଷାଟିକୁ ମୋଟେ ଛାଡ଼ିବାକୁ ପଡ଼େନାହିଁ, ଇଏ ଠିକ୍ ସେହିଭଳି କଥା ।

 

୨୧ । ୫ । ୯୨

 

ଶକ୍ତି, ଅର୍ଥାତ୍ ସମ୍ମତି । ସମ୍ମତିରୁ ଶକତି । ଅସମ୍ମତ ମଣିଷର ଶକ୍ତି କୌଣସି କାମରେ ଲାଗେନାହିଁ, ତେଣୁ ସିଏ ଆପଣା ଶକ୍ତିର କୌଣସି ପରିଚୟ ପାଇ ପାରେନାହିଁ । ମୁଁ ଯେତିକି ଯେତିକି ସମ୍ମତ ହେଉଥିବି, ନିଜ ଶକ୍ତିର ସେତିକି ସେତିକି ପରିଚୟ ମଧ୍ୟ ପାଉଥିବି, ଏହାହିଁ ଜଣେ ସମ୍ମତ ମନୁଷ୍ୟକୁ ଚମତ୍କୃତ ଓ ଅଭିଭୂତ କରିବା ଯଥେଷ୍ଟ ହୋଇଯାଏ । ଯେଉଁମାନେ ଭଗବାନ୍‍ଙ୍କ ପାଖରେ ଶକ୍ତିର ଯାଚନା କରନ୍ତି, ସେମାନେ ସମ୍ମତ ହୋଇ ରହିଥାନ୍ତି ତ ?

 

ଶକ୍ତିର ଉତ୍ସ ମୋ’ ଭିତରେ ରହିଛି । ମୋତେ ଶକ୍ତି ଦେବାପାଇଁ ସାକ୍ଷାତ ସତୀର୍ଥ ବା ସହୋଦର ହୋଇ ଏହି ଆକାଶ ରହିଛି, ବୃକ୍ଷଲତା ରହିଛନ୍ତି । ଆଲୋକ ରହିଛି, ଭୁବନଯାକର ଜୀବନସଙ୍ଗବି ମହଜୁଦ ରହିଛି । ଯେତେବେଳେ ମୁଁ ଯଥାର୍ଥ ଭାବରେ ସମ୍ମତ ହୋଇପାରେ, କେବଳ ସେତିକିବେଳେହିଁ ମୁଁ ସେଗୁଡ଼ିକରୁ ଶକ୍ତିର ଆହରଣ କରିପାରେ । ତେଣୁ, ମୁଁ ଶକ୍ତି ମାଗିବି ନାହିଁ । ଆପଣାକୁ ଦୁର୍ବଳ ବୋଲି ବର୍ଣ୍ଣନା କରି ମୁଁ ଆଦୌ କୌଣସି ପ୍ରଦର୍ଶନ କରିବି ନାହିଁ, ହୁଏତ ଏପରିକି ଭଗବାନ୍‍ଙ୍କୁ ସର୍ବଶକ୍ତିମାନ ବୋଲି କହି ନିଜ ଆର୍ତ୍ତତାଗୁଡ଼ିକର ରୋମନ୍ଥନବି କରିବିନାହିଁ । ମୁଁ ଅଧିକରୁ ଅଧିକ ସମ୍ମତ ହୋଇ ରହିବାର ଅନ୍ୟ ପଥଟି ଉପରେହିଁ ଅଧିକ ଭରସା ରଖିବି । ସାଧନା କହିଲେ ପ୍ରାୟ ସବୁଯାକ ଅର୍ଥରେ ଏହି ସମ୍ମତ ରହିବାକୁହିଁ ବୁଝାଏ । ଆଗେ ମୁଁ କେଡ଼େବଡ଼ ପାଟି କରି ରୋଦନ କରୁଥିଲି ଏବଂ ନିଜର ନିଃସ୍ଵତାଗୁଡ଼ିକର ପ୍ରତିପାଦନ କରିବାଲାଗି ମୁଁ କେତେ ନା କେତେ ଉତ୍ସାହ ଦେଖାଉଥିଲି । ଏବେ ସମୀପକୁ ଆସି ଦେଖୁଛି ଯେ, ମୁଁ କେବେହେଲେବି ଏତେ ନିଃସ୍ଵ ନଥିଲି । ଅସମ୍ମତିକୁହିଁ ମନୁଷ୍ୟର ଏକମାତ୍ର ନିଃସ୍ଵତା ବୋଲି କହିବାର ବାଟଟି ମୋ’ ଜୀବନରେ ଖୋଲିଗଲା ପରେ ଏଣିକି ମୁଁ ନିଜକୁ ନେଇହିଁ ଅଧିକରୁ ଅଧିକ ବଣିଜ କରି ବାହାରୁଛି । ଏହି ବଣିଜରେ ଅସଲ ମୁଦ୍ରା ହେଉଛି ମୋ’ର ସମ୍ମତି । ଅସମ୍ମତ ମଣିଷମାନେ ମୋ’ ଚାରିପାଖରେ କେତେ କେତେ ଉଗ୍ରତା ସହକାରେ ଘଣ୍ଟ ବଜାଇ ଭଗବାନ୍‍ଙ୍କୁ ଡାକୁଥିଲେ ମଧ୍ୟ ମୁଁ ମୋ’ ନିଜ ବାଟରେ ଅଟଳ ରହିବି । ମୁଁ ଅଧିକରୁ ଅଧିକ ସମ୍ମତି ଲାଗି ଯୋଗ୍ୟ ହେଉଥିବି ।

 

୨ । ୬ । ୯୨

 

ମଣିଷ ଏକାଠି ଯାଉଥିବ, ତଥାପି ଆପଣା ଆପଣାର ବାଟରେ ଯାଉଥିବ । ନିଜର ସ୍ଵଭାବ ଅନୁସାରେ ବାଟଟିଏ ବାଛି ବା ବାଟଟିଏ ବାହାର କରି ସତତ ଚାଲୁଥିବ । ଅନ୍ୟ ବାଟମାନେ ଏବଂ ଅନ୍ୟ ବାଟୋଇମାନେ ତାକୁ ନିରନ୍ତର ଉତ୍ସାହ ପ୍ରଦାନ କରୁଥିବେ । ଏବଂ, ବାଟ ବାଟକୁ ଈର୍ଷା କରୁନଥିବ, ଜଣେ ବାଟୋଇ ଆଉ ଜଣେ ବାଟୋଇକୁ ଈର୍ଷା କରୁନଥିବ । ଆମେ ଯେ ବର୍ଷକୁ ଦୁଇଥର ଏହି ଶିବିର ବୋଲି ଏକ ଉପଲକ୍ଷ୍ୟରେ ଏକାଠି ହେଉଛୁ, ଏତିକି ହେଉଛି ତାହାର ମର୍ମକଥା ।

 

ବାଟମାନଙ୍କୁ ନେଇ ଯେଉଁମାନେ ଝଗଡ଼ା କରନ୍ତି, ସେମାନେ ହୁଏତ ଆପଣାର ବାଟ ବୋଲି କିଛି ପାଇନଥାନ୍ତି । ଅର୍ଥାତ୍, ଆପଣାର ସ୍ଵଭାବ ବୋଲି ସେମାନେ ଖୁବ୍‌ବେଶି କିଛି ଆଦୌ ଆବିଷ୍କାର କରିନଥାନ୍ତି । ଏବଂ, ଯିଏ ଆପଣାର ସ୍ଵଭାବକୁ ଆବିଷ୍କାର କରି ନପାରିଛି, ସିଏ ଭଗବାନ୍‍ଙ୍କୁ ପାଇଛି ବୋଲି କିପରି କୁହାଯାଇପାରିବ ? ସିଏ ଭଗବାନ୍ ନାମରେ ହୁଏତ କୌଣସି ଏକ ପିତୁଳାକୁ ଆବିଷ୍କାର କରିଛି ଏବଂ ପିତୁଳାଟିକୁ ଆଳ କରି କେତେପ୍ରକାର ଉତ୍ତେଜିତ ହୋଇ ବସିଛି । ଉତ୍ତେଜିତ ହୋଇ ରହିବାକୁ ଏକ ଆକର୍ଷଣୀୟ ମାର୍ଗ ବୋଲି ଗ୍ରହଣ କରିବାମାତ୍ରକେହିଁ ମଣିଷ ପିତୁଳାମାନଙ୍କୁ ଆଳ କରି ପୃଥିବୀରେ ବହୁ କଳହର ସୃଷ୍ଟି କରେ । ବାଟଟିଏ ଚାଲିବାକୁ ରହିଛି ବୋଲି ସିଏ କେଡ଼େ ମଉଜିଆ ହୋଇ ପାସୋରି ପକାଏ । ବାଟ ଚାଲିବାର ଅସଲ ମଉଜଟିକୁ ଅନେକ ମଣିଷ ଅତ୍ୟନ୍ତ ରସହୀନ ଭାବରେ ଅନ୍ୟ ନାନାବିଧ ମଉଜ ଭିତରେ ନଷ୍ଟ କରି ଦେଇଥାନ୍ତି । ଫଳରେ ସେମାନଙ୍କର ଜୀବନ ସମେତ ପୃଥିବୀରୁ ମଧ୍ୟ ଅନେକ ଆନନ୍ଦ ପ୍ରାୟ ବାସନ୍ଦ ହୋଇ ରହିଥାଏ । ତା’ ବଦଳରେ ଗୁଡ଼ାଏ ଜ୍ଵରହିଁ ପୃଥିବୀଟାକୁ ଉତ୍ପୀଡ଼ିତ କରି ରଖିଥାଏ । ସେହି ଜ୍ଵର ଆମ ପୃଥିବୀର ଯାବତୀୟ ନୀତି ଏବଂ ରାଜନୀତି ଆକ୍ରାନ୍ତ କରି ରଖିଥାଏ । କୌଣସି ନା କୌଣସି ପାହାଚରେ ଅଟକି ରହିବାକୁହିଁ ଚରମ ଧର୍ମପଥ ବୋଲି ଆଦରି ନେଇଥିବା ମଣିଷମାନେ କେଡ଼େ ଚାତୁର୍ଯ୍ୟର ସହିତ ପୃଥିବୀରେ କୋଳାହଳମାନଙ୍କୁ ବହୁବର୍ଣ୍ଣ କରି ରଖିଥାନ୍ତି ।

 

୩ । ୬ । ୯୨

 

ଜୀବନଧାରଣର ଶୈଳୀକୁ ବଦଳାଇବାକୁ ପଡ଼ିବ । ଏହି ପୃଥିବୀଯାକ ଧନୀ, ମାନୀ, ଜ୍ଞାନୀ, ଓ ଗୁଣୀମାନେ ପ୍ରାୟ ଏକ ପାରମ୍ପରିକ ଔଦ୍ଧତ୍ୟ ସହିତ ଆପଣାର ଜୀବନକୁ ଏପରି ଏକ ସାମନ୍ତବାଦୀମାନରେ ଯାପନ କରି ଆସିଛନ୍ତି, ଯାହାକୁ କେବଳ ନିର୍ଦ୍ଦୟ ବୋଲିହିଁ କୁହାଯାଇପାରିବ-

 

ପୃଥିବୀରେ ସକଳ ଯୁଗରେ ଦରିଦ୍ର ଓ ବଞ୍ଚିତମାନେହିଁ ଅଧିକ ଥିଲେ, ଏବେ ମଧ୍ୟ ରହିଛନ୍ତି । ମାତ୍ର, ପୃଥିବୀରେ ଅମାନୁଷିକ ବିଳାସଗୁଡ଼ାକ ମଧ୍ୟ ତଥାପି ଦପ ଭିତରେ ରହି ଆସିଥିଲେ । ବହିମାନଙ୍କରେ ଧର୍ମମାନେ ଯେତେ ଯାହା କଥା ବଖାଣି ଆସିଥାନ୍ତୁ ପଛକେ, ସମାଜରେ ଏବଂ ସମ୍ବନ୍ଧଗୁଡ଼ିକରେ ଆଚରିତ ହୋଇ ଆସିଥିବା ଧର୍ମଗୁଡ଼ିକ ଉକ୍ତ ବିଳାସଗୁଡ଼ିକୁ ସମର୍ଥନ ଜଣାଇ ଆସିଥିଲେ, ଅନେକ ସମୟରେ ବିଳାସୀମାନେ ଆପଣାର ସେହି ଆତ୍ମମ୍ଭରିତାକୁ କଳା ଓ ସଂସ୍କୃତି ବୋଲି କହି ଆସିଥିଲେ । ପୃଥିବୀ ଏବେ ଆପଣାକୁ ନୂଆ ଶୈଳୀରେ ଗଢ଼ିବା ନିମନ୍ତେ ପ୍ରସ୍ତୁତ ହେଉଛି । ବିଶ୍ୱସ୍ତରର ସମିତିମାନଙ୍କରେ ଏବେ ସେସବୁ ପ୍ରସଙ୍ଗ ଏକାନ୍ତ ଖୋଲାଖୋଲି ଭାବରେ ପଡ଼ିଲାଣି । ତଥାପି, ବିଳାସୀ ମଣିଷମାନଙ୍କର ଚେତା ଆସିନାହିଁ । ବିଳାସମାନଙ୍କୁ ଅଧିକ ଜମକାଣିଆ କରିବାର ମତଲବରେ ସେମାନେ ଏହି ପୃଥିବୀଯାକକୁ ବଣିଆଗିରିର କବଳ ଭିତରେ ରଖିବାଲାଗି ଚେଷ୍ଟା କରିବାରେ ଲାଗିଛନ୍ତି । ପୃଥିବୀରେ ଅଧିକାଂଶ ରାଷ୍ଟ୍ରୀୟତା ଏହି ବଣିଆ ଜୀବନର ମୂଳସୂତ୍ର ଅନୁସାରେ ଚାଲିଛି । ବଣିଆମାନଙ୍କର ନିଜ ଦେଶରେ ମଧ୍ୟ ଦରିଦ୍ରମାନେ ଅଛନ୍ତି, ବଞ୍ଚିତମାନେ ରହିଛନ୍ତି । ଲୋଭୀ ଓ ଆହୁରି ଲୋଭୀ ମଣିଷମାନେ ବିଜ୍ଞାନର ଦକ୍ଷତାର ପ୍ରୟୋଗମାନ କରି ସବୁ ମଣିଷଙ୍କ ଲାଗି ପ୍ରାୟ ଏକ ବିଳାସଯୁକ୍ତ ସମ୍ପନ୍ନତା ସମ୍ଭବ କରିଦେବେ ବୋଲି ଦମ୍ଭର ସହିତ କହୁଛନ୍ତି । ମାତ୍ର, ସେହି ବାଟ ମନୁଷ୍ୟ ସମାଜକୁ ବେଶି ଦୂର ନେଇପାରିବନାହିଁ । ତେଣୁ, ଶୈଳୀଗୁଡ଼ିକୁ ବଦଳାଇବାକୁହିଁ ପଡ଼ିବ । ସଚେତନ ଭାବରେ ସମ୍ବେଦନଶୀଳତାର ଏକ ଜୀବନ ଶୈଳୀକୁ ଫେରି ଆସିବାକୁ ପଡ଼ିବ ।

 

୪ । ୬ । ୯୨

 

ଯିଏ ସମସ୍ତଙ୍କର ଅନ୍ତଃପ୍ରବେଶ କରିପାରିଲା, ସେଇ ନେତା । ଯିଏ ସମସ୍ତଙ୍କୁ ଚଳାଇ ପାରିଲା, ସିଏ ନେତା ନୁହେଁ । ଏବେ ତ ହାତରେ ପାଞ୍ଚଶ ଧରି ପରମ ଆତ୍ମସୁଖରେ ମଣିଷମାନଙ୍କୁ ଅଡ଼ାଇ ପାରୁଥିବା ନେତାମାନେ ମଧ୍ୟ ରହିଛନ୍ତି । ଅନେକ ନେତା ବହି ଅନୁସାରେ, ନୀତିଗୁଡ଼ିକ ଅନୁସାରେ ମଧ୍ୟ ନେତୃତ୍ଵ ଦେଇପାରୁଛନ୍ତି । ସେମାନେ କେନ୍ଦ୍ରରେ ରହିଛନ୍ତି, ଅପରିହାର୍ଯ୍ୟ ହୋଇ ରହିଛନ୍ତି । ପରିଚାଳିତମାନେ ଆବଶ୍ୟକ ପଡ଼ିଲେ ସେହି ନେତାଙ୍କୁ କାନ୍ଧରେ ବସାଇ ରାସ୍ତାରେ ଶୋଭାଯାତ୍ରା କରି ବାହାରି ପାରୁଛନ୍ତି ଏବଂ ତାହାରି ମାଧ୍ୟମରେହିଁ ପ୍ରତ୍ୟେକେ ଆପଣାକୁ ସତେଅବା ଜଣେ ଜଣେ ବୀର ଏବଂ ଅପରାଜେୟ ହନୁମାନ ପରି ମନେବି କରିପାରୁଛନ୍ତି ।

 

ଅସାଧାରଣ ହେଲେ ଅନ୍ତଃପ୍ରବେଶ କରି ହୁଏନାହିଁ । କର୍ତ୍ତବ୍ୟର ଅନୁରୋଧରେ ବେଳେବେଳେ ଉପରର ଆସନରୁ ତଳକୁ ଓହ୍ଲାଇ ଆସିଲେ ମଧ୍ୟ ଅନ୍ତଃପ୍ରବେଶ କରି ହୁଏନାହିଁ । ସାଙ୍ଗ ହୋଇ ବାଟ ଚାଲିବାକୁ ହୁଏ । ଏକାବେଳେକେ ବାଟ ଚାଲିବାର ଆଧ୍ୟାତ୍ମିକ ଅର୍ଥରେହିଁ ବାଟ ଚାଲିବାକୁ ହୁଏ । ସେହିପରି ବାଟ ଚାଲିବାରୁ ଯଥାର୍ଥ ଆନନ୍ଦ ପାଇପାରିଲେ ଯାଇହୁଏ । ଅସଲ ନେତାର ନେତୃତ୍ଵରେ ଗୋଷ୍ଠୀର ସମସ୍ତେ ହେଉଛନ୍ତି ନେତା, ଦାୟିତ୍ଵବୋଧ ସମସ୍ତଙ୍କର । ନିୟମଗୁଡ଼ିକୁ ସମସ୍ତେ ତିଆରି କରନ୍ତି ଓ ଦରକାର ପଡ଼ିଲେ, ଅର୍ଥାତ୍ ଏକ ନୂତନ ସୋପାନରେ ଆସି ପହଞ୍ଚିଯାଇ ପାରିଲେ ସମସ୍ତେ ମିଶି ଆଗରୁ ଚଳି ଆସୁଥିବା ନିୟମଗୁଡ଼ିକୁ ଭାଙ୍ଗିବି ଦେଇପାରନ୍ତି । ପାରମ୍ପରିକ ଆଖି ଓ ପାରମ୍ପରିକ ଚଳଣିକୁ ତାହା ଅନେକ ସମୟରେ ପ୍ରାୟ ଏକ ଅରାଜକତା ପରି ବୋଧହୁଏ ସତ, ମାତ୍ର ତଥାପି ରାଜ୍ୟ ଚାଲିଥାଏ । ଶାସନ ସେହି ରାଜ୍ୟରେ ସବୁଠାରୁ ବଡ଼ ନିର୍ଣ୍ଣାୟକ ହୋଇ ରହିନଥାଏ, ଅଗ୍ରଗତିହିଁ ମାନଦଣ୍ଡ ହୋଇ ରହିଥାଏ । ଏହି ଅଗ୍ରଗତିରେ ପ୍ରତ୍ୟେକ ପ୍ରତ୍ୟେକର ସହଯୋଗ କରନ୍ତି, ଏକାଠି ବାଟ ଚାଲି ସେମାନେ ସେହି ସହଯୋଗକୁ ପ୍ରତି ମୁହୂର୍ତ୍ତରେହିଁ ପ୍ରମାଣିତ କରନ୍ତି । ସମ୍ମାନ ଥାଏ, ଅନୁରାଗ ରହିଥାଏ ମାତ୍ର କର୍ତ୍ତୃତ୍ଵ ନଥାଏ । ଯିଏ ସତକୁସତ କର୍ତ୍ତା,–ସେଇ ପ୍ରତ୍ୟେକ ମଣିଷର ହୃଦୟରେ ବସିଥାନ୍ତି, ବାଟ ଦେଖାଉଥାନ୍ତି, ବ୍ୟକ୍ତିର ମାଧ୍ୟମରେ ଗୋଷ୍ଠୀକୁ ବାଟ ଦେଖାଉଥାନ୍ତି ।

 

୫ । ୬ । ୯୨

 

କାହାରି ମନରେ କଷ୍ଟ ଦେବା କିମ୍ବା କ୍ଷୋଭ ଉପୁଯାଇବା ମୋ’ର ଉଦ୍ଦେଶ୍ୟ ନୁହେଁ ସତ, ମାତ୍ର ସମସ୍ତଙ୍କୁ ସବୁବେଳେ ଖୁସି କରି ରଖିବାକୁ ମଧ୍ୟ ମୁଁ କେବେହେଲେ ମୋ’ ଜୀବନରେ ଏକ କାମ୍ୟ କାର୍ଯ୍ୟରୂପେ ଆଦୌ ଗ୍ରହଣ କରିନାହିଁ । କିଏ ମୋ’ର ଆଚରଣରେ କ୍ଷୁବ୍‌ଧ ହୋଇ ପଡ଼ିଲା ବୋଲି ମୁଁ କେବେହେଲେ ବାହୁନିବାକୁ ମନ କରିନାହିଁ; ଅଥବା ମୋତେ କିଏ ଧକାଟାଏ ମାରି କ୍ଷୋଭ ଦେବାର ଚେଷ୍ଟା କଲା ବୋଲି ମୁଁ ତଦ୍ଦ୍ଵାରା କେବେ ବ୍ୟସ୍ତ ବା ଅବଶ ହୋଇ ପଡ଼ିନାହିଁ ।

 

ଉପରର କଥାରେ ଅଥବା ଆଚରଣରେ ପରସ୍ପରକୁ ଖୁସି କରି ରଖିବା ଲାଗି ଆମେ କଦାପି ପୃଥିବୀକୁ ଆସିନାହୁଁ । ଆମ ଜୀବନ ବଞ୍ଚିବା ତଥା ସମ୍ବନ୍ଧ ଯୋଡ଼ିବାଦ୍ଵାରା ଏଠି ନିଜ ଜୀବନର ଅସଲ ଅନୁଆଗ ଅର୍ଥାତ୍ ପ୍ରେରଣାଗୁଡ଼ିକୁ ଆଗକୁ ନେଇଯିବା ସକାଶେହିଁ ଆମେ ପୃଥିବୀରେ ଜନ୍ମଟିଏ ପାଇଛୁ । ଏହି କାର୍ଯ୍ୟରେ ପରସ୍ପରକୁ ଖୁସି କରି ରଖିବାଦ୍ଵାରା ସେହି ସାହାଯ୍ୟ କରିବା କଦାପି ସମ୍ଭବ ହେବନାହିଁ । ଯାହା ସବାଆଗ ଦରକାର, ତାହା ହେଉଛି ନିଷ୍କପଟ ହେବା । କପଟ ଥିବ, ତଥାପି ଜଣେ ମଣିଷ ଅନୁରାଗରେ ଜୀବନ ବଞ୍ଚିବ, ଏକଥା କେବେହେଲେ ସମ୍ଭବ ହେବନାହିଁ । ନାନା କାରଣ ବଶତଃ ଏହି ପୃଥିବୀରେ କପଟୀ ମଣିଷମାନେ ରହିଛନ୍ତି । ସେମାନଙ୍କ ସହିତ କପଟ କରି ଉପର ମଧୁରିଆ ହେବାକୁ ବସିଲେ ସଂସାରରେ କପଟମାତ୍ରା କଦାପି ଊଣା ହେବନାହିଁ । ତେଣୁ, ନିଜର ନିଷ୍କପଟତାକୁ ଆଗରେ ରଖିହିଁ ବାଟ ଚାଲିବାକୁ ହେବ । ଅନେକ କପଟସଭାରେ ତଦ୍ଦ୍ଵାରା ବାଧ୍ୟ ହୋଇ ବସିବାର ଦୁର୍ଗତିରୁ ଅନ୍ତତଃ ରକ୍ଷା ମିଳିଯାଇ ପାରିବ । କାହାକୁ ଦୁଃଖ ଦେବାର ମତଲବରେ ମୁଁ କାହାକୁ ଦୁଃଖ ଦେବାକୁ କଦାପି ଇଚ୍ଛା କରିନାହିଁ । ଯିଏ ଦୁଃଖ ପାଉଛି, ନିଜର କପଟପାଇଁହିଁ ଦୁଃଖ ପାଉଛି । ସିଏ କପଟ ଛାଡ଼ି ଅନ୍ତରଙ୍ଗତା ମଧ୍ୟକୁ ଆସୁ, ତାହାରିଦ୍ଵାରାହିଁ ସିଏ ନିଜର ମଧ୍ୟ ସର୍ବାଧିକ ସାହାଯ୍ୟ କରିପାରିବ ।

 

୬ । ୬ । ୯୨

 

ଯେଉଁମାନେ ନିଜର କୌଣସି ନିର୍ଦ୍ଦିଷ୍ଟ ବିଚାରକୁ କୁଣ୍ଢାଇ ଧରି ଥାଆନ୍ତି, ବିଚାର ଅନ୍ୟପ୍ରକାର ମଧ୍ୟ ହୋଇପାରିବ ବୋଲି ସଙ୍କେତ ଅଥବା ଆହ୍ଵାନ ପାଇଲେ ସେମାନେ ନିଜଭିତରେ ଭାରି ମର୍ମନ୍ତୁଦ ଭାବରେ ବ୍ୟଥିତ ହୋଇ ପଡ଼ନ୍ତି । ଏବଂ, ଏଥିଲାଗି ଯେ ସେହିମାନେ କଷ୍ଟ ପାଆନ୍ତି, ସେଥିପାଇଁ ସେମାନଙ୍କୁ ନିଜକୁହିଁ ଦାୟୀ କରାଯିବ । ଖୁବ୍‌ସମ୍ଭବ ସେମାନେ ନିଜର ତଥାକଥିତ ବିଚାରଗୁଡ଼ିକୁ ଆଦୌ ଅର୍ଜିନଥାନ୍ତି । ଧାର ଆଣିବାପରି ମାଗି ଆଣିଥାନ୍ତି । କିମ୍ବା, କୌଣସି ଭାବପ୍ରବଣ କାରଣରୁ କୌଣସି ଏକ ନିର୍ଦ୍ଦିଷ୍ଟ ବିଚାରକୁ ନିଜର ବୋଲି କହୁଥାନ୍ତି ।

 

ମୁଁ ସେପରିଭାବେ ନାହିଁ । କାରଣ, ମୋ’ ନିଜର ବିଚାରଗୁଡ଼ିକୁ ମୁଁ କଦାପି ଏକମାତ୍ର ବିଚାର ବୋଲି ଗ୍ରହଣ କରେନାହିଁ । ଅନ୍ୟ କାହାରି ମନରେ ଆଘାତ ଦେବାକୁ ମୁଁ କଦାପି ନିଜର ବିଚାରଗୁଡ଼ିକୁ ଜାହିର କରେନାହିଁ । ଅନ୍ୟମାନଙ୍କର ବିଚାରଗୁଡ଼ିକୁ ଶୁଣିବାଲାଗିହିଁ ମୁଁ ନିଜର ଦ୍ଵାରଗୁଡ଼ିକୁ ସବୁବେଳେ ଖୋଲି ରଖିଥାଏ । ହଁ, ଆପଣାର ବିଚାରକୁ ଗୋଟାସୁଦ୍ଧା ନିଜର ବିଚାର ବୋଲି କହିଲେ ମଧ୍ୟ ମୁଁ ଭାରି ଭୁଲ୍ କରିବି । କେତେ ଥାନରୁ ପ୍ରେରଣା ଏବଂ ସାମଗ୍ରୀ ନେଇ ମୋ’ର ଏହି ବିଚାରଗୁଡ଼ିକ ଗଠିତ ହୋଇ ଆସିଛି ଓ ଏବେ ମଧ୍ୟ ଗଠିତ ହେବାରେ ଲାଗିଛି । ଅନ୍ୟ ସମସ୍ତେ ଏହି କ୍ଷେତ୍ରରେ ମୋତେ ସତତ ସାହାଯ୍ୟ କରି ଆସିଛନ୍ତି, ଏବେ ମଧ୍ୟ କରୁଛନ୍ତି । ବିଚାର ବଦଳୁଚି, ବିଚାର ମଜବୁତ୍ ହେଉଛି; ବିଶ୍ଵାସ ବଦଳୁଛି: ବିଶ୍ଵାସ ମଜବୁତ୍ ହେଉଛି । ଏବଂ, ତହିଁ ସଙ୍ଗେ ସଙ୍ଗେ ଖାଲି ବିଚାର ବା ବିଶ୍ଵାସପ୍ରତି ନୁହେଁ; ଜୀବନ ପ୍ରତି ଏବଂ ଜଗତ୍ ପ୍ରତି ମଧ୍ୟ ଅନୁରାଗ ବଢ଼ୁଛି । ପ୍ରତ୍ୟହ ବନ୍ଧୁଭେଟ ଲାଗିରହିଛି, ବିଚାରଗୁଡ଼ିକ ସହିତ ଭେଟ ହେଉଛି । ସେହି ପ୍ରକ୍ରିୟାଟି ମୋତେ ଅଧିକରୁ ଅଧିକ ସମ୍ପଦବାନ୍ କରିବାରେ ଲାଗିଛି । ମଣିଷମାନେ କାହିଁକି କିମ୍ବା କିପରି ନିଜର କେତେଟା ବଦ୍ଧ ଧାରଣା ଓ ବଦ୍ଧ ବିଶ୍ଵାସକୁ ସିନ୍ଦୁକ ଭିତରେ ପୂରାଇ ତାହାକୁ ନିଜର ବୋଲି ଯେ କହୁଥାନ୍ତି ଓ ମୁହୁର୍ମୁହୁଃ ଆପାତ ପାଇ ମୁହୁର୍ମୁହୁଃ ବ୍ୟଥିତ ହେଉଥାନ୍ତି, ମୁଁ ସେ କଥା ବୁଝି ପାରେନାହିଁ । ଏପରି ଏକ ଅମଜବୁତ୍ ଜୀବନଦୃଷ୍ଟି ଗଢ଼ିଉଠିବା ପଛରେ ନିଶ୍ଚୟ କେତେକ ଏକାନ୍ତ ଭାବରେ ବ୍ୟକ୍ତିଗତ କାରଣ ଅବଶ୍ୟ ରହିଥିବ ।

 

୭ । ୬ । ୯୨

 

କଟକରେ ତଥାକଥିତ ବିଷାକ୍ତ ମଦ ପିଇ ତିନିଶହରୁ ଅଧିକ ମଣିଷ ମୃତ୍ୟୁମୁଖରେ ପଡ଼ିଲେ । ସେମାନେ ମଦକୁ ପିଉ ନଥିଲେ ଯେ ମଦ ସେମାନଙ୍କୁ ପିଇଗଲା । ମଦ ମଣିଷକୁ ପିଇଗଲା ପର୍ଯ୍ୟନ୍ତ ମଣିଷ ଯେ କାହିଁକି ମଦ ପିଏ ଓ ମରେ, କେବଳ ମଦହିଁ ମୋଟେ ତାହାର କାରଣ ନୁହେଁ । ତାହାର କାରଣ ସାମୂହିକ ଜୀବନର ଏକ ସମଗ୍ର ସ୍ଥିତି, ଯାହାକୁ ଏକାଧାରାରେ ଆର୍ଥିକ, ସାମାଜିକ ଓ ଏପରିକି ରାଜନୀତିକ ବୋଲି ମଧ୍ୟ କୁହାଯାଇପାରିବ ।

 

ନିଶା ନିବାରଣକୁ ଆମ ସାମାଜିକ ସଂସ୍କୃତିରେ ପ୍ରଧାନତଃ ଗୋଟିଏ ନୈତିକ ସମସ୍ୟା ବୋଲି କୁହାଯାଇ ଆସିଛି । ଆହୁରି ଅନେକ ସାମାଜିକ ସମସ୍ୟାକୁ ନୀତିକାରମାନେ ଏକ ନୈତିକ ସମସ୍ୟା ବୋଲି ବର୍ଣ୍ଣନା କରିବା ଭାରତପାଇଁ ମୋଟେ କୌଣସି ନୂଆ କଥା ନୁହେଁ । ଅଘଟନ ଦେଖିଲେ, ନିଜର ଆଖିକୁ ସୁନ୍ଦର ବୋଲି ଦେଖା ଯାଉନଥିବା କୌଣସି କିଛିକୁ ଦେଖିଲେ ନାକ ଟେକ ଯାହା କୁହାଯାଏ, ବହୁ ବିଷମତା ସହିତ ଘର କରି ରହିଥିବା ଆମ ସମାଜରେ ସାଧାରଣତଃ ତାହାକୁ ଏକ ନୈତିକ ଘଟନା ବା ସମସ୍ୟା ବୋଲି କୁହାଯାଇପାରିବ । ଛୋଟଲୋକମାନେ ଛୋଟକାମମାନେ କରନ୍ତି ଅଥବା ତଥାକଥିତ ଛୋଟକାମଗୁଡ଼ିକ ମଣିଷକୁ ଛୋଟ କରି ରଖିଥାଏ, ଭାରତୀୟ ହିନ୍ଦୁ ସମାଜକୁ ପୃଷ୍ଠଭୂମିରେ ରଖି ସେହି କଥାଟିର ଏକ ସମ୍ପୂର୍ଣ୍ଣ ବିଚାର ମଧ୍ୟ କରାଯାଇପାରିବ । ମଦ ଖାଇବା ଏହିପରି ଏକ ଛୋଟକାମ । ଏବଂ, ଛୋଟଲୋକମାନେହିଁ ମଦ ପିଅନ୍ତି ବୋଲି ବଡ଼ମାନଙ୍କର ମହଲରେ ଏକ ନୈତିକ ଧାରଣା କାଳକାଳରୁ ରହି ଆସିଛି । ପୁନଶ୍ଚ, ହିସାବ ମଧ୍ୟ କହିଦେଉଛି ଯେ, ଏଥର କଟକରେ ଯେଉଁ ମଣିଷମାନେ ମଦ ପିଇ ମଲେ, ଅନ୍ତତଃ ଆର୍ଥିକ ଦୃଷ୍ଟିରୁ, ସେମାନେ ଆମ ସମାଜର ନିମ୍ନ ବର୍ଗର ମଣିଷ । ସେମାନେ ହୁଏତ ମୂଳତଃ ନାନାଭାବେ ବଞ୍ଚିତ ଓ ବିଡ଼ମ୍ବିତ ହେଉଥିବାରୁ ମଦ ପିଇବାଟାକୁ ନିଜର ଏକ ଅଭ୍ୟାସରେ ପରିଣତ କରି ରଖିଥିଲେ । ସମାଜରେ ବଡ଼ମାନେ ସେହି ଅଭ୍ୟାସରେ ସୁଯୋଗ ନେଇ ସେମାନଙ୍କୁ ଅଧିକ ମଉଜ ଓ ମସ୍ତି ଯୋଗାଇ ଦେବାକୁ ମଦରେ ଆଉ କ’ଣସବୁ ଆଣି ମିଶାଇଦେଲେ । ସେହି ବଡ଼ମାନେ ବଡ଼ ଥାନମାନଙ୍କରେହିଁ ବିରାଜୁଥିବେ, ଏବଂ ନୀତିକାରମାନେ କ’ଣ ତଥାପି ସମାଜର ସମସ୍ୟାଗୁଡ଼ିକର ସମାଧାନ କରିପାରିବେ ?

 

୮ । ୬ । ୯୨

 

ଅହଂବୋଧ (sense of the self) ଆଗକୁ ଯାଇ ସ୍ଵାଭିମାନ ବା ଆତ୍ମବୋଧରେ ପରିଣତ ହୋଇପାରେ ଅଥବା କୌଣସି କାରଣରୁ ଅବାଗିଆ ହୋଇ ଅହଂକାରରେ ମଧ୍ୟ ପରିଣତ ହୋଇପାରେ ।

 

ଅହଂକାରୀ ମଣିଷମାନେ ପୃଥିବୀରେ ଅଧିକ ସଂଖ୍ୟାରେ ରହିଛନ୍ତି ବୋଲି ଆଖିକୁ ଅନେକ ସମୟରେ ମନେ ହୋଇଥାଏ । ଅହଂକାରଟା ମଣିଷର କେନ୍ଦ୍ର ହିସାବରେ ନୁହେଁ, ତା’ର ବହୁ ଅବମାନିତ କେନ୍ଦ୍ରଟି ଉପରେ ଅନେକ ସମୟରେ ଏକ ଘୋଡ଼ଣି ପରି ହୋଇ ରହିଥାଏ । ହିରଣ୍ମୟ ପାତ୍ର ପରି କେଡ଼େ ଚକ୍‍ଚକ୍ ଓ ଟହଟହ ଦେଖା ଯାଉଥାଏ । ସେହି ଚକ୍‍ଚକ୍‍କୁ ନାନାବିଧ ଅନ୍ତଃଉତ୍ତେଜନାର କବଳରେ ପଡ଼ି ଅନେକ ମଣିଷ ପ୍ରକୃତରେ ନିଜର ଅସଲ ସନ୍ତକ ବୋଲି ଧରି ନେଇଥାନ୍ତି । ମଣିଷର ଉତ୍ତେଜିତ ବୁଦ୍ଧିଟା ମଧ୍ୟ ସେଥିପାଇଁ ଆବଶ୍ୟକ ଖାଦ୍ୟ ଯୋଗାଇ ଦେଉଥାଏ-। ସ୍ଵାଭିମାନ ହେଉଛି ମୂଳଭୂତ ଭାବରେ ଏକ ଅନ୍ୟ ପଦାର୍ଥ । ମଣିଷ ହିସାବରେ ଜଣେ ମଣିଷର ଯେଉଁ ଅନ୍ତର୍ଗତ dignity ରହିଛି, ସ୍ଵାଭିମାନ ସେଇଥିରୁ ଜନ୍ମଲାଭ କରିଥାଏ । ସେହି ସ୍ଵାଭିମାନ ଆଦୌ ଉଗ୍ର ହୁଏନାହିଁ । ଆପଣା ଜ୍ୟୋତିଃରେହିଁ ତାହା ଆପଣାକୁ ଦେଖୁଥାଏ ଏବଂ ଆବଶ୍ୟକ ଆତ୍ମଦାନ ତଥା ଆତ୍ମନିର୍ମାଣର ଏକ ସତତ ସଂକଳ୍ପଦ୍ଵାରା ଆପଣାକୁ ଶାଣିତ ଓ ବିକଶିତ କରାଇ ନେବାରେ ଲାଗିଥାଏ । ଅହଂକାର ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ତାହା ବାହାରଟି ସହିତ ପ୍ରାୟ ଦ୍ଵନ୍ଦ୍ଵଜଡ଼ିତ ହୋଇ ରହିଥାଏ । ସ୍ଵାଭିମାନ ବିକାଶ ଲାଭକରି ଏପରି ଏକ ସହଜ ଗୌରବବୋଧ ଅଥଚ ସହଜ ଶ୍ରଦ୍ଧାରେ ପରିଣତ ହୋଇପାରେ ଯାହାକି ଜଣେ ମଣିଷକୁ କୌଣସି ବୃହତ୍ତର ମୂଲ୍ୟ ନିମନ୍ତେ ଜୀବନ ବଞ୍ଚି ଶିଖାଏ । ସେହି ମୂଲ୍ୟଟିର କଳ୍ପିତ ବୃହତ୍ତମ ଛବିଟିକୁ ଭଗବାନ୍ ବୋଲି କୁହାଯାଏ ଓ ଅନୁଭବ କରାଯାଇଥାଏ । ଅସଲ ସ୍ଵାଭିମାନରେ ତଥାପି ବିକୃତ ଭର୍ତ୍ତି କରିଦେଇ ଅନେକ ତାହାକୁ ଅବଶ୍ୟ ଏକ ସାମୂହିକ ଖୋଳ ଭିତରେ ଆଣି ପୂରାଇ ଦେଇଥାନ୍ତି । ସେଥିରେ ଏକାଧିକ ପ୍ରମାଦର ଆଶଙ୍କା ରହିଥାଏ । ଇତିହାସରେ ସେହି ପ୍ରମାଦରୁ ମନୁଷ୍ୟମାନଙ୍କୁ ବହୁତ କିଛି ଭୋଗ କରିବାକୁ ପଡ଼ିଛି । ଏବେ ମଧ୍ୟ କମ୍ କଷଣ ଭୋଗିବାକୁ ପଡ଼ୁ ନାହିଁ ଏବଂ ମନୁଷ୍ୟମାନେ କମ୍ କଷଣର କାରଣ ହେଉନାହାନ୍ତି ।

 

୯ । ୬ । ୯୨

 

ଜଣେ ପ୍ରେମିକାର ଯେଉଁ ସ୍ଵାଭିମାନ ସ୍ଵତଃ ତା’ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ତା’ର ପ୍ରଧାନତମ ପ୍ରେରିକାଶକ୍ତି ହୋଇ ରହିଥାଏ, ସ୍ଵାଭିମାନ କହିଲେ ଅନ୍ତତଃ ନିଜ ଜୀବନରେ ମୁଁ ସେହିକଥା ବୁଝିଥାଏ । ଜଗତ୍‍ରେ ସମସ୍ତେ ଗୋଟାଇସାଉଁଟି ଲଣ୍ଡା କରି ନେଇ ଯାଉଥିବାକୁହିଁ ରୀତି ବୋଲି ଆଚରୁଥିଲେ ମଧ୍ୟ ମୁଁ କେଉଁଠି ନା କେଉଁଠି ଆପଣାକୁ ଦେଇପାରୁଛି, ଯାହାରିପାଇଁ ବା କୌଣସିଟିଏ ପାଇଁ ନିଜର ଜୀବନକୁ ବଞ୍ଚି ପାରୁଛି, କାହାର ହୋଇଯାଇ ପାରିଛି ଏବଂ ସେହି ହୋଇଯାଇ ପାରିବାର ସମଗ୍ର ନେତ୍ରଟିଏରେ ମୁଁ ସଂସାରକୁ ଦେଖୁଛି, ତାହାହିଁ ମୋ’ ସ୍ଵାଭିମାନର ସର୍ବପ୍ରଧାନ ଗୌରବ । ତୁମେ ମୋତେ ଯେତେ ଯାହା ଅନ୍ୟପ୍ରକାରେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ମୁଁ ତୁମ କଥାରେ ଭୁଲିଯିବାକୁ ମୋଟେ ସମ୍ମତ ହେବିନାହିଁ । ଭିତରେ ତଦନୁରୂପ ଏକ ସ୍ଵାଭିମାନ ସତେଅବା ମେରୁଦଣ୍ଡ ପରି କାର୍ଯ୍ୟ କରୁଥିଲେ ଯାଇ ଜୀବନରେ ସେ କଥା ସମ୍ଭବ ହୁଏ ।

 

ନିଜର ଦେଶପାଇଁ, ନିଜର ଧର୍ମପାଇଁ, ନିଜର ଆଦର୍ଶପାଇଁ ମଧ୍ୟ ମଣିଷର ଅବଶ୍ୟ ଏକ ସ୍ଵାଭିମାନ ଥାଇପାରେ । ମାତ୍ର, ସବାମୂଳରେ ସେହି ହୋଇଯାଇ ପାରିବାର ଅସଲ ଆବେଦନଟି ନିତାନ୍ତ ରହିଥିବା ଦରକାର । ମୁଁ ତ କହିବି, ନିଜ ସ୍ଵାଭିମାନକୁ ଏକ ଆଧ୍ୟାତ୍ମିକ ଭୂମିକୁ ଉତ୍ତୋଳିତ କରି ନେଇପାରିଲେ ଯାଇ ଏହିସବୁ ଯାବତୀୟ ସଂପ୍ରସାରଣ ଯଥାର୍ଥରେ ପ୍ରମାଦଶୂନ୍ୟ ହୋଇପାରେ । ପ୍ରତ୍ୟେକ ମନୁଷ୍ୟ ଭିତରେ ଯେଉଁ ଅଧ୍ୟାତ୍ମସତ୍ତାଟି ପ୍ରଧାନତଃ ନିଜକୁ ଏହିସବୁଟି ସହିତ ସମ୍ମିଳିତ କରି ରଖିବାକୁହିଁ ଆପଣାର ଧର୍ମରୂପେ ସ୍ଵୀକାର କରି ନେଇଥାଏ ଏବଂ ସେହି ଅନୁସାରେ ବିଶ୍ଵ ସହିତ ସଂଯୋଗ ଖୋଜୁଥାଏ, ସେହିଠାରେ ପ୍ରତ୍ୟେକ ମନୁଷ୍ୟ ଉପଯୁକ୍ତ ଭାବରେ ରାଜି ହୋଇ ପାରିଲେ ଯାଇ ତାହା ସମ୍ଭବ ହୁଏ । ତା’ ନହେଲେ ଦେଶକୁ, ଧର୍ମକୁ ଓ ଆଦର୍ଶକୁ ବଞ୍ଚିବାର ଆଳରେ କେତେ କେତେ ପ୍ରମାଦ ଆସି ପହଞ୍ଚେ । ପୃଥିବୀର ଅଧିକାଂଶ କ୍ଷେତ୍ରରେ ସେହି ପ୍ରମାଦଗୁଡ଼ିକୁହିଁ ମନୁଷ୍ୟମାନଙ୍କର ପଥକୁ ନାନା ଉତ୍ତେଜନାରେ ଉତ୍ତେଜିତ କରି ରଖିଛି ଏବଂ ମନୁଷ୍ୟମାନଙ୍କୁ ବିଭ୍ରାନ୍ତ କରି ରଖିଛି । ଅହଂକାରହିଁ ସ୍ଵାଭିମାନର ବେଶ ପିନ୍ଧି ପୃଥିବୀରେ ବର ହୋଇ ବାହାରିବାକୁ ମନ କରୁଛି ।

 

୧୦ । ୬ । ୯୨

 

‘ରୋହିତର ଡାଏରୀ’ର କୌଣସି ଗୋଟିଏ ଖଣ୍ଡପାଇଁ ପୁରୁଣା ଡାଏରୀଖାତାଗୁଡ଼ିକରୁ ଏବେ ମୁଁ ପାଣ୍ଡୁଲିପି ଉତାରୁଛି । କେବଳ ଅତୀତର କଥାଗୁଡ଼ିକ ଯେ ମନେ ପଡ଼ିଯାଉଛି, ସେତିକି ନୁହେଁ, ଧାଡ଼ିଗୁଡ଼ିକୁ ପଢ଼ି ଉତାରୁଥିବା ସମୟରେ ସତେଅବା ଜଣେ ସାଥୀର ଦର୍ଶନ ମିଳିଯାଉଛି । ସେହି ସାଥୀ ସେତେବେଳେ ଯେପରି ରହିଥିଲା, ବର୍ତ୍ତମାନ କେବଳ ସେହିଭଳି ହୋଇ ଆଦୌ ନାହିଁ । ତଥାପି ଏକ ସାଧର୍ମ୍ୟର ସତ୍ର ସ୍ପଷ୍ଟ ଭାବରେ ଲାଗିରହିଛି ।

 

ଏହିପରି ଗୋଟିଏ ସାଧର୍ମ୍ୟର ସୂତ୍ର ପ୍ରତ୍ୟେକ ମନୁଷ୍ୟକୁ ତା’ ଅତୀତ ସହିତ ବର୍ତ୍ତମାନ ଲଗାଏତ ତା’ର ଭବିଷ୍ୟତ୍ ସହିତ ଯୋଡ଼ିକରି ରଖିଥାଏ । ଅନେକ ମଣିଷ କେଉଁଠାରେ କ’ଣ ବାଉଳା ହୋଇ ଯାଇଥାନ୍ତି କେଜାଣି, ଯାବତୀୟ ବାଟ ଚାଲିବାର ଅନ୍ତରାଳରେ ଏହିପରି ସୂତ୍ରଟିଏ ସେମାନଙ୍କୁ ଜୀବନର ଅସଲ ତାତ୍ପର୍ଯ୍ୟଗୁଡ଼ିକୁ ଆଣି ଅନୁଭୂତ କରାଇବାରେ ସବୁଠାରୁ ଅଧିକ ପରିମାଣରେ ସାହାଯ୍ୟ କରୁଥାଏ ବୋଲି ପ୍ରାୟ ଭୁଲି ଯାଇଥାନ୍ତି । ସେମାନେ ହୁଏତ ଅତ୍ୟନ୍ତ ଅସଂପୃକ୍ତ ଭାବରେ ମୁହୂର୍ତ୍ତପରେ ମୁହୂର୍ତ୍ତ ହୋଇ ବଞ୍ଚୁଥାନ୍ତି । ତୁଚ୍ଛା ଖାପ ଖାଇ ଯାଉଥାଆନ୍ତି । ଖାପ ଖାଇଯିବାକୁହିଁ ନିଜ ଜୀବନର ପରମ ଉପଭୋଗ୍ୟ ଆଦର୍ଶ ବୋଲି ଗ୍ରହଣ କରି ନେଉଥିବା ମଣିଷ ତା’ ଭିତରେ ସାଧର୍ମ୍ୟକୁ ଉପଲବ୍‌ଧି କରିବାର ଅଭିଳାଷଟିଏ ରହିଛି ବୋଲି ହୁଏତ ଖିଆଲବି କରିପାରେନାହିଁ । ବାହାରର ତାତ୍‍କାଳିକ ସଫଳତା ଓ ବଣିଜଗୁଡ଼ାକର ପ୍ରକୋପଦ୍ଵାରା ସେହି ଅଭିଳାଷଟି ଏକାନ୍ତ ହାତଛଡ଼ା ହୋଇ ରହିଯାଇଥାଏ । ତେଣୁ, ଖୁବ୍ କୋଳାହଳରେ ଜୀବନ ଚାଲେ, ଭିତର ଆଡ଼କୁ କାନ ଡେରିଲେ ସତେଅବା ଖାଲି ଘୋ’ ଘୋ’ ଶୁଭୁଥାଏ, ଜୀବନଟା ସତେଅବା ଦଉଡ଼ୁଥିବା ପରି ମନେ ହେଉଥାଏ । ମାତ୍ର ଏହିସବୁ ଦଉଡ଼ କାହିଁକି ଲାଗିଥାଏ କେଜାଣି ? କାହିଁକି ବୋଲି ପଚାରିଲେହିଁ ଚିରାଚରିତ ଜୀବନରେ ଯାବତୀୟ ପ୍ରମାଦରୁ ଉକୁ ହୁଏ । ପ୍ରମାଦ ସତ୍ତ୍ୱେ ତଥାପି ପଚାରିବାକୁ ହୁଏ ଏବଂ ଅଧାବାଟର ସର୍ବବିଧ ଅର୍ଦ୍ଧସତ୍ୟକୁ ଛାଡ଼ି ସାଧର୍ମ୍ୟ ପାଖରେ ଆସି ପହଞ୍ଚିବାକୁ ପଡ଼େ । ନହେଲେ ଭିତରେ ସେ ରମଣୀମାନେ ଅପୂରା ରହିଯାଆନ୍ତି ଏବଂ ସେହି ଅପୂରା ରହିବାର ଦୁଃଖରୁ ଜନ୍ମଲାଭ କରିଥିବା ନାନାବିଧ ଦୁଷ୍ଟତା ଜୀବନ ଉପରେ ସଇସ ହୋଇ ବସିଥାନ୍ତି ।

 

୧୧ । ୬ । ୯୨

 

ପଳାଇବାକୁ ମୋତେ କୌଣସି ଆଦେଶ ନାହିଁ । ଜୀବନରେ ଗୁରୁ ବୋଲି ଗ୍ରହଣ କରି ଯେଉଁମାନଙ୍କ ପାଖରେ ନାନା ପାହାଚରେ ମୁଁ ଅଟକି ଯାଇଛି ଓ ଯେଉଁମାନଙ୍କୁ ମୁଁ ନିରନ୍ତର ମୋ’ ଉତ୍ସାହଯାତ୍ରାର ଅନ୍ତରଙ୍ଗତମ ସାଥୀରୂପେ ସ୍ଵୀକାର କରୁଛି, ସେମାନେ କେହି ଏହି ଜଗତ୍‍ରୁ ପଳାଇ ଯାଇନାହାନ୍ତି । ତେନେଦଂ ବର୍ତ୍ତତେ ଜଗତ୍ ।

 

ପଳାଇ ଯିବାର ପଚାଶ ବାଟ ସମ୍ମୁଖରେ ସର୍ବଦା ମହଜୁଦ ରହିଛି । ବିଶେଷତଃ ଭାରତବର୍ଷ ଭଳି ଗୋଟିଏ ଦେଶରେ ପଳାଇ ଯିବାର ପ୍ରଲୋଭନଟିହିଁ ଅନ୍ୟ ଯେକୌଣସି ଆକର୍ଷଣଠାରୁ ଅଧିକ ଶକ୍ତିଶାଳୀ । ଅଧିକ ଜାଣିଥିବା ଲୋକମାନେ କାଳେ କାଳେ ଏଠି ମାୟା-ସଂସାରର ମାୟା ଭିତରୁ ଆପଣାକୁ ଅସଂଲଗ୍ନ କରି ରଖିଛନ୍ତି । ସଂସାର ଭିତରେ ରହିଛନ୍ତି, ସମ୍ପୂର୍ଣ୍ଣ ଜ୍ଞାନବନ୍ତ ଭାବରେ ଏହି ସଂସାରଟିକୁ ଭୋଗ କରୁଛନ୍ତି; ତଥାପି ମାୟାର ଏତେଟିକିଏ କାଦୁଅ ଯେପରି ସେମାନଙ୍କର ଦେହରେ ନଲାଗେ, ସେଥିଲାଗି ସର୍ବଦା ଯତ୍ନବାନ ରହିଛନ୍ତି । ସାହିତ୍ୟ, ସଙ୍ଗୀତ, କଳା ଓ ତଥାକଥିତ ସଂସ୍କୃତି ମଧ୍ୟ ଭାରତବର୍ଷରେ ପଳାଇ ଯିବାକୁହିଁ ଅଧିକ ପ୍ରଲୋଭନଯୁକ୍ତ କରି ରଖିବାର ଚେଷ୍ଟା କରି ଆସିଛି । ମୁଁ ସେହି ପ୍ରଲୋଭନ ଭିତରେ ମୋଟେ ନାହିଁ-। ପ୍ରଥମତଃ ଏହି ଦୃଷ୍ଟିରୁ ମୋ’ ଗୁରୁମାନଙ୍କ ପାଖରେ ମୁଁ ସର୍ବଦା କୃତଜ୍ଞ ହୋଇ ରହିବି । ଅଜ୍ଞାନ ଭିତରେହିଁ ଜ୍ଞାନର ଅସଲ ଯାହାସବୁ ପରୀକ୍ଷା ହେବ । ଚାରିପାଖରେ ଲାଗି ରହିଥିବା ବିକ୍ଷୋଭଗୁଡ଼ିକ ଭିତରେହିଁ ଆମର ଯାବତୀୟ ମୂଲ୍ୟବୋଧ ଏବଂ ଆଦର୍ଶର ଅସଲ ପରୀକ୍ଷା ହେବ-। ଯାବତୀୟ ଉତ୍ତେଜନା ସତ୍ତ୍ୱେ ତଥାପି ଅନୁରାଗର ପଟେ ରହିବା, ଯାବତୀୟ ଅସ୍ଵୀକୃତି ସତ୍ତ୍ୱେ ତଥାପି ସ୍ଵୀକୃତିର ପଟେ ରହିବା ଏବଂ ସେହି ଅନୁସାରେ ଆପଣାର ଅନ୍ତର୍ଗତତମ ଦାୟିତ୍ଵଗୁଡ଼ିକୁ ବାଛିନେବା ଓ ବରଣ କରିନେବା,–ମୋତେ ଏହି ବାଟଟିହିଁ ସବୁଠାରୁ ଅଧିକ ଆକର୍ଷଣ କରିଛି, ବିକାଶ ଲାଭ କରିବାପାଇଁ ମୋ’ ଭିତରେ ସମ୍ମତ ହୋଇଥିବା ଉପାଦାନଗୁଡ଼ିକୁ ସବୁଠାରୁ ଅଧିକ ଖାଦ୍ୟ ଯୋଗାଇ ଆସିଛି । ମୋ’ର ପ୍ରଭୁ ସବାଆଗ ମୋ’ ଭିତରେ, ତା’ପରେ ଏହି ପୃଥିବୀରେ, ତା’ପରେ ଯାଇ ପୃଥିବୀର ବାହାରେ, ତାଙ୍କ ପାଖକୁ ମୁଁ ଏହି ପୃଥିବୀରୁହିଁ ପାହାଚ ପକାଇ ପକାଇ ଏଯାଏଁ ଆସିଛି । ମୁଁ ଆଗକୁ ଚାଲିଛି, ମାତ୍ର ପୃଥିବୀ ମୋଟେ ସରୁନାହିଁ । ତେଣୁ, ପୃଥିବୀରୁ ପଳାଇ ଯିବାର ପ୍ରଶ୍ନ ବା ଆସିବ କୁଆଡ଼ୁ ?

 

୧୮ । ୬ । ୯୨

 

ମହାପୁରୁଷମାନଙ୍କର ଅନୁଗାମୀମାନେ ମହାପୁରୁଷମାନଙ୍କୁ ଭାରି ସାନ କରି ପକାଇଛନ୍ତି । ସେମାନଙ୍କର ଯଥାର୍ଥ ଛବିଟିକୁ ଏମାନେ ବିକୃତ କରି ପକାଇଛନ୍ତି । ମନ୍ଦିର ତୋଳିବାରେ ଏବଂ ସମ୍ପ୍ରଦାୟ ଗଢ଼ିବାର ଉତ୍ସାହରେ ସେମାନେ ଅସଲ ପ୍ରେରଣା ଏବଂ ଅସଲ ଆହ୍ଵାନକୁ ସତେଅବା ଗୌଣ ଏବଂ ଅନ୍ତରାଳ କରି ରଖିଛନ୍ତି । ଚେଲାମାନେହିଁ ଯାବତୀୟ ସଂସ୍ଥାପନାର ଗୁଡ଼ିକୁ ଜିତି ନିଜର ଅଧୀନ କରି ରଖିଛନ୍ତି । ଇଏ ହେଉଛି ଏକାବେଳେକେ ଏକ ଅନ୍ୟ ଉତ୍ସାହ । ସେହି ଉତ୍ସାହରେ ଅସଲ ଉତ୍ସଗୁଡ଼ିକୁ ସତେଅବା ପୋତିହୋଇ ଯାଇଛି । ସଂସାରଟା ଭାରି ଦରିଦ୍ର ହୋଇ ପଡ଼ିରହିଛି ।

 

ଏହି ପରିସ୍ଥିତିରେ ମହାପୁରୁଷମାନେ ଲେଖି ଯାଇଥିବା ଶାସ୍ତ୍ରଗୁଡ଼ିକୁହିଁ ସେମାନଙ୍କର ଏକମାତ୍ର ପ୍ରାମାଣିକ ଦାୟାଦ ବୋଲି କୁହାଯାଇପାରିବ । ଶାସ୍ତ୍ରଗୁଡ଼ିକୁହିଁ ପ୍ରେରଣାଗୁଡ଼ିକୁ ଯଥାର୍ଥ ଏବଂ ଅବିକୃତ ଭାବରେ ଜିଆଇ ରଖିପାରିବେ । ଭବିଷ୍ୟତ୍ ଲାଗି ଏକ ସର୍ବଦା-ଉପଲବ୍‌ଧ ସମ୍ପଦରେ ପରିଣତ କରି ରଖିବେ । ସମ୍ପ୍ରଦାୟମାନେ ଆର୍ତ୍ତ ଭକ୍ତମାନେ ଆଉ ଯାହାକିଛି କରନ୍ତୁ ପଛକେ, ଅନ୍ତତଃ ଶାସ୍ତ୍ରଗୁଡ଼ିକୁ ବିକୃତ କରିଦେଇ ପାରିବେନାହିଁ । ମହାପୁରୁଷମାନଙ୍କୁ ପୂଜୁଥିବା ଓ ସେମାନଙ୍କ ନାମରେ ସମ୍ପ୍ରଦାୟରୁ ବାଡ଼ମାନ ବସାଇ ରଖିଥିବା ଭକ୍ତମାନେ ସମ୍ଭବତଃ ସେଇଥିଲାଗିହିଁ ଶାସ୍ତ୍ରଗୁଡ଼ିକୁ ମଧ୍ୟ ଗାଦିରେ ଗଦା କରି ରଖି ପୂଜା କରିବାକୁହିଁ ଅଧିକ ବ୍ୟଗ୍ରତା ପ୍ରକାଶ କରି ଆସିଛନ୍ତି । ଶାସ୍ତ୍ରରେ ଯାହାସବୁ ଲେଖାହୋଇ ରହିଛି, ସେମାନେ ସେଗୁଡ଼ିକ ଭିତରେ ସତକୁସତ ପ୍ରବେଶ କରିବାଲାଗି ଅନେକ ସମୟରେ କୁଣ୍ଠା ପ୍ରକାଶ କରିଛନ୍ତି । ତଥାପି, ଏପରି ବ୍ୟକ୍ତି ବହୁତ ଦରକାର ଯେଉଁମାନେ ଯାବତୀୟ ଗାଦି ଓ ମନ୍ଦିରର ମୋହ ଭିତରୁ ଶାସ୍ତ୍ରଗୁଡ଼ିକୁ ଉଦ୍ଧାର କରିବାକୁ ସାହସ କରିପାରୁଥିବେ, ଯେଉଁମାନେ କି ପ୍ରେରଣାଟିଏ ବା ଆହ୍ଵାନଟିଏ ପୁଞ୍ଜି କରି ବାଟ ଚାଲିବାକୁ ମନ କରୁଥିବେ । ଯେଉଁମାନେ ଭଗବାନ୍‍ଙ୍କୁ ପିତୁଳାଟିଏ କରି ବସାଇ ଦେବାକୁ ସର୍ବପ୍ରଥମ କର୍ତ୍ତବ୍ୟ ବୋଲି ମନ କଲେ ସମ୍ଭବତଃ କାଳକ୍ରମେ ସେହିମାନେହିଁ ଭଗବାନ୍‍ଙ୍କ ନାମରେ ନାନା ଅତ୍ୟାଚାର ଏବଂ ସନ୍ତ୍ରାସବାଦ ଆଡ଼କୁ ବାଟ କଢ଼ାଇ ଆଣିଲେ । ପ୍ରେରଣାଗୁଡ଼ିକୁ ବିଗାଡ଼ିଦେଲେ, ଆହ୍ଵାନଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବିକୃତ କରି ପକାଇଲେ ।

 

୧୯ । ୬ । ୯୨

 

ମହାପୁରୁଷମାନଙ୍କର ପ୍ରେରଣାକୁ ଯଥାର୍ଥଭାବେ ଗ୍ରହଣ କରିବାକୁ ହେଲେ ଆମକୁ ସେମାନଙ୍କର ରଚନା ବା ବାଣୀ ମଧ୍ୟକୁ ଯିବାକୁ ପଡ଼ିବ, ଅର୍ଥାତ୍ ସେମାନଙ୍କର ବିଚାର ତଥା vision ମଧ୍ୟରେ ପ୍ରବେଶ କରିବାକୁ ପଡ଼ିବ । ସେମାନଙ୍କର ଚେଲାମାନେ ଯେଉଁସବୁ ପ୍ରଦର୍ଶନ ମାଧ୍ୟମରେ ମହାପୁରୁଷମାନଙ୍କୁ ଉପସ୍ଥାପିତ କରାଇବାରେ ବରାଦମାନ କରିଛନ୍ତି ଓ କରୁଛନ୍ତି, ସେଠାରେ ଅଟକିଗଲେ ଆମେ ଭ୍ରମ ଭିତରେହିଁ ରହିଯିବା । ମାର୍ଗଟିଏ, ସମ୍ପ୍ରଦାୟଟିଏ, ମଠଟିଏ ବା ପୀଠଟିଏ ଗଢ଼ାହେବାର ଅତ୍ୟୁତ୍ସାହରେ ପଡ଼ି ଚେଲାମାନେ ଅସଲ ପ୍ରେରଣାଗୁଡ଼ିକୁ ବହୁପ୍ରକାରେ ବିକୃତ କରି ଦେଇଛନ୍ତି ଏବଂ ପୃଥିବୀ ଯେଉଁଠାରେ ଅଛି, ତାହାକୁ ଆପଣାର ଅନେକାନେକ ସ୍ଵାର୍ଥର ସିଦ୍ଧି ଲାଗି ସେହିଠାରେହିଁ ହାତଗୋଡ଼ ଛନ୍ଦି ରଖି ଦେଇଛନ୍ତି । ଧର୍ମର ଇତିହାସ, ବିଚାରର ଇତିହାସ, ଦର୍ଶନର ଇତିହାସ ପ୍ରଧାନତଃ ସେହି ଦୁଃଖଦ ଓ ନୈରାଶ୍ୟକାରୀ କାହାଣୀର ସାକ୍ଷୀ ହୋଇ ରହିଛି ।

 

ଯେଉଁମାନେ ଯିଶୁଖ୍ରୀଷ୍ଟଙ୍କୁ ଗୋଟାଏ ନିର୍ଦ୍ଦିଷ୍ଟ ଧର୍ମର ଥାପନାପାଇଁ ବ୍ୟବହାର କଲେ, ସେମାନେ ତାଙ୍କୁ ଅତ୍ୟନ୍ତ ଶୀତଳ କରି ପକାଇଲେ । ତେଣୁ, ସତ୍ୟକୁ ଢାଙ୍କୁଣି ଦେଇ ରଖିଲେ । ସେହି ଧର୍ମର ଚାରିବାଡ଼ ଭିତରେ କ୍ଵଚିତ୍ ଜଣେ ବା ଦେଢ଼ଜଣ ଆଲବର୍ଟ ସ୍ଵାଇତ୍‍ଜର୍ ହୁଏତ ବାହାରିଲେ, ଯେଉଁମାନେ ସିଧା ଈଶ୍ଵରପ୍ରେରଣା ସହିତ ଏକ ଖିଅ ଲଗାଇବାକୁ ପ୍ରୟାସ କଲେ । ଇହୁଦୀ ଧର୍ମରେ ସେହିପରି ମାର୍ଟିନ ବୁବର୍‍ଙ୍କୁ ଆମେ ଜଣେ ପ୍ରତିନିଧିରୂପେ ଗ୍ରହଣ କରିପାରିବା । ହିନ୍ଦୁଧର୍ମର ଘରଟା ତ ଏହି ଚକ୍ରାନ୍ତର ପ୍ରତିଯୋଗୀତାରେ କେତେ ବିବଦମାନ ମଠ ଓ ସମ୍ପ୍ରଦାୟରେ ବିଭକ୍ତ ହୋଇଗଲା । ଶ୍ରୀ ଅରବିନ୍ଦଙ୍କର କ୍ଷେତ୍ରରେ ମଧ୍ୟ ମୋ’ର ଠିକ୍ ସେହିକଥା ମନେ ପଡ଼ୁଛି । ଏକ ସମ୍ବଳ ପରିବର୍ତ୍ତନ ଅର୍ଥାତ୍ ଉତ୍‌କ୍ରମଣର ଗୋଟିଏ ଆଧ୍ୟାତ୍ମିକ ଯୋଜନାକୁ ଚତୁରସେଣମାନେ କେତେ ଚମତ୍କାର ଭାବରେ ଠାକୁରିଆ କରି ରଖିବାର ପ୍ରୟାସମାନ କରୁଛନ୍ତି । ଚେତନାର ସନ୍ଧାନ କରି ଓ ଚେତନାରେ ପାହାଚ ଉଠି ବାହାରିଥିବା ମଣିଷଟିକୁ ତାହା କେଡ଼େ ହାସ୍ୟାସ୍ପଦ ମନେ ହେଉନଥିବ !

 

୨୦ । ୬ । ୯୨

 

ଜୀବନରେ ବିରକ୍ତ ହୋଇ ଅନେକ ସାହିତ୍ୟ ଭିତରେ ପ୍ରବେଶ କରିଥାନ୍ତି ଏବଂ ସାହିତ୍ୟକୁ ଜୀବନର ସବୁକିଛି ବୋଲି କହନ୍ତି । ସାହିତ୍ୟ ନାଁରେ ସଭାମାନଙ୍କରେ ସେମାନେ କେତେ ନାଚନ୍ତି । ସାହିତ୍ୟର ଘରଟିକୁ ଭାରି ଅସୁନ୍ଦର କରି ପକାନ୍ତି । ଉପରେ ନାଚ ଲାଗି ରହିଥାଏ ।

 

ଭାରତବର୍ଷର ସାମୂହିକ ଜୀବନ ଅତ୍ୟନ୍ତ ବିପର୍ଯ୍ୟୟ ହୋଇ ରହି ଆସିଛି । ସମ୍ଭବତଃ ଆବହମାନ କାଳରୁହିଁ ତାହା ଅଳ୍ପବହୁତ ଏହିପରି ରହିଆସିଛି । ଥୋକେ ମଣିଷ, ଯେଉଁମାନେ ସେହି ସ୍ଥିତିଗୁଡ଼ିକର ସମ୍ମୁଖୀନ ହୋଇପାରି ନାହାନ୍ତି ଅଥବା ଏପରିକି ଆସ୍ଥାନ ଏବଂ ସମ୍ପର୍କଗୁଡ଼ିକୁ ଅବର୍ଜିଆ କରି ରଖିବାରେ ସାହାଯ୍ୟବି କରିଛନ୍ତି, ସେମାନେ ଶୁଦ୍ଧ ସାହିତ୍ୟ କରିଛନ୍ତି । ଏବେ ସେହିମାନେହିଁ ସତେଅବା ଆହୁରି ଅଧିକ ଉତ୍କଟ ହୋଇ ଉଠିଛନ୍ତି । ସେହି ମନୁଷ୍ୟମାନେ କ୍ଷମତାରେ ଅଛନ୍ତି, ରାଜନୀତିରେ ରହିଛନ୍ତି ଏବଂ ନିପଟ ସ୍ଵାର୍ଥଗତ ନାନା ଅଭିସନ୍ଧି ଭିତରେ ରହିଛନ୍ତି । ସେମାନଙ୍କର କ୍ଷମତା, ରାଜନୀତି ଏବଂ ସ୍ଵାର୍ଥାନ୍ଵେଷୀ ଯାବତୀୟ ଧାବନ ଏହି ଦେଶର ପ୍ରାୟ କୌଣସି କଲ୍ୟାଣ କରିପାରୁନାହିଁ । ହୁଏତ କିଞ୍ଚିତ୍ ଦୟାପ୍ରଦର୍ଶନଦ୍ଵାରା ଯାହାକିଛି ହେଉଛି; ମାତ୍ର ମନୁଷ୍ୟକୁ, ତା’ର ଯଥାଯୋଗ୍ୟ ଆସନରେ ନେଇ ବସାଇବା କହିଲେ ଯେଉଁ ଏକ ଅନ୍ୟ ପ୍ରକାରର social systemଟିକୁ ବୁଝାଏ, ସେମାନେ ସେହି system ଲାଗି ଏକ ସମୁଚିତ ମୂଳଦୁଆ ପକାଇବାରେ ପ୍ରାୟ କିଛିହେଲେ କରିପାରୁନାହାନ୍ତି । ଅସମର୍ଥମାନେ ସତେଅବା ଏକ କ୍ଷତିପୂରଣ ଲାଗି ଅତ୍ୟନ୍ତ ଭାବପ୍ରମତ୍ତ ଭାବରେ ସାହିତ୍ୟ ଭିତରେ ଯାଇ ପଶୁଛନ୍ତି । ସାହିତ୍ୟକୁ ଜୀବନଠାରୁ ଅଲଗା ବୋଲି ବାକ୍‌ଡ଼ିଣ୍ଡିମ ବଜାଇ ସେମାନେ ମଣିଷମାନଙ୍କୁ ଅନ୍ୟମନସ୍କ କରି ରଖିବାକୁ ଭାରି ଚେଷ୍ଟା କରୁଛନ୍ତି । ଏବେ ସାହିତ୍ୟ ମଧ୍ୟ ସେହି ଲଟାରେ ପଶି ଏପରି ଅସମର୍ଥ ହୋଇ ପଡ଼ିଲାଣି ଯେ, କ୍ଷମତାସୀନମାନଙ୍କୁ, ଏକ ଅସାମାଜିକ ସାମୂହିକତାର ଶ୍ରେଷ୍ଠୀମାନଙ୍କୁ ସିଂହାସନରେ ଆଣି ନବସାଇଲେ ପ୍ରାୟ ଆଉ କିଛିହେଲେ କରିପାରୁନାହିଁ । ସାହସମାନେ ହତବାକ୍ ହୋଇ ଅନାଇଛନ୍ତି । ଏବଂ ଜମ୍ବୁକମାନେ କେଡ଼େ ଉଲ୍ଲାସରେ ପୁଚ୍ଛକୁ ମୁକୁଟ କରି ନାଚିବାରେ ଲାଗିଛନ୍ତି ।

 

୨୪ । ୬ । ୯୨

 

ପ୍ରତ୍ୟେକ ମଣିଷ ଭିତରେ ଏପରି ଗୋଟାଏ ଅନ୍ୟମଣିଷ ରହିଛି, ଯିଏକି ତାକୁ ସର୍ବଦା କେବଳ ନିଜକାମୀ କରି ରଖିଥାଏ । ଆମେ ଅନେକ ଅର୍ଥରେ ତାହାକୁହିଁ ତା’ର ପ୍ରତିକୂଳ ଶକ୍ତି ବୋଲି କହିପାରିବା । ସେହି ପ୍ରତିକୂଳ ଶକ୍ତି ଏକ ଜନ୍ମଜାତ ପଦାର୍ଥ ଆଦୌ ନୁହେଁ; ତାହା ଏପରି ଏକ ପଥରମୁଣ୍ଡା ଆଦୌ ନୁହେଁ, ଯାହାକୁ ବୋହିବା ଲାଗି ମଣିଷ ପୃଥିବୀରେ ଯେଉଁ ଅପଭଗବାନ୍‍ର ଅଭିଶାପ ପାଇ ଘୋଷାରି ହେବାରେ ଲାଗିଛି । ପ୍ରତିକୂଳ ଶକ୍ତି ମଣିଷର ତା’ ନିଜ ତିଆରି । ପିଲାଟି ଦିନରୁ ସିଏ ନିଜ ଭିତରକୁ ସ୍ଵୀକାର କରି ଆଣିଥିବା ତା’ର ଯାବତୀୟ ମିଛ ବନ୍ଧୁ,–ତା’ର ଭୟ, ତା’ର ବାଦ, ମହିମଣ୍ଡଳରେ କେବଳ ଏକା ତିଷ୍ଠି ରହିବା ଲାଗି ତା’ର କାମନା, ତା’ର ଅହଂକାର,–ଏହି ସବୁକିଛି ଏକତ୍ର ମିଶି ତା’ର ପ୍ରତିକୂଳ ଶକ୍ତିକୁ ଜନ୍ମ ଦେଇଛନ୍ତି ଏବଂ ମଣିଷ ଭିତରେ ତା’ପାଇଁ ଜଣେ ଥାନ ମଧ୍ୟ ଛାଡ଼ି ଦେଇଛନ୍ତି ।

 

ଜଣେ ମଣିଷ ଯେ ସକଳ ପରିସ୍ଥିତିରେ ପ୍ରତିକୂଳ ଶକ୍ତିର ଚାପ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ, ସେ କଥା ଆଦୌ ନୁହେଁ । ପ୍ରତିକୂଳ ଶକ୍ତି ଜଣେ ମଣିଷର ଅସଲ ଶକ୍ତିଗୁଡ଼ିକ ଠାରୁ କଦାପି ଅଧିକ ଶକ୍ତିଶାଳୀ ନୁହନ୍ତି । ତେଣୁ, ସେ ନିଜର ପ୍ରତିକୂଳ ଶକ୍ତିଗୁଡ଼ିକୁ ଏକ ଆହ୍ଵାନରୂପେ ମଧ୍ୟ ଗ୍ରହଣ କରିପାରିବ ଓ ସେଗୁଡ଼ିକୁ ମୁକାବିଲା ମଧ୍ୟ କରିପାରିବ । ଅନେକ ସମୟରେ ଏହି ମୁକାବିଲା କରିବାହିଁ ଜୀବନରେ ପାହାଚ ଉଠିବାର କାରଣ ହୋଇଥାଏ । ମାତ୍ର, ପ୍ରତିକୂଳ ଶକ୍ତିଗୁଡ଼ିକ ଲାଗି ମଣିଷର ତଥାକଥିତ ଅବଚେତନା ଭିତରେ ଯଦି କିଞ୍ଚିତ୍ ପ୍ରେମ ରହିଥାଏ, ତେବେ ତାହା କେବେହେଲେ ସମ୍ଭବ ହୁଏନାହିଁ । ତା’ପରେ ପ୍ରତିକୂଳ ଶକ୍ତିଟିଏ ଦୁଆର ପାଖରେ ଆସି ପହଞ୍ଚିବା ପୂର୍ବରୁ ଦୁଆରଟି ହୁଏତ ଖୋଲା ହୋଇ ରହିଥାଏ । ଆମେ ଜୀବନରେ ଯାହାକିଛିକୁ ଡରୁ, ସେଗୁଡ଼ିକୁ ସତେଅବା ସ୍ଵୟଂ ନିଜ ଭିତରକୁ ଆମନ୍ତ୍ରଣ କରି ଆଣିଥାଉ । ନିଜ ଭିତରେ ଯାହା ସହିତ ଲଢ଼ୁଥାଉ, ତାହାକୁ ସେଇ ନିଜଭିତରେ ଥାନଟିଏ ଯୋଗାଇ ଦେଇ ରହିଥାଉ-

 

୨୫ । ୬ । ୯୨

 

କେତେକ ମଣିଷ ଆପଣାର, କେବଳ ଆପଣାର ବୋଲି କହି ପାରୁଥିବା ଘରଟିଏ ତିଆରି କରିବାର ଅତିପ୍ରମତ୍ତତାରେ ସବାଆଗ ନିଜର ଡେଣାଗୁଡ଼ିକୁ କାଟିପକାନ୍ତି । ସ୍ଵଭାବତଃ ଶତଧାରା ହୋଇ ବୋହୁଥିବା ଆପଣାର ମମତାଗୁଡ଼ିକୁ କାଟି ଛାଣ୍ଟି କେବଳ ଏକଧାରା କରିପକାନ୍ତି ଏବଂ ଗୁମ୍ଫା ଭିତରେ ଯାଇ ପଶନ୍ତି । ଗାତରେ ପଶନ୍ତି ।

 

ସେହି ଗାତଗୁଡ଼ିକରୁହିଁ ସେମାନଙ୍କର ଅଭିଧାନରେ ଘର ବୋଲି କୁହାଯାଏ । ସେହି ଘରପାଇଁ ସେମାନଙ୍କର କୌଣସି ସଂସାର ନଥାଏ, ସମ୍ବେଦନା ବୋଲି ପ୍ରାୟ କିଛି ନଥାଏ, ଡୋରଟିଏ ବୋଲି କିଛି ନଥାଏ । ଯେଉଁ ଡୋରଟି ନିଜଭିତରେ ଲାଗିଥିଲେ ଜଣେ ମଣିଷ ଅତ୍ୟନ୍ତ ସ୍ଵାଭାବିକ ଭାବରେ ସଂସାରଯାକକୁ ଆପଣାର କରି ଦେଖେ ଓ ସେହି ସଂସାର ଲାଗି ଆପଣାକୁ ସଂଯୁକ୍ତ ଓ ପ୍ରେରିତ କରି ରଖିଥାଏ, ଗାତରେ ପଶିଥିବା ବ୍ୟକ୍ତିମାନଙ୍କର ସେହି ଡୋରଟି ସମ୍ଭବତଃ ଭାରି ବିସ୍ମୃତ ହୋଇ ରହିଥାଏ । ଯେଉଁଠି ଘର କହିଲେ ଯାବତୀୟ ସଂପ୍ରସାରଣର ସମାପ୍ତିକୁ ବୁଝାଏ, ସେହି ଘରକୁ ମୋ’ର ସବୁବେଳେ ପ୍ରାଣେ ଭୟ । ଏହିପରି ଏକ ଭୟର ଘ୍ରାଣ ପାଇ ସମ୍ଭବତଃ ଈଶ୍ଵରବାସନା ରହିଥିବା ମାୟାବାଦୀମାନେ ଆମେ ପ୍ରତ୍ୟେକେ ଏହି ସଂସାରଘରେ ମାତ୍ର ଦୁଇଦିନର କୁଣିଆ ବୋଲି କହି ଆମକୁ ତାଗିଦ କରି ଦେଇଛନ୍ତି ଏବଂ ଏଠାରେ ବାନ୍ଧି ହୋଇ ନପଡ଼ିବା ଲାଗି ପରାମର୍ଶ ଦେଇଛନ୍ତି । ମୁଁ ମାୟାବାଦୀ ନୁହେଁ, ମୁଁ ହେଉଛି ସଂପ୍ରସାରଣବାଦୀ; ଅଧିକାରବାଦୀ ନୁହେଁ, ମୁଁ ସମର୍ପଣବାଦୀ । ଡୋର ବାନ୍ଧିବାର ଲୋଭ, ସେହି ଡୋର ବାନ୍ଧି ଆପଣାକୁ ସତତ ଅଧିକରୁ ଅଧିକ ବିମୋଚିତ କରି ଦେଉଥିବାର ଲୋଭ ହେଉଛି ମୋ’ର ସବୁଠାରୁ ବଡ଼ ଲୋଭ । ଯିଏ ମୋତେ ବୁଝିବାକୁ ଚେଷ୍ଟା କରୁଛି, ସିଏ ମୋ’ର ଏହି ଅସଲ ଲୋଭଟିକୁ ମଧ୍ୟ ବୁଝୁ । ସେହି ଲୋଭ ଦେଇ ସିଏ ମୋତେ ଚିହ୍ନୁ, ସେହି ଲୋଭ ଦେଇ ମୋତେ ସ୍ଵୀକୃତି ଦେଉ । ନହେଲେ ସିଏ ମୋଟେ ଦେଖି ପାରିବନାହିଁ, ନିଜର କାଠିଗୁଡ଼ାକୁ ପକାଇ ମୋତେ ବିଚଳିତ କରି ପକାଉଥିବ ସିନା, ସିଏ ମୋତେ କଦାପି ଛୁଇଁ ପାରିବନାହିଁ ।

 

୨୬ । ୬ । ୯୨

 

ମଣିଷ ନିଜଭିତରେ କେତେ ଭାଙ୍ଗରେ ଭାଙ୍ଗିହୋଇ ରହିଥାଏ, କେତେ ଖଣ୍ଡରେ ବିଭାଜିତ ହୋଇ ରହିଥାଏ । ସିଏ ସେହି କାରଣରୁ ବାହାରେ ମଧ୍ୟ କେଡ଼େ ଆବଡ଼ାଖାବଡ଼ା କରି ସଂସାରକୁ ଦେଖିଥାଏ, କେତେ କେତେ ଈର୍ଷା ଏବଂ ତଜ୍ଜନିତ କ୍ରୋଧର ତା’ପରେ ସନ୍ତାପିତ ହୋଇ ରହିଥାଏ । ଈଶ୍ଵର–ଅନୁଭବ ତାକୁ ତାହାର ଏହି ଦୁରବସ୍ଥାର ଆରୋଗ୍ୟ କରେ ଅଥବା, ସିଏ କୌଣସି ପ୍ରକାରେ ଆପଣାର ସେହି ଦୁରବସ୍ଥା ଭିତରୁ ମୁକ୍ତ ହୋଇ ଆସିଲେ ଯାଇ ଯାବତୀୟ ଈଶ୍ଵର–ଅନୁଭବରେ ଯୋଗ୍ୟ ହୁଏ, କିଏ ସେ କଥାକୁ ଖଡ଼ି ପକାଇ ଗଣନା କରି ଆଗପଛ ବୋଲି କହିଦେଇ ପାରିବ ?

 

ବିରକ୍ତ ମଣିଷ, ଈର୍ଷାନ୍ଵିତ ମଣିଷ ମଧ୍ୟ ଈଶ୍ଵର–ଅନୁଭବକୁ କଣ୍ଢେଇଟିଏ କରି ବସାଇଦେଇ ତାହାର ପୂଜା କରିପାରେ; ସେହି କଣ୍ଢେଇର ଚାରିପାଖରେ ଦେଉଳଟିଏ ତିଆରି କରିପାରେ ଏବଂ ଦେଉଳ ଉପରେ ନେତ ମଧ୍ୟ ଉଡ଼ାଇପାରେ । ଈଶ୍ଵର–ଅନୁଭବର ପିଣ୍ଡଟା ଉପରେ ଜରିକାଗଜ ମଡ଼ାଇ ପୃଥିବୀରେ କେତେ କେତେ ଧର୍ମ ଏବଂ ଧାର୍ମିକତାର ଭିଆଣ ହୋଇ ଆସିଛି, ଏବେମଧ୍ୟ ହେଉଛି । ତଥାପି ମଣିଷମାନେ କେଡ଼େ ସୁମଣ୍ଡିତ ଭାବରେ ବିଭକ୍ତ ହୋଇ ରହିଛନ୍ତି, ସନ୍ତାପଗ୍ରସ୍ତ ହୋଇ ରହିଛନ୍ତି । କଣ୍ଢେଇମାନଙ୍କୁ ସତେଅବା କେଉଁ ପ୍ରତିଯୋଗିତାର ବଜାରରୁ ଠାବ କରି ଆଣିଥିବା ପରି ସେମାନେ କଣ୍ଢେଇ କଣ୍ଢେଇ ଭିତରେ ବାଦ ଲଗାଇ ଦେଉଛନ୍ତି, ଧର୍ମଶାସ୍ତ୍ର ନାମରେ ବହୁ ଧର୍ମୋପନ୍ୟାସର ରଚନା କରୁଛନ୍ତି, କରିଛନ୍ତି । ଏବଂ, ଈଶ୍ଵର–ଅନୁଭବ ସୁଦୂରପରାହତ ହୋଇ ରହିଛି । ଉତ୍ତେଜିତ ଭକ୍ତମାନେ ଗୋଟାଏ ଗୋଟାଏ ଧର୍ମଚ୍ୟୁତ ଶାର୍ଦ୍ଦୂଳ ପରି ଦେଖା ଯାଉଛନ୍ତି । ଯଥାର୍ଥ ଈଶ୍ଵର–ଅନୁଭବ କରୁଥିବା ଅଧିକରୁ ଅଧିକ ମଣିଷ ଏହି ପୃଥିବୀରେ ବାହାରନ୍ତୁ, ତେବେଯାଇ ଏଠାରେ ଶାର୍ଦ୍ଦୂଳମାନଙ୍କର ସମ୍ମୁଖୀନ ହେବା ସମ୍ଭବ ହେବ, ଧରଣୀ ଶାନ୍ତ ହେବ । ମଣିଷମାନେ ପରସ୍ପରକୁ ସ୍ଵୀକାର କରିନେବାର ଯୋଗ୍ୟ ହେବେ, ଏକ ଆରେକର ପରିପୂରକ ହୋଇ ରହିବେ ।

 

୨୭ । ୬ । ୯୨

 

ବାହାରର ଧନାଢ଼୍ୟତା ମଣିଷକୁ ତା’ଭିତରେ ବେଳେବେଳେ ଭାରି ବୋକା ଆଉ ପୋଲା କରିଦେବାରେ ଲାଗିଥାଏ । ଏଇଟା ଯେ ସେହି ଧନାଢ଼୍ୟତାର ଦୋଷ, ସେ କଥା କଦାପି କହି ହେବନାହିଁ । ଜଣେ ଜଣେ ମଣିଷ ଏକ ଆତ୍ମତୃପ୍ତିକର ବିଭ୍ରାନ୍ତ ଭିତରେ ପଡ଼ି ଧନାଢ଼୍ୟ ହେବାକୁହିଁ ନିଜ ଜୀବନ ପ୍ରତିଷ୍ଠାର ଏକମାତ୍ର ସନ୍ତକ ବା dimension ବୋଲି ଧରି ନେଇଥାନ୍ତି-। ସେଇଥିଲାଗି ହଇରାଣ ହୁଅନ୍ତି । ବିଶେଷତଃ ଭାରତବର୍ଷ ଭଳି ଏକ ଦେଶରେ, ଯେଉଁଠାରେ ଅଧିକାଂଶ ମଣିଷଙ୍କ ପାଖରେ ଏକ ସର୍ବନିମ୍ନ ସର୍ବମୁଖିତା ରହିଥିବା ଜୀବନର ଅତ୍ୟାବଶ୍ୟକତାଗୁଡ଼ିକୁ ମଧ୍ୟ ପୂର୍ଣ୍ଣ କରିବାକୁ ଯଥେଷ୍ଟ ଧନ ନଥାଏ, ସେହି ଦେଶରେ କେତେକ ମଣିଷ ନିଜର ଧନାଢ଼୍ୟତାକୁହିଁ ନିଜର ସର୍ବଗରିଷ୍ଠ ମୁକୁଟ ବୋଲି ଦେଖାଇବାକୁ ପ୍ରଲୁବ୍ଧ ହୋଇଥାନ୍ତି-

 

ନିଜର ଧନାଢ଼୍ୟକୁ corridor ପରି ବ୍ୟବହାର କରି ଏହି ନିର୍ବୋଧମାନେ ସାମାଜିକତା ମଧ୍ୟରେ ପ୍ରବେଶ କରିଥାନ୍ତି । ନିଜକୁ ଉଦାର ଦାନୀ ପରି ଦେଖାଇ ହୁଅନ୍ତି । ସଂସ୍କୃତି ଭିତରେ ଥେଇ ଥେଇ ନାଚି ମାନ ପାଇବାକୁ ଆସନ୍ତି । କଳା ବା ସାହିତ୍ୟରେ ଧାର ଧାରୁ ନଥିଲେ ମଧ୍ୟ ନିଜ ହାତରୁ ଧନ ଖରଚ କରି ସାହିତ୍ୟରେ ଯୋଗ୍ୟମାନଙ୍କୁ ପୁରସ୍କାର ଦିଆଇବାର ବ୍ୟବସ୍ଥା କରନ୍ତି । ଏବଂ, କିଛି ତୋଷାମଦକାରୀ ଥାଆନ୍ତି, ଯେଉଁମାନେ କି ସେମାନଙ୍କୁ ଉତ୍‌ଫୁଲ୍ଲତାର ସତେଅବା ଆହୁରି ସାତ ପାହାଚ ଉଠାଇ ଦେଇ ସେମାନଙ୍କୁ ଆହୁରି ବାଉଳା କରିପକାନ୍ତି । ଏକେ ଏତେ ଗହଣକୁ ଆସି ମଧ୍ୟ ସେମାନେ ନିଜେ କେବେହେଲେ କବିତାଟିଏ ଲେଖିବାକୁ ମନ କରନ୍ତିନାହିଁ । ଯଦି ଧନବଳରେ କବିମାନଙ୍କୁ ପାଳି ହେଉଛି, ତେବେ ସେମାନେ ବୃଥା ଶ୍ରମ କରି ସତକୁସତ କବିତା ଭିତରକୁ ପଶିବାଲାଗି କାହିଁକି ମନ କରିବେ ? ସଂସ୍କୃତିପାଳକମାନେ ଏହିଭଳି ଏକ ଆତ୍ମବିଡ଼ମ୍ୱନା ମଧ୍ୟରେ ପଡ଼ି ଆପଣାର ଧନାଢ଼୍ୟତାକୁହିଁ ଏକମାତ୍ର ସଂସ୍କୃତି ବୋଲି ଧରିନିଅନ୍ତି-। ନିଜ ଭିତରକୁ ସେମାନେ କେତେଭଳି ଦାରିଦ୍ର୍ୟକୁ ଡାକି ଆଣନ୍ତି । ସେହି ଦାରିଦ୍ର୍ୟର ଉତ୍ତେଜନା ସେମାନଙ୍କୁ ତା’ପରେ ହୁଏତ କ୍ଷମତା ଆଡ଼କୁ ଓ ରାଜନୀତି ଆଡ଼କୁବି ଟାଣେ । ଗୁଳା ପଡ଼ି ସେହିମାନଙ୍କ ନାମ ଉଠେ, ସଭାକୁ ଯାଏଁ, ଚଉକି ପଡ଼େ । କିଛି ନହୋଇ ଯଦି ସବୁ ହାସଲ କରି ହେଉଛି, ତେବେ ଆଦୌ କିଛି ହେବାଲାଗି କାହିଁକି ଚେଷ୍ଟା କରିବା–ଏକ ବିଶେଷ ପ୍ରମତ୍ତତା ସହିତ ସେମାନେ ସେହିଭଳି ଏକ ଆତ୍ମବଞ୍ଚନା ମଧ୍ୟରେ ପଡ଼ି ରହିଥାନ୍ତି ।

 

୨୮ । ୬ । ୯୨

 

ସେହି ସର୍ବୋଚ୍ଚ ଅର୍ଥାତ୍ ସର୍ବୋତ୍ତମ ଠାବଟି କ’ଣ, ସେହି ବିଷୟରେ ସମସ୍ତଙ୍କର ବୁଝି ପାରିବାଭଳି ହୁଏତ କେତେକ କଥା ଅବଶ୍ୟ କୁହାଯାଇପାରିବ ଓ ସମସ୍ତେ ଅନ୍ଦାଜ ଭିତରେ ଧରି ପାରିବାଭଳି କିଛି ପ୍ରତୀକାତ୍ମକତାର ସାହାଯ୍ୟ ନିଆଯାଇପାରିବ । ମାତ୍ର, ସେହି ଠାବକୁ ମୁଁ ବା ଜଣେ ମଣିଷ କିପରି ଯାଇପାରିବ, ତାହା ମୋଟେ ଏକ ସାଧାରଣ ସୂତ୍ରର semblance ସୃଷ୍ଟି କରି କୁହାଯାଇପାରିବ ନାହିଁ । ତାହା ହେଉଛି ଏକାନ୍ତ ବ୍ୟକ୍ତିଗତ ସ୍ତରର,–କେବଳ ଦୁଇଜଣଙ୍କ ମଧ୍ୟରେହିଁ ସେ ବିଷୟରେ ଏକତ୍ର ବିଚାର କରିଦେବ, ଏକତ୍ର ଅନ୍ଵେଷଣ କରିହେବ, ଏକତ୍ର ଅନୁଭବ କରିହେବ । ସମ୍ଭବତଃ ସେହି କାରଣରୁ ପ୍ରାଚୀନ ପରମ୍ପରାରେ ଗୁରୁ ଏବଂ ଶିଷ୍ୟର ଭିଆଣ କରାଯାଇଥିଲା ଓ ଯାବତୀୟ ଅନ୍ତରଙ୍ଗ ସଂକ୍ରମଣ ଅର୍ଥାତ୍ ସଞ୍ଚାରଣର କ୍ଷେତ୍ରରେ ତାହାକୁହିଁ ସତେଅବା ଏକମାତ୍ର ଉପାୟ ବୋଲି ଗ୍ରହଣ କରାଯାଇଥିଲା । ଏହାର ମୂଳକାରଣ ହେଉଛି ଯେ, ପ୍ରତ୍ୟେକ ବ୍ୟକ୍ତିର ସ୍ଵଭାବ ଅଲଗା ତେଣୁ ରୀତି ମଧ୍ୟ ଅଲଗା । ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ନିକଟବର୍ତ୍ତୀ ହୋଇ ପାରିଲେ ଯାଇ ଆଉଜଣେ ମନୁଷ୍ୟର ଅନନ୍ୟ ସ୍ଵଭାବଟିର ଖିଅ ମିଳି ପାରିବ ଏବଂ ସେହି ଖିଅଟିଏ ସାହାଯ୍ୟରେ ତା’ ଭିତରକୁ ପ୍ରବେଶ କରିହେବ । ଏକଥା ସଭାରେ ହେବନାହିଁ, କୌଣସି ସାମୂହିକ ନୈତିକ ବାକ୍ୟର ନିକ୍ଷେପଣଦ୍ଵାରା ହେବନାହିଁ । ପାଖରେ ବସିଲେ ଯାଇ ହେବ, ସତକୁସତ ଏକ ଅନ୍ତରଙ୍ଗ ସ୍ଵୀକୃତିଦ୍ଵାରା ସମ୍ଭବ ହେବ ।

 

ଭଲ ପାଇବାର ପକ୍ଷ ନେଇ କବିମାନଙ୍କ ସମେତ ସମ୍ପୃକ୍ତ ଓ ଅସଂପୃକ୍ତ କେତେ କିଏ କେତେ କଥା କହିପାରିବେ । ଘୃଣା କରିବା ଯେ କେଡ଼େ ମାରାତ୍ମକ ଓ କ୍ଷତିକାରକ, ଏହି ବିଷୟରେ ସିଦ୍ଧାନ୍ତତଃ ପାଞ୍ଚଟା ଅଥବା ପନ୍ଦରଟା କଥା ଅବଶ୍ୟ କହିହେବ । ମାତ୍ର ଜୀବନରେ, ନିଜର ଭଲ ପାଇବାଟାକୁ ଯେ କିପରି ନିଜର ସର୍ବମୂଳ attitudeରେ ପରିଣତ କରିହେବ ଅଥବା କିପରି ଘୃଣାର କବଳରୁ ନିଜକୁ ରକ୍ଷା କରାଯାଇପାରିବ, ସେ କଥା ଦୁଇଜଣ ଅନ୍ତରଙ୍ଗ ଭାବରେ ଏକାଠି ବସିଲେ ଏବଂ ପରସ୍ପର ସହିତ ଖିଅ ଲଗାଇ ପାରିଲେ ଯାଇ ଆଲୋଚନା କରିହେବ ଓ ସେହି ଆଲୋଚନାରୁ କିଛି ଫଳ ହୁଏତ ମିଳିବ । ଏହି ଦୃଷ୍ଟିରୁ, ସାଧାରଣ ଭାବରେ ବହୁ ପରାମର୍ଶ ଦେଇଥିବା ନାନା ଶାସ୍ତ୍ର ମଧ୍ୟ ଅତୀତରେ ବିଶେଷ ଫଳପ୍ରଦ ବୋଲି ଆଦୌ ପ୍ରମାଣିତ କରିପାରିନାହାନ୍ତି, ଏବେ ମଧ୍ୟ କରିପାରୁନାହାନ୍ତି ।

 

୨୯ । ୬ । ୯୨

 

ପୃଥିବୀ ଯେଉଁଭଳି ରହିଛି, ତାହା ମୋଟେ ଭଲ ଲାଗୁନାହିଁ, ମାତ୍ର, ପୃଥିବୀ ଛାଡ଼ି ପଳାଇ ଯିବାକୁ ମଧ୍ୟ ମୋଟେ ଇଚ୍ଛା ହେଉନାହିଁ । ପୃଥିବୀ ପ୍ରତି ମୋ’ର ମମତା ଆପଣାକୁ ସମର୍ପିତ କରି ରଖିବାର ମମତା, ଏଥିରେ କୌଣସି ପ୍ରକାରର ମୋହ ନାହିଁ । ଏହାପରେ ନିୟତିରେ ପ୍ରକୃତରେ କ’ଣସବୁ ଲେଖାହୋଇ ରହିଛି ବା ନରହିଛି, ସେହି ବିଷୟରେ ମଧ୍ୟ ଆଦୌ ଏଭଳି କୌଣସି ଭୟ ନାହିଁ, ଯାହାକି ମୋଟେ ଏଇଠି ଯେକୌଣସି ପ୍ରକାରେ ମାଟି କାମୁଡ଼ି ପଡ଼ି ରହିବା ନିମନ୍ତେ କାତର କରି ରଖିଥିବ ।

 

ପୃଥିବୀର ଏହି ଯାବତୀୟ ଅପୂର୍ଣ୍ଣତା ସତ୍ତ୍ୱେ ପୃଥିବୀ ହେଉଛି ତଥାପି ଏକମାତ୍ର ସ୍ଥାନ, ଯେଉଁଠାରେ ଉତ୍ତରୋତ୍ତର ପୂର୍ଣ୍ଣତା ଆଡ଼କୁ ଅଗ୍ରସର ହୋଇ ହେବ । ପଛକୁ ଅନାଇ, ମୁଁ ନିଜ ଭିତରେ ଯେତିକି ବାଟ ଆସି ପାରିଲିଣି ବୋଲି ଅତ୍ୟନ୍ତ ଅପରୋକ୍ଷ ଭାବରେ ଅନୁଭବ କରିପାରୁଛି, ସେଥିରୁ ଆଗକୁ ଆହୁରି ଅନେକ ବାଟ ଅର୍ଥାତ୍ ଆହୁରି ଅନେକ ସାନ୍ନିଧ୍ୟ ଓ ସଖ୍ୟ ମୋ ଲାଗି ଅପେକ୍ଷା କରି ରହିଛି ବୋଲି ଏକ ପ୍ରତ୍ୟୟ ମଧ୍ୟ ମୋ’ ଭିତରେ ଜନ୍ମଲାଭ କରୁଛି । ତାହାହିଁ ଯଥେଷ୍ଟ । ଆପଣାର ଅସଲ ଡୋରଗୁଡ଼ିକୁ ଅନୁଭବ କରିବାଲାଗି ତାହା ଅବଶ୍ୟ ଯଥେଷ୍ଟ । ଏବଂ, ଚେରଗୁଡ଼ିକୁ, ଅର୍ଥାତ୍ ପ୍ରତ୍ୟୟରୁ ଦାୟାଦ ପରି ଅନୁଭବ କରୁଥିବା ପର୍ଯ୍ୟନ୍ତ ମଣିଷର ବା ମୋ’ର ଆଉ ଚିନ୍ତାବି କରିବାର କ’ଣ ଅଛି ? ଏହି ପ୍ରତ୍ୟୟଟି ମୋ’ ଭିତରେ ଚିରକାଳ ରହିଥାଉ । ମୋ’ ଜୀବନରେ କାଳର ନିରୂପଣଟି ଯଦି ଅନନ୍ତକାଳ ହୋଇଥାଏ, ତେବେ ଏହି ପ୍ରତ୍ୟୟଟିହିଁ ମୋତେ ନିରନ୍ତର ଆପଣାର ଯଥାର୍ଥ ଘରଟି ଭିତରେ ରହିଥିବାର ଓ ଆପଣାର ଯଥାର୍ଥ ପଥରେ ଚାଲୁଥିବାର ଯାବତୀୟ ଅନ୍ତର୍ଗତ ତଥା ବହିର୍ଗତ କାରଣ ଆଣି ଯୋଗାଇ ଦେଇ ଯାଉଥିବ । ଅନାଇ ଦେବାମାତ୍ରକେ ମୋ’ର ଗିରିଶିଖରଟି ଦୃଶ୍ୟ ହୋଇ ଯାଉଥିବ ଏବଂ ମୋଟେ ବଞ୍ଚିବାର ତଥା ବାଟ ଚାଲିବାର ଯଥେଷ୍ଟ କାରଣ ଯୋଗାଇ ଦେଉଥିବ । ଅର୍ଥାତ୍, ସିଏ ମୋ’ ପାଖେପାଖେ ରହୁଥିବେ, ମୋ’ ସାଥିରେ ବାଟ ଚାଲୁଥିବେ । ଏବଂ, ସେହି କାରଣରୁହିଁ ଛାଡ଼ି ପଳାଇ ଯିବାକୁ ମୋଟେ ମନ ହେଉନଥିବ ।

 

୩୦ । ୬ । ୯୨

 

ଭଗବାନ୍‍ଙ୍କୁ ମୋ’ର ବୋଲି କହି ବେଶ୍ ଗୋଟାଏ ପ୍ରକାରର ଉତ୍ତେଜନା ଅନୁଭବ କରିବା ଅପେକ୍ଷା ନିଜେ ଭଗବାନ୍‍ଙ୍କର ହୋଇଯାଇ ପାରିବାରେ ମନୁଷ୍ୟ ଲାଗି ଅନେକ ବିମୋଚନ ଏବଂ ମୋହମୁକ୍ତି ନିହିତ ହୋଇ ରହିଛି । ଭଗବାନ୍‍ଙ୍କୁ ମୋ’ର ବୋଲି କହୁଥିବା ପର୍ଯ୍ୟନ୍ତ ମନୁଷ୍ୟ ସଚରାଚର ଅନୁରାଗ ଭିତରେ ନଥାଏ; ସିଏ ଯେଉଁ ଜାଲରେ ନିଜେ ଭଗବାନ୍‍ଙ୍କୁ ବାନ୍ଧି ରଖିଛି ବୋଲି କେତେ ସରାଗରେ କହୁଥାଏ, ସେହି ଜାଲରେ ନିଜେ ପଡ଼ି ଛଟପଟ ହେଉଥାଏ । ଅଥଚ, ଅନ୍ୟ ପକ୍ଷରେ, ଆପେ ଭଗବାନ୍‍ଙ୍କର ହୋଇଯାଇ ପାରିଲେ ନିମିତ୍ତତ୍ଵର ଯୋଗ୍ୟ ଏବଂ ଆହୁରି ଅଧିକ ଯୋଗ୍ୟ ହେବାର ସେହି ସୋପାନକ୍ରମରେ ସତେଅବା ସେଇ ମୋ’ ଭିତରେ ଥାଇ ମୋତେ ପରିଚାଳିତ କରି ନେଉଛନ୍ତି ବୋଲି ପ୍ରତ୍ୟକ୍ଷ ଅନୁଭବ ହୋଇଥାଏ । ଏହି ଅନୁଭବହିଁ ଆମ ଜୀବନର ଯାବତୀୟ ଯଥାର୍ଥ ସମର୍ପଣକୁ ସାର୍ଥକତା ପ୍ରଦାନ କରିଥାଏ ।

 

ଓଡ଼ିଶାରେ ଚତୁର ପ୍ରଗଳ୍‌ଭମାନେ ଯେଉଁଦିନ ଠାରୁ ଜଗନ୍ନାଥ ଆମର ବୋଲି କହିଲେଣି, ସେହିଦିନଠାରୁ ଜଗନ୍ନାଥଙ୍କ ସହିତ ଯଥାର୍ଥ ଅନ୍ତରଙ୍ଗତା ଲାଭ କରିବାର ଅସଲ ଧାରାଟି ସତେଅବା ଅଧିକରୁ ଅଧିକ ଗୌଣ ହେବାରେ ଲାଗିଛି । ଆମର ଅଳ୍ପତାଗୁଡ଼ାକୁ ବହୁବିଧ ରାଜସିକତାରେ ପରିଣତ କରି ଆମେ ସେଗୁଡ଼ିକୁ ସତେଅବା ଆମ ଜଗନ୍ନାଥ-ଚେତନା ମଧ୍ୟରେ ନେଇ ପୂରାଇ ଦେଲୁଣି ଓ ଜଗନ୍ନାଥଙ୍କ ସମେତ ଆମ ନିଜକୁ ତଥା ଓଡ଼ିଶାର ସାମୂହିକ ଧର୍ମଭାବନାଗୁଡ଼ିକୁ ମଧ୍ୟ ଗାତରେ ନେଇ ପୂରାଇ ଦେଲୁଣି । ଜଗନ୍ନାଥଙ୍କର ଯାବତୀୟ ପ୍ରଶସ୍ତିଗାନରେ ସମ୍ଭବତଃ ଜଗନ୍ନାଥ କମ୍ ଅଛନ୍ତି, ଆମେ ନିଜେ ଅଧିକପଣରେ ରହିଛୁ । ଚତୁରମାନେ ସତେଅବା ପ୍ରତ୍ୟେକେ ଆପଣାକୁ ଜଣେ ଜଣେ ପୁରୁଷୋତ୍ତମ ଦେବ ବୋଲି ମନେ କରୁଛନ୍ତି କି କ’ଣ କେଜାଣି, ସେମାନେ ଆପଣାର ନାନାବିଧ ଅଭିଯାନରେ ଜଗନ୍ନାଥଙ୍କୁ ଖଟାଇ ରଖିଥିଲା ପରି କଥା କହୁଛନ୍ତି । ଜଗନ୍ନାଥଙ୍କୁ ଆବିଷ୍କାର କରିବା, ଅନ୍ତଚେତନାରେ ଆବିଷ୍କାର କରି ତାଙ୍କୁ ବାହାରେ ଆମର ବହୁ ସମ୍ବନ୍ଧ ଭିତରେ ଆବିଷ୍କାର କରି ବଞ୍ଚିବା, ତାହା ଏକାବେଳେକେ ଏକ ଅନ୍ୟ ବ୍ୟାପାର ।

 

୧ । ୭ । ୯୨

 

ସେହି ନେବା ଓ ଗ୍ରହଣଶୀଳ ହୋଇ ରହିବା, ଦୁଇଟା କଦାପି ଗୋଟିଏ କଥା ନୁହେଁ । ଇଂରାଜୀରେ ଏହି ଦୁଇଟି ଦୃଷ୍ଟିକୁ Tolerance ଓ Receptivity ବୋଲି କୁହାଯାଇପାରିବ । ଅନେକ ମଣିଷ କେଡ଼େ tolerant, ମାତ୍ର କେତେ କମ୍ ଗ୍ରହଣଶୀଳ । ଅନେକ ସମୟରେ ନିଜ ଭିତରେ ଗ୍ରହଣଶୀଳତାର ଗୁଣଟି ନଥିଲେ ମଣିଷ ନିଜକୁ ଢାଙ୍କି ରଖିବାକୁ ହୁଏତ ବାହାରେ tolerant ହୋଇଥାଏ । ନିତାନ୍ତ ଅଗ୍ରହଣଶୀଳ ହୋଇଥିଲେ ବାହାରର ଏହି ସହିନେବାର ବୃତ୍ତିକୁ ଅନେକେ tolerance ବୋଲି ମନେ କରିଥାନ୍ତି ।

 

ଭାରତବର୍ଷ ଇତିହାସର ଦାଉରେ ଏକାବେଳେକେ ଅନେକ ଧର୍ମ ଓ ଅନେକ ସଂସ୍କୃତିକୁ ସହି ନେବାକୁ ପ୍ରାୟ ବାଧ୍ୟ ହୋଇ ଆସିଛି । ଅର୍ଥାତ୍, ଭାରତବର୍ଷର ସାମୂହିକ ଭୂମିରେ ଏକାବେଳେକେ ଅନେକ ଧର୍ମ ଓ ଅନେକ ସଂସ୍କୃତିର ମଣିଷମାନେ ପରସ୍ପରକୁ ସହିନେବାକୁ ବାଧ୍ୟ ହୋଇଛନ୍ତି । ମାତ୍ର, ଏମାନଙ୍କର ପରସ୍ପର ପ୍ରତି ରହିଥିବା ଅବଜ୍ଞାଭାବ କ’ଣ ଏହାଦ୍ୱାରା ଯଥେଷ୍ଟ ପରିମାଣରେ କମିଛି ? ଗୋଟିଏ ଗାଁରେ ମଧ୍ୟ ସେମାନେ ପରସ୍ପର ଠାରୁ ଅଲଗା ହୋଇ ରହିଛନ୍ତି-। ପରସ୍ପରର ରୀତିଗୁଡ଼ିକୁ ଗ୍ରହଣ କରିନେବାର କୌଣସି ପ୍ରଶ୍ନ ତ ଉଠୁନାହିଁ; ପରସ୍ପର ରୀତିକୁ ଏକ ଉନ୍ମୋଚିତ ଅନୁରାଗ ସହିତ ଯଥେଷ୍ଟ ପରିମାଣରେ appreciate କରିବା ମଧ୍ୟ ଅଧିକତର କ୍ଷେତ୍ରରେ ସମ୍ଭବ ହୋଇନାହିଁ । ସେପରି ହୋଇଥିଲେ ଭାରତବର୍ଷର ସମୂହଶାସ୍ତ୍ରରେ ମ୍ଳେଚ୍ଛ ବା ଯବନ ଆଦି ଶବ୍ଦହିଁ ରହିନଥାନ୍ତା । ଗ୍ରହଣଶୀଳତା ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ କଥା । ନିଜେ ଭିତରେ grow କରିବାକୁହିଁ ଜୀବନରେ ରୀତି ବୋଲି ଗ୍ରହଣ କରିଥିବା ମଣିଷ ଜାତି ବାରିବନାହିଁ, ଦୂରତାଗୁଡ଼ାକୁ ଆଦୌ ଶୁଦ୍ଧତା ବା ନିରାପତ୍ତା ବୋଲି ବୋଲି ଅନୁଭବ କରିବନାହିଁ । ଏପରିକି ସେ ଭେକ ବାରିବନାହିଁ, ଭେକଗୁଡ଼ିକର ତଳେ ପୋତି ହୋଇ ରହିଥିବା ହୃଦୟକୁ ସ୍ପର୍ଶ କରିବାର ପ୍ରୟାସ କରୁଥିବ । ଭାରତବର୍ଷର କୌଣସି ଧର୍ମଗୋଷ୍ଠୀ ଅଥବା ସାଂସ୍କୃତିକ ଏକକ ଭିତରେ ସତତ grow କରୁଥିବା ଏଭଳି ସମ୍ବନ୍ଧଯୁକ୍ତ ମଣିଷ ସାଧାରଣତଃ ଦେଖିବାକୁ ମିଳନ୍ତିନାହିଁ-। ସେମାନେ ବେଶ୍ tolerance ଦେଖାନ୍ତି, ଦୂରରେ ଛିଡ଼ା ହୋଇ ଆଉ ଜଣକର ଅସ୍ତିତ୍ଵକୁ ସହି ନିଅନ୍ତି, ମାତ୍ର କଦାପି ପାଖକୁ ଆସନ୍ତିନାହିଁ ।

 

୨ । ୭ । ୯୨

 

ତୁମେ ଅମୁକ ବିଭାଗର ପ୍ରାୟ ସର୍ବୋଚ୍ଚ ସରକାରୀ ଥାନରେ ରହିବ, ଅଥଚ ଅନ୍ୟମାନଙ୍କ ପାଖରେ ସେହି ବିଭାଗରେ ଆଦୌ କିଛି ହେଉନାହିଁ ବୋଲି ଅତୀବ ଉତ୍ସାହରେ ଗାଳି ଦେଉଥିବ, ଇଏ ପୁଣି କେଉଁ ନ୍ୟାୟର କଥା ? ସେଦିନ ଶିକ୍ଷାବିଭାଗର ଜଣେ ଅତ୍ୟୁଚ୍ଚ ଅମଲାଙ୍କର ତାଙ୍କ ନିଜ ବିଭାଗ ବିଷୟରେ ଅଭିଯୋଗମାନ ଶୁଣୁଥିବା ସମୟରେ ତାଙ୍କ ମୁହଁକୁ ଅନାଇ ରହି ମୁଁ ନିଜ ଭିତରେ ସେହିକଥା ଭାବୁଥିଲି । ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଚରା ଜିଲ୍ଲାଧୀଶ ପର୍ଯ୍ୟନ୍ତ ସିଏ ସମସ୍ତଙ୍କର ଶ୍ରାଦ୍ଧ କରି ଆସିଲେ ଏବଂ ସରକାରୀ ଶିକ୍ଷାଯନ୍ତ୍ରଟା ଗୋଟାସୁଦ୍ଧା ତସ୍କରମାନଙ୍କ ହାତରେ ପଡ଼ିଛି ବୋଲି ମୋ’ ମନରେ ପ୍ରତ୍ୟୟ ଜନ୍ମାଇବାକୁ ଚେଷ୍ଟା କରୁଥିଲେ ।

 

ପ୍ରତ୍ୟୟ ଅବଶ୍ୟ ଜନ୍ମିଲା, ମାତ୍ର ତଥାପି ସମାଧାନ ହେଲାନାହିଁ । ଘରର ମୁଖ୍ୟ କଟୁଆଳମାନଙ୍କ ମଧ୍ୟରୁ ଜଣେ ହୋଇ ତୁମେ ରହିଥିବ, ସେଥିଲାଗି ତୁମକୁ ଘୁମରେ ଘୁମେ ପଇସା ମିଳୁଥିବ,–ଅଥଚ ଘରେ ତସ୍କରମାନେ ରାଜତ୍ଵ କରୁଛନ୍ତି ଓ ସେହି ଅବସ୍ଥାରେ ତୁମେ ଆଉ କ’ଣ ବା କରିପାରିବ ବୋଲି କେଡ଼େ ଉତ୍ସାହରେ କହିବାରେ ଲାଗିଥିବ ! ଭାରତୀୟ ଅମଲାତନ୍ତ୍ରର ଅମଲା ଓ ହାକିମମାନଙ୍କ ଭିତରେ ଏହି ଅସହାୟ ବାହାଦୁରିର ମନୋଭାବ କେଉଁକାଳୁ ଆସି ପଶି ଗଲାଣି-। ମୁଁ ନିଜେ କେବେ ଅମଲା ହୋଇ ନାହିଁ କିମ୍ବା ବାଧ୍ୟ ଭୃତ୍ୟଟିଏ ହେବାକୁ ଆଗ୍ରହ କରିନାହିଁ ବୋଲି ସମ୍ଭବତଃ ଏଭଳି କଥାମାନ ମୋତେ ଏଡ଼େ ଆଶ୍ଚର୍ଯ୍ୟ ଲାଗୁଛି । ଅବଶ୍ୟ ଅନେକ ଜାଗାରେ ଭୃତ୍ୟ ହୋଇଛି; ଜୀବନରେ ଆଗକୁ ଯାଉଥିବା ସଙ୍ଗେ ସଙ୍ଗେ ମୁଁ ଯାହା କିଛି କରୁଛି, ତାହାକୁ ଅଧିକରୁ ଅଧିକ ପରିମାଣରେ ଜଣେ ସ୍ଵତଃପ୍ରେରିତ ଭୃତ୍ୟର ମନୋଭାବ ଏବଂ ଆନୁଗତ୍ୟ ନେଇ କରୁଛି । ମାତ୍ର, ମୋ’ ମାଲିକ ଭିତରେ ଏପରି ଆଦୌ କିଛି ନାହିଁ, ଯାହାକି ମୋତେ ମୋ’ ଦାୟିତ୍ଵର ଗୁହାଳରେ ଅସହାୟ ଛେଳିଟିଏ କରି ବାନ୍ଧିଆସିଛି । ଏଣେ ମୋ’ ବେକରେ ସୁନାର ଘୁଙ୍ଗୁର ପିନ୍ଧାଇ ରଖି ତେଣେ ମୋତେ ଅସହାୟ କରି ରଖିଛି । ଅନେକ ସମୟରେ ଏହି ବାବୁମାନଙ୍କ ପାଖକୁ ଯିବାପାଇଁ କେମିତି ଏକ କୁଣ୍ଠାହିଁ ଲାଗେ । ସେମାନଙ୍କ ଭିତରେ କେଉଁ ଭୂତାଣୁ ଯେ ସେମାନଙ୍କୁ ଏପରି ଉତ୍ସାହିତ ଭାବରେ ଅସହାୟ କରି ରଖିଛି, ମୁଁ ତାହାର ପତ୍ତା ପାଏନାହିଁ ।

 

୪ । ୭ । ୯୨

 

ପୃଥିବୀରେ ବହୁ ମଣିଷ ଅଛନ୍ତି, ଯେଉଁମାନେ କି ଏହି ପୃଥିବୀର ଅସଲ ଛନ୍ଦଟିରେ ଯୋଗ ଦେଇ ପାରନ୍ତିନାହିଁ । ନିଜକୁ ନାନାବିଧ ସାଜରେ ସଜାଇ ରଖିଥିଲେ ମଧ୍ୟ ସେମାନେ ତଥାପି ଭାରି ଅସୁନ୍ଦର ଓ ନୀରସ ଦେଖାଯାଉଥାନ୍ତି । ଜ୍ଞାନ ଥାଏ, ଆଚାର ଥାଏ, ବିଚାର ଥାଏ, ବ୍ୟାବହାରିକ ବୁଦ୍ଧିମତ୍ତା ପ୍ରଚୁର ଥାଏ,–ତଥାପି ସେମାନେ ଏଠି ଅସଲ ଛନ୍ଦଟି ସହିତ ଆପଣାକୁ ସଂଶ୍ଳିଷ୍ଟ କରି ରଖିନଥାନ୍ତି । ଅର୍ଥାତ୍, ଯେଉଁ ମହିମାମୟ ବିବର୍ତ୍ତନର ଧାରାଟି ପୃଥିବୀଲାଗି ପ୍ରତିଶ୍ରୁତି ହୋଇ ରହିଛି, କେଜାଣି କାହିଁକି ସେମାନେ ସେହି ଧାରାଟିରୁ ଅଲଗା ରହିଥା’ନ୍ତି ।

 

ଏହି ଧାରାଟିକୁ ଛାଡ଼ି ଆଉ ଯେତେ ଯାହା ଧର୍ମ ପୃଥିବୀରେ ରହିଛି, ଯେତେ ଯାହା ଅନ୍ୟାନ୍ୟ ଚତୁରତା ମଣିଷକୁ ଅନ୍ୟମନସ୍କ କରି ରଖିଛି, ସେହିସବୁ ଯାବତୀୟ କଥାର ପ୍ରକୃତରେ କୌଣସି ତାତ୍ପର୍ଯ୍ୟ ରହିଛି କି ? ଯଦି ଜଣେ ମଣିଷ ସେହି ବିବର୍ତ୍ତନଟି ସହିତ ସହଯୋଗ କରିବାକୁ ରାଜି ହୋଇ ପାରୁନଥିବ, ତେବେ ସିଏ ନା ବା ଆଳ ଦେଖାଇ ନିଜପାଇଁ ଆହୁରି କେତେ କେତେ ଅନ୍ୟ ତାତ୍‍କାଳିକତାକୁ ନିଜ ଜୀବନର କେନ୍ଦ୍ରରୂପେ ମାନୁଥିବ ସିନା, ମାତ୍ର, ତା’ର ଯାବତୀୟ ବଞ୍ଚିବାର ଅସଲ ସଙ୍ଗତି ଓ ଅସଲ ଔଚିତ୍ୟକୁ ସେ କଦାପି ଲାଭ କରିପାରୁନଥିବ । ମୁଁ ପୃଥିବୀଟାକୁ ନିଜର ଅନୁକୂଳ କରି ବାଗେଇ ଆଣିବାକୁ ଚେଷ୍ଟା କରୁଥିବା ପର୍ଯ୍ୟନ୍ତ ମୁଁ ପୃଥିବୀର କେନ୍ଦ୍ରଟି ସହିତ ପ୍ରକୃତରେ ଆଦୌ କୌଣସି ଖିଅ ଲଗାଇ ପାରିବିନାହିଁ । ଯେଉଁମାନେ ଏହି ପୃଥିବୀରେ ତଥାକଥିତ କେବଳ ନିଜର ଧର୍ମ ବା ନିଜର ସଂସ୍କୃତି ଭିତରେ ମୁହଁ ମାଡ଼ି ପଡ଼ି ରହିଛନ୍ତି, ସେମାନେ ନାନା ଆଳରେ ପୌତ୍ତଳିକ ହେଉଛନ୍ତି ସିନା, ମାତ୍ର ପିତୁଳାଗୁଡ଼ିକୁ ଯେଉଁ ସତ୍ୟର ଆହ୍ଵାନ ପ୍ରକୃତରେ ଏକ ଉତ୍ତୋଳନ ଆଣି ଦେଇ ପାରୁଥାନ୍ତା, ସେମାନେ ସେହି ଆହ୍ଵାନର ମୋଟେ ଭାଜନ ହୋଇ ପାରୁନାହାନ୍ତି । ପୌତ୍ତଳିକ ମଣିଷ ନିଜ ଭିତରର ସତ୍ୟଟିକୁ ସୂତ୍ରରୂପେ ସ୍ଵୀକାର ନକରି ପିତୁଳାମାନଙ୍କୁ ଆବୋରି ଧରିବାରେ ପ୍ରକୃତରେ କି ଆନନ୍ଦ ପାଉଛି ।

 

୫ । ୭ । ୯୨

 

ପୃଥିବୀରେ ସମସ୍ତେ ଯେକୌଣସି ପ୍ରକାରେ ଭଲ ମଣିଷଟିଏ ହୋଇ ଆପଣାର ସବୁ କର୍ତ୍ତବ୍ୟ ସାରି ଦେଉଛନ୍ତି ଓ ତାହାକୁହିଁ ନିଜର ପରମ ନୈତିକତା ବୋଲି ମାନୁଛନ୍ତି । ଖରାପ ସମାଜରେ ପ୍ରକୃତରେ ଭଲ ମଣିଷଟିଏ ହେବା ଆଦୌ ସହଜ କଥା ହେବା ଉଚିତ ନୁହେଁ । ମାତ୍ର, ଜଣେ ମଣିଷ ଯଦି ସଜ୍ଜନଟିଏ ହେବାକୁହିଁ ତା’ ଜୀବନର ପରମ ଲକ୍ଷ୍ୟ ବୋଲି ଧରିନିଏ, ତେବେ ତାକୁ ଯଥେଷ୍ଟ ବୋଲି କିପରି କୁହାଯିବ ?

 

ଏକ ଲୋଭୀ ସମାଜରେ ଯଦି କେହି ତଥାପି ନିର୍ଲୋଭ ହେବାକୁ ମନ କରିବ, ତେବେ ସିଏ ଅଚିରେ ଧରା ପଡ଼ିଯିବ । କପଟୀମାନଙ୍କର ଏକ ସମାଜରେ ଯଦି ନିଷ୍କପଟ ହେବାକୁ ଜଣେ ପଣ କରି ବାହାରିବ, ତେବେ ତାକୁ କପଟୀମାନଙ୍କର ଚକ୍ଷୁଃଶୂଳ ହେବାକୁହିଁ ପଡ଼ିବ । ଏକ ଆରେକୁ ଗିଳି ପକାଇବାକୁ ଧାଇଁଥିବା ଏକ ସମାଜରେ ଯଦି ଜଣେ କ’ଣ ଭାବି ସମସ୍ତଙ୍କର ସତକୁସତ ବନ୍ଧୁ ହେବାକୁ ବିଚାରିବ, ତେବେ ହାଟରେ ସମସ୍ତେ ତାକୁ ବୋକା ବୋଲି ହସିବେ । ଏବଂ, ଅସତ୍ୟର ବହୁ ଗ୍ରନ୍ଥିଳତା ଭିତରେ ଉତ୍ତେଜିତ ହୋଇ ରହିଥିବା ଏକ ସମାଜରେ ଯଦି ଜଣେ ମଣିଷ ଭିତରୁ ନିର୍ଦ୍ଦେଶ ପାଇଥିବା ପରି ସତ୍ୟର ଆଗ୍ରହ ରଖି ବାଟ ଚାଲିବ, ଯଦି ସେ ସତ୍ୟାଗ୍ରାହୀ ହେବ, ତେବେ ପରାକ୍ରମୀ ପକ୍ଷୀଯୂଥ ହୋଇ ବନ୍ଧୁ ମଣିଷ ତାକୁ ଖୁମ୍ଫି କରି ମାରି ପକାଇବାକୁ ଦଉଡ଼ି ଆସିବେ । ଦୁର୍ଜନତା ସତ୍ତ୍ୱେ ଯେକୌଣସି ପ୍ରକାରେ ଏଠାରେ ଖାପ ଖାଇ, ମାନି ନେଇ ଶାନ୍ତିରେ ସମୟ କଟାଇ ଦେବାକୁ ମନସ୍ଥ କରିଥିବା ସଜ୍ଜନ ହୁଏତ କେଡ଼େ ବାଗରେ ଜୀବନଟିଏ ବଞ୍ଚି ପାରିବ ଓ ଏପରି କରିପାରୁଛି ବୋଲି ଚତୁରତାର ସହିତ ନିଜର ନକ୍ଷତ୍ରମାନଙ୍କୁ ହୁଏତ ଧନ୍ୟବାଦ ଦେଉଥିବ । ସିଏ ଏହି ସଂସାରଟାକୁ ସତେଅବା ଭଗବାନ୍‍ଙ୍କର ବରାଦ ବୋଲି ମାନି ନେଇଥିବ ଏବଂ ନିରାପଦରେ ବାଟ ଚାଲୁଥିବ । ମାତ୍ର, ଭଗବାନ୍ କ’ଣ ମଣିଷଠାରୁ ମାତ୍ର ଏତିକି ପ୍ରତ୍ୟାଶା କରୁଥିବେ ? ତେବେ ସିଏ ତା’ ଭିତରେ ପରମବନ୍ଧୁ ହୋଇ ଅବସ୍ଥିତ ରହିବାକୁ କାହିଁକି କୌଣସି ଶ୍ରମ ସ୍ଵୀକାର କରୁଥାନ୍ତେ ?

 

୬ । ୭ । ୯୨

 

ଆଧ୍ୟାତ୍ମିକତାରୁ ହୁଡ଼ିବାକୁ ମନ କଲେ ମଣିଷ କେଡ଼େ ଶୀଘ୍ର ନୈତିକ ଭିତରକୁ ଖସିଆସେ ! ହଁ, ଖସିହିଁ ଆସେ, କାରଣ କୌଣସି ଶତ୍ରୁ କିମ୍ବା ପ୍ରତିକୂଳ ଶକ୍ତି ତା’ ଇଚ୍ଛା ବା ଆଗ୍ରହ ବିରୁଦ୍ଧରେ ତାକୁ ଆଦୌ ଖସାଇ ଦିଏନାହିଁ । ଆଧ୍ୟାତ୍ମିକତାର ବାଟଟି ଭିତରୁ ବାହାରକୁ ପଡ଼ିଥାଏ ଏବଂ ସେଥିରେ ସତତ ଆରୋହଣ ଓ ସତତ ସଂପ୍ରସାରଣର ଯାବତୀୟ ସାକ୍ଷାତକାରର ନିତ୍ୟ ଆନନ୍ଦ ଆଣି ଦେଇଯାଉଥାଏ । ପ୍ରାୟ ସେହି ଅନ୍ତର୍ଗତ କାରଣରୁ ଜଣେ ବ୍ୟକ୍ତି ପାହାଚ ଉଠିବାକୁ କିମ୍ବା ସମ୍ପ୍ରସାରିତ ହେବାକୁ ମନା କରେନାହିଁ । ଅଟକିଯିବାମାତ୍ରକେହିଁ ତା’ର କେତେଟା ବୋଲ ମାନିବାକୁ ମନ ହୁଏ । ବୋଲ ମନାଇବାର ମାର୍ଗ ବା ସମ୍ପ୍ରଦାୟମାନେ ପୃଥିବୀରେ ସର୍ବଦା ଥାଆନ୍ତି-। ମଣିଷ ସେଇଥିରୁ ଗୋଟାକୁ ଆଦରିନିଏ ଏବଂ ଅତ୍ୟନ୍ତ ନିଷ୍ଠାର ସହିତ ସେଥିରେ ଖାପ ଖାଇଯାଏ । ତା’ପରେ ସତେଅବା ସେହି ମାର୍ଗ ଅଥବା ସମ୍ପ୍ରଦାୟର ଗୋଟାଏ ନମୁନାରେ ପରିଣତ ହୋଇଯାଏ ।

 

ଆଧ୍ୟାତ୍ମିକତାରେ ମାନିବା ଅପେକ୍ଷା ହୋଇଯିବାର ଭାଗଟିହିଁ ଅନେକ ଗୁଣ ବେଶି । ସତତ ସମ୍ଭୂତ ହେବା, ନିଜର ପୂର୍ଣ୍ଣ ସମ୍ମତି ସହିତ ସମ୍ମତ ହେବାରେ ଲାଗିଥିବା ଏବଂ ସେହି ସମ୍ମତିକୁ ଏକ ଶ୍ରଦ୍ଧାର ଭୂମିକୁ ଉତ୍ତୋଳିତ କରିନେଇ ପ୍ରତ୍ୟେକ ପଦକ୍ଷେପରେ ସେହି ଆକାଂକ୍ଷିତର ସତକୁସତ ନିକଟବର୍ତ୍ତୀ ହେଉଥିବା,–ତାହାହିଁ ଆଧ୍ୟାତ୍ମିକତାର ସ୍ଵାଭାବିକ ରୀତି । ଏହି ବାଟରେ ନୀତି ମଧ୍ୟ ରହିଥାଏ, ମାତ୍ର ସେଗୁଡ଼ିକୁ ମାନୁଥିବା ପରି ମୋଟେ ମନେ ହୁଏ ନାହିଁ, ମୋଟେ ଘୋଷାରି ହେଉଥିବା ପରି ଲାଗେନାହିଁ । ଜଣେ ନୈତିକ ମଣିଷ ପରି କେଉଁ ବାହ୍ୟ ଗୁରୁପାଖରେ ନିଜର କାନକୁ ଦେଖାଇ ତାହାର ହାତଦ୍ୱାରା ଟଣା ହେବାକୁ ପଡ଼େନାହିଁ । ତେଣୁ, ଉଗ୍ର ହେବାର, ଆତୁର ଅଥବା ଉତ୍ତେଜିତ ହେବାର କୌଣସି ଅବକାଶ ନଥାଏ । ବରାଦ ଅନୁସାରେ କାହାପାଇଁ ଚିତ୍ରିତ ଅଥବା ପ୍ରସୀମିତ ହୋଇ ରହିବାର ମଧ୍ୟ କୌଣସି ଅବକାଶ ନଥାଏ । ପାହାଚ ଉଠୁଥିବା ସଙ୍ଗେ ସଙ୍ଗେ କେବଳ ଭିତରୁ ନୁହେଁ ବାହାରୁ ମଧ୍ୟ ଯାବତୀୟ ଖୋଳ ଖସିଯିବାରେ ଲାଗିଥାନ୍ତି । ସତେଅବା ଆପଣାଛାଏଁ କେତେ କୁଆଡ଼େ ସମ୍ମିଳିତ ହୋଇ ରହିବାର ଉପାୟ ଦିଶି ଯାଉଥାଏ । ଏବଂ, ସମ୍ପ୍ରସାରିତ ହେଉଥିବା ସଙ୍ଗେ ସଙ୍ଗେ ମୁକ୍ତି ମିଳି ଯାଉଥାଏ ।

 

୭ । ୭ । ୯୨

 

ସମସ୍ତେ କହୁଛନ୍ତି, ଆମେ ସବାଆଗ ‘କେମିତି’ଟାକୁ ଜାଣିବୁ । ‘କେମିତି’ଟାକୁ ଜାଣିଲେହିଁ–ସେମାନେ ସତେଅବା ସବୁକିଛି ସାଧ୍ୟ କରିପାରିବେ ବୋଲି ବିଚାର କରୁଛନ୍ତି । ଏକଦା ଏହି ‘କେମିତି’କୁ ଜାଣିବାର କିମିଆଟାକୁ ବିଜ୍ଞାନ ବୋଲି କୁହାଯାଉଥିଲା । ‘କେମିତି’ଟାକୁ ଜାଣିବା ଯେ ଆଦୌ ଯଥେଷ୍ଟ ନୁହେଁ, ‘କାହିଁକି’ଟାକୁ ଜାଣିବାର ଆବଶ୍ୟକତାଟିକୁ ଅନୁଭବ କରିବା ସଙ୍ଗେ ସଙ୍ଗେ ମନୁଷ୍ୟମାନେ କ୍ରମେ ସେହି ବିଷୟରେ ଅଧିକ ସଚେତନ ହେଲେ । ‘କାହିଁକି’ର ଉପଲବ୍‌ଧି ସଙ୍ଗେ ସଙ୍ଗେ ସେମାନେ ‘କେମିତି’ର ଜ୍ଞାନକୁ ମଧ୍ୟ ଅଧିକ ସମଗ୍ରଭାବେ ଆୟତ୍ତ କରିପାରିଲେ ।

 

ମୋ’ ଭିତରଟା ସ୍ଥିର ହେବ, ଅର୍ଥାତ୍ ସ୍ଵାଭାବିକ ଭାବରେ ସ୍ଥିର ହୋଇ ରହିଥିବ, ବାହାରର ଯାବତୀୟ ସ୍ଵଭାବପ୍ରେରିତ ଗତିଶୀଳତା ଓ କ୍ରିୟାଶୀଳତା ସହିତ ପ୍ରାୟ ସମପ୍ରେରିତ ଭାବରେ ସ୍ଥିର ହୋଇ ରହିଥିବ, ପ୍ରସନ୍ନ ରହିଥିବ ଏବଂ ସମ୍ମତ ରହିଥିବ;–ଏଇଟା କ’ଣ କେବଳ ‘କେମିତି’ଟାକୁ ଜାଣିଲେ ସାଧ୍ୟ ହୋଇଯିବ ? ମୁଁ ଆପଣାର ଅନ୍ତର୍ନିହିତ ଯାବତୀୟ ସମ୍ଭାବନାକୁ ସତତ ବିକଶିତ କରି ଆଣୁଥିବି, ଏବଂ ମୋ’ର ଯାବତୀୟ ଗୁଣସାମର୍ଥ୍ୟର ଉପାର୍ଜନକୁ ମୁଁ ନିଃଶଙ୍କ ଚିତ୍ତରେ ପ୍ରାୟ ଏକ ଅନ୍ତର୍ଗତ ଧର୍ମଦ୍ଵାରା ପ୍ରେରିତ ହେଲାପରି ଜଗତ୍ ଉଦ୍ଦେଶ୍ୟରେ ଅଜାଡ଼ି ଦେଇପାରୁଥିବି,–ଏଇ କ’ଣ ‘କେମିତି’ଟାରୁ ଜାଣିଲେ ହୋଇଯିବ ? ନିଜ ଭିତରର ସ୍ଵଭାବଗତ ‘କାହିଁକି’ଟାର ସ୍ପର୍ଶ ଓ ପ୍ରେରଣା ଲାଭ ନକଲେ ନିଜର ସ୍ଵାଭାବିକ ‘କେମିତି’ଟାକୁ ମଧ୍ୟ ମଣିଷ କିପରି ଆବିଷ୍କାର କରିପାରିବ ? ମୁଁ ଅନୁଭବ କରୁଛି, ନିଜଭିତରେ ଏପରି ଏକ ‘କାହିଁକି’ର ଥାନ ରହିଛି, ଯାହାକୁ କି ଆପଣା ଜୀବନର ସମ୍ଭାବ୍ୟ ଯାବତୀୟ ‘କେମିତି’ର ଜନନୀ ବୋଲି କୁହାଯାଇପାରିବ । ଏବଂ, ଯିଏ ସେହି ‘କାହିଁକି’ଟିର ଉଚ୍ଚାଟନଟିକୁ ସ୍ଵାଭାବିକ ଭାବରେ ଅନୁଭବ କରିପାରୁଛି, ତାକୁ ‘କେମିତି’ମାନଙ୍କୁ ଖୋଜି ପାଇବାଲାଗି କଦାପି କୌଣସି ଶାସ୍ତ୍ର ପାଖକୁ ବା ବିଜ୍ଞ ପରାମର୍ଶଦାତାଙ୍କ ପାଖକୁ ଯିବାକୁ ପଡ଼ୁନାହିଁ । ‘କାହିଁକି’ର ଉତ୍ସସ୍ଵରୂପ ସେଇ ଅସଲ ‘କେମିତି’ଗୁଡ଼ିକୁ ମଧ୍ୟ ସର୍ବଦା ଉତ୍ସ ହୋଇ ରହିଛନ୍ତି ବୋଲି ହୁଏତ ଅନେକ ସଙ୍ଗତିର ସହିତ କୁହାଯାଇପାରିବ । ମୋ’ ‘କାହିଁକି’ର ତୃଷ୍ଣାଗୁଡ଼ିକ ମୋତେ ମୋ’ ‘କେମିତି’ଗୁଡ଼ିକର ଅବଶ୍ୟ ସନ୍ଧାନ ଦେଇଯାଇ ପାରୁଥିବ ।

 

୮ । ୭ । ୯୨

 

Challenge ଆସେ, challenge ରହିଥାଏ । ମାତ୍ର, ଆମେ ପ୍ରତ୍ୟେକେ ଆମ ନିଜର ବାସନା ଓ ନିଜର ସାହସ ଅନୁସାରେ ତାହାକୁ ଗ୍ରହଣ କରିଥାଉ । ସେହି ଅନୁସାରେ ତାହାର ବ୍ୟାଖ୍ୟା ମଧ୍ୟ କରିଥାଉ । ବେଳେବେଳେ ଆପଣା ବ୍ୟାଖ୍ୟାର ମାଡ଼ ମାରି ତାହାକୁ ଫେରାଇ ମଧ୍ୟ ଦେଇଥାଉ ।

 

କିଞ୍ଚିତ୍ ନକାରବାଦୀ ହୋଇ ସମ୍ଭବତଃ କୁହାଯାଇପାରିବ ଯେ challenge ବୋଲି କେଉଁଠି କିଛି ପ୍ରକୃତରେ ଏକ ବସ୍ତୁରୂପ ଧରି ଆଦୌ ନଥାଏ, ଯାହାକୁ କି ସମସ୍ତଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇ ଦେଇହେବ କିମ୍ବା ଯାହାକୁ ସମସ୍ତେ ଆଖିଟାକୁ ମେଲା କରି ଧରିପାରିଲେହିଁ ଅବଶ୍ୟ ଦେଖି ପାରିବେ । ଆମ ନିଜ challengeଟିର ପ୍ରସାର, ପରିସର ତଥା magnitudeକୁ ଆମେ ସ୍ଵୟଂ ରୂପ ଓ ଭାଷ୍ୟ ଦେଇଥାଉ । ଆମର ସମ୍ମତିହିଁ ତାହାକୁ ଏକ ଉପଯୁକ୍ତ ଅଥବା ଅନୁପଯୁକ୍ତ ବିସ୍ତାର ଏବଂ ବ୍ୟଞ୍ଜନା ଦେଇଥାଏ । ଆଗକୁ ଗୋଟିଏ ପାଦ ପକାଇବା ଲାଗି ସିଏ ଯେତିକି ପ୍ରସ୍ତୁତ ଥାଏ ଅଥବା ଯେତିକି ପରିମାଣରେ ନିଜକୁ ଉନ୍ମୋଚିତ କରିଦେବା ନିମନ୍ତେ ରାଜି ଥାଏ, ସେତିକି ପରିମାଣରେ ଅର୍ଥାତ୍ ସେତିକି ଆୟାମ ଦେଇ challengeଟିକୁ ଘ୍ରାଣ କରିବା ଲାଗି ସମର୍ଥ ହୁଏ । ଇତିହାସର କୌଣସି ସନ୍ଦେଶ ଅଥବା କୌଣସି ଚକ୍ଷୁଷ୍ମାନ୍ ଦ୍ରଷ୍ଟାର ଆବେଦନକୁ ମଣିଷମାନେ ନିଜ ନିଜର ଦୃଷ୍ଟିକାଠିଦ୍ଵାରା ମାପନ୍ତି ଏବଂ ସେହି ଅନୁସାରେ ଜୀବନରେ ତାହାକୁ ଗ୍ରହଣ କରନ୍ତି । ସେହି କାରଣରୁହିଁ, ଅନେକ ସମୟରେ challenge ଆସେ, ମାତ୍ର ତା’ଲାଗି କୌଣସି response ମିଳେନାହିଁ । ଅଥବା challenge ନିରନ୍ତର ରହିଥାଏ, ବେଳେବେଳେ ସତେଅବା ମୂର୍ତ୍ତ ହୋଇ ଅଙ୍କୁଶ ପରି ଖେଞ୍ଚି ମଧ୍ୟ ଦେଉଥାଏ, ତଥାପି ଅନେକ ମଣିଷ ତାହା ବିଦ୍ୟମାନ ରହିଛି ବୋଲି ଆଦୌ ଅନୁଭବ କରୁନଥାନ୍ତି । ଅର୍ଥାତ୍, ଆମ ନିଜର ଅନ୍ତର୍ଗତ ସମ୍ବେଦନାଗୁଡ଼ିକୁ ଯଥାର୍ଥରେ ଗ୍ରହଣଶୀଳ କରିପାରିଲେ ଯାଇ ଆମେ ଆମର challenge ଗୁଡ଼ିକୁ ଯଥାଯୁକ୍ତ ଆୟତନ ଦେଇ ଗ୍ରହଣ କରିପାରିବୁ । ନିଜକୁ ତିଆରି କରି ରଖିଥିଲେ ଯାଇ ଆମେ ଗଭୀରଗୁଡ଼ିକୁ ସ୍ପର୍ଶ କରିପାରିବୁ ଏବଂ ଉଚ୍ଚତାଗୁଡ଼ିକୁ ମଧ୍ୟ ସତକୁସତ ମନ କରିପାରିବୁ ।

 

୯ । ୭ । ୯୨

 

ଯଥେଷ୍ଟ ଶକ୍ତି ଅର୍ଜନ କରିନଥିବା ମଣିଷ କେଡ଼େ ଚଞ୍ଚଳ ଅନ୍ୟମନସ୍କ ହୋଇଯାଏ, ତା’ ଶିଖରରୁ ତଳକୁ ଖସିଯାଏ । ତେଣୁ, ଶକ୍ତି ଯେ କେବଳ ବଳ ଦିଏ ତା’ ନୁହେଁ, ଶକ୍ତି ଆମକୁ କେନ୍ଦ୍ରସ୍ଥ ହୋଇ ରହିବାରେ ମଧ୍ୟ ସାହାଯ୍ୟ କରିଥାଏ । ସେହି କେନ୍ଦ୍ରଟିକୁ ଆପଣାର ପରମ ଅବଲମ୍ବନରୂପେ ମାନିବା, ଏକଥା କେବଳ ଜଣେ ଶକ୍ତିମାନ୍ ମନୁଷ୍ୟଦ୍ଵାରାହିଁ ସମ୍ଭବ ହୋଇଥାଏ ।

 

ଯଥାର୍ଥ ଶକ୍ତିଦ୍ୱାରା ଶକ୍ତିମାନ୍ ହୋଇଥିବା ଜଣେ ମନୁଷ୍ୟ କଦାପି ଅହଂସଚେତବି ହୁଏନାହିଁ । ବାହାରେ ତଥା ଭିତରେ ଯେଉଁଠାରେ ଏକ ଅକାରଣ ଏବଂ ଅନାବଶ୍ୟକ ଅହଂସଚେତତା ରହିଥାଏ, ସେହି କ୍ଷେତ୍ରରେ କେଉଁଠି ଏକ ଦୁର୍ବଳତା ବା ଶକ୍ତିହୀନତା ମଧ୍ୟ ଲୁଚି ଲୁଚି ରହିଥାଏ । ସେହି ଶକ୍ତିହୀନତାକୁ ଲୁଚାଇ ରଖିବାରେ ଆମର ଅହଂକାରମାନେ ଅନେକ ସମୟରେ ସାହାଯ୍ୟ କରନ୍ତି କି ? ଆପଣାର ଅହଂଗତ ପ୍ରେରଣାଗୁଡ଼ିକରୁ ମୁକ୍ତ ହୋଇହିଁ ମୁଁ ଆପଣା ଭିତରର ଅମିତ ଶକ୍ତିର ପରିଚୟ ପାଇଛି । ସେହି ଶକ୍ତିଗୁଡ଼ିକୁ ଠାବ କରିପାରିଛି ଏବଂ ସମ୍ପଦବାନ୍ ହୋଇଛି । ଅହଂଦ୍ଵାରା ଛନ୍ଦି ମକଚି ହୋଇ ରହିଥିବା ମଣିଷମାନେ କେଡ଼େ ଚଞ୍ଚଳ ଯେ ନିଜ କେନ୍ଦ୍ରଟିରୁ ଖସିଯାଆନ୍ତି ଓ ନିଜକୁ ରକ୍ଷା କରିବାର ବହୁ ହରକତରେ ସନ୍ତାପିତ ହୋଇ ପଡ଼ନ୍ତି, ମୁଁ ତାହାର ଅନେକ ଦୃଷ୍ଟାନ୍ତ ଦେଖିଛି । ଏବଂ, ଅନ୍ୟ ପକ୍ଷରେ, ଅହଂଶୂନ୍ୟ ସ୍ଵାଭାବିକ ମଣିଷଟିଏ ମୋତେ ସର୍ବଦା ସଂକେନ୍ଦ୍ରିତ ଏବଂ ଶକ୍ତିମାନ୍ ହୋଇ ରହିବାରେ କେତେ ନା କେତେ ସାହାଯ୍ୟ କରିଛି । ଦୁର୍ବଳ ମଣିଷର ନିଜର ଅହଂପ୍ରତି ଗୋଟାଏ ମୋହ ମଧ୍ୟ ରହିଥାଏ । ଆପଣାର ଅସଲ ବଳର କେନ୍ଦ୍ରଟିରୁ ହାତଛଡ଼ା ହୋଇ ରହିଥିବାରୁ ସିଏ ଏତେ ଟିକିଏ ଦୋହଲିଗଲାମାତ୍ରକେ ଅହଂଟାକୁ ଯାଇ ଜାବୁଡ଼ି ଧରେ ଏବଂ ଆପଣା ପାଖରେ ସତେଅବା ଭାରି ଶୋଚନୀୟ ହୋଇ ଦେଖାଦିଏ । ମୋ’ର ସ୍ଵଶକ୍ତିହିଁ ମୋତେ ଅନ୍ୟମନସ୍କ ହେବାର ଦୁର୍ଗତିରୁ ସତତ ରକ୍ଷା କରିବାରେ ସମର୍ଥ ହେଉ । କାମରେ ଲାଗିଲାବେଳକୁ ଯାହା ସ୍ଵଶକ୍ତି, ତାହା ପ୍ରକୃତରେ ତାଙ୍କରି ଶକ୍ତି ।

 

୧୦ । ୭ । ୯୨

 

ସ୍ଥାନ ଅସ୍ଥାନ ବାରୁଥିଲା ପର୍ଯ୍ୟନ୍ତ ଗୋଟାଏ ସ୍ଥାନର ମାହାତ୍ମ୍ୟ ଠାରୁ ଆଉ ଗୋଟାଏ ସ୍ଥାନର ମାହାତ୍ମ୍ୟ ଅଧିକ ବା ଅଳ୍ପ ବୋଲି ଏକ ଭାବନା ଭାରି ଭାବପ୍ରବଣ ଭାବରେ ଜଣେ ମଣିଷକୁ କାମୁଡ଼ି ଧରିଥାଏ । ସ୍ଥାନର ମାହାତ୍ମ୍ୟ ନାମକ ଏହି ପ୍ରକରଣଟି ଧର୍ମ ଓ ଉପାସନାର କ୍ଷେତ୍ରରେ ସମ୍ପ୍ରଦାୟମାନେ ଆରମ୍ଭ କରିଛନ୍ତି ଏବଂ ଏକ ଦୃଷ୍ଟିକୋଣ ହିସାବରେ ପୌତ୍ତଳିକତା ସହିତ ତାହାର ସମ୍ବନ୍ଧ ରହିଛି । ପୌତ୍ତଳିକ ପିତୁଳା ପୂଜା କରୁ କରୁ ତାହାରି ଭିତରେ ଲାଖିଯାଏ, ପିତୁଳା ଭିତରେହିଁ ଯାବତୀୟ ମର୍ମକୁ ଦେଖେ ଓ ପିତୁଳା ବାହାରେ ତୁଚ୍ଛା ମାୟା ଦେଖିଥାଏ । ଏହି ଅରୀତିଟିଦ୍ଵାରା ତା’ର ପିତୁଳା ପୂଜାଟା ମଧ୍ୟ ପ୍ରାୟ ଅକାରଣ ହୋଇଯାଏ । ଯାବତୀୟ ସମ୍ବନ୍ଧ ସ୍ଥାପନରେ ସେଗୁଡ଼ାଏ ଭାବପ୍ରବଣତା ପୂରାଇ ରଖିଥାଏ ଓ ବନ୍ଦି ହୋଇ ରହିଯାଏ ।

 

ମାହାତ୍ମ୍ୟ ବୋଲା ହୋଇଥିବା ଏହି ଯେଉଁ ସ୍ଥାନଗୁଡ଼ିକୁ,–ଏଗୁଡ଼ିକ ମଣିଷକୁ ତା’ର ଅସଲ ଆସ୍ଥାନଟିକୁ ଅର୍ଥାତ୍ ତା’ ଭିତରକୁ ବାଟ କଢ଼ାଇ ନେଇ ଯାଉଥାନ୍ତେ । ମାତ୍ର ଏହି ତଥାକଥିତ ବିଶେଷ ସ୍ଥାନ ଓ ତୀର୍ଥଗୁଡ଼ିକୁ ଆସିଲେ ମନେହୁଏ, ସତେଯେପରି ମଣିଷମାନେ ବାହାରେ ଏହିସବୁ ବିଶେଷତାକୁ ଥାପି ଏପରି ମଜି ରହି ଯାଇଛନ୍ତି ଯେ, ବାହାରେ ସତକୁସତ ଆଦୌ କିଛି ଆହ୍ଵାନ ରହିଛି ବୋଲି ସେମାନଙ୍କର ଆଉ ହୋସ୍‍ବି ହେଉନାହିଁ । ବରଂ ପୃଥିବୀଯାକର ମଣିଷଙ୍କୁ ସେମାନେ ଏହି ତଥାକଥିତ ଥାନଟିକୁ ଆସି ଦେବତାଦର୍ଶନ କରିବା ଲାଗି ଏକ ପ୍ରଲୋଭନର ଇତିହାସ ନିର୍ମାଣ କରି ରଖିଛନ୍ତି ଓ ପୃଥିବୀର ମଣିଷକୁ ତା’ର ଅସଲ ଆରୋହଣ ତଥା ଚିତ୍‍ ପ୍ରବେଶଗୁଡ଼ିକର କ୍ଷେତ୍ରରେ ସତେଅବା ଭାରି ବାଉଳା କରି ରଖିଛନ୍ତି । ତାକୁ ତା’ ନିଜ ସମ୍ଭାବନା ଓ ଉନ୍ମୋଚନଗୁଡ଼ିକ ବିଷୟରେ ମଧ୍ୟ ବାଉଳା କରି ପକାଇଛନ୍ତି । ନିର୍ଦ୍ଦିଷ୍ଟ ଥାନମାନଙ୍କରେହିଁ ଯାବତୀୟ ମାହାତ୍ମ୍ୟକୁ ଖୋଜି ବୁଲୁଥିବା ମଣିଷ ନିଜ ହୃଦ୍‌ବିସ୍ତାରର ଅସଲ କ୍ଷେତ୍ରଗୁଡ଼ିକରେ ସତେଅବା ଜଡ଼ବତ୍ ହୋଇ ରହିଛି । ଥାନରେ ଘଣ୍ଟଗୁଡ଼ିକ ଏଡ଼େ ଅତି ପରାକ୍ରମ ସହିତ ବାଜିବାରେ ଲାଗିଛନ୍ତି ଯେ ତଦ୍ଦ୍ଵାରା ତା’ର ଅସଲ କାନଗୁଡ଼ିକ ଏକାବେଳେକେ ବଧିରା ହୋଇଯାଉଛି ।

ରୋହିତର ଡାଏରୀ (ବିଂଶ ପର୍ବ)

 

୧୧ । ୭ । ୯୨

 

ଭାରତବର୍ଷର ମହାପୁରୁଷମାନେ ସେମାନଙ୍କର କାଳରେ ଯାହାସବୁ କହୁଥିଲେ ବା ଲେଖୁଥିଲେ, ଆମେ ଆମ କାଳର ପରିପ୍ରେକ୍ଷୀରେହିଁ ସେଗୁଡ଼ିକର ପୁନର୍ବିନ୍ୟାସ କରିବାକୁ ଚେଷ୍ଟା କରିବା । କେବଳ ଭାବପ୍ରବଣତାଦ୍ଵାରା ମଣିଷ କେମିତି ଯେ ହୁଡ଼ି ବସେ, ଅର୍ଥାତ୍ ସେ ଯାହାପାଇଁ ଜୀବନପଣ କରୁଥାଏ, ନିଜକୁ ତା’ଠାରୁ ଅଲଗା କରି ରଖିଥାଏ, ଭାରତବର୍ଷରେ କେବଳ ପୁରାତନ ଯୁଗରେ ନୁହେଁ, ଆମର ଏହି ଆଧୁନିକ ଯୁଗରେ ମଧ୍ୟ ତାହାର ବହୁ ପ୍ରମାଣ ମିଳିଯାଇ ପାରିବ । ସେକାଳର ଯାବତୀୟ ଉନ୍ମାଦନାମୟ କଥା ସତ୍ତ୍ୱେ ଆମର ସାମୂହିକ ସମ୍ବନ୍ଧଗତ ପ୍ରକ୍ରିୟାରେ ହୁଏତ କେଉଁଠାରେ କ’ଣ ଅଣଉପାଦାନମାନ ଆସି ପଶିଗଲା, ଯାହାଫଳରେ ଆମର ସକଳ ସାଧୁତା ସତ୍ତ୍ୱେ ଆମ ପ୍ରୟାସମାନଙ୍କରେ ନାନାବିଧ ଅସାଧୁତା ଆସି ପ୍ରବେଶ କଲା । ଅତ୍ୟନ୍ତ ନିର୍ମୋହ ଭାବରେ ସେହି କଥାଟିର ଆଲୋଚନା ଓ ଚର୍ଚ୍ଚା ହେବା ଉଚିତ ଏବଂ ବିସ୍ମରଣର ଅସଲ ବିନ୍ଦୁଗୁଡ଼ିକର ଆବିଷ୍କାର ହେବା ଉଚିତ ।

 

ଗରିବମାନଙ୍କର କଥାକୁ ଏ ଦେଶରେ ବଡ଼ଲୋକମାନେ କହିଲେ ଓ ସେଥିରୁ ନିଜପାଇଁ କେତେ ଆନନ୍ଦ ପାଇଲେ । ବଞ୍ଚିତମାନଙ୍କର କଥା ବଞ୍ଚକମାନେ କହିଲେ ଏବଂ ସେଥିରୁ କେତେ ମିଛ ପ୍ରବୋଧନା ଲାଭ କଲେ । ବାହାରେ ଥାଇ ପ୍ରାୟ ଯାବତୀୟ ଉନ୍ମୋଚନ ପଥକୁ ଉଗାଳି ବସିଥିବା ଭାଗ୍ୟବନ୍ତ ଏବଂ ବିଦ୍ୟାବନ୍ତମାନେ ଭାରତବର୍ଷରେ ଦୁଃଖୀମାନଙ୍କୁ ଦୟା ପ୍ରଦର୍ଶନ କରିବାର କେତେ ଯୋଜନା କଲେ ଏବଂ ତେଣେ ବିମୋଚନର ଯାବତୀୟ ଜଳପ୍ରବାହକୁ ସ୍ଵୟଂ ଅଧାବାଟରୁ ଶୋଷିନେଲେ । ଏଗୁଡ଼ିକର ସବାଆଗ ଚର୍ଚ୍ଚା ନକଲେ ଏବଂ ଆପଣା ଅଙ୍ଗୀକାରବଦ୍ଧତାଗୁଡ଼ିକର ଏକ ବିଶ୍ଵାସଯୋଗ୍ୟ ପ୍ରତ୍ୟୟପତ୍ର ନଦେଲେ ସେମାନଙ୍କୁ କିଏ କାହିଁକି ଗ୍ରହଣ କରିବ ? ଗୈରିକ ବସନ ପିନ୍ଧିଲେ ଅଥବା ହାତରେ ଧର୍ମପୁସ୍ତକ ଧରିଥିଲେ ମଧ୍ୟ ସେମାନଙ୍କୁ କେହି ସାଧୁ ବୋଲି ଗ୍ରହଣ କରିବେ ନାହିଁ । ଭାରତବର୍ଷରେ ପ୍ରଚଳିତ ହୋଇ ଆସିଥିବା ଏହି ରୀତିଟିର ସାହସୀ ବ୍ୟତିକ୍ରମମାନ ଦେଖାଇ ପାରିଲେ ଯାଇ ହୁଏତ ଏଠାରେ ଯଥାର୍ଥ ଆରମ୍ଭ ବୋଲି କିଛି ହୋଇପାରିବ । ମଣିଷକୁ ବିଶ୍ଵାସ ଦେଇ ପାରିଲାଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇପାରିବ ।

 

୧୭ । ୭ । ୯୨

 

ଏହି ସପ୍ତାହରେ ବାଙ୍ଗାଲୋର କେନ୍ଦ୍ର କାରାଗାର ଭିତରକୁ ଯିବାର ସୁଯୋଗ ମିଳିଥିଲା ଦୀର୍ଘ ଅଠଚାଳିଶିବର୍ଷ ପରେ । ୧୯୪୪ ମସିହାରେ ସେଠାରେ ମୋତେ ଯେଉଁ ନିଭୃତ କକ୍ଷ ଭିତରେ ବନ୍ଦି କରି ରଖାଯାଇଥିଲା, ସେଗୁଡ଼ିକ ଆଉ ନାହିଁ । ପୂରା କାରାଗାରଟିକୁ ଏବେ ଏକ ନୂଆ ଛାଞ୍ଚରେ ତିଆରି କରାଯାଇଛି । ତଥାପି, ସେକାଳର ପୁରୁଣା କେତୋଟି ଗଛକୁ ଦେଖି ମୁଁ ପୁରୁଣା ନିବାସ ଥାନଟିକୁ ବେଶ୍ ଚିହ୍ନିନେଇ ପାରିଲି ।

 

ଏବଂ, ବିଗତ ସେହି କାଳଟି ମଧ୍ୟ କେଡ଼େ ସ୍ପଷ୍ଟଭାବରେ ମୋ’ର ନୟନପଥଗାମୀ ହୋଇ ପାରୁଥିଲା । ସେହି କାଳଟି ମୋ’ ନିଜ ଜୀବନରେ ଯେଉଁ ତାତ୍ପର୍ଯ୍ୟ ରଖୁଥିଲା, ଏବଂ ସମଗ୍ର ଦେଶଲାଗି ମଧ୍ୟ ଯେଉଁ ତାତ୍ପର୍ଯ୍ୟ ରଖୁଥିଲା, ମୁଁ ତାହାକୁ ସତେଅବା ମୋ’ର ଏକାନ୍ତ ସମ୍ମୁଖରେ ଏକ ଏକାନ୍ତ ବର୍ତ୍ତମାନରୂପେ ଅନୁଭବ କରିପାରୁଥିଲି । ଅତୀତକୁ ଦେଖିଲେ ଅନେକ ମଣିଷ ଭାରି ଝୁରିଲାପରି ହୁଅନ୍ତି । ମୁଁ ଝୁରି ନଥିଲି । ଅତୀତର ସେହି ସାମୂହିକ ଉଦ୍‌ବେଳନରେ ଯେ ମୁଁ ଅଂଶଗ୍ରହଣ କରିଥିଲି, ମୁଁ ସେଥିଲାଗି ଗର୍ବ ଅନୁଭବ କରୁଥିଲି । ସେତେବେଳେ ଆମ ଅନେକଙ୍କର ଜୀବନ ଏକ ଶପଥମୟ ଜୀବନ ହୋଇ ରହିଥିଲା । ଆମେ ସେହି ଶପଥକୁହିଁ କେନ୍ଦ୍ରରେ ରଖି ନିଜର ଜୀବନକୁ ତାହାର ଯନ୍ତ୍ରରୂପେ ବ୍ୟବହାର କରିବାକୁ ଚେଷ୍ଟା କରୁଥିଲୁ । ସେହି ଶପଥଟି ବାହାରକୁ ଗୋଟିଏ ଦେଶର ରାଜନୈତିକ ମୁକ୍ତିଲାଭକୁ ସର୍ବସ୍ଵରୂପେ ଗ୍ରହଣ କରିଥିବା ପରି ଦେଖା ଯାଉଥିଲା ସତ, ମାତ୍ର ତା’ ଭିତରେ ସର୍ବମାନବୀୟ ମୂଲ୍ୟବୋଧର ଏକ ଜୀବନ୍ତ ଆହ୍ଵାନ ମଧ୍ୟ କେଡ଼େ ସଚଳ ହୋଇ ରହିଥିଲା । ତେଣୁ, ଭାରତ ରାଜନୀତିକ ସ୍ଵାଧୀନତା କଲାପରେ ମଧ୍ୟ ସେହି ଶପଥ ତଥାପି ରହିଲା, ସେହି ମୂଲ୍ୟବୋଧମାନେ କ୍ରମୋତ୍ତୋଳିତ ହୋଇ ପ୍ରାୟ ଏକ ଆଧ୍ୟାତ୍ମିକ ଜୀବନ ପ୍ରେରଣାରେ ପରିଣତ ହୋଇଗଲା । ତେଣୁ, ଅନ୍ତତଃ ନିଜପାଇଁ କୌଣସି ଗୋଟିଏ ହେଲେ ସଂଗ୍ରାମ ସରି ଗଲାନାହିଁ । ସେହି ସଂଗ୍ରାମ ମୋ’ ଜୀବନରେ ଏବେ ମଧ୍ୟ ଚାଲିଛି । ଭିତରର ବିଶ୍ୱାସମାନେ ଦୃଢ଼ମୂଳ ହୋଇ ରହିଛନ୍ତି । ଅଧ୍ୟାତ୍ମ ଭିତରେ ଭୋଗର କୌଣସି ସ୍ଥାନ ନଥାଏ; ତେଣୁ, ଏହି ଦେଶଟାକୁ ଅଥବା ଏହି କାଳଟାକୁ ଭୋଗ କରିବାର କଥାଟିକୁ ମୁଁ ଏପର୍ଯ୍ୟନ୍ତବି କେବେହେଲେ ଚିନ୍ତା କରିପାରିନାହିଁ ।

 

୧୮ । ୭ । ୯୨

 

ଅଧ୍ୟାପକଟିଏ ହେବାଲାଗି ଅନେକ ବ୍ୟକ୍ତି ସାହିତ୍ୟର ଅନୁଶୀଳନ କରନ୍ତି । କହୁ କହୁ କହିବାର କଳାକୁ ଆୟତ୍ତ କରନ୍ତି ଏବଂ ଲେଖୁ ଲେଖୁ ଲେଖିବାର ଶୈଳୀଟିଏ ମଧ୍ୟ ପାଇଯାଆନ୍ତି । ତଥାପି, ସତେଅବା ନିଜ ଜୀବନଯାକ ଅଧ୍ୟାପକଟିଏ ହୋଇ ରହି ଯାଆନ୍ତି, ସାହିତ୍ୟର ସ୍ୟାହି ମାଡ଼ି ପାରନ୍ତିନାହିଁ । ସାହିତ୍ୟକୁ ଭଲ ପାଇବା, ସାହିତ୍ୟର ପ୍ରେରଣାରେ ବାଟଟିଏ ଚାଲିବା,–ଏସବୁ ତ ଆହୁରି ଅଧିକ ଦୂରର କଥା । ସେମାନଙ୍କ ପାଖରେ ବସିଲେ ଖାଲି ସେମାନଙ୍କ କଥାରୁ ନୁହେଁ, ସେମାନଙ୍କର ଦେହରୁ ମଧ୍ୟ ସତେଅବା ଅଧ୍ୟାପକତାର କେତେ କେତେ ଗନ୍ଧ ମିଳି ଯାଉଥାଏ ସିନା, ମାତ୍ର ସାହିତ୍ୟର ବାସନାଟି ମୋଟେ ମିଳେନାହିଁ; ସତେଯେପରି ଅଧ୍ୟାପକଟିଏ ହୋଇଥିବାର ଅଧିକାରଦ୍ଵାରାହିଁ ସେମାନେ ସାହିତ୍ୟ ଭିତରକୁ ଅଧିକାର ପାଇଛନ୍ତି, ସେହିଭଳି ମନେ ହୋଇଥାଏ-। ସେମାନେ ଭାରି ଧରା ପଡ଼ିଯାଆନ୍ତି ।

 

ସାହିତ୍ୟକୁ ଭଲ ପାଇ, ସାହିତ୍ୟରେ ଆନ୍ତରିକତାର ବାଟଟିଏ ଚାଲି ଯେଉଁମାନେ ଅଧ୍ୟାପନା ଭିତରକୁ ଆସିଥାନ୍ତି, ସେମାନଙ୍କର କଥା ଏକାବେଳେକେ ଅଲଗା । ଅଧିକାଂଶ ସମୟରେ ସେମାନେ ଅଧ୍ୟାପନା ନାମକ ଏକ system ଭିତରେ ମୋଟେ ଖାପ ଖାଇ ପାରନ୍ତିନାହିଁ । ଭାରି ଛଟପଟ ହେଉଥାନ୍ତି । ଅଧ୍ୟାପନା ସମୟରେ ଆପଣାର ଅଧ୍ୟାପକପଣ ତଥା ଅଧ୍ୟାପକପଦକୁ ଭୁଲିଯାଆନ୍ତି, ଏକାବେଳେକେ ବନ୍ଧୁଟିଏ ହୋଇଯାଆନ୍ତି । ଏମାନେ ଅନୁରାଗର ସଂକ୍ରମଣ କରାନ୍ତି । କେବଳ ସାହିତ୍ୟ ପ୍ରତି ତଥାକଥିତ କୌଣସି ବିଶେଷ ଅନୁରାଗର ନୁହେଁ, ଜୀବନପ୍ରତି ଏକ ସମଗ୍ର ଓ ସର୍ତ୍ତହୀନ ଅନୁରାଗର ସଂକ୍ରମଣ କରାନ୍ତି । ସେମାନେ ଗାର ମାନନ୍ତି ନାହିଁ, ଗାରମାନଙ୍କୁ କେଡ଼େ ସାବଲୀଳ ଭାବରେ ଡିଆଁଇ ନିଅନ୍ତି । ସବାଆଗ ଅଧ୍ୟାପକଟିଏ ହୋଇ ରହିବାକୁ ସାହିତ୍ୟ ଭିତରେ ପଶିଥିବା ଅନ୍ୟ ବ୍ୟକ୍ତିଟି ଅତ୍ୟନ୍ତ ସତର୍କତା ସହିତ ଗାରଭିତରେ ରହିଥାଏ । ଗାରଗୁଡ଼ିକୁ କେବେହେଲେବି ନଡେଇଁବାକୁ ସାଧୁପଦେଶ ଦେଉଥାଏ । ସିଏ ରୀତିରେ ଥାଏ, କେବେହେଲେ ପ୍ରୀତିକୁ ମନ କରେନାହିଁ । ଯାବତୀୟ ପ୍ରୀତିକୁ ଈର୍ଷା କରେ, ହିଂସା କରେ । ଆପଣାର ଛାତ୍ରମାନଙ୍କୁ ସିଏ କୌଣସି ସଙ୍ଗ ଦେଇ ପାରେନାହିଁ ।

 

୧୯ । ୭ । ୯୨

 

ଭଲ ପାଇ ବାର ବାର ଭୁଲ୍ କରିବ, ବାର ବାର ଝୁଣ୍ଟିବ ଓ ବାର ବାର ବୋକା ବନିବ ପଛକେ, ଘୃଣା କରି ତଥାକଥିତ ସଫଳତା ଓ ଗରିଷ୍ଠତା ହାସଲ କରିବା ଅପେକ୍ଷା ତାହା ଅନେକ ଗୁଣରେ ଅଧିକ ଭଲ । ଆମ ପୃଥିବୀରେ ଘୃଣା କରୁଥିବା ଲୋକମାନଙ୍କର ସଂଖ୍ୟା ଏପରି ଭାବରେ ବଢ଼ୁଛି ଓ ନିଜ ଅନ୍ତର ଭିତରେ ସୁପ୍ତ ହୋଇ ରହିଥିବା ଭଲ ପାଇବାର ବୃତ୍ତିଟିକୁ ମଣିଷମାନେ ସତେଅବା ବାହାରୁ ବାଧ୍ୟ ହେଲାପରି ଏପରି ଭାବରେ ଲୁଚାଇ ରଖିବାକୁ ଚେଷ୍ଟା କରୁଛନ୍ତି ଯେ, ଭଲ ପାଇବା ଆମର ଜୀବନ ବେଭାରରୁ କ୍ରମେ ବିଦାୟ ନେଇଯାଉଥିବା ପରି ଲାଗୁଛି । ଅତ୍ୟନ୍ତ ସଂକୀର୍ଣ୍ଣ ଅର୍ଥରେ ଭଲ ପାଇବା କହିଲେ ଏବେ ଗୁପ୍‍ଚୁପ୍ ହୋଇ ଅଥବା ଗାତରେ ପଶି ସତେଅବା କୌଣସି ଅକାର୍ଯ୍ୟ କରି ପକାଇବାକୁହିଁ ବୁଝାଇବାକୁ ଆରମ୍ଭ କଲାଣି । ଏବେ, ସାହିତ୍ୟ ମଧ୍ୟ ଭଲ ପାଇବା କହିଲେ ପ୍ରାୟ ସେତିକିକୁ ବୁଝିଲାଣି । ଭଲ ପାଇବା ଯେ ପ୍ରସାର ଆଣିଦିଏ, ଭୂମିରେ ଥାଇ ଆକାଶକୁ ହାତ ବଢ଼ାଏ, ସେ କଥା ଏବେ ଆଉ କାହାରି ମନେ ନଥିବା ପରି ମନେ ହେଉଛି ।

 

ଯୁକ୍ତ ହୋଇ ରହିବାକୁ ମନ କରୁଥିବା ମଣିଷଲାଗି ଭଲ ପାଇବା ବ୍ୟତୀତ ଅନ୍ୟ ଯୋଗମାର୍ଗ ଆଉ କ’ଣ ଥାଇପାରେ ? ଏବଂ, ଯୁକ୍ତ ହେବା ବ୍ୟତୀତ ମଧ୍ୟ ଭଲ ପାଇବା ପଛରେ ଆଉ କ’ଣ ଅନ୍ୟ ଉଦ୍ଦେଶ୍ୟବି ରହିଛି ? ଅବଶ୍ୟ ଏକଥା ସତ ଯେ, ଭଲ ପାଇବାର ଅକୁଶଳୀ ଆପଣାକାମୀମାନେ ଯେଉଁ ପରିଧି ଭିତରେ ରହିଥାନ୍ତି, ସେମାନେ ସତେଅବା ସେତିକିରେ ଗୁରାଇତୁରାଇ ହୋଇ ରହିଯାଆନ୍ତି ଏବଂ ପୃଥିବୀଯାକକୁ ଆପଣାର ସେହି ପରିଧିଟା ଭିତରକୁ ଟାଣି ଆଣିବାକୁ ଇଚ୍ଛା କରନ୍ତି । ତାହାକୁ ସଚରାଚର କାମୁକତା ବୋଲି କୁହାଯାଏ । ଭଲ ନପାଇ ପାରିବାର ଅନ୍ତ୍ରଭିତରେ ମଧ୍ୟ ଏକ କାମୁକତା ଗୁପ୍ତ ହୋଇ ରହିଥାଏ । ସକଳ ଘୃଣା ଭିତରେ ଯେଉଁ ହିଂସ୍ରତା ତୀବ୍ର ହୋଇ ରହିଥାଏ, ତାହା କାମୁକତା । ହିଂସ୍ରତା ଅର୍ଥାତ୍ କାମୁକତା ଗଲେ ଯାଇ ଭଲ ପାଇବାର ବୃତ୍ତ ଭିତରେ ପ୍ରବେଶ କରିବା ସମ୍ଭବ ହୁଏ । ଆପଣାକୁ ଦେଇ ହୁଏ । ସେତେବେଳେ ଯାଇ କାହାର ହୋଇପାରିବା ସମ୍ଭବ ହୁଏ ।

 

୨୦ । ୭ । ୯୨

 

ମନ୍ଦିରବାଲା କହୁଛନ୍ତି, ଆମେ ଆଗେ ହିନ୍ଦୁ, ତା’ପରେ ଯାଇ ମଣିଷ । ମସ୍‌ଜିଦବାଲା କହୁଛନ୍ତି, ଆମେ ଆଗ ମୁସଲମାନ ଓ ତା’ପରେ ଯାଇ ମଣିଷ । ପୃଥିବୀରେ ଆହୁରି କୋଟି କୋଟି ମଣିଷ ସେହିପରି ଭାବରେ ନିଜକୁ ଆଗ ଖ୍ରୀଷ୍ଟିଆନ୍, ଇହୁଦୀ, ଶିଖ ଅଥବା ଆଉ କ’ଣ ବୋଲି କହୁଛନ୍ତି । ଯେଉଁ ପିତୁଳାମାନଙ୍କୁ ଆଳ କରି ସେମାନେ ଏଭଳି କହୁଛନ୍ତି, ସେହି ପିତୁଳାମାନଙ୍କୁ ଧିକ୍ । ଯେଉଁ ମୂର୍ତ୍ତିମାନେ ମଣିଷକୁ ଯାବତୀୟ ଉପାସନା ତଥା ଉପଲବ୍‌ଧିର ଅସଲ ମର୍ମ ପାଖରେ ପହଞ୍ଚାଇ ଦେଇ ନପାରନ୍ତି, ସେମାନେ ଆମ ପାରସ୍ପରିକ ସମ୍ବନ୍ଧ ଏବଂ ଅନୁରାଗଗତ ଜୀବନରେ ଅନେକ ଅପସଂସ୍କୃତିର କାରଣ ହୁଅନ୍ତି । ସେହି ଅପସଂସ୍କୃତି ପଦାକୁ ବିସୋଂଟିତ ହେଲେ ପ୍ରଧାନତଃ ଏକ ରସିକତାହୀନ ବୀଭତ୍ସତାରେ ପରିଣତ ହୋଇଥାଏ । ସେହି ବୀଭତ୍ସତା ଯେତେବେଳେ ଏକ ରାଜନୀତିର ଭେଷ ପିନ୍ଧି ପ୍ରଚଣ୍ଡ ହୋଇ ନାଚିବାକୁ ଆରମ୍ଭ କରେ, ତାହା ବସ୍ତୁତଃ ମାନବ ଜୀବନର ଯାବତୀୟ ଭାଗ୍ୟ ଏବଂ ଫଳଶ୍ରୁତି ଲାଗି କାଳ ହୋଇଥାଏ ।

 

ଏହି ହିନ୍ଦୁମାନେ ଅଥବା ଏହି ମୁସଲମାନମାନେ କ’ଣ ଯାବତୀୟ ଧର୍ମାସକ୍ତି ପଛରେ ରହିଥିବା ମର୍ମସତ୍ୟଗୁଡ଼ିକୁ ଆଦୌ ଚିହ୍ନି ପାରୁନାହାନ୍ତି ? ଯେତେବେଳେ ଧର୍ମ ଜିଜ୍ଞାସାର ପଥରୁ ହୁଡ଼ି ଆସକ୍ତିର କବଳରେ ପଡ଼ିଯାଏ, ସମ୍ଭବତଃ ସେତିକିବେଳେ ତାହା ମନୁଷ୍ୟମାନଙ୍କୁ ଏପରି ନିର୍ବୋଧ କରେ, ଏପରି ଦୟନୀୟ ଭାବରେ ଆତ୍ମବିସ୍ମୃତ କରି ରଖିଥାଏ । ଆମ ସାମ୍ପ୍ରତିକ ପୃଥିବୀରେ ନିର୍ବୋଧ ମଣିଷମାନେ ଭଗବାନ୍‍ଙ୍କୁ ନେଇ ଏଭଳି ନାନାବିଧ ଅନାଚାର ଏବଂ ଅରସିକତା ଆରମ୍ଭ କରି ବସିଲେଣି ଯେ କ୍ରମେ ଭଗବାନ୍‍ଙ୍କୁ ମଧ୍ୟ ପ୍ରଧାନତଃ ନିର୍ବୋଧ ମଣିଷମାନଙ୍କର ଏକ ଆବଶ୍ୟକତା ବୋଲି କହିବାକୁ ମନ ହେଲାଣି । ଏହି ମନୁଷ୍ୟମାନେ ଏପରି ଭାବରେ ଗୋଟାଏ ଗୋଟାଏ ଖୋଳ ଭିତରେ ଯାଇ ପଶିଛନ୍ତି ଏବଂ କ୍ରମେ ସେହି ଖୋଳଗୁଡ଼ାକୁହିଁ ସତ୍ୟସାରଯୁକ୍ତ ଅସଲ ପୁରୁଷକାର ବୋଲି ବିଚାର କରୁଛନ୍ତି । ସେହି ଖୋଳ ଭିତରୁ ବାହାରି ଆସିବା ନିମନ୍ତେହିଁ ଯେ ଖୋଳଗୁଡ଼ିକ ଭିତରେ ପଶିବାକୁ ହୁଏ, ଆମ ଅତ୍ୟାଚାରୀମାନେ ସେ କଥା ଏକାବେଳେକେ ପାସୋରି ପକାଇଛନ୍ତି । ପାସୋରି ଦେବାର ସେହି ଅପକ୍ରିୟାଟି ପଛରେ ମନ୍ଦିର, ମସ୍‌ଜିଦ ଓ ଗିର୍ଜା ଇତ୍ୟାଦିର ମଧ୍ୟ ଆଦୌ କମ୍ ହାତ ରଖିନାହିଁ ।

 

୨୧ । ୭ । ୯୨

 

ଅଯୋଧ୍ୟାରେ ସଂସାରତ୍ୟାଗୀ ସନ୍ୟାସୀମାନେ କରସେବା କରୁଛନ୍ତି । କରସେବାର ପରମୋତ୍ସାହ ସେମାନଙ୍କୁ ଏପରି ମଜାଇ ରଖିଛି ଯେ, ସେମାନେ ସେହି ନିଶାରେ ଘେରାଉବି କରୁଛନ୍ତି, ଭଗବାନ୍‍ଙ୍କ ବିଷୟରେ ବିବିଧ ଉତ୍ତେଜିତ ଜୟନାଦ କରି ଭଗବାନ୍‍ଙ୍କର ମାନରକ୍ଷା କରିଛନ୍ତି ।

 

ରାଜନୀତିର କର୍ଦ୍ଦମମୟ ମତଲବଗୁଡ଼ାକର ଜାଲରୁ ବାହାରି କ୍ଷଣେ ଏହିସବୁ ଅବ୍ୟାପାର ଉପରେ ଦୃଷ୍ଟିପାତ କରିବାକୁ ଚେଷ୍ଟା କଲେ ଏହି ବିହ୍ଵଳ ସଂସାରତ୍ୟାଗୀମାନଙ୍କର ମଧ୍ୟରେ ଭାରତୀୟ ଧର୍ମସଂସ୍କୃତି ଭିତରେ କାଳକାଳରୁ ରହି ଆସିଥିବା ଏକ ସ୍ଵକୀୟ ରୋଗର ଲକ୍ଷଣଗୁଡ଼ିକୁ ବେଶ୍ ଅନ୍ଦାଜ କରାଯାଇପାରିବ । ଏହି ସନ୍ୟାସୀମାନେ ପରମ୍ପରାଗତ ଭାବରେ ସଂସାର ଛାଡ଼ିଥିଲେ ସତ, ମାତ୍ର ସେମାନେ ସତକୁସତ ଭଗବାନ୍‍ଙ୍କ ପାଇଁ ସଂସାର ଛାଡ଼ିଥିଲେ ଅଥବା ଆପଣା ମଧ୍ୟରେ ଥିବା କୌଣସି ମୂଳଭୂତ ଜୀବନବିରକ୍ତିର ତାଡ଼ନାରେ ସଂସାର ଛାଡ଼ିଥିଲେ, ଆମକୁ ସେହି ବିଷୟରେ ମଧ୍ୟ କିଞ୍ଚିତ୍ ଅନ୍ତର୍ଦୃଷ୍ଟି ମିଳିଯାଇ ପାରିବ । ଏମାନଙ୍କ ଭିତରେ କେତେ କ’ଣ ଅବସାଦ ଓ ତଜ୍ଜନିତ ଅସୂୟା ଲୁକ୍କାୟିତ ଏବଂ ଅବଦମିତ ହୋଇ ରହିଥିଲା । ଭଗବାନ୍ ନାମକ ଏକ ଆବରଣତଳେ ସେମାନେ ସେଗୁଡ଼ିକୁ ଘୋଡ଼ାଇ ରଖିବାଲାଗି ହୁଏତ ଭାରି ପରିଶ୍ରମ କରିଥିଲେ । ଭଗବାନ୍‍ଙ୍କ ଆଡ଼କୁ ଟାଣିହୋଇ ଯାଇଥିଲେ ସେମାନେ ତ ଯାବତୀୟ ଧର୍ମ ଓ ଓ ଧର୍ମସନ୍ତାପର ଊର୍ଦ୍ଧ୍ଵକୁ ମଧ୍ୟ ଉତ୍ତୋଳିତ ହୋଇଯାଇ ପାରିଥାନ୍ତେ ଏବଂ କଦାପି ଏ ଧର୍ମର ପକ୍ଷରେ ଅଥବା ସେ ଧର୍ମର ପ୍ରତିପକ୍ଷରେ ଲିପ୍ତ ହୋଇ ଲାଖି ଯାଇ ନଥାନ୍ତେ । ସେମାନଙ୍କ ଲାଗି ତାହାହିଁ କାଳ ହେଲା । ଏବଂ, ତାହାରିଫଳରେ ସେମାନେ ଆମ ସଂସାରଲାଗି ମଧ୍ୟ କାଳ ହେଲେ । ସଂସାର ଭିତରେ, ଆମର ଏହି ଯାବତୀୟ ମମତାମୟ ସାଧାରଣ ଜୀବନ ଭିତରେ ରହିଥିଲେ ସେମାନେ ହୁଏତ ଅଧିକ ନମନୀୟ ହୋଇ ପାରିଥାନ୍ତେ, ଏବଂ ସେମାନଙ୍କ ଭିତରେ ଏତେଗୁଡ଼ାଏ ଆତ୍ମଅସୂୟାମୂଳକ କୋପ ଅବଦମିତ ହୋଇ ରହିବାର କୌଣସି ଅବକାଶହିଁ ପାଇନଥାନ୍ତେ । ତେବେ, କ୍ରୋଧମାନେ ଉନ୍ମତ୍ତ ହୋଇ ଉଠିଥିବା ସମୟରେ ସେମାନେ ହୁଏତ ଧର୍ମର କଥା କହିଥାନ୍ତେ ଓ ବିହ୍ଵଳତା ତଥା କାତରତାଗୁଡ଼ାକୁ ଶାନ୍ତ କରି ରଖିବାରେ କିଛି ପରିମାଣରେ ସାହାଯ୍ୟ ମଧ୍ୟ କରିପାରିଥାନ୍ତେ ।

 

୨୨ । ୭ । ୯୨

 

ସାଧୁମାନେ ଭଗବାନ୍‍ଙ୍କୁ ପାଇବା ଲାଗି ସଂସାର ଛାଡ଼ି ଯାଇଥିଲେ । ଭଗବାନ୍‍ଙ୍କୁ ପାଇଲେ କି ନାହିଁ, ସେ କଥା କେବଳ ସେହିମାନେହିଁ ଜାଣିଥିବେ । ମାତ୍ର, ଅଯୋଧ୍ୟାରେ ଘଟୁଥିବା ଅବ୍ୟାପାରମାନ ପ୍ରମାଣ କରି ଦେଉଛି ଯେ, ସେମାନେ ସତେଅବା ଆପଣାର ଉପଲବ୍‌ଧି ତଥା ଅନୁପଲବ୍‌ଧିଗୁଡ଼ିକୁ ଧରା ପକାଇ ଦେବାକୁହିଁ ପୃଥିବୀର ଶାନ୍ତିଭଙ୍ଗ କରିବାର କାରଣ ହେଲେ । ଏହି ସାଧୁମାନେ ସମ୍ପ୍ରଦାୟ ପାଖରେହିଁ ରହିଗଲେ, ମୂର୍ତ୍ତି ଏବଂ ମନ୍ଦିରଗୁଡ଼ାକରେ ରହିଗଲେ । ଏମିତି ରହିଗଲେ ଯେ ଭଗବାନ୍‍ଙ୍କ ପାଖକୁ ମୋଟେ ଯାଇ ହୁଏ ନାହିଁ, ସେମାନେ ସ୍ୱଉତ୍ତେଜନାରେ ସେ କଥାକୁ ପାସୋରି ପକାଇଲେ । ଆମ ସମସ୍ତଙ୍କର ଶାନ୍ତିଭଙ୍ଗ କଲେ ଓ ଭଗବାନ୍‍ଙ୍କର ବାଟକୁ ବଣା କରି ରଖିଲେ । ମନ୍ଦିର ଭିତରୁ ଆପଣାର ଜିଦ୍‌ଖୋର୍ ଚେତନାକୁ ମୁକୁଳାଇ ଆଣି ପାରିଲେନାହିଁ ।

 

ଆପଣାର ଧର୍ମସଙ୍କଟ ଓ ଚିତ୍ତବିପର୍ଯ୍ୟୟ ଭିତରେ ପଡ଼ିଥିବା ଏହି ସାଧୁମାନଙ୍କୁ ଏଣିକି ହୁଏତ ସଂସାରୀମାନେ ବାଟ ଦେଖାଇବେ । ଏହି ପୃଥିବୀର ଯାବତୀୟ ଅପୂର୍ଣ୍ଣତା ସତ୍ତ୍ୱେ ଯେଉଁମାନେ ପୃଥିବୀରେ ରହିଛନ୍ତି, ଏହି ପୃଥିବୀ ମଧ୍ୟରେ ଏହିଠାରେ ଥିବା ସୀମାଗୁଡ଼ିକ ଠାରୁ ବୃହତ୍ତର କିଛି ଖୋଜୁଛନ୍ତି, ବାରମ୍ବାର ଝୁଣ୍ଟି ତଥାପି ବାଟଟିଏ ଚାଲୁଛନ୍ତି ଓ ପରସ୍ପର ଭିତରେ ସତେଅବା ସଖାଟିଏ ଆବିଷ୍କାର କରିହେବ ବୋଲି ବିଶ୍ଵାସ ରଖିଛନ୍ତି, ସେଇ ସଂସାରୀମାନେ ଏବେ ସାଧୁମାନଙ୍କୁ ବାଟ ଦେଖାଇବେ । ପୃଥିବୀରେ ମନ୍ଦିର ରହୁ, ମସ୍‌ଜିଦ ରହୁ, କିଛି ଆପତ୍ତି ନାହିଁ । ମାତ୍ର ସବାଉପରେ ସଦ୍‌ଭାବନା ରହୁ । ସଦ୍‌ଭାବନାର ସାହସ ବଳବତ୍ତର ରହିଥାଉ । ଏହି ସାଧୁମାନେ ପଳାଇ ଯିବାର ଓ ଆପଣା ଜୀବନର ନାନାବିଧ privation ହେତୁ ଉତ୍ତେଜିତ ହୋଇ ରହିବାର ସକଳ ଦୁର୍ଗତି ଅଥବା ଅଧୋଗତି ଭିତରୁ ସଂସାରକୁ ଫେରି ଆସନ୍ତି । ମାୟା ଭିତରେ ରହି ମାୟାକୁ କାଟନ୍ତୁ । ମୂର୍ତ୍ତି ଭିତରେ ଅଟକି ରହିଯିବାକୁ ମଧ୍ୟ ମାୟା ବୋଲି ବୁଝନ୍ତୁ । ସେମାନେ କୃଚ୍ଛ୍ର ଓ ତଜ୍ଜନୀୟ ଯାବତୀୟ ଅପଚେତନାକୁ ଛାଡ଼ି ହୃଦୟ ମଧ୍ୟକୁ ଆସନ୍ତୁ ।

 

୨୩ । ୭ । ୯୨

 

ଏକ ବିକଳ୍ପ ହୋଇ ପାରିବାର ପ୍ରୟାସ ନିଜ ଜୀବନରେ ଲାଗି ରହିଥିଲେ ପୃଥିବୀରେ ନିତି ଲାଗି ରହିଥିବା ବିକୃତିଗୁଡ଼ାକୁ ଆଦୌ ଭୟ ଲାଗିବନାହିଁ । ବିକୃତି ସବୁଦିନେ ଥିଲା । ସମ୍ଭବତଃ ବିକଳ୍ପର ଅଭାବରୁହିଁ ଆମ ଏକାଳଟାରେ ବିକୃତିଟାହିଁ ଆକାଶଗୋଟାକୁ ଆଚ୍ଛାଦିତ କରି ପକାଇଲାଣି ବୋଲି ବେଳେବେଳେ ମନେ ହେଉଛି । ସମ୍ଭବତଃ ସେଇଥିଲାଗି ଡରବି ମାଡ଼ୁଛି । ଆଶଙ୍କା ହେଉଛି, ଏହି ବିକୃତିମାନେ, ଘୃଣାମାନେ, ଉତ୍ତେଜନାମାନେ ଓ ଅସୂୟାମାନେ ଆମର ଏହି ପୃଥିବୀଟିକୁ ଗ୍ରାସୀ ପକାଇବେ କି ? ନିଜ ଭିତରେ ବିକଳ୍ପଟିକୁ ଉତ୍ତୋଳିତ କରି ଧରିଥିବା ବନ୍ଧୁଟି ଉପରେ ଆଖି ପଡ଼ିଯିବାମାତ୍ରକେ ଯାଇ ଆଶଙ୍କାରୁ ମୁକ୍ତି ମିଳୁଛି ।

 

ବିକୃତିଗୁଡ଼ିକ ମଧ୍ୟରେ ଯେକୌଣସି ପ୍ରକାରେ ନିଜକୁ ଖାପ ଖୁଆଇ ନେବାକୁ ଇଚ୍ଛା କରୁଥିବା ଓ ତାହାକୁହିଁ ଏକ ବାସ୍ତବ ପଦକ୍ଷେପ ବୋଲି ବିଚାର କରୁଥିବା ମଣିଷମାନେ ଗୋଟିଏ ପ୍ରକାରର ବିକୃତି ବଦଳରେ ଆଉଗୋଟିଏ ବିକୃତିର ଶରଣ ନେଇ ତାହାକୁହିଁ ସମାଧାନ ବୋଲି ଭାବୁଛନ୍ତି । ଘୃଣା ବଦଳରେ ନୂଆ ଘୃଣାର ସୃଷ୍ଟି କରାଯାଉଛି । ରାଜନୀତି ଓ ନୈତିକତା ସତେ ଯେପରି ଏତିକି ବ୍ୟତୀତ ଆଉ ଅନ୍ୟ କୌଣସି ବାଟ ରହିଛି ବୋଲି ପରତେବି କରିପାରୁନାହାନ୍ତି । ବାଟ ସବୁଦିନେ ଥିଲା, ଏବେ ମଧ୍ୟ ବାଟ ରହିଛି । ମଣିଷ ଭିତରେ ଏକ ପରମ ଶୁଭଙ୍କର ରହିଥିବା ପର୍ଯ୍ୟନ୍ତ ବାଟ ଅବଶ୍ୟ ରହିଛି । ମାତ୍ର, ଅଧିକରୁ ଅଧିକ ମଣିଷ ତା’ଲାଗି ବାଟ ଛାଡ଼ିଦେଇ ପାରିବାକୁ ଏବଂ ତାହାର ନିର୍ଦ୍ଦେଶ ଅନୁସାରେ ଜୀବନ ବଞ୍ଚିବାଲାଗି ଯେଉଁ ବିଶ୍ଵାସ ଆବଶ୍ୟକ, ଏକାଧିକ କାରଣରୁ ସେହି ବିଶ୍ଵାସଟି ଭାରି ହାତଛଡ଼ା ହୋଇଯାଉଛି । ସେହି ବିଶ୍ଵାସଟିକୁ ଆମକୁ ବାହାରୁ କେହି ଆଣି ଦେଇ ଯିବନାହିଁ । ସେହି ବିଶ୍ଵାସଟିକୁ ପରସ୍ପର ଭିତରେହିଁ ଆବିଷ୍କାର କରିବାକୁ ହେବ । ନିଜର ଶ୍ରେଷ୍ଠତର ଓ ସର୍ବୋତ୍ତମକୁ ଅନୁଭବ କରିପାରିଲେ ଓ ତାହାକୁହିଁ ଆମ ଭିତରେ ଆମ ପରମବନ୍ଧୁର ଇଙ୍ଗିତ ବୋଲି ପ୍ରତ୍ୟକ୍ଷ କରିପାରିଲେ ଯାଇ ଆମେ ଅନ୍ୟମାନଙ୍କ ଭିତରେ ମଧ୍ୟ ସେହି ସର୍ବୋତ୍ତମକୁ ଛୁଇଁ ପାରିବାର ଭାଜନ ହେବା । ସେତେବେଳେ ଆଉ ଆଦୌ କୌଣସି ଖଣ୍ଡସତ୍ୟ ଏଡ଼େବଡ଼ ରୂପ ହୋଇ ଦିଶିବନାହିଁ, ସେତେବେଳେ ଏକାବେଳେକେ ସବୁହିଁ ଦେଖାଯିବ-

 

୨୪ । ୭ । ୯୨

 

ସମର୍ପିତ ମଣିଷ ନିରାଶ ହେବନାହିଁ । ଏକ ଆଦର୍ଶବାଦୀ ଅର୍ଥାତ୍ ନିଜର ଆଦର୍ଶଦ୍ଵାରା ପୃଥିବୀଟାକୁ ଆୟୁଧ ଧରି ମଣ କରିବାକୁ ବାହାରିଥିବା ମଣିଷ ବାର ବାର ନିରାଶ ହେବାରେ ଲାଗିଥିବ । ତା’ର ଇଚ୍ଛା ଅନୁସାରେ ମୋଟେ ଫଳ ଫଳୁନଥିବ, ପୃଥିବୀ ତା’ ଆଦର୍ଶର ଆୟତ୍ତ ଭିତରକୁ ମୋଟେ ଆସୁନଥିବ । ଏବଂ, ଆଦର୍ଶବାଦୀ କ୍ରୋଧୀ ପ୍ରଧାନତଃ ସେହି କାରଣରୁହିଁ ନିରାଶ ହୋଇ ପଡ଼ୁଥିବ । ଅନେକ ସମୟରେ ନିଜକୁ ଭଲ କରି ବୁଝିବା ପୂର୍ବରୁ ମଣିଷ ନିଜକୁ ହାତପାଆନ୍ତାରେ ଆସି ପହଞ୍ଚି ଯାଇଥିବା ଏକ ଆଦର୍ଶ ପାଖରେ ବିକ୍ରି କରି ଦେଇଥାଏ । ଯଥାର୍ଥ ସମର୍ପଣରୁ ବହୁତ ଦୂରରେ ରହିଥାଏ । ପିଲାଟି ଦିନରୁ ହଠାତ କୌଣସି ବାଟକୁ ଆଦରି ନେଇ ତାହାରି ପାଖରେ ବିକ୍ରି ହୋଇଯିବା ପରିବର୍ତ୍ତେ ଯଦି ଆମକୁ ସବାଆଗ ଆପଣାକୁ ପରିପୂର୍ଣ୍ଣ ସହାନୁଭୂତି ସହିତ ପୁଙ୍ଖାନୁପୁଙ୍ଖ ଭାବରେ ବୁଝି ନିଜଲାଗି ବାଟଟିଏ ବାହାର କରିବାର ପ୍ରେରଣା ଦିଆଯାଉଥାନ୍ତା, ତେବେ ପୃଥିବୀରେ ସତକୁସତ କେତେ ଅଧିକ ଶ୍ରଦ୍ଧା ରହିଥାନ୍ତା, କେତେ କମ୍ ଜ୍ଵର ଥାଆନ୍ତା, ଉପଦ୍ରବୀ ହେବା ସକାଶେ ଆଦୌ କୌଣସି କାରଣ ନଥାନ୍ତା ।

 

ନିଜ ଭିତରେ ନିଜର ସର୍ବୋତ୍ତମଟିକୁ ଚିହ୍ନି ତାକୁ ସାଙ୍ଗ କରି ଖୁସି ହୋଇ ବାଟଟିଏ ଚାଲିବା, ତାହାହିଁ ଭଗବତ୍‌ ସମର୍ପିତ ଜୀବନ । ଯେଉଁମାନେ ପୃଥିବୀରେ ଭଗବାନ୍‍ଙ୍କର ଗୋଟାଏ ଗୋଟାଏ ମଡ଼େଲ ଧରାଇଦେଇ ମଣିଷକୁ ମାର୍କାମରାଇ ରଖିବାକୁ ଦୁର୍ଦ୍ଧର୍ଷ ସେନାନୀ ଧରି ବାହାରିଥାନ୍ତି, ସେମାନେ ଅଧିକାଂଶତଃ ଯାବତୀୟ ଯଥାର୍ଥ ସମର୍ପଣର ପଥରେ ବାଧା ସୃଷ୍ଟି କରନ୍ତି,–ସେମାନେ ବାଟଗୁଡ଼ାକୁ ଓଗାଳି ରହିଥାନ୍ତି । ଆପଣା ଉତ୍ତେଜନା ଓ ଅସୂୟାର ଅନେକ ମେଘଦ୍ଵାରା ସେମାନେ ଆକାଶଟାକୁ, ସମ୍ଭାବନାର ଆକାଶ ଏବଂ ପ୍ରତିଶ୍ରୁତିର ଆକାଶକୁ ଭାରି ଆଚ୍ଛନ୍ନ କରି ରଖିଥାନ୍ତି । ସେମାନଙ୍କର ଅତ୍ୟୁତ୍ସାହୀ ପ୍ରଣୋଦିତ ଦୌରାତ୍ମ୍ୟଦ୍ଵାରା କେତେବେଳେ ମନ୍ଦିର ମସ୍‌ଜିଦ ଉପରକୁ ମାଡ଼ିଆସେ ଓ ଆଉ କେତେବେଳେ ମସ୍‌ଜିଦ ମନ୍ଦିର ଉପରକୁ ମାଡ଼ି ଯାଉଥାଏ ସତ, ମାତ୍ର ଭଗବାନ୍ ଅବମାନିତ ଓ ତିରସ୍କୃତ ହୋଇ ରହିଥାନ୍ତି । ଏବେ ପୃଥିବୀଯାକ ସତେଅବା ସେହି ତାମସାଟା ଅଧିକ ଦେଖିବାକୁ ମିଳୁଛି । ଯୋଦ୍ଧାମାନେ ଶାସ୍ତ୍ର ଓ ତରବାରି ଧରି ଆପଣାର ସମର୍ପିତତ୍ଵକୁ ପ୍ରମାଣ କରିବାକୁ ବାହାରିଛନ୍ତି ।

 

୨୫ । ୭ । ୯୨

 

ଗୁରୁ ପ୍ରେରଣା ଦେବ, ଅର୍ଥାତ୍ ବାଟ ଛାଡ଼ିଦେବ । ବାଟଗୁଡ଼ାକୁ ଆଦୌ ଓଗାଳି ବସିବନାହିଁ । ତଥାକଥିତ କେତେ ଗୁରୁ ଏପରି ଥାଆନ୍ତି ଯେଉଁମାନେ କି ଶିଷ୍ୟ ଏବଂ ଅନୁପ୍ରେରିତମାନଙ୍କର ବାଟକୁ ଓଗାଳି ରଖନ୍ତି ଅଥବା ତଥାକଥିତ ଅନୁପ୍ରେରିତମାନେବି ଏଭଳି ଥାଆନ୍ତି, ଯେଉଁମାନେ କି ନିଜର ଗୁରୁମାନଙ୍କୁ ଆଳ କରି ଅଧାବାଟରେ ଅଟକି ରହିବାକୁ ଇଚ୍ଛା କରୁଥାନ୍ତି,–ଏକଥାଟାକୁ ଗାର ପକାଇଦେଇ କେହି କଦାପି କହି ପାରିବନାହିଁ ।

 

ଗୁରୁ ବାଟ ଛାଡ଼ିଦେବ, ଅର୍ଥାତ୍ ସିଏ ଆପଣାକୁ ମୁଖ୍ୟତଃ ଏକ passage ପରି ବ୍ୟବହାର କରି ପରମ ଆସ୍ପଦ ବା ପରମ ସ୍ଥାନପାଖକୁ ବାଟ ଛାଡ଼ିଦେବ । ଏବଂ, ସେହି ପରମ ସ୍ଥାନ ବା ଆସ୍ପଦ ମୂଳତଃ ନିଜ ଭିତରେହିଁ ରହିଛି । ମନୁଷ୍ୟର ବୃତ୍ତି ଏବଂ ବାସନାଗୁଡ଼ିକ ପ୍ରାୟ ତା’ ଶୈଶବ ଅବସ୍ଥାରୁହିଁ ଏପରି ବହୁମୁଖୀ ହୋଇ ରହିବା ନିମନ୍ତେ ତାଲିମ ପାଇ ଯାଇଥାଆନ୍ତି ଯେ, ତାକୁ ଅନ୍ତର୍ମୁଖୀ କରିବାଲାଗି ଜଣେ ଗୁରୁର ସହାୟତା ଆବଶ୍ୟକ ହୋଇଥାଏ । ଗୁରୁ ଯେତିକି ବାଟ ଛାଡ଼ିଦେବ, ସିଏ ସେତିକି ସେତିକି ତା’ର ଜଣେ ଅନୁଗାମୀକୁ ନିଜ ଭିତରକୁ ଯିବାଲାଗି ପ୍ରେରଣା ଦେବ, ବାଟ ବତାଇଦେଇ ପାରିବ । ଯେଉଁ ଗୁରୁ ସତକୁସତ ନିଜ ଭିତରକୁ ବାଟ ପାଇଥିବ, ସିଏ କିପରି ଆଉଜଣେ ଅନୁରାଗୀକୁ ତା’ ନିଜ ଭିତରକୁ ପ୍ରବେଶ କରିବାକୁ ଉତ୍ସାହ ନଦେବ, ମୁଁ ଅନେକ ସମୟରେ ଭାରି ବିସ୍ମିତ ହୋଇ ସେହିକଥା ଭାବିଥାଏ । ଏବଂ, ଯଦି ଏହି ପୃଥିବୀରେ ସେହି ଅସଲ ଭାବଟିକୁ ପାଇଥିବା ଗୁରୁମାନେ ଅଧିକ ସଂଖ୍ୟାରେ ରହି ଥାଆନ୍ତେ, ତେବେ ମଝିରେ ମିଛଟାରେ କଦାପି ଏତେ ଅଧିକ ସଂଖ୍ୟାରେ ସମ୍ପ୍ରଦାୟ, ମଠ ଏବଂ ପନ୍ଥାମାନ ତିଆରି ହୋଇନଥାନ୍ତା । ଭଗବାନ୍‍ଙ୍କୁ ଖୋଜୁ ଖୋଜୁ କେତେକ ମଣିଷ ସମ୍ଭବତଃ ନିଜର ଏକ ପ୍ରକୃଷ୍ଟୀକୃତ ଅହଂକୁହିଁ ଭଗବାନ୍ ବୋଲି ଧରିନିଅନ୍ତି । ପ୍ରଧାନତଃ ନିଜ ଅହଂଟା ଭିତରେହିଁ ନିଜକୁ କାମୁଡ଼ି ଧରିଥିବା ତଥାକଥିତ ଅନୁଗାମୀମାନେ ନିଜର ସେହି ବୃତ୍ତିଟିକୁ ସୁହାଇବା ଭଳି ଗୁରୁଟିଏବି ଖୋଜି ବୁଲୁଥାନ୍ତି । ଏବଂ, ସେହି ଦୁଇ ପକ୍ଷର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ପୃଥିବୀର ମାର୍ଗ, ସମ୍ପ୍ରଦାୟ ଓ ମଠର ମିଛ ଆଖଡ଼ାମାନ ବସେ, ଅହେତୁକ ଭାବରେ ମିଛ କନ୍ଦଳଗୁଡ଼ାକୁହିଁ ଧର୍ମବୃତ୍ତି ବୋଲି ମଧ୍ୟ କୁହାଯାଏ ।

 

୨୬ । ୭ । ୯୨

 

ଆକାଶବାଣୀର ଗୋଟିଏ ଓଡ଼ିଆ ନାଟକରେ ଏକ ପରିବାର ନାନା ସମସ୍ୟା ଭିତରେ ରହିଥିବାବେଳେ ଦିନେ ହଠାତ ପରିବାରର ପୁଅଟିଏ ଆସି ଖରର ଦେଲା ଯେ, ତା’ ମାଆଙ୍କ ନାମରେ ଏକଲକ୍ଷ ଟଙ୍କାର ଲଟେରୀ ଉଠିଛି । ସୁସମ୍ବାଦ ଶୁଣି ମାଆ “ଜଗନ୍ନାଥ ଶେଷକୁ ଆମକୁ ଦୟା କଲେ” ବୋଲି କେଡ଼େ ବିହ୍ଵଳ ଭାବରେ ଆଖି ପକାଇଲେ ।

 

ଜଗନ୍ନାଥ ଶେଷକୁ ଓଡ଼ିଆମାନଙ୍କର ଏହି କାମରେବି ଲାଗି ପାରିଲେ ! ସତ୍ୟକୁ ଏବଂ ଚେତନାକୁ ଠାକୁର କରି ମଣିଷ ଯେ ତାକୁ ଲଟେରୀ ଯାଏଁ ଆଣିଲାଣି, ଆମେ ତାହାକୁ ପ୍ରକୃତରେ ଏକ ଆଦିମ ସ୍ତରକୁ ଫେରିଯିବା ବୋଲି କହିବା ନା ତା’ର ଅସଲ ଘରକୁ ଫେରିଆସିବା ବୋଲି ଜାଣିବା ? ମଣିଷମାନେ କେବଳ ଆପଣାକୁ ଲୋଡ଼ିବାବେଳେହିଁ ଏହିପରି ଭାବରେ ମୁଗ୍ଧ ହୁଅନ୍ତି ଏବଂ ମୁଗ୍ଧ ହୋଇ ଦୁଷ୍ଟ ହୁଅନ୍ତି । ଦୁଷ୍ଟ ମଣିଷ ଭଗବାନ୍‍ଙ୍କୁ ମଧ୍ୟ ଆପଣାର କାମରେ ଲଗାଏ । ଦୁଷ୍ଟ ମଣିଷ ଖାଲି ଆପଣାର ଦୁଃଖଟାକୁ ଦେଖେ, ସେଇଟାକୁହିଁ କୁଣ୍ଢାଇ ଧରିଥାଏ । ଦୁଷ୍ଟ ମଣିଷ ଭଗବାନ୍‍ଙ୍କ ପାଖକୁ ଯାଏଁ ନାହିଁ, ସତ୍ୟର ପାଖକୁ ଯାଏଁ ନାହିଁ; ସିଏ ଭଗବାନ୍‍ଙ୍କୁ ଓ ସତ୍ୟକୁ ଆପଣାର ଗାତ ଭିତରକୁ ଟାଣି ଆଣିବାରେହିଁ ସତେଅବା ଚରମ ପୁରୁଷାର୍ଥ ହାସଲ କରିବାରେ ଆନନ୍ଦ ଉପଲବ୍‌ଧି କରୁଥାଏ । ଏହିସବୁ ଚାତୁରୀକୁ ଆମେ ଚେତନା ବୋଲି କହିବା ନା ଅଚେତନା ବୋଲି କହିବା ? ଜଗନ୍ନାଥ ଦୟାକଲେ ମୋ’ ଚେତନା ବଦଳି ଯାଆନ୍ତା, ଜଗନ୍ନାଥ ସତକୁସତ ଦୟା କଲେ ମୁଁ ଜଗନ୍ନାଥଙ୍କ ଭିତରେ ସମଗ୍ର ଜଗତ୍‍କୁ ଦେଖନ୍ତି ଓ ନିଜର ଦୁଃଖ ପାସୋରି ପକାନ୍ତି, ସେତେବେଳେ ଜଗତ୍ ମୋତେ ଆଉ ମୋଟେ ମିଥ୍ୟା ବୋଲି ଲାଗନ୍ତା ନାହିଁ । ଜଗତ୍‍ଯାକ ମୋତେ ଜଗନ୍ନାଥଙ୍କର କଳା ବହନ କରୁଥିବା ପରି ଦିଶନ୍ତା ଓ ତାହାହିଁ ମୋ’ର ସବୁଠାରୁ ବଡ଼ ଖୁସିର କାରଣ ହୁଅନ୍ତା । ମୋତେ ଜଗନ୍ନାଥ ଏକ ସମର୍ପିତ ଜୀବନଲାଗି ଯଥେଷ୍ଟ ପରିମାଣରେ ନମନୀୟ କଭ ଆଣନ୍ତେ, ମୋ’ର ଜୀବନ ଧନ୍ୟ ହୁଅନ୍ତା !

 

୨୭ । ୭ । ୯୨

 

ଭିତରେ କୌଣସି ଥାନରେ କିଏ ପୂର୍ଣ୍ଣତାର ଏକ ସ୍ଵାଦ ଲାଭ କରୁଛି, ସେଇଥିଲାଗି ବାହାରେ ଏହି ଯାବତୀୟ ଅପୂର୍ଣ୍ଣତାଦ୍ଵାରା ବହୁଶଙ୍କାଯୁକ୍ତ ହୋଇ ରହିଥିବା ପଥଟିକୁ ଅତିକ୍ରମ କରିବା ତା’ଲାଗି ସମ୍ଭବ ହୋଇ ଯାଉଛି । ପୂର୍ଣ୍ଣତା ସକାଶେ ଏହି ସତତ ବ୍ୟାକୁଳତା, ସମ୍ଭବତଃ ତାହାହିଁ, ପୂର୍ଣ୍ଣତା ବୋଲି କେଉଁଠି ଏକ ଆହ୍ଵାନ ଯେ ରହିଛି, ତାହାର ଏକ ଅକାଟ୍ୟ ପ୍ରମାଣ । ବନ୍ଧୁଲାଗି ଏକ ସତତ ବ୍ୟାକୁଳତା, ବନ୍ଧୁଟିଏ ଯେ ସତକୁସତ ରହିଛି, ଏହା କ’ଣ ତାହାର ଏକ ଅକାଟ୍ୟ ପ୍ରମାଣ ହୋଇ ପାରିବନାହିଁ ?

 

ପୂର୍ଣ୍ଣତା ଲାଗି, ପରିପୂର୍ଣ୍ଣତା ଲାଗି ପୂର୍ଣ୍ଣରୁ ପୂର୍ଣ୍ଣତର ହେବାଲାଗି ଏହି ବ୍ୟାକୁଳତା–ଏହାହିଁ ପରମ ଜୀବନବାସନା, ଯାହାକୁ ଶାସ୍ତ୍ରରେ biophilia ବା Life Instinet ବୋଲି କୁହାଯାଇଛି । ଏବଂ, ଯାବତୀୟ ନୈରାଶ୍ୟ; ନିଜର ବା ପୃଥିବୀର ଯାବତୀୟ ଅପୂର୍ଣ୍ଣତା ଓ ଅସମର୍ଥତାକୁ ନେଇ ଏକ ଅନମନୀୟ ଜିଦ୍ ସହିତ ସୂତ୍ର କାଢ଼ି ବସିବା,–ଏହାକୁ ଅପରପକ୍ଷରେ ହୁଏତ death instinct ବୋଲି କୁହାଯାଇପାରିବ । ଯେତେବେଳେ ଆପଣା ଭିତରେ death instinctର ସଂସ୍କାରଗତ ସମସ୍ତ ପ୍ରରୋଚନା ଉପରେ ଜୀବନବାସନା ତଥାପି ସଚଳ ଓ ସହାନୁଭୂତି ହୋଇ ରହିଥାଏ, ସେତେବେଳେ ଅନ୍ୟମାନେ ସମସ୍ତେ ସତେଅବା କେବଳ ସତୀର୍ଥ ପରିହିଁ ମନେ ହୁଅନ୍ତି, ସମସ୍ତେ ସାଙ୍ଗରେ ବାଟ ଚାଲୁଥିଲା ପରି ଲାଗନ୍ତି । କାହାକୁ ଜଣେହେଲେ ପଛରେ ଛାଡ଼ିଦେଇ ଆଗକୁ ବାହାରି ଯିବାକୁ ମୋଟେ ମନ ହୁଏନାହିଁ । ଜଣେ ମଧ୍ୟ ପଛରେ ରହିଗଲେ ଭଗବାନ୍ ସତେ ଯେପରି ତା’ଲାଗି ମଧ୍ୟ ଅଟକିଯିବେ, ଠିକ୍ ସେହିପରି ମନେ ହେଉଥାଏ । ତେଣୁ, ସାଙ୍ଗରେ ନେବାକୁ ହୁଏ । କେବଳ ବାହାରେ ନୁହେଁ, ଭିତରେ ମଧ୍ୟ ସାଙ୍ଗରେ ନେବାକୁ ହୁଏ । ନିଜର ଯାବତୀୟ ଅର୍ଜନରେ ସମସ୍ତଙ୍କୁ ଭାଗ ଦେବାକୁ ହୁଏ । ତାହାହିଁ, ସେହି ଭାଗ ଦେବା ଓ ଏକାଠି ବାଟ ଚାଲିବା ସତେଯେପରି ସମୃଦ୍ଧି ଏବଂ ସକଳାଙ୍ଗତାର ଏକମାତ୍ର ଚାବିକାଠି ବୋଲି ଅନୁଭବ ହୁଏ । ସଂସାର ସୁନ୍ଦର ଦିଶେ, ମୁଣ୍ଡରେ ଭବିଷ୍ୟତ୍‍ର ଉଜ୍ଜ୍ଵଳ ଟିକା ଲଗାଇ ଏହି ବର୍ତ୍ତମାନଟା ମଧ୍ୟ ଝଲମଲ ହୋଇ ଦିଶୁଥାଏ । କେଉଁ ସୁନିଶ୍ଚିତ ଅନାଗତକୁ ଛୁଇଁ କରି ରହିଥିବା ପରି ବର୍ତ୍ତମାନର ମୁହୂର୍ତ୍ତଗୁଡ଼ିକୁ ମଧ୍ୟ ପବିତ୍ରତାରେ ଭରି ରହିଥିବା ପରି ଲାଗୁଥାନ୍ତି ।

 

୨୮ । ୭ । ୯୨

 

ହିଂସ୍ର ଲୋକମାନେ ତ ଭାରି ସହଜରେ ଧରା ପଡ଼ିଯାଆନ୍ତି, ମାତ୍ର ଉଦାସୀନ ଲୋକମାନେ ମୋଟେ ଧରା ପଡ଼ନ୍ତିନାହିଁ । ଗୋଟାଏ ଦୃଷ୍ଟିରୁ ଉଦାସୀନ ମନୁଷ୍ୟମାନେ ସତେଅବା ସବୁକଥାକୁ ଅଧିକ ଭଲ ଭାବରେ ଜାଣିଥିବାରୁହିଁ ଉଦାସୀନ ରହିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି,–ସେମାନେ ସକଳ ଅବସରରେ ସେହିପରି ଏକ ଧାରଣା ଦେବାପାଇଁ ପ୍ରୟାସ କରିବାରେ ଲାଗିଥାନ୍ତି ।

 

ମୁଁ ଭାବେ, ଅଧିକ ଜ୍ଞାନ କେବଳ ଅଧିକ ଶ୍ରଦ୍ଧା ଆଡ଼କୁହିଁ ପରିଚାଳିତ କରି ନେଇପାରିବ-। ଏବଂ, ଯଥାର୍ଥ ଭାବରେ ଶ୍ରଦ୍ଧାଶୀଳ ଜଣେ ବ୍ୟକ୍ତି କିପରି ଯେ ଉଦାସୀନ ହୋଇପାରିବ, ମୁଁ ସେ କଥା ଆଦୌ ବୁଝି ପାରେନାହିଁ । ଆମକୁ ଯେଉଁ ଜ୍ଞାନ ଶ୍ରଦ୍ଧା ମଧ୍ୟରେ ପ୍ରବିଷ୍ଟ କରାଇ ନପାରେ, ମୁଁ ତାହାକୁ ଜ୍ଞାନ ବୋଲି କିପରି ବା କହିବି ? ଭାରତବର୍ଷରେ ଯଥାର୍ଥ ଜ୍ଞାନ ଓ ଯଥାର୍ଥ ବିବେକର ଦ୍ଵାହି ଦେଇ ମାୟାବାଦ ଯେଉଁ ଦିନଠାରୁ ଆମର ହୃଦୟଗୁଡ଼ିକୁ ଘୋଡ଼ାଇ ପକାଇବାକୁ ଇଚ୍ଛା କଲା, ସେହି ଦିନଠାରୁ କ୍ରମେ ସମ୍ଭବତଃ ଆତ୍ମମୁଖୀ ମଣିଷମାନେ ଉଦାସୀନ ହେଲେ । ଉଦାସୀନତାକୁହିଁ ଜ୍ଞାନର ଫଳ ବୋଲି କୁହାଗଲା । ତା’ପରେ ମଣିଷକୁ ଅନାଇଲେ ଆଉ ମୋଟେ ଭଗବାନ୍ ଦେଖା ଗଲେନାହିଁ । ଭଗବାନ୍ ସତେଅବା ଶୁଷ୍କ ଦର୍ଶନ ଭିତରେ ଢାଙ୍କି ହୋଇ ରହିଗଲେ । ସଜ୍ଜନତା କହିଲେ ମୁଖ୍ୟତଃ ଉଦାସୀନତାକୁ ବୁଝାଇଲା । ଏବଂ, ସାଧାରଣ ସମ୍ବନ୍ଧ ଓ ଜୀବନସ୍ତରକୁ ଆସି ତାହା କର୍ମବାଦରୂପେ ଆମ ବିବେକର ଛାତି ଉପରେ ବସି ରହିଲା । ନିର୍ମମ ଭାବରେ ଉଦାସୀନ ହୋଇ ବସିଥିବା ଜଣେ ମଣିଷ ହୁଏତ ଆପଣା ବିଚାରଗୁଡ଼ିକ ସହିତ ସଙ୍ଗତି ରକ୍ଷା କରିବା ସକାଶେ କର୍ମବାଦୀ ହେବାକୁ ବାଧ୍ୟ ହେବ ଓ ଅନ୍ୟମାନଙ୍କ ପ୍ରତି ଆଖି ବୁଜିଦେବାକୁ ମଧ୍ୟ ପ୍ରଚୋଦନା ପାଇବ । ଭଲ ଭଲ ମଣିଷମାନେ ଆପଣାକୁ ସମ୍ପ୍ରସାରିତ କରି ଦେବାଲାଗି ଏକାନ୍ତ ଅକ୍ଷମ ହୋଇ କିପରି ଉଦାସୀନତାକୁ ମାର୍ଗ ବୋଲି ମାନି ନେଇଥାନ୍ତି ଏବଂ ଆପଣାର ଅଳପଗୁଡ଼ାକ ଭିତରେ କିଳି ହୋଇ ରହିଥାନ୍ତି, ବେଳେବେଳେ ପରମ କୌତୁହଳରେ ମୁଁ ସେହିକଥା ଦେଖୁଥାଏ ।

 

୨୯ । ୭ । ୯୨

 

ପ୍ରାର୍ଥନା କରିବାର ଅର୍ଥ ହେଉଛି ନିଜକୁ ନିଜଠାରୁ ବୃହତ୍ତର କୌଣସି ଏକ ସତ୍ତା ଅର୍ଥାତ୍ ସତ୍ୟପାଖରେ ସମର୍ପଣ କରିବା । ସେହି ସତ୍ୟଲାଗି ନିଜର ଜୀବନକୁ ବଞ୍ଚିବା ଲାଗି ସଂକଳ୍ପ ନେବା-। ଆପାତତଃ ଯେତିକି ବୃତ୍ତ ଭିତରେ ମୋ’ର ଏହି ନିତ୍ୟନୈମିତ୍ତିକ ଜୀବନଟି ଆତଯାତ ହେଉଛି, ସେହି ବୃତ୍ତରେ ଥାଇ ଏକ ବୃହତ୍ତର ବୃତ୍ତର ଅଭୀପ୍‌ସା ରଖିବା, ତାହାହିଁ ପ୍ରାର୍ଥନା । ମୁଁ ଯେତିକି ଅଛି ତା’ଠାରୁ ଅଧିକକୁ ବାସନା ନକଲେ ମଣିଷ ତଥାପି ଯାହାକୁ ପ୍ରାର୍ଥନା ବୋଲି କହେ, ତଦ୍ଦ୍ଵାରା ତା’ର ନିଜର କ’ଣ ହେଉଥିବ କି ନାହିଁ କେଜାଣି, ମାତ୍ର ପୃଥିବୀର ଆଦୌ କୌଣସି ଉପକାର ହୁଏନାହିଁ । ଏବଂ, ଯଦି ସମଗ୍ର ପୃଥିବୀର ତଦ୍ଦ୍ଵାରା ମଙ୍ଗଳ ହେଉ ବୋଲି ଆବେଦନ କରାଯାଉ ନଥିବ, ତେବେ ତାହା ଭଗବାନ୍‍ଙ୍କ ଯାଏଁ ଯାଇ ପାରୁଛି ବୋଲି ବା କିପରି କୁହାଯାଇପାରିବ ?

 

ଏହି ମାନଦଣ୍ଡରେ ମାପି ଦେଖିଲେ ପୃଥିବୀରେ ମନୁଷ୍ୟମାନଙ୍କଦ୍ଵାରା କରାଯାଉଥିବା ଅଧିକାଂଶ ପ୍ରାର୍ଥନାକୁ ହୁଏତ ପ୍ରାର୍ଥନା ବୋଲି କୁହାହିଁ ଯିବନାହିଁ । ପୃଥିବୀର ମନ୍ଦିର, ମସ୍‌ଜିଦ‌ ଓ ଗିର୍ଜାମାନଙ୍କରେ ସାଧାରଣତଃ ଯେଉଁ ପ୍ରାର୍ଥନା କରାଯାଏ, ସେଥିରେ ଅଧିକାଂଶ ସ୍ଥଳରେ କେବଳ ସ୍ଵାର୍ଥଭାବନା ଭର୍ତ୍ତି ହୋଇ ରହିଥାଏ । ପୃଥିବୀ ଆଡ଼କୁ ଆଦୌ କୌଣସି ନିଘା ନଥାଏ, ସତେଅବା ଅତ୍ୟନ୍ତ ଭୟଭୀତ ହୋଇ ଏବଂ କେବଳ ନିଜପାଇଁ କିଛି ମାଗି ମନୁଷ୍ୟମାନେ ପ୍ରାର୍ଥନା କରୁଥାନ୍ତି । ଭୟ ଥିବା ପର୍ଯ୍ୟନ୍ତ, ଏହି ସଂସାରରେ ଏକାନ୍ତ କବାଟକିଳା ଭାବରେ କେବଳ ନିଜର ଶୁଭ ମନାସୁଥିବା ପର୍ଯ୍ୟନ୍ତ ଏହି ପୃଥିବୀକୁ ଅତ୍ୟାର୍ତ୍ତ ଦୈତ୍ୟମାନଙ୍କ ହାତରେ ଛାଡ଼ିଦେବାହିଁ ସାର ହେବ । ତେଣୁ, ଯାବତୀୟ ପ୍ରାର୍ଥନା ପୂର୍ବରୁ ଏକ ଉପଯୁକ୍ତ ପ୍ରସ୍ତୁତି,–ଏକ ଉପଯୁକ୍ତ ଚେତନା ଏକାନ୍ତ ଆବଶ୍ୟକ । ତେବେଯାଇ ପ୍ରାର୍ଥନା ସତକୁସତ ଆମ ଜୀବନର ବୃତ୍ତ ଭିତରେ ଯଥାର୍ଥରେ ତାତ୍ପର୍ଯ୍ୟପୂର୍ଣ୍ଣ କିଛି ଘଟାଇବାକୁ ମଧ୍ୟ ସମର୍ଥ ହେବ ।

 

୩୦ । ୭ । ୯୨

 

ଏକାବେଳେକେ ହାଲୁକା ହୋଇ ନିଜ ଭିତର ଆଡ଼କୁ ଅନାଇଦେବାମାତ୍ରକେ ଭାବନାଗତ ମିଳିଯାଏ, ଭାବନାର ଅନୁରୂପ ଶବ୍ଦ ମିଳିଯାଏ ଏବଂ ସେହି ଶବ୍ଦକୁ ବ୍ୟକ୍ତ କରିବାଲାଗି ଅନୁରୂପ ହୋଇ ଚେତନାଟିଏ ମଧ୍ୟ ମିଳିଯାଏ । ନିଜ ଭିତରେ ସବୁ ରହିଛି–ଏବଂ, ବିହାରର ଯାବତୀୟ ଅନୁଭବ ପରିପକ୍ଵ ହେଲେ ଯାଇ ଏହି ସତ୍ୟଟିର ଦର୍ଶନ ମିଳେ । ବାହାରେ ତ ସବୁକିଛି ଥାଏ; ମାତ୍ର ଅଭିବ୍ୟକ୍ତି ଭିତରୁ ହୁଏ ।

 

ବାହାର ମୋ’ର, ଭିତରେବି ମୋ’ର । ବାହାରେ ମୁଁ, ଭିତରବି ମୁଁ । ମୁଁ ନିମିତ୍ତ । ଯାହାକୁ ନିଜ ସିଂହାସନରେ ବସାଇଛି, ପୃଥିବୀକୁ ଦେଖିବାର ଆଖି ଦୁଇଟିକୁ ଯାହାଠାରୁ ମାଗି ଆଣିଛି, ସେଇ ହେଉଛି କର୍ତ୍ତା, ସେଇ ପରମବନ୍ଧୁ ପରମ ଅନୁମନ୍ତା । ଅନେକ ମଣିଷ ତା’ ପାଖକୁ ଆସିବାପାଇଁ କେତେ କଷଣ ପାଆନ୍ତି, କେତେ ଶ୍ରମ କରନ୍ତି, ନିଜକୁ କେତେପ୍ରକାର ବାନ୍ଧିବୁନ୍ଧି ରଖିବାର ବିଚାର କରୁଥାନ୍ତି,–ନିଜ ଭିତରକୁ ଅନାଇ ଦେଖିଲେ ମୋତେ ସେଥିଲାଗି ବେଳେବେଳେ ଭାରି ଆଶ୍ଚର୍ଯ୍ୟ ଲାଗେ । ମୁଁ ଯେପରି ଏସବୁ ଆଦୌ କିଛି କରିନାହିଁ । ଖାଲି ନିର୍ମଳ ଭାବରେ ଅନାଇଦେବାମାତ୍ରକେ ମୁଁ ତାଙ୍କୁ ଦେଖିଛି ଏବଂ ତା’ପରେ ସେଇ ମୋ’ଲାଗି ସବୁ କରିଛି, ମୋତେ ମୋ’ର ସ୍ଵକୀୟ ରୀତିଟିକୁ ପ୍ରଦାନବି କରିଛି । ମୁଁ ବନ୍ଧୁର ଦର୍ଶନାଭିଳାଷୀ ହୋଇ ବାହାରିବା ପୂର୍ବରୁ ସତେଅବା ସେଇ ମୋ’ ଯାବତୀୟ ପ୍ରତୀକ୍ଷାର ଦ୍ଵାରକୁ ଖୋଲିଦେଇ ଏକାବେଳେକେ ସାମନାରେ ଆସି ପହଞ୍ଚି ଯାଇଛି । ସତେଅବା ମୋଟେ ଡାକିବାକୁ ପଡ଼ିନାହିଁ, ଡାକିବା ପୂର୍ବରୁହିଁ ସିଏ ଆସି ତା’ର ଅନୁମନ୍ତା ଥାନରେ ବସିଯାଇଛି । ଆର୍ତ୍ତ ଭକ୍ତି ଯେ କାହାକୁ କୁହାଯାଏ, ମୁଁ ସେ କଥା ଆଜିଯାଏଁ ଜାଣିନାହିଁ । ମଣିଷର ଖୁସି ଓ ମଣିଷର ସମ୍ମତି ଯେ ମଣିଷକୁ ଏତେମନ୍ତେ ଧନବାନ କରି ଦେଇପାରେ, ସେ କଥା ମୁଁ ଆପଣା ପାଖରେ ଜାଣିଛି । ଶାସ୍ତ୍ରମାନେ ସତେଅବା ମିଥ୍ୟା ପ୍ରମାଣିତ ହୋଇଛନ୍ତି । ଶାସ୍ତ୍ରଗୁଡ଼ିକୁ ନିଜ ଆଖିରେ ଓ ନିଜ ହୃଦୟଦ୍ଵାରା ଦେଖିବାର ସେହି ଅନ୍ୟ ବାଟଟିକୁ ମୁଁ ଏହି ପ୍ରକ୍ରିୟାଟିଦ୍ଵାରାହିଁ ଲାଭ କରିଛି ।

 

୩୧ । ୭ । ୯୨

 

ଏମିତି ଏକ ସାହିତ୍ୟ ରହିଛି, ଯାହା ଫନ୍ଦି ଯାଏଁ ନାହିଁ, ଯାହା କେବଳ କହି ହୋଇଯାଏ-। ଲେଖୁଥିବା ସମୟରେ ସତେଅବା କାହାପାଖରେ ପ୍ରେମନିବେଦନ କରୁଥିବା ପରି ଲାଗୁଥାଏ । ଯାହା ପାଖରେ ସେହି ନିବେଦନଟିକୁ କରାଯାଉଥାଏ, ସିଏ ନିଜ ଭିତରେ ଥାଏ, ତେଣୁ ଏହି ବାହାରେ ମଧ୍ୟ ଭରି ହୋଇ ରହିଥାଏ । ସେହି ସାହିତ୍ୟ ସାନ୍ନିଧ୍ୟ ଆଣିଦିଏ, ସମ୍ମାର୍ଜନୀ ପରି ସଦନଟିର ଭିତରକୁ ପରିଷ୍କାର କରି ରଖେ । ଯୋଗ୍ୟ କରାଏ, ଉତ୍ତୋଳିତ କରିନିଏ, ସମପର୍ଣର ନୂଆ ନୂଆ ପ୍ରଚୁର ସନ୍ଧାନ ଦେଇ ଯାଉଥାଏ । ସେହି ସାହିତ୍ୟ ଗଦ୍ୟରେ ଲେଖା ହେଉଛି କି ପଦ୍ୟରେ ଲେଖା ହେଉଛି, ତାକୁ ଆଦୌ କେହି ପଢ଼ିବେ କି ପଢ଼ିବେନାହିଁ, ସେତେବେଳେ ସେସବୁ ବିଷୟରେ ଆଦୌ କୌଣସି ହୋସ୍ ନଥାଏ ।

 

ଲେଖିବାର ଶୈଳୀଟି ଅଲଗା ହୋଇ କେଉଁଠି କ’ଣ ରହିଥାଏ, ମୁଁ ସେ କଥାକୁ ଏବେ ମଧ୍ୟ ଠଉରାଇ ନେଇ ପାରିଲିନାହିଁ । ଏକମାତ୍ର ଶୈଳୀ ହେଉଛି ଜୀବନ ବଞ୍ଚିବାର ଶୈଳୀ, ଅର୍ଥାତ୍ କାହାର ହୋଇଯିବାର ଶୈଳୀ, ନିଜକୁ ଅକୃପଣ ଓ ଅକୁଣ୍ଠିତ ଭାବରେ ସମ୍ପ୍ରସାରିତ କରିଦେବାର ଶୈଳୀ, ଭଲ ପାଇବାର ଶୈଳୀ । ଯୋ ଯତ୍‍ଶ୍ରଦ୍ଧଃ ସ ଏବ ସଃ । ଶ୍ରଦ୍ଧାରୁହିଁ ଶବ୍ଦଗୁଡ଼ିକର ଉତ୍ପତ୍ତି, ଯାବତୀୟ ଶୈଳୀ ମଧ୍ୟ କେବଳ ସେହିଠାରୁ । ତେଣୁ, ସାହିତ୍ୟରେ ଏତେ ଅତ୍ୟଧିକ ପରିମାଣରେ ଶୈଳୀର ବା ଶବ୍ଦର ଚର୍ଚ୍ଚା ନହେଉ । କିଞ୍ଚିତ୍ ଅଧିକ ଅନୁରାଗ ସହିତ ହୃଦୟଟିର ଚର୍ଚ୍ଚା ହେଉ, ଶ୍ରଦ୍ଧାର ଚର୍ଚ୍ଚା ହେଉ, କିଏ କେତେ ଅକୃପଣ ଭାବରେ ଜୀବନଟିଏ ବଞ୍ଚୁଛି, ସାହିତ୍ୟରେ ମଧ୍ୟ ଏଣିକି ତାହାରି ଚର୍ଚ୍ଚା ହେଉ । ମଣିଷ କେଡ଼େ ଖୋଲା ଓ କପଟରହିତ ହେଲେ ଯାଇ ଯେ ସେହି ବାଟର କୌଣସି ଚର୍ଚ୍ଚା କରିପାରିବ, ମୁଁ ସେ କଥା ମଧ୍ୟ ଜାଣିଛି । ଅନେକ ସମାଲୋଚକ ଖୋଲା ହୋଇ ପାରିନଥାନ୍ତି ବୋଲି କ’ଣ ପ୍ରଧାନତଃ, ଶୈଳୀ ଚର୍ଚ୍ଚାରେ ଯାବତୀୟ ଆଲୋଚନାକୁ ସାରି ଦିଅନ୍ତି ? ସେମାନେ ସାହିତ୍ୟର ଆଲୋଚନାକୁ କେଡ଼େ ନିଷ୍ଠୁର ଭାବରେ ଅଳପ ଭିତରେ ଖୁନ୍ଦି ରଖିନଥାନ୍ତି । ଅଳପଟାକୁ ଅଧିକ କରି ସିରା କାଢ଼ି ଦେଖାଇବାରେ ସେମାନଙ୍କୁ କି ଆନନ୍ଦ ମିଳେ କେଜାଣି ? ସେମାନେ କେବଳ ନିଜର ସ୍ୱେଚ୍ଛାନିର୍ବାଚିତ କୁନି ସୀମାଗୁଡ଼ିକରହିଁ ପ୍ରଦର୍ଶନ କରୁଥାନ୍ତି ।

 

୧ । ୮ । ୯୨

 

ଯଦି ମୁଁ ଧର୍ମରେ ଅଟକିଯାଏ, ତେବେ ମୋ’ର ଅଧ୍ୟାତ୍ମ ମଧ୍ୟ କ୍ରମଶଃ ଏକ ଧର୍ମରେ ପରିଣତ ହୋଇଯିବାକୁ ଆରମ୍ଭ କରିବ । ଏବଂ, ସେତେବେଳେ ବେଦ ଓ ଉପନିଷଦ୍‍ରୁ ଯେତେ ଉଦ୍ଧୃତିର ଦୃଷ୍ଟାନ୍ତ ଆହରଣ କରି ପୁଲକ ଅନୁଭବ କଲେ ମଧ୍ୟ ତାହା ମୋ’ର ଆଉ କୌଣସି କାମରେ ଆସିବନାହିଁ । ଠିକ୍ ସେହିପରି, ଯଦି ଅଧ୍ୟାତ୍ମ ନିମନ୍ତେ ମୋ’ର ପ୍ରକୃତରେ ବାସନା ରହିଛି ଏବଂ ମୋ’ ନିଜ ସଦନଟି ଯଦି ଅଧ୍ୟାତ୍ମ ଲାଗି ଏକ ଅନୁସ୍ପନ୍ଦନ ନିମନ୍ତେ ପ୍ରକୃତରେ ପ୍ରସ୍ତୁତ ହୋଇ ରହିଛି, ତେବେ ମୁଁ ଯେଉଁ ଧର୍ମରେ ଲାଳିତପାଳିତ ହେଉଥାଏ ପଛକେ, ଅଧ୍ୟାତ୍ମ ଭିତରକୁ ପ୍ରବେଶ କରିବାପାଇଁ ମୋତେ ମୋଟେ କୌଣସି ଯନ୍ତ୍ରଣା ଭୋଗ କରିବାକୁ ପଡ଼ିବନାହିଁ ।

 

ମାତ୍ର, ଆମେ ଅନେକ ସମୟରେ ଅଳପ ଭିତରେ ରହିଯିବାକୁହିଁ ଧ୍ୟେୟ ପରି ଗ୍ରହଣ କରି ପକାଉ । ସେଥିରେ ପୁଲକ ଅନୁଭବ କରୁ । ମୋ’ର ଧର୍ମ ବୋଲି କହି ସତେଅବା ଅଠା ପରି ତାହାର ବାହ୍ୟତା ଓ ତାତ୍‍କାଳିକତା ଭିତରେ ଲାଖିଯାଉ । ଅଧ୍ୟାତ୍ମ ମଧ୍ୟରେ ପ୍ରବେଶ କରିଥିବା ବ୍ୟକ୍ତ ତାହାକୁ କଦାପି ମୋ’ର ଅଧ୍ୟାତ୍ମ ବୋଲି କହିବାକୁ ମନ କରିବନାହିଁ ! ଜୀବନର ଉତ୍ତରଣକ୍ଷେତ୍ରରେ ଏପରି ଗୋଟିଏ ସୋପାନ ରହିଥାଏ, ଯେଉଁଠାରେ ପହଞ୍ଚିଲେ ଏହି ସବୁକିଛି ମୋ’ର ବୋଲି ମନେହୁଏ, ତଥାପି ଖାସ୍ କୌଣସି କିଛିକୁ ମୋ’ର ବୋଲି କହିବାର ସେହି ବିଶେଷ ପ୍ରୟୋଜନଟି ଆଦୌ ରହେନାହିଁ । ସାଗର ଭିତରେ ମିଶିଯିବା ପରେ ମହାନଦୀର ଆଉ କଦାପି ଓଡ଼ିଶାଟାକୁ ମୋ’ର ବୋଲି କହିବାର ଆଗ୍ରହ ହେଉ ନଥିବ । ଅଧ୍ୟାତ୍ମ କିଛି ଛାଡ଼େନାହିଁ, ସବୁଟି ସହିତ ଯୁକ୍ତ କରାଇ ରଖିଥାଏ । ତେଣୁ, ବିଶେଷ ଭାବରେ ମୋ’ର ବୋଲି ଆଉ କିଛିହେଲେ ନଥାଏ । ଅଥଚ, ମୁଁ ସବୁରି ହୋଇ ରହିଥିବା ପରି କେଡ଼େ ସହଜରେ ଅନୁଭୂତ ହୁଏ । ଏହିପରି ସମର୍ପଣଦ୍ଵାରା ଧନ୍ୟ ହୋଇଥିବା ମଣିଷ ଧର୍ମରେ ଥାଏ, ଏବଂ ଧର୍ମକୁ ପାରିବି ହୋଇ ଯାଇଥାଏ ।

 

୨ । ୮ । ୯୨

 

ଯାବତୀୟ ଶକ୍ତି ଏହି ପୃଥିବୀରେ ମୋତେ ଅତି ପରାକ୍ରମୀ ଏବଂ ଅତିଉପଦ୍ରବୀ କରିବା ନିମନ୍ତେ ନୁହେଁ, ଏହା ନ୍ୟାୟତଃ ଏହି ପୃଥିବୀରେ ତାଙ୍କରି ଇଚ୍ଛାକୁ ପୂର୍ଣ୍ଣ କରିବା ନିମନ୍ତେ । ଏହି ମୂଳସତ୍ୟଟି ପାଖରୁ ଚ୍ୟୁତ ହୋଇ ପ୍ରକୃତରେ ତନ୍ତ୍ରମାର୍ଗ ଆଉକୁଆଡ଼େ ହୁଡ଼ିଗଲା । ତାନ୍ତ୍ରିକ ସାଧକମାନେ ନିଜପାଇଁ ଶକ୍ତି ମାଗିଲେ, ଅଲୌକିକତାରେ ଏଡ଼େବଡ଼ ହୋଇ ଦିଶିବା ସକାଶେ ଏବଂ ଅସାଧାରଣକୁ ପ୍ରାୟ ଏକ ଉପଦ୍ରବୀ ବ୍ୟବସାୟରେ ପରିଣତ କରିବାର ମତଲବରେ ସେମାନେ ଶକ୍ତିର ସାଧନା କଲେ । ବିଶ୍ଵନିୟମରେ ସିଧା ବ୍ୟଭିଚାର ପଟାଇଲେ । ବ୍ୟଭିଚାରୀ ହେଲେ । ପ୍ରତାପ କାଢ଼ିଲେ ।

 

ପୃଥିବୀରେ ବିଧାତାଙ୍କର ଯାବତୀୟ ଯୋଜନାକୁ ଭଣ୍ଡୁର କରିଦେବାର ଇତିହାସରେ ଆମେ ହୁଏତ ଏହି ଦୁଷ୍ପ୍ରବୃତ୍ତିଟିକୁ ଅସଲ ବାମାଚାର ବୋଲି କହିପାରିବା । ମୋ’ ଶକ୍ତି ମୋ’ ଲାଗି ନୁହେଁ, ମୁଁ ଯେପରି ସମଗ୍ର ଜଗତ୍‍କୁ ସ୍ଵବଶ କରି ରଖିପାରିବି, ସେଥିଲାଗି ମୋ’ ପାଖରେ ରହିଥିବା ଶକ୍ତି ଆଦୌ ଉଦ୍ଦିଷ୍ଟ ନୁହେଁ । ଜ୍ଞାନ, ବିଦ୍ୟା, ଧନ, ଅସ୍ତ୍ର, ଏହି ସବୁକିଛିକୁ ଆମେ ସେଗୁଡ଼ିକର ନିଜ ନିଜ dimension ଭିତରେ ଗୋଟିଏ ଗୋଟିଏ ଶକ୍ତି ବୋଲି କହିପାରିବା । ଏବେ ଏଗୁଡ଼ିକ ଅଧିକାଂଶ କ୍ଷେତ୍ରରେ ପୃଥିବୀର ମଙ୍ଗଳପାଇଁ ଅର୍ଥାତ୍ ବିଧାତାଙ୍କର ଇଚ୍ଛାପୂରଣ କରିବା ଲାଗି ମୋଟେ ବ୍ୟବହୃତ ହେଉନାହାନ୍ତି । ପ୍ରମତ୍ତ ମଣିଷକୁ ଅଧିକ ପ୍ରମତ୍ତ କରିବାରେହିଁ ପ୍ରାୟ ସଚରାଚର ସେମାନେ କାମରେ ଲାଗୁଛନ୍ତି । ଅସଲ ତନ୍ତ୍ରମାର୍ଗକୁ ଫେରିଯାଇ ପାରିଲେ ହୁଏତ ଆମେ ବର୍ତ୍ତମାନ ଏହି ପୃଥିବୀକୁ ଉପଦ୍ରୁତ କରି ରଖିଥିବା ଅପଶକ୍ତିଗୁଡ଼ିକ ଉପରେ ବିଜୟ ହାସଲ କରିପାରନ୍ତେ । ଏହି ଯାବତୀୟ ଶକ୍ତିର ଉତ୍ତରାଧିକାର ସହିତ ଯଦି ଆମେ ନିଜ ଜୀବନରେ ତଥା ଆମ ସାମୂହିକ ଜୀବନର ସକଳ ଅବସରରେ ଭକ୍ତିକୁ ପରିପୂରକରୂପେ ଆମର ଅବଲମ୍ବନ କରି ରଖିପାରନ୍ତେ, ତେବେଯାଇ ଏହି ଶକ୍ତି ତାହାର ଅସଲ ଉଦ୍ଦେଶ୍ୟ ସାଧନ କରିପାରନ୍ତା । ଏସବୁ ମୋ’ର କିଛି ନୁହେଁ, ମୋ’ପାଇଁ ନୁହେଁ,–ଏସବୁ ତାଙ୍କର, ସବୁରି,–ଏହିଭଳି ଏକ ମନୋଦୃଷ୍ଟିକୁ ସମ୍ଭବତଃ ମୂଳତଃ ଭକ୍ତିର ଦୃଷ୍ଟି ବୋଲି କୁହାଯାଇପାରିବ । ମାତ୍ର, ଯେଉଁ ମଣିଷ ଭକ୍ତିକୁ ମଧ୍ୟ ସ୍ଵପରାକ୍ରମଲାଭର ଏକ ଦୁଷ୍ଟସାଧନ ପରି ବ୍ୟବହାର କଲାଣି, ତୁମେ ତାଙ୍କୁ ଆଉ କି ଉପାୟରେ ଘରକୁ ଫେରାଇଆଣି ପାରିବ, ତୁମେ ତା’ ହୃଦୟ ଭିତରକୁ କିପରି ବାଟ ପାଇବ ?

 

୩ । ୮ । ୯୨

 

ପୂଜା ଏବଂ ଉପାସନା ମଧ୍ୟରେ ଯେତେବେଳେ ପୂଜକ ଏବଂ ଉପାସକର କେବଳ ନିଜପାଇଁ କିଛି ମାଗିବାର ଦୁଷ୍ପ୍ରବୃତ୍ତିଟି ଆରମ୍ଭ ହୋଇଗଲା, ସେହି ଦିନଠାରୁହିଁ ଠାକୁର ପଛକୁ ହଟିଗଲେ ଓ ଗୌଣ ହୋଇ ରହିଲେ; ମଣିଷ ଭିତରର ଆକାଂକ୍ଷାଟାହିଁ ସବାଆଗ ଆସନଟାକୁ ଦଖଲ କରି ବସିଲା । ପୃଥିବୀର ପ୍ରାୟ ପ୍ରତ୍ୟେକ ଧର୍ମରେ ଏକଥା ହେଲା । ମଣିଷମାନେ, ଅର୍ଥାତ୍ କେତେକ ମଣିଷ ସଂସାରରେ କେଡ଼େ ବଳିୟାର ହେଲେ, ଦେବତାମାନଙ୍କୁ ଧନଦାତା, ଶକ୍ତିଦାତା ଓ ଆହୁରି କେତେକ’ଣର ଦାତା ବୋଲି ନିଯୁକ୍ତ କରି ରଖାଗଲା, ସେମାନଙ୍କୁ କେତେ କ’ଣ ଦେଇ ସନ୍ତୁଷ୍ଟ କରି ରଖାଗଲା ଏବଂ ପୃଥିବୀରେ ବଳିୟାରମାନଙ୍କରହିଁ ଉପଦ୍ରବ ଚାଲିଲା । ମଣିଷର ନିଜ ଭିତରେ ଯେ ଯାବତୀୟ ଦିବ୍ୟସମ୍ଭାବନା ଗୁପ୍ତ ହୋଇ ରହିଛି, ବଳିୟାରମାନଙ୍କର ଅଭିସନ୍ଧିରେ ପଡ଼ି ଧର୍ମମାନେ ସେହି ସତ୍ୟଟିକୁ ସତେଅବା ଗୁପ୍ତ କରି ରଖିଲେ । ସେହି ସତ୍ୟଟିକୁ ଶାସ୍ତ୍ର ଭିତରେ ଗୁପ୍ତ କରି ରଖାଗଲା । ଏବଂ ତା’ପରେ ମଣିଷ ଉପରେ ଉପଦ୍ରବ ଚାଲିଲା ।

 

ଯଦି ସତ୍ୟ କେଉଁଠାରେ ଥାଏ, ତେବେ ତାହା ସମସ୍ତଙ୍କ ପାଇଁ । ଯଦି ଭଗବାନ୍ କେଉଁଠାରେ ଥାଆନ୍ତି, ତେବେ ସିଏ ସମସ୍ତଙ୍କ ପାଇଁ ଅଛନ୍ତି; ସମସ୍ତଙ୍କର ଶ୍ରେଷ୍ଠତମ ସମ୍ଭାବନାରୂପେ ସିଏ ଅସଲ ଉଦ୍‌ଘାଟନଟି ଲାଗି ଅପେକ୍ଷା କରି ରହିଛନ୍ତି । ଆମର ସାମୂହିକ ଧର୍ମଜୀବନ ଆମକୁ ସେହି ଉଦ୍‌ଘାଟନ ନିମନ୍ତେ ପ୍ରସ୍ତୁତ କରିପାରୁଥାନ୍ତା । ମାତ୍ର, ପୃଥିବୀର ଯାବତୀୟ ଆନୁଷ୍ଠାନିକ ଓ ଔପଚାରିକ ଧର୍ମ ବହୁବିଧ ସ୍ଵାର୍ଥପ୍ରମତ୍ତ ଉପାସନା ଏବଂ ପୂଜାବିଧିଦ୍ଵାରା ମନୁଷ୍ୟମାନଙ୍କୁ ସେମାନଙ୍କର ହେତୁ ହେବା ପୂର୍ବରୁ ମଧ୍ୟ ଏପରି ପ୍ରସୀମିତ କରି ରଖିଦେଉଛି ଯେ, ମଣିଷ ସତେଅବା ନିଜର ରଜ୍ଜୁଗୁଡ଼ାକରେ ନିଜର ଉଦୟସମ୍ଭାବନାକୁ ବାନ୍ଧି ଅଟକାଇ ରଖୁଛି । ମନ୍ଦିରମାନଙ୍କରେ ପ୍ରଧାନତଃ ଅତ୍ୟାକାଂକ୍ଷୀମାନଙ୍କର ଗୋଳ ଲାଗିଛି, ଅତ୍ୟାକାଂକ୍ଷୀମାନେହିଁ ପୃଥିବୀଟାକୁ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ ଶାସନ କରୁଛନ୍ତି । ବିଚରା ଭଗବାନ୍ ମଣିଷକୁ ଆଉ ମୋଟେ ପାରୁନାହାନ୍ତି । ସିଏ ସତେଅବା ସାହସୀ ଏବଂ ସତକୁସତ ଭଗବଦନୁଗତ ମଣିଷମାନଙ୍କ ପାଇଁ ଅପେକ୍ଷା କରି ରହିଛନ୍ତି ।

 

୪ । ୮ । ୯୨

 

ଗୋଟିଏ ହେଉଛି ପ୍ରତୀକଉପାସନା, ଆଉ ଗୋଟିଏ ପ୍ରତ୍ୟକ୍ଷ ଉପାସନା । ପ୍ରତୀକର ଉପାସକମାନେ କାଳେକାଳେ ପ୍ରତୀକଟାକୁହିଁ ଉପାସନାର ଯାବତୀୟ ସବୁକିଛି ବୋଲି ଗ୍ରହଣ କରି ନେଇଛନ୍ତି ଏବଂ ପ୍ରତୀକଟିର ମାଧ୍ୟମରେ ସେମାନେ ସତକୁସତ ଯାହାର ଉପାସନା କରିବାକୁ ଇଚ୍ଛା କରିଥିଲେ, ତାହାକୁ ଉଢ଼ୁଆଳ କରି ରଖିଛନ୍ତି । ସାଧାରଣ ମଣିଷ ଲାଗି ସେହି ପ୍ରତୀକ ଉପାସନାହିଁ ଯଥେଷ୍ଟ ବୋଲି ଅସାଧାରଣ ଧର୍ମଜନମାନେ ଅତ୍ୟନ୍ତ ଖଳତାର ସହିତ କେଡ଼େ ସରବ ଭାବରେ ଘୋଷଣା କରି ଯାଇଛନ୍ତି ।

 

ପ୍ରତୀକ-ଉପାସନା ପଥଚ୍ୟୁତ ହୋଇ ପ୍ରତିମା-ଉପାସନାରେ ପରିଣତ ହୁଏ, ଏବଂ ପ୍ରତିମା–ଉପସନା ମଣିଷକୁ ଆହୁରି ତଳକୁ ଖସାଇ ନେଇ ଅଧିକାଂଶ କ୍ଷେତ୍ରରେ ଏକ ପ୍ରତିମାତୃଷ୍ଣାରେ ଅବଶେଷ ହୋଇ ରହିଯାଏ । ଯାବତୀୟ ପ୍ରତିମାତୃଷ୍ଣା ଇତିହାସରେ ମଣିଷମାନଙ୍କୁ ଅମଣିଷ ହେବାରେହିଁ ଅଧିକ ସାହାଯ୍ୟ କରି ଆସିଛି । ପ୍ରତିମାକୁ ଆଳ କରି ଉତ୍ତେଜିତ ଧାର୍ମିକମାନେ ପରସ୍ପର ସହିତ ଯୁଦ୍ଧ କରିବାକୁ ବାହାରିଛନ୍ତି ଓ ଯାବତୀୟ ଅଧ୍ୟାତ୍ମ ଲାଗି ପୃଥିବୀକୁ ପ୍ରାୟ ଅଯୋଗ୍ୟ କରି ରଖି ଆସିଛନ୍ତି । ପ୍ରତ୍ୟକ୍ଷ ଉପାସନା ସହିତ ପ୍ରଚଳିତ ଅର୍ଥର ଆଦୌ ଏକ ଉପାସନା ନୁହେଁ । ଏହା ହେଉଛି ଏକ ଜୀବନ ବଞ୍ଚିବା, ସମୃଦ୍ଧ ଯୋଡ଼ିବା; ଏହିସବୁଟି ସହିତ ଆତ୍ମୀୟତାର ସମୃଦ୍ଧରେ ଯୋଡ଼ି ହୋଇ ରହିବା । ତାଙ୍କୁ ଅନୁଭବ କରିପାରିବାକୁ ହେଲେ ଯେ ସବୁଦିନେ ଏକ ପ୍ରତିମାର ପ୍ରୟୋଜନ ଲାଗି ରହିଥିବ, ସେହି ଭ୍ରମଟିକୁ ପାର ହୋଇଯିବା । ସବାଆଗ ତାଙ୍କୁ ନିଜଭିତରେ ଅନୁଭବ କରୁଥିଲେ ଜଣେ ବ୍ୟକ୍ତି ପ୍ରତିମା ପ୍ରତି କୌଣସି allergv ଦେଖାଇବ ନାହିଁ ସତ, ମାତ୍ର ସବୁବେଳେ ନାନା ନାବାଳକମାନଙ୍କ ପରି ସିଏ ଆଦୌ କିଛିକୁ ଅନ୍ତରଙ୍ଗ ଭାବରେ ଅନୁଭବ କରିବା ନିମନ୍ତେ କଦାପି ଏକ ଆଲମ୍ବନ ଖୋଜି ଯିବନାହିଁ । ଅଧ୍ୟାତ୍ମ ହେଉଛି ଏକ ସ୍ଵୟଂସମ୍ପୂର୍ଣ୍ଣତାର ଆକାଂକ୍ଷା, ବାହ୍ୟ ନିର୍ଭରଶୀଳତାଗୁଡ଼ିକୁ ଅତିକ୍ରମ କରିପାରିଲେ ଯାଇ ଅଧ୍ୟାତ୍ମ ପାଖକୁ ଆସିବା ସମ୍ଭବ ହୁଏ । ବାହ୍ୟ ନିର୍ଭରଶୀଳତାଗୁଡ଼ିକ ପ୍ରାୟ ସବୁଦିନ ସକାଶେ ମଣିଷକୁ ନାବାଳକ କରି ରଖିଥାନ୍ତି । ପ୍ରତିମାତୃଷ୍ଣା ଓ ପ୍ରତୀକ-ଉପାସନା ମଣିଷମାନଙ୍କୁ ସବୁଦିନ ଲାଗି ନାବାଳକ ହୋଇ ରହିବାପାଇଁ ଏକ ଅବକାଶ ଯୋଗାଇ ଦେଇଥାନ୍ତି ।

 

୫ । ୮ । ୯୨

 

ପ୍ରାୟ ଦଶ ଏଗାରବର୍ଷ ତଳେ ଅନୁଜୋପମ ଜଣେ ତରୁଣ ମୋତେ କେଡ଼େ ଆଶାନ୍ଵିତ ହୋଇ ପଚାରିଥିଲେ ଯେ ସିଏ ବାହାରୁ ମଧ୍ୟ ଏଭଳି ଦିଶିବାକୁ ଚାହାନ୍ତି, ଯେପରିକି ସମସ୍ତେ ତାଙ୍କୁ ଜଣେ ଆଧ୍ୟାତ୍ମିକ ପ୍ରତିଭାପୂର୍ଣ୍ଣ ମଣିଷ ବୋଲି ଜାଣିପାରିବେ । ତାଙ୍କର ମୁଖମଣ୍ଡଳରୁ ଏପରି ଏକ ଦୀପ୍ତି ସର୍ବଦା ପ୍ରକାଶ ପାଇବ, ଯାହାଫଳରେ କି ତାଙ୍କୁ ଦେଖୁଥିବା ସମସ୍ତେ ତାଙ୍କୁ ଜଣେ ଅଧ୍ୟାତ୍ମସ୍ଥ ବ୍ୟକ୍ତି ବୋଲି ଚିହ୍ନିନେଇ ପାରିବେ । ଏକଥା ହାସଲ କରିବାର କିଛି ଉପାୟ ରହିଥିଲେ ତାଙ୍କୁ ବତାଇ ଦେବାପାଇଁ ତରୁଣବନ୍ଧୁ ମୋତେ ସେଦିନ ଅନୁରୋଧ କରିଥିଲେ ।

 

ମୁଁ କିଛିପରି ଦିଶିବାକୁ କେବେହେଲେ ଚେଷ୍ଟା କରିନାହିଁ । ମୁଁ ଅନ୍ୟମାନଙ୍କ ଠାରୁ ଅଲଗା ହୋଇ ଦିଶିବି, ଅଧିକ ସତେଜ ଦିଶିବି, ବିଶେଷ ଠାଣି ଏବଂ, ବିଶେଷ ଦୀପ୍ତିରେ କୁହାଯାଉଥିବା ମୋ’ର କଥାଗୁଡ଼ିକ ସମସ୍ତଙ୍କୁ ମୋତେ ଅନ୍ୟମାନଙ୍କ ମଧ୍ୟରେ ଅଲଗା ବୋଲି ସୂଚାଇ ଦେଉଥିବ,—ମୁଁ ଏକଥାକୁ ସବୁଦିନେ ଏଡ଼ି ଏଡ଼ି ଆସିଛି । ଚାତୁରୀ କରି ଅନ୍ୟମାନଙ୍କ ସହିତ ଏପରି ମିଶିଯିବା, ଯେପରିକି ସେହି, ତଥାକଥିତ ବିଶେଷ ଗୁଣଟି ସକାଶେ ସମସ୍ତେ ମୋତେ ଅଲଗା କରି ଚିହ୍ନି ପାରିବେ ଏବଂ ତଦନୁରୂପ ସୀକୃତି ଦେବେ, ମୁଁ ସେ କଥା ମଧ୍ୟ କେବେ କରିନାହିଁ । ଭିତରର ହେବାଟାକୁ ବାହାରର ବିବିଧ ଲକ୍ଷଣ ଏବଂ ମଣ୍ଡନଦ୍ଵାରା ଦେଖାଇବା ନିମନ୍ତେ ମଣିଷ ଓ ସମୂହମାନେ କେତେ କ’ଣ କରିଛନ୍ତି, କରୁଛନ୍ତି । ମୁଁ ଏହିସବୁ କରି ଦୂରତାଗୁଡ଼ାକୁ ବଜାୟ ରଖିବାକୁହିଁ ସବୁଠାରୁ ଅଧିକ ଭୟ କରିଛି । କାରଣ, ମୁଁ ବାହାରେ ଯେତିକି ଯେତିକି ଅଲଗା ଦିଶିବାକୁ ଚେଷ୍ଟା କରୁଥିବି, ମୋ’ ଭିତରର ଶିଶୁଟି ଯେ ସମ୍ଭବତଃ ସେତିକି ସେତିକି ବୁଢ଼ା ହୋଇଯିବାର ଫିସାଦ କରିବାରେ ଲାଗିଯିବ, ମୋ’ ଭିତରେ ଏହି ଆଶଙ୍କାଟି ସର୍ବଦା ରହି ଆସିଛି । ମୋ’ର ବାଟଚଲା ମୋ’ ଭେକରେ ନୁହେଁ, ମୋ’ ଦିଶିବାରେ ମଧ୍ୟ ନୁହେଁ,—ମୋ’ର ବାଟଚଲା ମୋ’ ପ୍ରୀତିରେ,—ଏହିସବୁ କିଛିକୁ ସ୍ଵୀକାର କରିନେବାରେ, ସ୍ଵୀକାର କରିନେଇ ଧକ୍ୟ ହେବାରେ ।

 

୬ । ୮ । ୯୨

 

ଚାରିଆଡ଼େ ଅବସ୍ଥା ଭିତରଟାକୁ ଏକାବେଳେକେ ଦୋହଲାଇ ଦେବାପାଇଁ ପ୍ରକୃତରେ ଯଥେଷ୍ଟ । ବିଶ୍ୱାସ ତୁଟାଇଦେବା ପାଇଁ ଓ ଆଶାଗୁଡ଼ିକୁ ହରାଇ ଦେବାପାଇଁ ମନ କରିବାମାତ୍ରକେ ବିଶ୍ୱାସ ତୁଟିଯିବାକୁ ଓ ଆଶାଗୁଡ଼ିକ ହଜିଯିବାକୁ ଆଦୌ ବେଶି ସମୟ ଲାଗିବନାହିଁ । ତଥାପି ଏଠୁ ମାୟା ଛାଡ଼ୁନାହିଁ । ଏଠାରେ ଲିପ୍ତ ହୋଇ ରହିବାର ମାୟା ନୁହେଁ, ଏହିଠାରେହିଁ ବାଟ ଚାଲିବାର ମାୟା ।

 

ଦେଶର ଅବସ୍ଥା ଦେଖି ଅନଶନ କରି ଜୀବନ ତ୍ୟାଗ କରିବା ଲାଗି ତାଙ୍କର ଇଚ୍ଛା ହେଉଥିଲା ବୋଲି ଉତ୍କଳମଣି ଗୋପବନ୍ଧୁ ତାଙ୍କର କବିତାରେ ଲେଖିଛନ୍ତି । ଭାରତ ଦ୍ଵିଖଣ୍ଡିତ ହୋଇ ସ୍ଵାଧୀନ ହେଲା ଏବଂ ତା’ପରେ ସ୍ଥିତି ସେପରି ବୀଭତ୍ସ ଏବଂ ବିମର୍ଷକାରୀ ହେବାକୁ ଲାଗିଲା, ସେଗୁଡ଼ିକୁ ଦେଖି ବ୍ୟଥିତ ହୋଇ ମହାତ୍ମା ଗାନ୍ଧୀ ଏହି ସଂସାରରେ ଶହେ କୋଡ଼ିଏବର୍ଷ ବଞ୍ଚି ରହି ଭଗବାନ୍‍ଙ୍କର ସେବା କରିବାର ବାସନାକୁ ତ୍ୟାଗ କଲେ । ଏବଂ, ତା’ପରେ, ସତେଅବା ତେଣୁ ବରାଦ କରାଯାଇଥିଲା ପରି ତାଙ୍କୁ ହତ୍ୟା କରାଗଲା ଓ ତଦ୍ଦ୍ଵାରା ତାଙ୍କର ବାସନା ପୂରଣ ହେଲା । ନିଜ ଭିତରର ନୀରବତା ଆଡ଼କୁ ମୁଁ ଯେତେବେଳେ ଦୃଷ୍ଟିପାତ କରୁଛି, ସେତେବେଳେ ସେଠାରେ କେବଳ ବିଶ୍ୱାସହିଁ ଦେଖି ପାରୁଛି । ଏହି ବିଶ୍ୱାସ ବହୁକଷ୍ଟଦ୍ଵାରା ଅର୍ଜିତ ମୋ’ର ବ୍ୟକ୍ତିଗତ ବିଶ୍ୱାସ ନୁହେଁ, ଏହା ହେଉଛି ସତେଅବା ନିୟତିଦ୍ଵାରା ନିର୍ଦ୍ଦିଷ୍ଟ ହୋଇ ରହିଥିବା ଏକ ବିଶ୍ଵବିଶ୍ୱାସ । ଯେପରି ବିଶ୍ଵବେଦନା ବୋଲି ଗୋଟିଏ କଥା ରହିଛି, ବିଶ୍ଵବିଶ୍ୱାସ ବୋଲି କଥାଟିଏ ମଧ୍ୟ ସେହିପରି ଅବଶ୍ୟ ରହିଛି । ବିଶ୍ଵବେଦନା ଏବଂ ବିଶ୍ଵବିଶ୍ୱାସ ଆଦୌ ପରସ୍ପରର ବିପରୀତ ନୁହନ୍ତି । ଏହି ବେଦନାଦ୍ଵାରା ଏହି ବିଶ୍ୱାସ ହୁଏତ ଅନୁକ୍ଷଣ ପରୀକ୍ଷିତ ହେଉଛି, ଅନୁକ୍ଷଣ ଶୁଦ୍ଧ ହେବାରେ ଲାଗିଛି । ବେଦନାହିଁ ଅଳପକୁ ଭୂମାରେ ରୂପାନ୍ତରିତ କରାଇବାରେ ସହାୟତା କରୁଛି । ତେଣୁ, ପଳାଇ ଯିବାକୁ ମନ ହେଉନାହିଁ । ଏଇଠି ତାଙ୍କର ଚରଣ ଯୁଗଳକୁ ଦେଖି ପାରୁଥିବା ପର୍ଯ୍ୟନ୍ତ, ଏଇଠି ବିଶ୍ଵମୟ ମୋ’ ହୃଦୟର ସ୍ପନ୍ଦନକୁ ଅନୁଭବ କରୁଥିବା ପର୍ଯ୍ୟନ୍ତ ମୁଁ ପଳାଇ ଯିବିନାହିଁ, ଚେର ଛଡ଼ାଇବି ନାହିଁ, ଘୃଣା କରିବିନାହିଁ, ବୈରାଗୀ ହେବିନାହିଁ ।

 

୭ । ୮ । ୯୨

 

ଆଜିର ବିବେକ ସବୁବେଳେ clear, ତା’ର ରାସ୍ତାଟା ସବୁବେଳେ ସିଧା । ଆତ୍ମକାମୀର ବିବେକ ମଧ୍ୟ ସବୁବେଳେ clean,—ତା’ ରାସ୍ତାବି ସବୁବେଳେ ସିଧା । ଏବଂ, ସେହି ପାଜି ଓ ଆତ୍ମକାମୀମାନଙ୍କର ଯଦି ଗୋଟାଏ ଗୋଟାଏ ଆଦର୍ଶବାଦ ରହିଥାଏ, ତେବେ ସେମାନଙ୍କର ପାଜିପଣ ଅଥବା ଆତ୍ମକାମିତା ଯେ ପ୍ରକୃତରେ କେତେ ଦୂରକୁ ଯାଇପାରେ ସେମାନେ ନିଜେ ମଧ୍ୟ ତାହାର କଳନା କରିପାରିବେ ନାହିଁ । ଏବେ, ବିଚରା ପୃଥିବୀଲାଗି ମଧ୍ୟ ତାହା ଅତ୍ୟନ୍ତ ଭୟାବହ ଓ ଦୁଃସହ ହୋଇ ଉଠୁଥିବ ।

 

ପାଜି ବା ଆତ୍ମକାମୀ କିଛି ବିଚାର କଲାବେଳେ ସେହି ବିଚାର ଭିତରେ ଆଉ କାହାରି ଲାଗି ସ୍ଥାନ ନଥାଏ । ମଣିଷ ଭିତରେ ଅସଲ ବିବେକଟି ଯେତିକି ଯେତିକି ଅଧିକ ପରିମାଣରେ ମୁକୁଳିତ ହୋଇ ଆସୁଥାଏ, ସେତିକି ସେତିକି ତାକୁ ଅନ୍ୟମାନେବି ଦିଶନ୍ତି, ଅନ୍ୟମାନଙ୍କ ନିମିତ୍ତବି ସ୍ଥାନ କରିବାକୁ ହୁଏ । ତେଣୁ, ଅନ୍ୟମାନଙ୍କ ନିମନ୍ତେ ଅପେକ୍ଷା କରିବାକୁ ପଡ଼େ । ଅସଲ ନିଷ୍ପତ୍ତିଗୁଡ଼ିକ ନିର୍ମମ ଏବଂ ଅନପେକ୍ଷ ଭାବରେ କଦାପି ହୋଇ ପାରନ୍ତିନାହିଁ । ଆତ୍ମକାମୀ ମଣିଷ କେବଳ ନିଜର ବାଟଟିକୁ ଦେଖେ, ନିଜର ଆଦର୍ଶବାଦଟିକୁ ଦେଖେ । ଆତ୍ମକାମୀ ମଣିଷହିଁ ପାଜି ହୁଏ । ଅନ୍ୟ ମଣିଷମାନେବି ଅଛନ୍ତି, ସେମାନଙ୍କର ମଧ୍ୟ ମତ ରହିଛି, ରୁଚି ଓ ଅଭିରୁଚିମାନ ରହିଛି,–ଆମେ ଏସବୁ ସତ୍ୟକୁ ଯେତିକି ଯେତିକି ନିଜର ବିବେକ ଭିତରକୁ ପ୍ରବେଶ କରିବାଲାଗି ବାଟ ଛାଡ଼ିଦେଉ, ସେତିକି ସେତିକି ଆମର exclusiveness ଗୁଡ଼ିକ କମିବାରେ ଲାଗନ୍ତି । ଆମ ଭିତରେ ଆଗରୁ ଉପଦ୍ରବ କରି ଆସୁଥିବା ପାଜିଟାର ପରାକ୍ରମ ଭାଙ୍ଗି ଭାଙ୍ଗି ଯାଉଥାଏ । ଭଗବାନ୍ ଦୃଶ୍ୟମାନ ହେବାରେ ଲାଗିଥାନ୍ତି । ଏବଂ, ଭଗବାନ୍ ଦୃଶ୍ୟମାନ ହେଲେ ଅନ୍ୟମାନେବି ଜଳଜଳ ହୋଇ ଦିଶନ୍ତି । ସେମାନଙ୍କର ବିବେକ ମୋ’ ବିବେକକୁ ମାର୍ଜିତ କରି ଶିଖାଏ, ଏବଂ ମୋ’ ଆତ୍ମକାମୀତାର ଆଣ୍ଟ ଭାଙ୍ଗିଯିବାକୁ ଆରମ୍ଭ କରେ । ତା’ପରେ ନିଜର ପ୍ରତ୍ୟେକ ନିଷ୍ପତ୍ତିବେଳେ ଅନ୍ୟମାନେ ମଧ୍ୟ ମୋ’ସହିତ ରହିଥାନ୍ତି, ମୋତେ ପାଜି ନହେବାରେ ସାହାଯ୍ୟ କରନ୍ତି ।

 

୮ । ୮ । ୯୨

 

ସବାଆଗ ନିଜର ଏହି ପରଟି ଭଲ ଲାଗିବ । ଆପଣାର ସ୍ଵପ୍ନସବୁ ଭଲ ଲାଗିବେ । ଯେଉଁ ବାସନାର ଡେଣାରେ ମୁଁ ନିଜକୁ ଚଢ଼େଇମାଆ ତା’ର ଶାବକମାନଙ୍କୁ ଆଦର ଦେଇ ଘୋଡ଼ାଇ ରଖିବା ପରି ଆଶ୍ରା ଦେଇ ଆଦର ଦେଇ ରଖିଥିବି, ସେହି ବାସନାଗୁଡ଼ିକ ଭଲ ଲାଗିବ । ନିଜଭିତରେ ରହିଥିବା ଆଲୋକର ଉତ୍ସଟି ଭଲ ଲାଗିବ, ନିଜ ଭିତରର ଆସ୍ଥାନଟିର ଉତ୍ତରାଧିକାରକୁ ନେଇ ଗୌରବ ଅନୁଭବ କରି ହେଉଥିବ । ନିଜ ଭିତରକୁ ଅନାଇଦେବାମାତ୍ରକେ ବଗିଚା ଭିତରେ କେତେ ନା କେତେ ଫୁଲ ଫୁଟୁଥିବା ପରି ଦିଶି ଯାଉଥିବ । ଆପଣାର ଗନ୍ଧରେ ଆପେ ମୋହିତ ହୋଇ ପଡ଼ୁଥିବାର ଅନୁଭବ ହେବ । ସେହି ଗନ୍ଧ ସମଗ୍ର ପୃଥିବୀ ଭିତରକୁ ବିସ୍ତୃତ ହୋଇ ଯାଉଥିବା ପରି ମନେହେବ,—ଏବଂ, ତା’ପରେ ପୃଥିବୀର ସବୁକିଛି ଭଲ ଲାଗିବ । ସମସ୍ତଙ୍କର ମୁହଁ ନିଜ ହୃଦ୍‌ବିସ୍ତାରର ଜଳାଶୟଟି ଉପରେ ପ୍ରତିଫଳିତ ହୋଇ ରହିଥିବା ପରି ଅନୁଭବ ହେବ । ଏହି ସବୁକିଛି ମୋ’ର ବୋଲି ଅନୁଭବ ହେବ ଅର୍ଥାତ୍ ମୁଁ ତାଙ୍କରି ବୋଲି ଅନୁଭବ ହେଉଥିବ ।

 

ନିଜ ଘରଟିକୁ ଭଲ ପାଇବାକୁ ଯାଇ ଅନେକ ମଣିଷ ନିଜ ଭିତରେ ଏପରି ଦୟନୀୟ ଭାବରେ କିଳିହୋଇ ରହିଥାନ୍ତି କାହିଁକି ? କିଳି ହୋଇ ରହିବାର ଦୁର୍ବୁଦ୍ଧି ହେଲେହିଁ ନିଜ ବିଷୟରେ ଏକ ଅଳ୍ପତାବୋଧ ନିଜକୁ ଘାରି ରଖିଥାଏ । ମଣିଷ ତାହାରିଦ୍ଵାରାହିଁ କୃପଣ ହୁଏ । ତା’ର ପ୍ରେମ କୃପଣ ହୁଏ, ତା’ର concern ଗୁଡ଼ିକ କୃପଣ ହୁଅନ୍ତି, କୃପଣତା ଓ ତଜ୍ଜନିତ ଭୟହିଁ ସତେଯେପରି ତା’ର ultimate concern ହୋଇ ରହିଥାଏ । ଗାର ଡେଇଁବା କାଠିକର ପାଠ ହୋଇପଡ଼େ । କୃପଣ ମଣିଷ ଧର୍ମର ଗାର ଡେଇଁ ପାରେନାହିଁ, ଆପଣାର ତଥାକଥିତ ସଂସ୍କାରଗୁଡ଼ିକର ଗାରକୁ ଡେଇଁ ପାରେନାହିଁ । ଆପଣା ମୋହଗୁଡ଼ିକର ଗାରକୁ ଡେଇଁ ପାରେନାହିଁ-। ଏହି ନଡେଇଁ ପାରିବାଟାକୁ ସତେଅବା ଦୁର୍ବୁଦ୍ଧି ଓ ଦୁର୍ଗତିରେ ପଡ଼ି ସିଏ ସଂସ୍କୃତି ବୋଲି କହେ ଏବଂ ଅଠାଗୁଡ଼ାକ ଭିତରେ ଲାଖି ରହିଥାଏ । ସବାଆଗ ନିଜର ଘରଟି ଭଲ ଲାଗିଲେ, ନିଜକୁ ନେଇ ଯଥାର୍ଥ ସ୍ଵୀକୃତି ଏବଂ ଯଥାର୍ଥ ସାକ୍ଷାତକାରଟି ରହିଥିଲେ, ଆପଣାକୁ ଅନନ୍ତ ବିଧିରେ ଏବଂ ଅନନ୍ତ ରୀତିରେ ସମ୍ପ୍ରସାରିତ କରିଦେବା ଭାରି ସହଜ ହୋଇଯାଏ । ତା’ପରେ ସମସ୍ତ ଜୀବନ ଏକ ଅଧ୍ୟାତ୍ମରେ ପରିଣତ ହୋଇଯାଏ । ଏଠୁ ସେଠାଯାଏ ଖିଅ ଲାଗି ରହିଥାଏ । ବନ୍ଧୁ ଘରଭିତରେ ସତତ ବିରାଜିତ ରହିଥାନ୍ତି, ଘରଟି ସମସ୍ତ ସଂସାର ଭିତରକୁ ପ୍ରସାରିତ ହୋଇ ରହିଥାଏ ।

 

୯ । ୮ । ୯୨

 

୧୯୪୨ ମସିହା ଅଗଷ୍ଟ ନଅ ତାରିଖ ଦିନ କେବଳ ଇଂରେଜ ଶାସନକୁ ଭାରତବର୍ଷ ଛାଡ଼ି ଚାଲିଯିବାକୁ କୁହାଯାଇ ନଥିଲା । ଇଂରେଜ ମଣିଷମାନଙ୍କ ସହିତ ଭାରତବାସୀଙ୍କର କୌଣସି ଝଗଡ଼ା ନଥିଲା । ଝଗଡ଼ା ଥିଲା ସେମାନଙ୍କର ଏହି ଦେଶ ଉପରେ ମାଲିକାନା ଜାରି କରି ରଖିବା ବିରୁଦ୍ଧରେ । ତେଣୁ, ଅସଲ କଳହ ଥିଲା ଶୋଷଣ ବିରୁଦ୍ଧରେ, ମଣିଷର ମଣିଷ ଉପରେ ହେଉଥିବା ଅବଜ୍ଞା ବିରୁଦ୍ଧରେ, ବିଳାସୀମାନଙ୍କର ଉଦାସୀନତା ବିରୁଦ୍ଧରେ । ସେଥିଲାଗି, ରାଜନୀତିକ କ୍ଷମତାର ହସ୍ତାନ୍ତର ପରେ ମଧ୍ୟ ମହାତ୍ମା ଗାନ୍ଧୀ ଆମକୁ ସତର୍କ କରିଦେଇ କହିଥିଲି ଯେ, ଆମେ ଆହୁରି ଏକ ବୃହତ୍ତର ବିପ୍ଳବ ଲାଗି ଏଥର ପ୍ରସ୍ତୁତ ହେବା, କାରଣ ଅସଲ ପରିବର୍ତ୍ତନ ସାମାଜିକ ବିପ୍ଳବଦ୍ଵାରାହିଁ ସମ୍ଭବ ହେବ । ଭୋଗୀମାନେ, କ୍ଳାନ୍ତମାନେ ଗାନ୍ଧିଜୀଙ୍କର ବୋଲି ମାନିଲେନାହିଁ, ଦେଶବାସୀଙ୍କୁ ଛାଡ଼ି ସିଂହାସନରେ ବସିବାକୁ ଚାଲିଗଲେ ।

 

ଦେଶକୁ ଭୋଗ କରି ଆସିଥିବା ବର୍ଗଗୁଡ଼ିକର ପ୍ରତୀକମାନେ ବର୍ତ୍ତମାନ ସିଂହାସନ ଉପରୁ ଅଗଷ୍ଟ ବିପ୍ଳବର ପଚାଶବର୍ଷ ପୂର୍ତ୍ତିର ପାଳନ କରିବାକୁ ଆଡ଼ମ୍ବର ସହକାରେ ବହୁ ଯୋଜନା କରିଛନ୍ତି । ମିଛୁଆମାନେ ଆମକୁ ଆମ ନିଜ ଦେଶ ଓ ନିଜ ଭାଗ୍ୟ ବିଷୟରେ ପ୍ରେରଣା ଦେବେ ବୋଲି ବକ୍ତୃତା ତିଆରି କରାଇ ପଢ଼ିବାକୁ ଆଣିଛନ୍ତି । ଯେଉଁମାନେ ଅପରାଧୀ ହୋଇ ଜେଲ୍ ଭିତରେ ଥାଆନ୍ତେ, ସେମାନେ ଦେଶବାସୀଙ୍କୁ ସେମାନଙ୍କର କର୍ତ୍ତବ୍ୟ ବିଷୟରେ ଉଦ୍‌ବୋଧନ ଦେବାକୁ ବାହାରିଛନ୍ତି । ଅସଲ ବିପ୍ଳବ ସତକୁସତ ଏହିମାନଙ୍କ ବିରୁଦ୍ଧରେ ହୋଇଥାନ୍ତା । ସେଥିଲାଗି ଯଦି କାହାର ନେତୃତ୍ଵ ଦେବାର ବଳ ଅଛି, ତେବେ ଆଜିର ଏହି ସ୍ମରଣୀୟ ଦିବସଟିରେ ସେଇ ଶପଥ ଗ୍ରହଣ କରୁ । ସଭାରେ ନୁହେଁ, ସିଏ ନିଜ ପାଖରେ ଶପଥ ଗ୍ରହଣ କରୁ । ଯାବତୀୟ ଆତ୍ମକାମିତା ଓ ତଜ୍ଜନିତ ଉଦାସୀନତା ଯେପରି ଭାରତ ଛାଡ଼ି ଚାଲିଯିବାକୁ ବାଧ୍ୟ ହେବ, ସେଥିଲାଗି ସଂଗ୍ରାମ କରିବାକୁ ସେ ଶପଥ ଗ୍ରହଣ କରୁ । କେବଳ ତଥାକଥିତ ରାଜନୀତିର କ୍ଷେତ୍ରରେ ନୁହେଁ, ସାମୂହିକ ଜୀବନର ଯାବତୀୟ କ୍ଷେତ୍ରରେ ଏହି ସଂଗ୍ରାମ ଚଳାଇ ରଖିବାକୁ ସିଏ ଶପଥ ଗ୍ରହଣ କରୁ ।

 

୧୦ । ୮ । ୯୨

 

ଯେଉଁମାନେ ପ୍ରାୟ ଆପଣାର ସ୍ଵଭାବଦ୍ଵାରା ପରିଚାଳିତ ହୋଇ ପୃଥିବୀରେ ପ୍ରଧାନତଃ allergic ହୋଇ ରହିଥାନ୍ତି, ସେମାନଙ୍କ ପ୍ରତି କିପରି ତଥାପି allergic ନହୋଇ ଶ୍ରଦ୍ଧାର ସହିତ ସେମାନଙ୍କର ଦୁଃଖଟିକୁ ବୁଝିବାକୁ ହେବ, ସେଥିଲାଗି ପ୍ରକୃତରେ ଅନେକ ଧୈର୍ଯ୍ୟ ଅବଲମ୍ବନ କରିବାକୁ ହୋଇଥାଏ । ପ୍ରାୟ ଶପଥ ଗ୍ରହଣ କରିଥିବା ପରି ନିଜକୁ ସହାନୁଭୂତିସମ୍ପନ୍ନ କରି ରଖି ନଥିଲେ ତାହା ସମ୍ଭବ ହୁଏନାହିଁ ।

 

ଘୃଣା କରିବାର ଲୋକମାନେ ଘୃଣା କରିବାର ସହସ୍ର କାରଣ ସର୍ବଦା ଦେଖାଇ ଥାଆନ୍ତି-। କାରଣ ଯେ ସେମାନଙ୍କର ନିଜ ଭିତରେ ରହିଥାଏ ଓ ସଂସାରରେ ଆଦୌ ନଥାଏ, ସେମାନେ ସେହି କଥାଟିକୁ ଶୁଣିବାକୁ ମଧ୍ୟ ବିରକ୍ତି ପ୍ରକାଶ କରନ୍ତି । ଶ୍ରଦ୍ଧାଶୀଳ ହୋଇ ଜୀବନବଞ୍ଚିବାକୁ ସମର୍ଥ ନହେବା, ତାହାହିଁ allergy,—ଶ୍ରଦ୍ଧାଦ୍ଵାରାହିଁ ଦୁଆର ଫିଟେ, ଶ୍ରଦ୍ଧାଦ୍ଵାରା ପୃଥିବୀ ଆଡ଼କୁ ସତେଅବା ସହସ୍ର ଦ୍ଵାର ଖୋଲିଯାଏ । ଏବଂ, ଦୁଆର ଖୋଲିଯାଇ ପାରିଲେ ତଥା ଖୋଲି ଯାଉଥିବା ଦ୍ଵାରଗୁଡ଼ିକ ମଧ୍ୟରେ ପ୍ରବେଶ କରିପାରିଲେ allergy ନାମକ ସେହି ବିଚିତ୍ର ଅବସ୍ତ୍ରଟିକୁ ଲାଭ କରିବାର ଦୁର୍ଗତିରୁ ପରିତ୍ରାଣ ମିଳିଥାଏ । ଆମେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସଂସ୍କାର ଭିତରେ ବାନ୍ଧିହୋଇ ରହିଥାଉ, ସମ୍ଭବତଃ ତାହାହିଁ ସଂସାର ଭିତରେ ଆମକୁ allergic ହେବାଲାଗି ଉତ୍ତେଜନା ପ୍ରଦାନ କରିଥାଏ । ଯାହା ମୋ’ଟା ସହିତ ମେଳ ଖାଉନାହିଁ, ତାହା ଖରାପ, ମୋ’ର ଅଭ୍ୟାସ ଓ ଆଚାରଗୁଡ଼ିକ ସହିତ ଯାହା ଖାପ ଖାଉନାହିଁ, ତାହା ନିନ୍ଦନୀୟ; ଭଗବାନ୍‍ଙ୍କ ରାଜ୍ୟରେ ପ୍ରାୟ ଏହିପରି ଏକ ଦୁର୍ଘଟନାରୁହିଁ ଯାବତୀୟ allergyର ଅୟମାରମ୍ଭ ହୋଇଥାଏ । ତୁମେ ଏହି allergyକୁ ପୃଥିବୀରୁ ଦୂର କରିବାକୁ ଇଚ୍ଛା କରୁଛ ? ତେବେ, allergy ରହିଥିବା ମଣିଷଟି ପ୍ରତି ମଧ୍ୟ ତୁମେ କଦାପି allergic ହେବନାହିଁ । ତୁମେ ଯେଉଁ ବ୍ୟାଧିର ଅପନୋଦନ କରି ବାହାରିଛି, ତୁମେ ନିଜେ ସେହି ବ୍ୟାଧିର କବଳରେ ମୋଟେ ପଡ଼ିବନାହିଁ । ଅର୍ଥାତ୍, allergic ମଣିଷ ପାଖରେ ମଧ୍ୟ ତୁମେ ହାଲୁକା ହୋଇ ପାରିବ, ନିଜ ଭିତରେ ଆଦୌ କୌଣସି inhibition ଦ୍ଵାରା ବନ୍ଧାହୋଇ ରହି ନଥିବ । ଅର୍ଥାତ୍, ଶ୍ରଦ୍ଧାଦ୍ଵାରା ନିକଟବର୍ତ୍ତୀ ହୋଇ ପାରୁଥିବ,–ତୁମେ ତେବେଯାଇ allergy ନାମକ ଦୁର୍ଗର ଦ୍ଵାରକୁ ଭାଙ୍ଗି ଦେଇ ପାରିବ ।

 

୧୧ । ୮ । ୯୨

 

ଯେଉଁଦିନ ନିଜପାଖରେ ନିଜକୁ ଦୁର୍ବହପ୍ରାୟ ମନେ ହେବ, ସମ୍ଭବତଃ ସଂସାରଟା ମଧ୍ୟ ସେହିଦିନ ଚିଟା ଲାଗିବାକୁ ଆରମ୍ଭ କରିବ ।

 

ନିଜ ଭିତରକୁ ଅନାଇଦେବା ସମୟରେ ସବୁଜ କ୍ଷେତ ଦେଖାଯାଏ; ଏବଂ ସେହି ସବୁଜ ରଙ୍ଗହିଁ ମୋ’ ଜୀବନର ଯାବତୀୟ ସ୍ଵପ୍ନର ପ୍ରତୀକ ହୋଇ ମୋତେ ସତେଅବା ଆଚ୍ଛାଦିତ କରି ରଖିଥାଏ । ନିଜକୁ ନିଜପାଖରେ ଆଦୌ ଖଣ୍ଡିଆ ବୋଲି ମନେ ହୁଏନାହିଁ, ନିଜ ଭିତରର ନିଜକୁ ଅବଧାନ ପାଖରେ ମୋ’ ନିଜ ଭିତରର ଚାଟଟା ଚୋର ଚୋର ହୋଇ ଲୁଚିବାର କୌଣସି ପ୍ରୟୋଜନହିଁ ନଥାଏ । ତେଣୁ, ଏହି ସଂସାରର ମଧ୍ୟ ବନ୍ଧୁର ଘରପରି ଲାଗୁଥାଏ । ଠିକ୍ କୌଣସି ଉଦ୍ୟାନରେ ପ୍ରବେଶ କରୁଥିଲା ପରି ଅନ୍ୟ ମଣିଷମାନଙ୍କର ଖୁବ୍ ପାଖକୁ ଯାଇହୁଏ, ସେମାନଙ୍କ ଭିତରକୁ ପ୍ରବେଶ କରିହୁଏ । ଯେଉଁ ବିଶେଷ ବାଟର ମନୁଷ୍ୟମାନେ କଥାକଥାରେ alienationର କଥା କୁହନ୍ତି ଏବଂ ସଂସାର ନାମରେ ସାତଶହ ଅଭିଯୋଗ ବାଢ଼ିଦେଇ ଫୁଲେଇ ହୁଅନ୍ତି, ସେମାନଙ୍କ ପାଖରେ ବସିଥିବା ସମୟରେ ସେମାନଙ୍କର ଭିତରକୁ ମଧ୍ୟ ଅନାଇ ଦେଖିବାଲାଗି ଭାରି ଇଚ୍ଛା ହୁଏ । ଜୀବନଟାଯାକ ଏହିପରି ଏକ invitational approach ହିଁ ମୋର ସର୍ବପ୍ରଧାନ approach ହୋଇ ରହିଥାଉ । ଯେଉଁମାନେ ନିଜକୁ କେତେଟା ନୀତିଦ୍ଵାରା ବାନ୍ଧି ଦେଇ ଧୋବାଲୁଗା ପିନ୍ଧି ପୃଥିବୀ ଭିତରକୁ ବାହାରି ଥାଆନ୍ତି, ସେମାନେ କେବେହେଲେ କାହାରିକୁ ନିଜପାଖକୁ ଆମନ୍ତ୍ରଣ କରି ଆଣି ପାରନ୍ତିନାହିଁ । ନିଜଭିତରେ ରହିଥିବା ବନ୍ଧୁଟିକୁ ମଧ୍ୟ ସେମାନେ ନିଜଭିତରେ ଆମନ୍ତ୍ରଣ କରିଆଣି ପିଢ଼ା ଉପରେ ବସାଇ ପାରନ୍ତିନାହିଁ । ମୋ’ ଭିତରେ ସତେ ଯେପରି ପ୍ରତ୍ୟହହିଁ ଜନ୍ମଦିନର ଉତ୍ସବ ଲାଗି ରହିଥାଏ,–ସବୁଦିନେ ପିଢ଼ା ପଡ଼ୁଥାଏ, ସବୁଦିନେ ଚନ୍ଦନପାଟି ଲଗାଇ ଦିଆହୋଇଥାଏ ଓ ସବୁଦିନେ ବନ୍ଦାପନା କରାହେଉଥାଏ । ସେଥିଲାଗି ପୃଥିବୀ ମଧ୍ୟ ସବୁଦିନେ ମୋ’ ସାଙ୍ଗରେ ଥାଏ । ଏଠି କେବେହେଲେ ଲୁଚି ରହିବାକୁ ମନ ହୁଏନାହିଁ କିମ୍ବା ପୃଥିବୀରୂପକ ଏହି ଘରୁ କ’ଣସବୁ ଝାମ୍ପି ନେଇ ଏକୁଟିଆ ଭୋଗ କରିବାର ମତଲବରେ କୁଆଡ଼େ ପଳାଇ ଯିବାକୁ ଇଚ୍ଛା ମଧ୍ୟ ହୁଏନାହିଁ । ଭିତରର ଘରଟି ବାହାରକୁ ମଧ୍ୟ ନିଜର ଘରପରି ଚିହ୍ନି ନେଉଥାଏ ।

 

୧୨ । ୮ । ୯୨

 

ଯେଉଁମାନେ ବିଶ୍ଵବିବର୍ତ୍ତନ ସହିତ ସହଯୋଗ କରି ଜୀବନ ବଞ୍ଚୁଛନ୍ତି, ସେମାନେ ଅପେକ୍ଷାକୃତ ଅଧିକ ଦିନ ବଞ୍ଚିବେ କି ନାହିଁ, ସେ କଥା କେହି କହିପାରିବେ ନାହିଁ ସତ, ମାତ୍ର ଏକଥାରେ କୌଣସି ସନ୍ଦେହ ନାହିଁ ଯେ, ସେମାନେ ଦିନର ଜୀବନଟିକୁ ପରିପୂର୍ଣ୍ଣତାର ଭାବରେ ଅବଶ୍ୟ ବଞ୍ଚିବେ । କୌଣସି ଆତ୍ମକାମନା ସେମାନଙ୍କୁ ପଥଚ୍ୟୁତ କରିନେଇ ପାରିବନାହିଁ । ସେମାନେ କମ୍ ଦୟାଳୁ ହେବେ, କର୍ମ ଈର୍ଷାପରାୟଣ ହେବେ । ପରବର୍ତ୍ତୀ ପାହାଚଟିକୁ ସେମାନେ ନିଜଭିତରେ ଅନୁଭବ କରିପାରୁଥିବେ ଏବଂ ତା’ପରେ ଆହୁରି ଅନେକ ପାହାଚ ଅବଶ୍ୟ ରହିଛି ବୋଲି ନିଜର ଚେତା ଭିତରେ ଅନୁଭବ କରିପାରୁଥିବେ ।

 

ବିବର୍ତ୍ତନରେ ସହଯୋଗ କରି ଜୀବନ ବଞ୍ଚିବାର ଅର୍ଥ ହେଉଛି, ଏକ ପରିପୂର୍ଣ୍ଣତାର ସାହସିକ ନିର୍ଭର ସହିତ ଜୀବନ ବଞ୍ଚିବା । ଅର୍ଥାତ୍, ଯଥାବଶ୍ୟକ ପରିବର୍ତ୍ତନଗୁଡ଼ିକ ଲାଗି ନିଜ ଭିତରେ ସମ୍ମତି ଦେବା, ନିଜ ଜୀବନକୁ ପରିବର୍ତ୍ତନ ନିମନ୍ତେ ଅଧିକରୁ ଅଧିକ ଅନୁକୂଳ କରି ରଖିବା ଏବଂ, ଅଧିକରୁ ଅଧିକ ପରିମାଣରେ ଓ ଅଧିକରୁ ଅଧିକ ସାର୍ଥକ ଭାବରେ ସେହି ପରିବର୍ତ୍ତନର କାମରେ ଲାଗିବା । ଆପଣାଠାରୁ ବୃହତ୍ତର କୌଣସି ଲକ୍ଷ୍ୟର ସାଧନ ଲାଗି ନିଜର ଜୀବନକୁ ବଞ୍ଚୁଥିବା ଅର୍ଥାତ୍ ଆପଣାକୁ ଯୋଗ୍ୟତର କରି ଗଢ଼ୁଥିବା ଜଣେ ବ୍ୟକ୍ତି କଦାପି ସ୍ଵାର୍ଥପର ହେବନାହିଁ-। ଅର୍ଥାତ୍ ନିଜର ଖୋଳଟି ଭିତରେ ଅଧିକରୁ ଅଧିକ ସ୍ଥୂଳ ହୋଇ ରହିବାକୁ କଦାପି ଇଚ୍ଛା କରିବନାହିଁ । ଏହି ସଂସାର ତାକୁ ସର୍ବଦା ଭଲ ଲାଗିବ । ନିଜେ କାମରେ ଲାଗି ପାରୁଥିବା ପର୍ଯ୍ୟନ୍ତ ପ୍ରକୃତରେ ଯେତିକି ଭଲ ଲାଗେ, ସେତିକି ଭଲ ଲାଗିବ । ବର୍ତ୍ତମାନ ଏହି ପୃଥିବୀରେ ନାନା କାରଣରୁ ମଣିଷମାନଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏବଂ ତେଣୁ ସହଯୋଗୀ ତଥା ସମର୍ପିତ ବ୍ୟକ୍ତିମାନଙ୍କର ଆବଶ୍ୟକତା ଏବେ ଅଧିକ ତୀବ୍ର ଭାବରେ ଅନୁଭୂତ ହେଉଛି । ଆଗାମୀ ଅବତାରଟି ହୁଏତ ସେହିଭଳି ମନୁଷ୍ୟମାନଙ୍କୁ ମାଧ୍ୟମରୂପେ ବ୍ୟବହାର କରିବାକୁ ସଜ ହେଉଛି ।

 

୧୩ । ୮ । ୯୨

 

ଯେତେବେଳେ ଜଣେ ମଣିଷ ଭିତର ବା ବାହାରର କୌଣସି ଫିସାଦିରେ ପଡ଼ି ଅଟକି ଯିବାକୁ ସ୍ଥିର କରେ, ସେତେବେଳେ ତା’ର ଯାବତୀୟ ଭଣ୍ଡାମି ଆରମ୍ଭ ହୁଏ; ନିଜ ସହିତ ଭଣ୍ଡାମି ଏବଂ ସମସ୍ତ ପୃଥିବୀ ସହିତ ମଧ୍ୟ ଭଣ୍ଡାମି । ଜଣେ ହିନ୍ଦୁ, ଜଣେ ମୁସଲମାନ ଏବଂ ଏପରିକି ଜଣେ ନାସ୍ତିକବି ଯେତେବେଳେ ଅଧବାଟରେ ଅଟକିଯାଏ, ଓ ତା’ ନିଜର ଆଶ୍ରିତ ଧର୍ମଟିକୁ ବା ମତଟିକୁ ଏକମାତ୍ର ପଥ ବା ସତ୍ୟ ବୋଲି କହିବାକୁ ଆରମ୍ଭ କରେ, ସେତିକିବେଳେ ଭଣ୍ଡାମି ଆରମ୍ଭ ହୁଏ ତା’ ସରୋବରଟିର ଜଳ ପଚିବାକୁ ଆରମ୍ଭ କରେ ।

 

ତେଣୁ, କେଉଁ ବାଟଟା ଠିକ୍ ଓ କେଉଁ ବାଟଟା ଭୁଲ୍, ତଥାକଥିତ ନାସ୍ତିକ ହେବା ଠିକ୍ ଅଥବା ତଥାକଥିତ ଈଶ୍ଵର ବିଶ୍ଵାସୀ ହେବା ଠିକ୍, ଏଇଟା ଆଦୌ ଅସଲ ପ୍ରଶ୍ନ ନୁହେଁ । ଅସଲ ପ୍ରଶ୍ନ ହେଉଛି, ମୁଁ ବାଟ ଚାଲିଛି ନା ବାଟରେ କୌଣସି ଅପସଂସ୍କାର ଅଥବା ଅପସନ୍ତୋଷର ଫାନ୍ଦରେ ପଡ଼ି ଅଟକି ଯାଇଛି । ଅଟକି ଯିବାମାତ୍ରକେହିଁ ଭଳିଭଳି ଶାସ୍ତ୍ର ଲେଖା ହୋଇଛି, ଭଳିଭଳି ମନ୍ଦିର ଗଢ଼ାହୋଇଛି ଓ ତାହାକୁହିଁ ମଣିଷମାନଙ୍କ ନିମନ୍ତେ ଅସଲ ଆସ୍ଥାନ ବୋଲି ଘୋଷଣା କରି ଦିଆଯାଇଛି । ଏବଂ, ସେଇଠାରୁ ଯାବତୀୟ ଗୋଳ ଆରମ୍ଭ ହୋଇଛି । ଠାକୁରମାନଙ୍କର ଦ୍ଵାହି ଦେଇ ଅସଲ ଉପଲବ୍‌ଧିଗୁଡ଼ିକୁ ଆଘାତ କରାଯାଇଛି । ମିଛ ଗୁରୁମାନେ, ଭଣ୍ଡଗୁରୁମାନେ ଗୋଟାଏ ଗୋଟାଏ ସମ୍ପ୍ରଦାୟ ଆରମ୍ଭ କରି ମନୁଷ୍ୟମାନଙ୍କୁ ତାହାରି ଭିତରେ ଅଟକାଇ ରଖିବାର ବିବିଧ ଆୟୋଜନ କରିଛନ୍ତି । ଦିଗ୍‌ବିଜୟ କରିବା ନାଁରେ ପୃଥିବୀରେ ପରସ୍ପର ସହିତ ଗୋଳ ଲଗାଇ ରଖିଥିବା polemics ଗୁଡ଼ାକର ସୃଷ୍ଟି ହୋଇଛି ଏବଂ ଭିତରୁ ଥାଇ ଅନ୍ତର୍ଯାମୀ ବୋକା ହୋଇ ଅନାଇଛନ୍ତି । ଏହି ଯାବତୀୟ ଭଣ୍ଡାମିକୁ ରୋକିବାକୁ ହେଲେ ନିଜ ବାଟଟିକୁହିଁ ଚାଲିବାକୁ ହେବ । ବାଟ ଚାଲୁଥିବା ପ୍ରତ୍ୟେକ ମଣିଷକୁ ନିଜର ବନ୍ଧୁ ବୋଲି ସ୍ଵୀକାର କରିନେବାକୁ ହେବ । ବନ୍ଧୁ ଘରେ ମଧ୍ୟ ଆପଣା ଈଶ୍ଵରଙ୍କୁ ଅନୁଭବ କରିବାର ଆନ୍ତରିକତାକୁ ନିଜ ଭିତରୁ ବିକଶିତ କରି ଆଣିବାକୁ ହେବ । ତେବେ ଯାଇ ଅନ୍ଧାର ଯିବ, ସହୃଦୟତାର ଉଦୟ ହେବ, ଭଗବାନ୍ ପ୍ରତ୍ୟକ୍ଷ ହୋଇ ଦେଖାଯିବେ ।

 

୧୪ । ୮ । ୯୨

 

ନିଜର କିମ୍ବା ଆଉ କାହାର ଜନ୍ମଦିନକୁ ସ୍ମରଣ କରିବାର ଅର୍ଥ ଆମ ସମସ୍ତଙ୍କୁ ମାଧ୍ୟମରୂପେ ବ୍ୟବହାର କରି ଜୀବନ ଯେ ଅଗ୍ରସର ଏବଂ ଉତ୍ତୋଳିତ ହୋଇଯିବାରେ ଲାଗିଛି, ସେହି ସତ୍ୟଟିକୁହିଁ ସମ୍ବର୍ଦ୍ଧନା ଜ୍ଞାପନ କରିବା । ମୋ’ ନିଜଭିତରେ ମଧ୍ୟ ସେହି ସତ୍ୟ ଆପଣାକୁ ପ୍ରୟୋଗ କରିବାରେ ଲାଗିଛି, ତାହା ହେଉଛି ମୋ’ ଜୀବନରେ ସବୁଠାରୁ ଅଧିକ ଗୌରବର କଥା ଏବଂ ଜନ୍ମଦିନ ଭଳି ଗୋଟିଏ ଅବସରରେ ସେହି ଗୌରବଟିକୁ ବିଶେଷ ଭାବରେ ସ୍ମରଣ କରିବାକୁ ହୋଇଥାଏ । ସ୍ମରଣରୁ ଆନନ୍ଦ ଆସେ । ଆହୁରି ଅଧିକ ସାର୍ଥକ ଭାବରେ ସହଯୋଗ କରିବାକୁ ଉତ୍ସାହ ଆସେ ଏବଂ ସେହି ଉତ୍ସାହ କ୍ରମେ ସମର୍ପଣକୁ ରୂପାନ୍ତରିତ ହୋଇଯାଏ । ଜଣେ ବ୍ୟକ୍ତି ବା ଗୋଟିଏ ଦେଶର ଜନ୍ମଦିନକୁ ଆମେ ସେହିପରି ଭାବରେ ସମର୍ପଣ ତଥା ସଂକଳ୍ପର ଏକ ଦିନରୂପେ ଅନୁଭବ କରିପାରିବା ।

 

ଏହି ଦୃଷ୍ଟିରୁ ଆଉଜଣକର ଜନ୍ମଦିନ ମଧ୍ୟ ନିଜକୁ କମ୍ ପ୍ରେରଣା ଦିଏନାହିଁ । ପଥର ଜଣେ ସାଥୀକୁ ଦେଖି ନିଜର ପଥଟି ପାଖରେ ନିଜର ପ୍ରତିଶ୍ରୁତି ବଦ୍ଧତା ମଧ୍ୟ ପ୍ରତ୍ୟକ୍ଷ ହୋଇଆସେ-। ଆମେ ସମସ୍ତେ ଯେ ନିଜନିଜର ନିୟତି ଅନୁସାରେ ଏଠି ପ୍ରତିଶ୍ରୁତିବଦ୍ଧ ହୋଇ ରହିଛୁ, ସେହି ଭାବନା ପ୍ରକୃତରେ elevation ଆଣି ଦେଇଯାଏ । ଆମ ସମସ୍ତଙ୍କର ଜନ୍ମପ୍ରେରଣା ମଧ୍ୟଦେଇ ପୃଥିବୀ ଯେ ନବ ନବ ଜନ୍ମ ଲାଭ କରି ଆଗକୁ ଚାଲୁଛି, ପୁରୁଣାଗୁଡ଼ିକ ଆପଣାକୁ ସମର୍ପିତ କରିଦେଇ ନୂତନର ଆବିର୍ଭାବରେ ନିମିତ୍ତରୂପେ କାର୍ଯ୍ୟ କରୁଛନ୍ତି, ସେହିକଥାଟି ଅତ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଅନୁଭୂତ ହୁଏ । ଏବଂ ଯାହା ଏହିପରି ପ୍ରତ୍ୟକ୍ଷ ଭାବରେ ଅନୁଭୂତ ହୁଏ, ଯାହା ଏହି ସବୁକିଛିକୁ ଗୋଟିଏ ପ୍ରତିଶ୍ରୁତିର ସୂତ୍ରରେ ବାନ୍ଧି ରଖିଥିଲା ପରି ଲାଗେ, ମୁଁ ତାହାକୁହିଁ ସତ୍ୟ ବୋଲି କହିବି । ସତ୍ୟ ଅନୁଭୂତି ପ୍ରସୂତ । ଅନୁଭୂତି ସତତ ବାଟ ଚାଲୁଥିବାରୁ ପ୍ରସୂତ । ବାହ୍ୟରେ ଆଉ କେଉଁଠି ସତ୍ୟ ବୋଲି ଗୁମ୍ଫା ଭିତରେ ଅଥବା ପଙ୍କତଳେ କିଛି ରହିଛି ଏବଂ ତାହାକୁ ସେଠାରୁ ଉଦ୍ଧାର କରି ଆଣିବାକୁ ହେବ ଓ ସେହି ଧନରେ ତୁମେ ଧନୀ ହୋଇ ପାରିବ, ମୁଁ ଏହି କଥାଟିକୁ ଏପର୍ଯ୍ୟନ୍ତ ମୋଟେ ଅନୁଭବ କରି ପାରିଲିନାହିଁ । ମାତ୍ର, ସତ୍ୟ ମୋ’ରି ଭିତରେ ରହିଛି, ମୋ’ ଭିତରୁ ଅନ୍ୟ ସମସ୍ତଙ୍କ ଭିତରକୁ ଲାଗି ରହି ଆମ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ଯେ ତାହା ନିବିଡ଼ ଭାବରେ ବାନ୍ଧି ରଖିଛି, ବିଭିନ୍ନ ସୋପାନରେ ଓ ବିଭିନ୍ନ ଛଳରେ ମୁଁ ଯେପରି ତାହାରି ପରିଚୟହିଁ ଲାଭ କରି ଚାଲିଛି । ଏହି ପୃଥିବୀରେ ଜନ୍ମ ହୋଇଥିବାର ଘଟନାଟି ତାହାରି ହେତୁ ଏଡ଼େ ମହିମାମୟ ହୋଇ ରହିଛି ।

 

୧୫ । ୮ । ୯୨

 

ଏହି ସବୁକିଛିର ଆବଶ୍ୟକତା ରହିଥିଲା । ଦେଶ ସ୍ଵାଧୀନ ହେବା ଆବଶ୍ୟକ ଥିଲା, ଦେଶରେ ସମ୍ପତ୍ତି ବଢ଼ିବା ଦରକାର ଥିଲା, ସାମଗ୍ରୀମାନ ସହସ୍ରଗୁଣ ହେବାର ଆବଶ୍ୟକତା ରହିଥିଲା । ଉଦ୍ଦେଶ୍ୟ ଥିଲା, ଜୀବନ ଧନାଢ଼୍ୟ ହେବ; meaningful ହେବ,–ଏହିସବୁ ବାହ୍ୟ ସମ୍ପନ୍ନତା ସହିତ ଅନ୍ତର୍ଗତ ସମ୍ପନ୍ନତା ବୋଲି ଆଉ ଗୋଟିଏ ଈପ୍ସିତ ଯେ ଅଛି, ସେହି ପ୍ରତ୍ୟୟ ଓ ସେହି ପ୍ରୟାସ କ୍ରମେ ଅଧିକରୁ ଅଧିକ ମୂର୍ତ୍ତ ହୋଇ ଉଠିବ ।

 

ମଣିଷ ଖାଇବ, ଭଲ ଘରେ ରହିବ, ତା’ ଜୀବନର ଆବଶ୍ୟକ ନିରାପତ୍ତାଗୁଡ଼ିକ ବିଷୟରେ ତାକୁ ଆଉ ଉଦ୍‌ବିଗ୍ନ ହୋଇ ରହିବାକୁ ପଡ଼ିବନାହିଁ;–କାରଣ, ତେବେଯାଇ ସେ ଅସଲ ଧନଗୁଡ଼ିକୁ ଖୋଜି ପାରିବ, ଅସଲ ଅନ୍ତରଙ୍ଗତାଗୁଡ଼ିକ ସହିତ ଜୀବନ ବଞ୍ଚିପାରିବ, ନିଜର ବୃତ୍ତିଗୁଡ଼ିକୁ ସେ ସୃଜନଶୀଳ କରିପାରିବ । ସାହିତ୍ୟ ହେବ, ସଙ୍ଗୀତ ହେବ, ସଂସ୍କୃତିର କ୍ଷେତ୍ରରେ ସମୃଦ୍ଧି ଆସିବ । ଏକ ନିର୍ଦ୍ଦିଷ୍ଟ ପରିଭାଷା ଦେଇ କହିଲେ, ତା’ର ଉଚ୍ଚତର ଆକୁଳତା ଏବଂ ଅନୁରାଗଗୁଡ଼ିକ ତା’ର ନିମ୍ନତର ଶକ୍ତିଗୁଡ଼ିକୁ ପରିଚାଳିତ କରିବ । ତା’ ଜୀବନରୁ ଘୃଣା କମିଯିବ; କାରଣ ତା’ ହୀନମ୍ମନ୍ୟତା ଲାଗି ଆଉ ସେପରି କୌଣସି ଅବକାଶହିଁ ନଥିବ । ପଇସା ଥିବ, ମାତ୍ର ପଇସା ତା’ର ବିବେକଗୁଡ଼ିକୁ ଗଣ୍ଠି ପକାଇ ବାନ୍ଧି ରଖିନଥିବ । ଅସଲ ସ୍ଵାଧୀନତା, ଅସଲ ରାଜନୀତି, ଅସଲ ସାମୂହିକତା ତାହାକୁହିଁ କୁହାଯିବ । ମାତ୍ର, ଭାରତବର୍ଷରେ କେଉଁ ଦୈତ୍ୟକୁ ଜୀବନାସନର ବିଧାତା କରି ଆଣି ବସାଇ ଦିଆଗଲା ଯେ, ମଣିଷ ଧନ କମାଇ ଆହୁରି ଅଧିକ ଧନକୁ ଆଶା କଲା, ନିଜ ପାଖରେ ଆବଶ୍ୟକତାରୁ ଦଶଗୁଣ ଅଧିକ ଥାଇ ମଧ୍ୟ ଅପରକୁ ଈର୍ଷା କଲା, ଅନ୍ୟ ଅନେକଙ୍କୁ ବିନା କାରଣରେ ବଞ୍ଚିତ କରି ରଖିବାରେ ସତେଅବା ଏକ ବିଶେଷ ଆନନ୍ଦ ଅନୁଭବ କଲା । ରାଜନୀତି ନିପଟ କ୍ଷମତାଲୋଭରେ ପରିଣତ ହେଲା, ଅତ୍ୟନ୍ତ କୁତ୍ସିତ ଓ ଅତିଦର୍ପିତ ଭାବରେ ଆତ୍ମକାମୀ ହେଲା । ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତି ସବୁକିଛି ଏକ ଅପଧର୍ମର ଷଡ଼ଯନ୍ତ୍ର ଭିତରେ ପଡ଼ି କ୍ଷମତାକୁ, ପଇସାକୁ ତୋଷାମଦ କଲା,–ମଙ୍ଗରାଜମାନଙ୍କ ପାଖରେ ମୁଦୁସୁଲୀ ହୋଇ ବସିବାକୁ ମହାଭାଗ୍ୟ ମଣିଲା । ତଥାପି ଯେ ଏଠି ବିକଳ୍ପମାନେ ରହିଛନ୍ତି, ତାହାହିଁ ଦୁଆରଟିକୁ ଏକ ଅନ୍ୟ ଭବିଷ୍ୟ ଆଡ଼କୁ ଉନ୍ମୋଚିତ କରି ରଖିଛି ।

 

୧୬ । ୮ । ୯୨

 

ଏଇ ମୋ’ ଦେଶ ବୋଲି କହିବାର ଅର୍ଥ ହେଉଛି, ମୁଁ ଏ ଦେଶପାଇଁ ଅର୍ଥାତ୍ ଏହି ଦେଶର ମଣିଷମାନଙ୍କ ପାଇଁ ଯୋଗ୍ୟ ହେବି । ଏହି ଦେଶର ମଣିଷମାନଙ୍କୁ ସମ୍ଭାବ୍ୟ ସକଳ ପ୍ରକାରେ ଧୋକା ଦେଇ, ବଞ୍ଚିତ କରି ଏବଂ ନାନାବିଧ ଶୋଷଣ ଓ ଅସହାୟତା ମଧ୍ୟରେ ରହିବାକୁ ବାଧ୍ୟ କରି ମୁଁ ଏହି ଦେଶକୁ କଦାପି ମୋ’ର ବୋଲି କହିବିନାହିଁ । ଏହି ଦ୍ଵିତୀୟ ପ୍ରକାରର ମଣିଷମାନେ ଏବେ କ୍ରମେ ସଂଖ୍ୟାରେ ଅତିବେଶି ବୃଦ୍ଧି ପାଉଥିବା ପରି ମନେ ହେଉଛି । ଆମ ଦେଶରେ ପ୍ରଚଳିତ ଶିକ୍ଷାବ୍ୟବସ୍ଥା ମଧ୍ୟ ଏହି ଶ୍ରେଣୀର ଲୋକଙ୍କର ସଂଖ୍ୟାକୁ ଅଧିକ ଓ ଆହୁରି ଅଧିକ କରିବାରେ ପ୍ରୋତ୍ସାହନ ଦେବାରେ ଲାଗିଛି ।

 

ଆମ ଦେଶରେ ଯେଉଁମାନେ କ୍ଷମତାରେ ରହିଛନ୍ତି, ରାଜନୀତି ସମେତ ଯାବତୀୟ ପ୍ରକାରର କ୍ଷମତାସ୍ଥାନରେ ରହିଛନ୍ତି, ସେମାନେ ଅଧିକାଂଶତଃ ଦେଶପାଇଁ ଆପଣାକୁ ଯୋଗ୍ୟ ଓ ବ୍ୟବହାର୍ଯ୍ୟ କରି ଗଢ଼ୁନାହାନ୍ତି । ସେମାନେ କେବଳ ନିଜେ ବଡ଼ ଏବଂ ସଫଳ ହେବାରେ ଫନ୍ଦି ଭିତରେ କେଡ଼େ ନିର୍ଲଜ୍ଜ ଓ ଟହଟହ ହୋଇ ଖାଲି କଥା କହିବାରେ ଲାଗିଛନ୍ତି । ଏ ଦେଶ ମୋ’ର ସତ, ମାତ୍ର ମୋ’ର ଭୋଗ କରିବାପାଇଁ ନୁହେଁ, ତାହା ହେଉଛି ମୋ’ର ବିଦ୍ୟା, ମୋର ଶକ୍ତି ଏବଂ ମୋ’ର ମେଧା ଲାଗି ଏକ ବୃହତ୍ତର ଭୂମି ଯୋଗାଇ ଦେବାପାଇଁ । ମୁଁ ସେହିସବୁ ଭୂମି ଉପରେ ନିଜ ସମ୍ଭାବନାଗୁଡ଼ିକର ଡାଳରେ ଫୁଲ ଫୁଟାଇବି, ଫଳ ଫଳାଇବି ଏବଂ ସେହି ଯାବତୀୟ ଅର୍ଜନକୁ ଏ ଦେଶର ମଣିଷମାନଙ୍କ ଲାଗି କାମରେ ଲଗାଇବି । ଭାରତରେ ସ୍ଵାଧୀନତା ପାଇଁ ସଂଗ୍ରାମ ଚାଲିଥିବା ସମୟରେ ଭାରତର ନେତାମାନେ ଭାରତର ନିୟତି ପାଖରେ ସେହି ଶପଥଟିକୁ ଗ୍ରହଣ କରିଥିଲେ । ସେମାନେ ସେମାନଙ୍କର ସେହି calling ଉପରେ ବିଶ୍ଵାସବି କରୁଥିଲେ । ବର୍ତ୍ତମାନ ବିଶ୍ଵାସରେ ବାଡ଼ି ପଡ଼ିଛି । ଭିତରେ ବିଶ୍ଵାସ ମରି ମରି ଯାଉଛି ଓ ତେଣେ ଚତୁରମାନେ ଅଧିକରୁ ଅଧିକ ସାମଗ୍ରୀ ଠୁଳ କରିବାରେ ଲାଗିଛନ୍ତି । ସେମାନଙ୍କର କଳ୍ପିତ ଇହସ୍ଵର୍ଗରେ ସତେଅବା ସାମଗ୍ରୀଗୁଡ଼ାକ ଓ ଭୋଗଗୁଡ଼ାକହିଁ ସତେଅବା ସବୁଠାରୁ ବଡ଼ ସ୍ଵୀକୃତି ବୋଲି ଘୋଷିତ ହୋଇଛି । ଏହି ବ୍ୟକ୍ତିମାନଙ୍କର ସତରେ ଦେଶ ବୋଲି କିଛି ଅଛି କି ? ଦେଶ କହିଲେ ଯାହାକୁ ସବାଆଗ ସବୁ ମଣିଷ ଦିଶୁନାହାନ୍ତି, ତା’ ଦେଶ ତା’ର ଶଠତା ଭିତରେହିଁ ଜାବୁଡ଼ି ହୋଇ ରହିଛି । ଆଗକୁ ଯିବାର ସବୁଯାକ ବାଟ ସତେଅବା ବିସ୍ମୃତ ହୋଇ ରହିଛି ।

 

ରୋହିତର ଡାଏରୀ (ବିଂଶ ପର୍ବ)

୧୭ । ୮ । ୯୨

 

ବରଷାରେ ତିନ୍ତିବା,–ଇଏ ମୋ’ର ଶାନ୍ତିନିକେତନର ଅର୍ଜନ । ଏକାବେଳେକେ ସେହିଦିନ ଠାରୁହିଁ ଦେହ ଏହି ତିନ୍ତିବାକୁ ଏପରି ଆରେଇ ନେଇଛି ଯେ, ଏଥିରେ କିଛି ଅସ୍ଵାଭାବିକ ରହିଛି ବୋଲି ମନେ ହେଉନାହିଁ ।

 

ବରଷା ପଛରେ ବିଜ୍ଞାନ ଅଛି, ଋତୁଚକ୍ରର ବିଧାନ ରହିଛି; ଏହି ବରଷା ପୃଥିବୀରେ କେଡ଼େ ମଙ୍ଗଳକାରୀ ବୋଲି ଭକ୍ତକବିଙ୍କର କେତେ ପ୍ରଶସ୍ତି ମଧ୍ୟ ରହିଛି । ବରଷା ବିଷୟରେ ବହୁ ଉପମା ଦେଇ କ’ଣସବୁ ଲେଖି କବିମାନେ ପ୍ରାକୃତିକ ସୌନ୍ଦର୍ଯ୍ୟବୋଧର କେତେ କେତେ ଶାଳୀନ ପରିଚୟ ଦେଇ ଯାଇଛନ୍ତି । ମାତ୍ର, ବରଷାର ଏକ ହୃଦୟ ମଧ୍ୟ ରହିଛି ଏବଂ, ସେହି ହୃଦୟର ମୋ’ର ଏହି ନିଜ ହୃଦୟଟି ସହିତ ଅନ୍ତରଙ୍ଗ ସମ୍ବନ୍ଧ ମଧ୍ୟ ରହିଛି । ବରଷାର ହୃଦୟଟିକୁ ଅନୁଭବ କରି ଜୀବନରେ କେତେ କେତେ ବାର ମୋ’ର ନିଜ ହୃଦୟ ଭିତରକୁ ବାଟ ଫିଟିଯାଇଛି । ପଣ୍ଡିତମାନେ ଚେତନର ତଳକୁ ଏକ ଅବଚେତନ ଓ ପୁଣି ତା’ ତଳକୁ ଏକ ଅଚେତନ ରହିଛି ବୋଲି ଯେପରି କରିବ କାଟିଦେଇ କହିଥାନ୍ତି, ବରଷାର ହୃଦୟଟିକୁ ସାଙ୍ଗ କରି ନିଜ ଭିତରକୁ ପ୍ରବେଶ କଲାବେଳେ ସେହିସବୁ ଗାରକୁ ମାନି ବାଟ ଚାଲିବାର କୌଣସି ପ୍ରୟୋଜନ ଆଦୌ ଅନୁଭୂତ ହୋଇନାହିଁ । ଏହି ଅବଚେତନ ପୁଣି କ’ଣ ? ଖିଅ ଲଗାଇ ପାରିଲେ, ଭେଦିଯାଇ ପାରିଲେ, ଆଦର ସହିତ ପାଖରେ ବସାଇ ପାରିଲେ ସିଏ ମଧ୍ୟ ଚେତନ । ଏବଂ, ସେହି ତଥାକଥିତ ଅଚେତନ, ସିଏ ତ ଅସଲ ଚେତନ । ତିନୋଟି ବା ସବୁଟିକୁ ନେଇ ଇଏ ଏକ ପୂର୍ଣ୍ଣଚେତନ, ଏକ ସମଗ୍ରଚେତନ । ଆମେ ସେହି ସମଗ୍ରଟି ମଧ୍ୟରେ ଯେତିକି ଆଗକୁ ଆଗକୁ ପ୍ରବେଶ କରିପାରିବା, ଆମେ ସେତିକି ସେତିକି କେବଳ ଚେତନାରହିଁ ଆବିଷ୍କାର କରୁଥିବା ଏବଂ ସେହି ଆବିଷ୍କାରଦ୍ଵାରା ଧନାଢ଼୍ୟ ହେବାରେ ଲାଗିଥିବା । ଇଏ ଆଦୌ ତତ୍ତ୍ଵ ନୁହେଁ, ବା କୌଣସି ପ୍ରଚଳିତ କିମ୍ବା ପ୍ରତିଷ୍ଠିତ ତତ୍ତ୍ଵର ଖଣ୍ଡନ ମଧ୍ୟ ନୁହେଁ । ଏହା ହେଉଛି ସଂପ୍ରସାରଣ କଥା । ଏବଂ, ହୃଦୟ କହିଲେ ଆପେ ଆପେ ପ୍ରସାରିତ ହୋଇଯିବାର ଏହି ଧର୍ମଟି ବ୍ୟତୀତବି ଆଉ କ’ଣ ବୁଝାଏ ? ମୁଁ ବରଷା ଭିତରେ ସେହି ସମ୍ପ୍ରସାରିତ ହୋଇଯିବାର ବ୍ୟାକୁଳତାଟିକୁ ଅନୁଭବ କରେ । ବର୍ଷାରେ ତିନ୍ତୁଥିବା ସମୟରେ ମଧ୍ୟ ମୁଁ ସତେଯେପରି ହୃଦୟଟିକୁ ପ୍ରସାରିତ କରିଦେବାରେ ଲାଗୁଥାଏ ଏବଂ ବର୍ଷଣସାନ୍ନିଧ୍ୟର ଏକ ଉଷ୍ଣତା ମୋ’ଭିତରକୁ ସଞ୍ଚାରିତ ହୋଇ ଆସୁଥାଏ । ତୀର୍ଥସ୍ନାତା ଧରଣୀ ସେହି ସଞ୍ଚାରଣର ସାକ୍ଷୀ ହୋଇ ରହେ ।

 

୧୮ । ୮ । ୯୨

 

ମଣିଷର ଚାରିପାଖରେ ତା’ର ସଂସ୍କାରଗୁଡ଼ାକ ଏଡ଼େ ଜବର ଭାବରେ ପହରା ଦେଉଥାନ୍ତି ଓ ତାକୁ ସତେଅବା ତା’ ମଞ୍ଚ ଭିତରୁ ଏପରି ଭାବରେ ଜବତ କରି ରଖିଥାନ୍ତି ଯେ, ଆପଣା ସଂସ୍କୃତିର ଅସଲ ସ୍ତରଟି ଯାଏଁ ଯିବାଲାଗି ସିଏ ଅନେକ ସମୟରେ ସାହସ କରିପାରେନାହିଁ । ନିଜ ସଂସ୍କୃତି ବିଷୟରେ ସିଏ ବହିରେ ପଢ଼େ, ଉପଦେଶର ମାଧ୍ୟମରେ ବହୁ କଥା ଶୁଣେ, ଶୁଣିଥିବା କଥାଗୁଡ଼ିକୁ ନେଇ ଭାବବିହ୍ଵଳ ହୁଏ, ସ୍ଵପ୍ନ ଦେଖେ ଏବଂ ସେଇଥିରୁ କେତେ ପୁଲକ ଅନୁଭବ କରେ । ମାତ୍ର, ତଥାପି ନିଜର ସଂସ୍କାରଗୁଡ଼ିକୁହିଁ ବଞ୍ଚୁଥାଏ, ସେହି ସଂସ୍କାରମାନଙ୍କୁହିଁ ଆପଣାର super ego ବୋଲି ମାନୁଥାଏ । ତେଣୁ, ମଣିଷର ଭିତରକୁ ଗଭୀର ଅନ୍ତରଙ୍ଗତା ସହିତ ଦେଖିବାକୁ ଚେଷ୍ଟା କରିଥିବା ମନୋବିଜ୍ଞାନୀମାନେ ଯାହାକୁ the real super-ego ବୋଲି କହୁଛନ୍ତି, ସିଏ ସେ ଯାଏଁ ଯାଇ ପହଞ୍ଚି ପାରେନାହିଁ, ତଦ୍ଦ୍ଵାରା ଉପକୃତବି ହୋଇ ପାରେନାହିଁ । ସେଇଟିକୁ ପ୍ରେରଣାସଙ୍ଗୀ କରି ଜୀବନଟିଏ ବଞ୍ଚିବା ତ ଆହୁରି ଅନେକ ଦୂରର କଥା । କେବଳ ସାହସୀ ମଣିଷହିଁ ସଂସ୍କୃତିକୁ ବଞ୍ଚିବାର ଭାଜନ ହୋଇଥାଏ । ଭୀରୁ କେବଳ ସଂସ୍କାରଗୁଡ଼ିକୁ ନେଇ ପଡ଼ି ରହିଥାଏ ।

 

ସଂସ୍କାର ଅନେକ ସ୍ତରର । ମନୁଷ୍ୟ ନିଜ ଭିତରେ ତା’ର ଅସଲ ସମ୍ମତିଗୁଡ଼ିକ ଯେତିକି ଆବିଷ୍କାର କରିପାରେ, ନିଜର ସଂସ୍କୃତିଗୁଡ଼ିକ ତାକୁ ସେତିକି ଅନୁପାତରେ ଦୃଷ୍ଟିଗୋଚର ହୁଅନ୍ତି । ଭିତରେ ଗୋଚର ହୁଅନ୍ତି, ବାହାରେ ମଧ୍ୟ ଗୋଚର ହୁଅନ୍ତି । ଏତେ ଦୂରକୁ ମନ ନ କରୁଥିବା ମଣିଷ ସଂସ୍କାରକୁ ସବୁକିଛି ବୋଲି ଆବୋରି ରହିଥାଏ । ଅର୍ଥାତ୍, ତା’ର ସଂସ୍କାରଗୁଡ଼ିକ ତାକୁ ପ୍ରାୟ ଗିଳି କରି ରହିଥାନ୍ତି । ତଥାପି, ଏପରି ଗୋଟିଏ ସ୍ତରର ସଂସ୍କାର ହୁଏତ ରହିଛି, ଯାହାକି ସଂସ୍କୃତି ଆଡ଼କୁ ବାଟବି ଫିଟାଇଦିଏ । ସେହି ସଂସ୍କାର ସବୁ ସମାଜରେ ରହିଛି । ଅର୍ଥାତ୍, ବିଧାନଗୁଡ଼ିକ ଭିତରେ, ଅଭ୍ୟାସଗୁଡ଼ିକ ଭିତରେ, ଗାରଗୁଡ଼ିକ ଭିତରେ ମଧ୍ୟ ବିଧାନକୁ, ଅଭ୍ୟାସକୁ ଓ ଗାରଗୁଡ଼ିକୁ ଅତିକ୍ରମ କରିଯିବାର ଏକ ସମ୍ଭାବନା ପ୍ରଚ୍ଛନ୍ନ ହୋଇ ରହିଛି । ଏହି ଚେତନାଟି ଭିତରେ ସେହି ଚେତନାଟି ପ୍ରଚ୍ଛନ୍ନ ହୋଇ ରହିଥିବା ପରି ରହିଛି । ତେଣୁ, ମୁଁ ସଂସ୍କାରକୁବି ଦୋଷ ଦେବିନାହିଁ । ସବୁ ସମ୍ଭାବନା, ସବୁ ପ୍ରତିଶ୍ରୁତି ମହଜୁଦ ହେଇ ଥାଉ ଥାଉ ମୁଁ କାହିଁକି ତଥାପି ଏତିକିରେ ରହିଯାଉଛି, ପଇତାଟିଏ ପିନ୍ଧି ବ୍ରାହ୍ମଣ ହୋଇଗଲି ବୋଲି ଧରି ନେଉଛି, ସେଥିପାଇଁ ମୁଁ ମୋ’ର ଅଳ୍ପତାଗୁଡ଼ିକୁହିଁ ଦୋଷୀ କରିବି । ଅଳ୍ପତା ପ୍ରତି ଶ୍ରଦ୍ଧା, ତାହାବି କ’ଣ ଗୋଟାଏ ସଂସ୍କାର ?

 

୧୯ । ୮ । ୯୨

 

ମୁଁ ଅମୁକ ଜାତିର, ଅମୁକ ଧର୍ମର ବା ଅମୁକ ଦେଶର, ଏଇଟା ହେଉଛି ସଂସ୍କାର । ଏହିସବୁ ଅନୁଭୂତି ଆମର ଏହି ସଂସ୍କାରଗତ ପରିଧି ମଧ୍ୟରୁହିଁ ହୋଇଥାଏ । ଆମେ ଇଚ୍ଛା କଲେ ଅର୍ଥାତ୍ ଯଥାର୍ଥ ବାସନାର ଉଦ୍ରେକ କରାଇପାରିଲେ ଏହି ସଂସ୍କାର ଭିତରୁ ସଂସ୍କୃତି ଭିତରକୁ ଯେ ବିକଶିତ ହୋଇଯାଇ ପାରିବା, ଏକ ସମ୍ଭାବନାରୂପେ ତାହା ଆମ ଭିତରେ ଅବଶ୍ୟ ରହିଥାଏ । ଆମକୁ ଆମ ସଂସ୍କାରଗୁଡ଼ିକ ସେଥିଲାଗି କେତେଦୂର ଉତ୍ସାହିତ କରନ୍ତି ବା ନକରନ୍ତି, ଅବଶ୍ୟ ସେହି ମାନଦଣ୍ଡରେ ଗୋଟିଏ ସଂସ୍କାରର ଆଉଗୋଟିଏ ସଂସ୍କାର ସହିତ ତୁଳନା ମଧ୍ୟ କରାଯାଇପାରେ । କାରଣ, ଗୋଟିଏ ଗୋଟିଏ ସଂସ୍କାର ଏକାବେଳେକେ ବାନ୍ଧିପକାନ୍ତି, ମୋଟେ ଗାର ଡେଇଁବାକୁ ଛାଡ଼ି ଦିଅନ୍ତିନାହିଁ । ଆଉ ଗୋଟିଏ ଗୋଟିଏ ସଂସ୍କାରରେ ଅଧିକ ଓ ଆହୁରି ଅଧିକକୁ ବାସନା କରିପାରିବା ଅପେକ୍ଷାକୃତ ଅଧିକ ସହଜ ହୋଇଥାଏ ।

 

ଏହି ସଂସ୍କୃତି ପୁଣି କ’ଣ ? ଯିଏ ଏହି ଗାରଗୁଡ଼ାକ, ଏହି ସଂସ୍କାରଗୁଡ଼ାକ ଭିତରେ ରହିଥାଏ, ଅଥଚ ଏକ ବୃହତ୍ତର ବାସନାରେ ବଞ୍ଚୁଥାଏ, ସଂସ୍କୃତି କ’ଣ ପ୍ରକୃତରେ ସେଇ କହିପାରିବ-। ଯିଏ ନିଜର ଗାରଗୁଡ଼ାକଦ୍ଵାରା ଗିଳିହୋଇ ରହିଥାଏ, ନିଜର ପ୍ରତିମା ଅର୍ଥାତ୍ pattern ଗୁଡ଼ିକଦ୍ଵାରା ଗିଳିହୋଇ ରହିଥାଏ, ସିଏ ମଧ୍ୟ ନିଜର ସେହି ଚଳଣିଟାକୁ କେଡ଼େ ଗର୍ବରେ ସଂସ୍କୃତି ବୋଲି କହୁଥାଏ ସିନା, ମାତ୍ର ତାହାରିଦ୍ଵାରାହିଁ ଏହି ପୃଥିବୀର ଯାବତୀୟ ଅପସଂସ୍କୃତି ଫୁଲପାଣି ପାଇ ବଞ୍ଚନ୍ତି । ଅପସଂସ୍କୃତି ସର୍ବଦା ନାନା ପ୍ରମାଦର କାରଣ ହୋଇ ରହିଥାଏ । ଏବେ କେତେକ ସଂସ୍କାରଗତ ଅର୍ଥାତ୍ ଅଭ୍ୟାସଗତ ଦୁର୍ଭାଗ୍ୟ ହେତୁ ଅନେକ କ୍ଷେତ୍ରରେ ସଂସ୍କୃତିକୁ ଜାତୀୟସଂସ୍କୃତି ବୋଲି କୁହାଯାଉଛି । ନିଜର ଜାତୀୟତା ବୋଲି କହି ଚାରିଆଡେ ବାଡ଼ ବସାଇ ରଖିଥିବା ମଣିଷ ଯାହାସବୁକୁ ନେଇ ଉତ୍ତେଜିତ ହୋଇ ରହିଥାଏ, ତାହା ହେଉଛି ଅଧିକାଂଶତଃ ଏକ ସଂସ୍କାର ବା ଏକ ଅଭ୍ୟାସ । ସେଇଟା ସଂସ୍କୃତି ନୁହେଁ । ସଂସ୍କାରର ବାଡ଼ମାନ ଭାଙ୍ଗିଗଲେ ମଣିଷ ସହିତ ମଣିଷକୁ ଯାହାକିଛି ତଥାପି ବାନ୍ଧିରଖେ, ଉତ୍‌ପ୍ରେରଣାରୂପେ କାର୍ଯ୍ୟ କରେ ଏବଂ ଆଗକୁ–ନିଜ ଭିତରକୁ ଏବଂ ସମଗ୍ର ସଂସାର ଭିତରକୁ ବାଟ କଢ଼ାଏ, ତାହା ସଂସ୍କୃତି । ଅନେକ ଅନେକ ସଂସ୍କାରକୁ ହଜମ କରି ସେପାଖକୁ ବାହାରିଗଲେ ଯାଇ ସଂସ୍କୃତି ।

 

୨୦ । ୮ । ୯୨

 

ସବାମୂଳ ସମସ୍ୟା ହେଉଛି distanceର ସମସ୍ୟା । ଏବଂ, ଯାବତୀୟ distance ପଛରେ ଏକ ଭୟ ଲୁକ୍କାୟିତ ହୋଇ ରହିଥାଏ । ଏହି ପୃଥିବୀରେ ଆମେ ମନ କଲେ ଅର୍ଥାତ୍ ଆମେ ପରସ୍ପରକୁ ସ୍ଵୀକୃତି ଦେଲେ ଯେ ଆମ ସମସ୍ତଙ୍କ ସକାଶେ ଯଥେଷ୍ଟ ପରିମାଣରେ ଯାବତୀୟ ସମ୍ପଦ ଉପଲବ୍‍ଧି ହୋଇପାରିବ, ଏହି ବିଶ୍ଵାସଟିରେ ନିଜେ ସମ୍ମତି ନଦେଲେ ସେଇଥିରୁ ଭୟ ଆସେ । ବର୍ତ୍ତମାନ ସେହି ଭୟ ଆମର ଧର୍ମ, ଆମ ରାଜନୀତି, ଆମ ଜୀବିକାନିର୍ବାହର ସମଗ୍ର ସଂସାରଟିକୁ ଏବଂ ସବୁକିଛିକୁ ଗ୍ରାସ କରି ରହିଛି । ଅତୀତ ଯୁଗମାନଙ୍କରେ ଆପଣା ସକାଶେ ଯଥେଷ୍ଟ ଯୋଗାଡ଼ କରିପାରିବାକୁ ଜଣେ ଆଉଜଣକ ଠାରୁ ଛଡ଼ାଇନେବା ବ୍ୟତୀତ ସତେଯେପରି ଅନ୍ୟ କୌଣସି ପନ୍ଥାହିଁ ଦୃଷ୍ଟିଗୋଚର ହୋଇ ପାରୁ ନଥିଲା । ସେହି ସଂସ୍କାରଟି ଏବେ ମଧ୍ୟ ରହିଛି । ଯାହାକୁ ଆମେ ସମାଜ ବୋଲି କହୁଛୁ, ପାରମ୍ପରିକ ଭାବରେ ସେହି ସମାଜରେ ଅସମାନତାଗୁଡ଼ାକୁ ଅବଶ୍ୟମ୍ଭାବୀ ବୋଲି ଧରି ନିଆଯାଇଛି । ଏବେ ମଧ୍ୟ ଅନେକ ମଣିଷ ସେଗୁଡ଼ିକୁ ଅବଶ୍ୟମ୍ଭାବୀ ବୋଲି ମଣୁଛନ୍ତି ଏବଂ ଏଥିରେ ଆଦୌ କୌଣସି ପରିବର୍ତ୍ତନ କରାଗଲେ ତଦ୍ଦ୍ଵାରା ନିଜେ ଅତ୍ୟନ୍ତ ଶୋଚନୀୟ ଭାବରେ ବଞ୍ଚିତ ହେବାକୁ ପଡ଼ିବ ବୋଲି ଅନେକ ଭୟ କରୁଛନ୍ତି ।

 

କାଳେ କାଳେ କେତେକଙ୍କୁ ହୀନ ଓ ଅବର୍ଣ୍ଣ ବୋଲି କହି ସବର୍ଣ୍ଣମାନେ ଆପଣା ଲାଗି ସମାଜରେ ସବୁକିଛି ଭୋଗିବାକୁ ମନ କରି ଆସିଛନ୍ତି । ଏବଂ, ବର୍ତ୍ତମାନ ଯେତେବେଳେ ଏକ ଗଣତନ୍ତ୍ର ଦେଶର ପ୍ରତ୍ୟେକ ମନୁଷ୍ୟକୁ ତା’ର ସ୍ଵାଭାବିକ ସମ୍ମାନବୋଧଟିକୁ ଆଣି ଦେବାଲାଗି ଚେଷ୍ଟା କରୁଛି, ମଣିଷ ତା’ ସାମାଜିକ ଭାଗ୍ୟକୁ ଆଉ ଆଦୌ କୌଣସି ଭାଗ୍ୟ ବୋଲି ମାନିନେବାକୁ ରାଜି ହେଉନାହିଁ । ସିଏ ତାହାକୁ ମନୁଷ୍ୟକୃତ ଏକ ଅନ୍ୟାୟ ବୋଲି ଭାବୁଛି । ମାତ୍ର, ତେଣେ ଭୋଗ କରି ଆସିଥିବା ବର୍ଗ ବା ବ୍ୟକ୍ତିମାନେ ସେମାନଙ୍କର ପାରମ୍ପରିକ ବିଶେଷ ସୁବିଧାଗୁଡ଼ିକୁ ଛାଡ଼ିବାକୁ ରାଜି ହେଉନାହାନ୍ତି । ସବର୍ଣ୍ଣ କେବଳ ସବର୍ଣ୍ଣ ଭାବରେ ଆପଣାର କଥା ଭାବୁଛି, ସଚେତନ ଅନ୍ୟପକ୍ଷଟି ମଧ୍ୟ କେବଳ ଆପଣା କଥାକୁ ଭାବୁଛି । ଏବଂ, ମଝିରେ ଏକ ଦୂରତା ଆଁ କରି ରହିଛି । ଏକାବେଳେକେ ଦୁଇପକ୍ଷର କଥା ଭାବିବା, ମନୁଷ୍ୟ ହିସାବରେ ପ୍ରତ୍ୟେକଙ୍କ କଥା ଭାବିବା, ବର୍ତ୍ତମାନ ସେ କଥାଟି ଯେପରି ଆମ ଅଭ୍ୟାସ ସହିତ ଆଦୌ ମେଳ ଖାଉନାହିଁ । ତେଣୁ, ଯୁଗ ବୁଡ଼ିଗଲା ବୋଲି ଚାରିଆଡ଼ୁ ଚିତ୍କାର ଉଠୁଛି । ଯାହା ଅଛି, ତାହା ସେହିପରି ଥାଉ ବୋଲି ଏକ ଦୁଷ୍ଟ ଦର୍ଶନ ସତେଅବା ମଣିଷମାନଙ୍କର ବିବେକକୁ କାମୁଡ଼ି ଧରିଛି । ଏହି ଦେଶର ରାଜନୀତିକୁ ବଡ଼ ଅନମନୀୟ ଭାବରେ କାମୁଡ଼ି ଧରିଛି ।

 

୨୧ । ୮ । ୯୨

 

ସାହିତ୍ୟ ସତକୁସତ ଗୋଟାଏ ନିଶା । ସେହି ନିଶା ଖୁବ୍ ଲାଗୁ ଓ ଅଧିକରୁ ଅଧିକ ମଣିଷଙ୍କୁ ଲାଗୁ । ମାତ୍ର ତାହା କାଳିସୀ ପରି ନଲାଗୁ । ଘଡ଼ିଏ ଲାଗି ତା’ପରେ ଛାଡ଼ି ଚାଲି ନଯାଉ । ତାହା କ୍ରମେ ସମଗ୍ର ଜୀବନକୁ ବ୍ୟାପ୍ତ ହୋଇଯାଉ । ସାହିତ୍ୟ ଲେଖିବା ସମୟରେ ମଣିଷ ଯେତିକି କୋମଳ, ନମନୀୟ ଓ ସମର୍ପିତ ହୋଇ ରହିପାରୁଛି, ତା’ର ସମଗ୍ର ଜୀବନର ସକଳ କ୍ଷଣରେ ମଧ୍ୟ ସିଏ ସେତିକି କୋମଳ, ନମନୀୟ, ସମର୍ପିତ ଅର୍ଥାତ୍ ଗ୍ରହଣଶୀଳ ହୋଇ ରହିବାକୁ ସମର୍ଥ ହେଉ । ଅର୍ଥାତ୍, ଅଳପ ଭାଷାରେ କହିଲେ, ସେହି ନିଶା ଭିତର ଆଡ଼କୁ ଲାଗୁ । ଭିତରେ ବଦ୍ଧ ପରି ବସି ରହିଥିବା ସମସ୍ତ ଜୁଗୁପ୍‌ସା ଓ ସମସ୍ତ କପଟତାକୁ ତାହା ଦୂରୀଭୂତ କରିଦେଉ । ଭଲ ପାଇଲେ ମଣିଷ ଯେମିତି ଫିଟିଯାଏ, ଶୁଦ୍ଧ ହୋଇଯାଏ, ପ୍ରସାରିତ ହୋଇଯାଏ; ସାହିତ୍ୟରେ ପ୍ରଭାବ ଭିତରକୁ ଆସି ମଣିଷର ଜୀବନଟାଯାକ ସେହିପରି ଶୁଦ୍ଧ, ପ୍ରସାରିତ ହୋଇଯାଉ ସତତ ଗ୍ରହଣଶୀଳ ହେଉ ।

 

ସମାଜର କୃତ୍ରିମତା ସାହିତ୍ୟକୁ ଆସି ଗ୍ରାସ ନକରୁ । କୃତ୍ରିମତାକୁ ଗ୍ରାସ କରିପାରିବାର ଯୋଗ୍ୟତା ହାସଲ କରିବାକୁ ହେଲେ ସାହିତ୍ୟକୁ ଯେତେ ଯେତେ ପରିମାଣରେ ସାହସୀ ହେବାକୁ ପଡ଼ିବ, ଆଧୁନିକ ସାହିତ୍ୟବାଲାଙ୍କ ପାଖରେ ସେହି ସାହିତ୍ୟ ଦେଖିବାକୁହିଁ ମିଳୁନାହିଁ । ସେଠାରେ ଗୁଡ଼ାଏ ଆଡ଼ମ୍ବର ରହିଥାଏ, ଗୁଡ଼ାଏ ବଚନିକା ମଧ୍ୟ ରହିଥାଏ, ଯାହାକି ନିତାନ୍ତ ଅର୍ବାଚୀନ ପାଖରେ ମଧ୍ୟ ଧରା ପଡ଼ି ଯାଉଥାଏ । ସଭା କରି କେତେଟା ମିଛ ନାଚ ନାଚିବା ଏବଂ ମିଛ ପ୍ରଶସ୍ତି ଗାଇବା,–ଏକଥା କେବଳ ଭୀରୁମାନେ କରନ୍ତି । ସାହିତ୍ୟକୁ ଯିଏ ପ୍ରଧାନତଃ ବହି ଲେଖିବା ବୋଲି ଧରି ନେଇଥାଏ ଓ ବହି ଲେଖି ପ୍ରଦର୍ଶନୀରେ ବହିକୁ ଦେଖାଇ ଛାତି ଫୁଲାଏ, ସେଭଳି ମଣିଷକୁ ସାହିତ୍ୟର ନିଶା ଘାରିଥାଏ । ଏହି ଅନ୍ୟ ନିଶାଗୁଡ଼ାକ ଏ ଯୁଗରେ ସତେଅବା ଭାରି ପ୍ରବଳ ଓ ଲଜ୍ଜାହୀନ ଭାବରେ ବୃଦ୍ଧି ପାଉଛନ୍ତି । ସାହିତ୍ୟ ସମେତ ପାରସ୍ପରିକତାରେ ସକଳ କ୍ଷେତ୍ରରେ ବହୁ ଉପଦ୍ରବ କରୁଛନ୍ତି । ତେଣୁ, ସେହି ଅନ୍ୟ ନିଶାଖୋରମାନଙ୍କୁ ମଧ୍ୟ ମୁଁ ପ୍ରଧାନତଃ ସାହିତ୍ୟିକ ବୋଲି ନୁହେଁ, ଉପଦ୍ରବୀ ବୋଲିହିଁ ଜାଣିବି ।

 

୨୨ । ୮ । ୯୨

 

ସାହିତ୍ୟ ଜୀବନକୁ ଘାରୁ, ଜୀବନ ସାହିତ୍ୟକୁ ଘାରୁ । ଦୁଇଟାଯାକ ପ୍ରକୃତରେ ସେଇ ଗୋଟିଏ କଥା । ତୁମେ ଯେଉଁ ପାଖରୁ ଆରମ୍ଭ କର ପଛକେ, ଯଦି ଅନ୍ତରର ସହିତ ଆପଣାକୁ ସମ୍ମତ ଏବଂ ସଚଳ ରଖିପାରିଥିବ, ତେବେ ତୁମେ ଦୁଇଟାଯାକ କ୍ଷେତ୍ରରେହିଁ କୃତ୍ରିମତାର କବଳରୁ ରକ୍ଷା ପାଇ ପାରିବ ।

 

ଯେଉଁମାନେ ସାହିତ୍ୟକୁ ଆପଣାର ନାନା ଅନ୍ୟ ପ୍ରୟୋଜନଗତ ମତଲବରେ ଲଗାଉଥାନ୍ତି, ସେମାନେ ପ୍ରୟୋଜନରେ ପଡ଼ି କୃତ୍ରିମ ହୁଅନ୍ତି । ଅଳପ କୃତ୍ରିମ ହେଉ ହେଉ ଅଧିକ କୃତ୍ରିମ ହୁଅନ୍ତି, ବାହାରେ କୃତ୍ରିମ ହେଉ ହେଉ ଭିତରେବି କୃତ୍ରିମ ହୁଅନ୍ତି । ନିଜଭିତରେ ମଧ୍ୟ ସତେଅବା ନିଜ ସହିତ ସଉଦା କରିବାରେ ଲାଗିଥାନ୍ତି, ନିଜ ଭିତରର ସାହୁକାର ବନି ନିଜ ଭିତରର ଆରଖଣ୍ଡଟାକୁ ସତେଅବା ନିଜର କୋଠିଆ କରି ରଖିଥାନ୍ତି । ସାହିତ୍ୟିକର କୃତ୍ରିମତା କେବଳ ଯେ ତା’ର ଲେଖାରୁ ଜଣାପଡ଼େ ସେ କଥା ନୁହେଁ, ତା’ ଜୀବନରୁ ମଧ୍ୟ ଧରା ପଡ଼ିଯାଏ । ସିଏବି ଗୋଟାଏ ନିଶା, ସିଏବି ଗୋଟାଏ ଦଶା । ନିଶା ଖାଉଥିବା ଜଣେ ମଣିଷର ପାଖକୁ ଆସିବାମାତ୍ରକେ ଯେପରି ନିଶାଟାକୁ ଘ୍ରାଣ କରିହୁଏ, ଠିକ୍ ସେହିପରି ଦଶାଟାକୁ ମଧ୍ୟ ଦଶାରେ ପଡ଼ିଥିବା ଜଣେ ମଣିଷର ସଂଶ୍ରବରେ ଆସିବାମାତ୍ରକେ ଘ୍ରାଣ କରି ହୁଏ । ତା’ ସହିତ ତା’ର ସାହିତ୍ୟ ମଧ୍ୟ ସମଦଶାପନ୍ନ ହୋଇ ରହିଥାଏ । ତା’ର ସାହିତ୍ୟଚାରଣା ବାହାରକୁ ଯେଡ଼େ ରାଜକୀୟ ଏବଂ ଆଡ଼ମ୍ବରମୟ ହୋଇଥିଲେ ମଧ୍ୟ ଭିତରେ ଯେ ସିଏ ଆପଣା ପାଖରେ ବଡ଼ ଦରିଦ୍ର ହୋଇ ରହିଛି ଓ ତେଣୁ ସାହିତ୍ୟର ମାଧ୍ୟମରେ ସେହି ଦାରିଦ୍ର୍ୟକୁ କିଞ୍ଚିତ୍ ଭରଣା କରିବାକୁ ଏକ ମେହନତ୍ କରୁଛି, ସେହି କଥାଟି ଧରା ପଡ଼ିଯାଏ । ସାହିତ୍ୟର ସାଧନାରେ ଏପରି ସାହିତ୍ୟିକମାନଙ୍କୁ ଆଦୌ ବୀର ବୋଲି କହିବାକୁ ମନ ହୁଏନାହିଁ । ସେମାନେ ନିଜଭଳି ଯୁଗଟାକୁ ମଧ୍ୟ ଭୀରୁ ହୋଇ ରହିବାରେ ସାହାଯ୍ୟ କରନ୍ତି । ସର୍ବଦା ଭୀରୁମାନେହିଁ ନିଃସଙ୍ଗତାର ଭଣିତା କରିବାରେ ଲାଗିଥାନ୍ତି, କେବେହେଲେ ସଙ୍ଗ ଦେଇ ପାରନ୍ତିନାହିଁ ।

 

୨୩ । ୮ । ୯୨

 

ଏହି ପୃଥିବୀ ଯେ କ୍ରମେ ଗଡ଼ି ଗଡ଼ି ଚାଲିଛି, ଏହା ଯେ ପ୍ରକୃତରେ କେଉଁଠି ଆସି ଥମିବ କି ନାହିଁ, ସେହି ବିଷୟରେ ଏବେ ପୃଥିବୀବାସୀ ଭାରି ଆଶଙ୍କା ପ୍ରକାଶ କରୁଛନ୍ତି । ମୁଁ ଭାବୁଛି, ପୃଥିବୀ ଆଦୌ ଥମିବ ବା କାହିଁକି ? ଅଥବା ମୋ’ରି ବକ୍ଷତଳେ, ମୋ’ ଶ୍ରଦ୍ଧା ପାଖରେ ଓ ମୋ’ ଭିତରେ ରହିଥିବା ଉପାସନାରତ ମନୁଷ୍ୟଟି ପାଖରେ ମଝିରେ ମଝିରେ ଆସି ଥମି ଠିଆହୋଇ ଗଲାପରି ଏକ ପ୍ରତ୍ୟୟ ଦେଇ ଯାଉଥିବ ସିନା, ସିଏ ମୋଟେ ଅଟକି ରହିବନାହିଁ । ସିଏ ଚାଲିଥିବ-। ତାହାର ଚାଲିବା ସହିତ ମୁଁ ମଧ୍ୟ ଚାଲିଥିବି । ତାହାହିଁ ଅଭିପ୍ରେତ ହୋଇ ରହିଛି ।

 

ଏହି ପୃଥିବୀ ଏକାଧାରାରେ ଗୋଟିଏ ଘର ଏବଂ ଗୋଟିଏ ରାସ୍ତା । ଏପରି ଏକ ଶ୍ରଦ୍ଧା ଓ ବିଶ୍ଵାସ ମୋ’ ଭିତରେ ରହିଥିବା ଉଚିତ, ଯାହାକି ପ୍ରତ୍ୟେକ ମୁହୂର୍ତ୍ତରେ ଘରେ ରହିଥିବା ପରି ଏବଂ ତଥାପି ବାଟ ଚାଲୁଥିବା ପରି ଅନୁଭବ କରିପାରୁଥିବ । ଅନେକ ମଣିଷ ଖାଲି ଘରଟିଏ ଲୋଡ଼ୁଥାନ୍ତି । ସେମାନେ ସତେଅବା ନିଜର ସେହି ଘରଟି ଭିତରେ ସତ୍ୟ ବା ଭଗବାନ୍ ନାମକ କୌଣସି ଏକ ପଦାର୍ଥକୁ ଜାବୁଡ଼ି ରଖିବାକୁ ଇଚ୍ଛା କରୁଥାନ୍ତି । ଆଉ ଥୋକେ ହୁଏତ ଖାଲି ପଥକୁ ଲୋଡ଼ୁଥାନ୍ତି । ଏମାନେ ନିଜଭିତରେ ଆସ୍ଥାନଟିଏ ତିଆରି କରି ପାରିନଥାନ୍ତି । ସେମାନେ ଖୋଜୁଥିବା ଦରବଟି ବାହାରେ କେଉଁଠାରେ ରହିଛି ବୋଲି କେବଳ ସେଇଆଡ଼କୁ ଧାଇଁ ଯିବାପାଇଁ ମନ କରୁଥାନ୍ତି । ମୋ’ ଜୀବନରେ ଏହି ଦୁଇଟିଯାକ ଏକାବେଳେକେ ସମ୍ଭବ ହୋଇଛି । ମୋତେ ଘର ମିଳିଛି, ପଥଟିଏବି ମିଳିଛି । ଯଦି ସିଏ ସାଙ୍ଗ ହୋଇ ବାଟ ଚାଲୁଥାନ୍ତି, ତେବେ ଘର ଓ ପଥ ଯୁଗପତ୍ ଭାବରେ ପ୍ରତ୍ୟେକ ମୁହୂର୍ତ୍ତରେ ଉପଲବ୍‌ଧ ହେବା ସମ୍ଭବ ହୋଇଥାଏ । ଆପଣାକୁ ମନ୍ଦିରଟିଏ ପରି ଲାଗେ, ଯେଉଁଠି ସିଏ ନିରନ୍ତର ଆସୀନ ହୋଇ ରହିଛନ୍ତି; ଆପଣାକୁ ପଥଟିଏ ପରିବି ଲାଗେ, ଯାହା ଉପରେ ସେଇ ବାଟ ଚାଲୁଛନ୍ତି । ବାଟ ଓ ବାଟ ଚାଲୁଥିବା ମଣିଷ ଉଭୟେ ଏକା ନେତ୍ର ଭିତରେ ପ୍ରତ୍ୟକ୍ଷ ହୋଇ ପାରିଲେ ସମ୍ଭବତଃ ଆଉ କୌଣସି ଭୟ ନଥାଏ । ସେତେବେଳେ, “ପଥେତେ ତା’ର ଗୃହରେ ଚାନୀ ବାଜେ ।”

 

୨୪ । ୮ । ୯୨

 

ଅନେକ ମଣିଷଙ୍କୁ ଅତୀତ ଭାରି ଭଲ ଲାଗେ । ବର୍ତ୍ତମାନଟା ଭଲ ଲାଗେନାହିଁ ବୋଲି ଅତୀତ ଭଲ ଲାଗେ । ସ୍ମୃତିଗୁଡ଼ିକର ଚାରଣା କରିବାର ଅବସରଟିଏ ପାଇ ସେମାନେ ବର୍ତ୍ତମାନ ପାଖରୁ ଦଉଡ଼ି ପଳାନ୍ତି । ପଳାଇ ଯିବାରୁ ପୁଲକ ଲାଭ କରନ୍ତି । ଆଉକେତେ ମଣିଷଙ୍କୁ ଅତୀତ ଦୁଃଖ ଦିଏ । ସେମାନେ ସେହି ଅତୀତକୁ ଝୁରି ହୁଅନ୍ତି । ସେଦିନଗୁଡ଼ିକ କୁଆଡ଼େ ଚାଲିଗଲା ବୋଲି ଅଣ୍ଡାଳି ହୁଅନ୍ତି । ଯୁବାବେଳେ ପିଲାଦିନକୁ ବାହୁନନ୍ତି, ବୃଦ୍ଧାବସ୍ଥାରେ ଯୌବନକାଳକୁ ବାହୁନିବାରେ ଲାଗିଥାନ୍ତି । ଅତୀତର ମାୟାରେ ଘାରିହୋଇ ରହିଥାନ୍ତି ।

 

ମୋ’ ନିଜ ଜୀବନର ଅତୀତ ଭିତରେ ଚମ୍ପତିମୁଣ୍ଡାର ଏକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ସ୍ଥାନ ରହିଛି । ମାତ୍ର, ଚମ୍ପତିମୁଣ୍ଡାର କଥା ମନେପଡ଼ିଲେ ମୁଁ ପଳାଇ ଯିବାର ଆଦୌ କୌଣସି ପୁଲକ ଅନୁଭବ କରେନାହିଁ, ବାହୁନିବାରବି କୌଣସି ପ୍ରୟୋଜନ ପାଏନାହିଁ । ଚମ୍ପତିମୁଣ୍ଡା ମୋ’ ଜୀବନର ଗୋଟିଏ ପାହାଚ ପରି ଦିଶେ । ଏବେବି ମୁଁ ଯେଉଁ ପାହାଚଟିରେ ଛିଡ଼ା ହୋଇଛି, ତାହା ଚମ୍ପତିମୁଣ୍ଡାର ପାହାଚଟି ମଧ୍ୟରେ ସତେଅବା ନିଜର ଏକ ସହୋଦରକୁ ଆବିଷ୍କାର କରିଥାଏ । ସେଠାରେ ସେହି ଚାରୋଟିବର୍ଷ ମୋ’ର ଜୀବନରେ ଏକ ଦିକ୍‌ନିର୍ଣ୍ଣୟ ସମ୍ଭବ କରିବାରେ ବହୁତ ସହାୟତା କରିଛି । ମୁଁ ପରେ ଅମୁକ ବା ସମୁକ କ’ଣ ଗୋଟାଏ ନୁହେଁ, ମାତ୍ର ନିଜ ଭିତରୁ ପ୍ରଧାନତଃ କେଉଁଭଳି ଆଖିଟିଏ ନେଇ ନିଜ ଜୀବନକୁ ଚାଲିବି, ସେହି କ୍ଷେତ୍ରରେ ଶାନ୍ତିନିକେତନ, ଚମ୍ପତିମୁଣ୍ଡା ଇଉରୋପ ପ୍ରତ୍ୟେକର ଏକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଅବଦାନମାନ ରହିଛି । କେଉଁ ପାହାଚଟି ଆଉ କେଉଁ ପାହାଚଟି ଠାରୁ କେତେ ବଡ଼ ବା କେତେ ସାନ, ସେ କଥାର ଆଦୌ କୌଣସି ପ୍ରଶ୍ନ ଉଠୁନାହିଁ । ଆପଣାର ମହିମାରେ ସେଗୁଡ଼ିକ ପ୍ରତ୍ୟେକଟି ଅନନ୍ୟ–ତଥାପି ଗୋଟିଏ ଆଉଗୋଟିକର ପରିପୂରକ । ଜେଲ୍ ଭିତରେ କଟିଥିବା ମୋ’ ଜୀବନର କେତୋଟି ବର୍ଷ, ସେଗୁଡ଼ିକର ମଧ୍ୟ ମୋ’ ଜୀବନର ନେତ୍ରଲାଭର ଇତିହାସରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ଓ ମହତ୍ତ୍ୱପୂର୍ଣ୍ଣ ପାହାଚ ପରି ସ୍ଥାନ ରହିଛି । ତେଣୁ, ଭଲ ବା ଖରାପ ଲାଗିବାର ପ୍ରଶ୍ନ ନାହିଁ, ପଛକୁ ଚାହିଁ ଦୁଃଖ ପାଇବାରବି ପ୍ରଶ୍ନ ନାହିଁ । ଏମାନେ ସମସ୍ତେ ଏକାଠି ଗୋଟିଏ ଆଉଗୋଟିକୁ ବାଟ ଛାଡ଼ିଦେଇ ସତେଅବା ମୋ’ ଯାତ୍ରାପଥର ମେରୁଦଣ୍ଡଟିକୁ ଗଠନ କରିଛନ୍ତି । ମୋ’ ପରିଚିତଟିକୁ ଏକ ସ୍ଵକୀୟ ସମଗ୍ରତା ପ୍ରଦାନ କରିଛନ୍ତି । ସେହି ସମଗ୍ରତା ମଧ୍ୟରେ ଚମ୍ପତିମୁଣ୍ଡା ଏବେ ମଧ୍ୟ ସେହିପରି ଝଟକି ଉଠୁଛି, ମୋତେ ତା’ ପାଖରେ କୃତଜ୍ଞ କରି ରଖୁଛି ।

 

୨୫ । ୮ । ୯୨

 

ନିଜଭିତରେ ଯିଏ ଅଛି, ସିଏ ମୋ’ର ସାଙ୍ଗ । ମୁଁ ତାହାରି ସହିତ ଯେତେବେଳେ ମୋ’ର ସୂତ୍ରଟିକୁ ପ୍ରାୟ ନିଜ ହାତରେ ଛିଣ୍ଡାଇ ଅନ୍ୟକିଛି ଦୁର୍ବୁଦ୍ଧିରେ ପଡ଼େ, କେବଳ ସେତିକିବେଳେହିଁ ଭିତରେ କେଉଁ ଶତ୍ରୁପଲ ପଶିଯାଇ ମୋତେ ହଇରାଣ କରୁଛନ୍ତି ବୋଲି ମନେ ହୁଏ ।

 

ଭିତରେ ରହିଥିବା ଯାହାକୁ ମୁଁ ବନ୍ଧୁ ବା ସାଙ୍ଗ ବୋଲି କହିଲି, ସିଏ କେବଳ ମୋ’ରି ବନ୍ଧୁ ବା ସାଙ୍ଗ ନୁହେଁ । ଅର୍ଥାତ୍, ସାରା ସଂସାରର ବିରୁଦ୍ଧରେ କୌଣସି ଅଲଗା ଷଡ଼ଯନ୍ତ୍ର କରି ମୋତେ କୌଣସି ବିଶେଷ ସିଂହାସନରେ ନେଇ ବସାଇବାକୁ ସିଏ ମୋତେ ସାଙ୍ଗ କରି ବାଛିନାହିଁ-। ତା’ ନିଜ କାମରେ ଲଗାଇବା ସକାଶେ ସିଏ ମୋତେ ବାଛିଛି । ଅର୍ଥାତ୍, ମୋ’ର ନିଜ କାମ ଓ ତା’ ନିଜ କାମ ଭିତରେ ମୋ’ ଆଖିରେ ଯେତେବେଳେ ଆଦୌ କୌଣସି ପାର୍ଥକ୍ୟ ନରହିବ, ମୁଁ ସେତିକିବେଳେହିଁ ତାକୁ ମୋ’ର ସାଙ୍ଗ ବୋଲି ଆବିଷ୍କାର କରିପାରିବି । ମାତ୍ର, ମୁଁ ଯେତେବେଳେ ଅଲଗା ହୋଇ ଏକୁଟିଆ ବସିବି ବୋଲି କୌଣସି ସିଂହାସନକୁ ମନ କରୁଥିବି ଓ ସେହି ମନ କରିବାଦ୍ଵାରା ପ୍ରାୟ ଉତ୍ତପ୍ତ ହୋଇ ନିଜର ଜଙ୍ଗଲଟି ଭିତରେ ବୁଲୁଥିବି, ସେତେବେଳେ ମୋ’ର ସେହି ସାଙ୍ଗଟି ମଧ୍ୟ ସତେଅବା ଶତ୍ରୁ ପରି ଦେଖା ଯାଉଥିବ । ତାହାକୁ ମୁଁ କେବଳ ନିଜର କରିବି ବୋଲି କେତେ ଫନ୍ଦି କରୁଥିବି,–ତା’ ଆଗରେ କେତେ ଭୋଗରାଗ ବାଢ଼ୁଥିବି, ତାକୁ ମନାଇ କେବଳ ମୋ’ର ଆଡ଼କୁ ଢଳାଇ ଆଣିବାକୁ ଯାବତୀୟ ଖଳତା ସହିତ କେତେ ପାଣ୍ଡିତ୍ୟ ଓ କେତେ ଭାବପ୍ରବଣତାବି ଦେଖାଉଥିବି । ମଣିଷମାନଙ୍କର ଏହି ସଂସାରରେ ସେଗୁଡ଼ାକ କ’ଣ କମ୍ ରହିଛି-? ମୁଁ ସତେଅବା ଏହାକୁହିଁ ମାୟା ବୋଲି ଅନୁଭବ କରିଥାଏ । କେତେ ମତ ଓ କେତେ ଧର୍ମର ମାୟାରେ ମଣିଷମାନେ ଯନ୍ତ୍ରାରୂଢ଼ ହୋଇ ରହିଛନ୍ତି;–ଚାରିଆଡ଼କୁ ଅନାଇଦେବାମାତ୍ରକେ ସବାଆଗ ସେଇଟାହିଁ ଦୃଷ୍ଟିଗୋଚର ହୋଇଥାଏ । ମୁଁ ଏପରି ଭାବରେ ମୋଟେ ଯନ୍ତ୍ରାରୂଢ଼ ହୋଇନାହିଁ । ମୁଁ ଆପେ ଆପେ ଯାଇ ଧରା ଦେଇଛି, ତେଣୁ ଯନ୍ତ୍ରାରୂଢ଼ ହୋଇନାହିଁ । ଆପେ ଆପେ ଧରା ଦେଲେ ଭଗବାନ୍ ବନ୍ଧୁପରି ଦିଶନ୍ତି, ସତ୍ୟବି ବନ୍ଧୁ ପରି ଦିଶେ । ସବୁ ମଣିଷଙ୍କ ଭିତରେ ସେଇ ଗୋଟିଏ ବନ୍ଧୁ ଅପେକ୍ଷା କରି ରହିଥିବା ପରି ଦେଖା ଯାଉଥାଏ । ଜଣେ ମଣିଷକୁ ତା’ ଭିତରର ସେହି ବନ୍ଧୁଟି ସହିତ ନେଇ ଭେଟ କରାଇଦେବା, ତାହାହିଁ ଅସଲ ବନ୍ଧୁତା ।

 

୨୬ । ୮ । ୯୨

 

ରାତିଯାକ ସ୍ଵପ୍ନ ଦେଖେ, ସକାଳକୁ କିଛି ମନେ ନଥାଏ । ମୁଁ ନିଜର ରାତି ଆଉ ଦିନ ବିଷୟରେ ସମ୍ଭବତଃ ଏତିକିମାତ୍ର ପ୍ରକୃତ କଥା କହିପାରିବି । ମୋ’ର ଦିନଟି ନିଜକୁ ନିଃଶେଷ ଭାବରେ ରାତି ପାଖରେ ଦେଇଦିଏ ଓ ରାତିଟି ମଧ୍ୟ ସେହିଭଳି ନିଃଶେଷ ଭାବରେ ନିଜକୁ ଦିନ ପାଖରେ ଦେଇଦିଏ । ନ ବୀଭେତି କଦାଚନ । ରାତିର କୌଣସି ଅତୃପ୍ତ ମୋ’ର ଦିନଗୁଡ଼ିକୁ ବିବ୍ରତ କରେନାହିଁ କିମ୍ବା ଦିନର କୌଣସି ଅତୃପ୍ତି ମୋ’ ରାତିଗୁଡ଼ିକୁ ବିବ୍ରତ କରେନାହିଁ । ସନ୍ଧ୍ୟାବେଳେ ମୁଁ ପୂର୍ଣ୍ଣ ହୋଇ ନିଜ ଘରକୁ ବାହୁଡ଼ି ଆସିପାରେ ଏବଂ ସକାଳେ ସେହିପରି ପୂର୍ଣ୍ଣ ଭାବରେ ଆଲୋକମୟତାର ଏହି ପରିପୂର୍ଣ୍ଣ ଜଗତ୍ ମଧ୍ୟରେ ପ୍ରବେଶବି କରିପାରେ । ଜାଗରଣ ଓ ସ୍ଵପ୍ନ ମଧ୍ୟରେ କେଉଁଠାରେ କି ଅନ୍ତର୍ଗତ ସୂତ୍ର ଲାଗି ରହିଛି କେଜାଣି, ଦୁଇଟିର ମଧ୍ୟରେ ରହି ମୁଁ କେବେହେଲେ କୌଣସି ପ୍ରକାରେ ଟାଣିହୋଇ ରହିଥିଲା ପରି ଅନୁଭବ କରେନାହିଁ । ଦିନବେଳେ ଯାହା, ରାତିରେ ମଧ୍ୟ ସେଇଆ । ସୂତ୍ରଟି ଅବଶ୍ୟ ଲାଗିଥାଏ । ଖୁସିଟି ଲାଗି ରହିଥାଏ । ଦିନବେଳେ ମୁଁ ଯାହା ସହିତ ସହଯୋଗ କରେ ଓ ଯାହାର ଭୃତ୍ୟ ହୋଇ ସଂସାର ଭିତରେ ସଂଲଗ୍ନ ହୋଇ ରହିଥାଏ, ମୋ’ର ରାତିଗୁଡ଼ିକରେ ମଧ୍ୟ ମୁଁ ତାହାରି ସହିତ ସହଯୋଗ କରେ, ତାହାରି ଭୃତ୍ୟ ହୋଇ ରହିଥାଏ ।

 

ସମ୍ଭବତଃ ସେଇଥିଲାଗି; କେତେବେଳେ ହେଲେ ଖଣ୍ଡିଆ ଲାଗେନାହିଁ । ଦିନଯାକର କର୍ମଠତା ପରେ ରାତିକୁ ମୁଁ ଯେତେବେଳେ ନିଜର ନିବିଡ଼ଟି ମଧ୍ୟକୁ ଫେରିଆସେ, ସେତେବେଳେ, ମୁଁ ଦିନଯାକ କେଉଁଠି ହାରିଲି କି ଜିତିଲି, ମୁଁ ଆଦୌ ସେକଥା ହିସାବ କରୁନଥାଏ । ମୋ’ ସାଙ୍ଗରେ ସତେଅବା ସମସ୍ତେ ରହିଥାଆନ୍ତି, ମାତ୍ର ଶାନ୍ତ ହୋଇ ଯାଇଥାନ୍ତି । ଜୀବନଟା ଠିକ୍ ସନ୍ଧ୍ୟାସମୟର ଆକାଶ ଭଳି ପ୍ରଶାନ୍ତ ଏବଂ ପ୍ରସନ୍ନ ଦେଖା ଯାଉଥାଏ । ରାତିଯାକ ମୁଁ ସେହି ନିବିଡ଼ତା ଭିତରେ ରହେ, ନିବିଡ଼ତାର ସ୍ଵପ୍ନମାନ ଦେଖେ, କାହାର ସାଥୀ ହୋଇ ଖେଳୁଥାଏ । ସକାଳ ପର୍ଯ୍ୟନ୍ତ ଖେଳୁଥାଏ । ଏବଂ, ସକାଳ ହେଲେ ବାହାରକୁ ବାହାରିଆସେ । ନିଜକୁ ସତେଅବା ଗୋଟିଏ ଫୁଲଡ଼ାଲା ପରି ମନେ ହୁଏ । ଏ ରାତିଯାକ ମୁଁ ଯେପରି ଏହିପରି ଫୁଲର ଡାଲାଟିଏ ହୋଇ ଜଗତ୍ ଭିତରକୁ ଯାଇପାରିବି ବୋଲି ତପସ୍ୟା କରୁଥିଲି, ଠିକ୍ ସେହିପରି ମନେ ହୁଏ । ରାତିର ସ୍ଵପ୍ନଗୁଡ଼ିକ ମଧ୍ୟ ସମ୍ଭବତଃ ସମାନ ଅଧିକାର ସହିତ ତପସ୍ୟାର ସୋପାନକୁ ଉନ୍ନୀତ ହୋଇଯାଇ ପାରିବେ ।

 

୨୭ । ୮ । ୯୨

 

ମୁଁ ସାହିତ୍ୟରେ ମଧ୍ୟ ସାଙ୍ଗ ଖୋଜୁଥାଏ । ସାହିତ୍ୟକୁ ଆଳ କରି ଯେଉଁ ସାହିତ୍ୟିକମାନେ ନିଜକୁ ପ୍ରଧାନତଃ ଲୁଚାଇ ରଖିବାକୁହିଁ ଚେଷ୍ଟା କରୁଥାନ୍ତି, ସେମାନଙ୍କୁ ମୁଁ ଆଦୌ ବୁଝି ପାରେନାହିଁ । ହଁ, ସାହିତ୍ୟରେ ନୂତନ ଶୈଳୀର ତଥାକଥିତ ପ୍ରୟୋଗ କରୁଥିବା ଅନେକ ଲେଖକ ତାହାରି ମାଧ୍ୟମରେ ଆପଣାକୁ ଲୁଚାଇ ରଖିବାରହିଁ ଅଭିପ୍ରାୟ ରଖିଥାଆନ୍ତି । ଶୈଳୀର ମଧ୍ୟ ଏକ ହୃଦୟ ରହିଛି । ଅର୍ଥାତ୍, ଗୋଟିଏ ନିର୍ଦ୍ଦିଷ୍ଟ ଶୈଳୀର ପ୍ରୟୋଗ କଲେ ଯେ ଜଣେ ଲେଖକର ହୃଦୟ ଆପେ ଆପେ ଖୋଲି ହୋଇଯାଏ, ସେ କଥା ଆଦୌ ନୁହେଁ; ମାତ୍ର ହୃଦୟକୁ ଖୋଲା ରଖି ଯାହାକିଛି ମଧ୍ୟ ଲେଖୁଥିବା ଲେଖକର ଶୈଳୀ ଆପଣାକୁ ଲୁଚାଇ ରଖିବା ଲାଗି ସାହିତ୍ୟକୁ ବ୍ୟବହାର କରୁଥିବା ଆଉଜଣେ ଲେଖକର ଶୈଳୀଠାରୁ ଭିନ୍ନ ହେବାକୁ ବାଧ୍ୟ ହୁଏ ।

 

ହଁ, ମୋ’ ନିଜ ଲେଖାର ମାଧ୍ୟମରେ ମୁଁ ମୂଳତଃ ସାଙ୍ଗ ଖୋଜି ଆସିଛି । ସଂସାରରେ ଯଶ ଅପେକ୍ଷା ସାଙ୍ଗ ଅଧିକ ପାଇଛି,–ତାହାହିଁ ହେଉଛି ମୋ’ର ଗୌରବ, ମୋ’ ଲେଖକଜୀବନର ଗୌରବ । ଜଣେ ପାଠକକୁ ନିଜର ସାଙ୍ଗ କରି ଆଣିପାରିବା ନିମନ୍ତେ ମୋ’ ଲେଖାର ମାଧ୍ୟମରେ ମୁଁ ନିରନ୍ତର ଲକ୍ଷ୍ୟ ରଖିଥାଏ । ମୁଁ ସେହି କାରଣରୁହିଁ, ଶୈଳୀରେ ବାଟ ଚାଲେନାହିଁ, ସ୍ଵଗତରେ ମଧ୍ୟ ବାଟ ଚାଲେନାହିଁ । ବାଟ ଚାଲୁ ଚାଲୁ ଶୈଳୀଟିଏ ପାଇଯାଏ, ଆପଣାକୁ ବାହାରେ ଯଥାସମ୍ଭବ ଅକୃତ୍ରିମ ଭାବରେ ବଞ୍ଚୁ ବଞ୍ଚୁ ମୁଁ ନିଜ ନିବିଡ଼ତାର ସନ୍ଧାନ ପାଏ । ସେହି ନିବିଡ଼ତାକୁ ନେଇ ମୁଁ କୌଣସି ଗୁମ୍ଫା ଭିତରକୁ ଆଦୌ ପଶି ଯାଏଁ ନାହିଁ । ମୋ’ ନିବିଡ଼ତାକୁ ଏକା ବଞ୍ଚିବାର କୌଣସି ଦୁଷ୍ଟତା ବା କୃପଣତା ମୋ’ର ନଥାଏ । ନିବିଡ଼ ହୃଦୟଟିଏ ନିବିଡ଼ ସୂତ୍ରଗୁଡ଼ିକୁ ଖୋଜୁଥାଏ ଯାହାଦ୍ୱାରା କି ସିଏ ଏହି ବାହାରର ସବୁଟି ସହିତ ମଧ୍ୟ ଅତ୍ୟନ୍ତ ନିବିଡ଼ ଭାବରେ ବାନ୍ଧି ହୋଇଯାଇ ପାରିବ । ମୋ’ ଜୀବନରେ ଅସଲ ନିବିଡ଼ତା ହେଉଛି ମୋ’ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ମଧ୍ୟ ଏକ ସ୍ଵାଭାବିକ ନିବିଡ଼ତା । ମୋ’ ସାହିତ୍ୟ ସେହି ନିବିଡ଼ତାକୁ ଲାଭ କରିବାରେ ଅନେକ ସାହାଯ୍ୟ କରିଛି, ମୋତେ ମୋ’ର ସ୍ଵଧର୍ମ ଅନୁସାରେ ପରିତ୍ରାଣର ପଥ ଦେଖାଇ ପାରିଛି । ମୋତେ ଅଶେଷ କରିଛି । ଏହି ପୃଥିବୀର ଅଶେଷ ସଙ୍ଗ ସହିତ ଅନ୍ତରଙ୍ଗ ହୋଇ ରହିବାରେ ମୋତେ ସାହସୀ କରିଛି; ସେଥିପାଇଁ ଯଥାର୍ଥ ବିଶ୍ଵାସମାନଙ୍କୁ ଆଣି ଦେଇଯାଇଛି ।

 

୨୮ । ୮ । ୯୨

 

ସାଙ୍ଗ ଖୋଜି ସଂସାରକୁ ବାହାରିଲେ ନିଜକୁ ସମସ୍ତଙ୍କର ସାଙ୍ଗ ବୋଲି ଲାଗେ, ତେଣୁ, ତା’ପରେ ମୋତେ କେତେଜଣ ସାଙ୍ଗ ମିଳିଲେ କି ନାହିଁ, ସେ କଥା ସୁମାରି କରିବାଲାଗି ଆଉ ସମୟ ନଥାଏ । ସଂସାରଟାଯାକ ସାଙ୍ଗ ପରି ଦେଖାଯାଏ, ସଂସାର ଭିତରେ ଏପର୍ଯ୍ୟନ୍ତ ପ୍ରଚ୍ଛନ୍ନ ହୋଇ ରହିଥିବା ସ୍ଵୟଂ ଭଗବାନ୍ ସତେଅବା ବାହାରକୁ ବାହାରି ଆସନ୍ତି ଏବଂ ସାଙ୍ଗ ହୋଇଯାଆନ୍ତି । ସେହି ଅସଲ ସାଙ୍ଗଟିର ଯୋଗ୍ୟ ହେବାରେ ଜୀବନଯାକ କଟିଯାଏ; ତାହାହିଁ ଆନନ୍ଦ ଆଣିଦିଏ, ତାହାହିଁ ଉନ୍ମୋଚନ ଘଟାଏ ।

 

ତେଣୁ, ଯେଉଁମାନେ ଆଗ କୌଣସି ପଟ ବା ପକ୍ଷକୁ, କୌଣସି ବାଦ କିମ୍ବା ବିବାଦକୁ ଅବଲମ୍ବନରୂପେ ଗ୍ରହଣ କରି ସାହିତ୍ୟ ଭିତରକୁ ଯାଆନ୍ତି, ନିଜର ପକ୍ଷଟି ଜୟଲାଭ କରିବ ବୋଲି ହୁଙ୍କାର ଦେଉଥାନ୍ତି, ଶ୍ରଦ୍ଧା ଦେଉ ଦେଉ ଘୃଣାଭିତରେ ପଡ଼ିଯାଆନ୍ତି, ମୁଁ ସେମାନଙ୍କର ଗୁମରଗୁଡ଼ାକୁ ଆଦୌ ସେତେବେଶି ବୁଝି ପାରେନାହିଁ । ତୁମେ ଯେଉଁଠାରୁ ଆରମ୍ଭ କର ପଛକେ, ଯଦି ପ୍ରକୃତରେ ସାଙ୍ଗଟିଏ ହେବାଲାଗି ମନ କରିଥିବ, ତେବେ ସମଗ୍ର ସଂସାରକୁ ସାଙ୍ଗ କରି ନପାଇବା ପର୍ଯ୍ୟନ୍ତ ତୁମର ସାଙ୍ଗଖୋଜା କେବେହେଲେ ସରିବନାହିଁ । ତୁମେ ଯେତେ ଗଭୀର ଯାଏଁ ଗଲେ ମଧ୍ୟ ତଥାପି ଆହୁରି ଅନେକ ଗଭୀର ଭେଦିବାଲାଗି ବାକି ରହିଥିବ । ତୁମେ ଯେଡ଼େ ଯେଡ଼େ ଉଚ୍ଚକୁ ଗଲେବି ଆଗରେ ତଥାପି ଉଚ୍ଚତାମାନେ ରହିଥିବେ ଓ ତୁମକୁ ଟାଣୁଥିବେ । ସାହିତ୍ୟ ଭିତରେ ସାଙ୍ଗ ଖୋଜିଲେ ସମ୍ଭବତଃ ସେହି କାରଣରୁ ସାହିତ୍ୟ ଅସରନ୍ତି ପରି ଲାଗେ, ନିଜକୁ ମଧ୍ୟ ଅସରନ୍ତି ପରି ଲାଗେ । ତେଣୁ, ତୁମେ କେଉଁ ଭାଷାରେ ଲେଖୁଛ, ଗଦ୍ୟ ଲେଖୁଛ କି ପଦ୍ୟ ଲେଖୁଛ, ସେ କଥା ଆଉ ମୋଟେ ସ୍ମରଣ ରହେନାହିଁ । ସାହିତ୍ୟ ଭିତରେ ଏପରି ଏକ ଅତିକ୍ରମଣ ସମ୍ଭବ ହୁଏ, ଯେତେବେଳେ କି ଗୋଡ଼ତଳେ ରହିଥିବା ମାଟିଟି ଏକାନ୍ତ ଆପଣାର ବୋଲି ମନେ ହେଉଥିଲେ ମଧ୍ୟ ତଥାପି ସେଥିଲାଗି ଭିତରେ କୌଣସି ଈର୍ଷା କିମ୍ବା ଅହଂକାରର ଅନୁଭବ ହୁଏନାହିଁ । ନିଜର ମାଟିଟିକୁ ଚିହ୍ନିବାର ମାଧ୍ୟମରେ ସବୁ ମାଟିକୁ ଚିହ୍ନିହୁଏ । ଯାବତୀୟ exclusiveness କୁଆଡ଼େ ପାର ହୋଇ ଯାଆନ୍ତି । ଆମ ଠାକୁର ଆଉ ମୋଟେ କେବଳ ଆମ ଠାକୁର ପରି ଦିଶନ୍ତିନାହିଁ । ସିଏ ସମସ୍ତ ଜଗତ୍‍ର ଠାକୁର ହୋଇ ଦିଶନ୍ତି । ନିଜର ଅସଲ ଜାତିତ୍ଵ ସେତିକିବେଳେ ଉପଲବ୍‌ଧ ହୁଏ, ତେଣୁ କିଳି ହୋଇ ରହିବାର ଯାବତୀୟ ଦୁର୍ଭାଗ୍ୟ ଦୂର ହୋଇଯାଏ ।

 

୨୯ । ୮ । ୯୨

 

ଜୀବନରେ ଜାଗା ଖୋଜି ଯେତେ ଜାଗା ବୁଲିଲି, ସେହି ସବୁଯାକ ଜାଗାର ମାୟା, ମୋ’ ସହିତ ଲାଗିକରି ରହିଛି । ମଣିଷ ଖୋଜି ଅର୍ଥାତ୍ ବନ୍ଧୁ ଖୋଜି ମୁଁ ଯେତେ ମଣିଷଙ୍କର ଦ୍ଵାରଦେଶରେ ଯାଇ ଯେତେବେଳେ ଛିଡ଼ା ହୋଇଥିଲି, ସମସ୍ତେ ଏକ ଅଦ୍ଭୂତ ସମ୍ପୂର୍ଣ୍ଣ ଜୀବନବାଚୀ ମାୟାରେ ମୋତେ ବାନ୍ଧି ରଖିଛନ୍ତି ।

 

ସକାରାତ୍ମକ ମାୟା; ତାହାହିଁ ଡୋର । ଏହି ସବୁଯାକ ଡୋର ଏକାଠି ମିଶି ଜୀବରେ ସ୍ନେହ ନାମକ ଉପାଦାନଟିକୁ ସାକାରତା ଏବଂ ପ୍ରତ୍ୟକ୍ଷତା ପ୍ରଦାନ କରିଛନ୍ତି । ବନ୍ଧୁତା ହେଉଛି ଆସ୍ପୃହାର ଯୋଗ୍ୟ ଗୋଟିଏ ଗୁଣ, ମାତ୍ର ଗୋଟିଏ ବନ୍ଧୁ ହେଉଛି ଗୋଟିଏ ଧନ, ଯାହା ଏହି ଜୀବନକୁ ଅତ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଧନୀ କରି ରଖିଛି । ମୁଁ ନିଜ ଭିତରକୁ ଅନାଇ ଦେଖି ପାରୁଛି ମୁଁ କହିଲେ ମୂଳତଃ ଏହି ନିତ୍ୟମାୟାରେ ଅବଗାହିବାର ଆନନ୍ଦରେ ସତେଅବା ଏକ କେନ୍ଦ୍ରରେ ପରିଣତ ହୋଇ ଯାଇଥିବା କ’ଣଟିଏ । ସେହି କେନ୍ଦ୍ରରୁହିଁ ମୋ’ର ଯାବତୀୟ ପ୍ରସାରଣ, ଏବଂ ସେହି ପ୍ରସାରଣ ହେଉଛି ଜୀବନ । ନିଜର ବାଟ ଉପରେ ମୁଁ ଯେତେ ଯେତେ ପରିଚୟମାନ ଲାଭ କରିଛି, ମୁଁ ସବୁଗୁଡ଼ିକୁ ଯେ ବୋକଚା କରି ମୁଣ୍ଡରେ ମୁଣ୍ଡାଇଛି, ସେ କଥା ଆଦୌ ନୁହେଁ । ତଥାପି ସବୁଯାକ ପରିଚୟ ଲାଗି ମୁଁ ସକଳ ପରିଚୟର ବିଧାତାଙ୍କ ପାଖରେ ନିଜର କୃତଜ୍ଞତା ଜ୍ଞାପନ କରିଛି । ସବୁ ମହକ ମୋ’ର ନିଜ ମହକଟିକୁ ଏକ ନିର୍ଦ୍ଦିଷ୍ଟ ବ୍ୟଞ୍ଜନା ଦେବାରେ ନିମିତ୍ତ ପରି କାର୍ଯ୍ୟ କରିଛନ୍ତି । ତେଣୁ, ମାୟାକୁ କାଟିବା ନୁହେଁ, ମାୟାକୁହିଁ ଜୀବନର ଗୋଟିଏ ଗୋଟିଏ ସାକାର ପ୍ରାପ୍ତି ବୋଲି ସ୍ଵୀକାର କରିନେବା, ତାହାହିଁ କ୍ରମପରିପୂର୍ଣ୍ଣ ହେବାର ଅସଲ ରହସ୍ୟ । ତଥାକଥିତ ମାୟା ଭିତରେ ମର୍ମ ରହିଛି । ସେହି ମର୍ମ ମୋ’ ଭିତରେ ମଧ୍ୟ ରହିଛି । ମୁଁ ସେଇଥିଲାଗି ସମସ୍ତଙ୍କୁ ଖୋଜୁଛି, ସମସ୍ତଙ୍କୁ ଲୋଡ଼ୁଛି ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇହିଁ ମୋ’ର ତଥାକଥିତ ନିଜ ସଂସାରଟି, ଏକାନ୍ତ ନିବିଡ଼ ସଂସାରଟି ଏଡ଼େ ସୁନ୍ଦର ଦେଖାଯାଉଛି । ସେଇଥିଲାଗି ଭଗବାନ୍ ହେଉଛନ୍ତି ଭୂମା ଏବଂ ସେହି ଭୂମା ସହିତ ବ୍ୟକ୍ତିଗତ ପରିଚୟଟିଏ ଲାଭ କରି ମୁଁ ଏଡ଼େ ସମ୍ପଦବାନ୍ ହୋଇ ପାରିଛି । ମୁଁ ତୁଚ୍ଛା ଉପରଟାକୁ ଡେଇଁ ଭିତରେ ପ୍ରବେଶ କରି ପାରିଛି ।

 

୩୦ । ୮ । ୯୨

 

ଖାଲି ବୈରାଗୀ ହେବା ଯେମିତି ଅନିଷ୍ଟକାରକ ଏବଂ ସାଂଘାତିକ, ଖାଲି ସାହିତ୍ୟିକ ହେବା ମଧ୍ୟ ପ୍ରାୟ ଠିକ୍ ସେମିତି ଅନିଷ୍ଟକାରକ ଏବଂ ସାଂଘାତିକ । ଖାଲି ସୌନ୍ଦର୍ଯ୍ୟର ଉପାସନା କରୁଥିବା ସେହି ଅଦ୍ଭୂତ ଅନୁରାଗୀମାନଙ୍କୁ ମୁଁ ଦେଖିଛି, ଯେଉଁମାନେ ଆପଣାର ସେହି ତଥାକଥିତ ଐକାନ୍ତିକତା ହେତୁ ଭାରି ଅସୁନ୍ଦର ହୋଇ ରହିଥା’ନ୍ତି । ଖାଲି ସଂସାରୀମାନେ ଯେପରି ଏହି ସଂସାରରେ ବହୁ ଉପଦ୍ରବ ଭିଆଇ ରଖିଥାନ୍ତି, ଖାଲି ବୈରାଗୀମାନେ ମଧ୍ୟ ନିଜ ଭିତରେ ପ୍ରାୟ ସେତିକି ଉପଦ୍ରୁତ ହୋଇ ରହିଥାନ୍ତି । ଏମାନେ ସମସ୍ତେ କାହାରି ନା କାହାରି ଲାଙ୍ଗୁଳ ଧରି କୁଆଡ଼େ ପଳାଇ ଯିବାକୁ ମନ କରୁଥାନ୍ତି । ତେଣୁ ଆପଣାକୁ ଅତ୍ୟନ୍ତ ଦୁର୍ଗତ କରି ରଖିଥାନ୍ତି । ଏହି ସମଗ୍ର ଆକାଶରୂପୀ ଜୀବନବିଧାତାର ଦରବାରରେ ସେମାନେ ଭାରି ବଞ୍ଚିତ ହୋଇ ରହନ୍ତି, ପୃଥିବୀଟାଯାକ ପ୍ରବଞ୍ଚିତ ହୋଇ ରହିବାରେ ଭାରି ସାହାଯ୍ୟ କରିଥାନ୍ତି ।

 

ଖାଲି ସାହିତ୍ୟ କଲାବାଲାଏ ସାହିତ୍ୟ କଲାବେଳେ ଅଥବା ସାହିତ୍ୟର କଥା କହୁଥିବା ସମୟରେ ଆପଣାକୁ ସତେଅବା ଗୋଟାଏ ଗୋଟାଏ ଦେବତା ପରି ଅନୁଭବ କରୁଥାନ୍ତି । ବିଭ୍ରାନ୍ତିରେ ପଡ଼ି ସେମାନେ ତାହାକୁ ଏକ ଉତ୍ତୋଳନ ବୋଲି କହନ୍ତି । ସେହିଠାରୁ ସାତଖୁଣ୍ ମାଫ ପାଇ ସେମାନେ ଜୀବନରେ, ନିଜର ଆଠପ୍ରହରୀ ଭିତରଟାରେ ଗୋଟାଏ ଗୋଟାଏ ରାକ୍ଷସ ହୋଇ ରହିଥାନ୍ତି । ମୁଁ କହିବି, ସମସ୍ତେ ଆସ, ଏକାବେଳେକେ ସବୁଟିକୁ ଦେଖ । ନିଜ ଭିତରର ସବୁଟିକୁ ଦେଖ, ଏକାବେଳେକେ ସବୁଟିର ଅନୁରାଗୀ ହୁଏ,–ଅର୍ଥାତ୍, ଜୀବନଟିଏ ବଞ୍ଚି, ଜଗତ୍‍ଯାକର ଜୀବନକୁ ଅଗ୍ରସର କରାଇ ନେବାରେ ତୁମେ ସହଯୋଗ କର । କେଉଁଠି ଏକ ଗୁମ୍ଫା ଭିତରେ ବାନ୍ଧି ହୋଇ ଅଥବା ଗିଳି ହୋଇ ରହିବାକୁ ନିଜ ପାଖରେ ସମ୍ପୂର୍ଣ୍ଣ ଭାବରେ ମନା କରିଦିଅ-। ଅମୃତର କେଉଁ ଗାତରେ ଯାଇ ପଡ଼ିଯିବା ଅପେକ୍ଷା ଏହି ମାଟି ଉପରେ ସମସ୍ତଙ୍କ ଭିତରେ ଥାଇ ସମର୍ପିତ ସମଗ୍ର ଜୀବନଟିଏ ବଞ୍ଚି ପାରିଲେ ଆମେ ସ୍ଵର୍ଗଗୁଡ଼ିକୁ ହୁଏତ ଏହିଠାରେହିଁ ପାଇପାରନ୍ତୁ । ସେତେବେଳେ ଦର୍ଶନ କହିଲେ ଆଦୌ କୌଣସି ବୁଦ୍ଧିଗତ ପଳାୟନକୁ ନବୁଝାଇ ପ୍ରକୃତରେ କିଛି ଦେଖିବା ଓ କିଛି ସ୍ପର୍ଶ ପାଇବାକୁ ବୁଝାନ୍ତା । ସାହିତ୍ୟ, ବୈରାଗ୍ୟ ଏବଂ ଆଉ ସବୁକିଛି ସେତେବେଳେ ମୂଳତଃ ଏହି ସ୍ପର୍ଶଲାଭ ଲାଗି ଭିତରେ ଓ ବାହାରେ ବାଟ କଢ଼ାଇ ନିଅନ୍ତେ ।

 

୫ । ୯ । ୯୨

 

ସେଦିନ ପିଲାମାନଙ୍କୁ ଗୋଟିଏ ଓଡ଼ିଆ କବିତା ବୁଝାଉ ବୁଝାଉ ତିନିଘଣ୍ଟା ସମୟ ଅତିବାହିତ ହୋଇଗଲା । ପିଲାମାନେ ଗୋଟାସୁଦ୍ଧା ମଜି ଯାଇଥିଲେ ଓ ମୋତେବି ମଜାଇ ରଖିଥିଲେ । କବିତାଟି ସେମାନଙ୍କର ପାଠ୍ୟପୁସ୍ତକ ଅର୍ଥାତ୍ ସାହିତ୍ୟ ବହିରେ ଥିଲା । ପ୍ରଧାନତଃ ପରୀକ୍ଷାକୁ ଆଖି ଆଗରେ ରଖି ସେମାନେ କବିତାଟିକୁ ବୁଝିବା କଥା । ଆରମ୍ଭ କଲାବେଳକୁ ପ୍ରଧାନତଃ ସେହି ହିସାବରେ ସବୁକିଛି ଆରମ୍ଭ ହେଲା । ପିଲାମାନେ ସେହି ମନୋମୁଦ୍ରାରେ ରହିଥିଲେ, ମୁଁ ମଧ୍ୟ ସେମାନଙ୍କ ସାଙ୍ଗରେ ପ୍ରାୟ ସେହିମାନଙ୍କର ସ୍ତରରେ ରହିଥିଲି ।

 

ମାତ୍ର, ଆରମ୍ଭ କରିଦେଲା ପରେ ଆମ ଉଭୟ ପକ୍ଷର ଅଜାଣତରେ ଅଥଚ ଆମର ସମ୍ପୂର୍ଣ୍ଣ ସହଯୋଗରେ କବିତାଟି ଆମକୁ ତା’ ଭିତରକୁ ଟାଣି ନେଇଗଲା । ଗୋଟିଏ ଭଲ କବିତା କହିଲେ ସର୍ବଦା ଯେଉଁ ବହୁ ପରସ୍ତଯୁକ୍ତ ବିଶ୍ଵକୁ ବୁଝାଏ, ଆମେ ସେହି ବିଶ୍ଵଟି ଆଡ଼କୁ ଟାଣି ହୋଇଗଲୁ । ସେହି ବିଶ୍ଵଟି ମଧ୍ୟରେ ପ୍ରବେଶ କଲୁ । ଉଭୟ ପକ୍ଷର ଦୁଆରଗୁଡ଼ିକ କ୍ରମେ ଖୋଲି ଖୋଲି ଯାଉଥିଲା । ଏବଂ, ଭିତରେ ଠିକ୍ ଏହିପରି ଭାବରେ ଦୁଆରସବୁ ଖୋଲିଯାଇ ପାରିଲେ ସାହିତ୍ୟ ଭିତରକୁ ଯେ ଦ୍ଵାର ଖୋଲିଯାଏ, ତାହାର ଏକ ସମ୍ପୂର୍ଣ୍ଣ ଅନୁଭୂତି ଆଉଥରେ ମିଳିଲା । ଗୋଟାଏ ପାଖରେ ସାହିତ୍ୟର ଅଗାଧତା ଓ ଆଉଗୋଟିଏ ପାଖରେ ଆମ ସମସ୍ତଙ୍କ ଭିତରେ ସର୍ବଦା କରି ରହିଥିବା ଗ୍ରହଣଶୀଳତାର ଅଗାଧତା,–ଦୁହେଁ ସତେଅବା ପରସ୍ପରକୁ ଉଦ୍‌ବୋଧିତ କରି ଆଣିଲେ, ପରସ୍ପରକୁ ପ୍ରସାରିତ କରିଦେଲେ ଏବଂ ପରିତ୍ରାଣ ଲାଭ କଲେ । ପିଲାମାନେ ତା’ପରେ ସାଙ୍ଗପରି ଦିଶିଲେ ଏବଂ ଆମେ ଏକାଠି ମିଶି ଏକ ପାଠ୍ୟପୁସ୍ତକରୁ ପରୀକ୍ଷା ନିମନ୍ତେ କିଛି ପଢ଼ୁଛୁ ବୋଲି ଏକାବେଳେକେ ପାସୋରି ଦେଇଥିଲୁ । ଏହିପରି ଏକ ପ୍ରକ୍ରିୟା ଆରମ୍ଭ ହୋଇଗଲେ ପ୍ରକୃତରେ କିଛି କେଉଁଠି ମୋଟେ ସରେନାହିଁ । ଦେବା ସରେନାହିଁ କି ଗ୍ରହଣ କରିବା ସରେନାହିଁ । ବନ୍ଧୁତାର ଏହି ସହଜ ଦେବାନେବାର ପ୍ରକ୍ରିୟାଟି, ସମ୍ଭବତଃ ଏହାହିଁ ଶିକ୍ଷକ ତଥା ଛାତ୍ର ଉଭୟ ପକ୍ଷକୁ ଏକ ଅମରତ୍ଵର ସ୍ଵାଦ ଆଣି ଦେଇଯାଆନ୍ତି । ସେତେବେଳେ ଜିଜ୍ଞାସା ଓ ଏକ ପାରସ୍ପରିକ ଉଦ୍‌ଘାଟନହିଁ ପୃଥିବୀର ଏକମାତ୍ର ରସ ଓ ସତ୍ୟ ବୋଲି ମନେ ହୁଅନ୍ତି । ଏବଂ, ତାହା ସେଦିନ ଆମକୁ ପରସ୍ପରର ପ୍ରକୃତରେ କେତେ ନିକଟବର୍ତ୍ତୀ କରି ନଆଣିଲା ! କେବଳ ସାହିତ୍ୟ ପଢ଼ାରେ ନୁହେଁ, ଏହି ଆନନ୍ଦମୟ ଜୀବନର ବାଟଟିକୁ ଚାଲିବାରେ ମଧ୍ୟ !

 

୬ । ୯ । ୯୨

 

ଯେଉଁମାନେ ଖାଲି ସାହିତ୍ୟ ପଢ଼ାନ୍ତି; ସେମାନେ ପ୍ରକୃତରେ କ’ଣ ପଢ଼ାନ୍ତି କେଜାଣି ? ସେଦିନ ପିଲାମାନଙ୍କୁ ସେହି କବିତାଟିକୁ ପଢ଼ାଉ ପଢ଼ାଉ ଇତିହାସ ଆସିଲା, ଭୂଗୋଳ ଆସିଲା, ବିଜ୍ଞାନ ଆସିଲା; ମନୋବିଜ୍ଞାନ ତ ଏପାଖରୁ ସେପାଖ ଯାଏଁ ଭେଦି କରି ରହିଥିଲା ।

 

ସାହିତ୍ୟକୁ ବିନୋଦନ ବୋଲି ଗ୍ରହଣ କରୁଥିବା ପର୍ଯ୍ୟନ୍ତ ସାହିତ୍ୟ ସତେଅବା ଗୋଟାଏ ଇଲାକା ପରି ଦେଖା ଯାଉଥାଏ । ଯାବତୀୟ ବ୍ୟାପାରର କ୍ଷେତ୍ରରେ ଯଦି କେହି ଏକ ନିବିଡ଼ତାର ପ୍ରସ୍ତରେ ଯାଇ ପହଞ୍ଚି ଯାଇପାରେ, ତେବେ ତା’ର ସକଳ ଅନୁଭବ ଏବଂ ଅଭିବ୍ୟକ୍ତିକୁ ସାହିତ୍ୟ ବୋଲି ନକହି ଆଉ କ’ଣ କୁହାଯାଇପାରିବ ? ଅନେକ ମଣିଷ ଅଛନ୍ତି, ଯେଉଁମାନେ ସାହିତ୍ୟରସକୁ ପ୍ରାୟ ଏକ ସ୍ଵତନ୍ତ୍ର ରସ ବୋଲି ଅନୁମାନ କରିଥାନ୍ତି । ସେମାନେ ସାହିତ୍ୟକୁ ସତେଅବା ଆପଣାର କୃତ୍ରିମ ଦନ୍ତପଂକ୍ତି ବୋଲି ଭାବୁଥାନ୍ତି ଏବଂ ଜୀବନର କ୍ଷେତ୍ରରେ ନିର୍ଧୂମ ପାକୁଆ ହୋଇ ରହିଥାନ୍ତି କି କ’ଣ କେଜାଣି, ସେମାନେ ଏକ ନିର୍ଦ୍ଦିଷ୍ଟ ଆବଶ୍ୟକତାରେ ପଡ଼ି, ନିଜର କୃତ୍ରିମ ଦନ୍ତପଂକ୍ତିକୁ ପିନ୍ଧି ଆପଣାକୁ ଅନ୍ତତଃ ଘଡ଼ିକ ସକାଶେ ଘୂର୍ଣ୍ଣାବୟବ ବୋଲି ଅନୁଭବ କରିବା ପରି ସାହିତ୍ୟ ଭିତରେ ପ୍ରବେଶ କରନ୍ତି ଏବଂ ଆପଣାର ପାକୁଆ ଜୀବନରେ ତଥାପି ଦନ୍ତଯୁକ୍ତ ହେବାପରି ଅନୁଭବ କରନ୍ତି । ସଖ୍ୟର ଏକ ନିର୍ଦ୍ଦିଷ୍ଟ ସ୍ତର ରହିଛି, ଯାହାକୁ ସ୍ପର୍ଶ କରିପାରିଲେ ଜଣେ ବ୍ୟକ୍ତିର ଯାବତୀୟ ଆବେଦନ ଏକ ସାହିତ୍ୟିକ ଆବେଦନରେ ପରିଣତ ହୋଇଥାଏ । ଦୁଆର ଫିଟିଯାଏ ଏବଂ ମଣିଷ ସତେଅବା ଆପଣାକୁ ଅଭିବ୍ୟକ୍ତି ନକରି ଆଉ ଆଦୌ କୌଣସି ବାଟହିଁ ପାଏନାହିଁ । ଦୁଆର ଫିଟିଯିବା, ତାହାହିଁ ଆଧ୍ୟାତ୍ମିକତା । ସେହି ଦୃଷ୍ଟିରୁ ପ୍ରତ୍ୟେକ ଯଥାର୍ଥ କବିତାକୁ ବୁଝିବାର ଗୋଟିଏ ସ୍ତର ରହିଛି, ଯାହାକୁ କି ଅତ୍ୟନ୍ତ ସମୀଚୀନ ଭାବରେ ଆଧ୍ୟାତ୍ମିକ ବୋଲି କୁହାଯାଇପାରିବ । ଶିକ୍ଷାଦାନ, ସାହିତ୍ୟ ପଢ଼ାଇବା ମଧ୍ୟ ଆପଣାକୁ ସେହି ଆଧ୍ୟାତ୍ମିକ ସ୍ତରକୁ ଉନ୍ନୀତ କରି ନେଇପାରେ । ଜଣେ ମନ କଲେ ସେହି ଉତ୍ତୋଳନ ଅବଶ୍ୟ ସମ୍ଭବ ହୋଇପାରେ । ସେହିନ ତିନିଘଣ୍ଟାର ସଖ୍ୟସ୍ଥାପନ ପରେ ଭିତରଟା କେଡ଼େ ପୂର୍ଣ୍ଣ ହୋଇ ରହିଥିବା ପରି ଲାଗୁଥିଲା ଏବଂ ପିଲାମାନେବି କେଡ଼େ ନିଜର ଓ କେତେ ନିକଟର ପରି ମନେ ହେଉଥିଲେ !

 

୭ । ୯ । ୯୨

 

ଅହରହଃ ବର୍ଷଣର ଆଚ୍ଛାଦନତଳେ ଢାଙ୍କି ହୋଇ ରହିଥିବା ଏହି ଶ୍ୟାମଳ ପାହାଡ଼ ଓ ଶସ୍ୟକ୍ଷେତ୍ର,–ଏସବୁ ପ୍ରକୃତରେ କେଡ଼େ ସୁନ୍ଦର ଦେଖା ନଯାଉଛି ! ବର୍ଷଣର ଆଚ୍ଛାଦନ ତଳୁ ଅଳପ ଅଳପ ବଢ଼ିଥିବା ଧାନଗଛର କ୍ଷେତ୍ରଗୁଡ଼ିକ ପ୍ରକୃତରେ କେଡ଼େ ଉଜ୍ଜ୍ଵଳ ଓ ପ୍ରସନ୍ନ ଦେଖା ଯାଉଛନ୍ତି । ଚେତନାର ସ୍ତରବିଭାଗ କରିଥିବା ବିଜ୍ଞାନୀମାନେ କହନ୍ତି, ବାହାରଟା କୁଆଡ଼େ ସବୁବେଳେ ଭିତରଟାକୁ ଢାଙ୍କି ରଖିଥାଏ । ଭିତରଟା ପ୍ରକୃତରେ ଯେମିତି, ବାହାରକୁ କୁଆଡ଼େ ତାହା ଆଦୌ ସେପରି ଦେଖାଯାଏ ନାହିଁ । ଏହିପରି ଭାବରେ ତଥାକଥିତ ଚେତନ ଓ ତଥାକଥିତ ଅବଚେତନ ମଧ୍ୟରେ କୁଆଡ଼େ ଗୋଟାଏ ନିତ୍ୟ ଯୁଦ୍ଧ ଲାଗି ରହିଥାଏ । ଏପରି ଏକ ନିତ୍ୟଚେତନର ଆବିଷ୍କାର କ’ଣ ସମ୍ଭବ ହୋଇ ପାରନ୍ତାନାହିଁ, ଯାହାର ପୂର୍ଣ୍ଣବିସ୍ତୃତି ମଧ୍ୟରେହିଁ ସଚେତନ ଓ ଅବଚେତନ ଉଭୟଙ୍କୁ ଦେଖିହେବ ଅର୍ଥାତ୍ ଅନୁଭବ କରି ହେଉଥିବ ?

 

ବାହାରଟା ଭିତରକୁ ଅନ୍ତରାଳ କରି ରଖିନାହିଁ, ବାହାରଟା ଭିତରକୁ ପ୍ରକୃତରେ ଅଧିକ ମନୋରମ କରି ରଖିଛି, ଅଧିକ ଆକର୍ଷକ କରି ରଖିଛି । ଭିତରଟା ମଧ୍ୟ ବାହାରକୁ କେତେ କେତେ ସଚଳତା ଯୋଗାଇଦେଇ ପାରୁଛି, ଯାହାକି କେବଳ ବାହାରଟାର ସୀମା ମଧ୍ୟରେ ଜୀବନ ବଞ୍ଚୁଥିଲେ ଆଦୌ ସମ୍ଭବ ହେଉନଥାନ୍ତା । ଭିତରଟା ସକାଶେ ବାହାରଟା ପ୍ରକୃତରେ କେତେ ଅନନ୍ତ ପ୍ରକାରେ ଧନାଢ଼୍ୟ ହୋଇ ନରହିଛି ଏବଂ ବାହାରଟା ସକାଶେ ମଧ୍ୟ ଭିତରଟା କେଡ଼େ ସମ୍ଭାବନାମୟ ହୋଇ ନପାରୁଛି ! ବାହାରଟା ମାଟି ଯୋଗାଇ ଦେଉଛି, ବିଶ୍ଳେଷଣବୁଦ୍ଧି ଯୋଗାଇ ଦେଉଛି ଏବଂ ସେହି ବୁଦ୍ଧି ଭିତରର ବିବେକଟିକୁ, ଭିତରର ଯାବତୀୟ ସମ୍ବେଦନଶୀଳତାକୁ ପ୍ରକୃତରେ କେଡ଼େ ମନୋରମ ଭାବରେ ବିଚିତ୍ର ଓ ବିବିଧ କରି ରଖିଛି । ଗୋଟିଏ ଆଖି ବାହାରୁ ଭିତର ଆଡ଼କୁ ଦେଖି ପାରୁଛି ଏବଂ ଆଉଗୋଟିଏ ଆଖି ଭିତରୁ ବାହାର ଆଡ଼କୁ ଦେଖି ପାରୁଛି । ତେଣୁ ଭିତରର ଆଖିରେ ବାହାରର ଯାବତୀୟ ବୁଦ୍ଧି ଓ ବିବେକ ଅଭିବ୍ୟଞ୍ଜିତ ହୋଇ ରହିଛି ଏବଂ ବାହାରର ଆଖିଟିରେ ଭିତରର ଯାବତୀୟ ହୃଦୟବି କେଡ଼େ ସୁନିଶ୍ଚିତ ଭାବରେ ସାକାରତା ଲାଭ କରିଛି । ଖାଲି ବୁଦ୍ଧି ଓ ଖାଲି ହୃଦୟ, ଖାଲି ବାହାର ଓ ଖାଲି ଭିତର,–ଆମର ଯାବତୀୟ ଦ୍ଵନ୍ଦ୍ଵ ଏବଂ ବୈମନସ୍ୟ ସମ୍ଭବତଃ ସେହି ଖଳତା ମଧ୍ୟରୁହିଁ ଜନ୍ମଲାଭ କରୁଛି ।

 

୮ । ୯ । ୯୨

 

‘ରୋହିତର ଡାଏରୀ’ ମୋତେ କେବଳ ପଛକୁ ଅନାଇବାର ସମ୍ବେଦନା ଆଣି ଦେବନାହିଁ, ମୋତେ ଆଗକୁ, ଆହୁରି ଆଗକୁ ଦୃଷ୍ଟିନିକ୍ଷେପ କରିପାରିବାର ପ୍ରେରଣା ମଧ୍ୟ ଆଣିଦେବ । ଆହୁରି ଆଗକୁ, ଅର୍ଥାତ୍ ଆହୁରି ଗଭୀରକୁ । ମୁଁ ଦୀର୍ଘ କେତେବର୍ଷ ତଳେ କ’ଣ ସବୁ ଲେଖିଥିଲି, ଏବେ ସେଗୁଡ଼ିକ ଛାପା ହେଲାଣି । ବହିର ଆକୃତିରେ ସାକାର ହେଲାଣି । ସ୍ମୃତିଗୁଡ଼ିକ ଠୁଳ ହୋଇ ଦେଖାଯିବ, ଇଏ ମଧ୍ୟ ଆଦୌ କମ୍ ପ୍ରେରଣାଦାୟକ ନୁହେଁ । କିନ୍ତୁ ମୋ’ର ସ୍ମୃତି ମୋତେ ଯେପରି କେବେହେଲେ ସେହି ପଛଟା ଭିତରେ ମୁହଁମଡ଼ା କରି ରଖି ଦେବନାହିଁ । ପଛକୁ ଅନାଇ ବେଳେବେଳେ କେତେ ମଣିଷ ନିଜକୁ ଗୋଟାଏ ଗୋଟାଏ ରାଜା ପରି ଅନୁଭବ କରନ୍ତି । ଭାରତବର୍ଷର ଅତୀତକୁ ଅନାଇ ଅନେକ ଭାରତୀୟ ଆପଣାକୁ ଜଣେ ଜଣେ କେଡ଼େବଡ଼ କ’ଣ ବୋଲି ମଧ୍ୟ ଅନୁଭବ କରିଥାନ୍ତି । ଏହି ଅତୀତର ସ୍ମରଣ ଓ ଅତୀତର ଚାରଣା ମୋତେ ମଧ୍ୟ କମ୍ ପୁଲକ ଦିଏନାହିଁ । ନିତି ଚାଲୁଥିବା ମୋ’ ହୃଦୟ ଏବଂ ଅନୁରାଗଗୁଡ଼ିକର ଗୋଡ଼କୁ ତାହା ସତେଅବା କେତେ କେତେ ଐତିହ୍ୟ ଅର୍ଥାତ୍ କେତେ କେତେ ମହିମାବୋଧର ଅଧିକାରୀ କରନ୍ତି । ଦେଶର କ୍ଷେତ୍ରରେ ଅତୀତରେ ଯେପରି ଏକ ମହିମା ରହିଛି, ନିଜ ଜୀବନରେ ଅତ୍ୟନ୍ତ ବ୍ୟକ୍ତିଗତ ସୋପାନଗୁଡ଼ିକୁ ଉଠିବାର କ୍ଷେତ୍ରରେ ମଧ୍ୟ ସେହିପରି ଅତୀତର ଅନେକ ମହିମା ଅବଶ୍ୟ ରହିଛି । ସେହି ସତ୍ୟଟିକୁ ମୁଁ କେବେହେଲେ ଅସ୍ଵୀକାର କରିନାହିଁ । ମାତ୍ର, ମୋ’ ଭିତରେ ରହିଥିବା ଅନୁଭବଶାଳୀ ବୃଦ୍ଧଟି ମୋତେ ସବୁଦିନେ ମୋ’ ଭିତରେ ରହିଥିବା ଶିଶୁଟିରହିଁ ଉଦ୍‌ବୋଧନ ଦେଇ ଆସିଛି ।

 

ହୃଦୟ ଭିତରେ ବୃଦ୍ଧଟିଏ ରହିଛି, ମୋ’ର ଅତି ଅନ୍ତରଙ୍ଗ ସେହି ଶିଶୁଟି ମଧ୍ୟ ରହିଛି । କେଉଁଟା ଆଗ, କେଉଁଟା ପଛ, ମୋ’ ଭିତରେ କେଉଁଟା ଆରଟାଠାରୁ ଅଧିକ ଗେହ୍ଲା ? ସେହି କଥାକୁ ଓଜନ କରି ଦେଖିବାକୁ ମୋ’ ଭିତରେ କେବେହେଲେ କୌଣସି ସ୍ପୃହା ହୋଇନାହିଁ । କାରଣ, ଦୁହିଁଙ୍କ ଭିତରେ ମୋତେ ଆଳ କରି କେବେ କୌଣସି କଳହ ଲାଗିନାହିଁ । ଶିଶୁଟି ଭିତରେ ଏକ ବୃଦ୍ଧର ଦୃଢ଼ତା ରହିଛି; ସେହି ଦୃଢ଼ତା ହେଉଛି ମୋ’ର ସଂସ୍କୃତି, ମୋ’ର ଅତୀତ, ମୋ’ ଗୋଡ଼ତଳେ ରହିଥିବା ଭୂଇଁ । ଏବଂ, ଏହି ବୃଦ୍ଧଟି ଭିତରେ ମୋ’ ଶିଶୁଟିର ଆଖିଗୁଡ଼ିକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖିପାରୁଛି । ଏହି ପୁରୁଣା ପର୍ବତମାନଙ୍କ ଉପରେ ଭରା ଦେଇ ଆଜିର ସୂର୍ଯ୍ୟ ଯେପରି ପୃଥିବୀର ସବୁଯାକ ଶିଶୁଙ୍କର ହସକୁ ମୁଣିରୁ ବାହାର କରି ଚାରିଆଡ଼େ ବିଞ୍ଚି ହୋଇ ଯାଉଛି, ଏକଥାଟି ଠିକ୍ ସେହିପରି ।

 

୧୪ । ୮ । ୯୨

 

ଜୀବନରେ ବାଛି ନେଇଥିବା ମୂଲ୍ୟଗୁଡ଼ିକ ହେଉଛନ୍ତି ଲକ୍ଷ୍ୟ, ଆମର ତଥାକଥିତ ସଂସ୍କୃତି ହେଉଛି ତା’ର ମାଧ୍ୟମ ।

 

ଏବଂ, ଯେତେବେଳେ ମୂଲ୍ୟ ବୋଲି ପ୍ରାୟ କିଛି ନଥାଏ, ଅର୍ଥାତ୍, ଯଦି ଜଣେ ବ୍ୟକ୍ତି ପ୍ରକୃତରେ କୌଣସି ବୃହତ୍ତର ସତ୍ୟ ଲାଗି ନିଜ ଜୀବନକୁ ଉପଯୁକ୍ତ କରି ଆଣିବାର ଉଦ୍ୟମକୁହିଁ ତା’ ଜୀବନର ସର୍ବମୂଳ ମୂଲ୍ୟ ବୋଲି ଗ୍ରହଣ କରି ନଥାଏ, ସେତେବେଳେ ତୁଚ୍ଛା ମାଧ୍ୟମଟାକୁ ଜରିରେ ସଜାଇ ଯେତେ ଦେଖାଇହେଲେ ମଧ୍ୟ ତାହାର କୌଣସି ମୂଲ୍ୟ ନଥାଏ । ଏବଂ, ଯେତେବେଳେ କେତେକ ବିଚିତ୍ର ପ୍ରକାରର ଉତ୍ସାହୀ ବ୍ୟକ୍ତିମାନେ ଆଦୌ କୌଣସି ମୂଲ୍ୟବୋଧର ପରିଚୟ ନଦେଇ ସାମୂହିକ ଜୀବନର କେତେଗୁଡ଼ାଏ ବାହ୍ୟ ଛାଞ୍ଚକୁ ସଂସ୍କୃତି ବୋଲି କହି ସଭାନୁଷ୍ଠାନମାନଙ୍କରେ ଫୁଲେଇ ହୁଅନ୍ତି, ସେତେବେଳେ ସେମାନଙ୍କ ପାଖରୁ ଅସଲ ସଂସ୍କୃତି ଯଥାସମ୍ଭବ ଶୀଘ୍ର ଛାଡ଼ି ପଳାଇବାକୁ ମନ କରୁଥାଏ । ଆତ୍ମକାମୀ ଓଡ଼ିଆମାନଙ୍କର ସଂସ୍କୃତି ବୋଲି କେଉଁଠି କ’ଣ ଆସିବ ? କେତେଜଣ ଆତ୍ମକାମୀ ଯଦି ସଭା ମଣ୍ଡନ କରି ଓଡ଼ିଆର ସଂସ୍କୃତି ବିଷୟରେ ଘଣ୍ଟ ବଜାଇ ବାହାରନ୍ତି, ତେବେ ସେମାନଙ୍କର ତୁଚ୍ଛା ଆଡ଼ମ୍ବର ଦେଖି କେବଳ କ୍ଳାନ୍ତ ଲାଗିବ ସିନା, ମାତ୍ର ଆଉ ଆଦୌ କୌଣସି ଲାଭ ହେବନାହିଁ । ନିଜକୁହିଁ ସବୁକିଛି ବୋଲି ଦେଖୁଥିବା ଉଗ୍ରମାନେ ଅନେକ ସମୟରେ ଜାତି ଓ ଜାତୀୟତାର କଥା କହନ୍ତି । ନିଜ କ୍ଷମତାସୀନତାକୁ ନିଜର ଏକମାତ୍ର ବୃହତ୍ତର ପରିଚୟ ବୋଲି ମଣୁଥିବା ବ୍ୟକ୍ତିମାନେ ସତେଅବା ଆପଣାର ମୂଳ ମାନବ-ପରିଚୟଟିକୁ ହରାଇ ବସିଥିବା ଗ୍ଳାନିରୁ କିଞ୍ଚିତ୍ ମୁକ୍ତିଲାଭ କରିବାପାଇଁ ସଂସ୍କୃତି କହିଲେ ଏକ ସାମୂହିକ ଆସ୍ଫାଳନ ବ୍ୟତୀତ ସମ୍ଭବତଃ ଆଉ କିଛିହେଲେ ବୁଝିବାଲାଗି ମୋଟେ ରାଜି ହୁଅନ୍ତିନାହିଁ । ତେଣୁ, ସଂସ୍କୃତି ନାମରେ ସେମାନେ ଯେତେ ଉତ୍ସବ ଏବଂ ମଣ୍ଡନର ଆୟୋଜନ କରନ୍ତି, ତାହା ଅଧିକାଂଶତଃ ଏକ ଅପସଂସ୍କୃତିକୁହିଁ ପ୍ରଶ୍ରୟ ଦେବାର କାରଣ ହୋଇଥାଏ । ପୃଥିବୀରେ ସଂସ୍କୃତି ନାମରେ ଅପସଂସ୍କୃତି କେଉଁଠି ରାଜା ହୋଇ ବସିନାହିଁ ଯେ ଆମେ ଓଡ଼ିଶାକୁ ସେଥିଲାଗି ଏକ ବିଶେଷ ଅପବାଦକୁ ମନ କରିବା ? ମାତ୍ର, ମୂଲ୍ୟବୋଧଗୁଡ଼ିକର ଆହ୍ଵାନ ସାରା ପୃଥିବୀ ପରି ଆମ ଓଡ଼ିଶାପାଇଁ ମଧ୍ୟ ରହିଛି । ଅସଲ ସଂସ୍କୃତି ଓ ମୂଲ୍ୟବୋଧ ଲାଗି ନିଜକୁ ଜୁଆଇ ନେବାର ଶପଥ ଗ୍ରହଣ କଲେ ଆମେ ଏଠି ମଧ୍ୟ ଅପସଂସ୍କୃତି ରୋକି ପାରିବା ।

 

୧୫ । ୯ । ୯୨

 

ପୁଅ ପାଠପଢ଼ା ଶେଷ କଲା । ଚାକିରି ଖୋଜିଲା ଏବଂ ଚାକିରି ପାଇଲା । ଏଥର ସିଏ ତା’ ଜୀବନକୁ ଖୋଜିବ । ଚାକିରିଟା ସେଥିପାଇଁ ଏକ ଆବଶ୍ୟକ ଭୂମି ପରି କାର୍ଯ୍ୟ କରିବ । ଏଣିକି ବାପାମାଆ ପୁଅପାଇଁ ବେଶି ଚିନ୍ତା କରିବେନାହିଁ । ପୁଅ ନିଜର ସଂସାରଟିକୁ ଗଢ଼ୁଥିବ, ସେମାନେ ଖୁସି ହୋଇ ତାହା ଅବଲୋକନ କରୁଥିବେ । ଏବଂ, ଏଣେ ସମଗ୍ର ସଂସାରପାଇଁହିଁ ଜୀବନ ବଞ୍ଚିବାଲାଗି ନିଜକୁ ଅଭ୍ୟସ୍ତ କରି ନେଉଥିବେ ।

 

ଅନେକ ବାପାମାଆ ଅଛନ୍ତି, ଯେଉଁମାନେ କି ମରିବା ପର୍ଯ୍ୟନ୍ତ ମଧ୍ୟ ପୁଅର ସଂସାର ସହିତ ଆପଣାକୁ ଲିପ୍ତ କରି ରଖିଥାନ୍ତି । ଏହି ବାପାମାଆମାନେ ଜଞ୍ଜାଳକୁ ଛାଡ଼ନ୍ତିନାହିଁ । ଏପରି ଅନେକ ମଣିଷ ଅଛନ୍ତି, ଯେଉଁମାନେ ଜଞ୍ଜାଳକୁ ଭଲବି ପାଉଥାନ୍ତି । ସେମାନଙ୍କର ଜୀବନରେ କେବେହେଲେ ସାବାଳକତା ଆସେନାହିଁ । ଜଞ୍ଜାଳର ଗୋଟାଏ ପାହାଚରୁ ବାହାରି ଏମାନେ ଆଉଗୋଟାଏ ପାହାଚରେ ଲାଖିଯାଆନ୍ତି ଏବଂ ସେଇଥିରୁ ବହୁତ ଆନନ୍ଦ ଲାଭ କରନ୍ତି । ସେମାନେ ନିଜେ ପୁଅର ସଂସାରରେ ଘାଣ୍ଟି ନହେଲେ ପୁଅମାନେ ସତେଯେପରି କେବେହେଲେ ସଂସାରକୁ ଯୋଗ୍ୟ ହୋଇ ପାରିବେନାହିଁ, ସେମାନଙ୍କର ମନରେ ଏହିପରି ଏକ ଅହଂକାର ଏବଂ ଅବିଶ୍ଵାସ ଦାନା ବାନ୍ଧି ରହି ଯାଇଥାଏ । ଏହି ବାପାମାନଙ୍କର ଓ ମାଆମାନଙ୍କର ଗୁହାମୁକ୍ତି ହୋଇ ପାରେନାହିଁ । ଗୁହା ବାହାରେ ଯେ ଗୋଟାଏ ସଂସାର ରହିଛି, ଅସଲ ଭଗବାନ୍ ଯେ ଯାବତୀୟ ଗୁହାର ବାହାରେ ରହିଛନ୍ତି, ସେମାନଙ୍କର ଜୀବନରେ ସେହି ଉପଲବ୍‌ଧି କେବେହେଲେ ହୁଏନାହିଁ-। ଭାରତୀୟ ରାଜନୀତିରେ ଆମ ଏବେକାଳରେ ପଲେ ବାପା ଓ ମାଆ ବାହାରିଛନ୍ତି, ଯେଉଁମାନେ କି ନିଜର ପୁଅମାନଙ୍କ ପାଇଁ ମଧ୍ୟ ରାଜନୀତି ଭିତରେ ପିଢ଼ାଟାଏ ପକାଇଦେଇ ଯିବାକୁ ନିଜର କୌଳିକ ଧର୍ମପ୍ରାୟ ବିଚାର କରୁଛନ୍ତି । ଏମାନଙ୍କର ମଧ୍ୟ ସାବାଳକତା ଆସି ପାରିନାହିଁ । ଏବଂ, ମଣିଷ ସ୍ଵେଚ୍ଛାକୃତ ଭାବରେ ସାବାଳକ ନହେଲେ ସଂସାରକୁ ବା କିପରି ଚିହ୍ନିବ, ସେହି ସଂସାର ଭିତରେ ଆପଣାର ଭୂମିକାଟିକୁ ମଧ୍ୟ ସେ କିପରି ଅବଧାରିତ କରିପାରିବ ? ତେଣୁ ପୁଅ ତା’ ସଂସାର ଗଢ଼ୁ । ଅର୍ଥାତ୍, ସିଏ ନିଜ ଆଖିରେ ସଂସାରକୁ ଦେଖୁ, ସଂସାରକୁ ଆତ୍ମସ୍ଥ କରୁ । ବାପା ଓ ମାଆ ସେଇଥିରେ ଖୁସି ହୁଅନ୍ତୁ । ମାତ୍ର, ଦୂରରେ ଥାଇ ଖୁସି ହୁଅନ୍ତୁ । ତାହାହିଁ ଅସଲ ଶ୍ରଦ୍ଧା, ଅସଲ ସ୍ନେହ ଓ ଅସଲ ମମତ୍ଵ ।

 

୧୬ । ୯ । ୯୨

 

ଅସଲ ଗଣତନ୍ତ୍ରରେ ସମାଜବାଦ ଅବଶ୍ୟ ରହିଥାଏ ଏବଂ ଅସଲ ସମାଜବାଦରେ ଗଣତନ୍ତ୍ର ଅବଶ୍ୟ ରହିଥାଏ । ପୃଥିବୀରେ ସମାଜବାଦ ହାରିଗଲା ଓ ଭାଙ୍ଗିପଡ଼ିଲା ବୋଲି ଯେଉଁ ତଥାକଥିତ ଗଣତନ୍ତ୍ରୀମାନେ ଏବେ କହି ବୁଲୁଛନ୍ତି, ସେମାନେ ସତେଅବା ସେମାନଙ୍କର ପ୍ରିୟ ଏବଂ ପରିଚିତ ସାମନ୍ତବାଦ ଓ ପୁଞ୍ଜିବାଦକୁହିଁ ଗଣତନ୍ତ୍ର ବୋଲି ବୁଝୁଛନ୍ତି ।

 

ମଣିଷ ଭିତରେ ସଂସ୍କାରବଶତଃ ଯେଉଁ ସାମନ୍ତ ବା ସ୍ଵାର୍ଥପରଟି ଭାଡ଼ି ମାରି ରହିଥାଏ, ସେଇ ଗଣତନ୍ତ୍ରକୁ ଦୂଷିତ କରେ, ସମାଜବାଦକୁବି ଦୂଷିତ କରେ । ପୃଥିବୀଯାକର ସାଆନ୍ତମାନେ ଏବେ ସମାଜବାଦକୁ ସମ୍ପୂର୍ଣ୍ଣ ଭାବରେ ପରାଜିତ କରି, ସାଆନ୍ତମାନଙ୍କୁ ମାନିନେବାଟା ଯେ ଏକମାତ୍ର ପନ୍ଥା, ମନୁଷ୍ୟ ଜାତିକୁ ସେହିକଥା ବୁଝାଇବାରେ ଲାଗିଛନ୍ତି । ପୃଥିବୀର ଦୁର୍ଭାଗ୍ୟ ଯେ, ପୃଥିବୀରେ ତଥାକଥିତ ଗଣତନ୍ତ୍ର-ପଦ୍ଧତିକୁ ଚଲାଉଥିବା ଏହି ସାଆନ୍ତମାନଙ୍କ ହାତରେ ସବୁଠାରୁ ଅଧିକ ପୁଞ୍ଜି ରହିଛି, ସବୁଠାରୁ ଅଧିକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି । ଏହିମାନେହିଁ ପୃଥିବୀଟାକୁ ସବୁଠାରୁ ଅଧିକ ପରିମାଣରେ ଭୋଗ କରିବା ଲାଗି ସତେଅବା ଭଗବାନ୍‍ଙ୍କଠାରୁ ଲାଇସେନସ୍ ଆଣିଛନ୍ତି ଓ ସେହି ଅନୁସାରେ ପୃଥିବୀର ରାଜନୀତିଟାକୁ ନିଜ ରଜ୍ଜୁରେ ବାନ୍ଧି ରଖିବା ଲାଗି ଫିକର କରୁଛନ୍ତି । ଦରିଦ୍ର ହୋଇ ରହିଥିବା ଅଧିକରୁ ଅଧିକ ପୃଥିବୀକୁ ସେମାନେ ପ୍ରଧାନତଃ ଦୟା କରି ଓ ଅନୁଗ୍ରହ ଦେଖାଇ କିପରି ଶାନ୍ତ କରି ରଖିବେ ବୋଲି ଭାବୁଛନ୍ତି ? ସମାଜବାଦୀ ଶାସନରୁ ଯେପରି ସାଆନ୍ତମାନେ ବିଦା ହୋଇ ଗଲେ, ବର୍ତ୍ତମାନର ଗଣତନ୍ତ୍ର ଶାସନରୁ ମଧ୍ୟ ଠିକ୍ ସେହିପରି ସାଆନ୍ତମାନେ ବିଦା ହୋଇ ଯିବେ । ସବୁ ମଣିଷଙ୍କୁ ସମ୍ମାନ ଓ ସ୍ଵୀକୃତି ଦେଇ ସେତେବେଳେ ଯେଉଁ ଶାସନ ଚାଲିବ, ତାକୁ ତୁମେ ଗଣତନ୍ତ୍ର ବୋଲି କହିବ ନା ସମାଜବାଦ ବୋଲି କହିବ ? ତୁମେ ସାଧୁତାକୁ ଯେକୌଣସି ନାମ ଦେଇ ଡାକିଲେ ମଧ୍ୟ ତାହା ସାଧୁତାକୁହିଁ ବୁଝାଇବ । ଏବଂ, ଅସାଧୁତାକୁ ମଧ୍ୟ ଠିକ୍ ସେହିପରି ଯେତେ ଯାହା ମନଲୋଭା ନାଁ ଦେଇ ଜାରି କରି ରଖିଲେ ମଧ୍ୟ ତାହା ଅସାଧୁତାକୁହିଁ ବୁଝାଇବ ଏବଂ ଅସାଧୁମାନଙ୍କର ଢମପଣଗୁଡ଼ାକୁହିଁ ଜାରି କରି ରଖିଥିବ । ନାଁଗୁଡ଼ାକ ଯାଉ, ସହୃଦୟତାର ପ୍ରତିଷ୍ଠା ହେଉ ।

 

୧୭ । ୯ । ୯୨

 

ବନ୍ଧୁ ଶିକ୍ଷାଯନ୍ତ୍ରୀ ଥିଲେ, ଅର୍ଥାତ୍ ସରକାରୀ ଶିକ୍ଷା ବିଭାଗରେ ସେ ବଡ଼ବଡ଼ ପଦରେ ଅଧିଷ୍ଠିତ ହୋଇଥିଲେ । ପଦ ଅନୁସାରେ ଦରମା ପାଇଥିଲେ । କେଉଁଠି ଅଧ୍ୟକ୍ଷ ହୋଇଥିଲେ ତ ଆଉ କେଉଁଠି ଆଉ କ’ଣ ହୋଇଥିଲେ । ସେ ବେଢ଼ାଏ ପାଠ ପଢ଼ିଥିଲେ । ପାଠରୁ ଯେଉଁ ଅନ୍ତର୍ଗତ ଜିଜ୍ଞାସା ଏବଂ ଆପଣାକୁ ଅଭିବ୍ୟକ୍ତ କରିବାର ବାସନା ଆପେ ଆପେ ଉନ୍ମେଷିତ ହୋଇଆସେ, ସେହି ଜିଜ୍ଞାସା ଏବଂ ସେହି ବାସନା ତାଙ୍କ ଭିତରେ ପ୍ରବଳ ଥିଲା । ସିଏ ସବୁବେଳେ କହୁଥିଲେ ଯେ, ଚାକିରିରୁ ଅବସର ଗ୍ରହଣ କରିବା ପରେ ସେ ବହୁତ କିଛି କରିବେ ଓ ବହୁତ କିଛି ଲେଖିବେ-

 

ଚାକିରିରୁ ଅବସର ଗ୍ରହଣ କରିବା ପରେ ତାଙ୍କର ବେଶ୍ କେତେ ବର୍ଷ ହୋଇଗଲା, ମାତ୍ର ସିଏ କିଛି କହିଲେନାହିଁ କି ଲେଖିଲେ ନାହିଁ । ସମ୍ଭବତଃ ଚାକିରି ଭିତରେ ଥିବା ସମୟରୁ ମଧ୍ୟ ସେ ନିଜର ଅସଲ ଅନୁମନ୍ତାଟି ପାଖରୁ ଅବସର ଗ୍ରହଣ କରି ସାରିଥିଲେ । ପଦର ପ୍ରଲୋଭନ ତାଙ୍କୁ ନିଜ ପାଖରେ ହୁଏତ ପୂରା ଗୋଟାଏ ଗଧରେ ପରିଣତ କରି ଦେଇଥିଲା । ପୁଳାଏ ପଇସା ନେଇ ଗୋଟାଏ ବୃହତ୍ ଆନୁଷ୍ଠାନିକ ମେସିନ୍‌କୁ ଚଳାଇବା, ସତେଯେପରି କ୍ରମେ ତାହାହିଁ ତାଙ୍କର ଧର୍ମରେ ପରିଣତ ହୋଇ ଯାଇଥିଲା । ଅବସର ଗ୍ରହଣ କରିବା ପରେ ସେ ସତେଅବା ଗୋଟାସୁଦ୍ଧା ଲୁଚିଗଲେ ଗୋଟାସୁଦ୍ଧା ଲୁଚି ରହିଲେ । ନିଜ ଅଧ୍ୟକ୍ଷ ଜୀବନର ଗୁମ୍ଫାଟି ଭିତରୁ ବାହାରି ସିଏ ହୁଏତ ଦେଖିଲେ ଯେ ପୃଥିବୀ ଅନେକ ଆଗକୁ ଚାଲିଯାଇଛି ଏବଂ ସିଏ ନିଜେ ଅନେକ ପଛରେ ରହି ଯାଇଛନ୍ତି । ଗୁମ୍ଫାଟି ଭିତରେ ହାକିମ ହୋଇ ଗୋଟିଏ ଯନ୍ତ୍ର ବା ଗୋଟିଏ ରୁଟିନ୍‌କୁ ଚଳାଇବା, ଇଏ ଗୋଟାଏ କଥା; ଏବଂ ଆପଣାର ହୃଦୟସ୍ତରରେ ଆପଣାର ଜ୍ଞାନକୁ ମନ୍ଥି ଆପଣାର ଭଳି କିଛି ହେବା ଓ କିଛି ଅଭିବ୍ୟକ୍ତି ସମ୍ଭବ କରିବା,–ଇଏ ହେଉଛି ସମ୍ପୂର୍ଣ୍ଣ ଭାବରେ ଆଉଗୋଟାଏ କଥା । ଶୁଣୁଛି ଚାକିରିରେ ଥିବା ସମୟରେ ସିଏ କେଉଁଠି ଗୋଟିଏ ଭଲ ଘର କରିଛନ୍ତି ଓ ଏବେ ସେହିଠାରେ ରହୁଛନ୍ତି । ଏକାବେଳେକେ ନିବୁଜ ହୋଇ ରହିଛନ୍ତି । ଚାକିରିବେଳେ ଓ ଚାକିରି ପରେ ଏକ ଅତି ଆକର୍ଷକ inhibition ଯେପରି ତାଙ୍କ ଜୀବନର ପରମୋଧର୍ମ ହୋଇ ରହିଗଲା । ସିଏ ଗୋଟାସୁଦ୍ଧା ପାସୋର ଗଲେ । ନିଜ ପାଖରେ ମଧ୍ୟ ଗୋଟାସୁଦ୍ଧା ପାସୋର ହୋଇ ରହିଗଲେ ।

 

୧୮ । ୯ । ୯୨

 

ଚାକିରିରୁ ଅବସର ଗ୍ରହଣ କରିବା ପରେ ସମାଜସେବା କରିବା, ଧର୍ମକାମଦ୍ଵାରା ଭଗବାନ୍‍ଙ୍କର ସେବା କରିବା, ସାଧାରଣଙ୍କର ନାନା ସମସ୍ୟା ଭିତରେ ପଶି ଦି’ ତିନିଟା ଭଲ କାମ କରିଦେବା,–ଏହାଦ୍ୱାରା ସ୍ଵୟଂ ଅବସର ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କର ସମୟ କଟିଯିବାଟା ଖୁବ୍ ଭଲରେ ହୋଇଯାଉଛି ସତ, ମାତ୍ର ତଦ୍ଦ୍ଵାରା ସମାଜରେ କି ଲାଭ ହେଉଛି, ଏବଂ, ଏହି ସଂସାରଟାକୁ ଯଦି ଭଗବାନ୍‍ଙ୍କର ବୋଲି କୁହାଯାଏ, ତେବେ ଭଗବାନ୍‍ଙ୍କର ମଧ୍ୟ ଏହାଦ୍ୱାରା କି ଲାଭ ହେଉଛି ? ସମାଜକୁ, ମଣିଷକୁ ଅନ୍ଧାର ଭିତରେ ରଖିବାରେ ଏହି ଅବସରପ୍ରାପ୍ତ ସେବାଉତ୍ସାହୀ ମଣିଷମାନେ ପ୍ରକୃତରେ ପ୍ରଭୂତ ସାହାଯ୍ୟ କରୁଛନ୍ତି । ସମାଜରେ ସେବା କରି ସମାଜରେ ପରିବର୍ତ୍ତନ ଆଣିବାର କାର୍ଯ୍ୟଟି ପ୍ରଧାନତଃ ବାନପ୍ରସ୍ଥୀମାନଙ୍କର କବଳରେ ପଡ଼ି ଭଣ୍ଡୁର ହୋଇ ଯାଉଛି । ଏବଂ, ସମାଜର ପରିବର୍ତ୍ତନ ତଥା ଆଧ୍ୟାତ୍ମିକ ଜାଗରଣର ଯେକୌଣସି ଯଥାର୍ଥ କାମ,–ଏସବୁ ଯେ ଗୋଟିଏ ବୈପ୍ଳବିକ କାର୍ଯ୍ୟକ୍ରମ ଏବଂ ତେଣୁ ବିପ୍ଳବୀମାନଙ୍କର କାମ, ସେହି କଥାଟିକୁ ଭାରି ଭୁଲାଇ ଦିଆଯାଉଛି ।

 

ଯେଉଁମାନେ ମଜବୁତ୍ ଥିଲାବେଳେ ନିଜର ଓ ନିଜ ପରିବାରର ଉତ୍ତମ ଭରଣପୋଷଣ ନିମନ୍ତେ ଚାକିରି କରୁଥିଲେ ଏବଂ ମନ୍ତ୍ରଗୁଡ଼ିକୁ ଯଥାସମ୍ଭବ ବିଗାଡ଼ି ଦେଇ ଅଥବା ଅଳସୁଆ କରି ରଖି ଆପେ ଲାଭବାନ୍ ହେଉଥିଲେ, ସେମାନେ ଅବସର ଗ୍ରହଣ ପରେ କାହାର ଯଥାର୍ଥ ଉନ୍ନୟନରେ ପ୍ରକୃତରେ କେଉଁ ସାହାଯ୍ୟ କରିପାରିବେ ? ନିଜ ତରୁଣ ବୟସରେ ସେମାନେ ଗୋଟିଏ ମହାଶୋଷଣର ଯନ୍ତ୍ରରେ କେଡ଼େ ସକ୍ରିୟ ଭାବରେ ଭାଗନେଲେ, ଦେଶ ବୋଲି କ’ଣ ଜାଣିଲେନାହିଁ ଅଥବା ଦେଶର ଅନ୍ୟ ଅନେକ ମଣିଷ ରହିଛନ୍ତି ବୋଲି ସ୍ଵୀକାରବି କଲେନାହିଁ । ଏବଂ, ଦାନ୍ତ ପଡ଼ିଆସିବାବେଳକୁ ସେମାନେ ଯଦି ଭଲ କାମର ସବୁ କ୍ଷେତ୍ରରେ ମହୋତ୍ସାହ ସହିତ ଏପରି ଧୁରନ୍ଧର ହୋଇ ବାହାରିବେ, ତେବେ ସେହି କ୍ଷେତ୍ରରେ ମଧ୍ୟ କେଉଁଠାରେ କ’ଣ ଅସାଧୁତା ଅବଶ୍ୟ ଯାଇ ପଶିଯାଇଛି ବୋଲି ସନ୍ଦେହ କରିବାର ବହୁ ଅବକାଶ ରହିଛି । ଅବସର ଗ୍ରହଣ କରିଥିବା ଓ ତଥାପି ଚାଲାକି ଛାଡ଼ି ନଥିବା, ଏହି ବ୍ୟକ୍ତିମାନଙ୍କୁ ଦେଖିଲେ ବେଳେବେଳେ ହଠାତ କେମିତି କେମିତି ଲାଗେ । ସେମାନେ ଯେଉଁଭଳି ଗଦ୍‍ଗଦ ଭାବରେ ନିଜେ କରୁଥିବା ମହାନ୍ ସେବାକାର୍ଯ୍ୟଗୁଡ଼ିକର ବର୍ଣ୍ଣନା ଦିଅନ୍ତି, ସେସବୁକୁ ଶୁଣି ସେବାର ତଥାକଥିତ କ୍ଷେତ୍ରଗୁଡ଼ିକ ଉପରେ ଦୟା ଜାତ ହୋଇଥାଏ ।

 

୧୯ । ୯ । ୯୨

 

ସେଦିନ ଓଡ଼ିଆ ସଂସ୍କୃତି ବିଷୟରେ ବିଚାର ଓ ବିମର୍ଷ ହେଉଥିବାବେଳେ କଥା ଉଠିଲା ଯେ, ଓଡ଼ିଆମାନେ ଖାଲି ଗୋଟିଏ ଭାଷାରେ କଥା କହିଲେ ଯଥେଷ୍ଟ ହେବନାହିଁ । ସବୁ ଓଡ଼ିଆ ଏକା ପୋଷାକ ପିନ୍ଧିବେ, ଏକା ଖାଦ୍ୟ ଖାଇବେ,–ଏକାଭଳି ଆହୁରି କ’ଣସବୁ କରିବେ, ତେବେଯାଇ ହେବ । ତେବେଯାଇ ସଂହତି ଆସିବ । ଅବଶ୍ୟ ମୁଁ ଏକଥା ଦେଖିଆସିଛି ଯେ, ଜର୍ମାନୀରେ ପାଠ ପଢ଼ିବାକୁ ଯାଇଥିବା ଓଡ଼ିଆ ପିଲାମାନେ ପଖାଳଭାତ, ଶାଗଭଜା ଓ ସେହିପରି ଆଉକିଛିର ଆୟୋଜନ କରି ବଣଭୋଜିରେ ନିଜକୁ ଓଡ଼ିଶାରେ ଥିବାପରିବି ଅନୁଭବ କରିବାକୁ ଚେଷ୍ଟା କରନ୍ତି । ସାମୟିକ ଭାବରେ ଏଭଳି କିଛି ପୁଲକ ଅନୁଭବ କରିବାରେ କିଛି ଦୋଷ ରହିବା ଉଚିତ ନୁହେଁ । ମାତ୍ର, ଏଗୁଡ଼ାକ ପ୍ରଲମ୍ବିତ କରି ଆମେ ହୁଏତ ସ୍ଵର୍ଗ ଯାଏଁ ମଧ୍ୟ ମାଡ଼ିଯିବାର ଧୃଷ୍ଟତା ଦେଖାଇପାରୁ । ଅର୍ଥାତ୍, ପ୍ରତ୍ୟେକ ଓଡ଼ିଆ ପୃଥିବୀର ଯେଉଁ ସ୍ଥାନକୁ ଯାଉ ପଛକେ, ସିଏ ସାଙ୍ଗରେ ଜଗନ୍ନାଥମୂର୍ତ୍ତିକୁ ମଧ୍ୟ ଅବଶ୍ୟ ନେଇକରି ଯାଇଥିବ ଓ ତାଙ୍କୁ ପ୍ରତ୍ୟହ ପୂଜା କରି ପାଦୁକ ପାଇବ । ପ୍ରତ୍ୟେକ ଓଡ଼ିଆ ପାନ ଖାଇ ପାଟି ନାଲି କରିବ, ପାଖରେ ବା ଅନ୍ତତଃ ଘରେ ବଟୁଆଟିଏ ରଖିଥିବ,–ଏହିପରି ଆହୁରି କ’ଣ କ’ଣ ପ୍ରସ୍ତାବ ମଧ୍ୟ ଆସିପାରେ ।

 

ସ୍ଥାନୀୟତାରେ ଆଦୌ କୌଣସି ଅପରାଧ ନାହିଁ, ମାତ୍ର ଯେତେବେଳେ ସେହି ସ୍ଥାନୀୟତା ଆପଣାକୁ ଅନ୍ତତଃ ଆପଣାର ଶ୍ରଦ୍ଧାରେ ଏବଂ ଅନୁଭବରେ ପ୍ରସାରିତ, ବହୁପ୍ରସାରିତ କରିଦେବାର ଅସଲ ଧର୍ମଟିକୁ ହରାଇ ବସିବ, ସେତେବେଳେ ତାହା ମଣିଷକୁ ମୂଷା କରି ପକାଇବ, ତାକୁ ଗାଡ଼ରେ ପୂରାଇ ରଖିବାର ଉଗ୍ର ପ୍ରରୋଚନା ଦେବ, ରାକ୍ଷସରେ ପରିଣତ କରିଦେବ । ସଂସ୍କୃତି କହିଲେ ଏକ homogeneityକୁ ଅବଶ୍ୟ ବୁଝାଇବ, ମାତ୍ର ସେହି ସଦୃଶତା ବା ସଜାତୀୟତାର ଉପରକୁ ମଧ୍ୟ ଆହୁରି ବହୁତ ସ୍ତର ସବୁବେଳେ ରହିଛି । ଯଦି ପ୍ରତ୍ୟେକ ଓଡ଼ିଆ ନିଜକୁ ସବାଆଗ ଜଣେ ମନୁଷ୍ୟ ବୋଲି ଅନୁଭବ କରିବାକୁ ପ୍ରୟାସ କରିବ, ଘୃଣା ଛାଡ଼ିବ, ମିତ୍ରତା ବଢ଼ାଇବ, ଯାବତୀୟ ଅଛୁଆଁ ଗୁଣ ପରିହାର କରିବ, ସମସ୍ତ ସଂସାରକୁ ଘର ବୋଲି ମଣିବ, ଆନ୍ଧ୍ର କିମ୍ବା ବିହାରର ମଣିଷମାନଙ୍କୁ ମଧ୍ୟ ନିଜଭଳି ଜଣେ ଜଣେ ମଣିଷ ଜ୍ଞାନରେ ଦେଖିବ, ତେବେ ତଦ୍ଦ୍ଵାରା ତା’ର ଓଡ଼ିଆତ୍ଵ ଆଦୌ କୌଣସି ପ୍ରକାରେ ବିପନ୍ନ ହେବନାହିଁ । ସେପରି ହେଲେ ଓଡ଼ିଆର ଘର ଅଧିକ ସୁନ୍ଦର ଦିଶିବ, ଚେରଗୁଡ଼ିକ ଅଧିକ ସମୃଦ୍ଧ ହେବ;–ଦୁଷ୍ଟତା ଯିବ, ସଂକୀର୍ଣ୍ଣତାବି ଚାଲିଯିବ ।

 

୨୦ । ୯ । ୯୨

 

ଏକଦା ସତ୍ୟ, ନ୍ୟାୟ ଓ ମାନବିକ ଜାଗୃତିର କଥା କହୁଥିବା ସର୍ବୋଦୟୀମାନେ ଏବେ ସର୍ବୋଦୟର କଥା ନକହି ପରିବେଶର ସୁରକ୍ଷା କଥା କହୁଛନ୍ତି । ସର୍ବୋଦୟ ଏବଂ ପରିବେଶର ସୁରକ୍ଷା ମଧ୍ୟରେ ଆଦୌ ଏତେଟିକିଏ ଫରକ ନାହିଁ ବୋଲି ଆମକୁ ବୁଝାଇଦେବା ସକାଶେ ସେମାନେ ନଥିପତ୍ର ଓ ତଥ୍ୟ ଦେଖାଇ କେତେ କ’ଣ କହି ଯାଉଛନ୍ତି । ଭାରତବର୍ଷରେ ଏକଦା ସମାଜବାଦର ପ୍ରତିଷ୍ଠା କରିବାକୁ ବିଶେଷ ଭାବରେ ଲଢ଼ାଇ କରିଥିବା ସମାଜବାଦୀମାନେବି ବର୍ତ୍ତମାନ କେତେକ କ୍ଷେତ୍ରରେ ତୁଚ୍ଛା ପରିବେଶର ସୁରକ୍ଷା ବିଷୟରେ କହିଲେଣି ଓ ସାନ ସାନ ଲଢ଼େଇର ଡାକରା ଦେଇ ଆପଣାର ବିବେକକୁ ସାନ୍ତ୍ଵନା ଦେଲେଣି । ପରିବେଶ କହିଲେ ସେମାନେ ମଣିଷକୁ ଯେତେ ବୁଝୁନାହାନ୍ତି, ଗଛ, ଜଙ୍ଗଲ, ନଦୀ ଓ ହ୍ରଦମାନଙ୍କୁ ତା’ଠାରୁ ଅଧିକ ବୁଝୁଛନ୍ତି । ଗଛ, ଜଙ୍ଗଲ, ନଦୀ ଓ ହ୍ରଦମାନଙ୍କର ସୁରକ୍ଷା ନହେଲେ ମଣିଷ ଆଉ ବଞ୍ଚି ପାରିବନାହିଁ ବୋଲି ସେମାନେ ସତେଅବା କେଡ଼େ ପୁଲକରେ କହିବାରେ ଲାଗିଛନ୍ତି । ସମାଜର ପରିବର୍ତ୍ତନ, ସାମାଜିକ system ଓ ମଣିଷଦ୍ଵାରା ମଣିଷର ଶୋଷଣକୁ ରୋଧି ପାରିବା ଲାଗି କ’ଣ ସେମାନେ ଏହି ଗଛ, ଅରଣ୍ୟ ଓ ହ୍ରଦର ଦ୍ଵାହି ନଦେଇ କିଛି କହି ପାରନ୍ତେନାହିଁ ?

 

ଅବଶ୍ୟ ଏକଥା ସମ୍ଭବ ହୋଇପାରେ ଯେ, ଏକଦା ସର୍ବୋଦୟୀ ଏବଂ ସମାଜବାଦୀ ଥିବା ବ୍ୟକ୍ତିମାନେ କାଳକ୍ରମେ ବୟସରେ ବୃଦ୍ଧତ୍ତ୍ଵରେ ଆସି ପହଞ୍ଚିଲେଣି ବୋଲି ତଥାକଥିତ ପରିବେଶରେ ସୁରକ୍ଷାକୁ ଆପଣାକୁ କ୍ରିୟାଶୀଳ କରି ରଖିବାର ଏକ ପଥରୂପେ ଗ୍ରହଣ କରିଛନ୍ତି । ସେମାନଙ୍କ ପଛରେ ସେମାନଙ୍କର ମୂଳ କାର୍ଯ୍ୟଗୁଡ଼ିକୁ କରିବା ନିମନ୍ତେ ସେମାନେ ଆପଣାର ସାମର୍ଥ୍ୟ ବିଷୟରେ ଏତେ ଧୁରନ୍ଧର ଭାବରେ ନିଶ୍ଚିତ ହୋଇ ରହିଥିଲେ ଯେ, ସେମାନଙ୍କ ପଛରେ ନବୀନମାନଙ୍କର ଏକ ଶିବିର ତିଆରି କରିବାର ଆବଶ୍ୟକତାକୁ ହୃଦୟଙ୍ଗମ କରିବାଲାଗି ମଧ୍ୟ ସେମାନଙ୍କର ହୁଏତ କୌଣସି ବେଳ ନଥିଲା । ତେଣୁ, ସେମାନଙ୍କ ସହିତହିଁ ଭାରତବର୍ଷରେ ସମାଜବାଦ ଏବଂ ସର୍ବୋଦୟର କାର୍ଯ୍ୟ ସତେଅବା ସରିଗଲା ବୋଲିହିଁ ବୋଧ ହେଲା । ପୁରୁଣା ସମାଜବାଦୀ ଗୋଟାଏ ଦଳରୁ ଆଉଗୋଟାଏ ଦଳକୁ ଡେଇଁଲେ, ପୁରୁଣା ସର୍ବୋଦୟୀ ନିଜ ଘରେ ଦୁଇ ବା ତତୋଽଧିକ ଭାଗରେ ବିଭକ୍ତ ହୋଇ ରହିଲେ ଏବଂ ତେଣିକି ପରିବେଶ ନାମରେ ଗଛ ଓ ହ୍ରଦମାନଙ୍କ ବିଷୟରେ ଚିନ୍ତା କଲେ । ଏହା ଏକ ଦୁର୍ଭାଗ୍ୟ ।

 

୨୧ । ୯ । ୯୨

 

‘ଦିବ୍ୟ ଜୀବନ’ ଗ୍ରନ୍ଥରେ ଶ୍ରୀ ଅରବିନ୍ଦ the obligations of habitର କଥା କହିଛନ୍ତି । ଆମର ଦେହ, ଆମର ପ୍ରାଣ ଓ ଆମର ମନ ଅନେକ ସମୟରେ ଏହିପରି ନାନା ଅଭ୍ୟାସକୁ ବାଧ୍ୟ ହୋଇ ଆଦରି ନେଇଥାଏ ଓ ସେହି ଅଭ୍ୟାସଗୁଡ଼ିକର ବାଡ଼ ଭିତରେ ବାନ୍ଧି ହୋଇ ରହିବାକୁହିଁ ସ୍ଵାଭାବିକ ମଣୁଥାଏ । ଅନେକ ମଣିଷ ବା ଅନେକ ସମାଜ ରହିଛନ୍ତି, ଯେଉଁଠାରେ କି ସଂସ୍କୃତି କହିଲେ ବାସ୍ତବତଃ obligations of habits ବ୍ୟତୀତ ପ୍ରାୟ ଆଉ କିଛିକୁହିଁ ବୁଝାଏ ନାହିଁ । ଏହି habitsକୁ ମଧ୍ୟ ଏକାଧିକ କ୍ଷେତ୍ରରେ ତଥାକଥିତ sanction ବା sanctification ମାନ ଦିଆଯାଇ ପ୍ରାୟ ଗୋଟାସୁଦ୍ଧା ସେଇଥିରୁହିଁ ଗୋଟାଏ ଗୋଟାଏ ଧର୍ମର ଭିଆଣ କରାଯାଇଛି । ଅଧିକାଂଶ କାହିଁକି, ପ୍ରାୟ ପ୍ରତ୍ୟେକ ଆଦିବାସୀ ସମାଜର ସଂସ୍କୃତି ହେଉଛି ନିୟମତଃ ସେହି obligations of habitsର ସଂସ୍କୃତି ।

 

ଅଭ୍ୟାସର ଯାବତୀୟ ଦାସତ୍ଵରୁ ମୁକ୍ତ ହେବାକୁ ଯେତେବେଳେ ଆମେ ଆମର ଅସଲ ସଂସ୍କୃତି ବୋଲି ଗ୍ରହଣ କରିବାକୁ ଆରମ୍ଭ କରୁ ଏବଂ ନିଜ ଜୀବନକୁ କିଞ୍ଚିତ୍ ପରିମାଣରେ ସେଇଆଡ଼କୁ ମୁହାଁଇ ରଖିବାକୁ ମନ କରୁ, ସେତେବେଳେ ଆମ ଜୀବନରୁ ପ୍ରାୟ built-in ଯାବତୀୟ ଦୌରାତ୍ମ୍ୟର ଅନ୍ତ ହେବାକୁ ଆରମ୍ଭ କରେ ଏବଂ ଆମ ଜୀବନରେ ଏକ ବିମୋଚନର ପ୍ରକ୍ରିୟା ଆରମ୍ଭ ହୋଇଯାଏ । ତଥାକଥିତ ଅନେକ ନୈତିକତାର ସ୍ତର ହେଉଛି ସେହି obligations of habits ସ୍ତର । ତାହାକୁ ଅତିକ୍ରମ କରିଯିବା ଏବଂ ଆପଣାର ଅନ୍ତର୍ଗତ ପ୍ରୟୋଜନଗୁଡ଼ିକୁ ଜାଣି ସେହି ଅନୁସାରେ ଆପଣାକୁ ଏକ ସହଜତା, ସ୍ଵତଃସ୍ଫୂର୍ତ୍ତତା ଏବଂ ସ୍ଵୀକୃତି ମଧ୍ୟରେ ଆଣି ପକାଇବା ଆମର ସବୁକିଛି ଅସଲ ସଂସ୍କୃତି ସମ୍ଭବତଃ ସେହିଠାରୁହିଁ ଆରମ୍ଭ ହୁଏ । ବାହାରର market-placeର, ତଥାକଥିତ ସାମୂହିକ ନାନା conformityର ଯାବତୀୟ ଅଧ୍ୟରୁ ଏକ obligation of spiritକୁ ଫେରି ଆସିବା,–ଆମେ ହୁଏତ ଏହାକୁ ଆମର ଯାବତୀୟ ଆଧ୍ୟାତ୍ମିକ ଉଦ୍ୟମର ସର୍ବମୂଳ ସୋପାନ ବୋଲି କୁହାଯାଇପାରିବ । ସତେଅବା କାହାର ପାଦତଳେ ଚାପି ହୋଇଯାଇ ଏକ ନିର୍ଦ୍ଦିଷ୍ଟ ଛାଞ୍ଚର ପ୍ରସୀମନ ଭିତରେ ବାନ୍ଧିହୋଇ ରହିବା, ବାହାରର ଜୀବନସ୍ତରରେ କେତେ ମଞ୍ଚରେ ଏହାକୁ ସଂସ୍କୃତି ବୋଲି କୁହାହୋଇ ଆସିଛି । ମାତ୍ର, ଖୁସିଦ୍ୱାରା ପ୍ରେରିତ ହୋଇ ନିଜେ ନିଜକୁ ଆସ୍ଥାନଟିଏ କରିପାରି ତାହାରି ଉପରେ ଆପେ ସ୍ପର୍ଶଲାଭ କରିଥିବା ପାଦଟିଏ ଆଣି ଥାପିବା ଓ ଆପଣାକୁ ସମ୍ପଦବାନ୍ ମନେ କରିବା,–ତାହା ହେଉଛି ଏକ ଅନ୍ୟ ଅଭୀପ୍‌ସାର କଥା ।

 

୨୨ । ୯ । ୯୨

 

ଭିତରେ ଯିଏ ଅଛି, ସିଏ କେବଳ ଅଭ୍ୟାସଗୁଡ଼ାକଦ୍ଵାରା ମଣ ହୋଇ ରହିବାକୁ କଦାପି ଇଚ୍ଛା କରେନାହିଁ । ଭିତରେ ଯିଏ ଅଛି, ବାଟଟିଏ ବାହାର କରିବାରେ ଓ ବାଟଟିଏ ଚାଲିବାରେହିଁ ତା'ର ସବୁଠାରୁ ଅଧିକ ମନ । ତାହାରି ସତୀର୍ଥତା ଲାଭ କରିଥିବା ମଣିଷହିଁ ସତକୁସତ ଅସଲ ସଂସ୍କୃତିର ଆହ୍ଵାନଗୁଡ଼ିକୁ ଶୁଣିଥାଏ ଏବଂ ବାହ୍ୟ ସ୍ତରର ଏହି ଯାବତୀୟ ପ୍ରସୀମନଗୁଡ଼ିକୁ ମୂଳତଃ ଭୂମିପରି ବ୍ୟବହାର କରି ସିଏ ପ୍ରସୀମନଗୁଡ଼ିକୁ ଡେଇଁଯାଏ । ମନ୍ଦିର ଭିତରେ ଥାଇ ମଧ୍ୟ, ମୂର୍ତ୍ତିଟିଏର ଆରାଧନା କରୁଥିଲେ ମଧ୍ୟ ମନ୍ଦିରର ଏବଂ ମୂର୍ତ୍ତିର ଗାରଗୁଡ଼ିକୁ ତଥାପି ଡେଇଁଯାଇ ପାରୁଥିବା ପରି ଏହି ବିବେକଟିକୁ ମଧ୍ୟ ସାଧ୍ୟ କରିବାକୁ ପଡ଼ିଥାଏ ।

 

ଜୀବନରେ ଅଭ୍ୟାସ ଅନେକ ରହିଛି । ମାତ୍ର, ସେହି ଅଭ୍ୟାସମାନେ ମୋତେ ବାଧ୍ୟ କରି କାହିଁକି ରଖିବେ ? ଅଭ୍ୟାସ ତିଆରି ହେଉଥିବ ଓ ଅଭ୍ୟାସ ଭଙ୍ଗାବି ହେଉଥିବ । ତିଆରି କରିବା ଓ ଭାଙ୍ଗିବା ଉଭୟ କାର୍ଯ୍ୟଟି ମୁଁ କରୁଥିବି ଓ ମୋ’ର ଅନ୍ତର୍ଗତ ଆବଶ୍ୟକତାଗୁଡ଼ିକ ଅନୁସାରେ ତାହା ହେଉଥିବ । ବାହାରର ଯାବତୀୟ ଅଭ୍ୟାସ ମାନି ବାହାରେ ଅନେକଙ୍କ ଭଳି ଦିଶିବା ଓ ସେଇଥିରୁହିଁ ମୁଁ ଠିକ୍ ରାସ୍ତାରେ ରହିଛି ବୋଲି ଅନୁଭବ କରିବା ହେଉଛି ଗୋଟିଏ ସ୍ତର; ଏବଂ, ନିଜେ ନିଜର ସ୍ଵଭାବଗତ ଅଥବା ସ୍ଵଧର୍ମଗତ ଆହ୍ଵାନଗୁଡ଼ିକୁ ଶୁଣି ସେହି ଅନୁସାରେ ଖୁସିରେ ନିଜ ଜୀବନରେ କେତେକ ଅଭ୍ୟାସକୁ ଗ୍ରହଣ କରିନେଇ ବାଟ ଚାଲିବା, ତାହା ଆଉଗୋଟିଏ କଥା-। ପ୍ରତ୍ୟେକ ବ୍ୟକ୍ତିକୁ ଏହି ଦୁଇଟି ସ୍ତର ବା ଦୁଇଟି ପାହାଚ ମଧ୍ୟରେ ରହିଥିବା ଗୁଣାତ୍ମକ ବ୍ୟବଧାନଟିକୁ ବୁଝିବାକୁ ପଡ଼ିଥାଏ । ତେବେଯାଇ ସିଏ ଗୋଟିକ ଉପରେ ଗୋଡ଼ ରଖି ଆଉଗୋଟିକ ଉପରକୁ ଉଠି ଯାଇପାରେ । ଜୀବନର ଯାବତୀୟ ଅନୁଶୀଳନ ମଧ୍ୟରେ ସେହି ବିବେକଟିହିଁ ଆମକୁ ବାଟ ଦେଖାଇ ପାରୁଥିବା ଉଚିତ । ଭିତରେ ନିଜର ଅସଲ ବାଟଟିକୁ ଚାଲିବାପାଇଁହିଁ ବାହାରର ଏହି ଯାବତୀୟ ଆଚାର ମୋ’ ଲାଗି ଗୋଟିଏ ଗୋଟିଏ ଉତ୍‌ପ୍ରେରକ ପରି କାର୍ଯ୍ୟ କରିବ, ଭିତରେ ଅସଲ ଡୋରଟି ସହିତ ବାନ୍ଧିହୋଇ ରହିବାରେ ବାହାରର ଯାବତୀୟ ଡୋର ସହାୟକ ହେବ । ତେବେ ଆଦୌ କୌଣସି ପ୍ରମାଦ ରହିବନାହିଁ ।

 

୨୩ । ୯ । ୯୨

 

ଦୀର୍ଘ କେତେବର୍ଷ ଡାଏରୀ ଲେଖୁ ଲେଖୁ ନିଜ ସହିତ ମୋ’ର ଏକ ବିଶେଷ ସମ୍ବନ୍ଧ ସ୍ଥାପିତ ହୋଇ ପାରିଛି । ଆମେ ଏହି ପୃଥିବୀରେ ସାଧାରଣତଃ ଯେଉଁ ବାସ୍ତବ ବା ବ୍ୟାବହାରିକ ସଂସ୍କୃତିରେ ପରିପାଳିତ ହେବାକୁ ବାଧ୍ୟ ହେଉଛୁ, ସେଥିରେ ନିଜକୁ ପ୍ରାୟ ମାଟିଗୋଡ଼ି ଜ୍ଞାନରେ ଦେଖିବାକୁହିଁ ଆମକୁ ଅଧିକ ପ୍ରରୋଚନା ମିଳୁଛି । ସେହି ପ୍ରରୋଚନାହିଁ ଅଧିକ ମନୁଷ୍ୟଙ୍କର ଜୀବନରେ ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇ କାମ କରୁଛି । ଧର୍ମଶାସ୍ତ୍ରରେ ସତେଅବା ଏକ ବ୍ୟତିକ୍ରମରୂପେ ଆଉ କ’ଣ କୁହାଯାଇଛି, ମାତ୍ର ସେସବୁ ସେହି ଶାସ୍ତ୍ରସ୍ଥ ପ୍ରେରଣା ଭିତରେହିଁ ସୀମାବଦ୍ଧ ହୋଇ ରହିଯାଉଛି, ଜୀବନପ୍ରେରଣାର ସୀମାକୁବି ମାଡ଼ି ପାରୁନାହିଁ । ଡାଏରୀ ଲେଖୁ ଲେଖୁହିଁ ମୁଁ କ୍ରମେ ମୋ’ ଭିତରକୁ ପ୍ରବେଶ କରି ଶିଖିଲି ଭିତରେ ଅସଲ ବନ୍ଧୁଟିକୁ ଭେଟିଲି । ସେହି ସାକ୍ଷାତକାର ବା ସେହି ସ୍ପର୍ଶହିଁ ମୋ’ ଆଖିଗୁଡ଼ିକୁ ଅଲଗା ପ୍ରକାରର କରିଦେଲା । ନିଜ ଭିତରକୁ ପଶି ପାରିଲି ବୋଲି ପୃଥିବୀରେ ଧର୍ମଶାସ୍ତ୍ର ସମେତ ଆଉ ଯାବତୀୟ ଶାସ୍ତ୍ର ମୋତେ ଏକ ଅନ୍ୟ ପ୍ରକାରର ଅର୍ଥପ୍ରେରଣା ମଧ୍ୟ ଦେଇପାରିଲେ । ଯିଏ ନିଜ ଭିତରେ ଅସଲ ସାଙ୍ଗଟିକୁ ଆବିଷ୍କାର କରିପାରିବ, ସିଏ ନିଜକୁ ଆଉ କାହିଁକି ଅକିଞ୍ଚନ ଓ ଅସହାୟ ବୋଲି ଭାବିବାକୁ ଯିବ ? ଏବଂ ନିଜକୁ ଅସହାୟ ବୋଲି ଭାବୁନଥିବା ମଣିଷ କାହିଁକି ବା ଅହଂକେନ୍ଦ୍ରୀ ହେବ ?

 

ଏହି ପ୍ରକ୍ରିୟାଟି ପ୍ରକୃତରେ ଏକାଧିକ ଦୃଷ୍ଟିରୁ ମୋ’ ପରିତ୍ରାଣର କାରଣ ହେଲା । ନିଜକୁ ଏକ ଅନ୍ୟ ଅନୁରାଗ ଓ ଅନ୍ୟ ଅଙ୍ଗୀକାରବଦ୍ଧତା ଦେଇ ଦେଖୁଦେଖୁ ମୁଁ ଅନ୍ୟ ମଣିଷଙ୍କ ପାଖରେ ମଧ୍ୟ ଅଙ୍ଗୀକାରବଦ୍ଧ ଓ ଅନୁରାଗବଦ୍ଧ ହୋଇ ଶିଖିଲି । ସେମାନଙ୍କୁ ଦଳି ଦେଇ, ଅସ୍ଵୀକାର କରି ଖାଲି ମୁଁ ଯେ ସୁଖ ପାଇବାକୁ, ସିଦ୍ଧି ପରେ ସିଦ୍ଧି ଲାଭ କରିବାକୁ ଏହି ପୃଥିବୀକୁ ଆସିଛି, ସେହି ଦୁଷ୍ଟ ଭ୍ରମରେ ପଡ଼ି ରହିବାକୁ ମୋତେ ଆଉ ମୋଟେ ଭଲ ଲାଗିଲାନାହିଁ । ମୁଁ ଅନ୍ୟମାନଙ୍କୁ ମଧ୍ୟ ସଙ୍ଗୀ କରିପାରିଲି, ପଥଉପରର ସଙ୍ଗୀ କରିପାଇଲି । ଏହି ପୃଥିବୀରେ କ୍ରମେ ଅଧିକରୁ ଅଧିକ ପରିମାଣରେ ସମସ୍ତେ ମୋ’ର ସମଧର୍ମୀ ପରି ଲାଗିଲେ । କାହାକୁ କେବଳ ଉପରିଭାଗରୁ ଦେଖି ଫୋପାଡ଼ି ଦେବାର ଖୋଇଟା ମୋତେ ସବୁଠାରୁ ବଡ଼ ଅପରାଧ ମନେ ହେଲା ।

 

୨୪ । ୯ । ୯୨

 

ଯଦି କେବଳ ବାହାରେ ବିଜ୍ଞାନମାନଙ୍କର ଉପଦେଶ ଶୁଣି ଶୁଣି ମୁଁ ଜୀବନଟିଏ ଗଢ଼ିବାକୁ ଚେଷ୍ଟା କରିଥାନ୍ତି, ତେବେ ସଂସାର ପାଖରେ ତଥା ନିଜ ପାଖରେ ଅତ୍ୟନ୍ତ ଶୋଚନୀୟ ଭାବରେ ଅପଦସ୍ଥ ହୋଇ ରହିଥାନ୍ତି । ଜୀବନରେ ଅନେକ ବ୍ୟକ୍ତିଙ୍କୁ ଦେଖିଛି, ଯେଉଁମାନେ କଥା କହିବା ଆରମ୍ଭ କରିଦେବାମାତ୍ରକେ ଏକାବେଳେକେ କେତେ ପୁଞ୍ଜା ମନୀଷୀ ବା ମହାପୁରୁଷଙ୍କର ଉଦ୍ଧୃତି ଆଣି ଅଜାଡ଼ି ପକାନ୍ତି । ସତେ ଯେପରି ଏହି ଉଦ୍ଧୃତିଗୁଡ଼ିକ ବ୍ୟତୀତ ସେମାନଙ୍କର ଅନୁଭବ ମୁଣିରେ ସେମାନେ ଆଉ କିଛିହେଲେ ରଖି ନାହାନ୍ତି ! ମୋ’ର ଦିନଲିପି ଖାତାରେ ପ୍ରାୟ ପ୍ରତ୍ୟହ ନିଜସହିତ ସାକ୍ଷାତ କରି ମୁଁ ପ୍ରାୟ ପ୍ରତ୍ୟହ ଗଢ଼ିହୋଇ ଆସିଛି; ନିଜର ଗଢ଼ିହେବା ପାଇଁ ମନୁଷ୍ୟମାତ୍ରକେ ସବୁରି ଯେ ଏକ ସ୍ଵାଭାବିକ ଧାରା ରହିଛି । ମୁଁ ସେହି ସତ୍ୟଟିକୁ ମଧ୍ୟ ଆବିଷ୍କାର କରିଛି । ତେଣୁ, ମୁଁ ବାହାରର କାହାରି ପରି ହେବାକୁ କଦାପି ଚେଷ୍ଟା କରିନାହିଁ । ବହୁ ଥାନରେ, ବହୁ ବ୍ୟକ୍ତିଙ୍କ ପାଖରେ କୃତଜ୍ଞ ରହିଛି, ମାତ୍ର ସେମାନଙ୍କ ଠାରୁ ବାଣୀ ବା ବାର୍ତ୍ତାମାନ ଉଧାର କରି ଆଣି ମୁଁ କେବେହେଲେ ସେହିମାନଙ୍କ ପରଦ୍ଵାରା ସୁନ୍ଦର ଦେଖାଯିବାକୁ ଉଦ୍ୟମ କରିନାହିଁ ।

 

ଅନ୍ୟ ମଣିଷମାନଙ୍କୁ ମଧ୍ୟ ମୁଁ ସେମାନଙ୍କର ଅନୁଭବରୁହିଁ ଚିହ୍ନିଛି । କିଏ କେତେ କ’ଣ ବୋଲି କେଉଁଠୁ ସଂଗ୍ରହ କରି ଆପଣାକୁ ମୋଟା କରି ଦର୍ଶାଉଛି, ମୋତେ ସେଗୁଡ଼ାକ କେବେହେଲେ ଆକର୍ଷଣ କରିନାହିଁ । ଗୋଟିଏ ଦର୍ପଣ ଭିତରେ ରହିଛି, ଯାହାକୁ ଆବିଷ୍କାର କରିବାକୁ ହୁଏ । ନିଜର ଯାବତୀୟ ଗ୍ରହଣ ତଥା ଅନୁଭବରେ ସେହି ଦର୍ପଣର ନିର୍ଭରଟି ମିଳିଯିବା ପରେ ଏହି ବାହାର ସଂସାରରେ ଆଉ କାହାରି ଲାଗି କୌଣସି ଅସୂୟା ହୁଏନାହିଁ । ପ୍ରତ୍ୟକ ମଣିଷର ଠିକ୍ ମୋ’ରି ପରି ଏକ ସ୍ଵକୀୟ ଦର୍ପଣ ଅବଶ୍ୟ ରହିଥିବ ଓ ସିଏ ତାହାରି ଅନୁସାରେହିଁ ସତ୍ୟକୁ ଗ୍ରହଣ କରୁଥିବ ବୋଲି ଅତ୍ୟନ୍ତ ସ୍ଵାଭାବିକ ଭାବରେ ବିଶ୍ଵାସଟିଏ ଆସିଯାଏ । ଯେଉଁ ମଣିଷମାନେ ଶାସ୍ତ୍ରକୁ ଭରସା କରି ନିଜ ଜୀବନର ଧାରାଟିକୁ ଠିକ୍ କରନ୍ତି, ସେମାନେ ସତେଅବା ବାହାରେ ବାହାରେ ରହିଯାନ୍ତି । ବହିର ନୀତିବାକ୍ୟକୁ ମାନି ନୈତିକ ହେବାପରି ଏଇଟା ମଧ୍ୟ ମଣିଷକୁ ଭାରି ଅପାକଳ କରି ରଖିଥାଏ । ଭିତରେ ଆଦୌ କୌଣସି ମୂଳ ନଥାଏ ସେମାନେ ବାହାରେ କେତେ ଫୁଲେଇ ହେଉଥାଆନ୍ତି ।

 

୨୫ । ୯ । ୯୨

 

ଖାଲି ମୁଁ ତାଙ୍କୁ ଅଧିକାର କରି ରହିବାପରି ହୋଇଥିଲେ ତାହା ସମ୍ପୂର୍ଣ୍ଣ ହେବନାହିଁ ଅଥବା ଖାଲି ସିଏ ମୋତେ ଅଧିକାର କରି ରହିବା ପରି ହୋଇଥିଲେ ସେଇଟି ମଧ୍ୟ ସମ୍ପୂର୍ଣ୍ଣ ହେବନାହିଁ । “ଯୋଗସମନ୍ଵୟ’ର ଭାଷାରେ ଉଭୟେ ଉଭୟଙ୍କୁ ଅଧିକାର କରି ରହିଥିବା ଉଚିତ ।

 

ଗୋଟିଏ ଘଟନା, ମାତ୍ର ଆମ ଏପାଖରୁ ଦୃଷ୍ଟିଭଙ୍ଗୀ ଅଲଗା ଅଲଗା । ମୁଁ ତାଙ୍କୁ ଅଧିକାର କରି ରହିଥିବା ବ୍ୟାପାରଟିର ପ୍ରତିଫଳ ଅଥବା ପ୍ରମାଦଫଳ ଏବେ ଆମକୁ ପୃଥିବୀଯାକ ଭୁଞ୍ଜିବାକୁ ପଡ଼ୁଛି । ହିନ୍ଦୁ ତା’ ଦେବତାକୁ ଅଧିକାର କରି ରହିଛି; ମୁସଲମାନ, ଖ୍ରୀଷ୍ଟିଆନ୍, ଶିଖ, ବୌଦ୍ଧ ଓ ଏପରିକି ଆସ୍ତିକ ଓ ନାସ୍ତିକ ଆପଣା ଆପଣାର ଭଗବାନ୍‍ଙ୍କୁ ଅଧିକାର କରି ବସିଛନ୍ତି । ଅର୍ଥାତ୍, ଅଧିକାରୀ ହୋଇ ବସିଛନ୍ତି ଓ ପରସ୍ପରକୁ ନିର୍ମୂଳ କରିବାର ଦୁଷ୍ଟବୁଦ୍ଧିଟିକୁହିଁ ସେମାନେ ଧର୍ମବୁଦ୍ଧି ବୋଲି କହୁଛନ୍ତି । ଏବଂ ଅପରପକ୍ଷରେ, ମୋତେ ସିଏ ଅଧିକାର କରି ରହିଛନ୍ତି ବୋଲି ଯିଏ ଏକପାଖିଆ ଭାବରେ ବିଶ୍ଵାସ କରୁଛି, ସିଏ ପ୍ରାୟ ଗୋଟାସୁଦ୍ଧା ନିଷ୍କ୍ରିୟ ହୋଇ ରହିଛି, ଆମ ନୈତିକତାର ଭାଷାରେ କହିଲେ ସିଏ ସଜ୍ଜନ ହୋଇ ରହିଛି । ତା’ର ହାତଗୋଡ଼ ହଲୁନାହିଁ । ସିଏ ସତେଅବା ବାଧ୍ୟ ହୋଇ ଉଦାସୀନ ହୋଇ ରହିଛି; ଭିତରେ ଠାକୁରଙ୍କଦ୍ଵାରା ଆବେଷ୍ଟିତ ହୋଇ ରହିଛି ଓ ବାହାରେ ପଥର ହୋଇ ଯାଇଛି । ତାଙ୍କରି ହୋଇଗଲେ ଯେ ତାଙ୍କର କାର୍ଯ୍ୟ କରିବାକୁ ହୁଏ, ସହସ୍ର ଗୁଣ ଅଧିକ କ୍ରିୟାଶୀଳ ହେବାକୁ ହୁଏ, ସେହି କଥାଟିକୁ ପାସୋରି ଦେଇଛି । ଯିଏ ମୋତେ ଅଧିକାର କରି ରହିଛନ୍ତି ଅଥବା ମୁଁ ଯାହାଙ୍କୁ ଅଧିକାର କରି ନେଇଛି, ସିଏ ମୋ’ ଭିତରେ ମଧ୍ୟ ଅଛନ୍ତି,–ଏହି ଭାବନାଟି ସତକୁସତ ଏକ ଅଙ୍ଗେ ନିଭାଇବାରେ ପରିଣତ ହୋଇଯାଇ ପାରିଲେ ଯାଇ ମୁଁ ବାଗକୁ ଆସି ପାରିବି, ବାଟକୁ ଆସି ପାରିବି । ତେଣୁ, ଏ ଯାତ୍ରା ଉଭୟ ପଟରୁ, ଏହି ଅନୁରାଗ ଉଭୟ ପଟରୁ । ସବଳର ଅନୁରାଗ, ସବଳର ସମର୍ପଣ; ସବଳର ଯାତ୍ରା । ଶ୍ରଦ୍ଧା ତେବେଯାଇ ଅସଲ ଜୀବନ ଶ୍ରଦ୍ଧାରେ ପରିଣତ ହୋଇ ପାରିବ ଏବଂ ସତତ ଗତିଶୀଳ ହୋଇ ରହିପାରିବ । ସେତେବେଳେ ଜଣେ ଶ୍ରଦ୍ଧାଶୀଳ ବ୍ୟକ୍ତି କଦାପି ଉଦାସୀନ ହୋଇ ରହିପାରିବ ନାହିଁ, ସିଏ ଅହଂକାରୀବି ହୋଇ ପାରିବନାହିଁ । ସିଏ ଅସଲ ପକ୍ଷଟି ସହିତ ସାଥୀ ହୋଇ ବାହାରିବ, ଅସଲ ଖିଅଟିକୁ ଯୋଡ଼ି ପାରିବ ।

 

୨୬ । ୯ । ୯୨

 

ପରସ୍ପରକୁ ଅଧିକାର କରି ରହିବା, ତାହା ହେଉଛି ଆଉ ଏକ ଅଭିନବ ଧାରା । ଜୀବନ ପାଖରେ, ଭଗବାନ୍‍ଙ୍କ ପାଖରେ ସମ୍ମତି ଦେଇଥିବାର ଆଉଗୋଟିଏ ଧାରା । ମୁଁ ନିଜେ ଆହୁରି କେତେ ମଣିଷଙ୍କ ପାଖରେ ଅଧିକୃତ ହୋଇ ରହିଛି ଏବଂ ମୁଁ ଆହୁରି କେତେ ମଣିଷଙ୍କୁ ଅଧିକାର କରି ରହିଛି । ବାଉଳା ହେବାକୁ ଜୁ ନାହିଁ; ଉଦାସୀନ ହେବାକୁ ଜୁ ନାହିଁ । ଅବଜ୍ଞା କରିବାକୁ ମଧ୍ୟ ଜୁ ନାହିଁ । ଏହି ସଂସାରରେ କେଉଁଠାରେ କେନ୍ଦ୍ରଟିଏ ସତେଅବା ମାଆ ପରି ଆମ ସମସ୍ତଙ୍କୁ ଓ ଏହି ସବୁଟିକୁ ସମ୍ଭାଳି ରଖୁଛି ବୋଲି ଅନୁଭବ ହୋଇଗଲା ପରେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଏହି ଅଧିକାରଟି ଆସିଯାଏ ଏବଂ ଅଧିକୃତ ହୋଇ ରହିଥିବାର ସେହି ଅନୁଭୂତିଟି ମଧ୍ୟ ସହଜ ଭାବରେ ସତେଅବା ଜୀବନର ଏକ ଦ୍ଵାରରେ ପରିଣତ ହୋଇ ରହିଥାଏ ।

 

ଅଧିକୃତ ହୋଇ ରହିବା, ଅନ୍ୟମାନଙ୍କ ଲାଗି ଦାୟୀ ରହିବା, ଏହାହିଁ ତ ଶ୍ରଦ୍ଧା । ଏଥିରେ ତଥାକଥିତ ସାମୂହିକତାର କୌଣସି ଗନ୍ଧ ନାହିଁ, ଏଥିରେ ଆତ୍ମୀୟତାହିଁ ଭରି ରହିଛି । ଆପଣାକୁ ସମ୍ପ୍ରସାରିତ କରିଦେଇ ସମଗ୍ର ସଂସାରକୁ ନିଜର ବୋଲି ପାଇବା, ସିଏ ହେଉଛି ଏକ ଅନ୍ୟ ରୀତି । ସେହି ରୀତି ବା ପଦ୍ଧତିଟି ନୀତି ବା ପଦ୍ଧତିର କୌଣସି ବହିରେ ଲେଖା ହୋଇନାହିଁ । କୌଣସି ଧର୍ମୋପଦେଶରେ ମଧ୍ୟ ସେ କଥା କୁହାଯାଇନାହିଁ । ଧର୍ମମାନେ ମର୍ମତଃ ଯାହା ହେବେ ବୋଲି ଉଦ୍ଦିଷ୍ଟ ହୋଇ ରହିଥାଉ ପଛକେ, ଆପଣାର ଆଚରଣରେ ମଣିଷକୁ ଭାରି ଅଳପ ଓ ଏକୁଟିଆ କରି ପକାଇଛନ୍ତି । ଧର୍ମମାନେ ସଂସାରରେ ଆପଣାର ଜମିବାଡ଼ି ଖୁବ୍ ବଢ଼ାଇ ପାରିଛନ୍ତି ସତ, ମାତ୍ର ମଣିଷକୁ ମଣିଷଠାରୁ ସତେଅବା ଭାରି କିଳି ରଖିଛନ୍ତି । ଏବଂ, ଧର୍ମ ଦୈତ୍ୟମାନେହିଁ ସେଥିରେ ଯାବତୀୟ ଲାଭ ଉଠାଇଛନ୍ତି ? ଜାତୀୟତାବାଦ ଏହି ସଂସାରକୁ ମାଲିକ ହୋଇ ବସିବାପରେ ଧର୍ମମାନେ ସତେଅବା ଅଧିକ ପ୍ରଚଣ୍ଡ ହେବାର ପ୍ରଶ୍ରୟ ପାଇଛନ୍ତି । କ୍ଷମତାରୁ ମଣିଷ ଓ ତଥାକଥିତ ଧର୍ମର ମଣିଷ କ୍ରମେ ଅଭିନ୍ନ ବୋଲି ପ୍ରତୀତ ହେଲେଣି । ସେମାନଙ୍କଦ୍ଵାରା ଅଧିକୃତ ହୋଇ ରହିବାହିଁ ଏକମାତ୍ର ମାର୍ଗ ବୋଲି ଘୋଷଣା କରିବାକୁ ସେମାନେ ପ୍ରୟାସବି କଲେଣି ।

 

୨୭ । ୯ । ୯୨

 

ପ୍ରଥମେ ପ୍ରଥମେ, ଲେଖାଟିଏ ଲେଖୁ ଲେଖୁ ଏବଂ ପରେ ସେଇଟି ପ୍ରକାଶ ପାଉ ପାଉ ମୋ’ ନିଜର ସମ୍ପତ୍ତି ସତେଅବା କେତେ ବଢ଼ିଗଲା ପରି ଲାଗୁଥିଲା । ଭିତରେ ରହିଥିବା ବାସନାମାନେ ସତେଅବା କେତେ ସଫଳତା ପାଇଲେ ବୋଲି କେଡ଼େ ଏଡ଼େବଡ଼ ହୋଇ ଫୁଲି ଉଠୁଥିଲେ ଓ ମୁଁ ତାହାକୁ ପୁଲକରୂପେ ଅନୁଭବ କରୁଥିଲି । ପ୍ରତ୍ୟେକ ଲେଖକ ସମ୍ଭବତଃ ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ନିଜକୁ ଏହିପରି ଭାବରେ ସମସ୍ତଙ୍କ ଆଗରେ ନେଇ ଠିଆ କରାଇବାକୁ ଇଚ୍ଛା କରେ, ଛାପା ଅକ୍ଷରରେ ନିଜର ଲେଖାଟିଏ ଦେଖିଲେ ନିଜକୁ ସତେଅବା ସୁନା ଅକ୍ଷରରେ ଦେଖୁଥିବା ପରି ଅନୁଭବ କରୁଥାଏ ।

 

ଏବେ ଆଉ ସେହି ବୃତ୍ତି ନାହିଁ । ଏବେ ମୁଁ ପ୍ରକୃତରେ ଯାହା, ମୋ’ ଲେଖାମାନେ ସତେଅବା ତାହାରି ପରିଚୟକୁ ବହନ କରି ଫୁଟି ଉଠିଛନ୍ତି । ତେଣୁ, ଆଗେ ମୁଁ ଯେଉଁମାନଙ୍କୁ ଆଭରଣ ପରି ନିଜ ଉପରେ ସଜାଇବା ପାଇଁ ଉତ୍ସାହ ଦେଖାଉଥିଲି, ଏବଂ ତାହାରିଦ୍ଵାରା ପୂରି ଉଠିବା ପରି ଅନୁଭବ କରୁଥିଲି, ବର୍ତ୍ତମାନ ସେଗୁଡ଼ିକ ମୋ’ ଜୀବନରେ ଆଉ ଆଭରଣ ପରି ଆଦୌ କାର୍ଯ୍ୟ କରୁନାହାନ୍ତି । ଜୀବନରେ ସମ୍ଭବତଃ ଏପରି ଗୋଟିଏ ପର୍ଯ୍ୟାୟ ଆସେ ଯେତେବେଳେ କି ଆଉ ଆଭରଣ କୌଣସି ପ୍ରୟୋଜନ ଅନୁଭୂତ ହୁଏନାହିଁ । ସେତେବେଳେ ଖାଲି ନିଜେ ଫୁଟିଉଠିବା ପରି ମନେ ହେଉଥାଏ, ଅହରହଃ ମନେ ହେଉଥାଏ । ଏହି ଅତ୍ୟନ୍ତ ଆପଣାର ବଗିଚାଟିଏ, ଏହି ସଂସାର ମଧ୍ୟରେ ନିତି ନୂଆ ହୋଇ ଫୁଲଟିଏ ପରି ଫୁଟି ଉଠୁଥିବା,–ଇଏ କ’ଣ କେବଳ ଏକ ବାସନା ? ଆଦୌ ନୁହେଁ । ସବୁ ବାସନାର ସଂପୂରଣ ଏହି ଫୁଟି ଉଠିବାରେହିଁ ହୁଏ । ତା’ପରେ ମାଳିର ହାତଗୁଡ଼ିକ ଜଳଜଳ କରି ଦେଖିହୁଏ, ପ୍ରତିଦିନର ଯାବତୀୟ ଅନୁଶୀଳନ ତଥା ଅଭିବ୍ୟକ୍ତିରେ ତାଙ୍କରି ହାତ ମୋତେ ଛୁଇଁକରି ରହିଥିବା ପରି ଲାଗେ । ତାହାହିଁ ପୂର୍ଣ୍ଣ କରିଦିଏ । ଅର୍ଥାତ୍, ମୋ’ କଲମରୁ ଲେଖାଟିଏ ବାହାରିବାର ମାଧ୍ୟମରେ ମୁଁ ପୂର୍ଣ୍ଣ ହୋଇ ଯାଉଥାଏ । ଅଧିକ କିଛି ପାଇବାର ଅର୍ଥାତ୍ ଅଧିକ କିଛି ପ୍ରତ୍ୟାଶା କରିବାର ନଥାଏ । ମୋ’ର ଏହିସବୁ ପାହାଚଉଠାକୁ ମୁଁ ପୁଣି ବଜାରକୁ ପଠାଇ କୌଣସି ପ୍ରଶଂସାର କଉଡ଼ି ସଂଗ୍ରହ କରିବାକୁ କାହିଁକି ମନ କରିବି ? ପାହାଚଉଠାହିଁ ମୋ’ର ସବୁଠାରୁ ଅଧିକ ପ୍ରତ୍ୟୟଦାୟକ ପ୍ରମାଣପତ୍ର ।

 

ରୋହିତର ଡାଏରୀ (ବିଂଶ ପର୍ବ)

୨୮ । ୯ । ୯୨

 

ପ୍ରଥମେ ଲେଖିଲାବେଳେ ଅହଂଟା ରାଜା ହୋଇ ବସିଥାଏ । ମୁଁ ଲେଖିବି, ମୋ’ର ଲେଖା ପ୍ରକାଶ ପାଇବ, ମୁଁ ଆଦୃତ ହେବି, ମୁଁ ଆସନ ପାଇବି ଇତ୍ୟାଦି ନାନାଭଳି ଉତ୍ସାହପୂର୍ଣ୍ଣ ଗେହ୍ଲା କଥା ଲେଖକର ମନ ଉପରେ ଅନୁରାଗ ବୋଳି ରଖିଥାଏ । ନିଜେ ନିଜକୁ ସଜାଇ, ସୁଠାମ କରି ହୃଦୟ ପୂରାଇ ଦେଖିବା,–ନିଜ ଭିତରେ ସତେଅବା କେଉଁ ଯଶୋଦାଙ୍କର ଆକଟ ମାନି ଗେହ୍ଲା ବାଳୁତଟିଏ ପରି ଅନୁଭବ କରିବାକୁ ପଡ଼େ । ଯଶୋଦାଙ୍କର କେଉଁ ମୁରଲୀଟିକୁ ଆଣି ଧରାଇ ଦିଅନ୍ତି, ସେଇଟିକୁ ନିଜେ ଫୁଙ୍କିବାରେ କେଡ଼େ ଆନନ୍ଦ ଲାଗେ । ହୁଏତ ଏହାରବି ଏକ ପ୍ରୟୋଜନ ରହିଥାଏ, ପରେ ବେଳ ଆସିଲେ ଆପେ ଆପେ ଅପସରି ଯିବା ସକାଶେ ନିଜକୁ ପ୍ରସ୍ତୁତ କରିବାଲାଗି ଏହାର ଏକ ପ୍ରୟୋଜନ ରହିଥାଏ ।

 

ମାତ୍ର, ନିଜକୁ ଅଭିବ୍ୟକ୍ତ କରି ଆଣିବାରେ, ସେହି ଅଭିବ୍ୟକ୍ତ କରିବା ମଧ୍ୟରେ ନିଜକୁ ଗୋଟାସୁଦ୍ଧା ଧରାଇ ଦେବାରେ ସେହି ଅନ୍ୟ ରସାୟନଟି ହୁଏତ ଅପେକ୍ଷା କରି ରହିଥାଏ । ତେଣୁ, ଗଉଁଟା ଧୀରେ ଧୀରେ ଭାଙ୍ଗେ, ଆପେ ଆପେ ହାରି ପଛକୁ ଘୁଞ୍ଚିଯାଏ ଏବଂ ଭିତରୁ ଫୁଲଟିଏ ଫୁଟି ଆସୁଥିବାର ଅନୁଭବ ହୁଏ । ସେହି ଅନୁଭବ ପ୍ରକୃତରେ ଏକ ସମ୍ରାଟର ଅନୁଭବ;–ନିଜର ସିଂହାସନରେ ମୁଁ ମୋ’ର ସବୁକିଛି ନିବେଦନ କରିଦେଇ ଯେଉଁ ବିଶ୍ଵସମ୍ରାଟଙ୍କୁ ପରମବନ୍ଧୁ କରି ବସାଇଛି, ତାହାରି ଅନୁଭବ । ଯାବତୀୟ ସାହିତ୍ୟରେ ତାହାହିଁ ହେଉଛି ପରମ ଗୌରବ ଓ ପରମ ବୋଧ । ସେତେବେଳେ ସେହି ଭିତରେହିଁ ସବୁଯାକ ଗଉଁ କେଡ଼େ ସ୍ଵାଭାବିକ ଭାବରେ କୁଆଡ଼େ ଭାଙ୍ଗିଯାଏ,–ଅହଂକାର ଏକାନ୍ତ ଅନାବଶ୍ୟକ ମନେହୁଏ । ସାହିତ୍ୟର ସେହି ସ୍ତରଟିକୁ ଉଠିଯିବା, ପୂର୍ଣ୍ଣ ଖୁସିରେ ସେହିଯାଏ ପ୍ରସାରିତ ହୋଇଯିବା ଏବଂ ନିଜ ହାତରେ ଥିବା ସବୁଯାକ ଡୋରକୁ ନିଜ ଭିତରେ ଥିବା ପରମବନ୍ଧୁଟି ହାତକୁ ବଢ଼ାଇଦେଇ ପାରିବା,–ଏହା ସାହିତ୍ୟରବି କାର୍ଯ୍ୟ ମାତ୍ର ଆଧ୍ୟାତ୍ମିକତା ଲାଗି ଆପେ ଆପେ ସମ୍ମତ ହୋଇ ପଡ଼ିଥିବା ସାହିତ୍ୟର କାର୍ଯ୍ୟ । ସେତେବେଳେ ସାହିତ୍ୟ ଆପଣାକୁ ଏକ ସ୍ଵତନ୍ତ୍ର ଇଲାକାରୂପେ ଅବଲୋକନ କରିବାକୁ ଜାଣିଶୁଣି ପାସୋରି ଦିଏ, ଏକ ଅନନ୍ତ ପ୍ରସାର ଭିତରକୁ ଆଉଜି ପଡ଼େ, ସେଇଠାରେ ଆଶ୍ରୟ ପାଏ, ଧନ୍ୟ ହୁଏ । ତଥାକଥିତ ସାହିତ୍ୟର ଯାବତୀୟ ଆଲୋଚନା ଓ ସମାଲୋଚନା ସେହି ବ୍ୟାପାରଟିର ମଧ୍ୟ ଖବର ରଖିଥିବା ଉଚିତ ।

 

୨୯ । ୯ । ୯୨

 

ଦେବୀଭାବନା ମଣିଷକୁ ନୀରବ କରିଦିଏ । ଦେବୀଙ୍କର ସାନ୍ନିଧ୍ୟକୁ ଅନୁଭବ କଲେ ନିଜ ଭିତରେ ଶକ୍ତିର ଅନୁଭବ ହୁଏ । ମାତ୍ର, ଏହି ଯେଉଁ ମଣିଷମାନେ ଦଶହରାର ପୁଣ୍ୟଋତୁରେ ଦେଉଳ ଉପରେ ଯନ୍ତ୍ର ଖଞ୍ଜି ଦେବୀଙ୍କର ଜଣାଣମନ୍ତ୍ରଗୁଡ଼ିକୁ ବଜାରର କାନଗୁଡ଼ାକ ଉପରେ ଅଜାଡ଼ି ଦେବାକୁ ବର୍ଷକୁବର୍ଷ ପ୍ରୟାସ କରି ଆସୁଛନ୍ତି, ସେମାନେ ନିଜ ଭିତରେ ସତକୁସତ କେଡ଼େ ଦୁର୍ବଳ ନହୋଇ ଥିବେ ! ନିଜର ସ୍ଵାର୍ଥପାଇଁ ଦଉଡ଼ି ଦଉଡ଼ି ଜଗତ୍‍ପାଇଁ ଜଗଜ୍ଜନନୀଙ୍କୁ ହୁଏତ ଦିନେହେଲେ ମନେ ନପକାଉଥିବା ମଣିଷମାନେ ଦୁର୍ବଳ ବ୍ୟତୀତ ଆଉ କ’ଣ ହୋଇପାରନ୍ତେ ? ବିଚରା ମହିଷାସୁରମାନେ ବରଷଯାକ ଆତ୍ମସୁଖ ଲାଗି ଦେବୀଙ୍କୁ ବାହା ହୋଇ ପଡ଼ିବାପାଇଁ କେତେ ମିହନ୍ତ ନକରୁଛନ୍ତି ! ତେଣୁ, ସାନ୍ନିଧ୍ୟ କହିଲେ ସେମାନେ ନୀରବ ହୋଇଯିବାକୁ କିପରି ବା ବୁଝିପାରନ୍ତେ !

 

ଏହି ଘୋ’ ଘୋ’ ପର୍ବପାଳନ ଏବଂ ଘୋ’ ଘୋ’ ଅର୍ଚ୍ଚନାକୁ ମୁଁ କଦାପି ହିନ୍ଦୁଧର୍ମର ରୀତି ବୋଲି କହିପାରିବି ନାହିଁ । ଏହାକୁ ଆଦୌ କୌଣସି ଧର୍ମର ଏକ ରୀତି ବୋଲି କହିବାକୁ ହୁଏତ ଲାଜବି ମାଡ଼ିବ । ନିଜ ଭିତରେ ଦେବତାର ଆବିଷ୍କାର କରି ତାହାରି ବୋଲ ମାନି ଜୀବନଟିଏ ବଞ୍ଚିବାକୁ କେବେହେଲେ ମନ ନକରି ଯେଉଁ ଲୋଭାସକ୍ତମାନେ ଦେବତାର ଅନୁଗ୍ରହକୁ ଗୋଟାସୁଦ୍ଧା ଭୋଗ କରିବେ ବୋଲି ଧର୍ମାସକ୍ତ ହୋଇ ରହିବାର ସଂସ୍କାରଗୁଡ଼ିକୁ ଆୟତ୍ତ କରି ରଖିଛନ୍ତି, ସେମାନେ ବସ୍ତୁତଃ କୌଣସି ଧର୍ମର ନୁହନ୍ତି । ଧର୍ମକୁ ପୋଥି ଭିତରେ ବାନ୍ଧି ରଖି ଭାରତବର୍ଷରେ ଯେଉଁ ସ୍ଵଭାବମ୍ଳେଚ୍ଛମାନେ ମଣିଷମାନଙ୍କୁ ଗଧ ଓ ଭୀରୁ କରି ରଖିବାର ଷଡ଼ଯନ୍ତ୍ର କରି ଆସିଛନ୍ତି, ସେହିମାନଙ୍କର ବରାଦ ଅନୁସାରେ ଏଗୁଡ଼ିକ ପୁରୁଷ ପୁରୁଷ ଧରି ଚାଲି ଆସିଲାଣି-। ଏବେ ଧର୍ମଗୁଡ଼ିକ ଦୁଷ୍ଟମାନଙ୍କର ବରାଦ ଅନୁସାରେ ଚାଲିଛି । ଏହି ବରାଦଗୁଡ଼ିକୁ କାଳକ୍ରମେ ପ୍ରାୟ ଏପରି ଗୋଟିଏ ଗୋଟିଏ stereotypeରେ ପରିଣତ ହୋଇ ସାରିଲାଣି ଯେ, ଏବେ ମଣିଷମାନେ ଏହା ବ୍ୟତୀତ ଆଉକିଛି ସମ୍ଭବ ବୋଲି କଳ୍ପନା କରିପାରୁନାହାନ୍ତି । ନିଜ ଭିତରେ ଶକ୍ତି ଅଛି, ନିଜ ଭିତରେ ଦିବ୍ୟତା ରହିଛି ବୋଲି ଏହି ମ୍ଳେଚ୍ଛୋପଚାରରେ ରାଜସିକ କାନଅତଡ଼ା ଭିତରେ ବିଶ୍ଵାସ କରିପାରିବାକୁ ମଧ୍ୟ ଧର୍ମଭୀରୁ ମଣିଷମାନେ ଭୁଲି ସାରିଲେଣି ।

 

୩୦ । ୯ । ୯୨

 

ଭଗବାନ୍‍ଙ୍କ ପାଖକୁ ଆସି ଆପେ ଆପେ ନୀରବ ହୋଇଯିବା, ଏହି ସ୍ଵାଭାବିକ କଥାଟା ଆପଣାକୁ ଏକାନ୍ତ ଭାବରେ ସାମାଜିକ କରି ରଖିଥିବା ମଣିଷ କାହିଁକି ଏତେ ଯୁଗ ଧରି ଶିଖି ପାରିନାହିଁ ? ଏକ ବୃହତ୍ତର ବୃତ୍ତର ସନ୍ନିଧିକୁ ଆସି କ୍ଷୁଦ୍ରତର ବୃତ୍ତଟି କାହିଁକି ଆପେ ଆପେ ଚୁପ୍ ହୋଇଯାଇ ପାରେନାହିଁ ? କ୍ଷୁଦ୍ରତରର ହୃଦୟରେ ବା ବିବେକ ଭିତରେ ଯେପର୍ଯ୍ୟନ୍ତ ବୃହତ୍ତର ପ୍ରତି ଏକ ଭୟ ଘର କରି ରହିଥିବ, ସେପର୍ଯ୍ୟନ୍ତ ଆପଣାକୁ ତଥାପି ଏକ ବୃତ୍ତ ବୋଲି ଉପଲବ୍‌ଧି କରିବା ଲାଗି ପ୍ରକୃତରେ କୌଣସି ଅନ୍ତରାୟ ରହିଥାଏ କି ?

 

କ୍ଷୁଦ୍ରତର ହେଲେ ମଧ୍ୟ ବୃତ୍ତ ତଥାପି ଏକ ବୃତ୍ତ । ମୁଁ ତ ଭାବେ, ବୃହତ୍ତର ସହିତ ପରିଚୟ ଘଟିଲେ କ୍ଷୁଦ୍ରତରଟିର ସବାଆଗ ଏହି ଉପଲବ୍‌ଧିଟି ହେବା ଉଚିତ ଏବଂ ସେହି ଉପଲବ୍‌ଧି ତା’ ମନରୁ ଯାବତୀୟ ଭୟର ଅପସାରଣ କରିଦେଇ ପାରୁଥିବା ଉଚିତ । ମାତ୍ର, ଆମ ଜଗତ୍‍ର ସାମୂହିକତା, ସାମାଜିକତା ତଥା ଧାର୍ମିକତାଗୁଡ଼ିକୁ କାଳକାଳର ଏପରି ଏକ ଅବାଗ ଆଡ଼କୁ ମୁହାଁଇ ଦିଆଯାଇଛି ଯେ, ମନୁଷ୍ୟମାନେ ଆପଣାକୁ ଆପଣାର ସବୁଠାରୁ ବଡ଼ ଓ ସବୁଠାରୁ ଅଧିକ ମୁକ୍ତିଦାୟୀ ଗୌରବବୋଧଟିରୁ ବାସନ୍ଦ କରି ରଖିଛନ୍ତି । ମଣିଷ ଆପଣା ଭିତରେ ଅତ୍ୟନ୍ତ ନିଶ୍ଚିତ ଭାବରେ ଦେବତାର ଉପସ୍ଥିତିକୁ ଅନୁଭବ କରିବ ନଚେତ ସେ ଦେବତାର କୌଣସି ପଦାର୍ଥ ପୂଜା ବା ଉପାସନାର ଭାଜନ ହୋଇ ପାରିବନାହିଁ । ଏହି ଅସଲ ସତ୍ୟଟିକୁ ଆମର ଲୌକିକ ଧର୍ମାଚରଣଗୁଡ଼ିକୁ ମଣିଷମାନଙ୍କ ଠାରୁ କାହିଁକି ଲୁଚାଇ ରଖି ଆସିଛନ୍ତି ? ଅଳପ ଭିତରେ ରହି ମଣିଷ ଅଧିକରୁ ଅଧିକ ଅହଂକାରୀ ହେବାଲାଗି ତା’ର ଯାବତୀୟ ଉପାସନାକୁ ସତେଅବା ଏକ ପ୍ରଶ୍ରୟ ପାଇଆସିଛି । ଅନେକ ସମୟରେ ମହାପୁରୁଷମାନେ ସେହି ରାତିଟିକୁ ଭାଙ୍ଗିବାକୁ ଆସିଛନ୍ତି, ମାତ୍ର କାଳକ୍ରମେ ଜାଲରେ ପଡ଼ି ଯାଇଛନ୍ତି । ଅଥବା, ସେମାନଙ୍କର ଚେଲାମାନେ ସେମାନଙ୍କର ମୁହଁକୁ ବନ୍ଦ କରି ରଖିଛନ୍ତି । ହଁ; ସେମାନଙ୍କୁ ଭଗବାନ୍ ବୋଲି କହିଛନ୍ତି ଏବଂ ତଦ୍ଦ୍ଵାରା ଆପଣାର କ୍ଷୁଦ୍ର ଅହଂକାରଗୁଡ଼ିକୁ ଅତ୍ୟନ୍ତ ଯତ୍ନସହକାରେ ଜିଆଇ ରଖିଛନ୍ତି ।

 

୧ । ୧୦ । ୯୨

 

ଭାରତବର୍ଷର ସରକାର ଓ ସେହି ସରକାରକୁ କଚାଡ଼ି ନଚାଇ ଚଳାଉଥିବା କର୍ତ୍ତାମାନେ ଏଠି ମହାତ୍ମା ଗାନ୍ଧୀଙ୍କର ଐତିହ୍ୟକୁ ବାଟମାରଣା କରି ପକାଇଲେ । ସରକାରୀ କ୍ଷମତାରେ ବସିଥିବା ନେତାମାନେ ଗାନ୍ଧୀଙ୍କୁ ସତେଅବା କିଣିନେବା ପରି ତାଙ୍କୁ ନିଜର ଏକ ପ୍ରଧାନ ପୁଞ୍ଜିରୂପେ ବ୍ୟବହାର କଲେ ଏବଂ ଲୋକମାନଙ୍କୁ ଭୁତାଇ ରଖିଲେ । ଭାରତବର୍ଷରେ ମହାପୁରୁଷମାନଙ୍କୁ ନେଇ କାଳେ କାଳେ ଯାହା ହୋଇଆସିଛି, ଗାନ୍ଧୀବେଳକୁ ମଧ୍ୟ ପ୍ରାୟ ସେହି ଘଟନା ଘଟିଲା । ଏବେ ମଧ୍ୟ ସାମନ୍ତବାଦ ସରକାର ଓ ଅମଲାତନ୍ତ୍ରର ପଗଡ଼ି ପରିଧାନ କରି ଗାନ୍ଧୀଙ୍କ ନାମରେ କେତେ କ’ଣ କହିଯାଉଛି ଓ କରିଯାଉଛି । ମହାତ୍ମା ଗାନ୍ଧୀ ଆଉ କୋଡ଼ିଏଟା ବର୍ଷ ଏହି ଦେଶରେ ବଞ୍ଚିଥିଲେ ଏଠି ଯେଉଁମାନଙ୍କ ବିରୋଧରେ ସବାଆଗ ଲଢ଼ିଥାଆନ୍ତେ, ଏବେ ସେହିମାନେହିଁ ଗାନ୍ଧୀଙ୍କୁ ନିଜ ଗୁହାଳରେ ବାନ୍ଧି ରଖିଛନ୍ତି ।

 

ଏହି ଶତାବ୍ଦୀର ପଞ୍ଚମ ଏବଂ ଷଷ୍ଠ ଦଶକରେ ସତକୁସତ ଗାନ୍ଧୀ ଅନୁଗାମୀମାନେ ଯେପରି ଆଚରଣ କଲେ, ଅନେକ ସମୟରେ ମୁଁ ସେହିକଥା ଭାବିଥାଏ । ସେମାନେ ମଧ୍ୟ ସାମନ୍ତବାଦୀ ହାଟରେ ଗାନ୍ଧୀ–ଐତିହ୍ୟର ବିକ୍ରି ହୋଇଯିବାର ବ୍ୟାପାରରେ କମ୍ ଭୂମିକା ଗ୍ରହଣ କରିନାହାନ୍ତି । ଏବଂ, ବର୍ତ୍ତମାନ ସେହିମାନେ ଦେଶକୁ ବଞ୍ଚାଅ ଓ ସ୍ଵାଧୀନତାକୁ ବଞ୍ଚାଅ ବୋଲି ଏଡ଼େ ପାଟି କରି ବାହାରିଲେଣି । ଯିଏ ଆପଣାର ସୁଯୋଗଟିକୁ ହରାଏ, ସିଏ ଯେଡ଼େ କ୍ରୋଧ ସହିତ ହୁରି କଲେ ମଧ୍ୟ ଯୁଗ ତା’ ପାଖକୁ କଦାପି ଫେରି ଆସେନାହିଁ । ସେଥିଲାଗି, ପୃଥିବୀର ଅନ୍ୟାନ୍ୟ ଦେଶରେ ପ୍ରଧାନତଃ ଗାନ୍ଧୀଙ୍କର ପ୍ରେରଣା ବହୁ ବହୁ ପରିବର୍ତ୍ତନର କାରଣ ହେଉଥିଲେ ମଧ୍ୟ ଭାରତବର୍ଷରେ ‘ଗାନ୍ଧୀ’ ସତେଅବା ଏକ ନିଷିଦ୍ଧ ଶବ୍ଦରେ ପରିଣତ ହୋଇ ରହିଲାଣି । ତଥାପି, ଏତିକି ଖୁସିର କଥା ଯେ ଚାଳିଶବର୍ଷ ହେଲା ଦେଶଟାକୁ କାମୁଡ଼ି ଧରିଥିବା systemଟା ବିରୋଧରେ ଭାରତରେ ମଧ୍ୟ ମଣିଷମାନଙ୍କର ଅଶ୍ରଦ୍ଧା ବଢ଼ୁଛି । ସେମାନେ ଉପରେ ରାଜନୀତି ନାମରେ ଚାଲିଥିବା ଏହି ଯାବତୀୟ ପ୍ରହସନକୁ ଆଉ କଦାପି ମାନି ନେବେନାହିଁ ଅଥବା ସହ୍ୟ କରିବେନାହିଁ ବୋଲି କ୍ରମେ ଅଧିକ ବଦ୍ଧପରିକର ହେଉଛନ୍ତି । ଯଥାର୍ଥ ନେତୃତ୍ଵ ପାଇଲେ ତାହାହିଁ ଗାନ୍ଧୀଙ୍କୁ ପୁଣି ଆମ ଜୀବନ ମଧ୍ୟକୁ ଫେରାଇ ଆଣିପାରିବ ।

 

୨ । ୧୦ । ୯୨

 

ତାଙ୍କୁ ବହିମାନଙ୍କର ଆନନ୍ଦମୟ ଓ କରୁଣାମୟ ବୋଲି ଲେଖା ହୋଇଛି । ଯୁଗଯୁଗ ଧରି ଲେଖାହୋଇ ଆସିଛି । ଏହି ମଣିଷମାନଙ୍କ ଭିତରୁ ଭାବସମ୍ପତ୍ତିଦ୍ଵାରା ବିଶେଷ ଭାବରେ ଆର୍ଦ୍ର ହୋଇ ବିଶେଷ ମଣିଷମାନେ ତାହା ଲେଖିଛନ୍ତି । ପୃଥିବୀର ଧର୍ମମାନେ ତୀବ୍ର ଉତ୍ସାହରେ ଏକାବେଳେକେ ଶହେଟା ଘଣ୍ଟ ବଜାଇ ତାହାର ପ୍ରଚାର କରି ଆସିଛନ୍ତି । ତେବେ, ମଣିଷମାନଙ୍କର ଏହି ପୃଥିବୀରେ ଏତେଏତେ ନିରାନନ୍ଦ ଏବଂ ନିଷ୍କରୁଣତା ଘୋଟିଯାଇ ପାରିଲା କିପରି ? ମଣିଷ ଯାହା ନୁହେଁ ଏବଂ ତଥାପି ସିଏ ଯାହାଲାଗି ବାଞ୍ଛା କରୁଛି, ସିଏ କ’ଣ ସେଗୁଡ଼ିକୁ ନେଇ ନିଜ କଳ୍ପନା ସାହାଯ୍ୟରେ କ’ଣ ଗୋଟିଏ ଥାପିଦେଲା ଏବଂ ତାହାକୁହିଁ ଭଗବାନ୍ ବୋଲି କହିଲା କି ? ଯଦି ସିଏ ସତକୁସତ ସେହି ଠାକୁରଙ୍କରବି ପୂଜା କରିଥାନ୍ତା, ତେବେବି ପୃଥିବୀ ଏପରି ନିରାନନ୍ଦମୟ ହୋଇ କଦାପି ରହିନଥାନ୍ତା । ପୃଥିବୀର ମଣିଷ ତା’ର ପୃଥିବୀକୁ ଆନନ୍ଦମୟ କରି ରଖିବାରେ ସହଯୋଗ କରୁଥାନ୍ତା ।

 

ସେହି ଆନନ୍ଦମୟ ଓ କରୁଣାମୟକୁ ନିଜ ଭିତରେ ଥାପନା କରି ଅନନ୍ତ ଅନୁରାଗ ସହିତ ସବାଆଗ ତାହାରି ସାଙ୍ଗରେ ଡୋର ଲଗାଇ ରହି ପାରିଥିଲେ ହୁଏତ ମନୁଷ୍ୟ କଦାପି ଏପରି ଭାବରେ ହୁଡ଼ି ଯାଇନଥାନ୍ତା । ସିଏ ସବାଆଗ ଜଣେ ଅନୁରାଗୀ ହୋଇଥାନ୍ତା, କରୁଣାର ବିତରଣରେ ସ୍ଵୟଂସମ୍ମତ ଯନ୍ତ୍ରଟିଏ ହୋଇ ପାରିଥାନ୍ତା । ଏବଂ, ଏହିସବୁ ହେବାପାଇଁ ତା’ର ବାସନା କ୍ଷେତ୍ରରେ ବାହାରର ଏହିସବୁ ଭେକ, ସମ୍ପ୍ରଦାୟ ଓ ଦେଉଳର ଭିଆଣମାନେ ତାକୁ କଦାପି ଅଟକାଇ ରଖି ପାରିନଥାନ୍ତେ । ସିଏ ବାହାରେ ରହିଛନ୍ତି ଓ ସବୁକିଛିର ନିରୂପଣ କରାଉଛନ୍ତି ବୋଲି ସ୍ଵୀକାର କରିନେବାରେ ଆଦୌ କୌଣସି ପ୍ରମାଦ ନାହିଁ । ମାତ୍ର, ଯୁଗପତ୍ ଭାବରେ ନିଜ ଭିତରେ ମଧ୍ୟ ତାଙ୍କୁ ଅହରହଃ ଅନୁଭବ କରିପାରିବା ମଧ୍ୟ ଉଚିତ । ଭିତରେ ଅନୁଭବ କରିପାରିଲେ ବାହାରେ ଏହି ଭେକମାନେ, ଏହି ଦୂରତାମାନେ ଅର୍ଥାତ୍ ଆମ ପୃଥିବୀରେ ନିରାନନ୍ଦ ଓ ନିଷ୍କରୁଣତା ବଢ଼ାଉ ଥିବାର ଏହି କାରଣମାନେ କଦାପି ଏତେ ପ୍ରବଳ ହେଉନଥାନ୍ତେ । ମଣିଷ କଦାପି ଭକ୍ତି ଓ ଆନୁଗତ୍ୟ ନାମରେ ଏପରି ବର୍ବର ହେବାକୁ ମନ କରୁନଥାନ୍ତା । ହୁଏତ ଓଲଟା ହୁଅନ୍ତା; ତାଙ୍କୁ ଭିତରେ ଦେଖିପାରିଲେ ସେ ବାହାରେ ମଧ୍ୟ ଜଳଜଳ ହୋଇ ଦିଶୁଥାଆନ୍ତେ ।

 

୩ । ୧୦ । ୯୨

 

ଆମ ସାହସ, ଆମ ନିର୍ଭୀକତା; ମୁଁ ଯାହାକୁ ଠିକ୍ କଥା ବୋଲି ଜାଣୁଛି, ଅପ୍ରମତ୍ତ ଭାବରେ ତାହାକୁ ବ୍ୟକ୍ତ କରିପାରିବା, ଏବଂ ସେହି ଅନୁସାରେ ଜୀବନଟିଏ ବଞ୍ଚିବାର ଚେଷ୍ଟା କରିବା, ଏହା ହେଉଛି ଗାନ୍ଧୀଚରିତର ସବୁଠାରୁ ବଡ଼ ଆବେଦନ ଓ ବାର୍ତ୍ତା;–କାଲି ‘ଗାନ୍ଧୀ’ ଚଳଚ୍ଚିତ୍ର ଦେଖିସାରିବା ପରେ ଅନେକ ସମୟ ପର୍ଯ୍ୟନ୍ତ ମୋତେ ସେହି କଥାଟି ଭାରି ଆନ୍ଦୋଳିତ କରି ରଖିଥିଲା । ଆଗ ସାହସ,–ତା’ପରେ ଅହିଂସା, ତା’ପରେ ଯାଇ ସତ୍ୟ, ତା’ପରେ ଯାଇ ଧର୍ମ ଓ ତା’ପରେ ଭଗବାନ୍ ।

 

ଯାହାର ସାହସ ନାହିଁ, ତା’ର ଅହିଂସା ପୁଣି କିପରି ଅହିଂସା ହୋଇଥିବ, ତା’ର ସତ୍ୟବି କିଭଳି ସତ୍ୟ ହୋଇଥିବ ? ଭୀରୁର କୌଣସି ଧର୍ମ ମଧ୍ୟ ନାହିଁ ବୋଲି ସ୍ଵୟଂ ଗାନ୍ଧିଜୀ ମଧ୍ୟ କେତେ ଜାଗାରେ କେତେ ସ୍ପଷ୍ଟ କରିଦେଇ କହିଛନ୍ତି । ବ୍ରିଟିଶ୍ ଶାସନ ସହିତ ସଂଗ୍ରାମରେ ସାହସହିଁ ଶେଷକୁ ଜୟଲାଭ କଲା । ସାହସ ହେଉଛି ଅସତ୍ୟ ସହିତ ଅସହଯୋଗ କରିବାର ସାହସ । ତେଣୁ, ଜଣେ ଭୀରୁ ମଣିଷ କଦାପି ଯଥାର୍ଥ ଅସହଯୋଗର ଯୋଗ୍ୟ ହୋଇ ପାରିବନାହିଁ । ସ୍ଵାଧୀନ ଭାରତବର୍ଷର ଯାବତୀୟ ନେତୃତ୍ଵ ଏବଂ ଯାବତୀୟ ବିବେକରୁ ସାହସକୁ ଅପହରଣ କରି ନିଆଯାଇଛି । ଏବେ ଅସମ୍ମତ ଗଧମାନେହିଁ ଶିକ୍ଷା କଥା କହୁଛନ୍ତି, ସଂସ୍କୃତି କଥା କହୁଛନ୍ତି, ଏହି ଦେଶକୁ ଗଢ଼ିବେ ବୋଲି ସେହିମାନେହିଁ ଆଜି ଗଣ୍ଡଭୀମ ହୋଇ ବାହାରିଛନ୍ତି । କ୍ଷମତାର ସବୁଯାକ ଫାଶ ଗଧମାନଙ୍କ ହାତରେ ରହିଛି ଏବଂ ସେହି ଫାଶରେ ସେହିମାନେହିଁ ଗୁରାଇତୁରାଇ ହୋଇ ରହିଛନ୍ତି । ତୁଚ୍ଛା ଭୀରୁମାନେ ଧର୍ମର ଭାଲୁଗୁମ୍ଫା ଭିତରେ ନିଜର ମନ୍ଦିର ଆଉ ମସ୍‌ଜିଦକୁ ନେଇ ପରସ୍ପର ଆଡ଼କୁ ମୁଖାକୃତି କରିବାରେ ଲାଗିଛନ୍ତି । ସାହସୀ ହୋଇପାରିଲେ ଯାଇ ସେମାନେ ଆହୁରି ସେପାଖକୁ ଦେଖିପାରନ୍ତେ; ଧର୍ମର ସେପାଖକୁ, ଶାସ୍ତ୍ରର ସେପାଖକୁ, ସ୍ଵାର୍ଥପ୍ରଣୋଦିତ ଉତ୍ତେଜନାଗୁଡ଼ାକର ସେପାଖକୁ ମଧ୍ୟ ଦେଖିପାରନ୍ତେ । ତେଣୁ ଏହି ଗଧମାନେ, ଅସମ୍ମତମାନେ ଆଗ ସାହସୀ ହୁଅନ୍ତୁ,–ଆପଣା ଭିତରେ ରହିଥିବା ନିଃଶଙ୍କ ସର୍ବଶ୍ରେଷ୍ଠଟିର ଆବିଷ୍କାର କରିବାର ଭାଜନ ହୁଅନ୍ତୁ, ସେମାନେ ତେବେ ଯାଇ ସତ୍ୟର ଭାଜନ ହେବେ, ପ୍ରତିଭାର ଭାଜନ ହେବେ, ପୁରୁଷାର୍ଥବି ଭାଜନ ହୋଇପାରିବେ ।

 

୪ । ୧୦ । ୯୨

 

“କୃଷ୍ଣ” କ’ଣ କେବଳ ମଥୁରା ରାଜ୍ୟର ଏକ କଳ୍ପନା ? ଯଦି ତାହାହିଁ ହୋଇଥାଏ, ତେବେ ସେହି ମଥୁରାକୁ ତିଆରି କରିଥିବା ସଂସ୍କୃତିଠାରେ ମୁଁ ମୋ’ର ଶତକୋଟି ପ୍ରଣାମ ଜଣାଇବି-। ଯେଉଁଠି ଭଗବାନ୍ ସ୍ଵୟଂ ଆସି ଜଗତ୍‍ରେ ଏତେ ଲୀଳାର କାହାଣୀରେ ଅଂଶଗ୍ରହଣ କରିପାରନ୍ତି, ସେଠି ମଣିଷର ଆତ୍ମଉନ୍ମୋଚନ ଲାଗି ସତକୁସତ କେତେ ଅନୁକୂଳ ଅନ୍ତଃପରିବେଶ କରା ନଯାଇଛି ! ଭଗବାନ୍ ଯେ ଧର୍ମତଃ ଏକ ଶିଶୁ, ମଣିଷ ଭିତରେ ରହିଥିବା ସେହି ଚିରନ୍ତନ ଶିଶୁହିଁ ସେହି ସତ୍ୟଟିର ସନ୍ଧାନ କରିପାରିଥିବ । ସେହି ଶିଶୁ ବଂଶୀ ବଜାଏ, ଗାଈ ଚରାଇ ଜଙ୍ଗଲରେ ବୁଲେ, ଡଙ୍ଗାରେ ନାଉରି ହୁଏ, ଆପଣାର ମଣିଷଙ୍କୁ ଦେଖିଲେ ଅର୍ଥାତ୍ ପ୍ରୀତିର ସମ୍ପର୍କରେ ଆସିଲେ ବାହୁ ଟେକି ନାଚେ, ଚୋରାଇ କରି ଲହୁଣୀ ଖାଏ,–ମାଆକୁ ଗଞ୍ଜଣା ଦିଏ;–ଏହିପରି ମଥୁରାଟିଏ ସାରା ପୃଥିବୀ ଲାଗି ମଧ୍ୟ ଅତ୍ୟନ୍ତ ପୁଲକଦାୟୀ ଓ ଉନ୍ମୋଚନକାରୀ ହୋଇ ଅବଶ୍ୟ ରହିପାରିବ-

 

ଭାରତବର୍ଷର ନୃତ୍ୟ, ସଙ୍ଗୀତ ଓ ବାଦ୍ୟ ଭଗବାନ୍‍ଙ୍କର ସେହି ଶିଶୁକଳ୍ପନାରୁ କେତେ ଅନ୍ତଃପ୍ରେରଣା ନପାଇଥିବ ! କୃଷ୍ଣଙ୍କୁ ନେଇ ଦଳେ ସମ୍ପ୍ରଦାୟଲୋଭୀ ଭାରତବର୍ଷରେ କାହିଁକି କେଉଁ ଦୁର୍ବୁଦ୍ଧିରେ ପଡ଼ି ଏକ ସମ୍ପ୍ରଦାୟ ଗଢ଼ିଲେ, ଅନେକ ସମୟରେ ସେ କଥା ଭାବି ମୁଁ ଭାରି ଆଶ୍ଚର୍ଯ୍ୟ ହୁଏ । ଶିଶୁର ପୁଣି କେଉଁ ସମ୍ପ୍ରଦାୟ ଅଛି, ଏବଂ, ଉନ୍ମୋଚନର ପୁଣି କେଉଁ ସମ୍ପ୍ରଦାୟ ଅଛି, ଏବଂ ଉନ୍ମୋଚନର ପୁଣି କେଉଁ ଜାତି ରହିଛି ? ଅତ୍ୟନ୍ତ ଅରସିକ ହୋଇ ନଥିଲେ ତୁଚ୍ଛା ସୂତ୍ରକାରୀମାନେ କଦାପି କୃଷ୍ଣଙ୍କୁ ନେଇ ଗୋଟିଏ ସମ୍ପ୍ରଦାୟରୂପୀ ନିବୁଜ ଘର ଭିତରେ କିଳି ରଖି ନଥାନ୍ତେ । କାଲି ଅନୁଭବ କରୁ କରୁ ମୁଁ ଏହିପରି କେତେ କ’ଣ ଅନୁଭବ କରି ପକାଇଲି ଏବଂ କୌଣସି ସମ୍ପ୍ରଦାୟ ମୋତେ ଆଦୌ ଧରି ରଖି ପାରିଲେନାହିଁ । ମୁଁ ଭାବିଲି, ପରେ କୁରୁକ୍ଷେତ୍ରରେ ଅବତୀର୍ଣ୍ଣ ହେବାପାଇଁ ପିଲାଦିନରେ ଶିଶୁଟିଏ ହୋଇଥିବାରୁ କୃଷ୍ଣଙ୍କୁ ନିଶ୍ଚୟ ବହୁତ ଖାଦ୍ୟ ମିଳିଥିବ । ଶିଶୁ କୃଷ୍ଣଙ୍କୁ ସାଙ୍ଗ କରି ଆମେ ମଣିଷମାନେ ଯଦି ଏହି ସଂସାରର କୁରୁକ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ପରୁଥାନ୍ତୁ, ତେବେ ସଂସାରଟା ମଧ୍ୟ କେଡ଼େ ସାଧ୍ୟ ଏବଂ ସତ୍ୟଲାଗି କେତେ ଅଧିକ ଯୋଗ୍ୟ ହୋଇ ପାରୁଥାନ୍ତା ! ବୟସ ବଢ଼ିବା ସଙ୍ଗେ ସଙ୍ଗେ ମଣିଷମାନେ କଦାପି ଏପରି କଠିନ ଏବଂ ଅନମନୀୟ ହେଉନଥାନ୍ତେ । ବୟସ ଯେତେ ବଢ଼ିଲେ ମଧ୍ୟ ସେମାନେ ପରସ୍ପର ସହ ଭିତରେ ପିଲାବେଳର କୃଷ୍ଣଙ୍କୁ ଦେଖି ପାରୁଥାନ୍ତେ ଓ ପରସ୍ପର ସହିତ ବାନ୍ଧି ହୋଇ ଯାଉଥାନ୍ତେ । ତେବେ ସେମାନେ କେଡ଼େ ସହଜବି ହୋଇ ପାରୁଥାନ୍ତେ !

 

୫ । ୧୦ । ୯୨

 

ସେଦିନ ଦୂରଦର୍ଶନରେ ଦେବୀଙ୍କର ସଂସ୍କୃତି ଜଣାଣ ବୋଲା ହେଉଥିଲା । ମଝିରେ ମୃଣ୍ମୟୀ ଦେବୀ ଦୁର୍ଗା ମଣ୍ଡପ ଉପରେ ଥିଲେ ଓ ଏପାଖରେ ଦୁଇଜଣ ଗାୟିକା ଓ ସେପାଖରେ ଦୁଇଜଣ ଗାୟକ ଉପବିଷ୍ଟ ରହି ‘ଗତିସ୍ଵଂ ଗତିସ୍ଵଂ ତ୍ଵମେକା ଭବାନି” ସ୍ତୋତ୍ରଟିକୁ ଗାନ କରୁଥିଲେ । ସତକୁସତ ଏକ ଆଧ୍ୟାତ୍ମିକ ଲୟ ପରିବେଶର ସୃଷ୍ଟି କରିପାରୁଥିଲେ । ଆରାଧନାର ଗୋଟାଏ ସ୍ତରକୁ ଗଲେ ଦୁର୍ଗା ଯେ ଆଉ ମୋଟେ କେବଳ ହିନ୍ଦୁମାନଙ୍କର ଆରାଧ୍ୟ ହୋଇ ରହନ୍ତିନାହିଁ, ସିଏ ଯେ ସମର୍ପିତ ସମସ୍ତଙ୍କର ଆରାଧ୍ୟରେ ପରିଣତ ହୋଇ ଯାଆନ୍ତି, ଶୁଣିବା ସଙ୍ଗେ ସଙ୍ଗେ ସ୍ତୋତ୍ରର ଧାଡ଼ିଗୁଡ଼ିକ ଶ୍ରୋତାର ଚିତ୍ତରେ ସେପରି ଏକ ଅନୁସ୍ପନ୍ଦନ ସୃଷ୍ଟି କରିପାରୁଥିଲେ । ଶ୍ରୀ ସିକନ୍ଦର ଆଲମ୍ ମଧ୍ୟ ଗାୟକମାନଙ୍କ ଭିତରେ ଜଣେ ଥିଲେ । ସେତେବେଳେ ସେ ମୋଟେ ଅହିନ୍ଦୁ ବୋଲି ଦିଶୁ ନଥିଲେ । କେବଳ ସମର୍ପିତ ସଦୃଶ ଦେଖା ଯାଉଥିଲେ । ମୁଁ ମୁଗ୍ଧ ହୋଇ ଭାବୁଥିଲି, ଆରାଧନା ଏବଂ ନିବେଦନର ଗୋଟିଏ ସ୍ତର ରହିଛି, ଆମେ ଯେଉଁଠାରେ ପହଞ୍ଚି ପାରିଲେ ସମ୍ଭବତଃ ଦେବତାମାନେ ମଧ୍ୟ ଉତ୍ତୋଳିତ ହୋଇ ଯାଆନ୍ତି; ସେମାନେ ଆଉ ଏ ଜାତି କିମ୍ବା ସେ ଜାତି କିମ୍ବା ଏ ଧର୍ମ ଓ ସେ ଧର୍ମ ଭିତରେ ନରହି ସତକୁସତ ଏକ ଭଗବତ୍‌ସ୍ତରକୁ ଉନ୍ନୀତ ହୋଇ ଯାଆନ୍ତି । ଆମେ ସେହି ଆରାଧନାକାରୀକୁ ଧନ୍ୟ ବୋଲି କହିବା, ଯିଏ ନିଜ ସହିତ ଦେବତାମାନଙ୍କୁ ମଧ୍ୟ ଏକ ଉଚ୍ଚତର ସ୍ତରକୁ ଉତ୍ତୋଳିତ କରି ନେଇପାରେ ।

 

ଜଣେ ଯୋଗ୍ୟ ଆରାଧନାକାରୀ ଅର୍ଥାତ୍ ଆତ୍ମନିବେଦନକାରୀ ଜନ୍ମତଃ ହିନ୍ଦୁ ହୋଇଥିଲେ ମଧ୍ୟ ଆଲ୍ଲାଙ୍କୁ ମଧ୍ୟ ନିଜର ନିବେଦନଶକ୍ତିଦ୍ଵାରା ସେହି ଅନ୍ୟ ସ୍ତରକୁ ଉତ୍ତୋଳିତ କରିନେଇ ପାରିବ ଏବଂ ତା’ର ରାମ-ଆରାଧନା ତାକୁ ତା’ର ଏହି ପ୍ରୟାସରେ ପୂର୍ଣ୍ଣ ବଳରେ ସାହାଯ୍ୟ କରିପାରିବ । ଭାରତବର୍ଷର ଯେଉଁ ଅଧୋଗମନର ପର୍ଯ୍ୟାୟରେ ତଥାକଥିତ ହିନ୍ଦୁମାନେ ଶ୍ରୀରାମକୃଷ୍ଣ ପରମହଂସ ବା ସ୍ଵାମୀ ବିବେକାନନ୍ଦଙ୍କୁ କେବଳ ହିନ୍ଦୁ ବୋଲି ଦେଖନ୍ତି ଓ ସେଇଥିରୁ ପ୍ରୀତିଲାଭ କରନ୍ତି, ସେତେବେଳେ ଏଠାରେ ଆଲୋଚିତ ହୋଇଥିବା ଉତ୍ତୋଳନ ସାମର୍ଥ୍ୟକୁ ନିଜର ଜୀବନରେ ଉଦ୍‌ବୋଧିତ କରି ଆଣିବା ଅତ୍ୟନ୍ତ କଷ୍ଟକର ହୋଇପାରେ, ମାତ୍ର ତାହା କଦାପି ଅସମ୍ଭବ ନୁହେଁ । ଏବଂ ଯାହା ସମ୍ଭବ, ତାହା ଅବଶ୍ୟ କାମ୍ୟ ।

 

୬ । ୧୦ । ୯୨

 

ଭିନ୍ନ ଭିନ୍ନ କେତେ ଦୃଷ୍ଟିରୁ ଧର୍ମର ଗବେଷଣା କରାଯାଇପାରିବ । ସେଥିରୁ ଗୋଟିଏ ହେଉଛି ଜଣେ seekerର ଦୃଷ୍ଟିକୋଣ ଓ ଆଉଗୋଟିଏ ହେଉଛି ଜଣେ scholarର ଦୃଷ୍ଟିକୋଣ । ଧର୍ମର ମର୍ମପ୍ରବେଶ-କ୍ଷେତ୍ରରେ ଭାବପ୍ରବଣତାକୁ ତ ଆଦୌ କୌଣସି ଦୃଷ୍ଟିକୋଣ ବୋଲି ବିଚାର କରିବା ଉଚିତ ନୁହେଁ । ଏବଂ, ମୋ’ ନିଜର ତଥାକଥିତ ଧର୍ମକୁ ସର୍ବଶ୍ରେଷ୍ଠ ଅଥବା ଏକମାତ୍ର ଯଥାର୍ଥ ଧର୍ମ ବୋଲି ସାବ୍ୟସ୍ତ କରିବାକୁ ଯେଉଁସବୁ ପ୍ରୟାସ ଓ ପାଣ୍ଡିତ୍ୟ, ତାହାକୁ ଅନ୍ତତଃ ଧର୍ମର ଦୃଷ୍ଟିରୁ ଏକ ଅଯୋଗ୍ୟତା ଅଥବା ଅପରିପକ୍ଵତା ବୋଲି କୁହାଯିବ ।

 

ଜଣେ seekerର ଦୃଷ୍ଟିନେଇ ଯଦି ଜଣେ ବ୍ୟକ୍ତି ତା’ ନିଜ ଧର୍ମ ଭିତରେ ପଶିବାକୁ ମନ କରିବ, ତେବେ ତାକୁ ଏଭଳି ଅବକାଶ ଅନେକ ମିଳିବ, ଯେତେବେଳେ କି ସିଏ ଅତ୍ୟନ୍ତ ସ୍ଵାଭାବିକ ଭାବରେ ସେହି ଧର୍ମର ଐତିହାସିକ ଓ ସୈଦ୍ଧାନ୍ତିକ ସୀମାଗୁଡ଼ିକ ଡେଇଁ ଯିବାଲାଗି ଏକ ଅନ୍ତର୍ଗତ ଆବଶ୍ୟକତା ମଧ୍ୟ ଅନୁଭବ କରିବ । ଅର୍ଥାତ୍, ଜନ୍ମତଃ ହିନ୍ଦୁ ହୋଇଥିଲେ ମଧ୍ୟ ଯଦି ମୁଁ seekerର ଆସ୍ପୃହା ନେଇ ହିନ୍ଦୁଧର୍ମ ଭିତରେ ପ୍ରବେଶ କରିବାକୁ ଯିବି, ତେବେ ମୁଁ ସେହି ଧର୍ମର ତଥାକଥିତ ଗାରଗୁଡ଼ିକୁ ଭାରି ସହଜରେ ଡେଇଁ ଯାଇ ପାରିବି । ଗ୍ରହଣଶୀଳତା ଅର୍ଥାତ୍ ସମ୍ପ୍ରସାରିତ ହେବାଲାଗି ଏକ ଅନ୍ତର୍ଗତ ଇଚ୍ଛୁକତା ମୋତେ ଯେଉଁସବୁ ସଂସ୍କାର କିମ୍ବା କୌଣସି ଗାରଭିତରେ କିଳି ରଖି ପାରିବନାହିଁ । ବିଭିନ୍ନ ଧର୍ମରେ ଯୁଗେ ଯୁଗେ ସଂପ୍ରସାରଣ ଘଟିଛି, ତାହା ମୂଳତଃ ସେହି ଗ୍ରହଣଶୀଳତାଦ୍ଵାରାହିଁ ଘଟିଛି । ଏହି ପୃଥିବୀରେ ଏତେ ଏତେ ବାଟ, ଏତେ ସହଯାତ୍ରୀ–ତେଣୁ, ସେମାନେ ମୋ’ର ମଧ୍ୟ ସହଯାତ୍ରୀ ହୋଇ ନପାରିବେ କାହିଁକି ? ଅର୍ଥାତ୍ ନିଜ ଭିତରେ ସେମାନଙ୍କୁ ସମସ୍ତଙ୍କୁ ସାଙ୍ଗରେ ନେଇ ବାଟ ଚାଲୁଥିବା ପରି ମୁଁ କାହିଁକି ଅନୁଭବ କରି ନପାରିବି ? ସମଧର୍ମୀଟିଏ ପାଇବାର ଅର୍ଥ ମୋ’ରି ମାର୍କା ଓ ମୋ’ ବେଢ଼ଣରେ ବେଢ଼ି ହୋଇଥିବା ତଥାକଥିତ ମୋ’ ଧର୍ମର ଜଣେ ଅନୁଗାମୀକୁ ପାଇବା ବୋଲି କଦାପି ବୁଝାଇବ ନାହିଁ । ମୋ’ରି ଅନ୍ତର ପରି ଅନ୍ତରଟିଏ ପାଇବାକୁହିଁ ବୁଝାଇବ । ସେହି ପାଇବାହିଁ ମୋତେ ଆନନ୍ଦ ହେବ, ଉତ୍ସାହିତ କରିବ, ମୋ’ର ତଥାକଥିତ ନିଜ ଧର୍ମଟିକୁ ମଧ୍ୟ ତାହା ସମ୍ପଦଶାଳୀ ହେବାରେ ସାହାଯ୍ୟ କରିବ ।

 

୭ । ୧୦ । ୯୨

 

ଅସଲ ସାଧକ ଯିଏ, ତାକୁ ଏହି ଧର୍ମଗୁଡ଼ିକ ଗୋଟିଏ ଗୋଟିଏ ଛାଞ୍ଚ ପରି ମନେହେବ-। ଅସାର ମନେ ହେବନାହିଁ । ପାଣି ଖୋଜୁଥିବା ମଣିଷ ଢାଳକୁ କିପରି ଅସାର ବୋଲି ମଣିବ ? ମାତ୍ର, ସିଏ କଦାପି ଢାଳଗୁଡ଼ାକୁହିଁ ପାଣି ବୋଲି ମନେ କରିବନାହିଁ । ଢାଳଗୁଡ଼ିକ ମଧ୍ୟରେ ବଡ଼ସାନ ବାରିବନାହିଁ ଅଥବା ଖାଲି ଆପଣାର ଢାଳଟି ଖାଣ୍ଟି ସୁନାରେ ଗଢ଼ା ହୋଇଛି ବୋଲି କଦାପି ଦାବି କରିବନାହିଁ । ତା’ର ଜୀବନରେ ଦିନେ ହୁଏତ ଏକଥା ମଧ୍ୟ ସମ୍ଭବ ହେବ ଯେ, ସିଏ ପାଣିର ସନ୍ଧାନ ପାଇବାମାତ୍ରକେ ସେହି ପାଣି କେଉଁ ଢାଳରେ ରହିଛି, ତାହାର ସମ୍ବାଦ ସଂଗ୍ରହ କରିବାରେ ଆଦୌ ସମୟର ଅପଚୟ କରିବନାହିଁ ଏବଂ ପରମ ଶ୍ରଦ୍ଧା ସହକାରେ ସିଏ ସେହି ପାଣିକୁ ପିଇଯାଇ ପାରୁଥିବ । ଜଣେ ଖାଲି scholar ହୁଏତ ଉଦାସୀନ ରହି ସବୁ ଢାଳକୁ ଏକା ବୋଲି ମନେ କରିବ; ମାତ୍ର ଶ୍ରଦ୍ଧାର ସବୁ ଢାଳକୁ ସମ୍ମାନର ସହିତ ଓ ସ୍ଵୀକୃତିର ସହିତ ଦେଖିବାକୁ ହେଲେ ତା’ ଭିତରେ କେଉଁଠି seekerଟିଏ ରହିଥିବା ଅତ୍ୟାବଶ୍ୟକ ହେବ ।

 

ଅନେକ ବ୍ୟକ୍ତି scholarରୁ ଆରମ୍ଭ କରି seeker ହୁଅନ୍ତି ଏବଂ ଆହୁରି କେତେ ବ୍ୟକ୍ତି seekerରୁ ଆରମ୍ଭ କରି scholar ମଧ୍ୟ ହୁଅନ୍ତି । ଶୀଯୁକ୍ତ ଆନନ୍ଦ କୁମାର ସ୍ଵାମୀଙ୍କର ଦୃଷ୍ଟାନ୍ତ ଧର୍ମଗବେଷଣାର ପ୍ରତ୍ୟେକ ଇଚ୍ଛୁକ ଆଗରେ ଉଜ୍ଜ୍ଵଳ ହୋଇ ଦିଶିଯାଇ ପାରୁଥିବା ଉଚିତ । ତାଙ୍କ ଭିତରେ ମୂଳତଃ seekerଟିଏ ରହିଥିଲା, ଯାହାକି ତାଙ୍କୁ ପ୍ରଗାଢ଼ ପାଣ୍ଡିତ୍ୟର ସମୁଦ୍ର ମଧ୍ୟକୁ ଆଣି ପ୍ରବେଶ କରାଇ ସାରିବା ପରେ ମଧ୍ୟ ତାଙ୍କର seekingକୁ ଅବ୍ୟାହତ ରଖି ପାରିଥିଲା । ଭିତରେ seekerଟିଏ ବସିଥିଲେ ଯାବତୀୟ scholarship ପ୍ରକୃତରେ କିପରି ଏକାନ୍ତ ବ୍ୟକ୍ତିଗତ ଏକ ଅନୁରାଗରେ ପରିଣତ ହୋଇଯାଏ ଓ ଆପଣା ଭିତରର ସେହି seekerଟିକୁ କ୍ରମେ ଜାଗୃତି କରିଆଣେ, ସେହି କଥାଟିର ଭୂରି ଭୂରି ଦୃଷ୍ଟାନ୍ତ ରହିଛି । ସେହି ଗୋଟିଏ ବହିକୁ ଦେଖିଲାବେଳେ ଜଣେ ବ୍ୟକ୍ତି କେବଳ ତଥ୍ୟଭଣ୍ଡାରକୁ ଦେଖିପାରେ, ଏବଂ ଆଉ କେହି ସରସ୍ଵତୀଙ୍କୁ ମଧ୍ୟ ଦେଖିପାରେ । ନିଜ ଭିତରେ ସରସ୍ଵତୀଙ୍କର ପ୍ରମାଦ ଲାଭ କରିଥିଲେ ସେ ଅବଶ୍ୟ ବହିଭିତରେ ମଧ୍ୟ ସରସ୍ଵତୀଙ୍କୁ ପ୍ରତ୍ୟକ୍ଷ କରିପାରେ । ଏବଂ, ମୁଁ ସରସ୍ଵତୀଙ୍କୁ ବହିଭିତରେ ଦେଖିବି କି ନାହିଁ, ତାହା କ’ଣ କେବେ ସରସ୍ଵତୀଙ୍କ ଉପରେ ନିର୍ଭର କରୁଥାଏ ?

 

୧୫ । ୧୦ । ୯୨

 

ଏକ ପାରସ୍ପରିକ ଚେତନା ଅର୍ଥାତ୍ ପାରସ୍ପରିକ ସମ୍ମତ ବ୍ୟତୀତ ଭଗବାନ୍ ଆଉ କ'ଣ ହୋଇଥିବେ ? ଆପଣାର ଏକା ବାଟଟିକୁ ଚାଲିବାଲାଗି ବେଶ୍ ଏକ ଉତ୍ତେଜନାରେ ବାହାରିଥିବା ମଣିଷ ଭଗବାନ୍‍ଙ୍କୁ କେତେ ରୂପ ଦେଲା, ତାଙ୍କର ମୁହଁ ଉପରେ କେତେ କେତେ ମୁଖା ଆଣି ପିନ୍ଧାଇଲା, ତଥାପି ଭଗବାନ୍‍ଙ୍କର ସାନ୍ନିଧ୍ୟକୁ ଆସି ପାରିଲାନାହିଁ । ଏହି ଦୃଷ୍ଟିରୁ ମାର୍କାଦିଆ ଧର୍ମଗୁଡ଼ିକୁ ହୁଏତ ଭଗବାନ୍‍ଙ୍କ ଉପରେ ମଡ଼ାଇ ଦିଆଯାଇଥିବା ଗୋଟିଏ ଗୋଟିଏ ମୁଖା ବୋଲି କୁହାଯାଇପାରିବ । ଏବଂ, ଭଗବାନ୍‍ଙ୍କୁ ଲୋଡ଼ିବାର, ସ୍ପର୍ଶ କରିବାର ପ୍ରେରଣାଟି ଭିତରେ ନପଶି ଯେଉଁମାନେ ମୁଖାଟାରୁହିଁ ମୁହଁର ଆନନ୍ଦ ଲାଭ କରିବାପାଇଁ ସତେଅବା ଜିଦ୍ ଧରି ରହିଥାନ୍ତି, ସମ୍ଭବତଃ ସେହି ମଣିଷମାନେ ଧର୍ମକୁ ନେଇ ସଚରାଚର ଯାବତୀୟ ଢମ କରିଛନ୍ତି, ଧର୍ମର ବକଳଗୁଡ଼ାକୁ ଦେହରେ ପିନ୍ଧି ବଶ ହୋଇ ରହିଛନ୍ତି, ଅବଶ ହୋଇ ରହିଛନ୍ତି ।

 

ଜଣେ ମଣିଷ ଆଉଜଣେ ମଣିଷକୁ କିଭଳି ଚେତନାରେ ଦେଖୁଛି, ତାକୁ ଅସଲ ସ୍ଵୀକୃତି ଜଣାଇବାକୁ ସିଏ କେତେଦୂର ରାଜି ବା ଅରାଜି ହେଉଛି, ଆମେ ସେଇଥିରୁ ତା’ର ଭଗବତ୍ ଅନୁଭୂତି ବିଷୟରେ ଅବଶ୍ୟ ଏକ କଳନା କରିପାରିବା । ଭଗବାନ୍ କାଠ, ପଥର ସବୁଟି ଭିତରେ ରହିଛନ୍ତି ବୋଲି ଶାସ୍ତ୍ରରେ ଚୟନ କରି ଯିଏ ସମାଜରେ ମଣିଷକୁ ନଦେଖି ତା’ର ଜାତି, ବଂଶ ଏବଂ ଭେକକୁ ଦେଖେ ଏବଂ ଭାଗ୍ୟବାଦ ନାମକ ଏକ ଅପଦର୍ଶନକୁ ଆଦରି ନେଇଥାଏ, ସିଏ ସତକୁସତ ନିଜ ହୃଦୟରେ ଭଗବାନ୍‍ଙ୍କୁ ନେଇ ବସାଇଛି ବୋଲି କାହିଁକି କୁହାଯିବ ? ମୁଖାମାନଙ୍କୁ ପୂଜା କରୁଥିବା ଏବଂ ଅସଲ ମୁହଁଟି ବିଷୟରେ ବିସ୍ମୃତ ହୋଇ ରହିଥିବା ମଣିଷମାନେ ସମ୍ଭବତଃ ସର୍ବାଧିକ ସଂଖ୍ୟାରେ ଏହି ସଂସାରରେ ସର୍ବଦା ରହି ଆସିଛନ୍ତି । ପିଲାଟି ଦିନରୁ ସେହି ମୁଖାଟିକୁ ନେଇ ସନ୍ତୁଷ୍ଟ ହୋଇ ରହିବାର ଅପସଂସ୍କାର ଭିତରେ ସେମାନଙ୍କୁ ମଣ କରି ରଖାଯାଇଛି । କ୍ଵଚିତ୍ ଏପରି କେତେକ ମଣିଷ ବାହାରିଛନ୍ତି, ଯେଉଁମାନେ ମୁଖାମାନଙ୍କୁ ଉପବୀତ କରି ପିନ୍ଧିବାଲାଗି ଆଦୌ ସମ୍ମତ ହୋଇ ନାହାନ୍ତି । ସେମାନେ ନିଜ ଭିତରକୁ ପ୍ରବେଶ କରିଛନ୍ତି, ଏକ ଅନ୍ୟ ପାରସ୍ପରିକତାର ସ୍ପର୍ଶ ପାଇଛନ୍ତି । ଏକ ଅନ୍ୟ ଜୀବନ ବଞ୍ଚିବାଲାଗି ଆଗ୍ରହୀ ହୋଇଛନ୍ତି ।

 

୧୬ । ୧୦ । ୯୨

 

ଏ ପୃଥିବୀ ଯାଉଛି ଯିବ; କିନ୍ତୁ ବିହନ ତଥାପି ରହିବ । ଠାକୁର ଜଗନ୍ନାଥଙ୍କର ମନ୍ଦିରରୁ ପଥର ପରେ ପଥର ଖସିବ, ତଥାପି ଠାକୁର ରହିବେ, ଜଗନ୍ନାଥ ଅବଶ୍ୟ ରହିବେ । ପଥରଦ୍ଵାରା ଜଗନ୍ନାଥଙ୍କର ଘରକୁ କାନ୍ଥ ଦେଇ ବାଡ଼ ଦେଇ ନିର୍ଦ୍ଦିଷ୍ଟ କରି ରଖିବାଲାଗି ମୋହାତୁର ମଣିଷର ସକଳ ବୁଦ୍ଧି ପରାହତ ହେବ । ଯାହା ଯିବାର କଥା, ତାହା ଅବଶ୍ୟ ଯିବ । ଏବଂ; ଯାହା ରହିବାର କଥା, ତାହା ଅବଶ୍ୟ ରହିବ । ଜଗତ୍‍ବାସୀଙ୍କ ପାଇଁ ଏକ challenge ହୋଇ ରହିଥିବ, ମନୁଷ୍ୟଆତ୍ମାକୁ ଖାଦ୍ୟ ଯୋଗାଉଥିବ ।

 

ବିଚରା ଯେଉଁମାନେ ଚାଲିଯାଉଥିବା ବସ୍ତୁଗୁଡ଼ିକୁ ସତେଅବା ଚିରଦିନ ନିମନ୍ତେ ସ୍ଥାୟୀ କରି ରଖିବେ ବୋଲି ନାନାଭାବେ ଲଣ୍ଡଭଣ୍ଡ ହେଉଛନ୍ତି, ସେମାନେ କେଡ଼େ ଅଳପ ଦିଶୁଛନ୍ତି, କେଡ଼େ ଦରିଦ୍ର ଦେଖା ଯାଉଛନ୍ତି । ସେମାନଙ୍କ ପାଇଁ ଏକ ଅନ୍ୟ ପୃଥିବୀ ଅପେକ୍ଷା କରି ରହିଛି, ଅଥଚ ସେମାନେ ସେଇ ପୁରୁଣା ପୃଥିବୀଟାକୁ କାମୁଡ଼ି ପଡ଼ି ରହିଛନ୍ତି । ଏକ ନୂତନ ସକାଳ ଆମ ସମସ୍ତଙ୍କ ଲାଗି ଅପେକ୍ଷା କରି ରହିଥିବାବେଳେ ସେମାନେ ବିଗତ ସକାଳଟିକୁ ଶଙ୍ଖମର୍ମର ମୂର୍ତ୍ତିଟିଏ କରି ଡାହାଣ ଓ ବାମ ନାନା ଆଚାରରେ ତାହାର ପୂଜା କରିବାରେ ଲାଗିଛନ୍ତି । ପୁରୁଣାକୁ କାମୁଡ଼ି ଧରିଥିବା ମଣିଷମାନଙ୍କ ହାତରେ କ୍ଷମତା ରହିଛି, ପୃଥିବୀଯାକର ଅସ୍ତ୍ରଶସ୍ତ୍ର ସେହିମାନଙ୍କ ହାତରେ ରହିଛି,–ରାବଣମାନଙ୍କ ହାତରେ ସ୍ଵର୍ଣ୍ଣଲଙ୍କାର ସବୁଯାକ ସ୍ଵର୍ଣ୍ଣ ରହିଛି । ମାତ୍ର, କାଳ ତଥାପି ଆଗକୁ ଗଡ଼ିଯିବ, ଆଗାମୀ କାଳ ବିହନ ହୋଇ–ଅପେକ୍ଷା କରୁଥିବା ମଣିଷମାନଙ୍କର ପେଟରୁ ସଂକଳ୍ପରୁ ଜନ୍ମଲାଭ କରିବ । ମୋହମାନେ କେତେ ଗର୍ଜନ କରିବେ, କେତେ ଦାନ୍ତ ରଗଡ଼ିବେ, ପ୍ରଲୋଭନ ଦେଖାଇ ମୁହଁ ବନ୍ଦ କରି ରଖିବାକୁ କେତେ ଅପଚେଷ୍ଟା କରିବେ,–ତଥାପି ଅଳପମାନେ ବିଦା ହୋଇ ଚାଲିଯିବେ । ଯାହା ଆସୁଛି, ତାହା ଅବଶ୍ୟ ଆସିବ । ଏବଂ, ଏହି ବିହନମାନେହିଁ ତାହାକୁ ସବାଆଗ ଚିହ୍ନିବେ, ଏବଂ ସବାଆଗ ନିମିତ୍ତ ହୋଇ ବାହାରିବେ । ଆପେ ଯଥାର୍ଥରେ ଗୋଟିଏ ବିହନ ହୋଇ ରହିବା, ତାହାହିଁ ଯଥାର୍ଥ ବାସନା, ତାହାହିଁ ଯଥାର୍ଥ ସଂସ୍କୃତି । ଆପେ ଆପଣାର ଜନନୀ ହୋଇ ଆପଣାର ନୂତନ ସମ୍ଭାବ୍ୟଟିକୁ ଜନ୍ମ ଦେବା, ତାହାହିଁ ଯଥାର୍ଥ ଧର୍ମ, ଯଥାର୍ଥ ଗତି ।

 

୧୭ । ୧୦ । ୯୨

 

ଓଡ଼ିଶାରେ critical thinking ପାଇଁ ଏବେ ମଧ୍ୟ ଏକ ସର୍ବନିମ୍ନ consensus ତିଆରି ହୋଇ ପାରିଲାନାହିଁ । ଯାବତୀୟ ଭାବପ୍ରବଣତା ପଛରେ ଯେଉଁ ସ୍ଵାର୍ଥକାମିତା ପରୋକ୍ଷରେ ବା ପ୍ରତ୍ୟକ୍ଷରେ ସଚରାଚର ରହିଥାଏ, ସମ୍ଭବତଃ ତାହାକୁହିଁ ଉକ୍ତ consensus ସୃଷ୍ଟି ହୋଇ ନପାରିବାର କାରଣ ବୋଲି କୁହାଯାଇପାରିବ ।

 

ପ୍ରତ୍ୟେକ ବ୍ୟକ୍ତିର ଏକ ଜନ୍ମଦିନ ରହିଛି । ସେହି ରାତିରେ ଯେକୌଣସି ଲେଖକ ବା ସାହିତ୍ୟିକର ମଧ୍ୟ ଏକ ଜନ୍ମଦିନ ରହିଛି । ତାହାକୁ ଅବଶ୍ୟ ପାଳନ କରାଯାଇପାରିବ । କେତେଜଣ ଲେଖକ ଏକ ଅବସର ବା ଆନୁଷ୍ଠାନିକତାର ସୃଷ୍ଟି କରି ତାହା କରୁଛନ୍ତି । ତାହା ଆହୁରି ଉତ୍ସାହରେ ହେଉ । ମାତ୍ର, କେବଳ ଜନ୍ମଦିନର ଶୁଭ ମନାସିବା ଏବଂ, ତା’ପରେ ପାନସୁପାରି ଖାଇ ଘରକୁ ଯିବାରେ ଏହି ଅବସରଟିକୁ ସମାପ୍ତ କରି ଦିଆନଯାଉ । ଯେଉଁମାନେ ସମ୍ପୃକ୍ତ କୌଣସି ଲେଖକଙ୍କର ଲେଖା ପ୍ରତି ପ୍ରକୃତରେ ଅନୁରାଗୀ, ସେମାନେ ତାଙ୍କ ଜନ୍ମଦିନରୁ ତାଙ୍କର କୃତିଗୁଡ଼ିକ ବିଷୟରେ ସମୀକ୍ଷାତ୍ମକ ଆଲୋଚନାର ଏକ ଅବସରରୂପେ ମଧ୍ୟ ବ୍ୟବହାର କରନ୍ତୁ । ଏବଂ, ଯଦି ସମ୍ଭବ ହୁଏ, ତେବେ ଲେଖକଙ୍କର ଲେଖାଗୁଡ଼ିକୁ ଭୂମି କରି ସାଧାରଣ ଭାବରେ ଓଡ଼ିଆ ସାହିତ୍ୟର ଏବଂ ଏପରିକି ସମଗ୍ରତଃ ସାହିତ୍ୟ ବିଷୟରେ ମଧ୍ୟ ଆଲୋଚନା ହେଉ । ଅନ୍ତଃଦର୍ଶନ ହେଉ, ଦୃଷ୍ଟିର ଆଦାନପ୍ରଦାନ ହେଉ । ଏଥିପାଇଁ କୌଣସି ସଭା ଡାକିବା ଓ କୌଣସି ପ୍ରଗଳ୍‌ଭ ମନ୍ତ୍ରୀବରଙ୍କୁ ଚଉକିରେ ବସାଇ ଖବରକାଗଜ ବାହାରିବା ଭଳି ଔପଚାରିକ ଗାମ୍ଭୀର୍ଯ୍ୟ ସୃଷ୍ଟି କରିବାର ଆଦୌ କୌଣସି ପ୍ରୟୋଜନ ନାହିଁ । ଏହି ଆଲୋଚନା ଅତ୍ୟନ୍ତ ଘରୋଇ ଭାବରେ, ଅତ୍ୟନ୍ତ କୋଳାହଳ ଶୂନ୍ୟ ଭାବରେ ହେଉ । ମାତ୍ର, ପୂର୍ଣ୍ଣ ଅନୁରାଗ ଏବଂ ପୂର୍ଣ୍ଣ ପାରସ୍ପରିକତା ସହିତ ହେଉ । କୌଣସି ପ୍ରକାର କୃତ୍ରିମତା ବା ହାସ୍ୟାସ୍ପଦତା ଅବସରର ଅସଲ ପରିମଳଟିକୁ ନଷ୍ଟ କରି ନଦେଉ । ଆଲୋଚନା ଶ୍ରଦ୍ଧାହିଁ ଅଧିଷ୍ଠିତ ହୋଇ ରହୁ । ଚାଟୁବାକ୍ୟ ବାସନ୍ଦ ହୋଇ ରହୁ । ତଦ୍ଦ୍ଵାରା ସାହିତ୍ୟିକମାନେ ପରସ୍ପରର ପ୍ରକୃତ ବନ୍ଧୁ ହୋଇ ରହିବେ । ପ୍ରଶଂସା ପାଇବାର ବଜାରରେ ପରସ୍ପର ସହିତ ପ୍ରତିଯୋଗିତା କରିବା ନିମସ୍ତେ ଆଉ ମୋଟ ଛଟପଟ ହେବାକୁ ମନ କରିବେନାହିଁ ।

 

୧୮ । ୧୦ । ୯୨

 

ଯେଉଁମାନେ ଯୁଗେ ଯୁଗେ ଭଗବାନ୍‍ଙ୍କୁ ନିଜର କାମରେ ଲଗାଇ ଆସିଲେ, ସେମାନେ ଭଗବାନ୍‍ଙ୍କର କାମରେ ଆଉ କାହିଁକି ଓ କିପରି ଲାଗି ପାରିବେ ? ସେମାନଙ୍କ ଲାଗି ଭଗବାନ୍‍ଙ୍କର ପ୍ରୟୋଜନ ରହିଛି ବୋଲି ସେମାନେ ନିଜ ବିବେକର ଖଡ଼ିଛୁଆଁ ହେବା ପୂର୍ବରୁହିଁ ଘୋଷି ଘୋଷି ଆସିଲେ । ଏବଂ, ଭଗବାନ୍‍ଙ୍କ ଲାଗି ମଧ୍ୟ ସେମାନଙ୍କର ପ୍ରୟୋଜନ ରହିଛି ବୋଲି ସେମାନେ ଆଉ କେତେବେଳେ ଶିଖିଥାନ୍ତେ ? ଏବଂ, ମୋ’ଠାରେ ଭଗବାନ୍‍ଙ୍କର ପ୍ରୟୋଜନ ରହିଛି ବୋଲି ମୁଁ ଯେଉଁଦିନ ସତକୁସତ ଅତ୍ୟନ୍ତ ସ୍ଵତଃସ୍ଫୂର୍ତ୍ତ ଭାବରେ ଅନୁଭବ କରିବାକୁ ଆରମ୍ଭ କରିବି, ବସ୍ତୁତଃ ସେହିଦିନହିଁ ତାଙ୍କର ଯନ୍ତ୍ର ହୋଇ ପାରିବି । ଭଗବାନ୍‍ଙ୍କୁ ଯତ୍ନପରି ବ୍ୟବହାର କରୁଥିବା ମଣିଷମାନେ ମନ୍ଦିର ଓ ମହୋତ୍ସବର ତାମସା ବସାଇ ସଂସାରରେ ବେଉସା କରି ବାହାରିବାକୁହିଁ ଧର୍ମ ବୋଲି କହୁଥିବା ପର୍ଯ୍ୟନ୍ତ ସେମାନେ ନିଜର ସେହି ଅସଲ ପରିଚୟଟିକୁ କିପରି ଆବିଷ୍କାର କରିପାରିବେ ? ପୃଥିବୀର ପ୍ରାୟ ପ୍ରତ୍ୟେକ ତଥାକଥିତ ଧର୍ମରେ ସର୍ବଦା ଭଗବାନ୍‍ଙ୍କୁ କାମରେ ଲଗାଯାଉଛି । ମଣିଷ ଭଗବାନ୍‍ଙ୍କର କାମରେ ଲାଗିବାପାଇଁ ସମ୍ମତ ଏବଂ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ପୃଥିବୀ ଯେ କଦାପି ଉଶ୍ଵାସ ହୋଇ ପାରିବନାହିଁ, ସେହି ଆତ୍ମକାମୀମାନଙ୍କୁ ଏହି ବିଷୟରେ ଆଉ କିଏ ଆସି ହୃଦ୍‌ବୋଧ କରାଇପାରିବ ?

 

ଭଗବାନ୍‍ଙ୍କର ଯନ୍ତ୍ର ହୋଇ ବାହାରି ପାରିଲେ ଏହି ମନ୍ଦିର, ମସ୍‌ଜିଦ ଓ ସେହିଭଳି ଅନ୍ୟାନ୍ୟ ଯାବତୀୟ ଗାରଗୁଡ଼ାକୁ କେଡ଼େ ସହଜରେ ପାରି ହୋଇଯିବା ସମ୍ଭବ ହୋଇଥାଏ । ଗାରଗୁଡ଼ାକ ଭିତରେ ଆବଦ୍ଧ ହୋଇ ରହିବା ଯେ ମଣିଷର ଅସଲ କାମ୍ୟ ଆଦୌ ନୁହେଁ ଏବଂ ଗାରଗୁଡ଼ିକୁ ଡେଇଁଯିବା ପାଇଁ ଯେ ଗାରଗୁଡ଼ିକର ସୃଷ୍ଟି ହୋଇଛି ବୋଲି ଯେତେବେଳେ ବୁଦ୍ଧି ମିଳିଯିବ, ସେତିକିବେଳେ ଯାଇ ସହଜରେ ମଣିଷ ବାଟକୁ ଆସିଯିବ । ଏବଂ, ବର୍ତ୍ତମାନ ଗାରଗୁଡ଼ାକୁ ନେଇ ଝଗଡ଼ା କରୁଥିବା ଜିଦ୍‌ଖୋର୍‍ମାନଙ୍କୁ କିଏ ସେ କଥା ବୁଝାଇ କହିପାରିବ ? ସେମାନେ ତ ନିଜପାଇଁ ସବୁଯାକ ଗଡ଼ ଜିତିବା ସକାଶେ ଭଗବାନ୍‍ଙ୍କୁ ବାନର କରି ନଚାଇବେ ବୋଲି ବଦ୍ଧପରିକର ହୋଇ ବାହାରିଛନ୍ତି !

 

୧୯ । ୧୦ । ୯୨

 

ଆପଣାକୁ ବ୍ୟକ୍ତ କରିବାର ସର୍ବଶ୍ରେଷ୍ଠ ଶବ୍ଦ ହେଉଛି କୃତଜ୍ଞତା । ଯାହାର ଜୀବନରେ ଏଇଟି ସର୍ବପ୍ରଥମ ଶବ୍ଦରେ ପରିଣତ ହୋଇ ପାରିଛି, ତାକୁ ପ୍ରକୃତରେ ଧନୀ ବୋଲି କୁହାଯିବ ।

 

ଅସଲ ପ୍ରାର୍ଥନା ସମ୍ଭବତଃ ଆଦୌ କିଛିହେଲେ ମାଗେନାହିଁ । ଅସଲ ପ୍ରାର୍ଥନା କୃତଜ୍ଞତାହିଁ ପ୍ରକାଶ କରେ । ଭଗବାନ୍‍ଙ୍କଠାରେ ନିଜର କୃତଜ୍ଞତା ପ୍ରକାଶ କରୁ କରୁ ସିଏ ଭଗବାନ୍‍ଙ୍କର ସଂସାର ସହିତ ଏକ ଅଭିନବ ଏବଂ ଅପରୂପ ଆତ୍ମୀୟତାରେ ବାନ୍ଧି ହୋଇଯାଏ ଏବଂ ଆପଣାକୁ ଏହି ସଂସାର ଲାଗି ଅଧିକରୁ ଅଧିକ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରି ରଖି ପାରିବାପାଇଁ ବଳ ପାଏ । ବାହାରେ ସିଏ ଯାହା ପାଖରେ ଆପଣାର କୃତଜ୍ଞତା ବ୍ୟକ୍ତ କରୁଥାଏ, ନିଜ ଭିତରୁ ସିଏ ସତେଅବା ତାଙ୍କରି ପାଖରୁ ବଳ ପାଏ । ଭିତର ଏବଂ ବାହାର ମଧ୍ୟରେ ଏହିପରି ଭାବରେ ଯେଉଁ ବ୍ୟକ୍ତି ଏକ ସେତୁ ପରି ହୋଇ ସଂସାରରେ ବଞ୍ଚିପାରୁଛି, ପ୍ରକୃତରେ ସେଇ ମହାଜୀବନର ସକଳ ମହିମାକୁ ନିଜର ଯାବତୀୟ ଆକାଂକ୍ଷାରେ ଧାରଣ କରିପାରିଛି । ପ୍ରାର୍ଥନାର ମାଧ୍ୟମରେ ମାଗୁଥିବା ମଣିଷ ସଂସାରରେ ହୁଏତ କେତେ କ’ଣ ହୋଇପାରେ ସତ, ମାତ୍ର ସେତୁଟିଏ ହୋଇ ପାରେନାହିଁ । ଆତୁର ମଣିଷ କଦାପି ସେତୁଟିଏ ହୋଇ ପାରେନାହିଁ । ଜଣେ କାମାତୁର ମଣିଷ ପରି ଜଣେ ଭୟାତୁର ମଣିଷ ମଧ୍ୟ ପ୍ରଧାନତଃ ଆତ୍ମକାମୀ ଏବଂ ଭୋଗବାଦୀ ମଣିଷ ହୋଇ ରହିଥାଏ । ମନୁଷ୍ୟ ନିଜେ ଇଚ୍ଛା କଲେ ଯାଇ ନିଜ ଭିତରର ଏହି ଅଗଳିଟିକୁ ଭାଙ୍ଗି ଦେଇ ବାହାରକୁ ବାହାରି ଆସି ପାରିବ ଏବଂ ଯଥାର୍ଥ ଖିଅଟିଏ ଲଗାଇ ଜୀବନକୁ ବଞ୍ଚି ପାରିବ । ଏକ ଆର୍ତ୍ତ ଜୀବନର ସକଳ କଷଣଭୋଗକୁ ସିଏ ପାରି ହୋଇଯିବ । ନିଜ ଅଙ୍ଗେ ନିଭା ଜୀବନରୁ ମୁଁ ଜାଣିଛି, କୃତଜ୍ଞତାର ଏକ ମୂଳଭୂତ ଜୀବନଦୃଷ୍ଟି ମଣିଷକୁ ଅନେକାନେକ ରୋଗରୁ ଏବଂ ଅଳ୍ପତାଜନିତ ଅନେକ କ୍ଳେଶରୁ ଅତ୍ୟନ୍ତ ସହଜ ରାତିରେ ମୁକ୍ତ କରି ରଖିଥାଏ । ଆର୍ତ୍ତ ମଣିଷକୁହିଁ ଯାବତୀୟ କ୍ଳେଶ ଓ ବ୍ୟାଧିର ଜୀବାଣୁମାନେ ଭାରି ସହଜରେ ଆକ୍ରମଣ କରନ୍ତି । କେଡ଼େ ଭାଗ୍ୟବାନ୍ ମୁଁ ସେହି ଆର୍ତ୍ତତାର ଗାରଗୁଡ଼ିକୁ ମୁଁ ପାରି ହୋଇ ଆସିଛି । ଏହି ପାରି ହୋଇ ଆସିଥିବା ସକାଶେ ମଧ୍ୟ ମୁଁ ତାଙ୍କ ପାଖରେ ସର୍ବଦା କୃତଜ୍ଞ ହୋଇ ରହିଛି ।

 

୨୦ । ୧୦ । ୯୨

 

ଭଗବାନ୍ ମଣିଷକୁ ସନ୍ତାନ ଦେଲେ ସେହି ସୌଭାଗ୍ୟର ମାଧ୍ୟମରେ ପୃଥିବୀଯାକର ସବୁ ଶିଶୁ ଓ ସନ୍ତାନମାନଙ୍କୁ ସେ ସ୍ନେହଦୃଷ୍ଟିରେ ଦେଖି ପାରିବ ବୋଲି । ଭଗବାନ୍ ମଣିଷକୁ ଧର୍ମ ଓ ସଂସ୍କୃତିନାମକ ଗୋଟିଏ ଗୋଟିଏ ଗବାକ୍ଷ ଆଣି ଯୋଗାଇଦେଲେ ସେହି ବାଟେ ପୃଥିବୀଯାକର ସବୁ ସଂସ୍କୃତି ଓ ସବୁ ଧର୍ମ ସହିତ ଡୋର ଲଗାଇ ପାରିବାକୁ ଏବଂ ତାହାରି ମାଧ୍ୟମରେ ନିଜର ଧର୍ମ ତଥା ସଂସ୍କୃତିକୁ ଅଧିକ ବଳିଷ୍ଠ ଓ ଅଧିକ ଦୃଷ୍ଟିସମ୍ପନ୍ନ କରି ପାରିବାକୁ । ଭଗବାନ୍ ମଣିଷକୁ ଦେଶଟିଏ ଦେଲେ, ଯେପରିକି ସିଏ ନିଜ ଦେଶକୁ ଭଲ ପାଇ ଓ ନିଜ ଦେଶଟିପାଇଁ ଅଧିକରୁ ଅଧିକ ସମର୍ପିତ ଭାବରେ ବଞ୍ଚି ପୃଥିବୀଯାକର ସବୁ ଦେଶକୁ ମଧ୍ୟ ଅଧିକ ଅନୁରାଗର ସହିତ ବୁଝି ପାରିବ ଏବଂ ଅଧିକ ଅନୁରାଗର ସହିତ ସ୍ଵୀକାର କରିନେଇ ପାରିବ ।

 

ମାତ୍ର, ମଣିଷ ଆପଣା ଭିତରେ ରହିଥିବା କେଉଁ ଦୁଷ୍ଟ ପୋକର କବଳରେ ପଡ଼ିବାକୁ କାହିଁକି ମନ କଲା କେଜାଣି, ସିଏ ଆପଣାର ଛୁଆଟିକୁ ନିଜର ବୋଲି ଅନୁଭବ କରି ପାରିବାଲାଗି ଆହୁରି ଅନେକ ଛୁଆଙ୍କୁ ଏକାନ୍ତ ପର ବୋଲି ଦେଖିବାକୁ ଅତ୍ୟାବଶ୍ୟକ ମନେ କଲା । ନିଜର ଧର୍ମକୁ ବା ସଂସ୍କୃତିକୁ ନେଇ ଘର କରି ରହିବାର ପ୍ରୟାସରେ ଅନେକ ମଣିଷ ଅନ୍ୟ ଧର୍ମ ଓ ଅନ୍ୟ ସଂସ୍କୃତିଗୁଡ଼ିକୁ ଘୃଣା କରିବାପାଇଁ ଏକ ଆବଶ୍ୟକତା ଅନୁଭବ କଲେ ଏବଂ, ନିଜ ଦେଶକୁ ଏକାନ୍ତ ନିବିଡ଼ ଭାବରେ ନିଜର ବୋଲି କହିବାର ଆସକ୍ତିରେ ସେମାନେ ଅନ୍ୟ ଦେଶଗୁଡ଼ିକୁ ସତେଅବା ମ୍ଳେଚ୍ଛମାନଙ୍କର ବାସଭୂମି ବୋଲି ଭାବିବେ । ଆଧୁନିକ ପୃଥିବୀରେ ଏହି ଅଲକ୍ଷଣା କଥାଗୁଡ଼ାକ ଦେଖି ମୋ’ର ମନେ ହେଉଛି, ଏହି ମଣିଷମାନେ ଆପଣାର ସନ୍ତାନଟିକୁ, ଆପଣାର ଧର୍ମ ଓ ସଂସ୍କୃତିକୁ ତଥା ଆପଣାର ଦେଶକୁ ସତକୁସତ ଭଲ ପାଉଛନ୍ତି ତ ? ବା, ମୂଳତଃ ଏକ ଆତ୍ମକାମିତାର ଫାନ୍ଦ ଭିତରେ ପଡ଼ି ସେମାନେ ନିଜ ସନ୍ତାନ, ନିଜ ଧର୍ମ ଓ ସଂସ୍କୃତି ଏବଂ ନିଜର ଦେଶକୁ ମଧ୍ୟ ତୁଚ୍ଛା ନିଜର ସମ୍ପତ୍ତି ବୋଲି ଦେଖୁଛନ୍ତି ଓ ସେଗୁଡ଼ିକୁ ଆବୋରି ରହିଛନ୍ତି ? ତେଣୁ, ଅନିଷ୍ଟକାରୀ ଅସଲ ଜୀବାଣୁଟିକୁ ବାହାର କରିବାପାଇଁ ଏକ ଗମ୍ଭୀର ଆତ୍ମସମୀକ୍ଷା ହୋଇ ପାରିବା ଏକାନ୍ତ ଆବଶ୍ୟକ ।

 

୨୧ । ୧୦ । ୯୨

 

ଧରା ପଡ଼ି ଯାଉଥିବା ସାନ ଚୋରଟିର ଉଲୁଗୁଣା ଦେଇ ଧରା ପଡ଼ୁ ନଥିବା ବଡ଼ ଚୋରମାନେ ଖୁବ୍ ଉଲ୍ଲସିତ ଅନୁଭବ ଯେ କରନ୍ତି, ସେ କଥା ଅନେକ ସମୟରେ ପ୍ରାୟ ଏକ ହାସ୍ୟାସ୍ପଦ ସୀମାକୁ ମଧ୍ୟ ସ୍ପର୍ଶ କରିଥାଏ । ସମ୍ଭବତଃ ଆମ ସମାଜ ପ୍ରାଚୀନ କାଳରୁ ଏପରି ଏକ ଅଢ଼ଙ୍ଗରେ ତିଆରି ହୋଇଛି ଯେ, ଏଥିରେ ପିମ୍ପୁଡ଼ିମାନେ ଧରା ପଡ଼ି ଯାଉଥିବାବେଳେ ହାତୀମାନେ ଖସି ଚାଲିଯାଇ ପାରନ୍ତି ।

 

ଘରର ଚାକରଟାଏ ଘରର ଚାଉଳରୁ କେତେ ମୁଠା ତା’ ନିଜ ଅଣ୍ଟିରେ ଲୁଚାଇ ନେଇଗଲା କିମ୍ବା ଆଉ କ’ଣଟାଏ ନିଜ ଲୁଗାତଳେ ଘୋଡ଼ାଇ ତା’ ଘରକୁ ଚାଲି ଯାଉଥିବା ଧରା ପଡ଼ିଲା, ଏଥିପାଇଁ ଆମେ ବଡ଼ବଡ଼ ଘରର ବରିଷ୍ଠ ଏବଂ ବରିଷ୍ଠମାନେ ପ୍ରକୃତରେ କେତେ ସୋଚ୍ଚାର ହୋଇ ନଉଠୁ ! ସେମାନଙ୍କ ପରର ଚଉକିଟେବୁଲ ଠାରୁ ଆରମ୍ଭ କରି ଘରେ ଲାଗିଥିବା ଇଟା ଓ ସିମେଣ୍ଟ୍ ପର୍ଯ୍ୟନ୍ତ କୌଣସି ନା କୌଣସି ଛଟକରେ କେଉଁଠୁ ନା କେଉଁଠୁ ଚୋରି ହୋଇ ଆସିଥାଏ । ଏହିସବୁ ଦ୍ରବ୍ୟକୁ ନିଜ ଘରକୁ ଆଣି ଭୋଗ କରି ପାରୁଛନ୍ତି ବୋଲି ସେମାନେ ଅନେକ ସମୟରେ ଭଗବାନ୍ ଓ ନିଜ ଭାଗ୍ୟକୁ କେତେ କୃତଜ୍ଞ ଜଣାଇଥାନ୍ତି । ନିଜ ସମର୍ଥତାଗୁଡ଼ାକ ପାଖରେ ସେମାନେ କେତେ କୃତଜ୍ଞତା ହୋଇ ରହିଥାନ୍ତି । ସେମାନଙ୍କର ନିଜ ପେଟ ପୂରି ଆହୁରି ଚାରିଟା ଛଅଟା ପେଟ ପୂରିଲା ଭଳି ଦ୍ରବ୍ୟ ସେମାନଙ୍କର ଗାତଭିତରେ ସାଇତା ହୋଇ ରହିଥାଏ । ଆଉଜଣେ, ସେମାନଙ୍କ ଠାରୁ ଅନେକ କମ୍ ପାରିବାବାଲା ଆଉଜଣେ ମଣିଷ ସେହିଭଳି କୌଣସି ବୁଦ୍ଧି ବା ଦୁର୍ବୁଦ୍ଧି ପ୍ରୟୋଗ କରି ବିଚରା କ’ଣଟିଏ କରୁ କରୁ ଯେ ଧରା ପଡ଼ିଗଲା, ସେଥିରେ ତ ସେମାନେ ସହାନୁଭୂତି ପ୍ରକାଶ କରୁଥାନ୍ତେ, ଆପଣାର ଦର୍ପଣ ଉପରେ ସେହି ଅନ୍ୟ ଅଧିକ ବଞ୍ଚିତ ମଣିଷଟିକୁ ଦେଖି ତା’ର ଦଶା ବା ଦୁର୍ଦ୍ଦଶାଟିକୁ ବୁଝି ମଧ୍ୟ ପାରୁଥାନ୍ତେ । ପୃଥିବୀରେ ଯେତେ ମଣିଷ ଚୋରମାନଙ୍କୁ ଧରାଇଦେବେ ବୋଲି ପୁଲିସ ହେବାକୁ ଖୁସି ପାଆନ୍ତି, ଆପଣାର ଅସଲ ଧାତୁଗୁଡ଼ାକର ଭୂମିରେ ସେମାନେ କ’ଣ ସତରେ ଗୋଟାଏ ଗୋଟାଏ ଚୋର ହୋଇ ରହିଥାନ୍ତି ?

 

୨୨ । ୧୦ । ୯୨

 

କାଲି ରାତିରେ ଭାଇ ଚାଲିଗଲେ । ସଂସାରର ସାମାଜିକ ବୋଲି ଅନୁସାରେ ବର୍ତ୍ତମାନ କେତେଦିନ ଅଶୁଦ୍ଧ ସମୟ ବୋଲି ଏକ ସମୟ ପାଳନ କରାଯିବ । ଅଶୁଦ୍ଧିକୁ ପୁନର୍ଶୁଦ୍ଧିରେ ପରିଣତ କରିବାକୁ ବ୍ରାହ୍ମଣ ଆସିବେ ଓ ଆବଶ୍ୟକ ପ୍ରେତକୃତ୍ୟମ ନ କରିବେ, ପ୍ରେତକୁ ବୁଝାଇଶୁଝାଇ ଦୂରକୁ ନେଇଯିବେ, ଇତ୍ୟାଦି ଇତ୍ୟାଦି । ଏସବୁ ମୋତେ ଭଲ ଲାଗେନାହିଁ । ଯେଉଁ ଭାଇ ମୋ’ ଜୀବନରେ ସେଇ ସବାମୂଳ ପାହାଚ ଠାରୁ ଶେଷ ପର୍ଯ୍ୟନ୍ତ ମୋତେ ହୃଦୟର କ୍ଷେତ୍ରରେ କେଡ଼େ ଖୁସିରେ କୁଣ୍ଢାଇ ଧରିଥିଲେ, ମୁଁ ତାଙ୍କୁ କଦାପି ପ୍ରେତ ବୋଲି କହିବିନାହିଁ । ଦେହଟା ସିନା ସମୟ ଅନୁସାରେ ବିନାଶର ସମ୍ମୁଖୀନ ହୁଏ । ଏବଂ ତା’ପରେ ଯାହାକିଛି ବାକି ରହିଲା, ଆମ ଭାରତୀୟ ମୃତ୍ୟୁଶାସ୍ତ୍ରରେ ତାହାକୁ କାହିଁକି ପ୍ରେତ ବୋଲି କୁହାଯାଏ, ସେ କଥା ମୁଁ ଏବେ ମଧ୍ୟ ମୋଟେ ବୁଝି ପାରେନାହିଁ ।

 

ମଣିଷ ଭିତରେ ପ୍ରେତଟା କେଉଁଠି ଥାଏ ମୁଁ ଜାଣିନାହିଁ, ମାତ୍ର ମୁଁ ମଣିଷ ଭିତରେ ଦେବତାର ସନ୍ଧାନ ପାଇଛି । ମୋ’ ସକାଶେ ଭାଇ ସେଇ ପିଲାଦିନରୁ ଏକ ପରମ–ସ୍ନେହମୟ ଦେବତାଂଶ ହୋଇ ରହିଥିଲେ । ସିଏ ମଧ୍ୟ ତାଙ୍କ ଜୀବନରେ ସଂସାରର ବୋଲ ମାନି ବେଳେବେଳେ ପୂରା ସଂସାରୀ ପରି ଏଇଟା ବା ସେଇଟା କରିଥିଲେ ସତ, ମାତ୍ର ମୋତେ ଦେଖିଲେ ବା ମୋ’ ସହିତ ଯାବତୀୟ ସମ୍ବନ୍ଧରେ ଆସୁଥିବା ସମୟରେ ତାଙ୍କ ଭିତରେ ଭିତରେ ରହିଥିବା ଦେବତାହିଁ କେଡ଼େ ଖୁସି ହୋଇ ସବାଆଗକୁ ବାହାରି ଆସୁଥିଲା । ଭାଇ ବର୍ତ୍ତମାନ ମୃତ୍ୟୁନାମକ ଏକ ଘଟନାଦ୍ଵାରା ପ୍ରେତରେ ପରିଣତ ହୋଇଗଲେ ବୋଲି ମୁଁ କଦାପି କହିବିନାହିଁ । ମଣିଷର ମୃତ୍ୟୁପରେ ମଣିଷ ଭିତରର ଦେବତାଟିକୁ ଅଧିକ ସ୍ମରଣ କରାଯାଉଥାନ୍ତା, ଶାନ୍ତ ଓ ପ୍ରସନ୍ନ ଭାବରେ ତାହାକୁ ଆମର ଯାବତୀୟ ଶୋକପ୍ରକାଶ ତଥା ସ୍ମୃତିଚାରଣାର ଡୋରରେ ବାନ୍ଧି ରଖିବାର ପ୍ରୟାସ କରାଯାଉଥାନ୍ତା,–ସମାଜପାଇଁ ବିଧି ଗଢ଼ି ଦେଇଥିବା ମହାଜନମାନେ ଏହି ଦିଗରୁ କଥାଟିର ବିଚାର କଲେନାହିଁ କାହିଁକି କେଜାଣି ? ସେମାନେ ସମ୍ଭବତଃ ମାୟାବାଦୀ ଥିଲେ ବୋଲି ତାହା କରିବାକୁ ଅସମର୍ଥ ହେଲେ ।

 

୩୦ । ୧୦ । ୯୨

 

ଓଡ଼ିଶାରେ critical chinking ନାହିଁ, ତେଣୁ dialogue ମଧ୍ୟ ନାହିଁ । ସାଧାରଣ ଜୀବନର ସାମନ୍ତମାନେ ଯେତେବେଳେ କୌଣସି ଏକ dialogueର ଆୟୋଜନ କରି ବିଭିନ୍ନ ବ୍ୟକ୍ତିଙ୍କୁ ସଭାକୁ ଡାକନ୍ତି, ସେତେବେଳେ ସେହିସବୁ ଅବସର ଏପରି ହୋଇଯାଏ, ଯାହା କାଲି ହେଲା । ସମସ୍ତେ ନିଜ କଥାଟି କହିବାପାଇଁ ଖଣ୍ଡା ଧରି ଠିଆ ହେବାକୁ ଇଚ୍ଛା କରୁଥିଲେ ଓ କେହି କାହାର କଥା ଶୁଣୁ ନଥିଲେ । ଆମେ ସମସ୍ତେ ଆପଣାର ସତ୍ୟକୁ ନେଇ ଏପରି ଭାବରେ ଏକମୁହାଁ ଓ ଏକଆଖିଆ ହୋଇ ରହିଲୁଣି ଯେ, କୌଣସି ଏକ ସମସ୍ୟା ତଥା କୌଣସି ଏକ ସମାଧାନର ଏକାଧିକ ଆଖି ଓ ଏକାଧିକ ଦିଗ ରହିଥିବ ବୋଲି ଆମେ ସତେଅବା ପ୍ରୟୋଜନରେ ପଡ଼ି ମାନିବାର ଧାରାଟିକୁ ଛାଡ଼ିଦେଇ ସାରିଲୁଣି । ଆମ ତରୁଣମାନେ ମଧ୍ୟ ରାଜନୀତି ଭିତରକୁ ନିଜର ଉପନୟନ କରାଇବା ପୂର୍ବରୁ ରାଜନୀତିକ ଛୁରା ଓ ରାଜନୀତିକ ଭୁଜାଲି ଧରି କଥାରେ ଶତ୍ରୁମାନଙ୍କର ଡେଣା କାଟିଦେବା ପାଇଁ ରାବଣ ପରି ବାହାରି ପଡ଼ୁଛନ୍ତି ।

 

ଗତ ଚାଳିଶ ପଚାଶବର୍ଷ କାଳ ଯେଉଁମାନେ କ୍ଷମତାଭୋଗର ଥାନମାନଙ୍କରେ ରହି ରାଜନୀତିକ ଗୁରୁଜନଗିରି କରି ଆସିଲେ, ଏହି ଦୁର୍ଦ୍ଦଶାପାଇଁ ସେହିମାନଙ୍କୁ ପ୍ରକୃତରେ ସବୁଯାକ ଶ୍ରେୟଃ ଦେବାକୁ ପଡ଼ିବ । ସେମାନେବି ରାଜନୀତି ଓ ରାଜନୀତିକ ଭାବନାଠାରୁ କେଉଁକାଳୁ ବିଦାୟ ନେଇ ସାରିଲେଣି । ଖାଲି ଯେକୌଣସି ପ୍ରକାରେ କ୍ଷମତାରେ ଲୋଟି ରହିବାହିଁ ସେମାନଙ୍କ ଲାଗି ଏକମାତ୍ର ରାଜନୀତିର ପରିଣତ ହୋଇଛି । ଯେଉଁ ଆନ୍ତରିକତା ଓ ଅଙ୍ଗୀକାରବଦ୍ଧତାକୁ ରାଜନୀତିକ ଭୂମି କରି ଭାରତରେ ସ୍ଵାଧୀନତାପ୍ରାପ୍ତିର ସଂଗ୍ରାମ ଲଢ଼ା ହୋଇଥିଲା, ସେହି ଅଙ୍ଗୀକାରବଦ୍ଧତା ଏବେ ରାଜନୀତିକୁ ବହିଷ୍କୃତ ହୋଇ ରହିଛି । ବିଚାରର ସ୍ତରରେ ନିର୍ଧୂମ ଗୁଣ୍ଡା ପାଲଟି ଯାଇଥିବା ସ୍ଥୂଳ ଓ ପୃଥୁଳମାନେ ବର୍ତ୍ତମାନ ରାଜନୀତି ଉପରେ ମାଲିକ ହୋଇ ବସିଛନ୍ତି । Dialogue ସକାଶେ ଆଉ କାହାର ସମୟ ଅଛି ? ତେଣୁ, ଯିଏ କୌଣସି ଏକ ବିକଳ୍ପ ନିମନ୍ତେ ପ୍ରକୃତରେ ଚିନ୍ତା କରୁଛି, ସିଏ ଅଙ୍ଗୀକାରବଦ୍ଧ ହେଉ, ସିଏ ଏକ ଅନ୍ୟ ଧର୍ମର ପଥ ଧରୁ ।

 

୨୪ । ୧୦ । ୯୨

 

ସବୁ ଶୁଭ, ସବୁ ଶକ୍ତି ସବୁ ଆଶୀର୍ବାଦ । ଜୀବନଟାକୁ ଶୁଭ ବୋଲି ଦେଖିପାରିଲେ ସେଇଥିରୁହିଁ କେତେ କେତେ ଶକ୍ତିର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଆଉଜଣେ ମନୁଷ୍ୟ ଭିତରେ ଶୁଭହିଁ ଦେଖିପାରିଲେ ତାକୁ ସଖାରୂପେ ଗ୍ରହଣ କରିବାକୁ ଇଚ୍ଛା ହୁଏ, ଏବଂ ସିଏ ପ୍ରକୃତରେ ବିଶ୍ଵାସଯୋଗ୍ୟ କି ନୁହେଁ ସେହି ବିଷୟରେ ଆଗ ଅଙ୍କ କଷି ଆଦୌ ଉତ୍ତର ବାହାର କରିବାକୁ ପଡ଼େନାହିଁ । ନିଜକୁ ମୁଁ ସବୁଦିନେ ମିତ୍ର ବୋଲିହିଁ ଦେଖିଆସିଛି । ସେହି ମିତ୍ର ଜୀବନର ଯାତ୍ରାରେ ମୋତେ ସବୁଦିନେ ସାହାଯ୍ୟ କରି ଆସିଛି । ସିଏ ଯେପରି ମୋତେ ଆହୁରି ଅଧିକ ସମୂର୍ଣ୍ଣ ଭାବରେ ସାହାଯ୍ୟ କରିପାରିବ, ସେଥିଲାଗି ମୁଁ ମଧ୍ୟ ତା’ପାଖରେ କିଛିହେଲେ ଲୁଚାଇ ରଖିବାକୁ ମନ କରିନାହିଁ ।

 

ତେଣୁ, ଜନ୍ମଦିନ ହେଉଛି ଏହି ସଖ୍ୟ ସମ୍ବନ୍ଧଟିକୁ ବିଶେଷ ଭାବରେ ଅର୍ଥାତ୍ ନୂତନ କରି ସ୍ଵୀକାର କରିନେବାର ଦିନ । ନିଜ ଭିତରକୁ ଅନାଇ ମୁଁ ଆଦୌ କେଉଁଠି ହେଲେ ଅଜଣା ଓ ଅଚିହ୍ନା ବୋଲି ଦେଖି ପାରୁନାହିଁ । କୌଣସି କ୍ରୂର ଓ କଠୋର ଦଣ୍ଡଦାତାକୁ ମଧ୍ୟ ମୁଁ ଦେଖୁନାହିଁ, ଯିଏକି ହାତରେ ବେତ ଧରି ମୋତେ ଶାସନ କରିବ ବୋଲି ନାଲିଆଖି କରି ବସିଛି ଓ ଯାହାଠାରୁ ମୁଁ ଲୁଚି ରହିବା ଲାଗି କୌଣସି ଚେଷ୍ଟା କରୁଛି । ଜୀବନରେ ଜୁଗୁପ୍‌ସାର ସ୍ତରଟିକୁ ଯେ ମୁଁ କେଉଁଦିନୁ ଅତିକ୍ରମ କରି ଚାଲି ଆସିଲିଣି, ତାହାହିଁ ମୋ’ର ସବୁଠାରୁ ବଡ଼ ଅର୍ଜନ, ସବୁଠାରୁ ବଡ଼ ପୁଞ୍ଜି । ମୋ’ ଲାଗି ତାହାହିଁ ମୋ’ ଜୀବନବନ୍ଧୁର ସବୁଠାରୁ ବଡ଼ ଆଶୀର୍ବାଦ । ନିଜପ୍ରତି ଜୁଗୁପ‌୍‌ସା ନଥିଲେ ସଂସାରରେ ଅନ୍ୟ କାହାରି ପ୍ରତି ଜୁଗୁପ୍‌ସା ପୋଷଣ କରିବା ଯେ ଅନାବଶ୍ୟକ ହୋଇପଡ଼େ, ନିଜ ଜୀବନରେ ମୁଁ ସେହି କଥାଟିକୁ ଅଙ୍ଗେ ନିଭାଇଛି । ତଦ୍ଦ୍ଵାରା ମୁଁ ହାରିଛି ନା ଜିତିଛି । ଯଦି କେଉଁଠି କାହାପାଖରେ ହାରିବାର ନାହିଁ, ତେବେ ହାରିବା ବା ଜିତିବାର ମଧ୍ୟ ଆଉ କେଉଁ ପ୍ରଶ୍ନ କାହିଁକି ରହିବ ? ସଂସାର ବୈରାଗୀମାନେ କ’ଣ ଏହାକୁ ଏକ ଉଦାସୀନତା ବୋଲି କହିବାକୁ ମନ କରିବେ କି ? ଶ୍ରଦ୍ଧାରୁ, ଶ୍ରଦ୍ଧାଧର୍ମରୁ ସ୍ଵତଃ ଯେଉଁ ମୋହମୁକ୍ତତା ଜନ୍ମଲାଭ କରିଥାଏ, ସେହି ଅସଲ ଅର୍ଜନଟି ମୋତେ ଅନେକ ମରଣରୁ, ଅନେକ ବିନାଶରୁ ଓ ଅନେକାନେକ ଜୁଗୁପ୍‌ସାରୁ ବଞ୍ଚାଇ ରଖିଆସିଛି । ମୋତେ ଶକ୍ତିମାନ୍ କରିଛି ।

 

୨୫ । ୧୦ । ୯୨

 

ସାନ ବେଲଜିଅମ୍‌ର ରାଜଧାନୀ ବ୍ରସେଲ୍,–ମାତ୍ର, ୟୁରୋପୀୟ କାଉନ୍‍ସିଲର ସଦର ଦପ୍ତର ସେହିଠାରେ ରହିଛି । ଇଉରୋପ ମହାଦେଶରେ ବାରଟି ଦେଶର ପ୍ରାୟ ପଚିଶ ହଜାର ଲୋକ ସେହି ସହରରେ ବର୍ଣ୍ଣବାଦ, ବେକାରିଦଶା ଏବଂ ଦାରିଦ୍ର୍ୟ ବିରୁଦ୍ଧରେ କାଲି ଏକ ଶୋଭାଯାତ୍ରା କରିଛନ୍ତି ବୋଲି ବର୍ତ୍ତମାନ ରେଡ଼ିଓରୁ ଶୁଣିବାକୁ ପାଇଲି ।

 

ସେହି ଶୋଭାଯାତ୍ରାରେ ଜର୍ମାନୀର ବିଭିନ୍ନ ସହରରୁ ମଧ୍ୟ କେତେ ହଜାର ଲୋକେ ଆସି ସାମିଲ ହୋଇଥିଲେ । ଏବେ ପ୍ରାୟ ସମୁଦାୟ ଉଇରୋପରେ ଯେଉଁ ନୂତନ ଏକଛତ୍ରବାଦୀ ଘୃଣା କ୍ରମେ ସଙ୍ଗଠିତ ହୋଇ ଏକ ଉତ୍ତେଜିତ ଆକାର ଧାରଣ କରି ବାହାରେ ପ୍ରକାଶ ପାଇବାକୁ ଆରମ୍ଭ କରୁଛି, ଏହି ଶୋଭାଯାତ୍ରା ତାହାରି ସମ୍ମୁଖରେ ଏକ ସର୍ବପ୍ରଥମ ସ୍ଵର–ଉତ୍ତୋଳନ ବୋଲି ରେଡ଼ିଓ ମନ୍ତବ୍ୟ ଦେଇଥିଲା । ପୃଥିବୀର ସବୁ ଦେଶରେ ଅଧିକରୁ ଅଧିକ ମଣିଷ ଏହି ଶୋଭାଯାତ୍ରାରେ ଆସି ସାମିଲ ହେବା ଦରକାର । ସମସ୍ତେ ଯେ ଇଉରୋପ ବେଲଜିୟମ୍ ଆସି ଶୋଭାଯାତ୍ରା ବାହାର କରିବେ, ସେ କଥାର କୌଣସି ପ୍ରଶ୍ନହିଁ ଉଠୁନାହିଁ । ମାତ୍ର, ଲୋକଶକ୍ତିର ଏହିଭଳି ପରିଚୟମାନ ପୃଥିବୀର ପ୍ରତ୍ୟେକ ଦେଶରେ ପ୍ରକଟ ହୋଇ ଆସିବା ଆବଶ୍ୟକ । ପ୍ରଧାନତଃ ବାମପନ୍ଥୀମାନେ ଏହି ଶୋଭାଯାତ୍ରାରେ ଆସି ସାମିଲ ହୋଇଥିଲେ ବୋଲି ରେଡ଼ିଓ କହିଲା । ତଥାକଥିତ ଦକ୍ଷିଣପନ୍ଥୀମାନେ ଏହି ପୃଥିବୀଯାକ ସବୁଠାରେ ଅଧିକ ଭୟର ଓ ତେଣୁ ଅଧିକ ଉଗ୍ରତାର ପରିଚୟ ଦେଇଛନ୍ତି । ତେଣୁ ଘୃଣାର ଆଶ୍ରୟ ଗ୍ରହଣ କରିଛନ୍ତି । ସେହି ଘୃଣା ମଣିଷ ଅପେକ୍ଷା ଅର୍ଥବଳ ଏବଂ ଅସ୍ତ୍ରବଳକୁ ଅଧିକ ମୂଲ୍ୟ ଦେଇଛି ଓ ତାହାରିଦ୍ୱାରା ପୃଥିବୀକୁ ନିଜ କବଳରେ ରଖିବାଲାଗି ଇଚ୍ଛା କରି ଆସିଛି । ସମାଜବାଦ ମଧ୍ୟ ଯେତେବେଳେ ଶ୍ରଦ୍ଧାର ପଥକୁ ଛାଡ଼ି କର୍ତ୍ତୃତ୍ଵଟାକୁ ବଡ଼ କରି ଦେଖିଛି, ସେତେବେଳେ ତାହା ପୃଥିବୀଲାଗି ପ୍ରମାଦର କାରଣ ହୋଇଛି ଓ ସମ୍ପୃକ୍ତ ଦେଶଗୁଡ଼ିକରେ ଲୋକମାନଙ୍କର ଆସ୍ଥା ହରାଇଛି । ତେଣୁ, ଘୃଣା ବିରୁଦ୍ଧରେ ପ୍ରତିବାଦକୁ ଆମେ ଅଧିକ ସମୀଚୀନ ଭାବରେ ସତ୍ୟାଗ୍ରହ ବୋଲି କହିପାରିବା । ଆମ ପୃଥିବୀରେ ସେହି ସତ୍ୟାଗ୍ରହ ଶକ୍ତିର ଅଭିବୃଦ୍ଧି ହେଉ । ସେଥିରେ ଭାରତବର୍ଷ ମଧ୍ୟ ସାମିଲ ହେଉ ।

 

୨୬ । ୧୦ । ୯୨

 

ଦେଶପାଇଁ ଗର୍ଜନ କରିବାପାଇଁ ପୃଥିବୀରେ କେତେ ନା କେତେ ମଣିଷ ରହିଛନ୍ତି । ଧର୍ମପାଇଁ, ରାଜନୀତି ପାଇଁ ଓ କ୍ଷମତାପାଇଁ ରାସ୍ତାରେ ବାହାରି ଗର୍ଜନ କରିବା ସକାଶେ ଓ ବନ୍ଧୁକ ଧରି ମଣିଷ ମାରିବା ସକାଶେ ମଧ୍ୟ ବହୁତ ଲୋକ ରହିଛନ୍ତି । ଏକେ ତ ସେମାନଙ୍କୁ ଅତ୍ୟନ୍ତ ସଙ୍ଗଠିତ ଭାବରେ ତାଲିମବି ଦିଆଯାଉଛି । ପୃଥ୍ଵୀଜୀବନର ପ୍ରାୟ ସବୁଯାକ ମୂଳ ଅତ୍ୟନ୍ତ ଦୟନୀୟ ଭାବରେ ଛିଣ୍ଡି ଯାଉଥିବାବେଳେ ଏମାନଙ୍କୁ କେତେ ଲୋକ ମୌଳବାଦୀ ବୋଲି କହିଲେଣି । ଆଦୌ କୌଣସି ମୂଳ ନଥିଲେ ଯେ ଏହି ମୌଳବାଦୀ ହେବା ସମ୍ଭବ ହୋଇଯାଏ, ଆଧୁନିକ ପୃଥିବୀରେ ସମ୍ଭବତଃ ତାହାକୁ ଏକ ବିଚିତ୍ର ଘଟନା ବୋଲି କୁହାଯାଇପାରିବ ।

 

ଆଗ ମଣିଷ, ମଣିଷ ସହିତ ମଣିଷର ଏକ ଯଥାର୍ଥ ସମ୍ବନ୍ଧ, ମଣିଷ ସହିତ ମଣିଷ ଏକାଠି ମିଶି ଏକ ଅନ୍ୟ ଭବିଷ୍ୟ ନିମନ୍ତେ କରାଯାଉଥିବା ନାନା ଯଥାର୍ଥ ଉଦ୍ୟମ । ସେଇଥିରୁ, ଧନ, ସେଇଥିରୁ ଜାତି ଓ ସେଇଥିରୁ ମଧ୍ୟ ରାଜନୀତି । ଏବେ ଧର୍ମପାଇଁ, ଜାତିପାଇଁ ରାଜନୀତି ପାଇଁ ଏତେଟିକିଏ ବାହାନା ଆସି ପହଞ୍ଚିବାମାତ୍ରକେ ମଣିଷକୁ ମାରି ଦିଆଯାଉଛି । ଏହି ଶତାବ୍ଦୀର ତୃତୀୟ ଓ ଚତୁର୍ଥ ଦଶକରେ ନାତ୍‌ସୀ ଜର୍ମାନୀକୁ ମଧ୍ୟମଣି କରି ଯାହା ଘଟନାସବୁ ଘଟିଗଲା, ତା’ପରେ ଏଣିକି ମଣିଷହିଁ ସବାମୂଳରେ ରହିବ ବୋଲି ସମଗ୍ର ପୃଥିବୀରେ ସଭ୍ୟତାକାମୀ ମନୁଷ୍ୟମାନେ କେତେ ଆଶା କରିଥିଲେ । ମାତ୍ର, ବର୍ବରତା ତଥାପି ମୁଣ୍ଡ ଟେକିବାଲାଗି ଏବେ ମଧ୍ୟ ଚେଷ୍ଟା କରୁଛି । ତେଣୁ, ବେଳଥାଉ ପୃଥିବୀର ମଣିଷମାନେ ଏକଜୁଟ ହେବା ଦରକାର, ପୃଥିବୀର ରାଜଧାନୀମାନଙ୍କରେ ସେମାନଙ୍କର ଶୋଭାଯାତ୍ରା ବାହାରିବା ଦରକାର । ଏହି ମଣିଷମାନେ ଯାବତୀୟ ଖଣ୍ଡଜାତିତ୍ଵର ଊର୍ଦ୍ଧ୍ଵରେ ରହିବେ, ଖଣ୍ଡଧର୍ମରେ ଊର୍ଦ୍ଧ୍ଵରେ ରହିବେ । ମଣିଷକୁ ପଛକୁ ଠେଲି ଦେଇ ଯେଉଁ କ୍ଷମତା ଅସ୍ତ୍ରଦ୍ଵାରା, ବାଦଦ୍ଵାରା ଅଥବା ଅର୍ଥବଳଦ୍ଵାରା ପୃଥିବୀଟାକୁ ମାଡ଼ି ବସିବ ବୋଲି ଫିକର କରୁଛି, ତାହାର ପ୍ରତିବାଦ କରି ପୃଥିବୀଯାକ ଶୋଭାଯାତ୍ରା ବାହାରିବା ଆବଶ୍ୟକତା । ତେଣୁ, ବ୍ରସେଲ୍ ସହରରେ ଯାହା ଘଟିଲା, ତାହାକୁ ବିଶ୍ଵର ଆୟତନ ଭୂମିରେ ଏକ ନୂତନ ଆରମ୍ଭ ବୋଲି କୁହାଯାଇପାରିବ କି ?

 

୨୭ । ୧୦ । ୯୨

 

ଯେଉଁସବୁ ଧର୍ମର ବିଶ୍ଵାସଖାତାରେ ଈଶ୍ଵରଙ୍କଠାରେ ପ୍ରତିଶୋଧପରାୟତାର ମଧ୍ୟ ଆରୋପ କରାଯାଇଛି, ସେଠାରେ ପ୍ରତିଶୋଧ ନେବାଟାକୁହିଁ ମଣିଷମାନେ ସମାଧାନ ଅର୍ଥାତ୍ ନ୍ୟାୟସଂସ୍ଥାପନର ସର୍ବଶ୍ରେଷ୍ଠ ଉପାୟ ବୋଲି ଗ୍ରହଣ କରିବେହିଁ କରିବେ । ମଧ୍ୟପ୍ରାଚ୍ୟର ଇସ୍ରାଏଲ୍ ପାଖରେ ସବୁଠାରୁ ଅଧିକ ଶକ୍ତିଶାଳୀ ଅସ୍ତ୍ରମାନ ରହିଛି, ଅସ୍ତ୍ରଜ୍ଞାନ ମଧ୍ୟ ପ୍ରଚଣ୍ଡ ରହିଛି । ତେବେ, ପ୍ରତିଶୋଧ ନେଇ ଅର୍ଥାତ୍ ପାଲଟା ମଣିଷ ମାରି କ’ଣ ଇସ୍ରାଏଲ୍ ସେହି ଭୂଖଣ୍ଡରେ ମଣିଷମାନେ ଶାନ୍ତିରେ ରହିପାରିବେ ବୋଲି ପ୍ରକୃତରେ ଚିନ୍ତା କରୁଛି ? ସେପାଖରେ ଇସ୍‌ଲାମ ଓ ଏପାଖରେ ଇହୁଦୀଧର୍ମ,–ଇତିହାସରେ ଦୁହେଁଯାକ ପ୍ରତିଶୋଧ ନେବା ଉପରେ ପକ୍କା ବିଶ୍ଵାସ ସ୍ଥାପନ କରି ଆସିଛନ୍ତି । ଶତ୍ରୁର ସମ୍ବଳ ନିପାତକୁହିଁ ଶାନ୍ତି ବୋଲି ବିଶ୍ଵାସ କରିବାକୁ ଧର୍ମର ଅବଧାନମାନେ ସେମାନଙ୍କୁ ପିଲାଦିନୁ ଶିଖାଇ ଆସିଛନ୍ତି ।

 

ଆରମ୍ଭରେ ଧର୍ମମାନେ ସ୍ଥାନୀୟ ହୋଇ ରହିଥିଲେ । ବିଜ୍ଞାନର ପ୍ରସାଦରୁ କ୍ରମେ ଧର୍ମମାନେ ପରସ୍ପରକୁ ଚିହ୍ନିଲେ । ତଥାପି ମଣିଷମାନେ, ଜାତିମାନେ ଓ ସଂସ୍କୃତିମାନେ କାହିଁକି ନିଜ ନିଜର ସ୍ଥାନୀୟତା ଭିତରେ କିଳିହୋଇ ରହିଛନ୍ତି, ପିଲାଦିରର ପୁରୁଣା ରୋଗଗୁଡ଼ାକୁ ସେମାନେ କାହିଁକି ଏବେ ମଧ୍ୟ ଭୋଗୁଛନ୍ତି ? ଧର୍ମ ଧର୍ମ ଭିତରେ ପାରମ୍ପରିକ ଭାବରେ ଏପରି ବାଡ଼ମାନ ବସାଇ ଦିଆଯାଇଛି ଯାହାକୁ କି ବିଜ୍ଞାନର ବିଶ୍ଵଦୃଷ୍ଟି ମଧ୍ୟ ପରାହତ କରି ପାରୁନାହିଁ । ବିଜ୍ଞାନକୁ ମଣିଷମାନେ ପ୍ରଧାନତଃ ଏକ କୌଶଳ ଶାସ୍ତ୍ର ବୋଲି ବୁଝନ୍ତି ଓ ସେଥିରୁ ଯଥେଚ୍ଛା ଲାଭବାନ୍ ହେଉଛନ୍ତି । ଅପରପକ୍ଷରେ, ବୈଜ୍ଞାନିକ ଦୃଷ୍ଟିକୋଣ, ବିଜ୍ଞାନର ଉଦାରତା ଓ ଗ୍ରହଣଶୀଳତା ତଥାପି ଧର୍ମପୁସ୍ତକଗୁଡ଼ାକ ଭିତରେ ପଶି ପାରୁନାହିଁ । ମଣିଷମାନେ ଏବେ ମଧ୍ୟ ନର୍କରେ ଯାଇ ପଡ଼ିବାର ଭୟଦ୍ୱାରା ସନ୍ତାପିତ ହୋଇ ରହିଛନ୍ତି କି କ’ଣ କେଜାଣି, ସେମାନେ ଧର୍ମଶାସ୍ତ୍ରମାନଙ୍କୁ ନୂତନ ଅର୍ଥ ଦେଇପାରୁନାହାନ୍ତି ଓ ସେଗୁଡ଼ିକର କବଳରୁ ମୁକୁଳି ଆସି ପାରୁନାହାନ୍ତି । ଅଧିକନ୍ତୁ, ଜାତୀୟତା ନାମକ ଏକ ଅପସଂସ୍କୃତି ମଧ୍ୟ ସେମାନଙ୍କୁ ଆହୁରି ଅଧିକ ପ୍ରତିଶୋଧପରାୟଣ ହୋଇ ରହିବାରେ ସାହାଯ୍ୟ କରୁଛି । ପୃଥିବୀର ବିବେକକୁ ଏବେ କେଉଁ ବିଷ ଘାରିଛି କେଜାଣି, ଅନ୍ୟଧର୍ମର ଅନୁଗାମୀମାନେବି ପ୍ରତିଶୋଧପରାୟଣତା ଶିକ୍ଷା କଲେଣି, ପୃଥିବୀରେ କେବଳ ସେହିମାନେ ରହିବେ ବୋଲି ମନ କଲେଣି ଓ ସେଥିଲାଗି ଯଥାସମ୍ଭବ ଅଧିକ ହିଂସ୍ର ହେବାଲାଗି ମଧ୍ୟ ଲୁବ୍‍ଧ ହୋଇ ପଡ଼ିଲେଣି ।

 

୨୮ । ୧୦ । ୯୨

 

ଆମର ଘୃଣା ଘୃଣା ନୁହେଁ ଅଥବା ଆମର ଭଲ ପାଇବା ଭଲ ପାଇବା ନୁହେଁ । ଏହା ହେଉଛି ଏକ ମଧ୍ୟବର୍ତ୍ତୀ ସ୍ଥିତି,–ଅର୍ଥାତ୍ ବେଳେବେଳେ ଭଲ ପାଇବା ଓ ବେଳେବେଳେ ଘୃଣା କରିବା । ଆମ ମନୋବିଜ୍ଞାନୀମାନେ ବ୍ୟାପାରଟିକୁ ପ୍ରାୟ ଏହିଠାରେ ଆଣି ଛାଡ଼ି ଦେଇଛନ୍ତି ।

 

ଏହି ambivalence ପଛରେ ଏକ କାରଣ ଅବଶ୍ୟ ରହିଛି । ଆଉଜଣେ ଯେତେବେଳେ ମୋତେ ଭଲ ଦିଶେ ମୁଁ ସେତିକିବେଳେ ତାକୁ ଭଲ ପାଏ । ସିଏ ମୋ’ କଥା ମାନେ ଅଥବା ମୋ’ର ମନୋମତ ହୋଇଥାଏ କିମ୍ବା ଆଚରଣ କରୁଥାଏ । ଅଥବା, ସିଏ ଯେଉଁଭଳି ହେଉ ବୋଲି ମୁଁ ଇଚ୍ଛା କରୁଥାଏ, ସିଏ ମୋତେ ସେହିଭଳି ହୋଇଥିବା ପରି ପ୍ରତୀତ ହେଉଥାଏ । ତେଣୁ ମୁଁ ତାକୁ ଭଲ ପାଏ ଓ ଭଲ ବୋଲି କହେ । ଅନ୍ୟଥା ହେଲେ ମୁଁ ତାକୁ ଘୃଣା କରେ । ଘୃଣା କରେ, ଅର୍ଥାତ୍ ସିଏ କାହିଁକି ମୋ’ର ମନୋଗତ ହେଉନାହିଁ ବୋଲି ମୋ’ର ବିରକ୍ତିକୁ ବ୍ୟକ୍ତ କରେ, ବିରକ୍ତିର ମାଧ୍ୟମରେ ତା’ ବିରୁଦ୍ଧରେ ବିଦ୍ରୋହ କରେ । ପୃଥିବୀରେ ଏହି ଖେଳ ନିରନ୍ତର ଚାଲିଛି । ଏହିପରି ଏକ ପ୍ରୟୋଜନବାଦୀ ଭଲ ପାଇବା ବା ପ୍ରୟୋଜନବାଦୀ ଘୃଣା କରିବା–ବିଜ୍ଞାନୀମାନେ ତାହାକୁ ambivalence ବୋଲି କହିଛନ୍ତି । ଜଣେ ବ୍ୟକ୍ତିକୁ ତା’ ବାଟରେ ଆଗକୁ ଯିବାକୁ ଅର୍ଥାତ୍ ଅଧିକ ଉନ୍ମୋଚିତ, ବିକଶିତ ହେବାକୁ ତଥା ତା’ ନିଜ ଭିତରେ ଅଧିକ ଗଭୀର ଯାଏଁ ସ୍ପର୍ଶ କରିବାକୁ ବାଟ ଛାଡ଼ିଦେବା ଅର୍ଥାତ୍ ତାକୁ ସେଥିପାଇଁ ଉତ୍ସାହ ଦେବା ଓ ସେଇଥିରେ ଆନନ୍ଦ ଅନୁଭବ କରିବା,–ତାହା ହେଉଛି ପ୍ରକୃତରେ ଭଲ ପାଇବା । ଭଗବାନ୍ ମଣିଷକୁ ଠିକ୍ ସେହିପରି ଭଲ ପାଉଥିବେ । ସିଏ ଆମ ଭିତରେ ଫୁଟିବାକୁ ଅପେକ୍ଷା କରି ରହିଥିବା କଢ଼ଟିକୁ ଭଲ ପାଉଥିବେ, ଆମର ଫୁଲଟିଏ ହୋଇ ଫୁଟି ଉଠିବାକୁ ଭଲ ପାଉଥିବେ । ଆମେ ପ୍ରକାଶିତ ହୋଇପାରିଲେ ସିଏ ସତେଅବା ଆପେ ପ୍ରକାଶିତ ହୋଇ ଉଠିବା ପରି ଅନୁଭବ କରୁଥିବେ । ଭଗବାନ୍ ରୀତି ବାରନ୍ତି ନାହିଁ । ଆମେ ରୀତି ବାରୁ । ହାତରେ ଜାବୁଡ଼ି ଧରିଥାଉ, ସମ୍ପତ୍ତି କରି ରଖିଥାଉ, ଗିଳି ପକାଇବାର ଦମ୍ଭରେ ଫୁଲିକରି ରହିଥାଉ । ନିଜର ଓ ଅନ୍ୟ ବ୍ୟକ୍ତିଟିର ଜୀବନରେ ଅନେକ ଅନର୍ଥ ପଟାଉ ।

 

୨୯ । ୨୦ । ୯୨

 

ମଣିଷପାଇଁ ମଣିଷ ଠାରୁ ବଳି ଆଉ କେଉଁ ମୂର୍ତ୍ତି ପ୍ରକୃତରେ ଅଧିକ ଜୀବନ୍ତ ଓ ଅଧିକ ପ୍ରତିସ୍ପନ୍ଦନମୟ ହୋଇ ପାରିଥାନ୍ତା ? ତଥାପି, ଭଗବାନ୍‍ଙ୍କର ପ୍ରତୀକଟିଏ ଥାପି ପୂଜିବାପାଇଁ ଅର୍ଥାତ୍ ସବୁଠାରୁ ଆପଣାର ବୋଲି ମନେ କରିବାପାଇଁ ମଣିଷମାନେ କାଠ, ପାଷାଣ ବା ପିତଳ ମୂର୍ତ୍ତିର କଥା ଆଦୌ ଚିନ୍ତା କଲେ କାହିଁକି ? ଯଦି ପ୍ରତୀକଟିଏ ନିହାତି ଦରକାର, ଯଦି ହାତରେ ଛୁଇଁ ପାରିବାର, ଆଖିରେ ଦେଖିବାର ଓ କାନରେ ଶୁଣିବାର ତଥା ଡୋର ଲଗାଇବାର ପ୍ରକୃତରେ ଏକ ଆବଶ୍ୟକତା ରହିଛି, ତେବେ ଆଉଜଣେ ମଣିଷଠାରୁ ବା ମୋ’ର ଚତୁର୍ଦ୍ଦିଗରେ ରହିଥିବା ମଣିଷମାନଙ୍କ ଠାରୁ ଆଉ କିଏ ଅଧିକ ପରିମାଣରେ ସେହି ଆବଶ୍ୟକତା ପୂରଣ କରି ପାରିଥାନ୍ତା-?

 

ଉପାସନା କରିବା ସକାଶେ ମଣିଷ ଯେତେ ଯେତେ ଧର୍ମରେ ଭଗବାନ୍‍ଙ୍କୁ ଏକ ଆକାର ଦେଇଛି, ଅଧିକାଂଶ କ୍ଷେତ୍ରରେ ସେଥିଲାଗି ସିଏ ମଣିଷର ମୁହଁଟିଏହିଁ ଖୋଜିଛି । ତାକୁ କ’ଣ ଜିଅନ୍ତା ମଣିଷମାନଙ୍କର ମୁହଁ ଦିଶିଲା ନାହିଁ ଯେ ସିଏ ଧାତୁ ଦେଇ ମଣିଷ ମୁହଁଟିଏ ଗଢ଼ିଲା ଓ ତାହାକୁହିଁ ଭଗବାନ୍ ବୋଲି କହିଲା ଏବଂ ଆପଣାର ନିକୃଷ୍ଟତମ ମୂଲ୍ୟନିକିତି ଅନୁସାରେ ଅଧିକ ମୂଲ୍ୟରେ ଧାତୁରେ ଗଢ଼ା ହୋଇଥିବା ମୂର୍ତ୍ତିମାନଙ୍କୁ ଅଧିକ ମହିମାସମ୍ପନ୍ନ ବୋଲି ବିଚାର କଲା ? ଯଦି ଭଗବାନ୍ ମଣିଷମାନଙ୍କ ଭିତରେ ନାହାନ୍ତି, ତେବେ ଧାତୁରେ କିମ୍ବା ପଥରରେ ଗଢ଼ା ହୋଇଥିବା ମୂର୍ତ୍ତିମାନଙ୍କରେ ମଧ୍ୟ କାହିଁକି କୁଆଡ଼ୁ ଆସିବେ ? ଏହି ମିଛ ଅଧ୍ୟାସଟି ମଣିଷମାନଙ୍କୁ ପରସ୍ପର ବିଷୟରେ କେତେ ଯେ ଉଦାସୀନ କରି ରଖିଛି, ମନ୍ଦିରମାନଙ୍କୁ ଦର୍ଶନ କରୁଥିବାବେଳେ ମୁଁ ସେହିକଥା ଭବିଥାଏ । ଡୋର ଲଗାଇବ ତ ପାଖର ମଣିଷଙ୍କ ସହିତ ଆଗ ଡୋର ଲାଗିବ, ତେବେ କ୍ରମେ ଦୂରର ମଣିଷଙ୍କର ସହିତ ମଧ୍ୟ ଡୋର ଲାଗିଯିବ ଏବଂ ଆହୁରି ଅଧିକ ପ୍ରସାରଣଦ୍ଵାରା ଭଗବାନ୍‍ଙ୍କ ସହିତ ମଧ୍ୟ ତୁମର ଡୋର ଲାଗିଯିବ । ଅବଶ୍ୟ ତୁମେ ଯଦି ନିଜର ଭଗବାନ୍‍ଟିକୁ ଧରି ସ୍ଵାର୍ଥ ଓ ଭୟର ଗାଡ଼ ଭିତରେ ଲୁଚି ରହିବାକୁ ଇଚ୍ଛା କରୁଥିବ, ତେବେ ତାହା ନିଶ୍ଚିୟ ଅନ୍ୟ କଥା ହେବ ।

 

୩୦ । ୧୦ । ୯୨

 

ଆମ ଓଡ଼ିଶାରେ ଯେମିତି ମାଳିକା ଅଛି, ଦକ୍ଷିଣ କୋରିଆର ଏକ ବିଶେଷ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ସେହିପରି ଏକ ମାଳିକାରେ ବିଶ୍ଵାସ କରୁଥିଲେ । ହୁଏତ ସେହି ବିଶ୍ଵାସକୁହିଁ ସେମାନେ ନିଜ ଧର୍ମର ସର୍ବପ୍ରଧାନ ବିଶେଷତା ବୋଲି ବିଶ୍ଵାସ କରୁଥିଲେ । ସେହି ମାଳିକା କହୁଥିଲା ଯେ ଯିଶୁଖ୍ରୀଷ୍ଟ ଆଉଥରେ ଏହି ପୃଥିବୀକୁ ଆସିବେ । ଏହି ପୁରୁଣା ପୃଥିବୀ ଭାଙ୍ଗିରୁଜି ଯିବ । ମଣିଷମାନଙ୍କର ମୃତ୍ୟୁ ହେବ । ପ୍ରଳୟ ଘଟିବ । ଈଶ୍ଵରଙ୍କର ପରିବାରରେ ପୁରାଣରେ ଉକ୍ତ ସେହି ବିଚାରଟି ମଧ୍ୟ ହେବ । ଯେଉଁମାନେ ସ୍ଵର୍ଗକୁ ଯିବାର, ସେମାନେ ସ୍ଵର୍ଗକୁ ଯିବେ । ଯେଉଁମାନେ ପାପୀ, ସେମାନେ ସେମାନଙ୍କ ପାଇଁ ସଜଡ଼ା ହୋଇ ରହିଥିବା ନରକକୁ ଯିବେ । ସେହି ସମ୍ପ୍ରଦାୟଟି ସତକୁସତ ଏସବୁ ହେବ ବୋଲି ବିଶ୍ଵାସ କରୁଥିଲା ଏବଂ, ସେହି ଅସଲ ଦିନଟି କାଲି ଆସିଥାନ୍ତା ବୋଲି କୁଆଡ଼େ ଆଗରୁ ଭଗବାନ୍‍ଙ୍କଦ୍ଵାରା ନିର୍ଦ୍ଧାରିତ ହୋଇ ରହିଥିଲା ।

 

କାଲିପାଇଁ ସମସ୍ତେ ପ୍ରସ୍ତୁତ ହୋଇ ରହିଥିଲେ । କେତେପ୍ରକାରର ଶେଷ ବିଧିର ଆର୍ତ୍ତ ଅଭିନୟମାନ ହେଲା । କେତେସବୁ ଭାବପ୍ରବଣତା ଓ ଜୀବନକାତରତାର ସାମୂହିକ ନାନା ପ୍ରଦର୍ଶନ ମଧ୍ୟ ହେଲା । ମାତ୍ର, ଆଦୌ କିଛି ଘଟିଲାନାହିଁ । ଯିଶୁଖ୍ରୀଷ୍ଟ ଆସିଲେନାହିଁ କି ଯୁଗର ଶେଷ ହେଲାନାହିଁ । ଯେଉଁମାନେ ସ୍ଵର୍ଗକୁ ଯିବେ ବୋଲି ଭାବୁଥିଲେ, ସେମାନେ ସ୍ଵର୍ଗକୁ ଗଲେନାହିଁ-। ଏବଂ ଯେଉଁମାନେ ନର୍କପାଇଁ ସଜ ହେଉଥିଲେ, ସେମାନେବି ରକ୍ଷା ପାଇଗଲେ । ଅସଲ ଆଗମନ ମଣିଷର ଭିତରୁ ହେବ । ଏହିସବୁ ପ୍ରସଙ୍ଗକୁ ଦୂରଦର୍ଶନରେ ଦେଖି ମୋ’ର ଜର୍ମାନ୍ ସନ୍ଥ ମାଇଷ୍ଟର୍‌ ଏକ୍‌ହାର୍ଟ୍‌ଙ୍କର କଥା ମନେ ପଡ଼ିଲା । ଯିଶୁଖ୍ରୀଷ୍ଟ କେବଳ ଇତିହାସର ଗୋଟାଏ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ଜନ୍ମଗ୍ରହଣ କରି ନଥିଲେ । ସିଏ ଏବେ ମଧ୍ୟ ଜନ୍ମଗ୍ରହଣ କରୁଛନ୍ତି । ଆମ ଭିତରୁ ଯିଏ ଜନନୀଟିଏ ହେବାକୁ ସମ୍ମତ ହୋଇ ପାରୁଛି, ଯିଶୁଖ୍ରୀଷ୍ଟ ପ୍ରତ୍ୟେକ ମୁହୂର୍ତ୍ତରେ ତାହାରି ଭିତରୁ ଜନ୍ମଗ୍ରହଣ କରୁଛନ୍ତି । ତେଣୁ, ଏହି ପୃଥିବୀ ଶେଷ ବା କାହିଁକି ହେବ ? ଆମେ ଯେଉଁମାନେ ପୃଥିବୀଟାକୁ ଉଜାଡ଼ି ଦେବାଲାଗି ନିତିଦିନ ଫିକର କରିବାରେ ଲାଗିଛୁ, ଆମ ନିଜର ଡର ଭୂତ ହୋଇ ଆମକୁ ହୁଏତ ମାଳିକାର କଥା ହୋଇ ଡରାଇବାରେ ଲାଗିଛି । ଏଣେ ଈଶ୍ଵର ତାଙ୍କର ପୃଥିବୀଟିକୁ ତିଆରି କରିବାରେ ଲାଗିଛନ୍ତି ।

 

୩୧ । ୧୦ । ୯୨

 

ଦରିଦ୍ର ମଣିଷ ଯେ କେତେ ଅସହାୟ, ସାହିତ୍ୟ ତାହାକୁ ଜଳଜଳ କରି ବର୍ଣ୍ଣନା କରି କେଡ଼େ ଗୌରବାନ୍ଵିତ ଅନୁଭବ କରିଛି ଏବଂ ସାହିତ୍ୟର ସମୀକ୍ଷକମାନେ ତାହାକୁହିଁ କ’ଣପାଇଁ ଆଧୁନିକ ବା ବାସ୍ତବବାଦୀ ସାହିତ୍ୟ ବୋଲି ଘୋଷଣା କରି ଆସିଛନ୍ତି । ଏହି ସମ୍ବନ୍ଧ ବା ଦୃଷ୍ଟିକୋଣଟିକୁ ଅନେକ ସମୟରେ ଦରଦ ବୋଲି ବର୍ଣ୍ଣନା କରାଯାଇଛି । ଆମେ ଯେଉଁମାନେ ଏହି ସଂସାରରେ ଧନରେ ଶାଳୀନ ଏବଂ ସୁନ୍ଦର ହୋଇ ରହିବାକୁ ମଧ୍ୟ ଭଗବାନ୍‍ଙ୍କର ଏକ ଆଶୀର୍ବାଦ ବୋଲି ଭାବିଥାଉ, ସେମାନେ ଏହି ଦରଦକୁହିଁ ସତେଯେପରି ମାନବ ହୃଦୟର ସର୍ବଶ୍ରେଷ୍ଠ ଭୂଷଣ ବୋଲି କହି ଆସିଛନ୍ତି । କାଲି ତ ଜଣେ ବକ୍ତା ସ୍ଵାମୀ ବିବେକାନନ୍ଦଙ୍କର ମନୁଷ୍ୟ ପ୍ରତି କେତେ ଦରଦ ଥିଲା, ବଡ଼ ଭାବବିହ୍ଵଳ ଭାବରେ ସେହିକଥା କହୁଥିଲେ ।

 

ମଣିଷ ଭିତରେ ଯେ ଶକ୍ତି ରହିଛି, ଏହି ଯାବତୀୟ ଅସହାୟତାକୁ ଲଙ୍ଘିଯିବାର ସମ୍ଭାବନା ଯେ ମଣିଷ ଭିତରେ ଅଛି, ଆମ ସାହିତ୍ୟ କେବେ ଯାଇ ସ୍ପଷ୍ଟଭାବରେ ସେହି କଥାଟିକୁ କହି ଶିଖିବ ? ଆମେ ଯେଉଁମାନେ ବର୍ତ୍ତମାନର ଏହି ବହୁଉପେକ୍ଷାପୂର୍ଣ୍ଣ ସମାଜରେ ସଂସାରରେ ଉପଲବ୍‌ଧ ହେଉଥିବା ପ୍ରାୟ ସବୁଯାକ ସହାୟକୁ ନିଜଲାଗି ମାଡ଼ି ବସିଛୁ, ଆମେ ସଂହିତା ଭିତରେ ଓ କେବଳ ଏକ ଦରଦ ଦେଖାଇ କେତେଦିନ ଯାଏଁ ଆପଣାର କର୍ତ୍ତବ୍ୟକୁ ଓ ସାହିତ୍ୟର କର୍ତ୍ତବ୍ୟକୁ ପ୍ରକୃତରେ ସାରି ଦେଉଥିବା ? ଆପଣା ଭିତରେ ଅନ୍ୟାୟଦ୍ରୋହୀ ‘ମନ୍ୟୁ’ଙ୍କର ଆବିର୍ଭାବ ଅର୍ଥାତ୍ ଉଦ୍‌ଘାଟନ ସମ୍ଭବ ହେଲେ ମନୁଷ୍ୟର ଅଧିକାଂଶ ଅସହାୟତା ଦୂର ହୋଇଯିବ ଏବଂ ଆମ ସାମୂହିକ ଜୀବନରେ ସତକୁସତ ପରମସହାୟଙ୍କର ଦର୍ଶନ ଯେ ମିଳିଯିବ, ସେହି କଥାଟିକୁ ଆମ ଗଳ୍ପ ଓ କାହାଣୀଗୁଡ଼ିକର ଲେଖକମାନେ କ’ଣ ସେମାନଙ୍କର ଯାବତୀୟ ସାହିତ୍ୟିକ କାରୁକାର୍ଯ୍ୟ ଭିତରେ ଫୁଟାଇ ପାରନ୍ତେନାହିଁ ? ସାହିତ୍ୟ ଆଧ୍ୟାତ୍ମିକ ହେଲେ ହୁଏତ ତାହାକୁ ବ୍ରତ ବୋଲି ଗ୍ରହଣ କରି ନେଇଥିବା ସାହିତ୍ୟିକ ସେ କଥା କହିପାରିବ । ମାତ୍ର, ସାହିତ୍ୟ ଆମ ଥୋକେ ଭାଗ୍ୟବାନ୍‍ଙ୍କର ବିନୋଦନ ନିମନ୍ତେ ଏକ ମାଧ୍ୟମ ହୋଇ ରହିଥିବା ପର୍ଯ୍ୟନ୍ତ ଆମେ ସାହିତ୍ୟିକ ଠାରୁ ସେହି ଆଶା କେବେହେଲେ କରିପାରିବାନାହିଁ ।

 

୧ । ୧୧ । ୯୨

 

ପାରିବାରିକ ସମ୍ବନ୍ଧର ବୃତ୍ତଟି କାଳକ୍ରମେ ଅନ୍ୟ କେତେ ବ୍ୟଞ୍ଜନାରେ ଆମର ବିବେକକୁ ଆସି ସ୍ପର୍ଶ କଲାଣି ଓ ସେହି ଅନୁସାରେ ଆମ ବିବେକର hinterlandଟି ମଧ୍ୟ କେତେ ଅନ୍ୟଭାବରେ ପ୍ରସାରିତ ହେବାରେ ଲାଗିଲାଣି । ଯେଉଁମାନଙ୍କ ସହିତ ଆମର ବଂଶଗତ ରକ୍ତସମ୍ପର୍କ ରହିଛି, ପୂର୍ବର ଅଭ୍ୟସ୍ତ ସଂସ୍କାରଟି ଅନୁସାରେ ଆମେ ସେହିମାନଙ୍କୁହିଁ ଆମର ଜ୍ଞାତି ବୋଲି କହି ଆସିଛି । ଏହି ଜ୍ଞାତିତ୍ଵର ପ୍ରତିପାଦନ ନିମନ୍ତେ ଜ୍ଞାତି ଓ କୁଟୁମ୍ବ ଭିତରେ କେତେକ କୁଳଗତ ଆନୁଷ୍ଠାନିକତା ମଧ୍ୟ ପ୍ରଚଳିତ ରହି ଆସିଛି । ମୁଁ ଭାବେ, ପରିବାର, ଜ୍ଞାତି ଓ ପରିଚିତିର ଅର୍ଥଗୁଡ଼ିକ ମଧ୍ୟ କ୍ରମେ ବଦଳି ଯାଉଥିବାରୁ ଏହି ସଂସାରଗୁଡ଼ିକ ମଧ୍ୟ କ୍ରମେ ଭାରି ବଦଳି ଯିବାକୁ ବାଧ୍ୟ ହେବ । ତେଣୁ, ପୁରୁଣା ପାରିବାରିକ ଭାବନା ଏବେ ନଷ୍ଟ ହୋଇଯାଉଛି ବୋଲି ଯେଉଁମାନେ ବହୁ ଖେଦ କରି କହୁଛନ୍ତି, ସେମାନଙ୍କ ସହିତ ମୁଁ ଏକମତ ହୋଇ ପାରେନାହିଁ । ପାରିବାରିକ ଭାବନା ଚାଲି ଯାଉନାହିଁ । ପାରିବାରିକ ଭାବନା ଆପଣାକୁ ଆହୁରି ପ୍ରସାରିତ କରିଦେଉଛି ଏବଂ ମଣିଷକୁ ଏକ ବୃହତ୍ତର ଆୟତନ ମଧ୍ୟରେ ପାରିବାରିକ ହୋଇ ପାରିବାଲାଗି ଆହ୍ଵାନ ଦେବାରେ ଲାଗିଛି ।

 

ଯେଉଁମାନେ ସେହି ଆହ୍ଵାନ ଅନୁସାରେ ଆପଣାର ଅନୁରକ୍ତିଗୁଡ଼ିକର କ୍ଷେତ୍ରରେ ଉପଯୁକ୍ତ ଜବାବ ଦେଇ ନପାରୁଛନ୍ତି, ସେହିମାନେହିଁ ପୁରୁଣାଗୁଡ଼ିକ ଚାଲିଯାଉଛି ବୋଲି ଖେଦ କରୁଛନ୍ତି । ଯାହା ଥିଲା, ତାହା ଚାଲିନାହିଁ । ତାହା ସମ୍ପ୍ରସାରିତହିଁ ହେଉଛି । ତେଣୁ, ଅନୁରାଗଗୁଡ଼ିକର ଘରେ ମଧ୍ୟ ଏକ ଗୁହାମୁକ୍ତି ଆହ୍ଵାନ ଆସିଛି । ଗୁହାଟିକୁ ଆଦରି ରହିବାକୁହିଁ ଧର୍ମ, କୌଳିକତା କିମ୍ବା କୁଳୀନତା ବୋଲି ବିଶ୍ଵାସ କରି ଆସିଥିବା ମଣିଷମାନେ ସେଥିଲାଗି ଭାରି ବିବ୍ରତ ହୋଇ ପଡ଼ୁଛନ୍ତି । ସେମାନେ ମଧ୍ୟ ଦିନେ ବୁଝିବେ । ନିଜର ଆଖିଗୁଡ଼ିକରେ ଆବଶ୍ୟକ ପ୍ରସାରଣ ଆଣିବାଲାଗି ମନ କରୁଥିବା ମଣିଷ ଯେ କଦାପି ତା’ ପାଦତଳେ ରହିଥିବା ଭୂଇଁକୁ ଛାଡ଼ିଦେବାକୁ ବାଧ୍ୟ ହୁଏନାହିଁ, ଆମେ କ୍ରମଶଃ ସେହି କଥାଟିକୁ ବୁଝିବାକୁ ରାଜି ହେଲେ ଆମର ମିଛଦୁଃଖରୁ ଅବଶ୍ୟ ରକ୍ଷା ପାଇପାରନ୍ତେ, ଅନେକ ମିଛ nostalgiaକୁ ମଧ୍ୟ ବାହାରି ଆସି ପାରନ୍ତେ । ଆମ ଭିତରର ଅନେକ କ୍ଷୁଦ୍ର ଗଣ୍ଠି ଖୋଲିଯାଇ ପାରନ୍ତା । ତା’ପରେ ଆମ ଘର ଟୁଙ୍ଗିଟିରେ ବସିଥିବା ଇଷ୍ଟଦେବମାନେ ମଧ୍ୟ ମୁକ୍ତି ପାଆନ୍ତେ । ସେମାନେ ସତକୁସତ ଈଶ୍ଵରଙ୍କର ଅର୍ଥାତ୍ ପୂର୍ଣ୍ଣ ବିଶ୍ଵର ପ୍ରତିନିଧିତ୍ଵ କରିପାରନ୍ତେ ।

 

୨ । ୧୧ । ୯୨

 

ହିନ୍ଦୁ ସନାତନୀମାନେ ହିନ୍ଦୁଧର୍ମକୁହିଁ ସନାତନ–ଧର୍ମ ବୋଲି ବୁଝୁଛନ୍ତି ଓ ଏହିପରି ବୁଝିବାଟାହିଁ ଠିକ୍ ବୁଝିବା ବୋଲି ପ୍ରାୟ ଏକ ରାଜନୀତିକ ଜିଦ୍ ସହିତ କହୁଛନ୍ତି । ସନାତନ-ଧର୍ମର ମେଦିନୀଟି ଭିତରେ ମନ୍ଦରର, ପଥର ମୂର୍ତ୍ତିର ଓ ବାହ୍ୟ ଉପାସନାର କେତେ ଅଥବା କ’ଣ ରହିବ ବା ନରହିବ, ନିଜଭିତରେ ରହିଥିବା ଗଭୀରତମ ବିବେକକୁ ପଚାରି ବୁଝିବା ପୂର୍ବରୁ ସେମାନେ ଅବତାରମାନଙ୍କର ଇହଜନ୍ମଭୂମିଗୁଡ଼ିକର ସ୍ଥାନ ନିରୂପଣ କରି ସେଠାରେ ଏକଦା ରହିଥିବା ମନ୍ଦିରକୁ ପୁଣି ନିର୍ମାଣ କରିବେ ବୋଲି ଜିଦ୍ ଧରି ବସିଛନ୍ତି । ସେମାନଙ୍କର ଏହି ଜିଦ୍‌କୁ ଏକ ଉପଦ୍ରବାତ୍ମକ ଦରବାର ଯୋଗାଇ ଦେବାଲାଗି ଭାରତବର୍ଷରେ ଏକ ଔପଚାରିକ ରାଜନୀତି ଶିବିର ମଧ୍ୟ ଗଢ଼ାହୋଇ ସାରିଲାଣି । ଏହା ସନାତନ ଧର୍ମର ନାଁରେ ଚାଲିଥିବା ସୁଆଙ୍ଗମାନ ଦେଶରେ ସତେଅବା ଏକ ସର୍ବନିମ୍ନ ମାନବ ବିବେକର କ୍ଷେତ୍ରରେ ଘୋର ଅନାଟନ ଘଟାଇବାକୁ ଧମକ ଦେବାକୁ ବସିଲାଣି ।

 

ତେଣେ ପାକିସ୍ଥାନରେ ଏକ ତଥାକଥିତ ଧର୍ମୀୟ ସରକାର କହିଲେଣି ଯେ ସରକାରଙ୍କର ନିଜ ଧର୍ମ ବ୍ୟତୀତ ଆଉ ଅନ୍ୟ ଧର୍ମସବୁର ଯେତେ ମଣିଷ ସେହି ଦେଶରେ ବାସ କରୁଛନ୍ତି, ସେମାନଙ୍କୁ ନିଜ ପାଖରେ ଏକ ଚିହ୍ନଟ କାଗଜ ରଖି ବାହାରକୁ ବାହାରିବାକୁ ପଡ଼ିବ । ସତେଅବା, ସଂଖ୍ୟାଗୁରୁମାନଙ୍କରେ ଛାଉଣୀ କଡ଼କୁ ସେମାନେ ପ୍ରାୟ ଅନୁଗ୍ରହାଶିତ ହୋଇ ରହିଛନ୍ତି, ଚିହ୍ନଟ କାଗଜଗୁଡ଼ିକ ଅନ୍ତତଃ ସଂଖ୍ୟାଗୁରୁଙ୍କ ମନରେ ଏହିପରି ଏକ ଦମ୍ଭ ଭରି ଦେଉଥିବ-। ଏହା ମଧ୍ୟ ଅନାଟନର ଆଉଏକ କାହାଣୀ । ଏଗୁଡ଼ାକୁ ରାଜନୀତି ଭିତରେ ପଶି ମଣିଷର ବିବେକକୁ ଅଧିକ ବର୍ବର କରି ରଖିବାରେ ସାହାଯ୍ୟ କରିବା ବ୍ୟତୀତ ଆଉ କ’ଣ କରିପାରିବ-? ସରକାରମାନେ ପ୍ରଜାମାନଙ୍କର ଦାରିଦ୍ର୍ୟମୋଚନ ନିମନ୍ତେ କାର୍ଯ୍ୟ କରୁଥାନ୍ତେ, ଜୀବନର ମର୍ଯ୍ୟାଦା ବୃଦ୍ଧି କରାଇବାରେବି କାର୍ଯ୍ୟ କରୁଥାନ୍ତେ । ସେମାନେ ଧର୍ମର, ଅନ୍ତତଃ ନିଜ ଦର୍ପଧର୍ମର ରକ୍ଷକ ହେବାକୁ ଯାଇ ଯାବତୀୟ ମାନବଧର୍ମ ତଥା ଜୀବନଧର୍ମକୁ ଯେ ରକ୍ଷଣ କରି ବାହାରିଲେଣି, ଏହା ନିଜ ଭିତରେ ମୂଳତଃ ତଥାପି ମଣିଷଟିଏ ହୋଇ ରହିଥିବା ପ୍ରତ୍ୟେକ ବ୍ୟକ୍ତି ଲାଗି ଏକ ଆହ୍ଵାନ । ଏହାକୁ ଏକ ସଂଗ୍ରାମର ସ୍ଥିତି ବୋଲି ମଧ୍ୟ କୁହାଯାଇପାରିବ ।

 

୩ । ୧୧ । ୯୨

 

ଆମର ସମାଜଟା ଯେଉଁସବୁ ରହିଛି, ତାହାକୁ ମୋଟାମୋଟି ସେହିପରି ରଖିବା ସକାଶେ ଯେତେ ଉଦ୍ୟମ ହେବା ଉଚିତ, ଏହି ସମାଜକୁ ବଦଳାଇବା ଲାଗିହିଁ ତାହାଠାରୁ ଅନେକ ଅଧିକ ଉଦ୍ୟମ ହୋଇପାରିବା ଉଚିତ । କେବଳ ସେତିକି ନୁହେଁ, ସମାଜକୁ ବଦଳାଇବା ସକାଶେ ଏପର୍ଯ୍ୟନ୍ତ ଯେତେ ଯାହା ଉଦ୍ୟମ ହୋଇ ଆସିଛି, ସେଗୁଡ଼ିକ ମଧ୍ୟରୁ ଅଧିକତର ଉଦ୍ୟମ ଉପରେ ରହିଥିବା ମଣିଷଙ୍କ ତରଫରୁହିଁ ହୋଇଛି । ତେଣୁ, ପ୍ରଧାନତଃ ଏକ ଦରଦଦ୍ଵାରା ପ୍ରେରିତ ହୋଇ ସେହି ମଣିଷମାନେ ତାହା କରିଛନ୍ତି । ଥୋକେ ମଣିଷ ଉପରେ ଥାଇ ଅନୁଗ୍ରହ ପ୍ରଦର୍ଶନ କରିଛନ୍ତି ଏବଂ ସେହିଭଳି କେତେମନ୍ତେ ପ୍ରଦର୍ଶନଦ୍ଵାରା ଦୁର୍ଗତ ମଣିଷର ଦୁର୍ଗତିଗୁଡ଼ିକର ଖଣ୍ଡନ ହୋଇ ପାରୁଥିବ ବୋଲି ବିଶ୍ଵାସ ମଧ୍ୟ କରାଯାଇଛି ।

 

ପ୍ରତ୍ୟେକ ମନୁଷ୍ୟଠାରେ ଅନନ୍ତ ସମ୍ଭାବନା ରହିଛି;–ତେଣୁ ସମ୍ଭାବନା ସମ୍ଭାବନାକୁ ସ୍ଵୀକୃତି ଦିଅନ୍ତା, ସମ୍ମାନ ଦିଅନ୍ତା, ସହଯୋଗ ଦିଅନ୍ତା; ଜାତି ବାରନ୍ତାନାହିଁ, ଧର୍ମ ବାରନ୍ତାନାହିଁ ଓ ଭାଗ୍ୟ ବାରନ୍ତାନାହିଁ,–ପ୍ରତ୍ୟେକ ମନୁତ୍ରା ଭିତରେ ଏହିପରି ଏକ ସଚେତନତା, ଏକ ଜାଗରୂକତା ସମ୍ଭବ ହୁଅନ୍ତା । ଏବଂ, ଯାହା ହୁଅନ୍ତା, ଆଗ ସେଇ ତଳଆଡ଼ୁ ହୁଅନ୍ତା, ଉପରୁ ଆଦୌ ହୁଅନ୍ତାନାହିଁ, କ୍ଷମତାର ବଳରେ ମଧ୍ୟ ହୁଅନ୍ତାନାହିଁ । ଏହାହିଁ ଅସଲ ଶିକ୍ଷାର କାମ, ଏହା ଅସଲ ସାହିତ୍ୟର କାମ-। ଯେଉଁ ସାହିତ୍ୟ ଉପରେ ଥାଇ ପ୍ରଚାରଧର୍ମୀ ପରାମର୍ଶ ଦିଏ, ଉପଦେଶ ଦିଏ, ନୀତି ବୟାନ କରେ ଅଥଚ ଦୂରରେ ଛିଡ଼ା ହୋଇଥାଏ, ତାହାର ସବୁଯାକ ପୌରୁଷ ପ୍ରଚାରରେ, ଅନୁଗ୍ରହରେ ଏବଂ ସମୟରେ ଉପେକ୍ଷାରେହିଁ ଶେଷ ହୋଇଯାଏ । ଉପରେ ଥାଇ ଯେଉଁ ବୟସ୍କ ସାହିତ୍ୟଛଳରେ ପିଲାମାନଙ୍କୁ ପ୍ରଧାନତଃ ଉପଦେଶ ଦିଏ, ଭଲ ଭଲ କଥା ଶୁଣାଏ ଏବଂ ତାହାରିଦ୍ଵାରା ପ୍ରେରଣା ଦେଇଦେଲା ଭାବି ଆତ୍ମସନ୍ତୋଷ ଲାଭ କରେ, ସିଏ ସେହିଭଳି ଉପେକ୍ଷା ଭିତରେ ରହିଯାଏ । ପୃଥିବୀରେ ଏ କାମ ବହୁତ ହୋଇଛି, ହେଉଛି । କିନ୍ତୁ, ଅସଲ ଜାଗରଣ ତଳୁ ହୁଏ; ବନ୍ଧୁ ହୋଇ, ସମଧର୍ମୀ ହୋଇ ପାଖକୁ ଆସୁଥିବା, ସାଙ୍ଗରେ ବାଟ ଚାଲୁଥିବା ଲୋକଙ୍କଦ୍ଵାରାହିଁ ହୁଏ । ସାହିତ୍ୟ ମନ କଲେ ସାଙ୍ଗରେ ବାଟ ଚାଲି ପାରିବ । ବୟସ୍କ ଇଚ୍ଛା କଲେ ଯେମିତି ପିଲାଟିଏ ସହିତ ସାଙ୍ଗ ହୋଇ ବାଟ ଚାଲିପାରେ, ଠିକ୍ ସେହିପରି ।

 

୪ । ୧୧ । ୯୨

 

ଦୁଷ୍ଟକୁ ମୋ’ର ଯେତେ ଡର, କପଟୀକୁ ତା’ଠାରୁ ଅନେକ ଅଧିକ ଡର । ଦୁଷ୍ଟ କାହିଁକି ଦୁଷ୍ଟ ହୁଏ, ହୁଏତ ସେହି ବିଷୟରେ ମୋ’ର ଜୀବନରୁ ମଧ୍ୟ ଅଭିଜ୍ଞତା ରହିଛି । ମାତ୍ର, ସଂସାରର କପଟ ନାମକ ଯେଉଁ ବିଶେଷ ବା ବିଶିଷ୍ଟ ପଦାର୍ଥଟି ରହିଛି ତାକୁ ମୋ’ର ମୋଟେ ବଳ ପାଏନାହିଁ । ଗୋଟିଏ ପିଲା ଦୁଷ୍ଟ ହେଲେ ତା’ର ଅଧିକରୁ ଅଧିକ ନିକଟକୁ ଯିବାଲାଗି ମୁଁ ସତେଅବା ଏକ ଆକର୍ଷଣ ଅନୁଭବ କରୁଥାଏ । ମାତ୍ର, ଯଦି ପିଲାଟାଏ କପଟୀ ହେବାର ବାଟଟିକୁ ଶିଖି ନେଇଥାଏ, ତେବେ ତା’ ଭିତରକୁ ଆଦୌ କୌଣସି ବାଟ ଥିଲାପରି ମୋଟେ ଆଦୌ ଲାଗେନାହିଁ ଓ ମୁଁ ସତେଅବା ପ୍ରତିହତ ହେବାପରି ବାରମ୍ବାର ଫେରି ଆସୁଥାଏ ।

 

ସଂସାରରେ କପଟୀମାନଙ୍କର ଦୁଷ୍ଟତା ବହୁ ପରିମାଣରେ ବଢ଼ି ଯାଇଛି । ଜଣେ ମଣିଷ କାହିଁକି ଯେ କପଟୀ ହେବାପାଇଁ ମନ କରେ, ସେହି କଥାଟିର ଅନେକାନେକ କାରଣ ମଧ୍ୟ ନିଶ୍ଚୟ ରହିଛି । ଦୁଷ୍ଟତାର କାରଣ ଜାଣିଲେ ଜଣେ ଦୁଷ୍ଟ ମଣିଷ ଭିତରକୁ ବାଡ଼ି ପାଇଯାଏ । ମାତ୍ର, ଜଣେ କପଟୀ ମଣିଷର କପଟ ପଛରେ ରହିଥିବା କାରଣଟିର ବା କାରଣଗୁଡ଼ିକର ସୂଚନା ମିଳୁଥିଲେ ମଧ୍ୟ ତଥାପି ତା’ଭିତରେ କେଉଁ ଥାନଟିରେ ବାଡ଼ି ପକାଇଲେ ଯେ ତା’ର ଭୂତଳଟିକୁ ସ୍ପର୍ଶ କରିହେବ, ସେ କଥା ମୋଟେ ଠଉରାଇ ହୁଏନାହିଁ । କାରଣ, କପଟୀ ମଣିଷଟି ଆପେ ରାଜି ହୋଇ ସହଯୋଗ କରିବାକୁ ମନ ନକଲେ ତା’ ଭିତରକୁ ଆଦୌ ଦଉଡ଼ି ପକାଇ ହୁଏନାହିଁ । କେତେ କ’ଣ କାରଣରୁ ଜଣେ କପଟୀ ମଣିଷ ଯେ ଆପଣାର ଅସଲଟିକୁ ବହୁ ଖୋଳପା ଦେଇ ଢାଙ୍କି ରଖିଛି, ସେଗୁଡ଼ିକର ପତ୍ତା ପାଇବାକୁ ହେଲେ ନିଜକୁ ପ୍ରାୟ ଅନମନୀୟ ଭାବରେ ଧୈର୍ଯ୍ୟଶୀଳ କରି ପ୍ରସ୍ତୁତ କରିବାକୁ ହୁଏ । ଉପର ଖୋଳପାର ମିଛ ପ୍ରତୀତିଗୁଡ଼ିକୁ ଅତ୍ୟନ୍ତ ଧୈର୍ଯ୍ୟ ସହିତ କାଟି କାଟି ଆଗକୁ ଯିବାକୁ ହୁଏ । ତଥାପି, ଅପରପକ୍ଷରୁ ଅନ୍ତତଃ କିଞ୍ଚିତ୍ ସହଯୋଗ ନପାଇଥିଲା ପର୍ଯ୍ୟନ୍ତ ଅପେକ୍ଷା କରି ରହିବାକୁ ପଡ଼େ । ସବୁଠାରୁ ବେଶି କଷ୍ଟ ହୁଏ ତଥାକଥିତ ନୀତିବାଦୀ କପଟୀମାନଙ୍କର କ୍ଷେତ୍ରରେ । ସେହିମାନେହିଁ ସବୁଠାରୁ ଟାଣ ଟାଣ କାନ୍ଥ ତିଆରି କରି ସତେଅବା ଗୋଟିଏ ଦୁର୍ଗ ଭିତରେ ବସି ରହିଥାନ୍ତି । ଏକାବେଳେକେ ଅମଙ୍ଗ ହୋଇ ରହିଥାନ୍ତି ।

 

୫ । ୧୧ । ୯୨

 

ବୈରାଗ୍ୟ ନଥିଲେ ଶ୍ରଦ୍ଧା କଦାପି ସମ୍ଭବ ହେବନାହିଁ । କେବଳ ନିଜକୁ ଦେଖୁଥିବା, ଜୀବନରେ କେବଳ ନିଜକୁହିଁ ବରଣ କରି ରହିଥିବା ଓ ନିଜକୁ କାମନା କରୁଥିବା ମଣିଷମାନେ କଦାପି କୌଣସି ଶ୍ରଦ୍ଧାରେ ଭାଜନ ହୁଅନ୍ତିନାହିଁ । ଯେଉଁଟି ନିଜଭିତରେ ଫୁଟି ଉଠିବାଲାଗି ପାହାଚ ପରେ ପାହାଚ ଉଠିଯିବା ଲାଗି ଅପେକ୍ଷା କରି ରହିଥାଏ, ସେମାନେ ସେଇଟିର ମଧ୍ୟ ଭାଜନ ହୁଅନ୍ତିନାହିଁ ।

 

ଆମେ ଗୋଟାଏ ଅର୍ଥରେ ସେମାନଙ୍କୁ ମଧ୍ୟ ବୈରାଗ୍ୟ ବୋଲି କହିପାରିବା । ସେମାନେ ନିଜପ୍ରତି ମମତାଗ୍ରସ୍ତ, ନିଜ ବ୍ୟତୀତ ଏହି ଜଗତ୍‍ରେ ହୁଏତ କିଛିହେଲେ ଦେଖି ପାରନ୍ତିନାହିଁ । ଜଗତ୍‍ଲାଗି ବୈରାଗୀ ହୋଇ ରହିଥାନ୍ତି । ଜଗତ୍‍କୁ ଆଦୌ ଦେଖି ପାରନ୍ତିନାହିଁ । ଅଧିକାଂଶ ତଥାକଥିତ ଧାର୍ମିକ ବ୍ୟକ୍ତିଙ୍କୁ ମଧ୍ୟ ସେହି ଶ୍ରେଣୀର ଅନ୍ତର୍ଭୁକ୍ତ କରି ବିଚାର କରିହେବ । ସେମାନେ ମଧ୍ୟ ଜଗତ୍‍ର କଲ୍ୟାଣ ପାଇ ଦେବତାମାନଙ୍କର ପ୍ରୀତ୍ୟର୍ଥ କେତେ କ’ଣ କରନ୍ତି ମାତ୍ର, ଯାବତୀୟ କ୍ଷେତ୍ରରେ ସ୍ୱୟଂ କେନ୍ଦ୍ରରେ ବସିଥାଆନ୍ତି । ନିଜର ପୁଣ୍ୟ ଅର୍ଥାତ୍ ନିଜରହିଁ କଲ୍ୟାଣ ଲାଗି ସେମାନେ ଜଗତ୍‍ର କେତେଟା କଲ୍ୟାଣକାର୍ଯ୍ୟରେ ହାତ ଦେଇଥାନ୍ତି । ଏବଂ, ଦେବତାମାନଙ୍କୁ ମଧ୍ୟ ମୂଳତଃ ନିଜପାଇଁ ଡାକନ୍ତି । ନିଜ ଘରେ ନିଜପାଇଁ ଠାକୁରଟିଏ ବସାଇବା ହୁଏତ ଆବଶ୍ୟକ, ମାତ୍ର ସେହି ଠାକୁର କ୍ରମେ ଜଗତ୍ ମଧ୍ୟରୁ ସମ୍ପ୍ରସାରିତ ହୋଇଯିବା ମଧ୍ୟ ସମାନ ଭାବରେ ଆବଶ୍ୟକ । ମୋ’ କଲ୍ୟାଣର ବାଞ୍ଛା ସମଗ୍ର ପୃଥିବୀର କଲ୍ୟାଣବାଞ୍ଛା ଆଡ଼କୁ ସ୍ଵତଃପ୍ରସାରିତ ହୋଇ ଯାଉଥିବା ଆବଶ୍ୟକ । ଏହି ସଂପ୍ରସାରଣ, ତାହାହିଁ ଶ୍ରଦ୍ଧା । ଯାହା ଏକଦା ପର ବୋଲି ଦିଶୁଥିଲା, ମାୟା ବୋଲି ଦିଶୁଥିଲା ଓ ଯାହାଲାଗି ମୁଁ ବୈରାଗ୍ୟର ଆଚରଣ କରୁଥିଲି ଅର୍ଥାତ୍ ଯାହାପ୍ରତି ଉଦାସୀନ ହୋଇ ରହିଥିଲି, ମୋର ଶ୍ରଦ୍ଧା କ୍ରମଶଃ ତାହାରି ଭିତରକୁ ସମ୍ପ୍ରସାରିତ ହୋଇ ଯାଉଥିବା ଆବଶ୍ୟକ-। ଏହି ସମ୍ପ୍ରସାରିତ ହୋଇଯିବା, ତାହାହିଁ ଯୁକ୍ତି ହେବା । ଏକାଗ୍ର ହୋଇ ପାରିବାଲାଗି ଜଣେ ଜଣେ ମଣିଷ କେଡ଼େ ବିଲଗ ହୋଇ ବସିଥାନ୍ତି । ଏପରି ଏକ ଏକାଗ୍ରତା ମଧ୍ୟ ସମ୍ଭବ, ଯାହାକୁ କି ସକଳ ଅର୍ଥରେ ଏକ ଆତ୍ମୀୟତା ବୋଲି କୁହାଯାଇପାରିବ । ମାତ୍ର ତାହା ଆପଣାକୁ କଦାପି କାନ୍ଥଗୁଡ଼ାକ ଭିତରେ କିଳି କରି ରଖିବାକୁ ଆଗ୍ରହ କରୁନଥିବ । ତେଣୁ, ବୈରାଗ୍ୟ ମୂଳତଃ ଏହି କାନ୍ଥଗୁଡ଼ାକ ପ୍ରତି । ଶ୍ରଦ୍ଧା ହେଉଛି ସେହି ବୈରାଗ୍ୟର ପ୍ରକୃତ ଜନନୀ ।

 

୬ । ୧୧ । ୯୨

ରୋହିତର ଡାଏରୀ (ବିଂଶ ପର୍ବ)

 

ବକ୍ତାମାନେ ଅଛନ୍ତି, ଯେଉଁମାନେ ମୁଗ୍ଧ କରିଦେବେ, ଭାବର କୋପନ ସୃଷ୍ଟି କରି ବିହ୍ଵଳ କରିଦେବେ, ଛାତିତଳୁ ଲୁହ ଗଡ଼ାଇ ଆଣିବେ, କୁଆଡ଼େ ମନ କୁଆଡ଼େ ଉଡ଼ାଇ ନେଇଯିବେ,–ଶବ୍ଦରେ କଚାଡ଼ି ଦେଉଥିବେ, ଶବ୍ଦରେ ଉଡ଼ାଇ ନେଉଥିବେ । ଏମିତି ବକ୍ତାଙ୍କୁ ଅନେକ ଶ୍ରୋତା ଦରକାର । କବିମାନେ ମୁଶାୟରା କଲାବେଳେ ଆହା ଆହା ଧ୍ୱନି କରି ଉତ୍ସାହ ଦେବାକୁ ଯେପରି ବହୁତ ସଂଖ୍ୟାରେ ରସିକ ଦରକାର, ଇଏ ପ୍ରାୟ ସେହିପରି ଗୋଟିଏ କଥା । ସମ୍ଭବତଃ ନାଟକୀୟତା ହେଉଛି ଏହିସବୁ ବକ୍ତାମାନଙ୍କର ସର୍ବପ୍ରଧାନ ଶେଳୀ ।

 

ଆଉପ୍ରକାରେବି ବକ୍ତା ଅଛନ୍ତି, ଯେଉଁମାନେ ହାତ ଧରି ସାଙ୍ଗରେ ନେଇଯାଆନ୍ତି, ଭିତରେ ଗୋଟାସୁଦ୍ଧା ସ୍ଥିର କରି ଆଣନ୍ତି । ସେମାନେ ନିଜେ ଯେତେସବୁ ଭୁବନର ସନ୍ଧାନ ପାଇ ଥାଆନ୍ତି, ଆମକୁ ଅର୍ଥାତ୍ ଶ୍ରୋତାମାନଙ୍କୁ ସେହିସବୁ ଭୁବନ ବାରତା ମଧ୍ୟ ଆଣି ଦେଉଥାନ୍ତି । ଆପଣାର ଅନୁରାଗଟିକୁ ଢାଳି ଦେଇ ସେମାନେ ଶ୍ରୋତାମାନଙ୍କ ଭିତରେ ପ୍ରଧାନତଃ ଏକ ଅନୁରାଗରେହିଁ ଉଦ୍ରେକ କରି ଆଣନ୍ତି । ସେହି ଅନୁରାଗ ବକ୍ତାଙ୍କର କୃତିତ୍ଵ ହେତୁ ନୁହେଁ, ତାହା ହେଉଛି ନିଜେ ବାଟ ଚାଲିବାର ଅନୁରାଗ, ନିଜେ ସାହସ କରିବାର ଅନୁରାଗ, ନିଜେ ଜନନୀଟିଏ ହୋଇ ନିଜଭିତରେ ଆପଣାର ସମ୍ଭାବ୍ୟ ବହୁତ କିଛିକୁ ଜନ୍ମ ଦେବାର ଅନୁରାଗ । ଏଭଳି ବକ୍ତାମାନଙ୍କ ପାଇଁ ଶୁଣିବା ମଣିଷ ଅଳପ ଦରକାର । ସଭାଗୃହ ପୂର୍ଣ୍ଣ କରି ନୁହେଁ ଆପଣାକୁ ବେଢ଼ି ସତେଅବା ସହଚାରୀ ସମ୍ମତିଯୁକ୍ତି ସାଥୀମାନଙ୍କ ପରି ପାଖରେ ବସିଥିବା ଦରକାର । ସାଙ୍ଗ କରିବାଲାଗି ତଥା ସାଙ୍ଗଟିଏ ମିଳିଗଲା ବୋଲି ଅନୁଭବ କରିବାଲାଗି ତଥା ସାଙ୍ଗଟିଏ ମିଳିଗଲା ବୋଲି ଅନୁଭବ କରିବା ଲାଗି ନାଟକୀୟତାର ପ୍ରାୟ କୌଣସି ପ୍ରୟୋଜନ ନଥାଏ । ବକ୍ତା ମନ କଲେ ଶ୍ରୋତାମାନଙ୍କ ସହିତ ସମ୍ପୂର୍ଣ୍ଣ ଭାବରେ ଏକ sharingର ଅବକାଶ ମଧ୍ୟ ସୃଷ୍ଟି କରିପାରେ-। ସେହି sharingର ବକ୍ତା ଓ ଶ୍ରୋତା ଉଭୟଙ୍କୁ ସମ୍ପଦଶାଳୀ କରେ, ଉଭୟଙ୍କୁ ବହୁତ ପ୍ରକାରେ ଧନବାନ କରେ । ସଭାଗୃହର କୋଳାହଳ ସମ୍ଭବତଃ ଆଉ କେଉଁ ଯୁଗରେ ଆବଶ୍ୟକ ଥିଲା । ଆମ ସଂସ୍କୃତିର କୌଣସି ରାଜା ବା ରାଣୀଙ୍କର ଯୁଗରେ ଦରକାରୀ ରୀତିରେ ଚମତ୍କୃତ କରାଇବାକୁ ବା ଚମତ୍କୃତ ହେବାକୁ ତାହାର ଅବଶ୍ୟ ଆବଶ୍ୟକତା ରହିଥିଲା । ସମ୍ମତ ମଣିଷପାଇଁ ଏବେ ସାଥୀଟିଏ ଦରକାର, ସମ୍ମତ ସାଥୀଟିଏ ପାଇଁ ଏବେ ସାଥୀଟିଏ ଦରକାର ।

 

୭ । ୧୧ । ୯୨

 

ମୋ’ର ଶ୍ରୋତା ଦରକାର ନାହାନ୍ତି, ମୋ’ର ବନ୍ଧୁ ଦରକାର । ଗୋଟିଏ ସଭାରେ ମଧ୍ୟ ମୋ’ର ସବାଆଗ ଶ୍ରୋତା ଦରକାର ନାହାନ୍ତି, ସବାଆଗ ବନ୍ଧୁ ଦରକାର । କୌଣସି ସଭାରେ ଯଦି ମୋଟେ ଶ୍ରୋତାମାନେ କେବଳ ଶୁଣନ୍ତି, ଅଭିଭୂତ ହୁଅନ୍ତି, ଏବଂ ନୀରବରେ ଚାଲି ଯାଆନ୍ତି, ତେବେ ମୋତେ ମୋଟେ ଭଲ ଲାଗେନାହିଁ । ଯଦି ସେମାନେ ମୋ’ କଥା ଶୁଣି ନିଜ ଭିତରେ ମଧ୍ୟ ଅନେକ ପ୍ରଶ୍ନର ସମ୍ମୁଖୀନ ହୁଅନ୍ତି, ସହଜରେ ସବୁ ଉତ୍ତର ପାଇ ଯାଆନ୍ତିନାହିଁ, ଏବଂ ମୋ’ ସହିତ ଏକାଠି ହୋଇ ଏକ ସମାଧାନରେ ପହଞ୍ଚିବାକୁ ଇଚ୍ଛା କରନ୍ତି, ତେବେ ମୋତେ ଅଧିକ ଭଲ ଲାଗେ । ଏହାରିଦ୍ଵାରାହିଁ ପରିଚୟ ବଢ଼େ, ପରିଚୟ ସ୍ଥାୟୀ ହୁଏ, ସଭା ପରେ ମଧ୍ୟ ପରିଚୟ ରହେ । ସଭାରେ ଯେଡ଼େ ଭିଡ଼ ହୋଇଥାଉ ପଛକେ, ଯଦି ସଭା ଭିତରୁ ଅନ୍ତତଃ କେତେଜଣଙ୍କୁ ମୁଁ ସ୍ଥାୟୀଭାବରେ ବନ୍ଧୁ କରିନେଇ ପାରିଲି, ତେବେ ମୋତେ ସତେଅବା କୋଟିରତ୍ନ ପାଇବା ପରି ଲାଗୁଥାଏ । ମଣିଷଟିଏ ଦେଖିଲେ ମୋତେ ସେହି ଅନୁସାରେ ସେତିକି ତଳକୁ ଓହ୍ଲାଇ ଆସିବା ସକାଶେ ସତେଯେପରି ମୋ’ ଭିତରୁ କେହି ସତତ ପ୍ରେରଣା ଦେଉଥାଏ । ଶ୍ରୋତାମାନଙ୍କ ଭିତରୁ ମୁଁ ସତେଅବା ମଣିଷଟିଏ ଖୋଜୁଥାଏ, ଯାହା ସହିତ କି ମୁଁ ଏକାଠି ବସି ପାରିବି ବା ଏକାଠି ବାଟ ଚାଲି ପାରିବି ଏବଂ, ଜଣେ ଆଉଜଣକର ଗଣ୍ଠି ଫିଟାଇବାରେ ଆମେ ପରସ୍ପରକୁ ସତକୁସତ ସାହାଯ୍ୟ କରିପାରିବୁ ।

 

ତେଣୁ, ଶ୍ରୋତାମାନେ ଉପରକୁ ଅନାଇ ମୋତେ ଏକାବେଳେକେ କେତେ ଊର୍ଦ୍ଧ୍ଵରେ ଯାଇ ଦେଖନ୍ତି ବୋଲି ଅଭିଳାଷ ରଖି ମୁଁ କେବେହେଲେ କିଛି କହେନାହିଁ । ମୁଁ ଯେଡ଼େ ଗହନ ଅଥବା ଗମ୍ଭୀର ବିଷୟରେ କହିବାକୁ ଯାଉଥାଏ ପଛକେ, ନିଜର ଉଞ୍ଚ ଡାଳଗୁଡ଼ାକୁ ଛାଡ଼ି ମୁଁ ଏକାବେଳେକେ ତଳକୁ ଓହ୍ଲାଇ ଆସିବାର ବାସନା ରଖିଥାଏ, ଯେପରିକି ମୁଁ ଶ୍ରୋତାମାନଙ୍କୁ ଗୋଟାସୁଦ୍ଧା ଛୁଇଁ ପାରିବି, ସେମାନେ ମଧ୍ୟ ଯେପରି ହାତ ବଢ଼ାଇ ମୋ’ର କାନ୍ଧ ଉପରେ ହାତ ରଖିପାରିବେ,–ଆମେ ଯେପରି ସମସ୍ତେ ମିଶି ଗୋଟାଏ ଖେଳରେ ଏକାଠି ଧାଁ ଧପଡ଼ କରିପାରିବୁ ଏବଂ ସତ୍ୟକୁ ଧରି ପାରିବୁ । ତାହା ପ୍ରକୃତରେ ଏକ ଅପୂର୍ବ ଅଭିଜ୍ଞତା । ତାହା ପ୍ରକୃତରେ ଧନୀ କରିଦିଏ, ବକ୍ତା ଓ ଶ୍ରୋତା ଉଭୟ ପକ୍ଷକୁ ଧନୀ କରେ; ପରସ୍ପରକୁ ପାଖକୁ ଟାଣେ, ସେହି ପାରସ୍ପରିକତାଦ୍ଵାରା ଯାହା ଉଭୟ ପକ୍ଷକୁ ସତ୍ୟ ପାଖରେ ନେଇ ହାବୁଡ଼ାଇ ଦିଏ ।

 

୧୦ । ୧୧ । ୯୨

 

ଯଦି ତୁମେ ଏକା ସବୁ କରୁଛ ବୋଲି ଭାବୁଥିବ, କେବଳ ତୁମରି ଲାଗି ଯାହାକିଛି ହୋଇ ପାରୁଛି ବୋଲି ଯଦି ଘାରି ହୋଇ ରହିଥିବ, ତେବେ ତୁମର ଚାଲିଯିବା ସମୟରେ ସବୁକିଛି ମଧ୍ୟ ତୁମ ସହିତ ଚାଲିଯିବ । ମାତ୍ର, ଅନ୍ୟ ପକ୍ଷରେ, ତୁମେ ଏଠି ସମସ୍ତଙ୍କ ସହିତ ରହିଛ, ସାଙ୍ଗ ହୋଇ ସବୁ କରୁଛ ଓ ଭଗବାନ୍‍ଙ୍କର ଇଚ୍ଛାକୁହିଁ ପୂରଣ କରୁଛ ବୋଲି ଯଦି ଅନୁଭବ କରୁଥିବ, ତେବେ ତୁମର ସବୁକିଛି ରହିବ, ଏବଂ ସେହି ସବୁକିଛି ଭିତରେ ତୁମେ ନିଜେ ମଧ୍ୟ ରହିଥିବ । ତୁମେ ଅମରତ୍ଵ ଲାଭ କରିବ ।

 

ଅନେକଙ୍କର ଜୀବନରେ ଏତିକିମାତ୍ର ମଧ୍ୟ ହଜମ ହୋଇ ପାରେନାହିଁ । ସେମାନେ ତଥାପି ଭାବୁଥାନ୍ତି ଯେ ସେମାନେ ସତ୍ୟଘରୁ ସବୁଯାକ ସତ୍ୟ, ଶିବଘରୁ ସବୁଯାକ ଶିବ ଏବଂ ସୌନ୍ଦର୍ଯ୍ୟଘରୁ ସବୁଯାକ ସୌନ୍ଦର୍ଯ୍ୟକୁ ସତେଅବା ବୋହି ଆଣି ଏଠାରେ ଗଦା କରି ଦେଇଛନ୍ତି । ସତ୍ୟ ନାମକ କେଉଁ କିଆରିରୁ ସତେଅବା ସବୁଯାକ ଶସ୍ୟକେଣ୍ଡା ଦୁହିଁ ଆଣି ସେମାନେ ନିଜର ମୁଣ୍ଡ ଉପରେ ଏଡ଼େବଡ଼ ବୋଝ କରି ବୋହୁଛନ୍ତି । ସେମାନେ ସଭା ଭିତରେ କେତେ ଉତ୍ତେଜନା ସହିତ ଆମକୁ ସେ କଥାଟି ବୁଝାଇ କହିଦେବା ଲାଗି ପ୍ରୟାସ କରୁଥାନ୍ତି । ସେମାନେ ନିଜ ହାତରେ ନିଜେ ଶିଶୁପାଳ ହୁଅନ୍ତି । ତୁମେ ସତ୍ୟକୁ କେତେଦୂର ଗ୍ରହଣ କରିଛ କି ନାହିଁ, ତୁମର ନିବିଡ଼ ଗଭୀରଟିକୁ ଉଦ୍‌ବୋଧିତ କରି ସେହି କଥାଟିକୁ ଜାଣିବା ଏବଂ ସେଇଥିସକାଶେ ଆନନ୍ଦିତ ହେବା,–ସେମାନଙ୍କର ସେଥିରେ ଆଦୌ ମନ ନଥାଏ । ସବୁଯାକ ବୋଝକୁ ସେମାନେ ନିଜ ମୁଣ୍ଡରେ ବୋହୁଛନ୍ତି, ଦଶଦିଶର ବହୁ ଉପକାର କରୁଛନ୍ତି, ତୁମେ କେବଳ ଏତିକି କହ, ତାଳି ବଜାଇ କହ, ଧିସାରେ ପକାଇ କହ,–ସେମାନେ ତୁମ ତୁଣ୍ଡରୁ ସତେଅବା କେବଳ ଏତିକି ଶୁଣିବା ଲାଗି, ଏପରିକି ସମ୍ଭବ ହେଲେ ଏକାବେଳେକେ ଅନେକଙ୍କ ତୁଣ୍ଡରୁ ଶୁଣିବା ନିମନ୍ତେ ଏକ ବିଶେଷ ସରାଗରେ ସଭାକୁ ଆସିଥାଆନ୍ତି । ତୁମେ କେତେ ଶଗଡ଼ ସାହିତ୍ୟକୁ କେତେ ବରଷ ହେଲା ଲେଖିଛ, ସେ କଥାଟା ସାହିତ୍ୟ ଲାଗି, ପୃଥିବୀ ଲାଗି ଆଦୌ ବଡ଼କଥା ନୁହେଁ । ସାହିତ୍ୟର ବେଢ଼ା ଭିତରେ ପଶି ତୁମେ ନିଜର ଅହଂଗୁଡ଼ାକୁ କେତେ ଦୂର ଭୁଲି ପାରିଛ ଏବଂ କେତେ ଯାଏଁ ସାହିତ୍ୟର ହୋଇଯାଇ ପାରିଛି, ଭଗବାନ୍‍ଙ୍କର ହୋଇ ପାରିଛ, ସାହିତ୍ୟରେ ପ୍ରଧାନତଃ ତାହାରି ବିଚାର ହେବ-। ତେଣୁ; ନିଜ ସହିତ କଳି କରନାହିଁ, ଶାନ୍ତ ହୋଇ ବସ ।

 

୧୧ । ୧୧ । ୯୨

 

ରାଜନୀତିରେ ମତ ଅନେକ ରହିଛି । କାରଣ, ପଥ ମଧ୍ୟ ଅନେକ ରହିଛି । ସତ୍ୟକୁ ଦେଖିବାର, କଳିବାର ଏବଂ ସ୍ଵୀକାର କରିବାର କ୍ଷେତ୍ରରେ ଦୃଷ୍ଟି ଭିନ୍ନ ଭିନ୍ନ ରହିଛି । ଏବଂ, ସେହି କାରଣରୁ ପଥ ଅଲଗା ରହିଛି ଓ ସେହି ଅନୁସାରେ ମତବି ଅଲଗା ରହିଛି । ଯଦି ସତ୍ୟ ପାଖକୁ, ଅସଲ ପାଖକୁ ଭଗବାନ୍‍ଙ୍କ ପାଖକୁ ଯିବାର ପଥ କେବଳ ଗୋଟିଏ ହୋଇଥାଆନ୍ତା, ତେବେ ସେହି ସତ୍ୟ, ସେହି ଅସଲ ଏବଂ ସେହି ଭଗବାନ୍ ମଧ୍ୟ ପ୍ରକୃତରେ ଭାରି ଦରିଦ୍ର ହୋଇଥାନ୍ତେ । ସୁସ୍ଥ ମଣିଷ ସମସ୍ତେହିଁ ଅନେକ ପଥର ସ୍ଵୀକାର କରିବେ ଓ ସେହି ଅନୁସାରେ ଅନେକ ମତକୁ ମଧ୍ୟ ସ୍ଵୀକାର କରିବେ । ସେମାନେ ଅବଶ୍ୟ ପରସ୍ପରକୁ ସ୍ଵୀକାର କରିବେ । ମନୁଷ୍ୟର ସ୍ଵଭାବ ଯେ ନାନା କାରଣରୁ ପରସ୍ପରଠାରୁ ଭିନ୍ନ ହେବ, ତାହା ବୁଝିବା ଲାଗି ସେମାନଙ୍କୁ ଆଦୌ କଷ୍ଟକର ଲାଗିବନାହିଁ ।

 

ମାତ୍ର ରାଜନୀତି, ଆମ ରାଜନୀତି ଅନେକ ସମୟରେ ଏପରି ଏକ ଅନ୍ୟ ମିଜାଜ ଓ ଅନ୍ୟ ମତଲବର ହୋଇଯାଏ ଯେ, ସେଥିରେ ଗୋଟିଏ ମତକୁହିଁ ଏକମାତ୍ର ମତ ବୋଲି ସ୍ଵୀକାର କରାଯାଏ, ସୁଖର ସ୍ଥାନକୁ ଆସିବା ସକାଶେ ପଥ କେବଳ ଗୋଟିଏ ରହିଛି ବୋଲି ଏଡ଼େ ପାଟି କରି କୁହା ଯାଇଥାଏ । ବିଶେଷତଃ ରାଜନୀତିକୁ କ୍ଷମତା ହାସଲ କରିବାର ଏବଂ କ୍ଷମତାରେ ରହିବାର ଗୋଟିଏ ବାଟ ବୋଲି ମାନିନେବା ପରେ ରାଜନୀତି ଭିତରେ ବାଟ ଚାଲୁଥିବା ମଣିଷମାନେ ସତେଅବା ଅଧିକରୁ ଉତ୍କଟ ଭାବରେ ସେହିଭଳି ବିଶ୍ଵାସ କରୁଛନ୍ତି । ଅଥବା, ହୁଏତ ଆଦୌ କୌଣସି ବିଶ୍ଵାସ ସତକୁସତ ନଥିଲେ ମଧ୍ୟ ସେହିପରି ଆଚରଣ କରୁଛନ୍ତି । ଫଳରେ, ରାଜନୀତିର ଯାବତୀୟ ନୈତିକତା ପ୍ରାୟ ଏକ କ୍ରୂରତାରେ ପରିଣତ ହୋଇ ଯାଉଛି । ବିଭିନ୍ନ ମତ ମଧ୍ୟରେ ପ୍ରାୟ ଆଉ କୌଣସି interaction ହେଉନାହିଁ । ପୃଥିବୀରେ କିଛି ହାସଲ କରିବାଲାଗି କ୍ଷମତା ଅବଶ୍ୟ ଦରକାର । ମାତ୍ର, ହାସଲ କରିବାକୁ ରହିଥିବା ସେହି କିଛିଟି ଆମର ବ୍ୟକ୍ତିଗତ ଲାଳସା ଏବଂ ବ୍ୟକ୍ତିଗତ କୋପନଗୁଡ଼ିକ ଅପେକ୍ଷା ବୃହତ୍ତର ଓ ପ୍ରଶସ୍ତତର ହୋଇଥିବା ଉଚିତ । ତେବେଯାଇ କ୍ଷମତାକୁ ମାଡ଼ି ବସିଥିବା ଉତ୍ତମମାନେ ଆପଣାକୁ ଅନେକ ବ୍ୟାଧି ଏବଂ ଅନେକ ବିନଷ୍ଟିରୁ ମୁକ୍ତ ରଖି ପାରିବେ । ଆମେ ମଧ୍ୟ ସେମାନଙ୍କର ଅନେକ ଦୌରାତ୍ମ୍ୟ ଭୋଗ କରିବାରୁ ରକ୍ଷା ପାଇଯିବୁ ।

 

୧୨ । ୧୧ । ୯୨

 

ଜୀବନରେ ଅନ୍ଦାଜ କରିବାର ଓ ଜୀବନର ସମ୍ମୁଖୀନ ହେବାର ବହୁବିଧ ରାସ୍ତା ରହିଛି । ରାଜନୀତି ହେଉଛି ତା’ ଭିତରୁ କେବଳ ଗୋଟିଏ ରାସ୍ତା । ମାତ୍ର ରାଜନୀତିବାଲାମାନେ ଅନେକ ସମୟରେ ସେ କଥା ସ୍ଵୀକାର କରିବାକୁ ରାଜି ହୁଅନ୍ତିନାହିଁ । ସେମାନେ ଧରି ନେଇଥାନ୍ତି, ରାଜନୀତିଦ୍ଵାରାହିଁ ସବୁକିଛି ମିଳିବ, ଧରାପୃଷ୍ଠରେ ସ୍ଵର୍ଗର ପ୍ରତିଷ୍ଠା ହେବ ।

 

ରାଜନୀତି ମଧ୍ୟ ଅନେକାନ୍ତବାଦୀ ହୁଅନ୍ତା । ପୃଥିବୀର ଏହି ଧର୍ମମାନେ ଅନେକାନ୍ତବାଦୀ ହୁଅନ୍ତେ । ଏପରିକି ଯେଉଁମାନେ ନିଜକୁ ଜାତୀୟତାବାଦୀ ବୋଲି କହୁଛନ୍ତି, ସେମାନେ ମଧ୍ୟ ଅନେକାନ୍ତବାଦୀ ହୁଅନ୍ତେ । ତେବେ ତଦ୍ଦ୍ଵାରା ପୃଥିବୀ ବହୁତ ଉପକୃତ ହୁଅନ୍ତା । ଯେପର୍ଯ୍ୟନ୍ତ ରାଜନୀତି କହିଲେ କ୍ଷମତା ଅଧିକାର କରିବାକୁ ଏବଂ ଯେକୌଣସି ପ୍ରକାରେ କ୍ଷମତାରେହିଁ ତିଷ୍ଠି ରହିବାକୁ ବୁଝାଉଥିବ, ସେପର୍ଯ୍ୟନ୍ତ ରାଜନୀତିରେ ରହିଥିବା ଆମର ଏହି ବ୍ୟକ୍ତିମାନେ କିପରି ଅନେକାନ୍ତବାଦୀ ହୋଇପାରିବେ ? ଏକଦା ମହାତ୍ମା ଗାନ୍ଧୀ ଭାରତବର୍ଷରେ ଯେଉଁ ରାଜନୀତି ପାଇଁ ବାଟ କଢ଼ାଇଥିଲେ, ସେଥିରେ ସବାମଝିରେ କ୍ଷମତା ନଥିଲା । ସବା ମୂଳରେ ମଣିଷ ଥିଲା, ଅର୍ଥାତ୍ ଭଗବାନ୍, ବିଶ୍ଵବିଧାନ ଏବଂ ସବୁର କଲ୍ୟାଣ ତାହାର କେନ୍ଦ୍ରବିନ୍ଦୁ ହୋଇ ରହିଥିଲେ । ସ୍ଵାଧୀନ ଭାରତବର୍ଷରେ ଯାହାର ଅନୁଶୀଳନ କରାଯାଇଥାନ୍ତା, ତାହାକୁ ସ୍ଵାଧୀନ ଭାରତର ସଫଳ ରାଜନୀତିକ ନେତାମାନେ ମୂର୍ତ୍ତିଟିଏ କରି ଥାପିଦେଲେ, ସେହି ମୂର୍ତ୍ତିକୁ ପୂଜା କରିବାଲାଗି ଦେଶବାସୀଙ୍କୁ ପ୍ରରୋଚନା ଦେଲେ ଏବଂ ନିଜ ଦୁଷ୍ଟ ରାଜନୀତିର ସହାୟତାରେ ସେମାନେ ଏ ଦେଶରେ ଏକ ବାବୁସମାଜ ଭିତରେ ସବୁଠାରୁ ବଡ଼ବାବୁ ହୋଇ ରହିଲେ । ଶିକ୍ଷା, ସଂସ୍କୃତି, ଉନ୍ନୟନ, ଧର୍ମ ଓ ସାମୂହିକତାର ଯାବତୀୟ ଅବସର ସେହି ବଡ଼ବାବୁମାନଙ୍କରହିଁ ବିଳାସଦୀର୍ଘିକା ହୋଇ ରହିଲା । ଦେଶ ଉଚ୍ଛନ୍ନ ହେଲା । ମଣିଷମାନେ ଅବହେଳିତ ହୋଇ ରହିଲେ । ଏହି ଦୁଷ୍ଟ systemକୁ ଭାଙ୍ଗିବାକୁ ହେଲେ ଯେଉଁ ବିକଳ୍ପମାନ ଦରକାର, ତାହା ଅନେକାନ୍ତବାଦକୁହିଁ ନିଜର ଅସଲ ଦାର୍ଶନିକ ଏବଂ ମୂଲ୍ୟଗତ ମୂଳରୂପେ ସ୍ଵୀକାର କରିନେଲେ ଯାଇ ହୁଏତ କିଛି ସମ୍ଭବ ହେବ-। ଦମ୍ଭୀମାନଙ୍କର ଦରବରା ଭାଙ୍ଗିଗଲେ ଯାଇ ଅସଲ ରାଜନୀତି ପାଇଁ ବାଟ ଖୋଲିବ-

 

୧୩ । ୧୧ । ୯୨

 

ରାଜନୀତିର ସେପାଖକୁ ମଧ୍ୟ ଗୋଟିଏ ନୀତି ଅଛି । ସେହି ଉତ୍ସଟି ସହିତ ଯଦି ରାଜନୀତିର ଖିଅ ଛାଡ଼ି ହୋଇଯାଏ, ତେବେ ରାଜନୀତି ବାଟ ହୁଡ଼ିଯାଏ ଓ ଅନିଷ୍ଟର କାରଣ ହୁଏ । ସେହି ସ୍ଥିତିରେହିଁ କ୍ଷମତା ଅଧିକାର କରିବାଟା ରାଜନୀତି ଭିତରେ ପଶିଥିବା ବ୍ୟକ୍ତିମାନଙ୍କର ପ୍ରାୟ ଏକ ଧର୍ମରେ ପରିଣତ ହୋଇଯାଏ । ସେତେବେଳେ ରାଜନୀତି ପଛକେ ରହିଯାଏ ଓ ସେହି ବ୍ୟକ୍ତିମାନେହିଁ ପୁରୋଭାଗରେ ଥାଆନ୍ତି । ଠିକ୍ ସେହିପରି, ପୃଥିବୀର ଯାବତୀୟ ଜ୍ଞାନର ସେପାଖକୁ ଯେଉଁ ମୂଳଭୂତ ଜ୍ଞାନଭୂମିଟି ରହିଛି, ଉପନିଷଦ୍‍ରେ ତାହାକୁ ବିଜ୍ଞାନ ବୋଲି କୁହାଯାଇଛି । ଏବେ ବିଜ୍ଞାନ କହିଲେ ବଜାରରେ ଯାହା ବୁଝାଉଛି, ଉପନିଷଦ୍‍ର ବିଜ୍ଞାନ ନାମକ ଭୂମିଟିକୁ ଆମେ କଦାପି ସେହି ଅର୍ଥରେ ବୁଝିବାଲାଗି ଚେଷ୍ଟା କରିବା ନାହିଁ ।

 

ଯାବତୀୟ ଜ୍ଞାନ, ଯାବତୀୟ ଆଚରଣ ଏବଂ ଯାବତୀୟ ଅନୁରାଗକୁ ଏକ ବୃହତ୍ତର ଜ୍ଞାନ, ଏକ ବୃହତ୍ତର ପରିଧିଦ୍ଵାରା ଅନୁପ୍ରେରିତ ହେଉଥିବା ଆଚରଣ ତଥା ଅନୁରାଗର ଅନ୍ତର୍ଗତ ବୋଲି ଜାଣିବା, ଗୋଟିଏ ଅର୍ଥରେ ଆମେ ତାହାକୁ ବିଜ୍ଞାନ ବୋଲି କହିପାରିବା । ସଂସ୍କୃତିର କ୍ଷେତ୍ରରେ ଆମର ଯାବତୀୟ ଆଲୋଚନାବେଳକୁ ମଧ୍ୟ ପ୍ରାୟ ସେହିକଥା । ମୋ’ ନିଜ ସଂସ୍କାର ଅନୁସାରେ ମୁଁ ତାହାକୁ ମୋ’ର ସଂସ୍କୃତି ବୋଲି କହୁଛି, ତାହା ହେଉଛି ଏକ ବୃହତ୍ତର ସଂସ୍କୃତିର ଅଙ୍ଗ । ବୃହତ୍ତରଟିହିଁ ଯାବତୀୟ କ୍ଷୁଦ୍ରତରକୁ ଔଚିତ୍ୟ ଯୋଗାଇ ଦେଇପାରୁଥିବା ଉଚିତ । ଆମ ଜୀବନର ଯାବତୀୟ ପରିମଳର ମାନ ନିର୍ଦ୍ଧାରଣ ପ୍ରକୃତରେ ଏହି ରୀତିରେ ହେବା ଉଚିତ । ସମାଜରେ ମଣିଷମାନେ ଯହୁଁ ଯହୁଁ ଏହି ରୀତିଟିକୁ ନିଜସ୍ଵ ରୀତିରେ ପରିଣତ କରିବେ, ତେବେଯାଇ ସାମୂହିକତାର କ୍ଷେତ୍ରରେ ଅନେକ ମଣିଷଙ୍କୁ ଘାରି ରହିଥିବା ଅଫିମଗୁଡ଼ାକର ଆକର୍ଷଣ ମଧ୍ୟ ପୃଥିବୀରେ ଊଣା ହୋଇଯିବ । ଏହାଫଳରେ ମଣିଷ ମଣିଷ ଭିତରେ ରହିଥିବା ସମ୍ବନ୍ଧ ଅନ୍ୟପ୍ରକାର ହେବ । ପାରସ୍ପରିକତା କହିଲେ ପ୍ରାୟ ଏକ ଆଧ୍ୟାତ୍ମିକତାର ଆବେଦନସ୍ତରକୁ ବୁଝାଇବ । ପୃଥିବୀର ଆଧ୍ୟାତ୍ମିକ ନେତାମାନେ ଯୁଗେ ଯୁଗେ ମନୁଷ୍ୟ ସମାଜଙ୍କୁ ସେହି ଉଦ୍‌ବୋଧନ ଦେଇ ଆସିଛନ୍ତି । ପୃଥିବୀ ପ୍ରତ୍ୟହ ସେହି ଅନ୍ୟ ଆୟାମଟି ଲାଗି ପ୍ରସ୍ତୁତ ହେଉଛି ।

 

୧୪ । ୧୧ । ୯୨

 

ଆମେ ଜଣେ ଜଣେ ଆମର ଅଲଗା ଅଲଗା ସ୍ଵର୍ଗକୁ ଯିବାଲାଗି ମନ କରୁଥିବା ପର୍ଯ୍ୟନ୍ତ ସ୍ଵର୍ଗତ ସୁଦୂରପରାହତ ହୋଇ ରହିଥିବ । ତା’ ସହିତ ଆମେ ନିଜେ ମଧ୍ୟ ଯାହାସାଙ୍ଗରେ ପ୍ରକୃତରେ ଲଢ଼ିବା କଥା, ତା’ ସାଙ୍ଗରେ ନଲଢ଼ି ପରସ୍ପର ସହିତ ଲଢ଼ିବାରେ ଲାଗିଥିବା ଓ ଶକ୍ତି କ୍ଷୟ କରୁଥିବା-। ଆମ ଆଦର୍ଶବାଦୀମାନେ ସମ୍ଭବତଃ ସବୁକାଳେହିଁ ଏହିଭଳି ଶକ୍ତିର କ୍ଷୟ କରିଛନ୍ତି ଏବଂ ଆଦର୍ଶ ସୁଦୂରପରାହତ ହୋଇ ରହିଛି ।

 

ଆମେ ପରସ୍ପର ଭିତରେ ନିଜକୁ ଦେଖିବା । ମୁଁ କୌଣସି ଅର୍ଥରେ ମଧ୍ୟ ପୂର୍ଣ୍ଣତାର ଉପଲବ୍‌ଧି କରିନାହିଁ, ତଥାପି ମୋ’ ଭିତରେ ପୂର୍ଣ୍ଣ ଅଭୀପ୍‌ସା ରହିଛି ପୂର୍ଣ୍ଣରୁ ପୂର୍ଣ୍ଣତର ହେବାର ଅଦମ୍ୟ ଅନୁରାଗ ରହିଛି, ମୁଁ ନିଜ ଭିତରେ ମୋ’ର ଅସଲ ସାଥୀଟିକୁ ଖୋଜୁଛି । ଅର୍ଥାତ୍, ତାହାର ପରିପୂରକ ଭାବରେ ଅନ୍ୟ ସମସ୍ତଙ୍କ ଭିତରେ ମଧ୍ୟ ଅସଲ ସାଥୀଟିକୁ ଖୋଜୁଛି, ଅସଲ ଅନୁଗତ ଅଥବା ଅନୁଗାମୀଟିକୁ ମୋଟେ ନୁହେଁ, ମୁଁ ଅସଲ ସାଥୀଟିକୁହିଁ ଖୋଜୁଛି । ମୁଁ ଆପେ ଯେପରି, ଅନ୍ୟମାନେ ମଧ୍ୟ ଠିକ୍ ସେହିପରି । ଅନ୍ୟମାନେ ମଧ୍ୟ ପରିପୂର୍ଣ୍ଣ ଅଭୀପ୍‌ସା ରଖି ବାହାରିଛନ୍ତି, ଶତ ଓ ସକଳ ଅପୂର୍ଣ୍ଣତା ସତ୍ତ୍ୱେ ସେମାନେ ମଧ୍ୟ ପୂର୍ଣ୍ଣରୁ ପୂର୍ଣ୍ଣତର ହେବାଲାଗି ଅନୁରାଗ ରଖିଥିବେ ଏବଂ ଅଦମ୍ୟ ଉଦ୍ୟମ କରୁଥିବେ । ସେମାନେବି ନିଜଭିତରେ ନିଜର ଅସଲ ସାଥୀଟିକୁ ଖୋଜୁଥିବେ । କେତେବେଳେ ହାତ ଲାଗି ଯାଉଥିବ ତ କେତେବେଳେ ଛାଡ଼ି ହୋଇ ଯାଉଥିବ । ଏବଂ, ସେମାନେ ମଧ୍ୟ ଅନ୍ୟମାନଙ୍କ ଭିତରେ ସହାନୁଭୂତିଶୀଳ ଏପରି ଜଣେ ସାଥୀକୁ ଖୋଜୁଥିବେ, ଯିଏକି ସେମାନଙ୍କୁ ବଳ ଦେଇପାରିବ, ସାହସ ଦେଇପାରିବ ଓ ସର୍ବୋପରି ଜଣେ ସାଥୀରୂପେ ସ୍ଵୀକୃତି ମଧ୍ୟ ଦେଇପାରିବ । ଆମ ପରସ୍ପର ଭିତରେ ଭାବନା ଏବଂ ବାସନା ଏହିଭଳି ହେବା ଉଚିତ । ଯେଉଁ ସତ୍ୟକୁ ମୁଁ ଖୋଜୁଛି, ମୋ’ର ସାଥୀମାନେ ମଧ୍ୟ ସେହି ସତ୍ୟକୁ ଖୋଜୁଛନ୍ତି-। ତେବେ ଆମ ଭିତରେ ପରସ୍ପରକୁ ଗିଳି ପକାଇବାର ଏହି କ୍ରୂରତା ଆଉ କାହିଁକି ରହିବ ? ଆମେ ଜଣେ ଆରେକକୁ ଅତିକ୍ରମ କରିଯାଇ ସବାଆଗ ସ୍ଵର୍ଗରେ ଯାଇ ପହଞ୍ଚିବା ପାଇଁ କାହିଁକି ଏତେ ସକସକ ହେବା ?

 

୧୫ । ୧୧ । ୯୨

 

ସିଏ ଦୁଃଖ ଦୂର କରନ୍ତିନାହିଁ, ସିଏ ଡିଆଁଇ ନିଅନ୍ତି । ଆଗରୁ ସବୁ ଦୁଃଖ, ସବୁ କ୍ଷତ ଓ ସବୁ ମୁଣ୍ଡଉପରେ ପଥର ପରି ଲଦି ହୋଇ ରହିଥିବା ପରି ଲାଗୁଥାଏ; ସିଏ ଏହି ଧଡ଼ଟା ଭିତରେ, ହୃଦୟରେ ଏହି ଧଡ଼ଟା ଭିତରେ ପଶି କ’ଣ କରନ୍ତି କେଜାଣି, ହଠାତ ବଳ ଆସେ ସେହି ବଳଦ୍ଵାରା ଖିଅ ଲାଗିଯାଏ ଏବଂ ଖିଅ ଲାଗିଗଲେ ଦୁଃଖ ଦୂର ହୁଏ । ସେହି ଖିଅ ଅତିକ୍ରମ କରାଇନିଏ ।

 

ଖିଅ ଲାଗିଗଲେ ଅନ୍ଧାର ଆଉ ଅନ୍ଧାର ବୋଲି ଲାଗେନାହିଁ । ଅନ୍ଧାର ଏପରି ଏକ ନଈଟିଏ ପରି ମନେହୁଏ, ଯାହାକୁ ପହଁରି ପାରି ହୋଇଯିବ ବୋଲି ବିଶ୍ଵାସ ଆସେ । ନଈ ସେପାରିରେ ସ୍ଥଳଭାଗ ଦେଖାଯାଏ । ଶୂନ୍ୟଟା ଆକାଶ ହୋଇଯାଏ ଏବଂ ସେହି ଆକାଶକୁ ଆହୁରି କେତେ କେତେ ପୃଥିବୀର ଦିଗ୍‌ବଳୟ ଲାଗି କରି ରହିଥାଏ । ମୃତ୍ୟୁ ସେପାଖକୁ ଜୀବନ ଲାଗିକରି ରହିଥାଏ । ନଶ୍ଵରତାର ଯାବତୀୟ ଦୁର୍ଭାବନା ସେପାଖକୁ ସତେଅବା ଅବିନଶ୍ଵରତା ଲାଗି କରି ରହିଥାଏ । ସେହି ଅବିନଶ୍ଵରତାକୁ କେବଳ ମହାକାଶ ଭିତରେ ନୁହେଁ, ନିଜର ଏହି ସାନ ଛାତିଟା ଭିତରେ ମଧ୍ୟ ଠାବ କରିହୁଏ । ତେଣୁ, ହଜି ଯାଉଥିବା ପରି ମନେ ହେଉଥିବା ଯାବତୀୟ ସମ୍ପଦ ଓ ଯାବତୀୟ ନିର୍ଭର ପୁନର୍ବାର ପାଖରେ ମିଳିଗଲା ପରି ମନେହୁଏ । ଅତିକ୍ରମ କରିଯିବାର; ତାଙ୍କ ସହିତ ଖିଅ ଲଗାଇ ଅତିକ୍ରମ କରିଯିବାର ସେହି ଅନୁଭବଟିକୁ ମୁଁ ପ୍ରକୃତରେ ମହାଭାଗ୍ୟ ବୋଲି କହିବି । ପ୍ରକୃତରେ ଏକ ମହୌଷଧି ବୋଲି କହିବି । ସେହି ମହୌଷଧି ସତତ ଆମ ପାଖରେହିଁ ରହିଥାଏ । ଆମେ ତାହାର ଭାଜନ ହୋଇପାରିଲେ ଆମଲାଗି ତାହା ଅବଶ୍ୟ ଉପଲବ୍‌ଧ ହୁଏ । ଏବଂ, ସେହି ଉପଲବ୍‌ଧକୁ ନେଇ ଜୀବନ ବଞ୍ଚିହୁଏ । ଦୁଃଖରେ ବଞ୍ଚିହୁଏ, ସୁଖରେବି ବଞ୍ଚିହୁଏ । ବଞ୍ଚିଲା ପରି ବଞ୍ଚିହୁଏ । ଏହି ସବୁକିଛି ସାଙ୍ଗରେ ଧରି ବଞ୍ଚିହୁଏ । ଦୁଃଖକୁ ସାଙ୍ଗ କରି ବଞ୍ଚିହୁଏ । ଏବଂ, ଦୁଃଖକୁ ସାଙ୍ଗ କରି ବଞ୍ଚିବା, ଦୁଃଖକୁ ସାଙ୍ଗ କରି ଦୁଃଖକୁ ଅତିକ୍ରମ କରିଯିବା, ଏହା ଅପେକ୍ଷା ଆଉ ଅଧିକ ବଡ଼ ସୁଖ ସଂସାରରେ ବା ସ୍ଵର୍ଗରେ ପ୍ରକୃତରେ ଆଉ କ’ଣ ରହିଛି ?

 

୧୬ । ୧୧ । ୯୨

 

ଗୋଟାଏ ମନ୍ଦ social systemକୁ ବଦଳାଇବା ଲାଗି ମହାତ୍ମାଗାନ୍ଧୀ ଧର୍ମର ସାହାଯ୍ୟ ମଧ୍ୟ ନେଇଥିଲେ । ଏହାଦ୍ୱାରା ଅନେକ ଧାର୍ମିକ ବ୍ୟକ୍ତି ମଧ୍ୟ ଗାନ୍ଧୀ-ଆନ୍ଦୋଳନରେ ଯୋଗ ଦେଇଥିଲେ । ଅନେକ ଧନାଢ଼୍ୟ ବ୍ୟକ୍ତି ଯେଉଁମାନେ କି ସେହି ପୁରୁଣା ବ୍ୟବସ୍ଥାଟି ମଧ୍ୟରେହିଁ ଧନବାନ ହୋଇଥିଲେ, ସେମାନେ ଗାନ୍ଧୀ-କାର୍ଯ୍ୟକ୍ରମ ଏହି ଧର୍ମୀୟ ଉପାଦାନ ଓ ଆଚରଣଗୁଡ଼ିକ ଆଡ଼କୁ ଅତ୍ୟନ୍ତ ଆକୃଷ୍ଟ ହୋଇ ପାରିଥିଲେ । ସେମାନେ ମୂଳ systemଟି ବଦଳୁ ବୋଲି ପ୍ରକୃତରେ କେତେଦୂର ଆଗ୍ରହୀ ଥିଲେ, ସେ କଥାଟି ସହଜରେ କହି ହେବନାହିଁ । କିନ୍ତୁ, ଏକଥା ସତ ଯେ, ସେମାନେ ଦେଶରେ ବିଭିନ୍ନ ପ୍ରକାରର ସେବାକାର୍ଯ୍ୟ ନିମନ୍ତେ ଖୋଲା ହାତରେ ଦାନ କରୁଥିଲେ । ପ୍ରଧାନତଃ ସେହି ମୋଟା ଦାନଗୁଡ଼ିକୁ ପାଣ୍ଠିରୂପେ ବ୍ୟବହାର କରି ଦେଶରେ ଗାନ୍ଧୀକାମ ଓ ସେବା କାମଗୁଡ଼ିକ ଚାଲିଥିଲା । system ବଦଳିଲାନାହିଁ, ମାତ୍ର systemର କେତେକ ଧନ ଧର୍ମକାର୍ଯ୍ୟରେ ଖରଚ ହେଲା । ତାହା ସାଙ୍ଗକୁ ବିର୍ଲା ଓ ବେଜାଜ ପ୍ରଭୃତି କେତେ ଧନାଢ଼୍ୟ ବ୍ୟକ୍ତି ଗାନ୍ଧୀବାଦୀ ହୋଇ ରହିଗଲେ ।

 

ତତ୍‍କାଳୀନ ଗାନ୍ଧୀବାଦୀ ଧନାଢ଼୍ୟମାନଙ୍କର ପରିବାର ଏବେ ମଧ୍ୟ ବ୍ୟବସାୟ ଭିତରେ ରହିଛନ୍ତି, ପୁରୁଣା systemର ଅବ୍ୟବସ୍ଥାଟା ଭିତରେହିଁ ସେମାନେ ଧନୀ ହୋଇ ରହିଛନ୍ତି । ଗାନ୍ଧୀବାଦୀ ବିଖ୍ୟାତମାନଙ୍କର ଦାୟାଦ ହିସାବରେ ଏମାନେ ଏବେ ମଧ୍ୟ ଦେଶରେ ପରିଚିତ ହେଉଛନ୍ତି । ଭାରତବର୍ଷରେ ଏକ ନୂଆ ସମାଜର ଯେଉଁ ପ୍ରତିଷ୍ଠା ହୋଇଥାନ୍ତା, ମହାତ୍ମା ଗାନ୍ଧୀଙ୍କୁ ମୂଳତଃ ଜଣେ ଧର୍ମୀୟ ମହାତ୍ମା ବୋଲି କହୁଥିବା ବିଶିଷ୍ଟମାନେ ସେହି ଅଭିକ୍ରମଟିକୁ ସତେଅବା କାନ୍ଥ ଦେଇ ଅଟକାଇ ରଖିଛନ୍ତି । ଭାରତବର୍ଷ ଏବେ ମଧ୍ୟ ଆତ୍ମସମ୍ମାନରେ ନୁହେଁ, ଅଭିମାନୀ ବଡ଼ମାନଙ୍କର ଦାନ ଉପରେହିଁ ଅଧିକ ବିଶ୍ଵାସ କରୁଛି । ଦୟାଦ୍ୱାରା, ଉପରର ଦୟାଦ୍ୱାରା ତଳ ମଧ୍ୟ ଉପକୃତ ହେଉଥିବାର ସେହି ମରହଟ୍ଟୀ ଅନ୍ଧବିଶ୍ଵାସ ତଥାପି ଦେଶର ନେତୃତ୍ଵକୁ ଭାରି ପ୍ରଭାବିତ କରି ରଖିଛି । ମହାତ୍ମା ଗାନ୍ଧୀ କେଡ଼େ ସଂତର୍ପଣରେ ପୂଜା ପାଉଛନ୍ତି, ପରିବର୍ତ୍ତନ ବିରୋଧୀଙ୍କ ଦେଉଳରେ ଠାକୁର ହୋଇ ବସିଛନ୍ତି ।

 

୧୭ । ୧୧ । ୯୨

 

ପଘାରେ ବନ୍ଧାହୋଇ ରହିବାକୁ ଅନେକ ମଣିଷ ଜୀବନ ବୋଲି କହନ୍ତି, ସମାଜ ବୋଲି କହନ୍ତି ଓ ସଂଯମ ବୋଲି କହନ୍ତି । ମଣିଷମାନେ ସମସ୍ତେ ପୃଥିବୀରେ ଭୂମିଷ୍ଠ ହେଉ ହେଉ ଏହିଜାତୀୟ ନାନା ପଘାରେ ବନ୍ଧା ହୋଇ ରହନ୍ତି । ପରିବାରର ପଘା, ଧର୍ମ ଓ ନୀତିର ପଘା, ସଂସ୍କୃତି ପଘା, ଏପରିକି ଭାଷା ଓ ସାହିତ୍ୟର ପଘା ମଧ୍ୟ ଏହି ପର୍ଯ୍ୟାୟରେ ମଣିଷକୁ ବାନ୍ଧି ରଖିବାରେ ଭାରି ସାହାଯ୍ୟ କରିଥାଏ । ତାହାରି ସହିତ ଉଚିତ ଏବଂ ଅନୁଚିତର ପଘା, ବିଶ୍ଵାସ ଓ ଅବିଶ୍ଵାସ ପଘା ମଧ୍ୟ ପ୍ରାୟ ଏକାଠି ବଳି ହୋଇ ରହିଥାଏ । ଏହି ପଘାଗୁଡ଼ିକୁ ଆଖର ଛିଣ୍ଡାଇବାକୁ ପଡ଼େ ।

 

ପଘା ଛିଡ଼ାଇଲେ ଯାଇ ମନୁଷ୍ୟ ତା’ର ଅସଲ ବିବେକର ସମ୍ମୁଖୀନ ହୁଏ । ଏହି Real Unconscious ବା Real Superego ସମ୍ମୁଖୀନ ହେବା ହେଉଛି ଜୀବନରେ ଆମ ଅସଲ ଆହ୍ଵାନଟିର ସମ୍ମୁଖୀନ ହେବା । ଏହାଦ୍ଵାରା ମଣିଷ କ୍ରମେ ଅସଲ ନୀତି ଓ ଶୃଙ୍ଖଳା ଭିତରରୁ ଆସେ । ଅର୍ଥାତ୍, ଆପଣାର ବୃହତ୍ତର ଓ ସର୍ବୋତ୍ତମ ଆବଶ୍ୟକତାଗୁଡ଼ିକଦ୍ଵାରା ପ୍ରବୃଦ୍ଧ ହୋଇ ସେ ନିଜପାଇଁ ଶୃଙ୍ଖଳା ବାଛିନିଏ, ନୀତି ବାଛିନିଏ, ପଘା ବାଛିନିଏ । ସିଏ ଏଗୁଡ଼ିକୁ ଆପେ ବାଛିଥାଏ, ଅନ୍ତର୍ଗତ ଆବଶ୍ୟକତାଦ୍ଵାରା ବାଛିଥାଏ; ତେଣୁ, ତାହାକୁ ଛିଣ୍ଡାଇ ପଳାଇବାର କୌଣସି ପ୍ରଶ୍ନହିଁ ନଥାଏ । ଏଇଥିରୁହିଁ ଅସଲ ସଂସ୍କୃତିର ପରିଧି ଭିତରକୁ ଆସିବା ସମ୍ଭବ ହୁଏ । This second coming ହେଉଛି ଅସଲ coming-ଏଇଥିରୁହିଁ ସିଏ ନିଜପାଇଁ ନିଜ ଅନୁକୂଳ ସଂସ୍କାରଗୁଡ଼ିକୁ ବାଛିନିଏ ଓ ସେହିଗୁଡ଼ିକ ଅନୁସାରେ ଜୀବନଟିଏ ବଞ୍ଚିବା ଲାଗି ପ୍ରୟାସ କରେ । ଜୀବନରେ ଯାବତୀୟ ମୂଲ୍ୟୋପଲବ୍‌ଧି ଏବଂ ଜୀବନ ବଞ୍ଚିବାର ଯାବତୀୟ ଔଚିତ୍ୟର ଉପଲବ୍‌ଧି ସେତିକିବେଳେ ସମ୍ଭବ ହୁଏ । ଶିକ୍ଷା ଏପରି ହୁଅନ୍ତା, ଯାହାକି ମନୁଷ୍ୟକୁ ତା’ tribal becomingର ଯାବତୀୟ ପଦାରୁ ଯଥାସମ୍ଭବ ଅଧିକ ଶୀଘ୍ର ଫିଟିଯିବାର ସାହସ ଯୋଗାଇ ଦିଅନ୍ତା ତଦ୍ଦ୍ଵାରା ମଣିଷର second coming ମଧ୍ୟ ତ୍ୱରାନ୍ୱିତ ହୋଇ ପାରନ୍ତା । କାରଣ, ଏହି second coming ପରେହିଁ ଜଣେ ମଣିଷ ସାର୍ଥକ ଭାବରେ ଏକ ଭବିଷ୍ୟପାଇଁ ବଞ୍ଚିପାରିବ, ସାର୍ଥକ ଭାବରେ ଭଗବାନ୍‍ଙ୍କ ପାଇଁ ମଧ୍ୟ ବଞ୍ଚିପାରିବ ।

 

୧୮ । ୧୧ । ୯୨

 

ଦେଶର ମଣିଷମାନଙ୍କୁ ଅନାଦର ଓ ହତାଦର ପ୍ରକଟ କରି ପ୍ରତ୍ୟହ କେତେ କ’ଣ ଘଟିଯାଉଛି, ମାତ୍ର ତାହାର ପ୍ରାୟ କୌଣସି ପ୍ରତିବାଦ ନାହିଁ । ପ୍ରତିରୋଧ ତ ଆହୁରି ଅଧିକ ଦୂରର କଥା । ଏହି ପ୍ରତିରୋଧହିଁ ସତ୍ୟାଗ୍ରହ । ସତ୍ୟାଗ୍ରହ କେବଳ ରାଜନୀତିକ ଦଳମାନେ କରୁଛନ୍ତି । ସତ୍ୟର ପ୍ରତିଷ୍ଠା ନିମନ୍ତେ ସେମାନେ ସେମାନଙ୍କର ତଥାକଥିତ ସତ୍ୟାଗ୍ରହକୁ କରୁନାହାନ୍ତି । ସେମାନଙ୍କ ଲାଗି ଯାହା ଏକମାତ୍ର ସତ୍ୟ, ସେହି ସତ୍ୟର ପ୍ରାପ୍ତି ଲାଗି ସେମାନେ ଧାରଣା ଦେଉଛନ୍ତି, ସଭା ଓ ଶୋଭାଯାତ୍ରା କରୁଛନ୍ତି; ଏବଂ, କ୍ଷମତାକୁ ଆସିବା ଯେକୌଣସି ମତେ କ୍ଷମତାକୁ ଆସିବା ହେଉଛି ସେମାନଙ୍କ ଲାଗି ଏକମାତ୍ର ସତ୍ୟ । ତେଣୁ, ଭାରତବର୍ଷରେ ଯେଉଁ ସତ୍ୟାଗ୍ରହ ସବାଆଗ ହେବା କଥା, ସେହି ସତ୍ୟାଗ୍ରହ ଲାଗି ନେତୃତ୍ଵ ଦେବାକୁ କେହି ନାହାନ୍ତି । ଗତ ପଇଁଚାଳିଶବର୍ଷର ରାଜନୀତି ଓ ଶାସନ ଦେଶର ସତ୍ୟଶକ୍ତିକୁ ସତେଅବା ଖାସୁ କରିଦେଇ ସାରିଲେଣି ।

 

ଶାସନ, ନ୍ୟାୟ, ଶାନ୍ତିରକ୍ଷା, ଉନ୍ନୟନ–କାର୍ଯ୍ୟ, ଚିକିତ୍ସାସେବା, ଶିକ୍ଷାପ୍ରସାର ଓ ଅପରାଧ-ନିବାରଣ,–ଏହି ଦେଶରେ ସବୁକିଛି ଚାଲିଛି । ମାତ୍ର, ଏହି ସବୁକିଛି ଯେ ମଣିଷପାଇଁ ଚାଲିଛି, ସତେଅବା ଆଉ କାହାରିହେଲେ ମନେ ନାହିଁ । ଥାନାବାବୁଙ୍କର ମନେ ନାହିଁ, ନ୍ୟାୟାଳୟରେ ବସିଥିବା ତଟସ୍ଥ କର୍ତ୍ତାମାନଙ୍କର ମନେ ନାହିଁ, ଅଧ୍ୟାପକର ମନେ ନାହିଁ, କିମ୍ବା ଡାକ୍ତରଙ୍କରବି ମନେ ନାହିଁ । ରାଜନୀତିକ ଦଳଗୁଡ଼ିକର ନେତାମାନେ ତ କେଉଁକାଳୁ ପାଷଣ୍ଡ ହୋଇ ସାରିଲେଣି । ତେଣୁ, ଦୟାରେହିଁ ଯାହାକିଛି ଚାଲିଛି, ହାତଗୁଞ୍ଜା ଦେଲେ ଯାହାକିଛି ସମ୍ଭବ ହେଉଛି । ରାଜାମାନେ ଖିଆଲ ଅନୁସାରେ ଶାସନ କରୁଛନ୍ତି, ଆପଣାକୁ କେଶରୀ ବୋଲାଉଛନ୍ତି । ମନ୍ତ୍ରୀପଦକୁ ଇନ୍ଦ୍ରପଦ ବୋଲି ମଣୁଛନ୍ତି । ସତ୍ୟାଗ୍ରହ ପାଇଁ କାହାରି ବେଳ ନାହିଁ । ଯେଉଁମାନେ ସତ୍ୟାଗ୍ରହୀ ହୋଇପାରନ୍ତେ, ଯେଉଁମାନେ ପ୍ରତିବାଦ କରିପାରନ୍ତେ, ସେମାନଙ୍କର ସତ୍ୟ ଲାଗି ଏହି ଦେଶରେ ଆଉ କୌଣସି ସମ୍ଭାବନା ଅଛି ବୋଲି ଆଉ କୌଣସି ପ୍ରତ୍ୟୟ ହେଉନାହିଁ । ଧୂର୍ତ୍ତମାନଙ୍କ ହାତରେ ମଣିଷମାନଙ୍କର ଭାଗ୍ୟ ପଶାପାଲିର ଗୋଟିଗୁଡ଼ାକ ପରି ନାଚିବାରେ ଲାଗିଛି । ସତ୍ୟାଗ୍ରହ ପ୍ରକୃତରେ ଏହି ଯାବତୀୟ ସାମନ୍ତବାଦିତାର ଅହଂକାରକୁ ଖର୍ବ କରିବାପାଇଁହିଁ ହୁଅନ୍ତା ଅହଂକାରଶୂନ୍ୟ ମନୁଷ୍ୟମାନେ ତାହା କରିପାରନ୍ତେ ।

 

୧୯ । ୧୧ । ୯୨

 

ମୋ’ର ସ୍ଵପ୍ନ ଭିତରେ ମଧ୍ୟ ମୁଁ ମିତ୍ରକୁ ଦେଖିପାରୁଛି । ଅର୍ଥାତ୍, ମୋ’ର ମିତ୍ର କେବଳ ମୋ’ ଜାଗରଣ ସମୟରେ ମୋ’ ଭିତରେ ମାରଣା ହାତୀଟାକୁ ଆୟତ୍ତ କରିବ ବୋଲି ମାହୁନ୍ତ ପରି ଅଙ୍କୁଶ ମାରିବାପାଇଁ ରହିନାହିଁ । ସିଏ ମୋ’ର ଅବଚେତନରେ ମଧ୍ୟ ରହିଛି । ତେଣୁ, ମୋ’ ସ୍ଵପ୍ନର କ୍ଷେତ୍ରରେ ମଧ୍ୟ ରହିଛି । ଏବଂ, ଯେଉଁଠାରେ ଅବଚେତନରେ ମିତ୍ରର ବର୍ତ୍ତମାନତା ସମ୍ଭବ ହୋଇ ପାରିଲାଣି, ସେଠା ଜାଗରଣର ସମୟରେ ମୋ’ର ଗୋଡ଼ ଖସିଯିବ ବୋଲି ଆଉ କାହିଁକି ଭୟ ରହିବ ? ମିତ୍ରକୁ ମାହୁନ୍ତ ବୋଲି ମନେ କରିବାରେ ପ୍ରଥମ ସଂସ୍କାରଟା ପୁରୁଣା ହୋଇ କେତେ ପଛରେ ପଡ଼ି ରହିଲାଣି । ମୋ’ ଭିତରେ ରହି ମୋତେ ପୂର୍ଣ୍ଣ ଐଶ୍ଵର୍ଯ୍ୟରେ ପ୍ରସ୍ଫୁଟିତ ହୋଇ ଆସିବାର ଖୁସିକୁ ଯିଏ ସତତ ଯୋଗାଇ ଦେଉଛି, ସେଇ ମୋ’ର ମିତ୍ର, ସେଇ ମୋ’ର ଜନନୀ, ସେଇ ମୋ’ର ଜନକ ।

 

ତଥାକଥିତ ମନ୍ଦ ସ୍ଵପ୍ନ ମୁଁ ପ୍ରାୟ କେବେହେଲେ ଦେଖେନାହିଁ । ତା’ର କାରଣ, ଚେଇଁବାର ମୁହୂର୍ତ୍ତଗୁଡ଼ିକରେ ମଧ୍ୟ ମଣିଷମାନଙ୍କ ଭିତରେ କେତେ ଭଲଟାହିଁ ଦିଶେ; ପୁଲକମୟଟା ଆଗ ଦିଶେ,–ବୀଭତ୍ସଟା ରହିଛି ବୋଲି ସନ୍ଦେହ କରିବାକୁ ମଧ୍ୟ ମନ ହୁଏନାହିଁ । ସନ୍ଦେହ ଥିଲେ ସଙ୍କୋଚଟା ମଧ୍ୟ ଅଳ୍ପ ତ ରହିଥାଆନ୍ତା ଓ ମୋତେ ଯାବତୀୟ ଜୁଗୁପ୍‌ସାର ଶିକାର କରି ରଖିଥାନ୍ତା-। ମୋ’ ଭଗବାନ୍ ମୋ’ ଚେତନାର ଶିଖରଦେଶରେ ରହିଛନ୍ତି ସତ, ମାତ୍ର ମୋ’ ଜୀବନର ଶିଖରରୂପେ ଅତ୍ୟନ୍ତ ଚାକ୍ଷୁଷ ଭାବରେ ସିଏ ବିଦ୍ୟମାନ ରହିଛନ୍ତି ବୋଲି ସେ ମୋ’ ଭୂମିରେ ମଧ୍ୟ ରହିଛନ୍ତି । ନିଜର ମାଟିଟିକୁ ପାଗ କରୁଥିବାବେଳେ ସିଏ ମୋ’ ସଙ୍ଗେ ସଙ୍ଗେ ଅଛନ୍ତି । ଅଭୀପ୍‌ସା କହିଲେ ଖାଲି ଉପରକୁ ବୁଝାଏ ନାହିଁ, ଖାଲି ଉପରକୁ ଉଠିଯିବାକୁ ମଧ୍ୟ ବୁଝାଏନାହିଁ । ନିଜ ଭୂମିଟି ଉପରେ ତାଙ୍କରି ଚକ୍ଷୁ ସମ୍ମୁଖରେ ଏଠି ଏହି ଘରଟିକୁ ଯୋଗ୍ୟ କରି ଗଢ଼ିବ ଓ ଅଧିକରୁ ଅଧିକ ସମର୍ପଣ ଯୋଗ୍ୟ ହୋଇ ଏହି ସକାଳ ଓ ଏହି ସନ୍ଧ୍ୟାଗୁଡ଼ିକୁ ବଞ୍ଚିବା,–ତାହା ମଧ୍ୟ ଅଭୀପ୍‌ସା । ଆରୋହଣ ଏବଂ ଯଥାର୍ଥ ଭୂମିପ୍ରସ୍ତୁତି ମଧ୍ୟରେ କୌଣସି ଫରକ ମଧ୍ୟ ପ୍ରକୃତରେ କାହିଁକି ରହିବ ?

 

୨୦ । ୧୧ । ୯୨

 

ବସ୍ତୁବେଷ୍ଟିତ ଏବଂ ବସ୍ତୁ ଉପଭୋଗଉଦ୍ଦିଷ୍ଟ ସଂସାର ଆଦୌ ମାୟା ନୁହେଁ, ଏହି ବସ୍ତୁକୁ ତଥା ବସ୍ତୁଗୁଡ଼ିକର ଉପଭୋଗକୁ ଜୀବନର ultimate concern ବୋଲି ଗ୍ରହଣ କରିନେବା ହେଉଛି ମାୟା । ଯେଉଁମାନେ ସେହିପରି ଗ୍ରହଣ କରିଛନ୍ତି, ସେମାନେ ପ୍ରକୃତରେ ମାୟାରେ ପଡ଼ିଛନ୍ତି । ଏବଂ ସେହିମାନେହିଁ ପୃଥିବୀରେ ଅନେକ ନୃଶଂସତା ଓ ଅନେକ ଦରିଦ୍ରତାର କାରଣ ହୋଇ ରହିଛନ୍ତି ।

 

ଏହି ultimate concern ପୁଣି କ’ଣ ? ଧର୍ମମାନଙ୍କରେ ଭଗବାନ୍‍ଙ୍କୁ ଏହିପରି ଏକ concern ବୋଲି କୁହାଯାଇଛି । ମଣିଷ ଲାଗି କେତେକ ଧର୍ମ ମୋକ୍ଷକୁ ସେହି concern ବୋଲି ମାନିଛନ୍ତି । ଯେଉଁମାନେ ସଂସାର ବାହାରେ ଭଗବାନ୍‍ଙ୍କୁ ଆଉ କେଉଁଠି ବସି ରହି ପାପପୁଣ୍ୟର ବିଚାର କରି ସ୍ଵର୍ଗ ଓ ନର୍କର ବିଧାନ କରୁଥିବା କେହିଜଣେ ସର୍ବୋଚ୍ଚ ବିଧାତା ବୋଲି ଘୋଷଣା କରୁଛନ୍ତି ଏବଂ ସେହି ବିଧାନକୁ ପରମ ବିଧାନ ବୋଲି ମାନିନେଇ ତୁମ ଆମଭଳି ଯେଉଁ ମନୁଷ୍ୟମାନେ ଧର୍ମାର୍ତ୍ତ ଅଥବା ଜୀବନାର୍ତ୍ତ ହୋଇ ରହିଛନ୍ତି, ହୁଏତ ସେମାନେ ମଧ୍ୟ ମାୟାରେ ପଡ଼ିଛନ୍ତି । ପାହାଚ ପରେ ପାହାଚ ଉଠିବା ହେଉଛି ଜଣେ ଜାଗ୍ରତ ମଣିଷର ultimate concern,–ଚେତନାରେ ପାହାଚ ଉଠିବା, ଆପଣା ସମ୍ପର୍କଗତ ପରିଧିଗୁଡ଼ିକର ସଂପ୍ରସାରଣରେ ପାହାଚ ଉଠିବା ଏବଂ ଏକାତ୍ମକତାରେ ପାହାଚ ଉଠିବା,–ଜୀବନର ଯାବତୀୟ ଅନୁଧାବନର ଏହିଗୁଡ଼ିକହିଁ ମଣିଷର ସର୍ବୋଚ୍ଚ concern ହୋଇ ରହିବା ଉଚିତ । ମନୁଷ୍ୟ ଆଗ ନିଜକୁ ଆବିଷ୍କାର କରିବ, ଆପଣାର ଶକ୍ତି ଓ ସମ୍ଭାବନାଗୁଡ଼ିକୁ ଠାବ କରିବ, ସେଗୁଡ଼ିକର ଯଥାସମ୍ଭବ ପରିପୂର୍ଣ୍ଣ ବିକାଶ ଘଟେଇବ,–ଯୋଗ୍ୟ ହେବ, ନିଜ ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ସତ୍ୟଟି ଲାଗି ସିଏ ଯୋଗ୍ୟ ହେବ, ଆହୁରି ନାନା ଚରିତାର୍ଥତାର ମାଧ୍ୟମରେ ସେହି ସତ୍ୟ ବ୍ୟକ୍ତ ହେବା ନିମନ୍ତେ ଯେଉଁ ପୃଥିବୀରେ ଆମ ସମସ୍ତଙ୍କ ଲାଗି ଅପେକ୍ଷା କରି ରହିଛି, ସେହି ପୃଥିବୀଲାଗି ମଧ୍ୟ ଯୋଗ୍ୟ ହେବା ଏବଂ ଯୋଗ୍ୟ ହେବା ସଙ୍ଗେ ସଙ୍ଗେ ପାହାଚ ଉଠି ଉଠି ଯାଉଥିବା, ଜଣେ ଜାଗରୂକ ଓ ସ୍ପର୍ଶପ୍ରାପ୍ତ ମନୁଷ୍ୟର ଏହାହିଁ ସର୍ବପ୍ରଧାନ concern ହୋଇ ରହିବ । ସିଏ ନିଜକୁ ଅଧିକରୁ ଅଧିକ ଦେଇ ଶିଖିବ, ପରିପୂର୍ଣ୍ଣକାରୀ ଏକ ଅନ୍ତର୍ଗତ ଶ୍ରଦ୍ଧାଦ୍ଵାରା ଉଦ୍‌ବୋଧିତ ହୋଇ ସେ ନିଜକୁ ଦେବ, ଅର୍ଥାତ୍ ଏହି ପୃଥିବୀରେ କାମରେ ଲାଗିବ । ଏହି କାମରେ ଲାଗିବା ହେଉଛି ଅସଲ ପରିପୂର୍ଣ୍ଣତା, ultimate concern ଏହାକୁହିଁ କୁହାଯିବ ।

 

୨୧ । ୧୧ । ୯୨

 

ମଣିଷ ଆଗ ନିଜ ଭିତରେ ପ୍ରସ୍ତୁତ ହୋଇଗଲେ, ତା’ପରେ ସିଏ ଯାହା କିଛି କରିବ, ତାହା ପୃଥିବୀ ଲାଗି ଅବଶ୍ୟ କଲ୍ୟାଣକାରୀ ହେବ । ମାତ୍ର ଆଗ ଭିତରେ ପ୍ରସ୍ତୁତ ନହୋଇ ଗୋଟାଏ ତଥାକଥିତ ବଡ଼ ଆଦର୍ଶକୁ ଆଗରେ ରଖି ତା’ପଛରେ ଅନ୍ଧଙ୍କ ପରି ଅଥବା ଗୁଣ୍ଡାଙ୍କ ପରି ଧାଇଁଲେ ତଦ୍ଦ୍ୱାରା ପୃଥିବୀ ପ୍ରଧାନତଃ ଅନିଷ୍ଟହିଁ ହେବ । ଏବଂ, ଅଧିକାଂଶ କ୍ଷେତ୍ରରେ ବର୍ତ୍ତମାନ ସେହି ଅନିଷ୍ଟହିଁ ହେଉଛି । ଆଦର୍ଶର ଦ୍ଵାହିଦେଇ ହାତରେ ପତାକାଟିଏ ଧରି ମହାସାଗରରେ ଫମ୍ପା ପ୍ରତିଶ୍ରୁତିମାନ ଦେଇ ବାହାରିଥିବା ବ୍ୟକ୍ତି ଏବଂ ପିଲାମାନେ କ୍ଷମତାଠାରେହିଁ ଅଟକି ରହି ଯାଉଛନ୍ତି-। ସେମାନେ କ୍ଷମତା ଅଧିକାର କରି ଦୁର୍ଦ୍ଦାନ୍ତ ହେଉଛନ୍ତି, ଏହି ପୃଥିବୀର ଯାବତୀୟ ଶୁଭସମ୍ଭାବନାର ପଥରେ ପ୍ରତିବନ୍ଧକ ହୋଇ ରହୁଛନ୍ତି ।

 

ମୁଁ ଭିତରେ ପ୍ରସ୍ତୁତ ହେବି, ଅର୍ଥାତ୍ ମୁଁ ଆପଣାର ସ୍ଵାର୍ଥସିଦ୍ଧି ନଚାହିଁ ପୃଥିବୀର ଅଗ୍ରଗତି ଇଚ୍ଛା କରିବି । ମୋ’ର ଯାବତୀୟ ଆଚାର ତଥା ଆଚରଣରେ ମୁଁ ନୁହେଁ, ପୃଥିବୀହିଁ ସବାଆଗରେ ରହିଥିବ । ମୋ’ ନିଜ ଠାକୁରମାନଙ୍କୁ ମୁଁ କଦାପି ଏକମାତ୍ର ଠାକୁର ବୋଲି କହିବିନାହିଁ । ମୋ’ର ଆଦର୍ଶକୁ ନେଇ ମୁଁ କଦାପି ଉଗ୍ର ହେବିନାହିଁ । ପୃଥିବୀରେ ମଣିଷମାନଙ୍କର ସ୍ଵଭାବ ପରସ୍ପରଠାରୁ ଭିନ୍ନ ହୋଇଥିବାରୁ ସେମାନଙ୍କର ଧର୍ମ, ପଥ ଓ ମତ ଅବଶ୍ୟ ଭିନ୍ନ ଭିନ୍ନ ହେବ, ଏବଂ ସିଏ ସତ୍ୟକୁ ମଧ୍ୟ ଅବଶ୍ୟ ଭିନ୍ନ ଭିନ୍ନ ଦୃଷ୍ଟିରୁ ଦେଖିବ, ଏହି ଧାରାଟିକୁହିଁ ମୁଁ ପୃଥିବୀରେ ବାଟ ଚାଲିବାର ଅସଲ ଓ ସର୍ବମୂଳ ଭଦ୍ରତା ବୋଲି ଗ୍ରହଣ କରିବି । ମୁଁ ଆପଣାକୁ ଦେବାପାଇଁ ପ୍ରସ୍ତୁତ ଥିବି, ପୃଥିବୀଠାରୁ ଯଥାସମ୍ଭବ ଅଧିକା ଦୁହିଁନେଇ ନିଜେ ସ୍ଥୂଳ ହୋଇ ବସିବାର କୌଣସି ଅପମତଲବ ମୋ’ ଭିତରେ ନଥିବ । ଜଣେ ସମର୍ପିତ ମଣିଷ କହିଲେ ଯାହା ବୁଝାଏ, ମୁଁ ଅହରହଃ ତାହାହିଁ ହେବାଲାଗି ପ୍ରୟାସ କରୁଥିବି । ଆଦର୍ଶକୁ ଏକ ଆଢ଼ୁଆଳ ପରି ବ୍ୟବହାର କରି ଅନେକ ମଣିଷ ଏବେ ଯେଉଁପରି ଭାବରେ ହିଂସ୍ର, ଏବଂ ଉଗ୍ର ହୋଇ ଉଠୁଛନ୍ତି, ତାହାରିଫଳରେ ପୃଥିବୀରେ ଆଦର୍ଶବାଦର ଦୌରାତ୍ମ୍ୟଗୁଡ଼ାକ ଅଧିକରୁ ଅଧିକ ହେଉଛି ସିନା, ମାତ୍ର ଆଦର୍ଶବାନ୍ ମଣିଷଙ୍କର ସଂଖ୍ୟା କ୍ରମଶଃ କମି କମି ଯାଉଛି । ଆଦର୍ଶ ନାମରେ ପ୍ରତିଷ୍ଠିତ ହୋଇଥିବା ମନ୍ଦିରଗୁଡ଼ାକ କୌଣସି ଦୈତ୍ୟ ବାସ କରୁଥିବା ଗୁହା ପରି ଦିଶିବାକୁ ଆରମ୍ଭ କେଲେଣି ।

 

୨୨ । ୧୧ । ୯୨

 

କେବଳ ନିଜେହିଁ ଏକମାତ୍ର ସତ୍ୟର ଅଧିକାରୀ ବୋଲି ସାନ ସାନ ମଣିଷମାନେ ଏପରି ଦୃଢ଼ ଭାବରେ ଭାବିବା ନିମନ୍ତେ ସତେଅବା ମାଆପେଟରୁ ଶିଖି କରି ଆସିଛନ୍ତି ଯେ, ସେମାନେ ପରସ୍ପର ସହିତ ଏକାଠି ବସିବା ଲାଗି ମଧ୍ୟ ରାଜି ହେଉନାହାନ୍ତି । ଯଦି ସମସ୍ତେ ଅନ୍ତତଃ ପରୀକ୍ଷାମୂଳକ ଭାବରେ ଏକାଠି ବସନ୍ତେ, ତେବେ ଅତି କମ୍‌ରେ ଏହି କଥାଟିକୁ ଆବିଷ୍କାର କରିପାରନ୍ତେ ଯେ, ଏକମାତ୍ର ସତ୍ୟ କଦାପି ସଂଖ୍ୟାରେ ପନ୍ଦରଟା ହେବନାହିଁ, ଏକମାତ୍ର ସତ୍ୟ କେବଳ ଗୋଟିଏ ମାତ୍ରହିଁ ହେବ ।

 

ସେହି ଏକମାତ୍ର ସତ୍ୟଟି ପୁଣି କ’ଣ ? କୌଣସି ଗୋଟିଏ ଧର୍ମର ବହିରେ ଆମକୁ କଦାପି ସେହି ପ୍ରଶ୍ନଟିର ଉତ୍ତର ମିଳିବ ନାହିଁ । ବହିଗୁଡ଼ାକ ଅନୁସାରେ ସମ୍ପ୍ରଦାୟ ଓ ସମ୍ପ୍ରଦାୟଗୁଡ଼ିକ ଅନୁସାରେ ସ୍ଵତନ୍ତ୍ର ଭେକ, ସ୍ଵତନ୍ତ୍ର ବିଧି ଓ ସ୍ଵତନ୍ତ୍ର ଅଭ୍ୟାସ । ବସ୍ତୁତଃ ଏକମାତ୍ର ସତ୍ୟ ହେଉଛି ଯେ, ବିଭିନ୍ନ ମଣିଷଙ୍କୁ ସତ୍ୟ ଭିନ୍ନ ଭିନ୍ନ ଦିଶିବ, ଭିନ୍ନ ଭିନ୍ନ ପ୍ରତୀତ ହେବ ଓ ଭିନ୍ନ ଭିନ୍ନ ହୋଇ ଅନୁଭୂତବି ହେବ । ତେଣୁ, ସର୍ବପ୍ରଥମେ ସେହି ଭିନ୍ନତାକୁ ସ୍ଵୀକାର କରିବାକୁହିଁ ହେବ । ଏବଂ ତା’ପରେ, ଆପଣାର ଅନୁରାଗ ଓ ଆପଣାର ପ୍ରତୀତଟି ଅନୁସାରେ ମାର୍ଗଟି ବାହାର କରି ପାହାଚ ଉଠିବାକୁ ପଡ଼ିବ । ଚେତନାର ପାହାଚ ଉଠିବା,–ଅତ୍ୟନ୍ତ ନମନୀୟ ହୋଇପାରିଲେ ଯାଇ ତାହା ସମ୍ଭବ ହେବ । ପାହାଚ ଉଠି ପାରିଲେ, ଆମର ଯାବତୀୟ ଖଣ୍ଡପ୍ରତୀତି ଓ ଖଣ୍ଡପ୍ରତ୍ୟୟ ଯେ ଆଦୌ ଯଥେଷ୍ଟ ନୁହନ୍ତି, ସେହି ସତ୍ୟଟିର ଦର୍ଶନ ହେବ । ତା’ପରେ କଦାପି କେହି ବ୍ୟକ୍ତି ପ୍ରତୀତି ଅଥବା ପ୍ରତ୍ୟୟଗୁଡ଼ିକୁ ନେଇ ଆଉ ଝଗଡ଼ା କରିବାକୁ ଯିବନାହିଁ । ସମ୍ପ୍ରଦାୟମାନ ହୁଏତ ତା’ପରେବି ରହିବେ, ହୁଏତ ଧର୍ମମାନେବି ରହିବେ, ତଥାପି କେହି ସେଗୁଡ଼ିକୁ କାମୁଡ଼ି ଧରି ଯେଉଁଠି ସେଇଠି ଆଦୌ ଅଟକି ରହିବାକୁ ମନ କରିବେନାହିଁ । ଏପରି ଜଣେ ବ୍ୟକ୍ତି ନିଜ ଜୀବନରେ ଏକ ଅନ୍ୟ ଆହ୍ଵାନ ଶୁଣିବାକୁ ପାଇବ । ସେହି ଆହ୍ଵାନ କୌଣସି ଧର୍ମର ନୁହେଁ, କୌଣସି ମତର ନୁହେଁ,–ତାହା ହେଉଛି ଜୀବନର ଆହ୍ଵାନ, ଏକ ଅନ୍ୟପ୍ରକାରର ଜୀବନର ଆହ୍ଵାନ ଏକ ମହାଜୀବନର ଆହ୍ଵାନ । ସେହି ଆହ୍ଵାନ ଆମର ଯାବତୀୟ କ୍ଷୁଦ୍ରତ୍ଵା ଭିତରୁ ଆମକୁ ଅତି ସ୍ଵାଭାବିକ ଭାବରେ ବାହାର କରି ଆଣିବ, ମୁକ୍ତ କରି ଆଣିବ ।

 

୨୩ । ୧୧ । ୯୨

 

ମୁଁ ନିଜେ ଯେତିକି ବଦମାସ, ମୋତେ ସଂସାର ଠିକ୍ ସେତିକି ବଦମାସ ପରି ଦେଖାଯିବ । ମୁଁ ଯେତିକି ଅବିଶ୍ଵାସୀ, ସଂସାରଯାକର ମଣିଷମାନେ ମତେ ଠିକ୍ ସେତିକି ଅବିଶ୍ଵାସୀ ପରି ଦେଖାଯିବ । ଏବଂ, ଯଦି ମୁଁ ପ୍ରକୃତରେ କାହାରି ହୋଇନଥିବି, ତେବେ ସଂସାରରେ ସତକୁସତ କେହି ଆଦୌ କାହାରି ନୁହନ୍ତି ବୋଲି କହି ମୁଁ ଦର୍ଶନର ଭାଣ କରୁଥିବି । ଅନେକ ମଣିଷ ଏହି କଥାକୁ ଅବଶ୍ୟ ବୁଝୁଥିବେ, ମାତ୍ର ନିଜ ଜୀବନର ଆଚରଣବେଳେ ସେହି କଥାଟିକୁ ମନେରଖିବା କ୍ଷେତ୍ରରେ ଅନେକଙ୍କର କାହିଁକି ଏପରି ଗୋଡ଼ ଖସିଯାଏ କେଜାଣି ? ବର୍ତ୍ତମାନ ପୃଥିବୀଟା ଭାରି ଖରାପ ହୋଇଗଲାଣି ବୋଲି ଆମେ ଯେଉଁମାନେ କହିବାରେ ଲାଗିଛୁ, ଆମେ ଯେ ଆଗତୁରା ପ୍ରାୟ ସେତିକି ଖରାପ ହେବାଲାଗି ଜାଣତ ବା ଅଜାଣତରେ ଗୋଟିଏ ନିଷ୍ପତ୍ତି କରିନେଇଛୁ ଓ ସେହି ଅନୁସାରେ ଜୀବନ ବଞ୍ଚିବା ନାଁରେ ଭଲ ଦିଶିବାର ଅଭିନୟଟି କରିବାରେ ଲାଗିଛୁ, ଆମକୁ କ’ଣ ନିଜର ଏହି ନିର୍ବୋଧତା ପ୍ରକୃତରେ କୌଣସି ଅଙ୍କୁଶ ମାରୁନାହିଁ ? ଚରିତ୍ରକୁ କୁଆଡ଼େ ଫିଙ୍ଗି ଦେଇ ନିଜେ ଗୋଟାସୁଦ୍ଧା ଲଙ୍ଗଳା ହୋଇ ବୁଲୁଥିବା ମଣିଷମାନେ ଲୋକଚରିତ୍ର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଗଲା ବୋଲି ଯେତେବେଳେ ଖେଦ କରି କହନ୍ତି, ସେତେବେଳେ ମୋତେ ମୋଟେ କୌଣସି ଦୁଃଖ ବା ଭୟ ଲାଗେନାହିଁ, କେଜାଣି କାହିଁକି ଭାରି ହସ ମାଡ଼େ ।

 

ପୃଥିବୀରେ ଏମିତି ମଣିଷ ହସି ପାରୁଥିବା ମଣିଷଙ୍କର ସଂଖ୍ୟା ବୃଦ୍ଧି ପାଉଥିବା ପର୍ଯ୍ୟନ୍ତ ପୃଥିବୀ ତିଷ୍ଠି ରହିବା ବିଷୟରେ ଆଦୌ କୌଣସି ସନ୍ଦେହ ରହିବା ଉଚିତ ନୁହେଁ । ଯେଉଁ ମଣିଷମାନେ କେବଳ ପୃଥିବୀକୁ ନୁହେଁ, ନିଜକୁ ମଧ୍ୟ ହସି ପାରୁଥିବେ, ଆଦୌ କୌଣସି ଅଭିନୟ ନକରି ଯେଉଁମାନେ ଆପଣାକୁ ପାହାଚକୁ ପାହାଚ ଡିଆଁଇ ନେଉଥିବେ, ସେଇମାନେହିଁ ପୃଥିବୀକୁ ରଖିଛନ୍ତି । ସେଇମାନେହିଁ ପୃଥିବୀକୁ ରଖିବେ । ସବୁଠାରୁ ଅଧିକ ପାହାର ହୁଏତ ସେହିମାନେବି ଖାଇବେ, ସେଇମାନେ ସବୁ ହସିବେ, ଏବଂ ଭଗବାନ୍ ସେହିମାନଙ୍କୁହିଁ ଯାବତୀୟ ନବସଂସ୍ଥାପନରେ ସବୁଠାରୁ ଅଧିକ ଭାର ଦେବେ । ସେମାନେ ତଥାପି ରାଜି ହୋଇଯିବେ ଓ ବୋଝଗୁଡ଼ିକୁ ବହନ କରିବେ । ଭଗବାନ୍ ବିଶ୍ଵାସୀମାନଙ୍କ ସହିତହିଁ ବାଟ ଚାଲିବେ ।

 

୨୪ । ୧୧ । ୯୨

 

ଏହି ଦେଶରେ ସବୁକିଛି ମାଗଣା ହୋଇଯାଉଛି ବୋଲି ବିଭିନ୍ନ ସ୍ତରରେ ବିଜ୍ଞ ଏବଂ ବିବେକୀମାନେ ବିଗତ ବହୁବର୍ଷ ହେଲା କହି ଆସୁଛନ୍ତି । ଏହି ଦେଶର ଶାସନ ଦେଶରେ ବାସ କରୁଥିବା କୋଟି କୋଟି ମଣିଷଙ୍କ ପାଇଁ କିଛି କରିପାରୁନାହିଁ ବୋଲି ବେଳେବେଳେ ସ୍ଵୟଂ ଶାସକମାନେ କହୁଛନ୍ତି । ସ୍ଵୟଂ ଅଧ୍ୟାପକମାନେ କହୁଛନ୍ତି ଯେ, ଯେମିତି ପାଠ ପଢ଼ିଯିବାର କଥା, ସେପରି ପାଠ ଆଦୌ ପଢ଼ା ହେଉନାହିଁ । ସମସ୍ତେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ତଥାପି ସବୁକିଛି, ପ୍ରାୟ ସେହିପରି ଚାଲିଛି । ରାଜନୀତି ଭିତରେ ହୁଣ୍ଡାମାନେ ପଶି ରାଜନୀତିକୁ ଏକ ହୁଣ୍ଡାମିରେ ପରିଣତ କରି ଦେଲେଣି । ହୁଣ୍ଡାମାନଙ୍କ ପାଖରେ କ୍ଷମତା ଅଛି, ତେଣୁ ସେମାନଙ୍କୁ ହୁଣ୍ଡା ବୋଲି ଜାଣି ମଧ୍ୟ ପ୍ରାୟ କାହାରି ପାଟି ଫିଟୁନାହିଁ । ଏହାରି ଭିତରେ ଯିଏ ତଥାପି ପାଟି ଖୋଲି ସତକଥାଟିକୁ କହୁଛି, ଯେ ପ୍ରତିବାଦ କରୁଛି, ଏସବୁ ଏଣିକି ଅଲବତ୍ ବନ୍ଦ ହେଉ ବୋଲି ସିଏ ଦାଣ୍ଡକୁ ଆସି କହୁଛି, ସିଏ ସତ୍ୟାଗ୍ରହୀ । ସିଏ ବା ସେମାନେ ଆମ ସମସ୍ତଙ୍କର ଅଭିନନ୍ଦନୀୟ-

 

ଏହି ସତ୍ୟାଗ୍ରହ ବ୍ରିଟିଶ୍ ଶାସକମାନଙ୍କର ଦରବାରରେ ଯଦି କିମିଆ ସମ୍ଭବ କରିପାରିଲା, ମଣିଷ ଭିତରର ସତ୍ୟଶକ୍ତି ଅର୍ଥାତ୍ ଅସତ୍ୟ ବିରୁଦ୍ଧରେ ପ୍ରତିବାଦଶକ୍ତିକୁ ଯଦି ସିଏ ଉଦ୍‌ବୋଧିତ କରି ଆଣିଲା, ତେବେ ସ୍ଵାଧୀନ ଭାରତକୁ ଶାସନ କରୁଥିବା ହୁଣ୍ଡାମାନଙ୍କର ପ୍ରତିବାଦରେ ମଧ୍ୟ ତାହାର ପ୍ରୟୋଗ କରାଯାଇପାରିବ । ସେହି ପ୍ରୟୋଗ ଯେ ସ୍ଵାଧୀନ ଭାରତରେ ଏପର୍ଯ୍ୟନ୍ତ ହୋଇ ନଥିଲା, ତାହା ଆମ ସମସ୍ତଙ୍କ ସକାଶେ ଏକ ଲଜ୍ଜାର କଥା, ଆମ ବିବେକ ସକାଶେ ଲଜ୍ଜାର କଥା । ସତ୍ୟାଗ୍ରହୀମାନେ କୌଣସି କାରଣରୁ ସଜ୍ଜନ ହୋଇ ରହିବାକୁ ଇଚ୍ଛା କଲେ ବୋଲି ଏହି କେତେବର୍ଷ ଭିତରେ ଦେଶରେ ହୁଣ୍ଡାମାନଙ୍କ ଲାଗି ପାଳକଟାଏ ପଡ଼ିଗଲା । ହୁଣ୍ଡାମାନଙ୍କ ବ୍ୟତୀତ ଏହି ଦେଶରେ ଶାସନକୁ ଆଉ କେହି ନେଇ ଆଣି ଥୋଇ ଜାଣିବନାହିଁ ବୋଲି ଦେଶରେ ଏକ ଭ୍ରମ ସୃଷ୍ଟି ହୋଇଗଲା । ଏବେ ସେଇ ଭ୍ରମ ଭାଙ୍ଗିଯାଉ । ହୁଣ୍ଡା ଶାସନପଦ୍ଧତି ଯେ ପ୍ରାୟ ବାଧ୍ୟ ହୋଇ ଅସତ୍ୟଗୁଡ଼ାକୁ ଆଦରି ରହିଥାଏ, ଦେଶର ମଣିଷମାନେ କ୍ରମେ ତାହା ହୃଦୟଙ୍ଗମ କରନ୍ତୁ ।

 

୨୫ । ୧୧ । ୯୨

 

କର୍ମ ଯେତିକି ଯେତିକି ଯାବତୀୟ କର୍ମର ଅସଲ ମାଲିକଙ୍କର ପସନ୍ଦ ମୁତାବକ ହୋଇ ଆସୁଥାଏ, ତାହା ନିଜକୁ ସେତିକି ସେତିକି ଯାବତୀୟ କୋଳାହଳରୁ ମୁକ୍ତି କରିଆଣେ । ଭିତରେବି କ’ଣ କମ୍ କୋଳାହଳ ରହିଥାଏ ? ବେଳେବେଳେ ତ ମନେ ହୁଏ, ଭିତରେ ଅତ୍ୟନ୍ତ ଅକମନୀୟ ଭାବରେ ଆମକୁ କେତେ କେତେ କୋଳାହଳ କାବୁ କରି ରଖିଛନ୍ତି ବୋଲି ତ ଆମେ ବାହାରେ ଏତେ ଏତେ କୋଳାହଳ କରିବାପାଇଁ ଏପରି ପ୍ରଲୁବ୍ଧ ହେଉ ।

 

ସତ୍ୟାଗ୍ରହ ହେଉଛି ସତ୍ୟପାଇଁ ଏକ କର୍ମ । ତେଣୁ, ସତ୍ୟାଗ୍ରହରେ ଯଥାସମ୍ଭବ କମ୍ ଲୋକ କୋଳାହଳ କରାଯିବା ଉଚିତ । ଭାରତବର୍ଷ ସ୍ଵାଧୀନ ହେବାପରେ ପ୍ରଧାନତଃ ନିଜର ତାତ୍‍କାଳିକ ଦାବିମାନ ହାସଲ କରିବା ନିମନ୍ତେ ଯେଉଁସବୁ ତଥାକଥିତ ସତ୍ୟାଗ୍ରହ ଏ ଦେଶରେ କରାଯାଇ ଆସିଛି, ସେଥିରେ ସତେ ଯେପରି କୋଳାହଳଟାହିଁ ମୁଖ୍ୟ ବିଧି ହୋଇ ରହିଲା । ଯେଉଁମାନେ ଗାନ୍ଧୀଙ୍କର ପରମ୍ପରାଟିକୁ ନିଜ ଜୀବନରେ ଅବଲମ୍ବନ ଓ ବ୍ରତ ପରି ଗ୍ରହଣ କରିଥିଲେ, ସେମାନେ କେତେ କାରଣରୁ ସ୍ଵାଧୀନ ଭାରତରେ ସତ୍ୟାଗ୍ରହକୁ ଅବାଞ୍ଛିତ ବୋଲି ମନେ କରିବା ପରଠାରୁ ପ୍ରଧାନତଃ କୋଳାହଳୀମାନେ ନିଜର ଆନ୍ଦୋଳନମାନଙ୍କରେ ଯାହା କରୁଥିଲେ, ତାକୁହିଁ ସତ୍ୟାଗ୍ରହ ବୋଲି କୁହାଯାଉଥିଲା । ସତ୍ୟାଗ୍ରହ ପଛରେ ରାଜନୀତି ଅବଶ୍ୟ ରହିଛି । ମାତ୍ର, ତୁଚ୍ଛା ରାଜନୀତିଦ୍ଵାରା ପ୍ରରୋଚିତ ହୋଇ ଆମ ଦେଶରେ ଯେଉଁ ସତ୍ୟାଗ୍ରହମାନ ଗତ ଚାଳିଶବର୍ଷ ହେଲା କରାଯାଇ ଆସୁଛି, ତାହା ସତ୍ୟାଗ୍ରହର ଯଥାର୍ଥ ସଂଜ୍ଞାଟିକୁ ମଧ୍ୟ ବଦଳାଇ ଦେଇଛି । ଏବେ ଅସଲ ସତ୍ୟାଗ୍ରହୀମାନେ ବାହାରିଲେ ସେମାନଙ୍କୁ ସେହି ବିଷୟରେ ଅତ୍ୟନ୍ତ ସାବଧାନ ହେବାକୁ ପଡ଼ିବ । ସତ୍ୟାଗ୍ରହୀର ଅସଲ ଉଦ୍ଦେଶ୍ୟ ହେଉଛି ସତ୍ୟର ପ୍ରତିଷ୍ଠା । ସ୍ଵାର୍ଥ ଓ ଶୋଷଣ ଆମ ପୃଥିବୀରେ ଅନେକ ସତ୍ୟକୁ ପ୍ରାୟ ଅବାନ୍ତର ବୋଲି ସାବ୍ୟସ୍ତ କରି ରଖିଛି; ଏବଂ ସତ୍ୟାଗ୍ରହ ତାହାରି ସହିତ ନିଜର ଅସହଯୋଗ ଘୋଷଣା କରିବ । ଏବଂ, ଅତ୍ୟନ୍ତ କୋଳାହଳହୀନ ଭାବରେ ତାହାର ଘୋଷଣା କରାଯିବ । ଏଡ଼େବଡ଼ ପାଟି କରି ଆବଶ୍ୟକରୁ ଦଶଗୁଣ ଅଧିକ କଥା କହିବା ଲାଗି ଉତ୍ସାହୀ ସାଥୀ କେତେ ଆସି ଜୁଟିଯିବେ । ଜଣେ ସତ୍ୟାଗ୍ରାହୀକୁ ତଥାପି ସେମାନଙ୍କର ମୋହରୁ ମୁକ୍ତ ହୋଇ ରହିବାକୁ ହେବ । ସିଏ ତା’ ନିଜର କୌଣସି ସ୍ଵାର୍ଥର ସିଦ୍ଧିପାଇଁ କୌଣସି ଗଡ଼ ଦଖଲ କରିବାକୁ ଯାଉନାହିଁ, ତେଣୁ ସିଏ ଆବଶ୍ୟକ ସକଳ କୋଳାହଳ ପ୍ରଲୋଭନରୁ ଆପଣାକୁ ବାହାରେ ରଖିପାରିବ ।

 

୨୬ । ୧୧ । ୯୨

 

ଜୀବନର ସର୍ବନିମ୍ନ ଆବଶ୍ୟକତାଗୁଡ଼ିକର ପୂରଣ କରିବା ଦୃଷ୍ଟିରୁ ଦେଶର ପ୍ରାୟ କାଳ କାଳ ହେଲା ସର୍ବନିମ୍ନରେ ରହି ଆସିଛନ୍ତି, ସେମାନଙ୍କର ଅବସ୍ଥାରେ ପରିବର୍ତ୍ତନ ଲାଗି ପ୍ରକୃତରେ ମୂଳଭୂତ ଭାବରେ କିଛି ହେଉନାହିଁ । ଅଥଚ ସରକାର ଟିକସ ବଢ଼ାଇ ଚାଲିଛନ୍ତି । ତାଙ୍କର ବଜେଟ ବଢ଼ାଇ ଚାଲିଛନ୍ତି । ଖର୍ଚ୍ଚର ଅଟକଳ ବଢ଼ି ଚାଲିଛି । ଦେଶରୁ ଦାରିଦ୍ର୍ୟ ଦୂର କରିବା ସକାଶେ କୋଟି କୋଟି ଟଙ୍କା ଖରଚ ହେଉଛି ବୋଲି ଟିକସ ବଢ଼ୁଛି । ମାତ୍ର, ସେହି ଟଙ୍କା ମଧ୍ୟ ମଝିରେ ରହିଯାଉଛି, ବାବୁ ଓ ଚତୁର କେତେକଙ୍କ ହାତରେ ରହିଯାଉଛି ।

 

ମଦର ଦୋକାନ ଖୋଲାଇ ଟିକସ ଅଦାୟ ନକଲେ ଖରଚକୁ ଅଣ୍ଟିବନାହିଁ ବୋଲି କୁହାଯାଉଛି । ମଦ ପିଇବାକୁ ମନୁଷ୍ୟମାନେ ଯେପରି ଉତ୍ସାହିତ ହେବେ, ଅନ୍ତତଃ ଟିକସ ବଢ଼ିବା ଦୃଷ୍ଟିରୁ ସରକାର ହୁଏତ କେବେ ମନୁଷ୍ୟମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ କରିବେ । ମଦପଇସାରୁ ମଦୁଆମାନଙ୍କର ମଦଖିଆ ବନ୍ଦ କରିବାକୁ ସତକୁସତ କୌଣସି ମୌଳିକ ପରିବର୍ତ୍ତନର ବ୍ୟବସ୍ଥା ଆମର ଏପର୍ଯ୍ୟନ୍ତ ହୋଇନାହିଁ । ଇଂରେଜ ସରକାର ତ ଅନ୍ତତଃ ଶିକ୍ଷାପାଇଁ ଖରଚ କରିବା ସକାଶେ ଅବକାରୀ ପଇସାର ବିନିଯୋଗ କରୁଥିଲେ । ସ୍ଵାଧୀନ ଭାରତର ସରକାର ଦୟା କରିବା ବ୍ୟତୀତ ସର୍ବନିମ୍ନ ସ୍ତରରେ ରହିଥିବା ମନୁଷ୍ୟମାନଙ୍କ ପାଇଁ ଆଉ ପ୍ରାୟ କିଛି କରିବା ଅବସ୍ଥାରେ ନାହାନ୍ତି । ଅର୍ଥାତ୍ ତାଙ୍କ ସରକାରୀ ନେତୃତ୍ଵ ଏପରି ଏକ ଅସାମର୍ଥ୍ୟ ଓ ଅସହାୟ ସ୍ତରରେ ଆସି ପହଞ୍ଚିଛି, ଯେଉଁଠାରେ କି ତାହା ଆଉ ମୋଟେ ଦେଶରେ ବାସ କରୁଥିବା ସବୁ ମଣିଷମାନଙ୍କର ବିଚାର କରିପାରୁନାହିଁ । ଉପରୁ ଦୟାର ପ୍ରଦର୍ଶନ ହେବାଦ୍ଵାରା ସାମୟିକ ଭାବରେ କେତେ ମଣିଷଙ୍କର କିଞ୍ଚିତ୍ ପରିମାଣରେ ଅଭାବ ମେଣ୍ଟନ ହୁଏତ ହେବ, ମାତ୍ର ଦାରିଦ୍ର୍ୟ ଯିବନାହିଁ । ଆର୍ଥିକ ଦାରିଦ୍ର୍ୟକୁ ଦୂର କରିବାର ଦ୍ଵାହି ଦେଇ ମାନସିକ ଓ ରାଜନୀତି ଦାରିଦ୍ର୍ୟ ବୃଦ୍ଧି କରିବାହିଁ ସାର ହେବ ।

 

୨୭ । ୧୧ । ୯୨

 

ପ୍ରତ୍ୟେକ ମଣିଷ ନିଜ ନିଜ ଖିଆଲକୁ ଆଶ୍ରୟ କରି ନିଜ ନିଜ ସ୍ଵର୍ଗକୁ ପ୍ରତିଷ୍ଠିତ କରିବେ ବୋଲି ଅମିତ ଉତ୍ତେଜନା ସହିତ ଧାଇଁଛନ୍ତି । ମଣିଷ ମଣିଷ ଭିତରେ ସେଇଥିଲାଗି ବିବାଦ ଲାଗି ରହିଛି ।

 

ପୃଥିବୀରେ ଅଧିକାଂଶ ଧର୍ମଗୁରୁ ଖିଆଲଗୁଡ଼ାକୁ ଛାଡ଼ି ସତ୍ୟକୁହିଁ ଅବଲମ୍ବନରୂପେ ମାନିବାଲାଗି ଯୁଗେ ଯୁଗେ ଉଦ୍‌ବୋଧନ ଦେଇ ଆସିଥିଲେ ମଧ୍ୟ ସେହି ଗୁରୁମାନଙ୍କୁ ବ୍ୟବହାର କରି ଧର୍ମଭୀରୁ ମଣିଷମାନେ ସଂସାରରେ ଯେଉଁଗୁଡ଼ିକର ଭିଆଣ କରିଛନ୍ତି, ସେହି ସମ୍ପ୍ରଦାୟମାନେ ସତେଅବା ନିଜ ନିଜର ଖିଆଲ ଅନୁସାରେ କେତେକ ବିଧି ଓ କେତେକ ଭେକକୁ ପ୍ରାୟ ଅମୋଘ ବୋଲି ମାନି ନେଇଛନ୍ତି । ସେହିସବୁ ବିଧିକୁ ମାନିଲେ, ଭେକକୁ ଧରିଲେ ଏବଂ ସେହିସବୁ ପ୍ରତୀକଗୁଡ଼ିକୁ ପୂଜା କଲେ ସ୍ଵର୍ଗ ଅବଶ୍ୟ ମିଳିବ ବୋଲି ପ୍ରାୟ ଏକ ବର୍ବର ରାଜସିକତା ସହିତ ପ୍ରଚାର କରାଯାଇଛି । ମଣିଷ ସ୍ଵୟଂ ବିବେକର ଯୋଗ୍ୟ ହେବ, ବିଚାରର ଯୋଗ୍ୟ ହେବ, ସାହସୀ ହେବ, ନିଜେ ବାଟଚାଲି ସତ୍ୟକୁ ଆବିଷ୍କାର କରିବ,–ଏହି ଅନ୍ୟ ମାର୍ଗଟି ଲାଗି ସମ୍ପ୍ରଦାୟମାନେ ପ୍ରାୟ କୌଣସି ମୁଣ୍ଡ ଖେଳାଇ ନାହାନ୍ତି । ଆଦର୍ଶ ପୃଥିବୀର ପ୍ରତିଷ୍ଠା କରିବା ବିଷୟରେ ପ୍ରତ୍ୟେକ ଧର୍ମରେ ଗଦା ଗଦା ପବିତ୍ରବହି ଲେଖା ହୋଇଥିଲେ ମଧ୍ୟ ପୃଥିବୀରେ ଅନ୍ଧତା ଭରି ରହିଛି, ଉଗ୍ରତା ବୃଦ୍ଧି ପାଇଛି ଏବଂ ସେହି ସଙ୍ଗେ ସଙ୍ଗେ ଅସହିଷ୍ଣୁତା ମଧ୍ୟ ବଢ଼ିଛି । ଭାରତବର୍ଷରେ ଏହି ସଂସାରକୁ ମାୟା ମଣି ଘର ଛାଡ଼ିଥିବା ବାବାଜିମାନେ ମଧ୍ୟ ଏବେ ସେହି ଦୁର୍ଦ୍ଦଶା ଭିତରେ ପଡ଼ି କମ୍ ଅସହିଷ୍ଣୁ ହେଉନାହାନ୍ତି । ଏମାନେ ସମସ୍ତେ ଭଗବାନ୍‍ଙ୍କ ଠାରୁ ଓ ଏକ ଅଧ୍ୟାତ୍ମପ୍ରେରିତ ଜୀବନଠାରୁ କ୍ରମଶଃ ଦୂରକୁ, ବହୁଦୂରକୁ ଚାଲି ଯାଇଛନ୍ତି । ଓ ବର୍ତ୍ତମାନ ନିଜର ଖିଆଲ ଅନୁସାରେ ଦେଶଟାକୁ ମଧ୍ୟ ମଣ କରିବେ ବୋଲି ପାଗ ଭିଡ଼ି ଅନୁଷ୍ଠାନ ଗଢ଼ି ବାହାରିଛନ୍ତି । ତଥାପି, ସତ୍ୟହିଁ ରହିବ, ସହିଷ୍ଣୁତା ଆଡ଼କୁହିଁ ମନୁଷ୍ୟ ଜୀବନର ଦିନେ ସିନ୍ଦୂରା ଫାଟିବ, ପୃଥିବୀ ଉଶ୍ଵାସ ହେବ ।

 

୨୮ । ୧୧ । ୯୨

 

ପାର୍ସୀ ଓ ଆରବୀ ଭାଷାରେ, ଏପରିକି ମଧ୍ୟ ଏସିଆର ଏକାଧିକ ଭାଷାରେ ରାମାୟଣ କେତେ ସଂସ୍କରଣ ରହିଛି, ସେହିସବୁ ଭାଷାରେ ବିଭିନ୍ନ ଅର୍ଥରେ ‘ରାମ’ ଶବ୍ଦର ମଧ୍ୟ ଅର୍ଥ ରହିଛି । ଗବେଷକ ପଣ୍ଡିତମାନେ କହିଲେବି ଘୃଣା କରିବାକୁହିଁ ସ୍ଵଅନୁରାଗରେ ବାମ ବାହୁ ବୋଲି ବିଚାର କରୁଥିବା ଏବଂ ସେହି ଘୃଣାରୁହିଁ ନିଜ ଜୀବନକୁ ବଞ୍ଚିବା ଲାଗି ସର୍ବପ୍ରଧାନ ଉତ୍‌ପ୍ରେରଣା ଲାଭ କରୁଥିବା ବିଚାର ମଣିଷମାନେ କ’ଣ ମଙ୍ଗିଯିବେ ।

 

ମଣିଷମାତ୍ରେ ପ୍ରତ୍ୟେକ ବ୍ୟକ୍ତି ଏକ ଆତ୍ମା ବୋଲି ଆମର ଶାସ୍ତ୍ରମାନେ ତ କେଉଁକାଳୁ କହି ଆସିଛନ୍ତି । ଏବେ ମଧ୍ୟ ସଭାମାନଙ୍କରେ ସେହିସବୁ ଉତ୍ତୁଙ୍ଗ ବିଚାରଣାରେ କେତେ ପ୍ରଶସ୍ତି ଗାନ କରାଯାଉଛି । ମାତ୍ର, ତଦ୍ଦ୍ୱାରା କ’ଣ ଏଠାରେ ମଣିଷ ମଣିଷ ଭିତରେ ଏକ ପାରସ୍ପରିକ ସମତାବୋଧ ଓ ସମ୍ମାନବୋଧ ବେଳେବେଳେ ପ୍ରତିଷ୍ଠିତ ହୋଇ ଯାଉଛି କି ? ଯିଶୁଖ୍ରୀଷ୍ଟ ତ କେଉଁକାଳରୁ ଶତ୍ରୁକୁ ମଧ୍ୟ ଭଲ ପାଇବାର କଥା କହିଛନ୍ତି । ତଥାପି ପୃଥିବୀରେ ଯୁଦ୍ଧ କିପରି ହେଉଛି ? ଯିଏ ଯୁଦ୍ଧକୁ ଭଲ ପାଉଥିବ, ଭୋଗକୁ ଭଲ ପାଉଥିବ, ଅନ୍ୟ ଅନେକଙ୍କୁ ଦଳି ଦେଇ ନିଜେ ଆଗକୁ ମାଡ଼ିଯିବାର ଆଚାରଟିକୁ ଧର୍ମପ୍ରାୟ ମାନୁଥିବ ସିଏ କିପରି ଭଲ ପାଇବାକୁ ନିଜ ଜୀବନର ଧର୍ମ ବୋଲି ଗ୍ରହଣ କରିପାରିବ ? ତେଣୁ, ମଣିଷର ଶିକ୍ଷା ପରିବେଶ ଏବଂ ଜୀବନର ଧେୟ ବିଷୟରେ ତା’ର ଚେତନା ଅନୁରୂପ ହେଲେ ଯାଇ ହୁଏତ ଘୃଣା ଯିବ, Exclusiveness ଅନାବଶ୍ୟକ ମନେ ହେବ । ପ୍ରଚଳିତ ଧର୍ମମାନଙ୍କରେ ଫାଶ ଭିତରୁ ମୁକ୍ତ ହେବାଲାଗି ସତକୁସତ ମନେ କଲେ ଯାଇ ମଣିଷ ଆଧ୍ୟାତ୍ମିକତା ଭିତରକୁ ଆସିବାଲାଗି ମନ କରିବ । ତେଣୁ, ଏହିପରି ମନ ଥିବା ବ୍ୟକ୍ତିମାନଙ୍କର ଗୋଟିଏ ଗୋଷ୍ଠୀ ସାବାଆଗ ସମ୍ଭବ ହେବା ଦରକାର । ସାହସୀ ମନୁଷ୍ୟମାନଙ୍କର ଗୋଷ୍ଠୀଟିଏ ସମ୍ଭବ ହେଲେ ହୁଏତ ଭୀରୁତା ଅନାବଶ୍ୟକ ବୋଲି ସ୍ପଷ୍ଟ ହୋଇଯିବ । କେତେକ ମଣିଷ ସତକୁସତ ଭଲ ପଟରେ ରହିବା ସକାଶେ ବାହାରିଲେ ଯାଇ ମନ୍ଦଉପରୁ ଆସ୍ଥା ତୁଟିବ । ତେଣୁ, ସବାଆଗ ବ୍ୟକ୍ତିମାନେ ଦରକାର, ଅନୁରୂପ ବ୍ୟକ୍ତିମାନଙ୍କର ଏକ ଗୋଷ୍ଠୀ ଦରକାର, ସତର ପଟେ ରହିଥିବା ସାହସୀ ବ୍ୟକ୍ତି ଓ ଗୋଷ୍ଠୀମାନେ ଦରକାର ।

 

୨୯ । ୧୧ । ୯୨

 

ଆମ ପୃଥିବୀରେ ଜ୍ଞାନ ଆହୁରି ବଢ଼ୁ । ଜ୍ଞାନକୁ ଏକଦା ଶକ୍ତି ବୋଲି କୁହାଯାଉଥିଲା । ସେହିଦନ ଠାରୁ ଆଧୁନିକ ଯୁଗର ଓ ଆଧୁନିକ ଦୃଷ୍ଟିକୋଣରୁ ଆରମ୍ଭ ହେଲା ବୋଲି ଏବେ ଯୁଗସମୀକ୍ଷକମାନେ କହୁଛନ୍ତି । ସେହି ଜ୍ଞାନ କାଳକ୍ରମେ କେତେ କେତେ କ୍ଷେତ୍ରକୁ ପ୍ରସାରିତ ହୋଇଗଲାଣି, ବ୍ୟକ୍ତିଗତ ତଥା ସାମୂହିକ ଜୀବନର କେତେ କେତେ ଅନାବିସ୍ତୃତ ପ୍ରସ୍ତ ଏବେ ଆବିଷ୍କୃତ ହୋଇ ସାରିଲାଣି ତଥାପି ମଣିଷ, ପ୍ରତ୍ୟେକ ମଣିଷ ଏକ ବିବେକୋଚିତ ମାନବିକ ସ୍ତରକୁ ଆସିବା ଏବେ ମଧ୍ୟ ସମ୍ଭବ ହୋଇନାହିଁ । ମନୁଷ୍ୟ ନିଜର ନାନାବିଧ ହିଂସ୍ରତାଦ୍ଵାରା ଏହି ପୃଥିବୀଟାକୁ ବଡ଼ ଦୟନୀୟ ଭାବରେ ପୀଡ଼ାଗ୍ରସ୍ତ ଓ ଆତଙ୍କିତ କରି ରଖିଛି ।

 

ତେଣୁ, ଜ୍ଞାନ ଆହୁରି ବଢ଼ୁ ପଛକେ, ମାତ୍ର ତା’ ସହିତ ଏକାତ୍ମକତା ମଧ୍ୟ ବଢ଼ୁ । ହୃଦୟର ମଧ୍ୟ ଯେ ଏକା ଶକ୍ତି ଅଛି, ନିଜକୁ କେନ୍ଦ୍ର କରି ନଦେଖି ସମଗ୍ର ବିଶ୍ଵକୁ କେନ୍ଦ୍ର କରି ଦେଖିବାରେ ଯେ ଏକ ଶକ୍ତି ନିହିତ ରହିଛି, କେବଳ ଜ୍ଞାନର ପ୍ରଚଣ୍ଡ ହୋଇ ବସିଥିବା ମନୁଷ୍ୟ ଓ ସମୂହମାନେ କ୍ରମେ ସେ କଥା ହୃଦୟଙ୍ଗମ କରନ୍ତୁ । ଜ୍ଞାନ ମଣିଷକୁ ଯେଉଁ ଶକ୍ତି ଦେଇଆସିଛି ଓ ଏବେ ମଧ୍ୟ ଦେଉଛି, ତାହାକୁ ବ୍ୟବହାର କରିବାର ଅଧିକାର ସର୍ବପ୍ରଥମେ ହୃଦୟରେ ରହୁ । ଏଠାରେ ହୃଦୟ କହିଲେ ଆଦୌ କୌଣସି ଭାବପ୍ରବଣତାକୁ ବୁଝାଏ ନାହିଁ । ଅଶେଷ ଅଭେଦ ରହିଥିଲେ ମଧ୍ୟ ମଣିଷମାନଙ୍କୁ ପ୍ରାୟ ନିୟତି ନିର୍ଦ୍ଦିଷ୍ଟ ଭାବରେ ଯାହା ଏକାଠି ବାନ୍ଧି ରଖିଛି ସଂସ୍କାରଗତ ଯାବତୀୟ ପ୍ରକୋପ ସତ୍ତ୍ୱେ ପ୍ରତ୍ୟେକ ମନୁଷ୍ୟ ଭିତରେ ଯେଉଁ ଦିବ୍ୟତ୍ଵ ଲୁଚି ରହିଛି, ତାହାକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିବାକୁ ଓ ବସିବାକୁ ହେଲେ ଯେଉଁ ହୃଦୟ ସକ୍ରିୟ ହେବା ଏକାନ୍ତ ଆବଶ୍ୟକ, ମୁଁ ଏଠାରେ ସେହି ହୃଦୟର କଥା କହୁଛି । ଆମ ପୃଥିବୀରେ ସେହି ହୃଦୟର ଅଧିକରୁ ଅଧିକ culture ହେଉ; ଏବଂ, ସେହି cultureକୁ ତ୍ଵରାନ୍ୱିତ କରିବାରେ ବିଜ୍ଞାନର ସର୍ବାଧିକ ବିନିଯୋଗ ହେଉ । ସେହି ହୃଦୟ ଆମର ଧର୍ମ ଓ ଆମର ଆଦର୍ଶ ଭିତରେ ମଧ୍ୟ ପ୍ରେବଶ କରିବାର ଅଧିକାର ଲାଭ କରୁ । ତେବେଯାଇ ଯାବତୀୟ ଜ୍ଞାନ ଓ ଶକ୍ତି ମଣିଷକୁ ଯଥାର୍ଥରେ ଶକ୍ତିମନ୍ତ କରିପାରିବ । ଯେଉଁ ଶକ୍ତିମନ୍ତତା ମନୁଷ୍ୟକୁ ତା’ ନିଜ ଭିତରେ ରହିଥିବା ଦେବତ୍ୱର ପରିଚୟ ଆଣି ଦେଇଯାଏ, ମନୁଷ୍ୟ ସେହି ଶକ୍ତିମନ୍ତତାର ଅଧିକାରୀ ହୋଇପାରିବ ।

 

୩୦ । ୧୧ । ୯୨

 

ଯଦି ମୋର କାଲିପାଇଁ କାମ ରହିଛି, ମୋ’ର ପ୍ରୟୋଜନ ରହିଛି, ତେବେ ମୋ’ର ଏହି ପୃଥିବୀକୁ ଚାଲିଯିବାର କୌଣସି ପ୍ରଶ୍ନହିଁ ଉଠୁନାହିଁ । ଏଠାରେ ମୋ’ର ପ୍ରୟୋଜନ ରହିଥିବା ପର୍ଯ୍ୟନ୍ତ ମୋ’ର ଅବଶ୍ୟ ଲୋଡ଼ା ପଡ଼ିବ ଏବଂ, ଯାହାର କାମ ଓ ଯିଏ ମୋତେ ଏଠାରୁ ନେଇଯିବାର ଆଦୌ କୌଣସି ଅବକାଶହିଁ ନାହିଁ । କାଳେ ଏହି ପୃଥିବୀରୁ ଅଚାନକ ବିଦାୟ ନେଇଯିବାକୁ ପଡ଼ିବ, ସେହି ଭୟରେ ପ୍ରତିଦିନ ମରୁ ମରୁ ବଞ୍ଚି ରହିଥିବା ସଂସାରୀମାନଙ୍କୁ ମୁଁ ସେ କଥା ବୁଝାଇ କରି କହିପାରିବି ନାହିଁ ସତ, ମାତ୍ର ଏହା ମୋ’ର ଜୀବନ ବିଶ୍ଵାସର ଏକ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅଂଶ ହୋଇ ସବୁଦିନେ ରହିଥିବ ।

 

ଅନେକ ମଣିଷ ଅଛନ୍ତି, ଯେଉଁମାନେ ଆଦୌ ପ୍ରୟୋଜନରେ ଲାଗନ୍ତିନାହିଁ, ମାତ୍ର ଆବଶ୍ୟକ ପଡ଼ିଲେ ସାରା ପୃଥିବୀଟାକୁ, ଏପରିକି ଭଗବାନ୍‍ଙ୍କୁ ମଧ୍ୟ ନିଜ ପ୍ରୟୋଜନରେ ଲଗାଇବା ନିମନ୍ତେ ଗୋଡ଼ କାଢ଼ି ବସିଥାନ୍ତି । ସେମାନଙ୍କର ସତକୁସତ ଆଦୌ କୌଣସି କାମ ନଥାଏ । ଅର୍ଥାତ୍, ସେମାନେ ଆପଣାର ଲକ୍ଷେ କାମରେ ନିରନ୍ତର ଛନ୍ଦି ହୋଇ ରହିଥାଆନ୍ତି ସତ, ମାତ୍ର ଜୁଗୁପ୍‌ସା ବ୍ୟତୀତ ସେମାନଙ୍କ ଜୀବନରେ ପ୍ରାୟ ଅନ୍ୟ କୌଣସି ଧନ୍ଦା ନଥାଏ । ସେମାନେ ଗାତକୁଗାତ ହୋଇ ବୁଲୁଥାନ୍ତି । ଆପଣାକୁ ଲୁଚାଇ ରଖିବାକୁହିଁ ଯାହାକିଛି କାର୍ଯ୍ୟ କରୁଥାନ୍ତି । ଆପଣାକୁ ଲୁଚାଇ ରଖିବାକୁହିଁ ଆପଣାର ସର୍ବବୃହତ୍ ସୁରକ୍ଷା ବୋଲି ମାନୁଥାନ୍ତି । ମୃତ୍ୟୁର, ବହୁ କିସମର ମୃତ୍ୟୁ ଉଭୟଗୁଡ଼ାକହିଁ ସେମାନଙ୍କର ଜୀବନକୁ ମାଡ଼ି ବସିଥାଏ । ସତର୍କ ହୋଇ ହୋଇ ସେମାନଙ୍କର ଦିନ ଯାଏଁ । ଆପଣାକୁ ଏହିପରି ଭାବରେ ଲୁଚାଇ ରଖିବାର ସଦାସନ୍ତାପରେ ଲାଗିଥିବା ମଣିଷଟିଏ କିପରି କାହା କାମରେ ଆଦୌ ଲାଗି ପାରିବ ? ଭଗବାନ୍‍ଙ୍କର କାମରେ ଲାଗିପାରିବା ତ ଆହୁରି ଅନେକ ଅଧିକ ଦୂରର କଥା । ଯେଉଁମାନେ ଭଗବାନ୍‍ଙ୍କୁ ଯଥାସମ୍ଭବ ଅଧିକ ପରିମାଣରେ ନିଜ କାମରେ ଲଗାଇବାର ଫନ୍ଦି ଧରିଥାନ୍ତି, ସେମାନେ ହୁଏତ ମୃତ୍ୟୁକୁହିଁ ଭଗବାନ୍‍ଙ୍କ ଠାରୁ ଅଧିକ ଶକ୍ତିଶାଳୀ ବୋଲି ମଣୁଥାନ୍ତି । ଭଗବାନ୍‍ଙ୍କର ଯୋଜନା ଭିତରେ ଯେ ମୃତ୍ୟୁର ମଧ୍ୟ ଏକ ଭୂମିକା ରହିଛି, ସେମାନେ ସେ କଥା କଳ୍ପନା କରିପାରନ୍ତିନାହିଁ । ମୃତ୍ୟୁଭୀତ ମଣିଷର କଳ୍ପନାୟତନଟି ମଧ୍ୟ ଏହିପରି ଭାବରେ ଭାରି କ୍ଷୁଦ୍ରାୟତନ ହୋଇ ରହିଥାଏ । ଏବଂ, ତା’ର ସମର୍ପଣ ଭୂମିଟି ମଧ୍ୟ ପ୍ରାୟ ସେହି ଅନୁପାତରେ ଅତ୍ୟନ୍ତ ସଂକୀର୍ଣ୍ଣ ହୋଇ ରହିଥାଏ ।

 

୧ । ୧୨ । ୯୨

 

ଯଦି ତୁମେ ଖାଇ ଜାଣିଛ, ତେବେ ତୁମର ରାନ୍ଧି ଜାଣିଥିବା ଉଚିତ । ଯଦି ପାଠ ପଢ଼ାଇ ଜାଣିଛ, ତେବେ ପାଠ ପଢ଼ି ମଧ୍ୟ ଜାଣିଥିବା ଉଚିତ । ଯଦି ଫୁଲର ସୌନ୍ଦର୍ଯ୍ୟ ଉପରେ ତୁମର ଅଧିକାର ରହିଛି; ତେବେ ଫୁଲଗଛଟିଏ ଲଗାଇ ତାହାର ଆବଶ୍ୟକ ଶୁଶ୍ରୂଷା କରି ଫୁଲଟିଏ ଫୁଟାଇବାର ବିଦ୍ୟା ମଧ୍ୟ ତୁମର ଜାଣିଥିବା ଉଚିତ । ତେବେ ତୁମ ଘର ସୁନ୍ଦର ଦିଶିବ, ତୁମ ଫୁଲବଗିଚା ସୁନ୍ଦର ଦିଶିବ, ତୁମ ଇସ୍କୁଲଘର ସୁନ୍ଦର ଦେଖାଯିବ ଏବଂ, ସବୁଟିକୁ ମିଶାଇ ତୁମର ଏହି ପୃଥିବୀଟି ମଧ୍ୟ କେଡ଼େ ସୁନ୍ଦର ହୋଇ ପାରିବ । ମଣିଷ ଏହି ପୃଥିବୀକୁ କେବଳ ଭୋଗ ଅଥବା ଉପଭୋଗ କରିବାକୁ ଆସିନାହିଁ । ସିଏ ଏହି ପୃଥିବୀକୁ ଗଢ଼ିବାପାଇଁ ମଧ୍ୟ ଆସିଛି । ଯେଉଁ ଘରକୁ ଗଢ଼ିବାରେ ମୋ’ର ଭାଗ ନାହିଁ, ସେହି ଘରେ ରହିବାରେ ମଧ୍ୟ ମୋ’ର ଭାଗ ରହିବା ଉଚିତ ନୁହେଁ । ଆମ ପୃଥିବୀଟା ମଣିଷର ବହୁ ଅବିବେକଫଳରେ ଏପରି ଭାବରେ ତିଆରି ହୋଇ ରହିଛି, ଯେଉଁଠାରେ କି ଥୋକେ ମଣିଷ ପ୍ରାୟ ସବୁକିଛି ଭୋଗ କରିବେ ବୋଲି ବାକିମାନେ ଗଧ ପରି ଖଟିବାକୁ ଓ ଗଧ ପରି ଜୀବନଧାରଣ କରିବାକୁ ବାଧ୍ୟ ହେଉଛନ୍ତି । ସତେ ଯେପରି ଉପରର ଦୟାରେ ତଳର ଦୁଃଖ ମେଣ୍ଟିଯିବ, ସେଥିଲାଗି ସାମ୍ପ୍ରତିକ ପୃଥିବୀରେ ଅନୁରୂପ ଅବ୍ୟବସ୍ଥାଟିଏ ସମ୍ଭବ ହେଲେ ଚିରକାଳ ଲାଗି ଜାରି ରଖିବାକୁ କେତେମନ୍ତେ ଫିସାଦ ଚାଲିଛି । ଏହି ଫିସାଦିଆ ମଣିଷମାନେ ଫିସାଦ ଛାଡ଼ିବେ ଆଉ କେବକୁ ?

 

ମୋ’ର ସାହିତ୍ୟ, ମୋ’ର ଧର୍ମ, ସମ୍ବନ୍ଧ ଯୋଡ଼ିବା ସକାଶେ ମୋ’ର ଯାବତୀୟ ପ୍ରୀତି ମୋତେ ସେହି ଫିସାଦଗୁଡ଼ିକର ବାହାରେ ରଖିଥାଉ,–ପୃଥିବୀରେ ଚେତନାକ୍ଷେତ୍ରରେ ସହଯୋଗ କରିବା ଲାଗି ଇଚ୍ଛା କରୁଥିବା ମଣିଷର ଏହାହିଁ ନିତ୍ୟ ଅଭିଳାଷ ଏବଂ ନିତ୍ୟପ୍ରାର୍ଥନା ହୋଇ ରହିଥିବା ଉଚିତ । ସାମ୍ପ୍ରତିକ ପୃଥିବୀରେ ତା’ର ଜୀବନ ସତକୁସତ ଏକ alternative ହୋଇ ରହିପାରୁଥିବା ଉଚିତ । ତେବେ ଯାଇ ଏହି ପୃଥିବୀରୁ ମିଛ ଦେବତାମାନଙ୍କୁ ବିଦା କରି ମଣିଷକୁ ତା’ର ଯଥାର୍ଥ ଦିବ୍ୟତା ତଥା ଯଥାର୍ଥ ଐଶ୍ଵର୍ଯ୍ୟବୈପୁଲ୍ୟରେ ପ୍ରତିଷ୍ଠିତ କରିବାର ଅଭିକ୍ରମରେ ସିଏ ଯଥାର୍ଥ ସହଯୋଗ କରିପାରିବ । ତେଣୁ, ସିଏ ଖାଇଜାଣିବା ସଙ୍ଗେ ସଙ୍ଗେ ରାନ୍ଧି ଶିଖୁ, ଫଳର ସୌନ୍ଦର୍ଯ୍ୟ ଉପରେ ଆପଣାର ଅଧିକାର ସାବ୍ୟସ୍ତ କରିବା ପୂର୍ବରୁ ସେ ବଗିଚାରେ ମାଳି ହୋଇ ଶିଖୁ ଏବଂ ପାଠ ପଢ଼ାଇବାରେ ଯାବତୀୟ ଢମ କରି ବାହାରିବା ପୂର୍ବରୁ ସିଏ ସତକୁସତ ବିଦ୍ୟାର୍ଥୀଟିଏ ହୋଇ ରହୁ । ଭକ୍ତ ହୋଇ ରହୁ, ପ୍ରେମିକଟିଏ ହୋଇ ରହୁ ।

 

୨ । ୧୨ । ୯୨

 

‘ରୋହିତର ଡାଏରୀ’ ଖଣ୍ଡଖଣ୍ଡ କରି ଛାପା ହେବାପରି ଡାଏରୀ ଲେଖିବାର ମୋ’ର ଆଗ୍ରହରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରିପାରୁଛି କି ବୋଲି ସେଦିନ ଏକ ଆନୁଷ୍ଠାନିକ ଅବସରରେ ମୋତେ ପ୍ରଶ୍ନ କରା ହୋଇଥିଲା । ମୁଁ ଲେଖୁଥିବା କଥାଗୁଡ଼ିକ ଏବେ ବହି ହୋଇ ବାହାରିବାର କଳ୍ପନାଦ୍ଵାରା ପ୍ରଲୁବ୍ଧ ହୋଇ ଅଧିକ ମଣ୍ଡନ ଏବଂ ଅଧିକ ସଚେତନତା ସହିତ ଡାଏରୀ ଲେଖୁନାହିଁ ତ,–ଉକ୍ତ ପ୍ରଶ୍ନଟି ପଛରେ କାଳେ ସେହିପରି ଏକ ଅଭିପ୍ରାୟ ରହିଥିବ ବୋଲି ମୋତେ ସୂଚନା ଦିଆଯାଇଥିଲା । ମୋତେ ପ୍ରଶ୍ନଟି ଅତ୍ୟନ୍ତ ପ୍ରାସଙ୍ଗିକ ମନେହେଲା ।

 

ଆପଣାର ଲେଖାଗୁଡ଼ିକ ଛାପା ଅକ୍ଷରରେ ଶୋଭା ପାଇବ, ତାହା ଦେଖିବାର ଲୋଭ ପ୍ରକୃତରେ କେଉଁ ଲେଖକର ନଥାଏ ? ତଥାପି, ମୁଁ ଯେତେବେଳେ ଡାଏରୀ ଲେଖିବା ଆରମ୍ଭ କରିଥିଲି, ସେତେବେଳେ, ଏଗୁଡ଼ିକୁ ଅନ୍ୟମାନେ ମଧ୍ୟ ପଢ଼ିବାର ସୁଯୋଗ ପାଇବେ ଅର୍ଥାତ୍ ଏସବୁ ବହି ଆକାରରେ ଛାପା ହୋଇ ବାହାରିବ ବୋଲି ମୁଁ କଳ୍ପନାହିଁ କରି ନଥିଲି । ସେତେବେଳେ ମୁଁ ପ୍ରକୃତରେ ଯାହା, ନିଜ ପାଖରେ ଯଥାସମ୍ଭବ ସେହିପରି ଭାବରେ ଉକୁଟି ଉଠି ପାରିବାର ଏକ ପ୍ରୟାସ କରିବାର ପ୍ରକ୍ରିୟାରେହିଁ ମୁଁ ‘ମୋ’ ଡାଏରୀ ଲେଖିବା ଆରମ୍ଭ କରିଥିଲି । ଆପଣାକୁ ଆପଣାର ସମ୍ମୁଖରେ ଧରି ରଖିବାକୁ ଆପେ ଆପଣାର ନୈକଟ୍ୟଟିକୁ ଅନୁଭବ କରିବାକୁ ମୁଁ ଡାଏରୀ ଲେଖିବାରେ ମନ ଦେଲି । ଅନ୍ୟ ଭାଷାମାନଙ୍କରେ ଲେଖା ହୋଇ ଛାପା ହୋଇଥିବା ଡାଏରୀ ମୋତେ ମୋ’ ଡାଏରୀ ଲେଖିବାର ନିଜ ଶୈଳୀଟିଏ ବାହାର କରିବାରେ ଅନେକ ସାହାଯ୍ୟ କରିଥିଲେ । ସମ୍ଭବତଃ ଏହି କାରଣରୁହିଁ ଏହି ଡାଏରୀଗୁଡ଼ିକ ମୋ’ ଲାଗି ଏକ ବୃହତ୍‌ ସମ୍ପର୍କ ହୋଇ ରହିଲା । ମୁଁ ଏବେ ମଧ୍ୟ ଡାଏରୀ ଲେଖୁଛି । ଆଉ କାହାପାଇଁ ଲେଖୁନାହିଁ, ସମ୍ପୂର୍ଣ୍ଣତଃ ମୋ’ ନିଜପାଇଁ ଲେଖୁଛି । ଅନ୍ୟମାନେ ମଧ୍ୟ ଏଗୁଡ଼ିକୁ ପଢ଼ିବେ, ଏକଥା ମୁଁ ଭଲକରି ଜାଣୁଛି । ତଥାପି, ଅନ୍ୟମାନଙ୍କ ପାଖରେ ଅଧିକ ଶୋଭାବନ୍ତ ହୋଇ ଦେଖାଯିବ ବୋଲି ମୁଁ ଜାଣି ଜାଣି ଆପଣାକୁ କେବେ ସ୍ଵତନ୍ତ୍ର ଭାବରେ ମଣ୍ଡିତ କରି ରଖିବି ବୋଲି ଆଗ୍ରହ କରିନାହିଁ । ଜୀବନରେ କରିନାହିଁ, ତେଣୁ ଡାଏରୀ ଲେଖାରେ ବା କାହିଁକି କରିବି ? ଆପଣାର ମହତ୍ତମ ପାଖରେ ଆପଣାରୂପୀ ଏହି ନିତ୍ୟପଥିକର ଶ୍ରଦ୍ଧା ନିବେଦନ, ଏହାହିଁ ହେଉଛି ମୋ’ର ଡାଏରୀ, ରୋହିତର ଡାଏରୀ ।

 

୩ । ୧୨ । ୯୨

 

ଗଦ୍ୟ ଓ ପଦ୍ୟ ଖାଲି ସାହିତ୍ୟରେ ଦୁଇଟି ଶୈଳୀ ନୁହନ୍ତି । ଜୀବନ ବାଛିବାର ଶୈଳୀଗୁଡ଼ିକୁ ମଧ୍ୟ ଅନେକ ଦୃଷ୍ଟିରୁ ଗଦ୍ୟ ଓ ପଦ୍ୟ ଏହିପରି ଦୁଇପ୍ରକାରେ ଅବଲୋକନ କରାଯାଇପାରିବ । ଅନେକ ଅନେକ ଜୀବନ ଏପରି ବଞ୍ଚାଯାଏ, ଯେଉଁଠାରେ ଭିତର ସହିତ ବାହାରେ ସତେଅବା ଏକ ଅନୁରାଗମୟ ସଂହତି ରହିଥାଏ, ବ୍ୟକ୍ତି ସହିତ ବିଶ୍ଵର ଏକ ଛନ୍ଦୋବଦ୍ଧ ଡୋର ଲାଗି ରହିଥାଏ, ସ୍ଵାର୍ଥ ଓ ପରାର୍ଥ ଭିତରେ ଏକ ସାବଲୀଳ ଆଦାନପ୍ରଦାନର ସାମଞ୍ଜସ୍ୟତା ମଧ୍ୟ ରହିଥାଏ । ସବୁମିଶି ଜୀବନଟି ଅତ୍ୟନ୍ତ ଛନ୍ଦୋମୟ ହୋଇ ରହିଥାଏ । ପରିଧି ଓ କେନ୍ଦ୍ର ସମସ୍ତେ ନିଜ ନିଜ ଥାନରେ ଥାଆନ୍ତି ସତ, ମାତ୍ର ପରସ୍ପରର ପରିପୂରକ ହୋଇ ରହିଥାନ୍ତି । ଆହୁରି କେତେକ ଜୀବନବି ରହିଥାଏ, ଯେଉଁଠି ସବୁକିଛି ସତେଅବା ଗୋଟାଏ ଅବିନ୍ୟସ୍ତ ଓ ଅଶୋଭନ ଜଙ୍ଗଲ ହୋଇ ପଡ଼ିଥାଏ । ଭାବପ୍ରବଣତାର ଦୌରାତ୍ମ୍ୟରେ ଭାବମାନେ କାଟଖାଇ ଯାଇଥାନ୍ତି । ଭାବନା ଅସଂଯତ ଓ ଅବିନ୍ୟସ୍ତ ଥାଏ । ଆବେଗଗୁଡ଼ିକ ପରସ୍ପର ସହିତ ଏପରି ଗୁରାଇତୁରାଇ ହୋଇ ଜଟ ବାନ୍ଧି ରହିଥାନ୍ତି ଯେ, ସେଗୁଡ଼ିକର ଆଦୌ କୌଣସି ବିବେକ ରହିଛି ବୋଲି ମନେ ହେଉନଥାଏ । ମୁଁ ଅନେକ ଗଦ୍ୟଲେଖକଙ୍କୁ ଦେଖିଛି, ଯେଉଁମାନଙ୍କର ଜୀବନ ପଦ୍ୟଟିଏ ପରି ଛନ୍ଦୋମୟ ହୋଇ ରହିଥାଏ । ଓ ଏପରି ପଦ୍ୟଲେଖକଙ୍କୁ ଦେଖିଛି, ଯେଉଁମାନେ ନିଜ ଭିତରେ ଅଶେଷ ଗଦ୍ୟମୟତାର ପ୍ରତିଭୂ ହୋଇ ରହିଥାନ୍ତି । ତେଣୁ, ପଦକୁପଦ ମିଳାଇ ନଲେଖିଲେ ଯେ ଜଣେ ବ୍ୟକ୍ତି ପଦ୍ୟରୁ, କବିତାରୁ ଦୂର ହୋଇ ରହିଥିବ, ସେ କଥା ଆଦୌ ନୁହେଁ ।

 

ଜୀବନର ପ୍ରଥମ ଚରଣରେ ମୁଁ ପଦ୍ୟ ଲେଖିଥିଲି । ତା’ପରେ ସେହି ପଦ୍ୟ, ସେହି ଛନ୍ଦ ଓ ସେହି ଛନ୍ଦୋବଦ୍ଧତା ମୋ’ ଜୀବନରେ ପ୍ରବେଶ କଲା । ଭିତରେ କିଏ ଗୁରୁଟିଏ ହୋଇ ମୋତେ ପ୍ରେରଣା ଦେଲା, ଭରସାବି ଦେଲା । ନିଜର ଗଦ୍ୟ ଭିତରେ ଯଥାସମ୍ଭବ ଏକ ପଦ୍ୟମୟତା ଫୁଟାଇ ଆଣିବା ମୋ’ ଲେଖାଶୈଳୀରେ ସତେଯେପରି ମୋ’ର ତପସ୍ୟା ହୋଇ ରହିଲା । ଛନ୍ଦୋମୟ କରି ଜୀବନଟିଏ ବଞ୍ଚିଲେ, ଗ୍ରହଣଶୀଳ ହୋଇ ବଞ୍ଚିପାରିଲେ ତୁମେ ଯାହା ଲେଖିବ ତାହା ଅବଶ୍ୟ ଛନ୍ଦୋମୟ ହେବ, ଯାବତୀୟ ଖଣ୍ଡିଆକୁ ପୂରଣ କରି ଆଣିବାରେ ତାହା ଅବଶ୍ୟ ସହାୟକ ହେବ,–ସେହିଭଳି ଏକ ଅନୁଭବ ମୋ’ ଜୀବନରେ କ୍ରମେ ଏକ ନୂଆ ପ୍ରୟୋଗ ଲାଗି ଉତ୍ସାହ ଆଣି ଦେଲା-। ଏବେ ମଧ୍ୟ ମୁଁ ସେହି ପ୍ରୟୋଗ କରୁଛି, ଲେଖାରେ ଏବଂ ଜୀବନରେ ଉଭୟ କ୍ଷେତ୍ରରେ କରୁଛି-

 

୪ । ୧୨ । ୯୨

 

ଗଦ୍ୟବି ହୃଦୟକୁ ଛୁଇଁ ପାରିବ । ଲେଖିବା ଲୋକର ଯଦି ପ୍ରକୃତରେ ହୃଦୟଟିଏ ଥାଏ ତେବେ ସିଏ ପଦ୍ୟ କି ଗଦ୍ୟ ଯାହା ଲେଖୁ ପଛକେ, ତାହା ପାଠକର ହୃଦୟକୁ ଅବଶ୍ୟ ଛୁଇଁ ପାରିବ । ଏପର୍ଯ୍ୟନ୍ତ ମୁଁ ଅଳ୍ପ ବା ବହୁତ ଯାହାକିଛି ଲେଖିଛି, ହୃଦୟକୁ ଛୁଇଁ ପାରିବାହିଁ ସେଗୁଡ଼ିକୁ ମାଧ୍ୟମ କରି ମୋ’ର ସର୍ବପ୍ରଥମ ବ୍ୟାକୁଳତା ହୋଇ ରହିଆସିଛି । ଖାଲି ଲେଖାର ମାଧ୍ୟମରେ ନୁହେଁ, ମୋ’ ଜୀବନର ଯାବତୀୟ କ୍ରିୟାଶୀଳତାରେହିଁ ଆଉ ଜଣକର ହୃଦୟକୁ ଛୁଇଁପାରିବା ଲାଗିହିଁ ମୁଁ ସବାଆଗ ମନ ବଳାଇ ଆସିଛି ।

 

ଅନେକ ପଦ୍ୟ ପଢ଼ିଛି, ଯାହାକି ମୋ’ର ହୃଦୟକୁ ସ୍ପର୍ଶ କରିପାରିନାହିଁ । ତାହା ପଦ୍ୟ କି ଗଦ୍ୟ ସେହି କାରଣରୁ ନୁହେଁ, ମାତ୍ର ତାହାକୁ ଲେଖିଥିବା ମଣିଷଟି ନିଜ ହୃଦୟକୁହିଁ ସବାଆଗରେ ରଖି ଲେଖିବାକୁ ମନ ବଳାଇଛି ଅଥବା ସତରଗଣ୍ଠି ହୋଇ ଆପଣାକୁ ଲୁଚାଇ ରଖିଛି, ସେହିସବୁ କ୍ଷେତ୍ରରେ ମୁଁ ଏହିକଥାହିଁ ଭାବିଛି । ପଦ୍ୟ ଅପେକ୍ଷା ଗଦ୍ୟ ଯେ ଜୀବନର ଅଧିକ ନିକଟ, ଆମେ ସମସ୍ତେ ସେ କଥା ସ୍ଵୀକାର କରିବା । ଆମେ କେହି ପଦ୍ୟରେ କଥା କହୁନାହିଁ କି ପଦ୍ୟରେ ଅନୁଭବ କରୁନାହିଁ । ଏହି ସବୁକିଛି କାର୍ଯ୍ୟ ତଥାକଥିତ ଗଦ୍ୟରେ ହୁଏ, ଅତ୍ୟନ୍ତ ସାବଲୀଳ ଭାବରେ ହୁଏ । ସେହି ସାବଲୀଳତାକୁ ସାହିତ୍ୟରେ ଫୁଟାଇ ପାରିବା, ଓ ତାହାରି ମାଧ୍ୟମରେ ଅତ୍ୟନ୍ତ ସାବଲୀଳ ଭାବରେ ସର୍ବତ୍ର ପ୍ରବେଶ କରିପାରିବା, ଯାବତୀୟ ଲେଖିବା ପଛରେ ମୋ’ର ନିରନ୍ତର ସେହି ଅଭିଳାଷ ରହିଆସିଛି । ମୋ’ର ଲେଖାକୁ ପଢ଼ି ଜଣେ ସବାଆଗ ମୋତେ ଚିହ୍ନୁ, ମୋ’ର ନିକଟବର୍ତ୍ତୀ ହୋଇ ଆସିବାକୁ ଆଗ୍ରହୀ ହେଉ; ମୁଁ ତା’ ପାଖରେ ନଥିଲେ ମଧ୍ୟ ନିଜ ଅନ୍ତର୍ଗତ ଜୀବନର ଯାବତୀୟ ଚାରଣାରେ ସିଏ ମୋତେ ମଧ୍ୟ ସାଙ୍ଗ କରି ନେଇଥାଉ, ମୁଁ ଏତିକିହିଁ ଇଚ୍ଛା କରିଛି । ଏବଂ, ମୋ’ ଲାଗି ତାହା ଗଦ୍ୟଦ୍ଵାରା ଅଧିକ ସହଜରେ ସମ୍ଭବ ହେବ ବୋଲି ମୁଁ ଉପଲବ୍‍ଧି କରିଛି । ମୋ’ ନିଜର ସ୍ଵଭାବ ହୁଏତ ଏପରି ଏକ ଧାରାରେ ଗଢ଼ାହୋଇଛି, ଯାହାସକାଶେ ମୁଁ ଏଭଳି ଉପଲବ୍‌ଧି କରିଛି । ସମ୍ଭବତଃ ସେହି ସ୍ଵଭାବଟିଦ୍ଵାରା ପ୍ରେରିତ ହୋଇ ମୋତେ ତଥାକଥିତ ପଦ୍ୟଲେଖକମାନେ ଅପେକ୍ଷାକୃତ ଅଧିକ କୁଣ୍ଠିତ, ଅଧିକ ଆତ୍ମସଚେତନ ଓ ତେଣୁ ଅଧିକ ଦୂରବର୍ତ୍ତୀ ହୋଇ ରହିବାକୁ ଚାହୁଁଥିବା ପରି ମନେ ହୋଇଛନ୍ତି ।

 

୫ । ୧୨ । ୯୨

 

ପୃଥିବୀରେ ଇଂରାଜୀ ଭାଷା ବଡ଼ ନା ସଂସ୍କୃତି ଭାଷା ବଡ଼ ? କାଲି ବିଶ୍ଵ ଓଡ଼ିଆ ସମ୍ମିଳନୀରେ ଜଣେ ନେତା ସଂସ୍କୃତ ଭାଷାର ପକ୍ଷରେ ନିଜର ଏହି ସମ୍ବନ୍ଧରେ ଏକ ରାୟ ବ୍ୟକ୍ତ କରିଛନ୍ତି । ଭାଷା ସହିତ ଭାଷାର ତୁଳନା କରିବା, ଦେଶ ସହିତ ଦେଶର ତୁଳନା କରିବା ଏବଂ ଜାତି ବା ସଂସ୍କୃତି ସହିତ ଜାତି ବା ସଂସ୍କୃତିର ତୁଳନା କରିବା,–ଏଥିରୁ ସଚରାଚର କେବଳ ଗୋଟିଏ ନିଷ୍ପତ୍ତିହିଁ କରାଯାଇଥାଏ । ମୋ’ ନିଜ ଭାଷା ମୋ’ ନିଜ ଦେଶ ଓ ମୋ’ର ନିଜ ଜାତି ବା ସଂସ୍କୃତି ଆଉ ସମସ୍ତଙ୍କ ଠାରୁ ଅଧିକ, ବଡ଼ ବା ଉନ୍ନତ ବୋଲି ସାବ୍ୟସ୍ତ କରିବାକୁହିଁ ସେହିପରି କରାଯାଇଥାଏ । ଏସବୁକୁ ଜାତୀୟତାବାଦରୁ ଜନ୍ମଲାଭ କରି ତଥାପି ଆମର ଏହି ଆଧୁନିକ ସମୟରେ ମଧ୍ୟ ଆମ ପଛରେ ଲାଗି ରହିଥିବା ଗୋଟାଏ ଗୋଟାଏ ଲାଭ ବୋଲି କୁହାଯାଇପାରିବ-। ଏକ ନିର୍ଦ୍ଦିଷ୍ଟ ଯୁଗରେ ନିର୍ଦ୍ଦିଷ୍ଟ ସମୂହମାନଙ୍କୁ ଏକ ସ୍ଥାନୀୟ ପ୍ରେରଣା ଯୋଗାଇ ଦେବାଲାଗି ଏହିସବୁ ଅର୍ଦ୍ଧସତ୍ୟର ସମ୍ଭବତଃ କିଞ୍ଚିତ୍ ଆବଶ୍ୟକତା ରହିଥିଲା । ମାତ୍ର, ବର୍ତ୍ତମାନ ଯେଉଁ ସବୁ ଆହ୍ଵାନ ମାନବ ସମାଜକୁ ପ୍ରେରିତ କରିପାରିବ, ସେହି ଦୃଷ୍ଟିରୁ ସେହି ଅର୍ଦ୍ଧସତ୍ୟଗୁଡ଼ିକୁ ଆମେ ଯେତେ ଶୀଘ୍ର ପଛରେ ଛାଡ଼ିଦେଇ ଆସିବା, ଆମ ନିଜପାଇଁ ମଧ୍ୟ ତାହା ସେତିକି ହିତକାରକ ହେବ-

 

ଭାଷାର ଚର୍ଚ୍ଚାକୁ ଏବେ ଏକ ବିଜ୍ଞାନ ବୋଲି ଗଣା ହେଲାଣି । ତେଣୁ, ପ୍ରତ୍ୟେକ ଭାଷାର ବୈଜ୍ଞାନିକ ଅଧ୍ୟୟନମାନ କରାଗଲାଣି । ପ୍ରତ୍ୟେକ ସମୂହ ଲାଗି ତା’ର ନିଜ ଭାଷାଟି ନିଶ୍ଚୟ ଅତ୍ୟନ୍ତ ଆପଣାର ଅତ୍ୟନ୍ତ ପ୍ରୀତିକର । ଯାହାକୁ ଯେଝା ଭାଷା ଅବଶ୍ୟ ପ୍ରିୟ । କେଉଁ ଭାଷା ତା’ର ସାହିତ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ କେତେ ଔଜଲ୍ୟ ଦେଖାଇବ, ତାହା ସମ୍ପୃକ୍ତ ସମୂହର ମନୁଷ୍ୟମାନଙ୍କର ସାଧନ ତଥା ଭାବଗତ ସଂହତି ଉପରେ ନିର୍ଭର କରୁଛି । ସଂସ୍କୃତ ଭାଷାର ପୃଥିବୀର ସଂସ୍କୃତି ଲାଗି ଆଦୌ କମ୍ ଅବଦାନ ନାହିଁ । ସେହିପରି ଇଂରାଜୀ ଭାଷା ତାହାର ଏକ ସ୍ଵକୀୟ ଭୂମିକା ମଧ୍ୟ ଗ୍ରହଣ କରି ଆସିଛି । ଏକ ସ୍ଥାନୀୟ ଆୟତନ ଭିତରେ ଓଡ଼ିଆ ଭାଷାର ମଧ୍ୟ ଗୋଟିଏ ଇତିହାସ ଏବଂ ଭାବାୟତନ ରହିଛି । ତୁଳନା କରିବାକୁ ମନ କରୁଥିବା ମନୁଷ୍ୟମାନେ କ’ଣ ଏତିକି ବୁଝି ପାରନ୍ତିନାହିଁ ? ଭାବପ୍ରବଣତାରେ ଭାସି ଯାଇ ସେମାନେ ହୁଏତ ସେହିଭଳି ଉଦ୍‌ଗାରମାନ କରିଥାନ୍ତି । ହୁଏତ ସେମାନଙ୍କର ଆଦୌ କୌଣସି ଯଥାର୍ଥ ଅଙ୍ଗୀକାରବଦ୍ଧତାବି ନଥାଏ ।

 

୬ । ୧୨ । ୯୨

 

ଭାରତବର୍ଷକୁ ବିବେକ ରକ୍ଷା କରିବ । ସମଗ୍ର ପୃଥିବୀକୁ ସେହି ବିବେକହିଁ ରକ୍ଷା କରି ଆସିଛି । ତା’ର ପ୍ରାୟ ଅନୁମତି ସହିତ ମନୁଷ୍ୟ ଭିତରେ ଯେଉଁ ମାଙ୍କଡ଼ଟା ନାଚିବାକୁ ମନ କରେ, ଯେତେବେଳେ ଗୋଟାଏ ସମୂହର ଅସଲ ବିବେକଟିକୁ ଚୁଲା ଭିତରକୁ ପେଲି ଦେଇ ସତେଅବା ସେହି ମାଙ୍କଡ଼ର ନାଚିବା ଆରମ୍ଭ ହୋଇଯାଏ, ସେତେବେଳେ ମନେ ହୁଏ, ଏହି ପୃଥିବୀ ଆଉ ମୋଟେ ରହିବନାହିଁ । ତଥାପି ପୃଥିବୀ ରହେ । ଭଗବାନ୍ ଏକ ଅନ୍ୟ ବିବେକରୂପେ ଜନ୍ମଗ୍ରହଣ କରନ୍ତି । ଆଲୋକ ଦେଖାନ୍ତି ଆଲୋକିତ କରାନ୍ତି । ଭିତରେ ଆଲୋକ ହୁଅନ୍ତି, ବାହାରେ ମଧ୍ୟ ଆଲୋକ ହୁଅନ୍ତି । ଯେତେବେଳେ ଏହି ବିବେକକୁ ସର୍ବୋତ୍ତମ ଓ ସର୍ବଶୁଭଙ୍କର ସ୍ତରକୁ ଉତ୍ତୋଳିତ କରି ନିଆଯାଇ ତାହାର କଳ୍ପନା କରାଯାଇପାରିବ, ମୁଁ ତାହାକୁହିଁ ଭଗବାନ୍ ବୋଲି କହିବି । ସେହି ବିବେକ ବେଳେବେଳେ ଆମ କାରଣରୁ ଲୁଚି ଯାଇଥିଲା ପରି ମନେ ହେଉଥାଏ । ଭଗବାନ୍ ସତେଅବା ଲୁଚି ଯାଇଥାନ୍ତି । ମେଘ ତଳେ ଲୁଚିକରି ରହିଥାଆନ୍ତି । ଏହି ପୃଥିବୀଟାକୁ ରାବଣ ଶାସନ କରିବ ବୋଲି ଭୀରୁ ମନଟା ମାନି ଯିବାପାଇଁ ବାହାରିଥାଏ । ତଥାପି ଆଉଗୋଟାଏ ସାହସୀ ମନବି ରହିଥାଏ । ସିଏ ମାନେନାହିଁ, ସିଏ ଜିତେ । ତୁମେ ତାକୁ ତୁମର ରାମ ବୋଲି ମଧ୍ୟ କହିପାରିବ ।

 

ଏହି ରାମର ଆଲ୍ଲାଙ୍କ ସହିତ ଆଦୌ କୌଣସି କଳହ ନଥାଏ । ରାମଙ୍କର ରାବଣ ସହିତହିଁ ବିବାଦ ରହିଛି । ମଣିଷର ମାଙ୍କଡ଼ ସହିତ ବିବାଦ ରହିଛି । ବିବେକର ଅବିବେକ ସହିତ ବିବାଦ ରହିଛି । ସଂସ୍କୃତିକୁ ସ୍ଥାନୀୟ କରିପକାଇ ତାହାକୁ ନିର୍ଦ୍ଦିଷ୍ଟ ଭେକମାନଙ୍କ ଭିତରେ କିଳି ଦେଇ, ତାହାକୁ ନିଜର ଦେଶ, ଜାତି ବା ଧର୍ମ ବୋଲି କହି ଓ ତାହାରିଦ୍ଵାରା ଉଗ୍ର ଏବଂ ଅତ୍ୟାଚାରୀ ହୋଇ ଆମେ ପୃଥିବୀଯାକ ବାଡ଼ ବସାଇ ଯେଉଁ ଅପସଂସ୍କୃତିକୁ ସାଇତି ରଖିଛୁ ଓ ପୋଷି ଆସିଛୁ, ମଣିଷର ଅସଲ ବିବେକ ସେହି ଅପସଂସ୍କୃତିକୁହିଁ ଅତିକ୍ରମ କରିଯିବାକୁ ଯୁଗେ ଯୁଗେ ପ୍ରୟାସ କରିଛି ଏବଂ ତାହାରିଦ୍ଵାରାହିଁ ମଣିଷକୁ ସୋପାନ ଉଠାଇ ନେଇଛି । ମୁଁ ମୁଖାଗୁଡ଼ିକୁ କଦାପି ମୁହଁ ବୋଲି କହିବିନାହିଁ । ଏବଂ, ମୁଖାଗୁଡ଼ିକର ତଳେ ଅସଲ ମୁହଁଟି ଅବଶ୍ୟ ରହିଛି ବୋଲି ତଥାପି ବିଶ୍ୱାସ ରଖିଥିବି । ମନ୍ଦିର ଗଢ଼ା ନଗଲେ ମଧ୍ୟ ରାମ ତଥାପି ରହିଛନ୍ତି ଏବଂ ମସ୍‌ଜିଦଟାକୁ ଭାଙ୍ଗି ଦିଆଗଲେ ମଧ୍ୟ ଆଲ୍ଲା ତଥାପି ରହିଛନ୍ତି ।

 

୭ । ୧୨ । ୯୨

 

ଯେଉଁଠି ସଂଯମ ନଥାଏ, ସେଠାରେ ଇଜ୍ଜତ ମଧ୍ୟ ରହେନାହିଁ । ମୋ’ ନିଜ ଧର୍ମର ବାନାଟାହିଁ ପୃଥିବୀରେ ସବୁଠାରୁ ଉଚ୍ଚ ହୋଇ ଉଡ଼ିବ, ଏକଥା କହୁଥିବା ବା ଇଚ୍ଛା କରୁଥିବା ମଣିଷର ସଂଯମ ନଥାଏ, ତେଣୁ ଇଜ୍ଜତ ମଧ୍ୟ ନଥାଏ । ମୋ’ ଦେଶ ପୃଥିବୀରେ ଶ୍ରେଷ୍ଠ ଦେଶ, ମୋ’ ଭାଷା ସବୁ ଭାଷାଠାରୁ ଆଗ ଓ ଅଧିକ, ଏକଥା ଦାବି କରୁଥିବା ମଣିଷର ସଂଯମ ନଥାଏ, ତେଣୁ, ଇଜ୍ଜତ ମଧ୍ୟ ନଥାଏ । ମୋ’ରି ଆଦେଶ ହେଉଛି ଏକମାତ୍ର ଆଦର୍ଶ ଏବଂ ଅନ୍ୟ ସମସ୍ତଙ୍କୁ ମଧ୍ୟ ସେ କଥା ସ୍ଵୀକାର କରିବାକୁ ପଡ଼ିବ, ଏପରି ଆଣ୍ଟ କରୁଥିବା ମଣିଷର ସଂଯମ ନଥାଏ, ତେଣୁ ଇଜ୍ଜତ ମଧ୍ୟ ନଥାଏ । ଜାତୀୟତାବାଦ ନାମକ ଧୂଆଁର ଉତ୍ତେଜନା ପୃଥିବୀରେ ମଣିଷମାନଙ୍କୁ ମାଡ଼ି ବସିବା ପରେ ପୃଥିବୀର କେତେ ଲାଭ ଓ କେତେ କ୍ଷତି ହୋଇଛି, ସେ କଥାକୁ ଏଥର ଅନୁତ୍ତେଜିତ ମନୁଷ୍ୟମାନେ ବିଚାର କରନ୍ତୁ । ଭଗବାନ୍‍ଙ୍କୁ ସାଙ୍ଗରେ ନେଇ ଜୀବନ ବଞ୍ଚିବାକୁ ମନ କରୁଥିବା ବ୍ୟକ୍ତି ଓ ସମୂହମାନେ ମଧ୍ୟ ତାହାର ବିଚାର କରନ୍ତୁ ।

 

ଯିଏ ବା ଯେଉଁମାନେ ପୃଥିବୀରେ ଏକୁଟିଆ ରହିବେ ବୋଲି ଇଚ୍ଛା କରୁଥାନ୍ତି, ସେଇମାନେ ସଂଯମ ହରାନ୍ତି, ତେଣୁ ଇଜ୍ଜତ ମଧ୍ୟ ହରାନ୍ତି । ଅନ୍ଧମାନେ ସଂଯମ ହରାନ୍ତି, ତେଣୁ ଇଜ୍ଜତ ମଧ୍ୟ ହରାନ୍ତି । ପୃଥିବୀରେ ମନ୍ଦିର ଓ ଦେଉଳଗୁଡ଼ାକୁ ନେଇ ଅତ୍ୟନ୍ତ ମୋହମଦ ଭାବରେ ଯେତେ ମଣିଷ ନିଶା ଖାଇବାକୁ ମନ କରି ଆସିଛନ୍ତି, ସେମାନେ ସମସ୍ତେ ସଂଯମ ହରାଇଛନ୍ତି, ତେଣୁ ଇଜ୍ଜତ ମଧ୍ୟ ହରାଇ ବସିଛନ୍ତି । ସେହି କାରଣରୁ ଜୀବନରେ, ବ୍ୟକ୍ତିଗତ ଏବଂ ସାମୂହିକ ଉଭୟ ଜୀବନରେ ଏପରି ଅନେକ ମୂଲ୍ୟର ଆବଶ୍ୟକତା ରହିଛି, ଯାହାକି ଅନ୍ୟ ସମସ୍ତଙ୍କ ପାଇଁ ମଧ୍ୟ ଥାନ ରଖିଥିବ, ଅନ୍ୟ ସମସ୍ତଙ୍କୁ ସ୍ଵୀକାର କରିପାରୁଥିବ ଓ ଏପରିକି ଆପଣାର ଥାନଟିକୁ ଛାଡ଼ିଦେଇ ମଧ୍ୟ ଅନ୍ୟମାନଙ୍କ ଲାଗି ଥାନ କରିପାରୁଥିବ । ମାତ୍ର, ଯିଏ ଦେଉଳଟିଏ ନରହିଲେ ଭଗବାନ୍‍ଙ୍କ ଲାଗି ଆଉ କେଉଁଠିହେଲେ ମୋଟେ ଥାନଟିଏ ରହି ପାରିବନାହିଁ ବୋଲି ଏକ କୁସଂସ୍କାରଦ୍ଵାରା ପରିପାଳିତ ହୋଇ ଆସିଛି, ସିଏ ବା ସେହିଭଳି ମଣିଷମାନେ ପୃଥିବୀରେ ପ୍ରବଳ ହୋଇ ରହିଥିବା ପର୍ଯ୍ୟନ୍ତ ପୃଥିବୀରେ ଆମ କାହାରି ଇଜ୍ଜତ କଦାପି ନିରାପଦ ହୋଇ ରହି ପାରିବନାହିଁ । ତେଣୁ, ଶ୍ରଦ୍ଧାରେ ବିଶ୍ଵାସ କରୁଥିବା, ଭଗବାନ୍ କହିଲେ ଏକ ସହନଶୀଳ ବିଶ୍ଵବିବେକକୁ ବୁଝୁଥିବା ଏହି ପୃଥିବୀଯାକର ମଣିଷ ଏକତ୍ର ହୁଅନ୍ତୁ, ପରସ୍ପରକୁ ଲୋଡ଼ନ୍ତୁ । ହୁଏତ ତେବେ ଯାଇ ଏକ ରକ୍ଷାକାରୀ ବିକଳ୍ପ ସମ୍ଭବ ହୋଇ ପାରିବ । ଇଜ୍ଜତ ରହିବ, ପୃଥିବୀ ରହିବ ।

 

୮ । ୧୨ । ୯୨

 

ପୌତ୍ତଳିକମାନେ ଅନ୍ୟର ପିତୁଳାକୁ ଭାଙ୍ଗିବେ ବୋଲି କେତେ ନା କେତେ ଉତ୍ତେଜନା ସଂଗ୍ରହ କରି ଏକାଠି ହୋଇଥିଲେ ଏବଂ ଯାହା ମନାସି କରି ଅଯୋଧ୍ୟା ଯାଇଥିଲେ, ସେମାନେ ତାହା କରିପାରିଲେ । ପିତୁଳାମାନଙ୍କୁ ଭାଙ୍ଗିବା ପିତୁଳା ପୂଜିବାର ପରିଣାମ ନୁହେଁ, ଏହା ପୌତ୍ତଳିକତାର ଦୋଷ । ପିତୁଳାକୁ ପୂଜୁ ପୂଜୁ ଅନେକ ମଣିଷ କାହିଁକି ଯେ ପୌତ୍ତଳିକତାର ପାଜିଗିରି ଭିତରେ ପଶି ଯାଆନ୍ତି ଓ ରଜ୍ଜୁ ହରାଇ ବସନ୍ତି ପୃଥିବୀରେ ସେହି ପ୍ରବୃତ୍ତିଟିର ମଧ୍ୟ ଏକ ମନୋରମ ବିଶ୍ଳେଷଣ କରାଯାଇପାରେ । ମାତ୍ର ମନୋରମ ବିଶ୍ଳେଷଣଦ୍ଵାରା ପୌତ୍ତଳିକତା ଯାଏଁ ନାହିଁ । ବିଶେଷକରି, କେତେଜଣଙ୍କର ପାଜି ରାଜନୀତି ଯେତେବେଳେ ସେହି ପୌତ୍ତଳିକତାକୁ ପୁଞ୍ଜି ପରି ବ୍ୟବହାର କରିବ ବୋଲି ବାହାରିଥାଏ, ସେତେବେଳେ ତାହା ଆହୁରି ଅସମ୍ଭବ ହୋଇପଡ଼େ । ମଣିଷମାନେ ପୌତ୍ତଳିକ ନହେବାକୁ ମନ କଲେ ଯାଇ ପୌତ୍ତଳିକତା ଯାଏଁ ।

 

ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବା ପରେ ଭାରତବର୍ଷରେ ଏଭଳି ନିନ୍ଦାକର ଓ ଲଜ୍ଜାଜନକ ଘଟନା ଆଉ କେବେ ଘଟି ନଥିଲା ବୋଲି ଭାରତବର୍ଷର ଉପରାଷ୍ଟ୍ରପତି କହିଛନ୍ତି । ନିଜ ଭିତରକୁ ଅନାଇ ମୁଁ ବି ତାହାହିଁ ଅନୁଭବ କରିଛି । ମହାତ୍ମା ଗାନ୍ଧୀଙ୍କର ହତ୍ୟା ଭାରତବାସୀଙ୍କର ଚେତନାରେ ଯେଉଁ ସଂକଳ୍ପଶକ୍ତି ଆଣି ଦେଇଥିଲା, ତାହା ପ୍ରକୃତରେ ଏତେ ଦିନ କାମ ଦେଉଥିଲା । ଭାରତବର୍ଷର ବିବେକକୁ ତାହା ବଳ ଦେଇ ରଖିଥିଲା । ତଥାପି, ମିଛ ମତ୍ତତାର residue ଗୁଡ଼ାକ ସତେଅବା କେଉଁ ଗଡ଼ିଆଗୁଡ଼ାକ ଭିତରେ ଜମି ଜମି ଆସୁଥିଲା ଏବଂ ଏବେ ପୁନର୍ବାର ଆପଣାର ପ୍ରଚଣ୍ଡ ରୂପକୁ ପ୍ରକାଶ କଲା । ଭାରତବର୍ଷରେ ଆଉ ଏଭଳି ଉଗ୍ରତା ଘଟିବନାହିଁ ବୋଲି ଆମେ ହୁଏତ କେତେ ହାଲୁକା ଭାବରେ ନିଜକୁ ସାନ୍ତ୍ଵନା ଦେଇ ଆସୁଥିଲୁ । ଆମର ନିଜ ଭିତରେ ଯେତିକି ଶକ୍ତି, ସଂଯମ ବା ଶ୍ରଦ୍ଧା ନଥିଲା ଆମେ ତାହା ଆମ ଭିତରେ ରହିଛି ବୋଲି ଆମେ ନିଜକୁ ମିଛ ଦମ୍ଭ ଦେଇ ଆସୁଥିଲୁ । ଆମ ମିଛଗୁଡ଼ାକ ପଦାରେ ପଡ଼ିଗଲା । ଭଗବାନ୍‍ କରନ୍ତୁ, ଏହି ମତ୍ତତା ଅନ୍ତତଃ ଏତିକିରେ ବନ୍ଦ ହୋଇଯାଉ । ମତ୍ତମାନେ ଘରକୁ ଫେରିଆସନ୍ତୁ,–ନିଜର ପିତୁଳାଗୁଡ଼ାକ ପାଖରେ ଗେହ୍ଲା ହୋଇ ଅନ୍ୟର ପିତୁଳାକୁ ଭାଙ୍ଗିବେ ବୋଲି ବାହାରିଥିବା ଉଦ୍ଦଣ୍ଡମାନେ ଏହି ଘଟନାଟିରୁ ଶିକ୍ଷାଲାଭ କରନ୍ତୁ; ଅପ୍ରମତ୍ତ ହୋଇ ଶିଖନ୍ତୁ, ଇଜ୍ଜତ ରଖନ୍ତୁ । ନହେଲେ କାଳ ସେମାନଙ୍କର ପିତୁଳାଗୁଡ଼ାକ ସହିତ ସେମାନଙ୍କୁ ମଧ୍ୟ ଅଲୋଡ଼ା ଘୋଷଣା କରି ଫିଙ୍ଗି ଦେଇ ଆସିବ ।

 

୯ । ୧୨ । ୯୨

 

ସ୍ଵାଧୀନତା ପରେ ଭାରତବର୍ଷରେ ଯାହାସବୁ ଘଟନା ଘଟିଲା, ସେଥିରେ ବ୍ୟଥିତ ହୋଇ ମହାତ୍ମା ଗାନ୍ଧୀ ତାଙ୍କର ଆଉ ଆଦୌ ଶହେବର୍ଷ ବଞ୍ଚିବାର ଅଭିଳାଷ ନାହିଁ ବୋଲି ସର୍ବସାଧାରଣରେ ଘୋଷଣା କରିଥିଲେ । ବର୍ତ୍ତମାନ ମଧ୍ୟ ଭାରତବର୍ଷରେ ସେହିଭଳି ଘଟନାମାନ ଘଟୁଛି । ଘଟନାଗୁଡ଼ିକୁ ଘଟାଇଥିବା ବୃହତ୍‌ମାନେ ସେଥିଲାଗି କିଞ୍ଚିତ୍ ଅନୁଶୋଚନା ମଧ୍ୟ ପ୍ରକାଶ କରୁନାହାନ୍ତି । ଗତ କେତେ ଦଶକ ମଧ୍ୟରେ ଦେଶର ରାଜନୀତି ଭିତରୁ ଯାବତୀୟ ପ୍ରକାରର ଶ୍ଳୀଳତା ଏବଂ ଶାଳୀନତା ବିଦାୟ ନେଇ ଚାଲିଯାଇଛି ଯେ, ଯେକୌଣସି ପ୍ରକାରେ ନିଜର ଯାବତୀୟ କାର୍ଯ୍ୟକୁ ଠିକ୍ ବୋଲି କହିବା ଓ ଯେକୌଣସି ପ୍ରକାରେ କ୍ଷମତାରେ ରହିବାକୁହିଁ ଦେଶର ପ୍ରାୟ ରାଜନୀତିକ ଦଳ ପରମ ପନ୍ଥା ବୋଲି ମାନି ନେଇଛନ୍ତି । ଏଠି ମସ୍‌ଜିଦ କାହିଁକି ଭଙ୍ଗା ହେଲା ପ୍ରଶ୍ନର ଉତ୍ତର ଦେଇ ସେମାନେ ସେଠି ମନ୍ଦିର କାହିଁକି ଭଙ୍ଗାହେଲା ବୋଲି ଓଲଟି ପ୍ରଶ୍ନ କରୁଛନ୍ତି । କର୍ମ ଓ ଅପକର୍ମ ମଧ୍ୟରେ ପାର୍ଥକ୍ୟର ବିଚାର କରିବା ନିମନ୍ତେ ସେମାନଙ୍କ ପାଖରେ କୌଣସି ବିବେକ ନାହିଁ । ଅର୍ଥାତ୍ ସକଳ ରାଜନୀତିକ ବିବେକ ମଧ୍ୟ ସେମାନଙ୍କୁ ଛାଡ଼ି ଚାଲିଯାଇଛି-

 

ସେମାନଙ୍କ ପାଖରେ ଆମେ ତଥାପି ହାର ମାନିବାନାହିଁ । ସଂସାରରୁ ଯଥାଶୀଘ୍ର ବିଦାୟ ନେଇ ପଳାଇବା ପାଇଁ ଆମେ କୌଣସି ଇଚ୍ଛା ପ୍ରକାଶ କରିବାନାହିଁ । ଏହି ପୃଥିବୀ ଅଲବତ୍ ରହିବ ଏବଂ ତେଣୁ ତାକୁ ଯଥାର୍ଥ ଜୀବନର ଯୋଗ୍ୟ କରି ଗଢ଼ିବାରେ ଲୋକମାନେ ମଧ୍ୟ ଅବଶ୍ୟ ରହିବେ । ପାଜିଙ୍କୁ ଅନୁକରଣ କରି ଅଥବା ପାଜିଙ୍କୁ ଦମନ କରିବାଲାଗି ସେମାନେ ନିଜେ ପାଜି ହେବେନାହିଁ ସତ, ମାତ୍ର ସେମାନେ ପାଜିମାନଙ୍କୁ ଅବଶ୍ୟ ପାଜି ବୋଲି କହିବେ । ଏବଂ, ଏକ ବିକଳ୍ପ ଜୀବନ ବଞ୍ଚିବେ । ସେମାନେ ପୌତ୍ତଳିକ ହେବେନାହିଁ । ଆଉଗୋଟିଏ ପିତୁଳା ଭାଙ୍ଗିଲେ ଯାଇ ଆମ ନିଜ ପିତୁଳାଟିର ମାନରକ୍ଷା ହେବ ବୋଲି ସେମାନେ କଦାପି ଅଡ଼ି ବସିବେନାହିଁ । ଜଣେ ରାଜନୀତିକ ନେତା ପାଖରେ ଯେତିକି ବାସ୍ତବବୁଦ୍ଧି ରହିଥିବା ଦରକାର, ପିତୁଳା ଭାଙ୍ଗିବାକୁ ବାହାରିଥିବା ଏହି ମିଛ ବୀରମାନଙ୍କ ଭିତରେ ହୁଏତ ସେତିକି ବାସ୍ତବବୁଦ୍ଧି ମଧ୍ୟ ନଥିଲା । ସେମାନେ ଯେତିକି ଗିଳି ପାରିବେ, ସେତିକି ମୁହଁରେ ପୂରାଇଥାନ୍ତେ । ଯେତିକି ସମ୍ଭାଳି ପାରନ୍ତେ, ସେତିକିକୁ ପାଦ ପକାଇଥାନ୍ତେ । ସେମାନେ ତା’ ନକରି ଲୋକହସା ହେଲେ । ସାରା ଦେଶଟା ଲାଗି ସେମାନେ କଳଙ୍କ ମୂଲାଇ ଆଣିଲେ ।

 

୧୦ । ୧୨ । ୯୨

 

ରୋହିତର ଡାଏରୀ (ବିଂଶ ପର୍ବ)

ଯଦି ପୌତ୍ତଳିକମାନେ ଆପଣାର ଅଭ୍ୟସ୍ତ ଚେତନାଠାରୁ କିଞ୍ଚିତ୍ ଉପରକୁ ଉଠିଯାଇ ପାରିବେ, ତେବେ ନିଜପକ୍ଷ ତଥା ଅପରପକ୍ଷ ଅର୍ଥାତ୍ ନିଜ ଧର୍ମ ଏବଂ ଅନ୍ୟର ଧର୍ମ ଉଭୟଙ୍କୁ ଗୋଟିଏ ବୃତ୍ତ ଭିତରେ ଏକାଠି କରି ଦେଖିପାରିବେ । ଦୁଇଟିଯାକ ପିତୁଳା ଗୋଟିଏ ସତ୍ୟର ପ୍ରତିନିଧି ବୋଲି ସେମାନେ ଅବଶ୍ୟ ଉପଲବ୍‌ଧି କରିବେ । ଏବଂ ତା’ପରେ, ନିଜ ପିତୁଳାର ମର୍ଯ୍ୟାଦା ରକ୍ଷା କରିବା ସକାଶେ ସେମାନେ ଆଉକାହାର ପିତୁଳାକୁ ଭାଙ୍ଗି ଦେବାଲାଗି ଆଉ ମୋଟେ ମନ କରିବେନାହିଁ । ତେବେ, ପିତୁଳାମାନେ ଯେଉଁଠି ଅଛନ୍ତି ସେଠାରେ ଅବଶ୍ୟ ରହିବେ ଏବଂ ମନୁଷ୍ୟ, ଅର୍ଥାତ୍ ପିତୁଳାର ପୂଜକ ଆଗକୁ ବାହାରି ଚାଲିଯାଇ ପାରିବ । ପିତୁଳାମାନେ ଧନ୍ୟ ହେବେ, ପୂଜକମାନେବି ଧନ୍ୟ ହେବେ ।

 

ମାତ୍ର, ପୃଥିବୀର ଧର୍ମମାନେ ପୃଥିବୀରେ ଏପରି ଭେଳିକି ଲଗାଇ ଦେଉଛନ୍ତି, ସଂସାରରେ ମାନସିକତାକୁ ଏପରି ଗଦ ଶୁଙ୍ଘାଇ ଦେଇ ରଖିଛନ୍ତି ଯେ, ମଣିଷମାନେ ସେହି ମାନସିକ ଗାରଗୁଡ଼ିକୁହିଁ ସବୁଠାରୁ ଅଧିକ ପବିତ୍ର ବୋଲି ଗ୍ରହଣ କରି ନେଇ ସେଗୁଡ଼ିକ ଭିତରେ କିଳି ହୋଇ ରହିଛନ୍ତି । ଗାରଗୁଡ଼ିକୁ ଡେଇଁଗଲେ ମଣିଷ ଆଧ୍ୟାତ୍ମିକର ସ୍ତରକୁ ଆସିପାରନ୍ତା । ମାତ୍ର, ବର୍ତ୍ତମାନର ଉତ୍ତେଜନାଗୁଡ଼ାକୁ ମଧ୍ୟ ଛାଡ଼ି ଆସିବାକୁ ପଡ଼ନ୍ତା । ଏହି ପୃଥିବୀରେ ଅନେକ ମଣିଷ ଅଛନ୍ତି, ଯେଉଁମାନେ ଉତ୍ତେଜିତ ନହେଲେ ଜୀବନକୁ ବଞ୍ଚୁଥିବା ପରି ଅନୁଭବହିଁ କରି ପାରନ୍ତିନାହିଁ । ଯେଉଁମାନେ ଘୃଣା ନକଲେ ଭଲ ପାଇ ପାରନ୍ତିନାହିଁ ଏବଂ ଏଇଟାକୁ ଭାଙ୍ଗି ନପାରିଲେ ସେଇଟାକୁ ଗଢ଼ି ପାରିବେ ବୋଲି ଆଦୌ ବିଶ୍ୱାସ ରଖି ପାରନ୍ତିନାହିଁ । ମଣିଷ ଯେ ଏହିପରି ଏକ ସଙ୍କଟ ଭିତରେ ରହିଛି, ସେଥିଲାଗି ଆମ ପୃଥିବୀର ଗୁରୁମାନଙ୍କୁହିଁ ସବାଆଗ ଦାୟୀ କରାଯିବ । ସେମାନେ ଧର୍ମ ନାମରେ ମଣିଷମାନଙ୍କୁ ଏହିପରି ନାମରେ, ଭେକରେ, ପିତୁଳାରେ ଅର୍ଥାତ୍ ଅଳ୍ପପ୍ରୀତି ଭିତରେ କିଳିହୋଇ ରହିବାକୁ ପ୍ରରୋଚନା ଦେଇ ଆସିଛନ୍ତି; ମଣିଷମାନଙ୍କୁ ପ୍ରତାରିତ କରିଛନ୍ତି । ଏହି ପୃଥିବୀରେ ଧର୍ମକୁ ପ୍ରାୟ ଏକ ନ୍ୟସ୍ତସ୍ଵାର୍ଥରେ ପରିଣତ କରି ରଖିଛନ୍ତି । ତେଣୁ, ଗାର ଡେଇଁ ବାହାରକୁ ଯିବାକୁ ହେବ, ଘୃଣାର ଗାର ଡେଇଁ ଭଲ ପାଇବା ଭିତରକୁ ଯିବାକୁ ହେବ,–ଏଭଳି ଗୋଟିଏ ଚେତନା ମଧ୍ୟକୁ ଯିବାକୁ ହେବ, ଯେଉଁଠି ସବୁଯାକ ପିତୁଳା ଗୋଟିଏ ବୃତ୍ତ ଭିତରେ ରହିଥିବା ପରି ଅନୁଭୂତ ହେଉଥିବେ । ସେତେବେଳେ ଯାଇ ଭଗବାନ୍ ଦିଶିବେ । ଭଗବାନ୍ ବିବେକରେ ପରିଣତ ହେବେ ।

 

୧୧ । ୧୨ । ୯୨

 

ଏଠାରେ ରାମଙ୍କ ନାମରେ ମସ୍‌ଜିଦ ଭଙ୍ଗା ହେଲା, ଆଉ କେତେକ ଦେଶରେ ଆଲ୍ଲାଙ୍କ ନାମରେ ମନ୍ଦିର ଭଙ୍ଗା ଯାଉଛି । ଏଠାରେ ‘ଜୟ ଶ୍ରୀରାମ’ କହି ଦଳେ ମୁସଲମାନ ବାହାରିଛନ୍ତି ଏବଂ ତେଣେ ଆଲ୍ଲାଙ୍କର ଜୟଗାନ କରି ଆଉ ଦଳେ ହିନ୍ଦୁମାନଙ୍କୁ ହତ୍ୟା କରୁଛନ୍ତି । ପୋଡ଼ାଜଳା ଓ ଭଙ୍ଗାରୁଜା ମାମୁଲି କଥା ହୋଇ ଗଲାଣି । ଏବଂ, ତଥାକଥିତ ଭକ୍ତମାନେହିଁ ଏକଥା କରୁଛନ୍ତି । ଯେଉଁମାନେ ନିଜେ ନିଜର ଭଗବାନ୍‍ଙ୍କୁ ଏତେ ଶ୍ରଦ୍ଧା ଓ ଭକ୍ତି କରନ୍ତି ଯେ ମଣିଷମାନଙ୍କୁ ଶ୍ରଦ୍ଧା କରି ପାରନ୍ତିନାହିଁ ସେମାନଙ୍କୁ ଭକ୍ତବି କାହିଁକି କୁହାଯିବ ? ଈଶ୍ଵରାନୁରାଗକୁ ଏକ ରାଜନୀତିକ ପୁଞ୍ଜିରେ ପରିଣତ କରିଥିବା ପାଜିମାନେ ସାଧାରଣ ସରଳ ଓ ଶ୍ରଦ୍ଧାଶୀଳ ମଣିଷକୁ ଯୁଗେ ଯୁଗେ ପ୍ରାୟ ଏହିପରି ଭାବରେ ଭୁରୁଡ଼ାଇ ଓ ଭଣ୍ଡାଇ ଆସିଛନ୍ତି ।

 

ଯାହାସବୁ ଘଟୁଛି, ତା’ପଛରେ ପ୍ରକୃତରେ ରାମ ନାହାନ୍ତି କିମ୍ବା ଆଲ୍ଲାବି ନାହାନ୍ତି । ସେମାନେ ତ ନିଜ ନିଜ ଅସନା ଭକ୍ତମାନଙ୍କର କରାମତି ଦେଖି ଲାଜରେ କେଉଁଠି ଯାଇ ମୁହଁ ଲୁଚାଇ ରହିଥିବେ । ମଣିଷ ଭିତରେ ପୁନର୍ବାର ବିବେକର ଉଦୟ ହେବା ପର୍ଯ୍ୟନ୍ତ ଅର୍ଥାତ୍ ବିବେକୀ ମନୁଷ୍ୟମାନେ ପଦାକୁ ବାହାରି ଅବସ୍ଥାକୁ ସମ୍ଭାଳିବା ପର୍ଯ୍ୟନ୍ତ ଅପେକ୍ଷା କରିଥିବେ । ଏସବୁ ଯାହା ହେଉଛି, ସେସବୁ ଉଗ୍ର ସଂଖ୍ୟାଗରିଷ୍ଠମାନଙ୍କଦ୍ଵାରା ହେଉଛି । ଏହି ଦେଶରେ ଆମର ସଂଖ୍ୟା ଅଧିକ ବା ଗରିଷ୍ଠ, ତେଣୁ ଆମରି କଥାହିଁ ଅଲବତ୍ ଠିକ୍ କଥା, ଏହିପରି ନିଶା ଖାଇଥିବା ନିର୍ବୋଧମାନଙ୍କଦ୍ଵାରାହିଁ ଏସବୁ ବୀଭତ୍ସତା ହୋଇ ପାରୁଛି । ସଂଖ୍ୟାଗୁରୁମାନଙ୍କ ସାମନାରେ ସଂଖ୍ୟାଲଘୁମାନେ ମେଣ୍ଢା ହୋଇ ରହିଛନ୍ତି । ଅନ୍ୟ ଏକ ଦେଶରେ ନିଜ ଧର୍ମର ସଂଖ୍ୟାଗୁରୁମାନଙ୍କର ଦୁରାଚାରଗୁଡ଼ିକୁ ଦେଖି ସେମାନେ ହୁଏତ କିଞ୍ଚିତ୍ ଆତ୍ମପ୍ରସାଦ ଲାଭ କରୁଛନ୍ତି-। ଓ ଆପଣାକୁ ତଥାପି ବୀର ବୋଲି ଅନୁଭବ କରୁଛନ୍ତି । ନିର୍ବୋଧ କ୍ଷତିପୂରଣର ଏହି ଟେକ୍‌ନିକ୍ ପୃଥିବୀରେ ହୁଏତ ଯୁଗେ ଯୁଗେ ପ୍ରୟୋଗ କରାହୋଇ ଆସିଛି ଓ ପ୍ରଧାନତଃ ଭୀରୁମାନେହିଁ ତାହାକୁ ସବାଆଗ ପ୍ରୟୋଗ କରିଛନ୍ତି । ଏଠି ଆମର ସଂଖ୍ୟା ଅଧିକ, ତେଣୁ ଆମ ଠାକୁର ମଧ୍ୟ ଏଠାରେ ବଳବାନ୍, ସେମାନଙ୍କର ସଂଖ୍ୟା କମ୍, ତେଣୁ ଏଠି ତାଙ୍କ ଠାକୁର କିଛି କରି ପାରିବେନାହିଁ, ନିତାନ୍ତ ଈଶ୍ଵର ବର୍ଜିତ ନହେଲେ ମଣିଷମାନେ କିଭଳି ଏପରି ଭାବି ପାରନ୍ତେ-?

 

୧୨ । ୧୨ । ୯୨

 

ହିନ୍ଦୁ ମୁସଲମାନମାନଙ୍କ ସହିତ ଲଢ଼ନ୍ତିନାହିଁ । କୌଣସି ଧର୍ମ କୌଣସି ଧର୍ମ ସହିତ ଲଢ଼େନାହିଁ । ବିଭିନ୍ନ ଧର୍ମର ଭଗବାନ୍‌ମାନେ ପରସ୍ପର ସହିତ ଲଢ଼ିବା ବା ବାଦ କରିବା ତ ଆହୁରି ଦୂରର କଥା । ଏକ କୁସଂସ୍କାରରେ ପଡ଼ି ଯେଉଁମାନେ ନିଜର ଧର୍ମ, ନିଜର ସନ୍ତକ ଓ ନିଜର ଠାକୁରମାନଙ୍କୁ ଅନ୍ୟ ଧର୍ମ, ସନ୍ତକ ଓ ଠାକୁରମାନଙ୍କ ଠାରୁ ବଡ଼ ବୋଲି କହନ୍ତି, ସେହିମାନେହିଁ କାଳକାଳରୁ ପରସ୍ପର ସହିତ ଲଢ଼ି ଆସିଛନ୍ତି । ଇଉରୋପୀୟ ମଧ୍ୟଯୁଗରେ ଏହିଭଳି ଲଢ଼ାଇ କେତେ ହୋଇଯାଇଛି । କ୍ଷମତାଧୀଶମାନେ ଅନ୍ୟ କ୍ଷମତାଧୀଶମାନଙ୍କୁ ଈର୍ଷା କରିଛନ୍ତି ଓ ସେମାନଙ୍କୁ ବଶ କରିବାପାଇଁ ଧର୍ମ ନାମରେ ସାଧାରଣ ଲୋକମାନଙ୍କୁ ମଧ୍ୟ ମତାଇବାର ଚେଷ୍ଟା କରି ଆସିଛନ୍ତି । ମାତ୍ର, ସମ୍ଭବତଃ ସବୁଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ କଥା ହେଉଛି, ଯିଏ ସତକୁସତ ନିଜ ଧର୍ମଟି ଅନୁସାରେ ବାଟଟିଏ ନଚାଲି, ବାହାରର ଆଡ଼ମ୍ବରଗୁଡ଼ାକ ଉପରେ ପ୍ରାୟ ଗୋଟାସୁଦ୍ଧା ଲାଖି ରହିବାକୁ ଇଚ୍ଛା କରିଛି, ବିଚରା ସେଇ ନିଜକୁ ପ୍ରମତ୍ତ ହେବାର ପୂର୍ଣ୍ଣ ପ୍ରଶ୍ରୟ ଦେଇଛି । ସିଏ ନିଜର ଭଗବାନ୍‍ଙ୍କୁ ମଧ୍ୟ ପାସୋରି ପକାଇଛି ।

 

ଏହି ସଙ୍କଟ ସମୟରେ, ଯେଉଁମାନେ ପ୍ରକୃତରେ ଭଗବାନ୍‍ଙ୍କ ପକ୍ଷରେ ରହିଛନ୍ତି, ଯେଉଁମାନେ ସତକୁସତ ବାଟଟିଏ ଚାଲୁଛନ୍ତି, ସେମାନେ ଏବେ ପରସ୍ପରକୁ ଚିହ୍ନନ୍ତୁ । ଉତ୍ତେଜିତ ମଣିଷମାନେ ପ୍ରକୃତରେ ଭୀରୁ ମଣିଷ । ଭୀରୁ ମଣିଷମାନେହିଁ ସବାଆଗ ପଲଭିତରେ ଯାଇ ପଶନ୍ତି, ପଲର ନେତାମାନଙ୍କୁ ଏକ ମିଛ ଶକ୍ତିମତ୍ତାର ପ୍ରତିଭାସ ଯୋଗାଇ ଦିଅନ୍ତି । ଏହି ପୃଥିବୀରେ ଭାରତ ସମେତ ପ୍ରାୟ ସବୁ ଦେଶରେ ଏହି ପଲମାନେହିଁ ପରସ୍ପର ସହିତ ଲଢ଼ିଛନ୍ତି । ସେହି ସମଧର୍ମୀମାନଙ୍କ ଭିତରୁ କେହି ଏ ଦେଶରେ ମସ୍‌ଜିଦ ଭାଙ୍ଗିଲେ ଆଉକେହି ସେ ଦେଶରେ ମନ୍ଦିର ଭାଙ୍ଗୁଛନ୍ତି । ଭଗବାନ୍‍ଙ୍କୁ ଅନେକ ଧନ୍ୟବାଦ, ସିଏ ଏହିପରି ଭାବରେ ପ୍ରମତ୍ତମାନଙ୍କୁ, ଭୀରୁମାନଙ୍କୁ ପଦାରେ ପକାଇ ଦେଉଛନ୍ତି । ଏସବୁ ତାମସା ସବୁଦିନ ଲାଗି କଦାପି ରହିବନାହିଁ । ଅସଲ ଶିକ୍ଷା, ଅସଲ ସଂସ୍କୃତି ଓ ଅସଲ ପରିମଳଗୁଡ଼ିକ ଉପରେ ଅଧିକରୁ ଅଧିକ ମଣିଷ ଯେତିକି ଆସ୍ଥା ରଖୁଥିବେ, ସମାଜରେ ପଲପ୍ରତି ରହିଥିବା ମଣିଷର ସକଳ ସହାନୁଭୂତି ବିଦା ହୋଇ ଚାଲି ଯାଇଥିବ । ସେତେବେଳେ ମଣିଷମାନେ ବାହାରର ସକଳ ସନ୍ତକଭେଦ ସତ୍ତ୍ୱେ ପରସ୍ପରକୁ ଭଗବାନ୍‍ଙ୍କର ପରମଧନ ବୋଲି ଚିହ୍ନିନେଇ ପାରିବେ ।

 

୧୩ । ୧୨ । ୯୨

 

ସମସ୍ତେ କହୁଛନ୍ତି, ଅସାମାଜିକ ଲୋକମାନେ, ଦୁର୍ବୃତ୍ତମାନେ ଏହା କରିଛନ୍ତି । ସେଇମାନେ ମଣିଷ ମାରିଛନ୍ତି, ଘର ପୋଡ଼ିଛନ୍ତି, ଲୁଟତରାଜ କରିଛନ୍ତି । ଅଯୋଧ୍ୟାରେ ମଧ୍ୟ ସେମାନେ ଆମ ସାମାଜିକମାନଙ୍କ ସହିତ ଏକାଠି ଥିଲେ, ସାମାଜିକ ମଣିଷମାନଙ୍କ ସହିତ ସେମାନଙ୍କୁ ମଧ୍ୟ ଦେଶର ଚାରିଆଡ଼ୁ ହକାରି ଅଣା ଯାଇଥିଲା । କିନ୍ତୁ ସେମାନେ ଆମ କଥା ମାନିଲେନାହିଁ, ଆମ ବାରଣ ଶୁଣିଲେନାହିଁ । ଭାରତବର୍ଷରେ ଯେଉଁ ହଜାରକରୁ ଅଧିକ ମଣିଷ ଗତ ସପ୍ତାହତ ଭିତରେ ମଲେ, ସେମାନଙ୍କୁ ମଧ୍ୟ ସେହି ଅସାମାଜିକ ମଣିଷମାନେ ମାରିଛନ୍ତି । ଆମେ ସେମାନଙ୍କ ସହିତ ଥିଲୁ, ମାତ୍ର ସେମାନଙ୍କର କାର୍ଯ୍ୟକୁ ଆଦୌ ସମର୍ଥନ କରୁ ନଥିଲୁ ।

 

ସାମାଜିକ ଲୋକମାନେ ଯେ ପ୍ରକୃତରେ ଅସାମାଜିକ ନୁହନ୍ତି, ସେମାନେ ତାହାର ପ୍ରମାଣ ଦେଇ ପାରୁଥାନ୍ତେ । କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନୁହେଁ, ଜଣେ ଜଣେ ବ୍ୟକ୍ତି ହିସାବରେ ସେମାନେ ତା’ର ପ୍ରମାଣ ଦେଇପାରୁଥାନ୍ତେ । ଯେଉଁଠି ହିନ୍ଦୁ କିମ୍ବା ମୁସଲମାନ ମରିଛନ୍ତି ଓ ବିଭିନ୍ନ ପ୍ରକାରେ କ୍ଷତିଗ୍ରସ୍ତ ହୋଇଛନ୍ତି, ସାମାଜିକମାନେ ସେମାନଙ୍କ ପାଖକୁ ଯାଉଥାନ୍ତେ, ଏହିସବୁ କ୍ଷତିର ବହୁବାର ନିନ୍ଦା କରୁଥାନ୍ତେ, ଏହି ଦେଶରେ ଆଉ ଧର୍ମ ନାମରେ ମଣିଷର, ସକଳ ଧର୍ମ ଉପରେ ରହିଥିବା ମଣିଷର ଆଦୌ କୌଣସି କ୍ଷତି ହେବନାହିଁ ବୋଲି ସେମାନେ ସାଧାରଣରେ ପ୍ରତିଶ୍ରୁତି ଦେଉଥାନ୍ତେ । ଏବଂ ସର୍ବୋପରି, ଯେଉଁ ଅସାମାଜିକ ବ୍ୟକ୍ତିମାନେ ଏହିସବୁ କାଣ୍ଡ ଭିଆଇଲେ, ଏମାନେ ସେମାନଙ୍କୁ ମଧ୍ୟ ଚିହ୍ନଟ କରି ଦେଉଥାନ୍ତେ । ରାଜନୀତି ଭିତରେ ରହିଥିବା ଭଦ୍ର ଏବଂ ସାମାଜିକ ବ୍ୟକ୍ତିମାନେ ଯଦି ତଥାକଥିତ ଅସାମାଜିକମାନଙ୍କୁ ଚିହ୍ନି ନଥାନ୍ତେ ଅତ୍ୟନ୍ତ ବିଧିବଦ୍ଧ ଭାବରେ ସେମାନଙ୍କର ମୁଣ୍ଡରେ ଅପପ୍ରେରଣାଗୁଡ଼ିକୁ ପୂରାଇ ଦେଉନଥାନ୍ତେ, ତେବେ ଏହି ଅସାମାଜିକମାନେ ଆଦୌ ସମ୍ଭବବି କିପରି ହୁଅନ୍ତେ ? ସାମାଜିକ ମଣିଷମାନେ ଭାରତବର୍ଷରେ କାଳେ କାଳେ ଏହିପରି ସଜ୍ଜନ ହୋଇ ରହି ଆସିଛନ୍ତି । ଏଣିକି ଏମାନଙ୍କର ସେହି ଭୂମିକାଟି ତିଷ୍ଠି ରହିବାଲାଗି ଆଦୌ କୌଣସି ପ୍ରଶ୍ରୟ ନପାଉ । ହିନ୍ଦୁ, ମୁସଲମାନ, ଶିଖ ଓ ଖ୍ରୀଷ୍ଟିଆନ୍ ଯେତେ ଯେତେ ମଣିଷ ଆପଣା ଆପଣାର ଭିନ୍ନ ଭିନ୍ନ ଧର୍ମ ସତ୍ତ୍ୱେ ଆପଣାକୁ ସବାଆଗ ମଣିଷ ବୋଲି ଭାବୁଛନ୍ତି, ସେମାନେ ଏଣିକି ଅଧିକ ଜାଗରୂକ ରହନ୍ତୁ, ସକ୍ରିୟ ହୁଅନ୍ତୁ । ସତ୍ୟ ଅଧିକ ସଚେତନ ରହୁ । ସକ୍ରିୟ ହୋଇ ରହୁ । ସତ୍ୟକୁ ଶାସ୍ତ୍ର ଭିତରେ ବନ୍ଦି କରି ରଖି ଆମ ବିବେକଗୁଡ଼ାକ ଶତାବ୍ଦୀ ଶତାବ୍ଦୀ ଧରି ପିତୁଳାଗୁଡ଼ାକ ସହିତ ବାନ୍ଧିହୋଇ ରହିଯାଇଛି । ସେହି ଅବିବେକତାର ଅବସାନ ଘଟୁ ।

 

୧୪ । ୧୨ । ୯୨

 

ଏସବୁ ଭୟଙ୍କର କାଣ୍ଡ ଘଟୁଛି ଏକ ତୁମୁଳ ପରିବର୍ତ୍ତନ ଆସିବା ପୂର୍ବରୁ । ଅର୍ଥାତ୍, ସତକୁସତ ଏକ ପରିବର୍ତ୍ତନ ଲାଗି ଆମକୁ ଅନ୍ତର୍ଗତ ଭାବରେ ପ୍ରସ୍ତୁତ କରି ଆଣିବା ସକାଶେ । ରାଜନୀତିରେ ରହିଥିବା ବ୍ୟକ୍ତିମାନେ ସେମାନଙ୍କର ସେହି ପୁରୁଣା ଦୁଆଗୁଡ଼ାକୁ ଗାଇବାରେ ଲାଗିଛନ୍ତି ଓ ନିଜକୁ ଅପରାଧୀ ବୋଲି ଧରା ନପକାଇ ପରିସ୍ଥିତିରୁ ଅର୍ଥାତ୍ ଘରପୋଡ଼ିରୁ ନିଜପାଇଁ ଯଥାସମ୍ଭବ ଅଧିକ ସାଉଁଟି ରଖିବାପାଇଁ ଚେଷ୍ଟା କରୁଛନ୍ତି । ସେମାନେ କେହି ଅସଲ ପରିବର୍ତ୍ତନଗୁଡ଼ିକ ପାଇଁ ପ୍ରସ୍ତୁତ ମଧ୍ୟ ନୁହନ୍ତି ।

 

ଅସଲ ପରିବର୍ତ୍ତନ ଏହି ମନ୍ଦିର ବା ମସ୍‌ଜିଦଗୁଡ଼ାକୁ ଭାଙ୍ଗିବା ବା ସେଗୁଡ଼ିକର ଗଢ଼ାହେବା ଉପରେ ଆଦୌ ନିର୍ଭର କରେନାହିଁ । ମଣିଷ ଭିତରେ ଅସଲ ପରିବର୍ତ୍ତନଟି ଘଟିଲେ ମଣିଷ ନିଜେ ସୋପାନଗୁଡ଼ିକୁ ଉଠିବାକୁହିଁ ସର୍ବପ୍ରଥମ ଧର୍ମ ବୋଲି ଗ୍ରହଣ କରିନିଏ । କୌଣସି ସମୂହ ଭିତରେ ପରିବର୍ତ୍ତନ ଆସିଲେ ସେହି ସମୂହରେ ବାସ କରୁଥିବା ମଣିଷମାନେ ପରସ୍ପରକୁ ଉପରର ଚିତା ବା ପଇତାଦ୍ଵାରା ନଦେଖି ମଣିଷ ହିସାବରେ ଦେଖନ୍ତି, ଏକାତ୍ମକତା ସହିତ ଦେଖନ୍ତି-। ତୁମେମାନେ ହିନ୍ଦୁ କି ମୁସଲମାନ ଯାହା ହୋଇଥାଅ ପଛକେ, ତୁମର ତଥାକଥିତ ହିନ୍ଦୁତ୍ଵ ଓ ମୁସଲମାନକୁ ତଥାପି ତୁମର ଚରମ ମୂଲ୍ୟ ପରିଚୟରୂପେ ଦେଖିବାଲାଗି ଚେଷ୍ଟା କରନାହିଁ-। ହିନ୍ଦୁତ୍ଵର ଅଥବା ମୁସଲମାନତ୍ଵର ପାହାଚରୁ ମଣିଷତ୍ଵର ପରବର୍ତ୍ତୀ ପାହାଚଟିକୁ ଉଠିଯାଅ । ହିନ୍ଦୁତ୍ଵ ତଥା ମୁସଲମାନତ୍ଵ ପାଖରେ ତୁମେମାନେ କୃତଜ୍ଞ ରହ, କାରଣ ତାହା ତୁମମାନଙ୍କୁ ପରବର୍ତ୍ତୀ ସୋପାନଟିକୁ ଉଠିଯିବାରେ ଏକ ଆସ୍ଥାନରୂପେ କାର୍ଯ୍ୟ କଲ । ତୁମ ଠାକୁରମାନଙ୍କ ପାଖରେ ତୁମେମାନେ କୃତଜ୍ଞ ରହ, କାରଣ ସେମାନେ ତୁମକୁ ଏକ ଆଧ୍ୟାତ୍ମିକତା ମଧ୍ୟକୁ ଉତ୍ତୀର୍ଣ୍ଣ ହୋଇଯିବା ନିମନ୍ତେ ପ୍ରେରଣା ଦେଲେ, ଯେପରିକି ଏହିଭଳି ଉତ୍ତୀର୍ଣ୍ଣ ହୋଇଯାଇ ତୁମେମାନେ ପୃଥିବୀର ସବୁ ଠାକୁରଙ୍କୁ ମଧ୍ୟ ଅନୁଭବ କରିପାରିବ; ଠାକୁରମାନଙ୍କୁ ଅନୁଭବ କରିପାରିବ ଏବଂ ତେଣୁ ସବୁ ମଣିଷଙ୍କୁ ମଧ୍ୟ ଅନୁଭବ କରିପାରିବ । ଏହି ଅନୁଭୂତିଟିକୁ ଲାଭ କରିସାରି ତା’ପରେ ତୁମେମାନେ ହିନ୍ଦୁ ହୋଇ ରହି କିମ୍ବା ମୁସଲମାନ ହୋଇ ରହି ସେଥିରେ କାହାର କିଛି ଯାଏଁ ଆସେ ନାହିଁ । ତୁମମାନଙ୍କଦ୍ଵାରା ତା’ପରେ ପୃଥିବୀର ମଙ୍ଗଳହିଁ ହେବ । ସବୁ ମଣିଷଙ୍କର ମଙ୍ଗଳ ହେବ । ତୁମ ନିଜର ଏକ ରୂପାନ୍ତର ହୋଇଯିବ ।

 

୧୫ । ୧୨ । ୯୨

 

ଯେଉଁମାନେ ଜଣେ ଜଣେ ହିନ୍ଦୁ ହିସାବରେ ରାମଙ୍କୁ କୁଣ୍ଢାଇ ଧରି ରାଜନୀତିରେ ବହୁ ହଟ୍ଟଗୋଳ କରିବେ ବୋଲି ପାଇକ ବେଶରେ ବାହାରି ପଡ଼ିଲେଣି, ସେମାନେ ଉପନିଷଦ୍ ପଢ଼ନ୍ତୁ ଓ ହିନ୍ଦୁ ଧର୍ମର ଅନେକ ପୂର୍ବରୁ ଭାରତବର୍ଷ ଥିଲା ଓ ଭାରତବର୍ଷ ଏକ ସର୍ବକାଳୀନ ତଥା ସର୍ବଦେଶୀୟ ସନ୍ଦେଶ ମଧ୍ୟ ଅବଶ୍ୟ ରହିଥିଲା ବୋଲି ହୃଦୟଙ୍ଗମ କରନ୍ତୁ । ଯହି ସେହି ସନ୍ଦେଶକୁ ମଧ୍ୟ ହିନ୍ଦୁ ଐତିହ୍ୟର ଅନ୍ତର୍ଗତ ବୋଲି ଗ୍ରହଣ କରାଯିବ, ତେବେ ବର୍ତ୍ତମାନର ଏହି ଦାଣ୍ଡଡ଼ିଆଁ ଏକଆଖିଆମାନଙ୍କୁ ହିନ୍ଦୁ ବୋଲି କହିବାକୁ ମୋଟେ ମନ ହେବନାହିଁ । ସେହିପରି ଯଦି ଗଇନ୍ତି, କୋଦାଳ, ହାତୁଡ଼ି ଓ ସାବଳ ନେଇ ରାମନାମ ଉଚ୍ଚାରଣ କରି ନାଚୁଥିବା ଏମାନଙ୍କୁ ଆମେ ହିନ୍ଦୁ ବୋଲି କହିବା, ତେବେ ଉପନିଷଦ୍‍କୁ ଏକ ହିନ୍ଦୁଶାସ୍ତ୍ର ବୋଲି ବା ଉପନିଷଦ୍‍ର ସନ୍ଦେଶକୁ ଏକ ହିନ୍ଦୁ ସନ୍ଦେଶ ବୋଲି କହିଲେ ସ୍ଵୟଂ ଉପନିଷଦ୍‍କୁ ମଧ୍ୟ ଭାରି ଲାଜ ଲାଗିବ । ସବୁ ହିନ୍ଦୁଙ୍କର ଏକମାତ୍ର ପ୍ରତିନିଧି ବୋଲି ଯେଉଁମାନେ ନିଜକୁ ଧରି ନେଇଛନ୍ତି, ସେମାନେ ନିଜର ଚେରଗୁଡ଼ିକ ବିଷୟରେ ଅଧିକ ଅବହିତ ହୁଅନ୍ତୁ ।

 

ହିନ୍ଦୁଧର୍ମ ସମେତ ପୃଥିବୀର ଯାବତୀୟ ଧର୍ମରେ ଏପରି ଗୋଟିଏ ସ୍ତର ରହିଛି, ଯେଉଁଠାରେ ଆସି ପହଞ୍ଚିଲେ ଯାବତୀୟ ନାମ ଓ ରୂପ ବିଦା ହୋଇ ଯାଆନ୍ତି, ଯାବତୀୟ ଭେକକୁ ପରବର୍ତ୍ତୀ ଉପଲବ୍‌ଧିଗୁଡ଼ିକ ନିମନ୍ତେ ପ୍ରଧାନତଃ ପ୍ରତିବନ୍ଧକ ବୋଲି ଜାଣି ଛାଡ଼ିଦେଇ ଚାଲି ଆସିବାକୁ ହୁଏ ଓ ଆପଣାକୁ ଏକ ଅନ୍ୟ ସ୍ଵୀକାରଭାବନା ପାଖରେ ଆଣି ପହୁଞ୍ଚାଇ ଦେବାକୁ ହୋଇଥାଏ । ହିନ୍ଦୁ, ମୁସଲମାନ ବା ଅନ୍ୟ ଯେକୌଣସି ଧର୍ମର ଜଣେ ବ୍ୟକ୍ତି ଯଦି ସେହି ସ୍ତରଟିକୁ ସ୍ପର୍ଶ କରି ନପାରିଲା ଏବଂ ଗାରଟିକୁ ଅତିକ୍ରମ ନକରି ଯଦି ସିଏ ସେହିଠାରେ ଅଟକି ରହିଗଲା, ତେବେ ତା’ର ହିନ୍ଦୁ, ମୁସଲମାନ ବା ସେହିପରି ଆଉ ଯାହାକିଛି ହେବ ପ୍ରକୃତରେ ନିଷ୍ଫଳ ବୋଲି କହିବାକୁ ହେବ । ପୃଥିବୀରେ ସବୁ ଧର୍ମରେ ଏହିଭଳି ନିଷ୍ଫଳ ହୋଇଥିବା ବ୍ୟକ୍ତିମାନେ ଅବଶ୍ୟ ଅଛନ୍ତି । ସଚରାଚର ସେଇମାନେ ସବୁଠାରୁ ବଡ଼ ପାଟିରେ ଧର୍ମର ପ୍ରତିନିଧିତ୍ଵ କରି ଆସିଛନ୍ତି; ଏବଂ ସମ୍ଭବତଃ ନିଷ୍ଫଳ ହୋଇଛନ୍ତି ବୋଲି ଅଧିକ ପାଟି କରିବା ଲାଗି ନିଜ ଭିତରୁ ଏକ ତାଡ଼ନା ଅନୁଭବ କରିଛନ୍ତି ।

 

୧୬ । ୧୨ । ୯୨

 

ପୃଥିବୀରେ ଅନ୍ୟ ଦେବତା ଅଛନ୍ତି ବୋଲି ମୁଁ ସର୍ବପ୍ରଥମେ ଏକ ହିନ୍ଦୁ ପରିବାରରୁ ପ୍ରେରଣା ପାଇ ଶିଖିଛି । ତା’ପରେ ଶାସ୍ତ୍ରମାନଙ୍କରୁ ତାହାର ସମର୍ଥନ ଅବଶ୍ୟ ମିଳିଛି । ଅନ୍ୟ ଦେବତାମାନେ ଅଛନ୍ତି ଅର୍ଥାତ୍ ଅନ୍ୟ ମଣିଷମାନେ ଅଛନ୍ତି । ଏବଂ, ଏହି ଯାବତୀୟ ଦେବତାକଳ୍ପନାର ସେପାଖରେ ପରମେଶ୍ଵର ସର୍ବଚିରନ୍ତନ ହୋଇ ବିରାଜମାନ ରହିଛନ୍ତି ବୋଲିବି ସେହି ହିନ୍ଦୁଧର୍ମ ମୋତେ ଶିକ୍ଷା ଦେଇଛି । ଯେଉଁ ପିତୁଳାମାନଙ୍କୁ ସ୍ଵୀକାର କରିଛି ଏବଂ ଯୁଗପତ୍ ଭାବରେ ପିତୁଳାମାନଙ୍କୁ ଡେଇଁଯିବାର ଉପାୟଟିକୁ ମଧ୍ୟ ବତାଇ ଦେଇଛି, ସେହି ଧର୍ମ ଆକସ୍ମିକ ଭାବରେ ମୋ’ ନିଜ ଧର୍ମ ହୋଇଥିବାରୁ ମୁଁ ଅନେକ ସମୟରେ ଗର୍ବ ଅନୁଭବବି କରିଛି ।

 

ବର୍ତ୍ତମାନ ହିନ୍ଦୁଧର୍ମକୁ କଣ୍ଢେଇ ପରି ବ୍ୟବହାର କରୁଥିବା ଏହି ବିଚିତ୍ର ମାମଲତ୍‍କାରମାନେ ଆସି କହୁଛନ୍ତି ଯେ, ଏହି ପିତୁଳାମାନେହିଁ ହେଉଛନ୍ତି ଆମ ଧର୍ମର ସର୍ବଶେଷ କଥା । ଅନେକ ମଣିଷଙ୍କ ଭିତରେ କାଳକାଳରୁ ଯେଉଁ ପ୍ରତିମାତୃଷ୍ଣା ବା ପିତୁଳାତୃଷ୍ଣା ରହି ଆସିଛି, ଏହି ନେତାମାନେ ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ତାହାରି ଫାଇଦା ଉଠାଉଛନ୍ତି ଏବଂ ସେଥିରୁ ରାଜନୀତିକ ପୁଞ୍ଜି ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କ ସହିତ ଦଳେ ସାଧୁ ବା ସଂସାରତ୍ୟାଗୀ ବାବାଜି ଆସି ଜୁଟିଛନ୍ତି ଯେଉଁମାନେ କି ସମ୍ଭବତଃ ପିତୁଳାର ସ୍ତରଟିକୁ ଅତିକ୍ରମ କରି ଆଉ ଅଧିକ ଆଗକୁ ମୋଟେ ଯାଇ ପାରିନାହାନ୍ତି । ଅଭିଜ୍ଞତାରେ ଏବଂ ଉପଲବ୍‌ଧିରେ ସିଦ୍ଧି ହୋଇ ନପାରି ଯେଉଁମାନେ ମଠ ବା ସମ୍ପ୍ରଦାୟ ସହିତ ବାନ୍ଧିହୋଇ ରହିଗଲେ, ସେମାନେ କିପରି ବା ଏହି ଆବଶ୍ୟକ ଅତିକ୍ରମଣଟିକୁ ନିଜ ଜୀବନରେ ସମ୍ଭବ କରିପାରିଥାନ୍ତେ ? ସେମାନେ ଧର୍ମ ଓ ଆଧ୍ୟାତ୍ମିକତା ମଧ୍ୟରେ ରହିଥିବା ସୋପାନ ଭେଦଟିକୁ ମୋଟେ ବୁଝି ପାରିଲେନାହିଁ । ନିଜ ଭିତରେ ଆଗକୁ ଆଗକୁ ବାଟ ଚାଲିବା ଅପେକ୍ଷା ସେମାନେ କୌଣସି ଏକ ଥାନରେ ନିର୍ଦ୍ଦିଷ୍ଟ ଭେକଟିଏ ପିନ୍ଧି ଆସନ ମାଡ଼ି ବସିଯିବାକୁହିଁ ସମ୍ଭବତଃ ଅଧିକ ସୁବିଧାଜନକ ଅର୍ଥାତ୍ ଆପଣା ସ୍ଵଭାବରେ ଅନୁକୂଳ ବୋଲି ଅନୁଭବ କଲେ । ଏମାନଙ୍କୁ ସମସ୍ତଙ୍କୁ ହିନ୍ଦୁ ବୋଲି କୁହାଯିବ ସତ, ମାତ୍ର ଏହି ହିନ୍ଦୁଧର୍ମ ଏକମାତ୍ର ପ୍ରତିନିଧି ବୋଲି କାହିଁକି କୁହାଯିବ ? ନିଜର ଆଉ କିଛି ଅଭିପ୍ରାୟ ଥିବାରୁ ସେମାନେ ସେହି ଦାବିଟିକୁ ଅବଶ୍ୟ କରିବେ ଏବଂ ଈପ୍ସିତ ସିଂହାସନଗୁଡ଼ିକୁ ଅଧିକାର କରିବାପାଇଁ ଥାଟ୍ ନେଇ ବାହାରିବେ । ମାତ୍ର ତା’ ବୋଲି ଦେଶଟାଯାକ ସେମାନଙ୍କୁ ସେହି ଅଧିକାର ଦେବାପାଇଁ କାହିଁକି ସମ୍ମତ ହେବ ?

 

୧୭ । ୧୨ । ୯୨

 

ସଭା ସମିତିରେ ନିଜେ କିଛି କହିବା ଓ ଅନ୍ୟମାନଙ୍କ ଠାରୁ କିଛି ଶୁଣିବା ଆଦୌ ସବୁଠାରୁ ବଡ଼ ଲାଭ ନୁହେଁ । ଅନ୍ୟମାନଙ୍କର ପରିପ୍ରେକ୍ଷୀରେ ଅନ୍ୟମାନଙ୍କୁ କଳିବା ଓ ନିଜର ପରିପ୍ରେକ୍ଷୀରେ ଅନ୍ୟମାନଙ୍କୁ ତଉଲି ଦେଖିବା ମଧ୍ୟ ଏହାଦ୍ଵାରା ସମ୍ଭବ ହୁଏ ଏବଂ ଏହାହିଁ ପ୍ରକୃତରେ ସବୁଠାରୁ ବଡ଼ ଲାଭ ।

 

ମାତ୍ର, ନିଜେ ଉଚିତ ପ୍ରକାରରେ ଗ୍ରହଣଶୀଳ ହୋଇ ପାରି ନଥିଲେ ଏସବୁ କିଛି ହୋଇ ପାରେନାହିଁ । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ପ୍ରାୟ ଝିଙ୍କପକ୍ଷୀ ପରି ମୁନିଆ ମୁନିଆ କାଠିଗୁଡ଼ାକୁ ବାହାର କରି କେଡ଼େ ସଚେତନ ଭାବରେ କଥା କହିବାରେ ଲାଗିଥାନ୍ତି । ସେମାନେ ପ୍ରକୃତରେ ଆଦୌ କିଛି କହୁନଥାନ୍ତି । ସେମାନେ ଆତ୍ମରକ୍ଷାହିଁ କରୁଥାନ୍ତି । ଏବଂ, ଆତ୍ମରକ୍ଷା କରିବା ବ୍ୟତୀତ ଯେ ଆଉ କୌଣସି କିଛି ନିମନ୍ତେ ସେମାନଙ୍କ ପାଖରେ ବିଶେଷ ବୁଦ୍ଧି ନାହିଁ, ଅତ୍ୟନ୍ତ ମର୍ମନ୍ତୁଦ ଭାବରେ ସେହି କଥାଟିକୁ ଧରା ପକାଇ ଦେଉଥାନ୍ତି । ଏବଂ, ଯେଉଁମାନେ ନିଜେ ନାନା ଅନ୍ତର୍ଗତ କିମ୍ବା ଅନଭିଜ୍ଞତାଗତ କାରଣରୁ ପ୍ରାୟ ସେହିପରି ଗୋଟିଏ ଝିଙ୍କପକ୍ଷୀ ପରି ଆଚରଣ କରି ଅନ୍ୟମାନଙ୍କର କଥାକୁ ଶୁଣୁଥାନ୍ତି, ସେମାନେ ମଧ୍ୟ ପ୍ରକୃତରେ ବିଶେଷ କିଛି ଶୁଣୁନଥାନ୍ତି । ପ୍ରଧାନତଃ ଆତ୍ମରକ୍ଷା କରୁଥିବା ମଣିଷ ଆଘାତ ଦେଉଥାଏ ଓ ଆଘାତ ସହୁଥାଏ । ହୁଏତ ଅପେକ୍ଷାକୃତ ଅଧିକ ଆଘାତ ସହୁଥାଏ ନିଜର କଳ୍ପନା ଭିତରେ ତମତମ ହୋଇ ଆଘାତ ଦେଉଥିଲା ପରି ଅନୁଭବ କରୁଥାଏ । ସିଏବି କମ୍ ମର୍ମନ୍ତୁଦ ଅବସ୍ଥା ନୁହେଁ । ଗ୍ରହଣକାତର ମନୁଷ୍ୟମାନେ ନିରନ୍ତର ଏହିଭଳି ଗୋଟିଏ ଭାରି ମର୍ମନ୍ତୁଦ ସ୍ଥିତିରେ ରହିଥାନ୍ତି । ସେମାନେ କେଉଁ ଆସନରେ ଅଛନ୍ତି, କେତେ ଟଙ୍କା ବେତନ ପାଉଛନ୍ତି, ଏହି ସଭାଟାରେ ମଧ୍ୟ କେଉଁ ସନ୍ତକ ବା ମର୍ଯ୍ୟାଦା ପାଇଁ ବସିଛନ୍ତି, ପ୍ରଧାନତଃ ଏହିଗୁଡ଼ିକୁ ଆଳ କରି ସେମାନେ ଆତ୍ମରକ୍ଷା କରିବାକୁ ଚେଷ୍ଟା କରୁଥାନ୍ତି । ସେମାନେ ନିଜେ ଭାରି ହରକତ ହୁଅନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ କମ୍ ହରକତରେ ପକାନ୍ତିନାହିଁ । ଯଦି ଗ୍ରହଣଶୀଳ ହେବ, ତେବେ ସ୍ଵଭାବପ୍ରେରିତ ଭାବରେ ହେବ । ଗୋଟିଏ ନିର୍ଦ୍ଦିଷ୍ଟ ପରିବେଶ ସମ୍ଭବ ହେଲେ ଯାଇ ମୁଁ ଗ୍ରହଣଶୀଳ ହେବି, ଏକଥା କେବଳ ଗ୍ରହଣକାତର ମନୁଷ୍ୟମାନେହିଁ କହିଥାନ୍ତି ଓ ସର୍ବଦା ଅତ୍ୟନ୍ତ ମର୍ମନ୍ତୁଦ ପରିସ୍ଥିତିରେ ରହିଥାଆନ୍ତି । ସେମାନେ ଅନ୍ୟକୁ ପ୍ରକୃତରେ କିଛି ଦେଇ ପାରନ୍ତିନାହିଁ କି ଅନ୍ୟମାନଙ୍କଠାରୁ କିଛି ନେଇବି ପାରନ୍ତିନାହିଁ ।

 

୧୮ । ୧୨ । ୯୨

 

ସମଗ୍ର ପୃଥିବୀରେ ମଣିଷପାଇଁ ଏବେ ହୁଏତ ଏମିତି ଗୋଟିଏ ପରୀକ୍ଷା ଆସି ପହଞ୍ଚିଛି, ଯେତେବେଳେ କି ଭଗବାନ୍‍ଙ୍କୁ ପାରମ୍ପରିକ ଭାବରେ ଆଗ ମନ୍ଦିର ଭିତରେ ଅଥବା ନିଜର ନିର୍ଦ୍ଧାରିତ କୌଣସି ଖଟୁଳି ଉପରେ ନଦେଖି ପରସ୍ପର ଭିତରେହିଁ ଦେଖିବାକୁ ପଡ଼ିବ । ଭଗବାନ୍ ସବୁଠାରେ ରହିଛନ୍ତି ବୋଲି ଯେଉଁ ଧର୍ମମାନଙ୍କରେ ସବାବଡ଼ ସତ୍ୟରୂପେ ପ୍ରଚାର କରାଯାଇ ଆସିଛି, ସେହି ଧର୍ମର ଅନୁଗାମୀମାନଙ୍କ ନିମନ୍ତେ ଏହି ଆହ୍ଵାନଟି ବିଶେଷ ଭାବରେ ପ୍ରାୟ ସେମାନଙ୍କର ଦ୍ଵାର ପାଖରେ ଆସି ପହଞ୍ଚିଛି । ସେମାନଙ୍କର କବାଟରେ ଧକା ଦେଉଛି, ସେମାନଙ୍କର ବିବେକ ପାଖରେ ଧକା ଦେଉଛି ।

 

ଯେଉଁ ଭଗବାନ୍ ସର୍ବତ୍ର ଅଛନ୍ତି, ନାସ୍ତିକ ଭିତରେ ମଧ୍ୟ ରହିଛନ୍ତି, ତେବେ ତାଙ୍କୁ କେଉଁ ସୁତରରେ କାହିଁକି ଗୋଟାଏ ଗୋଟାଏ ମନ୍ଦିର ଭିତରେ ନେଇ କିଳି କରି ରଖି ଦିଆଗଲା ଓ କେବଳ ସେହିଠାରେହିଁ ତାଙ୍କୁ ଇଷ୍ଟଦେବ ବୋଲି କୁହାଗଲା, ପ୍ରତ୍ୟେକ ଧର୍ମସ୍ଥ ବ୍ୟକ୍ତି ଏହି ପ୍ରଶ୍ନଟିକୁ ନିଜକୁ ଅବଶ୍ୟ ପଚାରିବା ଦରକାର । ଭଗବାନ୍ ମନ୍ଦିର ଭିତରେ ଅବଶ୍ୟ ଅଛନ୍ତି । ସେଠାରେ ତାଙ୍କର କୌଣସି ମୂର୍ତ୍ତିର ସ୍ଥାପନା ହୋଇ ନଥିଲେ ମଧ୍ୟ ସିଏ ସେଠାରେ ରହିଛନ୍ତି । ତେଣୁ, ମନ୍ଦିର ବାହାରେ ଯେଉଁଠାରେ ତାଙ୍କର ତଥାକଥିତ ମୂର୍ତ୍ତିଗୁଡ଼ାକୁ ମଣିଷଦ୍ଵାରା ଥାପନା କରାଯାଇନାହିଁ, ସେଠାରେ ମଧ୍ୟ ଆମେ କାହିଁକି ଭଗବାନ୍‍ଙ୍କୁ ଦେଖି ପାରୁନାହୁଁ ଏବଂ ପ୍ରାୟ ସେହି ଅପରାଧଟିରୁ ପ୍ରଶ୍ରୟ ପାଇ ଚଣ୍ଡାଳ ପରି ଆଚରଣ କରୁଛୁ ? ଭଗବାନ୍‍ଙ୍କୁ କିଳି ରଖିବାରେ ଏବଂ ତାଙ୍କୁ ଏହି ସମଗ୍ର ବିଶ୍ଵର ଅଧିକାରରୁ ବଞ୍ଚିତ କରାଇବାରେ ବିଭିନ୍ନ ଗୁରୁ, ବିଭିନ୍ନ ସମ୍ପ୍ରଦାୟ ଓ ଏକ ନିର୍ଦ୍ଦିଷ୍ଟ ବାସନାର ଭକ୍ତମାନଙ୍କର ମଧ୍ୟ କାଳେ କାଳେ ଏକ ଭୂମିକା ରହିଆସିଛି । ପୁନଶ୍ଚ, ଅଧିକାଂଶ ମନୁଷ୍ୟର ପ୍ରକୃତି ଭିତରେ ପୌତ୍ତଳିକତାର ପ୍ରବୃତ୍ତି ରହିଛି ବୋଲି କହି ଏହି କଥାଟିକୁ ଆଦୌ ଉଡ଼ାଇ ଦିଆଯାଇପାରିବ ନାହିଁ । ଯିଏ ମଣିଷ, ପ୍ରତ୍ୟେକ ମଣିଷ ଭିତରେ ରହିଛନ୍ତି, ସେଇ ସଂସାରଯାକ ପୂରି ରହିଛନ୍ତି ବୋଲି ଆମ ଗୁରୁମାନେ ଯଦି ଆମକୁ ସବାଆଗ ସବୁଠାରୁ ଅଧିକ ମହତ୍ତ୍ଵ ଓ ମର୍ଯ୍ୟାଦା ଦେଇ କହୁଥାନ୍ତେ, ତେବେ ସେମାନେ ଆମର ବହୁତ ଉପକାର କରୁଥାନ୍ତେ । ସ୍ଵୟଂ ଭଗବାନ୍‍ଙ୍କର ମଧ୍ୟ ଅନେକ ଉପକାର କରିପାରୁଥାନ୍ତେ ।

 

୧୯ । ୧୨ । ୯୨

 

କିଛି ଲେଖିବାର ଅର୍ଥ ହେଉଛି ନିଜର ସ୍ଵାଧୀନତାକୁ ଘୋଷଣା କରିବା ବୋଲି ଜାଁ ପଲ୍ ସାର୍ତ୍ତ୍ର କେବେ କହିଥିଲେ ବା ଲେଖିଥିଲେ । ମୁଁ ନିଜେ ମଧ୍ୟ ସେହିପରି ଭାବୁଥିଲି । ମୁଁ ଏବେ ମଧ୍ୟ ତାହାକୁ ଠିକ୍ ବୋଲି ଅନୁଭବ କରୁଛି । ତଥାପି, ତା’ ସହିତ ଆଉଗୋଟାଏ ବାକ୍ୟବି ଯୋଡ଼ି ଦେବାକୁ ଇଚ୍ଛା କରୁଛି । ଲେଖିବାର ଅର୍ଥ ହେଉଛି ସାଙ୍ଗଟିଏ ଖୋଜିବା । ପାଠକଟିଏ ଖୋଜିବା । ପାଠକ ହେଉଛି ଜଣେ ଲେଖକର ଅସଲ ସାଙ୍ଗ । ଅର୍ଥାତ୍, ଜଣେ ଲେଖକର ଅସଲ ସାଙ୍ଗ ତା’ ପାଠକମାନଙ୍କ ଭିତରୁହିଁ ମିଳନ୍ତି । ଜଣେ ଲେଖକ ଏଇଟା ବା ସେଇଟା ଲେଖୁଛି, ଅଥଚ ସଂସାରରେ ସାଙ୍ଗଟିଏ ପାଇନାହିଁ,–ଏପରି ହେଉଥିଲେ ତାହା ନିଶ୍ଚୟ ଅତ୍ୟନ୍ତ ଦୁର୍ଭାଗ୍ୟର କଥା । ଲେଖକର ଲେଖାଟିଏ ପଢ଼ି ତା’ର ଚିହ୍ନା ଓ ଅଚିହ୍ନା କେତେ ମଣିଷ ଯେ ତା’ର ସାଙ୍ଗ ହୋଇଛନ୍ତି, ମୁଁ ଏହାକୁ ଜଣେ ଲେଖକର ସବୁଠାରୁ ବଡ଼ ସୌଭାଗ୍ୟ ବୋଲି କହିବି । ଅନେକ କ୍ଷେତ୍ରରେ, ବ୍ୟକ୍ତିଗତ କୌଣସି ପରିଚୟ ନଥାଏ, ଅଥଚ ମଣିଷମାନେ ସାଙ୍ଗ ହୋଇ ରହିଥାନ୍ତି, ସ୍ନେହରେ ବାନ୍ଧି ରଖିଥାନ୍ତି, ଶୁଭ ମନାସୁଥାନ୍ତି ଓ ସାଙ୍ଗରେ ବାଟବି ଚାଲୁଥାନ୍ତି ।

 

ଜଣେ ଲେଖକ ସାଙ୍ଗଟିଏ ଖୋଜିବା ଓ ସଂସାରରେ ସାଙ୍ଗଟିଏ ଖୋଜିବା କହିଲେ ସାଧାରଣତଃ ଯାହା ବୁଝାଯାଏ, ଦୁଇଟି ମଧ୍ୟରେ ଅନେକ ଭେଦ ରହିଛି । ଯିଏ ମତେ ପ୍ରଶଂସା କରୁଥିବା ଅଥବା ମୋ’ ମନମୁତାବକ ହୋଇଥିବ, ମୋ’ର ପକ୍ଷ ସମର୍ଥନ କରୁଥିବ ଓ ମୋ’ର କାନି ଧରି ବାଟ ଚାଲୁଛି ବୋଲି ମନେ ହେଉଥିବ, ସଂସାରରେ ସାଧାରଣ ଭାବରେ ସେହିଭଳି ଲୋକମାନଙ୍କୁ ସାଙ୍ଗ ବୋଲି ସ୍ଵୀକାର କରାଯାଏ । ଜଣେ ଲେଖକ ସେ ବିଷୟରେ ଆଦୌ ଆଗ୍ରହୀ ନଥାଏ । ତା’ନିଜ ଭିତରେ ଯେଉଁସବୁ ମନ୍ଥନ ବା ଉଦ୍‌ବେଳନ ତାକୁ କିଛି ଲେଖିବାପାଇଁ ପ୍ରେରଣା ଦେଇଛି, ଅନ୍ୟମାନଙ୍କ ମଧ୍ୟରେ ଅର୍ଥାତ୍ ତା’ ପାଠକମାନଙ୍କ ଭିତରେ ମଧ୍ୟ; ସେହି ମନ୍ଥନ ଓ ଉଦ୍‌ବେଳନ ସମ୍ଭବ ହେଉ,–ଲେଖକ ସବାଆଗ ସେହି କଥାଟିପାଇଁ ଅପେକ୍ଷା ରଖିଥାଏ । ସ୍ପନ୍ଦନଗୁଡ଼ିକର ଏକ ଅନୁସ୍ପନ୍ଦନ ସୃଷ୍ଟି ହେଉ । ଜୀବନ ଭିତରକୁ ଓ ପୃଥିବୀ ଭିତରକୁ ଅନାଇ ଯେପରି ମୁଁ ଖୁସିରେ ଶବ୍ଦର ମାଧ୍ୟମରେ ଆପଣାକୁ ଅଜାଡ଼ି ଦେଉଛି, ଖୁସି ହୋଇ ଅଜାଡ଼ି ଦେଉଛି ଏବଂ–ସେଇଥିରୁହିଁ ସହସ୍ର ସଖୀର ଅନୁଭବ ଲାଭ କରୁଛି, ଆଉଜଣେ ମଧ୍ୟ ସେହିପରି ତା’ ନିଜ ଧାରାରେ ନିଜକୁ ଅଜାଡ଼ି ଦେଇପାରୁ, ଆଦୌ କୃପଣ ହୋଇ ନରହୁ ଜଣେ ଲେଖକ ସଚରାଚର ତାହାହିଁ ଇଚ୍ଛା କରୁଥାଏ ।

 

୨୦ । ୧୨ । ୯୨

 

ଅସଲ ଗୁରୁ ସାଙ୍ଗରେ ଥାଏ, ମୋଟେ ଗିଳି ପକାଏ ନାହିଁ । ତେଣୁ, ଅସଲ ବନ୍ଧୁ ଓ ଅସଲ ଗୁରୁ ଭିତରେ ପ୍ରକୃତରେ କୌଣସି ପ୍ରଭେଦ ନାହିଁ । ପୃଥିବୀରେ ତଥାକଥିତ ଗୁରୁମାନେ ଆଗ ଜଣେ ବନ୍ଧୁ ନହୋଇ ଏକ ଉଚ୍ଚ ଆସନରେ ବସି କାହିଁକି ଯେ ଯୁଗେ ଯୁଗେ ଏତେ ସରାଗ ଦେଖାଇ ଆସିଛନ୍ତି, ମୁଁ ସେହି କଥାଟିକୁ ମୋଟେ ବୁଝି ପାରେନାହିଁ ।

 

ଯିଏ ଆଗ ଯାଇ ପହଞ୍ଚିଗଲା, ଯିଏ ସତକୁସତ ବାରତାଟିଏ ପାଇଲା, ସିଏ ଯଦି ଗୁରୁ ହୁଏ, ତେବେ ସିଏ କଦାପି ଦୁଷ୍ଟ ହେବନାହିଁ, ଏକ ସମ୍ପ୍ରଦାୟରୂପୀ ଗାତ ଭିତରେ ସିଏ କଦାପି ଯଥାସମ୍ଭବ ଅଧିକରୁ ଅଧିକ ମଣିଷଙ୍କୁ ନେଇ ପକାଇ ଦେବାକୁ ଚେଷ୍ଟା କରିବନାହିଁ । ସିଏ ନିଜକୁ କଦାପି ବ୍ରହ୍ମା, ବିଷ୍ଣୁ, ମହେଶ୍ଵର ବୋଲି କହିବନାହିଁ । ଯେଉଁ ଶିଷ୍ୟମାନେ ଗୁରୁମାନଙ୍କୁ ଏହିଭଳି ଆଖ୍ୟାମାନ ଦେଇ ଡେଣାଲଗା ପ୍ରଶଂସାମାନ କରିଛନ୍ତି, ହୁଏତ ନିଜେ ଗୁରୁ ହୋଇ ନିଜ ଶିଷ୍ୟମାନଙ୍କ ଠାରୁ ପୂଜା ପାଇବାର ଲୋଭ ରଖିଥିବାରୁହିଁ ସେମାନେ, ଏଭଳି କରିଛନ୍ତି । ପୃଥିବୀରେ ମନୁଷ୍ୟମାନଙ୍କୁ ଗଧ ହୋଇ ରହିବାରେ ଏମାନେ ଖୁବ୍ ସାହାଯ୍ୟ କରିଛନ୍ତି । ଗୁରୁମାନଙ୍କର ସହାୟତାରେ ମଣିଷମାନେ ଭଗବାନ୍‍ଙ୍କର ସନ୍ଧାନ ପାଇଥାନ୍ତେ, ନିଜ ଭିତରେ ରହିଥିବା ବିରାଟ୍‍ର ପରିଚୟ ପାଇଥାନ୍ତେ । ମାତ୍ର, ଗୁରୁ ହେବାର ପ୍ରମତ୍ତତା ଦେଖାଇ କେତେ ତଥାକଥିତ ଗୁରୁ ସେମାନଙ୍କୁ ଏକ ସମ୍ପ୍ରଦାୟର ଗାଡ଼ ଭିତରେ ନେଇ ସେମାନଙ୍କୁ ପକାଇ ଦେଇଛନ୍ତି ଓ ପୃଥିବୀରେ ଉଦୟପଥକୁ ବଣା କରି ରଖିଛନ୍ତି । ପୃଥିବୀର ଅଧିକାଂଶ ମନ୍ଦିରରେ ଭଗବାନ୍‍ଙ୍କର ପୂଜା ନହୋଇ ତୁଚ୍ଛା ପିତୁଳାମାନଙ୍କର ପୂଜା ହେଉଥିଲା ପରି ଅଧିକାଂଶ ଗୁରୁ ମନୁଷ୍ୟମାନଙ୍କୁ ସାହସୀ ଏବଂ ଅନ୍ଵେଷୀ ହେବାରେ ସାହାଯ୍ୟ ନକରି ସେମାନଙ୍କୁ ଭୀରୁ କରି ରଖିଛନ୍ତି, ଏହି ଦୃଷ୍ଟିରୁ ଅନ୍ୟମାନେ ମାନବ ସମାଜର ସବୁଠାରୁ ବଡ଼ କ୍ଷତି କରିଛନ୍ତି । ଆଧ୍ୟାତ୍ମିକତାର ପଥକୁ ଉଗାଳି ରଖି ସେମାନେ ସତେଅବା ମଝିରେ ଛିଡ଼ା ହୋଇ ଭଗବାନ୍‍ଙ୍କୁ ଓ ମନୁଷ୍ୟ ଭିତରେ ଅସଲ ଚେତନାର ଉଦୟକୁ ଉଢ଼ାଳ କରି ରଖିଛନ୍ତି । ଏବେ ରାଜନୀତିର ଦୁର୍ଦ୍ଦାନ୍ତମାନେ ଯେ ଜଣେ ଜଣେ ଧର୍ମଗୁରୁଙ୍କର ଏଡ଼େ ଅନୁଗତ ହୋଇ ରହିଛନ୍ତି, ଉକ୍ତ ରୀତିଟି ସହିତ ତାହାର ପ୍ରକୃତରେ କିଛି ସମ୍ବନ୍ଧ ରହିଛି କି ? ଆଧୁନିକ ରାଜନୀତିକୁ ଏକ ଅତି ଧାର୍ମିକତା ହୁଏତ ଭାରି ସୁହାଉଛି !

 

୧୯୯୩

୬ । ୧ । ୯୩

 

ସକଳ ଶକ୍ତି ସେଇ ଭିତରୁ ମିଳେ । ତେଣୁ ଅପେକ୍ଷା କରିବାକୁ ହୁଏ । ଅତ୍ୟନ୍ତ ବିଶ୍ଵାସ ଏବଂ ଶ୍ରଦ୍ଧାର ସହିତ ଅପେକ୍ଷା କରିବାକୁ ହୋଇଥାଏ । ମୁଁ ଏହି କଥାଟିକୁ ଏହି ଖାତାରେ ଏକାଧିକବାର ଲେଖୁଛି । କାରଣ, ଏହି କଥାଟିକୁ ଏକାଧିକବାର ଅଙ୍ଗେ ନିଭାଇଛି । ଠିକ୍ ଜପ କଲାପରି ଏହି କଥାଟିର ଜପ କରିଛି । ଜପଦ୍ୱାରା ସନ୍ନିକଟକୁ ଆସିଛି । ଜପଦ୍ୱାରା ଦୁଆର ଖୋଲିଛି । ଦୁଆର ଖୋଲିଯିବା ପରେ ଏହି ଦେହ, ପ୍ରାଣ ଓ ମନର ଯନ୍ତ୍ରଗୁଡ଼ାକ ସତେଅବା କାହାର ଶକ୍ତିସ୍ପର୍ଶ ଲାଭ କରି ନିଜ ନିଜର ସର୍ବୋତ୍ତମ ସମର୍ଥତାର ସ୍ତରକୁ ଉନ୍ନୀତ ହୋଇ ଯାଇଛନ୍ତି-। ଏବଂ, ମୋ’ର ଏହି ଜୀବନରେ ଆହୁରି ଅଧିକ ମହିମାମୟ କଥାଟି ହେଉଛି ଯେ, ଶକ୍ତିର ଉତ୍ସଟି ଯେ ଅନୁକ୍ଷଣ ମୋ’ ଭିତରେ ରହିଥିଲା ଓ ମୋ’ର ସମ୍ମତି ଲାଭ କଲେ ମୋ’ର ସହଯୋଗୀ ହୋଇ ବାହାରି ଆସିବ ବୋଲି ଅପେକ୍ଷା କରିଥିଲା, ମୁଁ ସତେଅବା ପୁନର୍ବାର ନୂଆ କରି ସେହି ସମ୍ବନ୍ଧସତ୍ୟଟିର ଆବିଷ୍କାର କରିଛି ।

 

ଲେଖିବାପାଇଁ ବହୁତ କିଛି ରହିଥାଏ । ତଥାପି ବେଳ ଆସି ନଥାଏ ବୋଲି ମୁଁ ଅପେକ୍ଷା କରି ରହିଥାଏ । ମୋଟେ ତରତର ହୁଏନାହିଁ । ବିଶ୍ଵାସ ରଖିଥାଏ । ତେଣୁ ବ୍ୟସ୍ତ ହୁଏନାହିଁ । ସତେଅବା କ’ଣ କିଛି ଘଟେ । ମୋ’ ହାତଟା ଝାଡ଼ିଝୁଡ଼ି ହୋଇ ଲେଖିବାକୁ ପ୍ରସ୍ତୁତ ହୋଇଯାଏ । ଗୋଟାସୁଦ୍ଧା ମୋ’ର ହେଇ, ତାଙ୍କର ହୋଇ ପ୍ରସ୍ତୁତ ହୋଇଯାଏ । ତା’ପରେ, କ’ଣସବୁ ଲେଖିବି, ସେ କଥା ଭାବିବାକୁବି ପଡ଼େନାହିଁ । ସତେଅବା ସାଙ୍ଗରେ କେହି ଥାଏ, ସାଙ୍ଗରେ ଥାଇ ସବୁକିଛି ଯୋଗାଇଦିଏ । ଉଚିତ ଶବ୍ଦଗୁଡ଼ିକର ଖିଅଟିକୁ ମଧ୍ୟ ମୋ’ ହାତରେ ଆଣି ଧରାଇ ଦେଉଥାଏ । ଶବ୍ଦ ସହିତ ଶବ୍ଦକୁ ଯୋଡ଼ି ଏକ ନୂତନ ବ୍ୟଞ୍ଜନାବାହକ ଶବ୍ଦର ସୃଷ୍ଟି କରିବା,–ତା’ରି ସହଯୋଗ ହେତୁ ସେତେବେଳେ କେଡ଼େ ସହଜରେ ସେହି କାର୍ଯ୍ୟଟି ହୋଇଯାଏ । ପାଠମାନେ, ତଥ୍ୟମାନେ,–ଏମାନେ ସତେଅବା ଆଗରୁ କେଉଁଠି କେତେ ଦୂରରେ ଯାଇ କୁଣ୍ଠିତ ହୋଇ ରହିଥାନ୍ତି, ସମୟ ଜାଣି ସେମାନେ ମଧ୍ୟ ପହଞ୍ଚି ଯାଆନ୍ତି । ଲେଖିବାଟା ଗୋଟାଏ ଶୋଭାଯାତ୍ରା ପରି ଲାଗେ । ସିଏ ମୋ’ ସାଙ୍ଗରେ ଯାଉଛନ୍ତି କି ମୁଁ ତାଙ୍କ ସାଙ୍ଗରେ ଯାଉଛି, ସେ କଥା ବିଚାର କରିବାକୁ ତର ସହେନାହିଁ । ଏକ ସହଜ ସମ୍ମତତାର ଖୁସିରେ ଆଗକୁ ଆଗକୁ ବାଟ ଫିଟିଯାଏ ।

 

୭ । ୧ । ୯୩

 

Agnostic ଅର୍ଥାତ୍ Uncommitted ଏବଂ Uncommitted ମନୁଷ୍ୟମାନେହିଁ ପ୍ରଧାନତଃ indifferent ହୁଅନ୍ତି । ଉପେକ୍ଷାକୁ ନିଜ ଜୀବନର ସବାତଳ ଅବଲମ୍ବନରୂପେ ଗ୍ରହଣ କରିଥାନ୍ତି । ସେହି ଉପେକ୍ଷାରୁ ଏପରି ଏକ ଅବସରବାଦିତା ଜନ୍ମଗ୍ରହଣ କରେ, ଯାହାଦ୍ୱାରା ଉପସ୍ଥିତ ସକଳ ପରିସ୍ଥିତିରୁ ଯଥାସମ୍ଭବ ଅଧିକ ଲାଭ ଉଠାଇ ପାରିବା ସମ୍ଭବ ହୁଏ ।

 

ଜଣେ agnostic ର କହିବା ଅନୁସାରେ ସିଏ ବିଶ୍ଵାସ କରେନାହିଁ, କି ଅବିଶ୍ଵାସ କରେନାହିଁ, ଗ୍ରହଣ କରେନାହିଁ କି ବର୍ଜନ କରେନାହିଁ, ଠିକ୍ ବୋଲି କହେନାହିଁ କିମ୍ବା ଭୁଲ୍ ବୋଲି କହେନାହିଁ । ସଂସାରରେ ଏକମାତ୍ର ଭଲ, ଏକମାତ୍ର କାମ୍ୟ ବା ଏକମାତ୍ର ଗ୍ରହଣୀୟ ଯେ ଏଇଟା ବା ସେଇଟା ସେ କଥା ଅଙ୍କ କଷି ଗାର କାଟିଦେଇ କହି ହୁଏନାହିଁ । ଈଶ୍ଵର ପ୍ରକୃତରେ ଏମିତି ବା ଏମିତି ନୁହନ୍ତି ବୋଲି ମୋତେ ଜୋର୍ କରି କହି ହୁଏନାହିଁ । ତଥାପି ଜୀବନରେ ଏକ ଈଶ୍ଵର ବାଛିନେବାକୁ ହୁଏ, ଏକ ଗିରିଶିଖରକୁ ବାଛି ନେଇହୁଏ । ନହେଲେ ଜଣେ ମଣିଷ ସଂସାରରେ ହୁଏତ ଆଦୌ କୌଣସି କାମରେ ଲାଗେନାହିଁ । ସିଏ ନିଜର, ନିଜ ଜୀବନ-ଉଦ୍‌ଘାଟନର କୌଣସି ଆହ୍ଵାନକୁ ଯୋଗ୍ୟ ହୋଇ ପାରେନାହିଁ । ବାହାରର ବହୁ ସଫଳତା ଓ କରାମତିକୁ ଜୀବନର ଯାବତୀୟ ଅର୍ଜନ ବୋଲି କହେ ଏବଂ ସେଇଥିରୁ ଗୁଡ଼ାଏ ହାସଲ କରି ତାହାକୁ ହାତରେ ମୁଦି ଓ ଗୋଡ଼ରେ ଝୁଣ୍ଟିଆ କରି ବୋହୁଥାଏ । ମୁଁ agnostic ହୋଇ ପାରିଲିନାହିଁ । କାରଣ, ମୁଁ ଭଲ ପାଇ ପକାଇଲି । ମୋ’ରି ଭିତରେ ଥିବା ସର୍ବୋତ୍ତମ ଠାବ ପାଇ ତାହାକୁ ଭଲ ପାଇ ବସିଲି, ତାହାରି ଲାଗି ସବାଆଗ committed ହେଲି । ସେହି commitmentର ଶୃଙ୍ଖଳା ଭିତରେ ରହିବି ବୋଲି ବାହାରର ଆଉ ଯାବତୀୟ ଶୃଙ୍ଖଳା ଏବଂ ନିରାପତ୍ତାକୁ ଗୌଣ ମନେ କଲି । ମୋ’ ଭିତରେ ସେଇ ସର୍ବୋତ୍ତମହିଁ ମୋତେ ବାହାରେ ଈଶ୍ଵର ବୋଲି ଦିଶିଲେ । ସବୁ ମଣିଷଙ୍କ ଭିତରେ ସେଇ ଦିଶିଲେ, ମୋ’ ଜୀବନର ଯାବତୀୟ ସମ୍ବନ୍ଧରେ ଏକ ନିର୍ଦ୍ଦିଷ୍ଟ ଶୃଙ୍ଖଳା ଆଣିଦେଲେ । ମୋ’ ଆଗରେ ଯାବତୀୟ ଭବିଷ୍ୟନିୟତିର ଅଧୀଶ୍ଵରରୂପେ ପ୍ରତ୍ୟକ୍ଷ ହେଲେ । ମୋତେ ମୁକ୍ତି ଦେଲେ, ପରିତ୍ରାଣ ଆଣିଦେଲେ ।

 

୧୧ । ୧ । ୯୩

 

ଏକ ଉପଲବ୍‌ଧି,–ତାହାକୁ ଏକ ଆବିଷ୍କାର ବୋଲି ମଧ୍ୟ କୁହାଯାଇପାରିବ । ଆପଣାକୁ ଜଣେ ବ୍ୟକ୍ତିରୂପେ ଉପଲବ୍‌ଧି କରିବା ପରେ ମଣିଷ ଯେପରି ସେତିକି ପରିଚୟ ଭିତରେ ମୋଟେ ସନ୍ତୁଷ୍ଟ ହୋଇ ରହି ପାରେନାହିଁ । ସେତେବେଳେ ସିଏ ସତେଅବା ବଳେବଳେ ଯାଇ ଆଉ ସମସ୍ତଙ୍କର ଭିତରକୁ ପ୍ରସାରିତ ହୋଇଯାଏ । ସିଏ ସମସ୍ତଙ୍କ ଭିତରେ ନିଜକୁ ଦେଖେ, ଅର୍ଥାତ୍ ସମସ୍ତଙ୍କ ଭିତରେ ଏକ ବ୍ୟକ୍ତିର ଆବିଷ୍କାର କରେ । ଅର୍ଥାତ୍, ତା’ ଆପଣା ଭିତରେ ସତେଅବା ସମସ୍ତଙ୍କ ଲାଗି ଥାନ ହୋଇଯାଏ । ତେଣୁ, ନିଜକୁ ଜଣେ ବ୍ୟକ୍ତିରୂପେ ଉପଲବ୍‌ଧି କରିବାକୁ କଦାପି ଆପଣାକୁ ଗୋଟିଏ ନିବୁଜ ଘରରେ ପରିଣତ କରି ରଖିବାକୁ ବୁଝାଇବ ନାହିଁ । ନିଜ ଭିତରକୁ ଦୁଆରଟିଏ ଖୋଲିଯିବାମାତ୍ରକେ ପୃଥିବୀ ଆଡ଼କୁ ଅର୍ଥାତ୍ ଅନ୍ୟ ସମସ୍ତଙ୍କୁ ଭିତରକୁ ମଧ୍ୟ ଦ୍ଵାର ଖୋଲି ଯାଇଥାଏ । ନିଜକୁ ଜାଣିବା, ନିଜକୁ ସ୍ଵୀକାର କରିନେବା ସମସ୍ତଙ୍କୁ ଜାଣିବା ଏବଂ ସମସ୍ତଙ୍କ ଆଡ଼କୁ ଦ୍ଵାର ଖୋଲି ରଖିବାରେ ପରିଣତ ହୋଇଯାଏ ।

 

ଆପଣାର ଉପଲବ୍‍ଧିକ୍ରମରେ ସମ୍ଭବତଃ ଏହାକୁହିଁ ଅସଲ ଓ ସୁସ୍ଥ କ୍ରମ ବୋଲି କୁହାଯାଇପାରିବ । ଯେଉଁମାନେ ନିଜକୁ ଜଣେ ଜଣେ ବ୍ୟକ୍ତିରୂପେ ଉପଲବ୍‍ଧି କରିବେ ବୋଲି ସଂସାରରୁ ଡୋର ଛିଣ୍ଡାଇ ଦେଇ ଉଢ଼ାଳରେ ଯାଇ ରହିଥାନ୍ତି, ସତେଅବା କେଉଁ ଗାତ ଭିତରକୁ ଗୋଡ଼ ଖସିଯିବ ବୋଲି ପ୍ରମାଦ ଗଣୁଥାନ୍ତି, ସେମାନେ ନିଜ ହାତରେହିଁ ନିଜର ଜୀବନକୁ ଗୋଟାଏ ଗାତରେ ପରିଣତ କରି ରଖିଥାନ୍ତି । ସେମାନେ ଯଥାର୍ଥରେ ନିଜକୁ ଜଣେ ବ୍ୟକ୍ତି ହିସାବରେ ଦେଖିବାରୁ ମଧ୍ୟ ବହୁଦୂରରେ ରହିଥାନ୍ତି । ଆପଣା ଭିତରେ ରହିଥିବା ଅସଲ ବ୍ୟକ୍ତିଟି ଲାଗି ରହିଥିବା ନିଷ୍ଠା ଭିତରେ ଏପରି ଗୋଟିଏ dimension ମଧ୍ୟ ରହିଥାଏ, ଯାହାକି ମଣିଷକୁ ଜଗତ୍ ମଧ୍ୟକୁ ପ୍ରସାରିତ ହୋଇଯିବା ନିମନ୍ତେ ନିଃଶଙ୍କ କରିଦିଏ । ନିଜକୁ ଆପଣାର କରି ଉପଲବ୍‌ଧି କରିବା ହେଉଛି ସମଗ୍ର ଜଗତ୍‍କୁ ଆପଣାର ଘର ବୋଲି ଅନୁଭବ କରିବା । ଅର୍ଥାତ୍, ଅସଲ ଆତ୍ମଉପଲବ୍‌ଧିକୁ ଆମେ ସମ୍ଭବତଃ ପ୍ରାଚୀରଗୁଡ଼ିକୁ ଭାଙ୍ଗିଦେବାର ଏକ ପ୍ରକ୍ରିୟା ବୋଲି କହିପାରିବା, ଅସଲ ଗୃହପ୍ରବେଶକୁ ସମଗ୍ର ଜଗତ୍‍ ଲାଗି ଏକ ଯଥାର୍ଥ ଦ୍ଵାର ଉନ୍ମୋଚନ ବୋଲି କହିପାରିବା । ଆପଣା ଭିତରେ ଆପଣାକୁ ଲାଭ କରିଥିବା ସମସ୍ତେ ଏହି ଅନୁଭବଟିର ଦୃଷ୍ଟାନ୍ତ ହୋଇ ରହିଛନ୍ତି । ସେମାନେ ନିଜ ଅନ୍ୟ ଭିତରେ ରହିଥିବା ହୃଦୟଟିକୁ କାଟିଦେଇ ପାରିଛନ୍ତି ।

 

୧୨ । ୧ । ୯୩

 

ଭଗବାନ୍‍ଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳମାନେ ତାଙ୍କୁ କେଡ଼େ ଚମତ୍କାର ଭାବରେ ସଙ୍କଟତାରଣ ବୋଲି କହିଛନ୍ତି । ମଣିଷ ଉପରେ ଅଧିକାଂଶତଃ ଯେଉଁସବୁ ସଙ୍କଟ ଆସି ପଡ଼େ, ତାହା ହୁଏତ ଭଗବାନ୍‍ଙ୍କ କାରଣରୁ ନୁହେଁ, ମଣିଷମାନଙ୍କର କାରଣରୁହିଁ ହୋଇଥାଏ; ମାତ୍ର ମଣିଷମାନେ କେଡ଼େ ନିର୍ଦ୍ଦୋଷ ଏକ ବାଗରେ ତାହାକୁ ଭଗବାନ୍‍ଙ୍କ ଆଡ଼କୁ ଠେଲି ଦିଅନ୍ତି ଏବଂ ହାତଗୋଡ଼ ବାନ୍ଧି ବସିଯାଆନ୍ତି ।

 

ସେମାନେ ଏହାଦ୍ୱାରା ଭଗବାନ୍‍ଙ୍କ ପ୍ରତି ଅତ୍ୟନ୍ତ ଅନ୍ୟାୟ କରନ୍ତି । ସେମାନେ ନିଜେ ଯେଉଁ ଦାୟିତ୍ଵଟିକୁ ବହନ କରିଥାନ୍ତେ, ସେଇଟିକୁ ଭଗବାନ୍‍ଙ୍କ ଉପରକୁ ଟେକି ଦେଇ ସେମାନେ କେବଳ ନିଜ ଦାୟିତ୍ଵହୀନତାର ପରିଚୟ ଦେଇଥାନ୍ତି । ପୃଥିବୀରେ ସବୁ ଯୁଗରେ ଏହିଭଳି ଦାୟିତ୍ଵହୀନ ଭକ୍ତମାନେ ବହୁ ସଂଖ୍ୟାରେ ରହିଥିଲେ, ଏବେ ମଧ୍ୟ ରହିଛନ୍ତି । ସେମାନେ ଅତ୍ୟନ୍ତ ନିର୍ବୋଧ ଭାବରେ ଗୋଟିଏ କଥା ଭୁଲି ଯାଆନ୍ତି ଯେ, ଭଗବାନ୍ ଏହି ସଂସାରରେ ଯାହା କିଛି କରିବେ, ଏହି ମଣିଷକୁ ନିମିତ୍ତରୂପେ ବ୍ୟବହାର କରିହିଁ ତାହା କରିପାରିବେ । ମନୁଷ୍ୟ ନିମିତ୍ତ ହେବାକୁ ରାଜି ନହେବା ପର୍ଯ୍ୟନ୍ତ ସିଏ ହୁଏତ କିଛି କରିପାରିବେନାହିଁ । ଏବଂ, ଜଣେ ଦାୟିତ୍ଵହୀନ ମନୁଷ୍ୟ ଭଗବାନ୍‍ଙ୍କ ଲାଗି କି ନିମିତ୍ତ ବା ହୋଇପାରିବ ? ତେଣୁ, ଆମେ ମଧ୍ୟ ଭଗବାନ୍‍ଙ୍କ ସହିତ ସହଯୋଗ କରି ଶିଖିବା । ସେଥିଲାଗି ଆବଶ୍ୟକ ପରିମାଣରେ ସାହସୀ ହେବା, ନିଷ୍କପଟ ଓ ନିଶ୍ଚଳ ହେବା । ଏକ ନିମିତ୍ତ ହେବାରେହିଁ ଆମ ଜୀବନର ସର୍ବୋତ୍ତମ ସାର୍ଥକତା ନିହିତ ହୋଇ ରହିଛି ବୋଲି ସତକୁସତ ବିଶ୍ଵାସ କରିବା । ଈଶ୍ଵରବିଶ୍ଵାସୀମାନେ ଏଯୁଗରେ ଅଧିକତର ପରିମାଣରେ ଭଗବାନ୍‍ଙ୍କ ପାଖରେ ଏଇଟା ବା ସେଇଟା ଲାଗି ଦାବି କରୁଛନ୍ତି ସିନା, ଭଗବାନ୍‍ଙ୍କ ଲାଗି ସମ୍ମତ ନିମିତ୍ତଟିଏ ହୋଇ ପାରୁନାହାନ୍ତି । ପୃଥିବୀ ସେଇଥିଲାଗି ଏତେ ଏତେ ଦୁର୍ଦ୍ଦଶାରେ ପଡ଼ିଛି । ଭୀରୁମାନେ କଣ୍ଢେଇମାନଙ୍କୁ ନେଇ ଉଗ୍ର ହେବାରେ ଲାଗିଛନ୍ତି, ମନ୍ଦିର ଭିତରେ ପଶି ଆପଣାକୁ ସକଳ ଦାୟିତ୍ଵରୁ ଛୁଟି ଦେଇ ରଖିଛନ୍ତି ।

 

୧୩ । ୧ । ୯୩

 

ବାହାରେ କେତେ କେତେ କଳ୍ପନା କରି ଡାକିଲେ ମଧ୍ୟ ସର୍ବଦା ସେହି ଭିତରୁ ଜବାବ ମିଳେ । ଯିଏ ମୋତେ ବାହାରେ ଭଗବାନ୍ ବୋଲି ସମ୍ପଦଟିର ଅନୁଭବ କରାଏ, ଭିତରେ ସେଇ ମୋ’ର ବିବେକରୂପେ, ମୋ’ର ବଳରୂପେ ପ୍ରକାଶିତ ହେଉଥାଏ । ତେଣୁ, ସେହି ଭିତରେହିଁ ଅସଲ ସମ୍ମତିଟି ରହିଥିବା ଦରକାର । ମଣିଷ ଯେ କାଳକ୍ରମେ ଏପରି ଦୟନୀୟ ଭାବରେ ବାହାରଟା ଉପରେ ନିର୍ଭରଶୀଳ ହୋଇ ରହିଆସିଛି, ତାହା ହେଉଛି ଆମ ସଂସ୍କାରର ଦୋଷ । ମଣିଷମାନେ ଅଧିକାଂଶତଃ ଅନ୍ୟ ମଣିଷଙ୍କ ଉପରେ, ଅର୍ଥାତ୍ ଯଥାସମ୍ଭବ ଅଧିକରୁ ଅଧିକ ମଣିଷଙ୍କ ଉପରେ କର୍ତ୍ତା ହୋଇ ବସିବାକୁ ମନ କରି ଆସିଛନ୍ତି, ଓ ତେଣୁ ସେମାନେ ଭଗବାନ୍‍ଙ୍କୁ ବାହାରେ କେଉଁଠାରେ ବସିଥିବା ଓ ସେହିଠାରୁ ଶାସନ କରୁଥିବା ଜଣେ ପରମକର୍ତ୍ତାରୂପେ ଗ୍ରହଣ କରି ନେଇଛନ୍ତି । ମଣିଷର ଶିକ୍ଷା ମଣିଷକୁ ବହିର୍ମୁଖୀ କରିଛି । ଗୋଟାଏ ଗୋଟାଏ ସମ୍ପ୍ରଦାୟ ଗଢ଼ି ପଲ ମଣ୍ଡାଇ ରହିବେ ବୋଲି ଯୁଗେ ଯୁଗେ ମଣିଷମାନଙ୍କର କି ସରାଗ ସେମାନଙ୍କର ଅସଲ ବାସନାଟିକୁ ଢାଙ୍କି ରଖିଛି କେଜାଣି, ସେମାନେ ଟିକିଏ ମଉକା ପାଇବାମାତ୍ରକେ ସେହି ବାହାରକୁହିଁ ଦେଖିଛନ୍ତି ଓ ବାହାରେହିଁ ଖୋଜିଛନ୍ତି ।

 

ମଣିଷର ଅସଲ ବାସନା ହେଉଛି ସୋପାନ ଉଠିବାର ବାସନା, ଅଧିକରୁ ଅଧିକ ସାର୍ଥକ ଭାବରେ ଏହି ସବୁଟି ସହିତ ଏକାତ୍ମ ହୋଇ ରହିବାର ବାସନା । ଅସଲ ଡୋରଗୁଡ଼ିକୁ ଲଗାଇ ନିଜକୁ ଅଧିକରୁ ଅଧିକ ପରିପୂର୍ଣ୍ଣ ବୋଲି ଅନୁଭବ କରିବାର ବାସନା । ମାତ୍ର, ମଣିଷମାନଙ୍କୁ ନାନା ସମ୍ପ୍ରଦାୟରେ ବାଣ୍ଟିକୁଣ୍ଟି ନେଇ ସଂସାରରେ ନେତା ଓ ନାୟକମାନେ ମଣିଷର ବାଟକୁ ଓଗାଳି ରଖିଛନ୍ତି । ଧର୍ମ, ରାଜନୀତି,–ଏସବୁ ମଣିଷ ମଣିଷ ଭିତରେ ରହିଥିବା ବାଡ଼ଗୁଡ଼ାକୁ ମୂଳତଃ ଉଠାଇ ଦେବାକୁହିଁ ଉଦ୍ଦିଷ୍ଟ ହୋଇ ରହିଥାନ୍ତେ । ଯେଉଁମାନେ ସତ୍ୟକୁ ପ୍ରକୃତରେ ଦେଖିଛନ୍ତି, ସେମାନେ ମଣିଷକୁ ତା’ର ଯଥାର୍ଥ ଉଦୟ ଭୂମିଗୁଡ଼ିକରେ ଜାଗୃତ ହୋଇ ଉଠିବାଲାଗି ନିରନ୍ତର ଉଦ୍‌ବୋଧନ ଦେଇ ଆସିଛନ୍ତି । ମାତ୍ର, ପରେ ଅନ୍ୟ ଯେଉଁମାନେ ଆସି ଗୋଟିଏ ଗୋଟିଏ ସତ୍ୟପରିଚୟକୁ ଏକ ଆନୁଷ୍ଠାନିକ ବା ସାମ୍ପ୍ରଦାୟିକ ରୂପ ଦେବାର ଭେଳିକି ଲଗାଇ ଦେଇଛନ୍ତି, ସେଇମାନେହିଁ ମଣିଷମାନଙ୍କୁ ଭାଗ ଭାଗ କରି ରଖିବାପାଇଁ ସେମାନଙ୍କୁ ବାହାରର କେତେଟା ନାମ ଓ ଭେକରେ ମଜାଇ ରଖିଛନ୍ତି । ତା’ ଭିତର ଆଡ଼କୁ ତାକୁ ବଧିର କରି ରଖିଛନ୍ତି, ଏକାବେଳେକେ insensible କରି ରଖିଛନ୍ତି ।

 

୧୪ । ୧ । ୯୩

 

ବୋଧିଦ୍ରୁମର ତଳେ ବସି ଏକଦା ଗୌତମ ତପସ୍ୟା କରିଥିଲେ । ତପସ୍ୟା କରି ବୃଦ୍ଧତ୍ଵ ଲାଭ କରିଥିଲେ । ତାଙ୍କ ପରେ ଆଉ କିଏ କି ତପସ୍ୟା କଲା ଏବଂ ବୃଦ୍ଧତ୍ଵ ଲାଭ କଲା କେଜାଣି, ତାଙ୍କ ନାଁରେ ଧର୍ମଟିଏ ପ୍ରଚାର କରାଗଲା । ଧର୍ମଟି ଭିତରେ ତାଙ୍କୁ ବୁଡ଼ାଇ ଦିଆଗଲା । ଗୌତମ ଯାହା କହି ନଥିଲେ, ଠିକ୍ ସେହିଗୁଡ଼ିକ ମଧ୍ୟରେହିଁ ତାଙ୍କୁ ପୋତି ଦିଆଗଲା । ଗୌତମ ମୂର୍ତ୍ତିପୂଜା ମାନି ନଥିଲେ, ତାଙ୍କୁ ମୂର୍ତ୍ତି କରି ପୂଜା କରାଗଲା । ବୁଦ୍ଧବାଣୀ ବହି ହୋଇ ରହିଲା, ପବିତ୍ର ଗ୍ରନ୍ଥ ହୋଇ ପୂଜା ପାଇଲା । ବୌଦ୍ଧଧର୍ମର ଅନୁଗାମୀମାନେ ଆଗରୁ ଯେଉଁଭଳି ଥିଲେ, ପ୍ରାୟ ସେଇଭଳି ରହିଲେ । ସେମାନଙ୍କର ଭେକ ବଦଳିଗଲା ଓ କେତେଟା ବାହ୍ୟାଚାରର କ୍ଷେତ୍ରରେ ଯାହା କିଛି ପରିବର୍ତ୍ତନ ଘଟିଲା । ବିଶ୍ଵସଂସ୍କୃତିର ପରମ୍ପରାରେ ଗୌତମ ବୁଦ୍ଧ ଏକ ଆଲୋକ ହୋଇ ରହିଲେ, ମାତ୍ର ବୌଦ୍ଧମାନେ ସତେଅବା ଅନ୍ଧାରକୁ ଆଦରିନେଲେ ।

 

ବୋଧିଦ୍ରୁମର ଚତୁର୍ଦ୍ଦିଗରେ ବୁଦ୍ଧଗୟାରେ ସୁନାରେ ବାଡ଼ ଦିଆଯାଇଛି; ସେହି ବେଢ଼ାକୁ ଉନ୍ମୋଚନ କରିବାଲାଗି ସିଂହଳଦେଶର ରାଷ୍ଟ୍ରପତି ଭାରତବର୍ଷ ଆସିଛନ୍ତି । ସେହି ବେଢ଼ାଟିକୁ ତିଆରି କରିବାରେ ତିନିକୋଟି ଟଙ୍କା ଖର୍ଚ୍ଚ ହୋଇଛି । ତୃଷ୍ଣାର ପରିହାରରେ ଦୁଃଖରୁ ମୁକ୍ତି ମିଳେ ବୋଲି ଏକଦା ଯେଉଁ ତପସ୍ଵୀ କହିଥିଲେ, ତୃଷ୍ଣା ଭିତରେ ନିପଟ ବୁଡ଼ି ରହିଥିବା ସେହି ତପସ୍ଵୀଙ୍କର ଧନୀ ଅନୁଗାମୀମାନେ ତାଙ୍କ ତପସ୍ୟାସ୍ଥଳ ପାଇଁ ବର୍ତ୍ତମାନ ସୁନାର ବାଡ଼ ତିଆରି କରି ଦେଇଛନ୍ତି । କାଳକ୍ରମେ ଧର୍ମରୁ ସୃଷ୍ଟି ହୋଇଥିବା ଅପସଂସ୍କୃତି ଧୀରେ ଧୀରେ ତପସ୍ୟାର, ସାଧନାର, ଆରୋହଣର ଏବଂ ଅତିକ୍ରମଣର ସକଳ ଆହ୍ଵାନକୁ ସତେଅବା ଗିଳି ପକାଇଛି । ପୃଥିବୀ-ଇତିହାସର ଯାବତ ଧର୍ମରେ ଏହିକଥା ଘଟିଛି । ଏବଂ, ଧର୍ମର ନାମରେ କେତେଟା ଠାକୁର ବସାଇ ଦେଇ ତୁଚ୍ଛା ପାଷଣ୍ଡମାନେ ପୃଥିବୀକୁ ଭୋଗ କରିବାରେ ଲାଗିଛନ୍ତି । ଅନ୍ୟ ପକ୍ଷରେ ଆଧ୍ୟାତ୍ମିକତା କେତେ ବଳବାନ୍ ହୋଇପାରିଲେ ଯାଇ ଏହାର ଜବାବ ଦେଇପାରିବ, ମୁଁ ସେଇକଥା ଭାବୁଛି । ଆଧ୍ୟାତ୍ମିକତାକୁ ଧର୍ମର ପରିଚ୍ଛଦ ପିନ୍ଧାଇ ଭଗବାନ୍‍ଙ୍କୁ ଭଣ୍ଡୁର କରିଦେବାକୁ ଏବେ ମଧ୍ୟ କଳିଯୁଗର ମନୁଷ୍ୟପ୍ରାଣୀମାନେ ଦୁଷ୍ଟ ପ୍ରୟାସ କରିବାରେ ଲାଗିଛନ୍ତି । ଆଧ୍ୟାତ୍ମିକତା କେତେ ବଳଶାଳୀ ହେଲେ ସେହି ଦୁଷ୍ଟମାନଙ୍କୁ ପ୍ରତ୍ୟାଖ୍ୟାନ କରିପାରିବ ?

 

୧୫ । ୧ । ୯୩

 

ମୁଁ ବୁଦ୍ଧଙ୍କ ପକ୍ଷରେ, ଗୌତମଙ୍କ ପକ୍ଷରେ । ଯେଉଁ ଉତ୍ସାହୀ ବୁଦ୍ଧଭକ୍ତମାନେ ନିଜ ଜୀବନରେ ଆଦୌ କୌଣସି ତପସ୍ୟାକୁ ସ୍ଵୀକାର କରି ନଥିଲେ ମଧ୍ୟ ଗୌତମଙ୍କ ତପସ୍ୟାସ୍ଥାନର ଚାରିପାଖରେ ସୁନାବାଡ଼ର ଘେର ଦେବାକୁହିଁ ଏକ ଧର୍ମୀୟ ମହାଅର୍ଜନ ବୋଲି ମନେ କରୁଛନ୍ତି, ମୁଁ ଆଦୌ ସେମାନଙ୍କ ପକ୍ଷରେ ନୁହେଁ । ମୁଁ କୌଣସି ଧର୍ମର ବିପକ୍ଷରେ ଆଦୌ ନୁହେଁ, ମାତ୍ର ତା’ ବୋଲି ମୋତେ ପୃଥିବୀର ମିଛ ଉତ୍ସାହୀମାନଙ୍କର ପଟେ ଯେ ରହିବାକୁ ପଡ଼ିବ, ମୁଁ ସେ କଥାରେ ମୋଟେ ରାଜି ହେବିନାହିଁ ।

 

ଜଗନ୍ନାଥ,-ଜଗତ୍‍ର ନାଥ;–ଅନୁଭବ କଲାବେଳକୁ ଦେହ ଭିତରେ ଅନୁଭବର ରୋମାଞ୍ଚ ଜାତ ହେଉଛି । ଗୋଟିଏ ମୂର୍ତ୍ତି ଭିତରେ, ଗୋଟିଏ ମନ୍ଦିର ଭିତରକୁ ପଶୁ ପଶୁ ମୁଁ ଯଦି ଜଗତନାଥଙ୍କର ସ୍ପର୍ଶ ନ ଲାଭ କରିପାରିଲି, ତେବେ ମୁଁ ତାହାକୁ ଅବଶ୍ୟ ମୋ’ର ମହାଭାଗ୍ୟ ବୋଲି କହିବି । କିନ୍ତୁ ସେହି ମହାଭାଗ୍ୟ ମୋ’ ଭିତରେ ଏକ ଉନ୍ମୋଚନ ମଧ୍ୟ ଘଟାଇବ, ମୋତେ ଏକ ନୂତନ ଚେତନା ମଧ୍ୟକୁ ଦୀକ୍ଷିତ କରାଇନେବ । ଏବଂ ତା’ପରେ ମୁଁ ଜଗନ୍ନାଥଙ୍କୁ ମୋ’ ଜାତିର ଓ ମୋ’ ମାଟିର ବୋଲି କହି କଦାପି ଗୁଡ଼ାଏ ଫୁଲେଇ ହେବାକୁ ଯିବିନାହିଁ । ପ୍ରତ୍ୟେକ ଧର୍ମ ଭିତରେ ନିଜର ସଂସ୍କାରଗତ ଗାରଗୁଡ଼ିକୁ ଡେଇଁ ଯିବାର ଯେଉଁ ଆବେଦନଟି ରହିଥିଲା, ସଂସାରର ଧର୍ମାସୁରମାନେ ସେହି ଆବେଦନଟିକୁ ସତେଅବା କୁଆଡ଼େ ଭଣ୍ଡୁର କରି ଉଡ଼ାଇ ନେଇଛନ୍ତି । ତପସ୍ଵୀର ତପସ୍ୟା ମଣିଷକୁ ଯେତେ ଆକୃଷ୍ଟ ନକରୁଛି, ତା’ ତପସ୍ୟାଆଳର ଚାରିପାଖରେ ସୁନାବେଢ଼ା ଦେବାକୁ ସିଏ ତା’ଠାରୁ ଅଧିକ ଉଚ୍ଚାଟିତ ହୋଇଉଠୁଛି । ପଣ୍ୟଧର୍ମୀ ମଣିଷ ବହୁମୂଲ୍ୟ ପଣ୍ୟର ବିମଣ୍ଡନ ଦେଇ ତା’ ପ୍ରଭୁଙ୍କୁ ଗୋଟାସୁଦ୍ଧା ପାଇଗଲା ବୋଲି ଭାଣ କରିବାରେ ଲାଗିଛି । ତଥାପି ତପସ୍ୟାକୁହିଁ ଭଗବତ୍ ଅନୁରାଗର ସର୍ବଶ୍ରେଷ୍ଠ ପୁଞ୍ଜିରୂପେ ଗ୍ରହଣ କରୁଥିବା କେତେକ ମଣିଷ ଯୁଗେ ଯୁଗେ ରହିଥିବେ ସେମାନେ ଆଦୌ ଧର୍ମନାଶକାରୀ କୌଣସି ଚକ୍ରାନ୍ତ ଭିତରେ ପଡ଼ି ଯିବେନାହିଁ । ସେମାନେ ଗିରିଶିଖରକୁ ଲୟ ରଖି ବାଟଟିଏ ଚାଲିବେ । ଯେଉଁଠି ମଣିଷମାନେ ମଣିଷକୁ କିଳି ରଖିବାପାଇଁ ଫନ୍ଦି କରୁଥିବେ, ସେଠାରେ ସେମାନେ ତାହାର ପ୍ରତିବାଦହିଁ କରିବେ । ସେମାନେ ଯେଉଁ ଧର୍ମର ହୁଅନ୍ତୁ ପଛକେ, ସେହିମାନେହିଁ ପୃଥିବୀର ସବୁ ଧର୍ମର ରକ୍ଷା କରିବେ ।

 

୧୬ । ୧ । ୯୩

 

ସେମାନେ ଅହଂ ଛାଡ଼ିବାକୁ କହିଥିଲେ, ସ୍ଵାର୍ଥରୁ ମୁକ୍ତ ହୋଇ ପରସ୍ପରକୁ ଭଲ ପାଇବାପାଇଁ କହିଥିଲେ । ଆମ ସମସ୍ତଙ୍କୁ ସେମାନେ ଭୟମୁକ୍ତ ହେବାକୁ କହିଥିଲେ । ଆମେ ଏ ଯୁଗରେ ସେମାନଙ୍କୁ ଗୋଟିଏ ଗୋଟିଏ ଠାକୁର କରି ବସାଇ ଦେଇଛୁ ଏବଂ ଆମ ନିଜ ଠାକୁରଟି ଅନ୍ୟ ଠାକୁରମାନଙ୍କ ଅପେକ୍ଷା ଅଧିକ ବଡ଼ ବୋଲି କହି ଅପର ସମସ୍ତଙ୍କୁ ଘୃଣା କରୁଛୁ । କେବଳ ଅତି ପୁରାତନ ଦ୍ରଷ୍ଟା ଏବଂ ସାଧକମାନଙ୍କର କ୍ଷେତ୍ରରେ ନୁହେଁ, ମାତ୍ର ଶହେ ଦେଢ଼ଶହବର୍ଷ ତଳେ ମଧ୍ୟ ଯେଉଁମାନେ ଆମ ଦେଶରେ ଅଥବା ଆମ ପୃଥିବୀରେ ଭଲ ପାଇବା, ଭୟ ଛାଡ଼ିବା ତଥା ଅହଂ ଏବଂ ସ୍ୱାର୍ଥରୁ ମୁକ୍ତ ହେବା ବିଷୟରେ କହି ଯାଇଥିଲେ ସେମାନଙ୍କୁ ମଧ୍ୟ ଆମେ ଠାକୁର କରି ପୂଜିବାରେ ଲାଗିଛୁ ।

 

ପ୍ରେରଣାମାନଙ୍କର ଏହି ଅବମାନତା ବନ୍ଦ ହୋଇଯିବା ଉଚିତ । ଯଦି ମୁଁ ପ୍ରକୃତରେ ଜୀବନଟିଏ ବଞ୍ଚିବାକୁ ଇଚ୍ଛା କରୁଥିବି, ଯଦି ମୁଁ ପ୍ରକୃତରେ ଆପଣାର ଆସ୍ପୃହା ଓ ବାସନାରେ ସୋପାନ ପରେ ସୋପାନ ଅଗ୍ରସର ହୋଇଯିବାକୁ ଆକାଂକ୍ଷା ରଖିଥିବି, ତେବେ ମୋତେ ସବୁ ଦ୍ରଷ୍ଟା ଏବଂ ସବୁ ସାଧକ ଅବଶ୍ୟ ପ୍ରେରଣା ଦେବେ, ପୃଥିବୀର ବିଭିନ୍ନ ଧର୍ମ ସେମାନଙ୍କୁ ବିଭିନ୍ନ ପ୍ରକାରର ମନ୍ଦିର ଓ ଭେକବିଧି ମଧ୍ୟରେ କିଳି ରଖିଥିଲେ ମଧ୍ୟ ସେମାନେ ମୋତେ ପ୍ରେରଣା ଦେବେ । ମୁଁ ଖୁସି ହୋଇ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଗୀତାରୁ କୋରାନ୍‍କୁ ଯାଇ ପାରୁଥିବି ଅଥବା କୋରାନ୍‌ରୁ ଗୀତାକୁ ଆସି ପାରୁଥିବି । ମୋ’ ନିଜ ବିବେକର ଆବଶ୍ୟକତା ଅନୁସାରେ ଗ୍ରହଣ କରିପାରୁଥିବି ଅଥବା ବର୍ଜନବି କରିପାରୁଥିବି । ମୋ’ ନିଜର ଅଗ୍ରଗତି ଅର୍ଥାତ୍ ଆତ୍ମପ୍ରବେଶର ଆହ୍ଵାନ ଏବଂ ଆବଶ୍ୟକତା ଅନୁସାରେ ଗ୍ରହଣ ଅଥବା ବର୍ଜନ କରିପାରୁଥିବି । ତଥାପି ଆପଣାକୁ ହିନ୍ଦୁ କହି ପାରୁଥିବି ଅଥବା ମୁସଲମାନ କହି ପାରୁଥିବି । ଯେଉଁମାନେ ସାଧନାଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ କୌପୀନ ପିନ୍ଧାଇଦେବା ସକାଶେ ଉପାସନାର ମାର୍ଗମାନଙ୍କୁ ଫାନ୍ଦିଲେ ବା ଗଢ଼ିଲେ, ସେମାନଙ୍କର ଦାରିଦ୍ର୍ୟକୁ ମୁଁ ଅବଶ୍ୟ ବୁଝିବି, ମାତ୍ର ସେମାନଙ୍କର ଜାଲରେ ପଡ଼ିବାକୁ କଦାପି ମନ କରିବିନାହିଁ । ବର୍ତ୍ତମାନ ଏହିପରି ଦଳେ ମଣିଷ ତଥାକଥିତ ସବୁ ଧର୍ମରେ ବାହାରିଲେ ହୁଏତ ସାଧନାର ଇଜ୍ଜତ ରକ୍ଷା ହୋଇ ପାରିବ, ଧର୍ମମାନଙ୍କର ମଧ୍ୟ ଇଜ୍ଜତ ରହିବ । ରାଜନୀତିକ ଶାଗୁଣାମାନେ ଏହି ଧର୍ମଗୁଡ଼ାକୁ ମଢ଼ ବୋଲି ମନେ କରି କଦାପି ଆସି ଖୁମ୍ପିବାକୁ ଆସିବେନାହିଁ ।

 

୧୭ । ୧ । ୯୩

 

ମୁସଲମାନ ନିଜକୁ ସବାଆଗ ମୁସଲମାନ ବୋଲି ବିଚାର କରୁଥିବ ଓ ହିନ୍ଦୁ ନିଜକୁ ସବାଆଗ ହିନ୍ଦୁ ବୋଲି ବିଚାର କରୁଥିବ,–ତେବେ ସେମାନଙ୍କ ମଧ୍ୟରେ କେବେହେଲେ ଯଥାର୍ଥ ସଦ୍‌ଭାବର ପ୍ରତିଷ୍ଠା ହୋଇ ପାରିବନାହିଁ । ମୁସଲମାନ ହେଉ, ହିନ୍ଦୁ ହେଉ ବା ଆଉ ଯାହାକିଛି ହେଉ, ନିଜକୁ ଆଗ ମନୁଷ୍ୟ ବୋଲି ଭାବିଲେ ଓ ନିଜର ଏହିସବୁ ଯାବତୀୟ ଧର୍ମଗତ ଏବଂ ଆଚାରଗତ ପରିଚୟକୁ ସତେଅବା ବାହାର ସ୍ତରର ଏକ ଖୋଳ ବା ବ୍ୟାବହାରିକ ବ୍ୟବସ୍ଥା ବୋଲି ଭାବିଲେ ଯାଇ ଅସଲ ସହୃଦୟତା ସମ୍ଭବ ହେବ । ଏବଂ, ଖାଲି ରାଜନୀତିଦ୍ଵାରା କ’ଣ ଆମେ ସେ ଯାଏଁ ଯାଇପାରିବା ? ଭାରତବର୍ଷରେ ଶତାବ୍ଦୀ ଶତାବ୍ଦୀ ଧରି ବିଭିନ୍ନ ଧର୍ମର ଲୋକେ ଏକତ୍ର ପରସ୍ପରର ପ୍ରତିବେଶୀରୂପେ ବାସ କରି ଆସିଛନ୍ତି,–ତୁମେ ଏତିକି କଥାକୁ ଯେତେ ଯେତେ ଅଳଙ୍କାର ବା ଭାବପ୍ରବଣତାର ମଣ୍ଡନ ଦେଇ କହୁଥିଲେ ମଧ୍ୟ ତାହା କଦାପି ଯଥେଷ୍ଟ ହେବନାହିଁ । ମଝିରେ ମଝିରେ ଏକ ପ୍ରତୀକାତ୍ମକ ଆନୁଷ୍ଠାନିକତାର ଆଗ୍ରହ ନେଇ ତଥାକଥିତ ସର୍ବଧର୍ମ ପ୍ରାର୍ଥନାର ଖେଚୁଡ଼ି ରାନ୍ଧିଲେ ମଧ୍ୟ କର୍ମସିଦ୍ଧି ହେବନାହିଁ । ଅନ୍ତତଃ ଏପର୍ଯ୍ୟନ୍ତ ହୋଇ ପାରିନାହିଁ ।

 

ତେଣୁ, ଏହି ଖୋଳଗୁଡ଼ିକର ଉପରକୁ ଉଠିଲେ ଅର୍ଥାତ୍ ଗଭୀରକୁ ପ୍ରବେଶ କଲେ ଯାଇ ହୁଏତ କିଛି ହେବ । ଦେହରେ ଅର୍ଥାତ୍ ନିଜର ଆଚାରଗତ ଜୀବନରେ ତୁମେ ହୁଏତ ଖୋଳଗୁଡ଼ିକୁ ପିନ୍ଧିଥିବ, ତଥାପି ଭଗବାନ୍‍ଙ୍କ ସହିତ, ତୁମ ଜୀବନର ସର୍ବୋତ୍ତମ ନିଧିଟି ସହିତ ତୁମେ ଅନେକ ଅଧିକ ଗଭୀରରେ ବିଚରଣ କରୁଥିବ, ସର୍ବୋତ୍ତମଟିକୁହିଁ ସତକୁସତ ସ୍ପର୍ଶ କରି ରହିଥିବ, ତେବେଯାଇ ହେବ । ଏହି ଖୋଳଗୁଡ଼ିକୁ ଭଗବାନ୍ ତିଆରି କରିନାହାନ୍ତି । ସେଗୁଡ଼ିକ ତିଆରି କରିଥିବା ମଣିଷମାନେ ହୁଏତ ଭଗବାନ୍‍ଙ୍କ ତୁଳନାରେ ଖୋଳଗୁଡ଼ିକ ପ୍ରତି ଅଧିକ ଲୋଭାସକ୍ତ ହୋଇଛନ୍ତି ବୋଲି ଖୋଳଗୁଡ଼ିକ ଉପରେ ଏତେ ଅଧିକ ଗୁରୁତ୍ଵ ଦେଇଛନ୍ତି । ଯୁଗେ ଯୁଗେ ରାଜାମାନେ ଖୋଳଲୋଭୀମାନଙ୍କର ସେହି ନିର୍ବୋଧତାରୁ ପୂର୍ଣ୍ଣ ଫାଇଦା ଉଠାଇ ଆସିଛନ୍ତି । ଏବେ ମଧ୍ୟ କମ୍ ଫାଇଦା ଉଠାଉ ନାହାନ୍ତି । ଆଧୁନିକ media ଗୁଡ଼ିକର ଯୁଗରେ ଖଳତାଗୁଡ଼ିକୁ ସୁନ୍ଦର ଏବଂ ଉଚ୍ଚାଟନଯୁକ୍ତ କରି ଦେଖାଇବାକୁ କେତେକଙ୍କ ହାତରେ ସହସ୍ର ସହସ୍ର ଆୟୁଧ ଆସି ପହଞ୍ଚି ଯାଇଛନ୍ତି । ତୁମେ ଗଭୀରକୁ ଯାଇ ପାରିବ ? ଉପରକୁ ଉଠି ପାରିବ ? ତେବେ ଯାଇ ଏହିସବୁ ଚକ୍ରାନ୍ତରୁ ବାହାରି ଆସି ପାରିବାକୁ ତୁମକୁ ସମାଧାନ ଅବଶ୍ୟ ମିଳିଯିବ ।

 

୧୮ । ୧ । ୯୩

 

ଏହି ଅଜସ୍ର ଶକ୍ତି ମାଗିଲାମାତ୍ରକେ ମିଳିଯାଉଛି,–ମୋ’ପାଇଁ ତାହାହିଁ ଯଥେଷ୍ଟ । ଏହି ଶକ୍ତି କେଉଁଠାରୁ ଆସୁଛି, ତାହାର ଗବେଷଣା କରିବାକୁ ମଧ୍ୟ ବେଳ ନାହିଁ । ଶକ୍ତି ଯେ ଆସୁଛି, ତାହାହିଁ ଯଥେଷ୍ଟ । ଶକ୍ତି ଯେ ଆସୁଛି, ତାହାହିଁ କରୁଣା । ମୁଁ କରୁଣାକୁ ସବୁଦିନେ ଶକ୍ତିରୂପେ ଅନୁଭବ କରି ଆସିଛି । ଝରକାଟିକୁ ଖୋଲିଦେବାମାତ୍ରକେ ପବନ ପୁ’ ପୁ’ ହୋଇ ଭିତରକୁ ପଶିଆସୁଛି,–ବିଶ୍ଵାସରେ ବଞ୍ଚିବାପାଇଁ ତାହାହିଁ ଯଥେଷ୍ଟ । ଏବଂ, ଏହି ବିଶ୍ଵାସ, ସତତ ବିଶ୍ଵାସ,–ତାହା ହେଉଛି ଏକ ସତତ କୃତଜ୍ଞତା, କୃତଜ୍ଞତା ସହିତ ଜୀବନଟିଏ ବଞ୍ଚିବା, କୃତଜ୍ଞତା ସହିତ ତାଙ୍କର ଭାଜନ ହେବା ।

 

ମୁଁ କେବେହେଲେ ନିଜକୁ ବାନ୍ଧିବୁନ୍ଧି ଜବରଦସ୍ତି ମୋ’ ମନ୍ଦିରଟି ଭିତରକୁ ନେଇନାହିଁ । ବାଧ୍ୟ ହୋଇ ସ୍ଵୀକାର କରିନାହିଁ । ସମ୍ଭବତଃ ସେଇଥିଲାଗି ଜୀବନରେ ଏତେବେଶିକୁ ସ୍ଵୀକାର କରିନେଇ ପାରିଛି । ଏବଂ, ଯେତିକି ସ୍ଵୀକାର କରିନେଇଛି, ମୁଁ ସେହି ଅନୁସାରେ ଶକ୍ତି ମଧ୍ୟ ପାଇଛି-। ଏହି ଅସଲ ବୁଝାମଣାଟି ନିଜ ସହିତ ସବୁବେଳେ ରହିଥାଉ । ଏହିପରି ଭାବରେହିଁ ଆର୍ତ୍ତ ହେବାର ସକଳ ଦୁର୍ଦ୍ଦଶାରୁ ମୁଁ ମୁକ୍ତ ହୋଇ ରହିଥାଏ । ଏ ଘରେ ଆମେ ଦୁହେଁ ଏକତ୍ର ରହିଛୁ-। ସିଏ ଅଛି, ତେଣୁ ମୁଁ ଅଛି; ମୁଁ ଅଛି, ତେଣୁ ସିଏ ରହିଛି । ଆତ୍ମୀୟତା କହିଲେ ସତେଅବା ଏକାବେଳେକେ ଦୁଇ ପକ୍ଷକୁହିଁ ବୁଝାଉଛି । ମୁଁ ତାଙ୍କର ନିକଟବର୍ତ୍ତୀ ହୋଇ ଆସିଛି ଓ ତାଙ୍କୁ ଆତ୍ମୀୟରୂପେ ପାଇଛି ନା ସିଏ ନିକଟବର୍ତ୍ତୀ ହୋଇ ଆସିଛନ୍ତି ଓ ମୋତେ ଆତ୍ମୀୟରୂପେ ବାଛି ନେଇଛନ୍ତି, କୌଣସି ଗାର ପକାଇ ମୁଁ ସେ କଥା କଦାପି କହି ପାରିବିନାହିଁ । ଶକ୍ତିର ଉତ୍ସଟି ସହିତ ଖିଅ ଲାଗିରହିଛି; ତେଣୁ ସିଏ ଅବଶ୍ୟ ଅଛନ୍ତି, ସାଙ୍ଗ ହୋଇ ବାଟ ଚାଲୁଛନ୍ତି । ବହି ଅନେକ ପଢ଼ିଛି, କିନ୍ତୁ ବହି ପଢ଼ି ମୁଁ ତାଙ୍କୁ ପାଇଛି ବୋଲି କଦାପି କହି ହେବନାହିଁ । ବହି ପଢ଼ି ମୁଁ ତାଙ୍କୁ ଅଧିକରୁ ଅଧିକ ବୁଝିଛି । କିନ୍ତୁ, ସବାଆଗ ଅନୁଭବଟି, ପ୍ରତ୍ୟୟଟି ମିଳିଗଲା ପରେ ମଧ୍ୟ ତାଙ୍କୁ ଅଧିକରୁ ଅଧିକ ବୁଝିବାରେ ବହିମାନେ ମୋତେ ଅବଶ୍ୟ ସାହାଯ୍ୟ କରିଛନ୍ତି । ମୋ’ ଭିତରେ ଏକାବେଳେକେ ଭଳିଭଳି ଝରକା ଖୋଲିଦେବାରେ ମଧ୍ୟ ବହିମାନେ ମୋତେ ସାହାଯ୍ୟ କରିଛନ୍ତି । ମୋ’ର ଅନୁଭବକୁ ଅଧିକ ପ୍ରଶସ୍ତ କରି ବୁଝିବା ଲାଗି ଅନୁଭବୀ ଅନ୍ୟମାନଙ୍କର ବହି ମୋତେ ନିରନ୍ତର ମୋତେ ସାହାଯ୍ୟ କରିଆସିଛି, ଏବେ ମଧ୍ୟ କରୁଛି ।

 

୧୯ । ୧ । ୯୩

 

ଲେଖିଲାଭଳି କିଛି ଲେଖିପାରିବା ସକାଶେ ନିଜ ଭିତରୁ ସମ୍ପୂର୍ଣ୍ଣ ସ୍ଵାସ୍ଥ୍ୟର ଏକ ଅନୁଭୂତି ମିଳିପାରୁଥିବା ଆବଶ୍ୟକ । ସେହି ଅନୁଭୂତିଟିକୁ ବର୍ଣ୍ଣନା କରି କହି ପାରିବିନାହିଁ ସିନା, କିନ୍ତୁ ସେହି କଥାଟିକୁ ଅନୁଭବ କଲାବେଳେ ମୁଁ ତାହା ଅନୁଭବ କରିପାରୁଛି ବୋଲି ଅବଶ୍ୟ କହିପାରିବି ଏବଂ ଅନୁଭବ କରୁନଥିବା ସମୟରେ ଅନୁଭବ କରୁନାହିଁ ବୋଲି ମଧ୍ୟ କହିପାରିବି ।

 

ଏଇଟି ହେଉଛି ଏକ ସମଗ୍ର ଓ ସକଳାଙ୍ଗ ସମ୍ମତିର ଅନୁଭୂତି, ଭିତରୁ ବାହାରକୁ ସଞ୍ଚରି ଆସୁଥିବା ଏକ ସ୍ଵାଭାବିକ ଖୁସିର ଅନୁଭୂତି । ଆପଣାକୁ ପୂର୍ଣ୍ଣ ସମ୍ମତ ଭାବରେ ସମର୍ପିତ କରି ରଖିଥିବା ସମୟରେ ଯେଉଁଭଳି ଖୁସି ଅନୁଭୂତ ହୋଇଥାଏ, ଏଇଟି ହେଉଛି ସେହିଭଳି ଏକ ଅନୁଭୂତି । ସେତେବେଳେ ସେର ମାଣ ସବୁ ପୂରି ରହିଥିଲା ପରି ଅନୁଭବ ହୁଏ ଓ ଭିତରୁ କିଏ ପୂର୍ଣ୍ଣଜାଗ୍ରତ ହୋଇ ଆପଣାର ସମସ୍ତ ସାବଲୀଳତା ସହିତ ବାହାରିଆସେ । ସେହି ସାବଲୀଳତାହିଁ ଯାବତୀୟ ଲେଖିବାରେ ପୁରୋଧା ହୋଇ ରହିଥାଏ । ମୁଁ ସେହି ସାବଲୀଳତାକୁ ନିଜର ଦେହ ଉପରେ ମଧ୍ୟ ଅନୁଭବ କରିପାରେ । ସେହିପରି ହୋଇ ପାରିଲେ ଶବ୍ଦମାନଙ୍କୁବି ଖୋଜିବାକୁ ପଡ଼େନାହିଁ । ସବୁଟିକୁ ସ୍ପର୍ଶ କରି ରହିଥିବା ପରି ଲାଗୁଥାଏ, ତଥାପି ଆପଣାକୁ ଆଦୌ କୌଣସିଠାରେ ଛନ୍ଦି ହୋଇ ଅଟକି ଯାଉଥିବା ପରି ଲାଗୁନଥାଏ । ମୋଟେ ଛଟପଟ ହେବାକୁ ପଡ଼େନାହିଁ । ଏବଂ, ଅନାସକ୍ତ ହେବାର ଆଦୌ କୌଣସି ଆବଶ୍ୟକତାହିଁ ନଥାଏ । ଭିତରଟାକୁ ସ୍ଥିର କରି ଆଣିବାଲାଗି ଆପଣାକୁ ଅନାସକ୍ତ କରି ଆଣିବା ଏକାନ୍ତ ଆବଶ୍ୟକ ବୋଲି କେତେ ବ୍ୟକ୍ତି ପରାମର୍ଶ ଦେଇଛନ୍ତି । ମୋ’ ଜୀବନରେ ସତେଅବା ଠିକ୍ ଓଲଟା ହୁଏ । ସବୁଟିକୁ ସ୍ପର୍ଶ କରି ରହିଛି ବୋଲି ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅନୁଭବ କଲେ ଯାଇ ମୁଁ ସ୍ଥିର ହୁଏ । ଆପଣାକୁ ସୁସ୍ଥ ଅନୁଭବ କରେ । ଉଦାସୀନତାକୁହିଁ ମୁଁ ଏକ ମର୍ମନ୍ତୁଦ ଅସୁସ୍ଥତା ବୋଲି ଅନୁଭବ କରିଥାଏ । ଏପରିକି, ପ୍ରଥମେ ଉଦାସୀନ ହେଲେ ଯାଇ ଜୀବନରେ ଯଥାର୍ଥ ବୋଲି କିଛି ସମ୍ପଦ ଉପଲବ୍‌ଧ ହୋଇ ପାରିବ ବୋଲି ଯେଉଁମାନେ ପରାମର୍ଶ ଦିଅନ୍ତି, ମୁଁ ସେମାନଙ୍କର ଅଭିପ୍ରାୟକୁ ମୋଟେ ବୁଝି ପାରେନାହିଁ । ସେମାନଙ୍କ ଠାରୁ ମୁଁ ଦୂରରେ ଦୂରରେ ରହିଥାଏ ।

 

୨୦ । ୧ । ୯୩

 

କିଛି ଲେଖିବାକୁ ଥିବାବେଳେ ଆଖିଆଗରେ କେତେ କ’ଣ ଦେଖା ଯାଉଥାଏ; ତଥାପି ଠିକ୍ କେଉଁଠାରୁ ଆରମ୍ଭ କରିବି, ତାହାର କୌଣସି ଠାବ କି ଠିକଣା ମିଳୁନଥାଏ । ନଗି ବଢ଼ାଇଲେ ନଗି ପାଉନଥାଏ । ବହୁତ କିଛି ଅପହଞ୍ଚ ପରି ଲାଗୁଥାଏ, ତଥାପି ପହଞ୍ଚିହେବ ବୋଲି ମନେ ହେଉଥାଏ । ହଠାତ୍ ଭିତରକୁ ଅନାଇ ଦେବା ବେଳକୁ ମୋତେ ଅପେକ୍ଷା କରି ରହିଥିବା ଭାବନାଗୁଡ଼ିକ ଆଗରେ ଆପଣାକୁ କିଞ୍ଚିତ୍ ଅସମର୍ଥ ପରି ମନେହୁଏ ସତ, ମାତ୍ର ମୋଟେ ଅସହାୟ ଲାଗେନାହିଁ । ଅସ୍ଥିର ଲାଗେ, ପ୍ରକୃତର ଅସ୍ଥିର ଲାଗେ, କ’ଣ ଗୋଟାଏ ଏକାବେଳେକେ ଟଳିଗଲା ପରି ଲାଗେ, ତଥାପି ଅସହାୟ ଲାଗେନାହିଁ, ଯେଉଁସବୁ କଥାକୁ ଭାଷାରେ ବ୍ୟକ୍ତ କରିବି ବୋଲି ମୁଁ ଅସ୍ଥିର ହେଉଛି, ସେଗୁଡ଼ିକ ମଧ୍ୟ ମୋ’ ଲାଗି ଅପେକ୍ଷା କରି ରହିଥିବା ପରି ପ୍ରତୀତ ହେଉଥାଏ । ସେହି ପ୍ରତୀତ ସାହସ ଦିଏ, ସେହି ପ୍ରତୀତ ଆକର୍ଷିତ କରିନିଏ ।

 

ସେତେବେଳେ ତଥାପି ଥିର ହୋଇଯିବାକୁ ପଡ଼େ । ତରତର ହେଲେ ଆଦୌ କାର୍ଯ୍ୟ ହୁଏନାହିଁ । ତା’ପରେ ସଙ୍କୋଚ ଏବଂ କୁଣ୍ଠାଗୁଡ଼ିକ କ୍ରମେ ଅନୁରାଗରେ ରୂପାନ୍ତରିତ ହୋଇଯାଆନ୍ତି-। ଅନୁରାଗ ସତେଅବା ଏକ ସୂତ୍ରରେ ପରିଣତ ହୋଇଯାଏ । ସେହି ସୂତାଟିର ଖିଅ ଧରି ପହଞ୍ଚି ହୁଏ । ସେତେବେଳେ ନିଜଭିତରେ ନିଜର ଦୋସର ସହିତ ଲଢ଼ିବାକୁ ବାହାରିଲେ ସବୁକିଛି ଏପରି ଦୟନୀୟ ଭାବରେ ଚହଲିଯାଏ ଯେ, ଆପଣାର କେନ୍ଦ୍ରଟି ମଧ୍ୟ ହରାଇ ବସିବାକୁ ହୁଏ । ଆପଣା ସହିତ ଲଢ଼ିବାର, ଆପଣା ଉପରେ ରୁଷି ବସିବାର ନିର୍ବୋଧତାକୁ ମୁଁ କେଉଁଦିନୁ ଛାଡ଼ି ଆସିଲିଣି-। ତେଣୁ ଅପେକ୍ଷା କରି ଜାଣିଲିଣି, ଥିର ହୋଇ ପାରିଲିଣି, ବିଶ୍ଵାସ ଚଖି ଶିଖିଲିଣି । ସେଥିଲାଗି, ଉଚିତ ମୁହୂର୍ତ୍ତଟି ହୁଏତ ଆପେ ଆପେ ଆସି ପହଞ୍ଚିଯାଏ, ମୋ’ ସହିତ ଲୁଚକାଳି ଖେଳୁଥିବା ବନ୍ଧୁଟି ମୋ’ ପାଖରେ ଆପେ ଆପେ ଆସି ଧରାଦିଏ । ଯଥାର୍ଥ ଶବ୍ଦଗୁଡ଼ିକ ମନକୁମନ ପଇଟାଇ ହୋଇଯାଏ ସେତେବେଳେ କଲମଟାବି ପ୍ରସ୍ତୁତ ହୋଇ ରହିଥାଏ । ସମସ୍ତ ପୃଥିବୀଟା ମୋ’ ସହିତ ସହଯୋଗ କରୁଥିବା ପରି ମନେହୁଏ । ଭାଷା ନଆସୁଥିଲେ ଭାଷା ଆଣି ଯୋଗାଇଦିଏ, ମୋତେ ପୂର୍ଣ୍ଣ ପ୍ରତ୍ୟୟ ଆଣିଦିଏ । ତା’ପରେ ଯାହାହୁଏ, ସବୁକିଛି ଅତ୍ୟନ୍ତ ସାବଲୀଳ ଭାବରେ ହୁଏ । ଯାବତୀୟ ତପସ୍ୟା ସାବଲୀଳ ଲାଗେ, ଯାବତୀୟ ବାସନାର ପୂରଣ ସାବଲୀଳ ଭାବରେ ସମ୍ଭବ ହୋଇଯାଏ ।

 

୨୧ । ୧ । ୯୩

 

ଯେଉଁ ଭଗବାନ୍ ମଣିଷର ସଙ୍ଗୀ ହୋଇ ରହିଛନ୍ତି, ତାଙ୍କୁ ପରସ୍ପର ମଧ୍ୟରେ ଖୋଜି ପାରୁଥିଲେ ଆମେ ତାଙ୍କୁ ଆମ ଜୀବନର ପ୍ରତ୍ୟେକ ସମ୍ବନ୍ଧରେ ଏବଂ ପ୍ରତ୍ୟେକ ଅବସରରେ ପ୍ରତ୍ୟକ୍ଷ କରିପାରୁଥାନ୍ତୁ । ମାତ୍ର, ତାଙ୍କୁ ଆମେ ସତେଅବା କେଉଁସବୁ ପ୍ରୟୋଜନଦ୍ଵାରା ପ୍ରତାରିତ ହୋଇ ମନ୍ଦିର ଭିତରେ ଖୋଜୁଛୁ । ମନ୍ଦିରଗୁଡ଼ାକୁ ଭଗବାନ୍ ମୋଟେ ଭିଆଣ କରିନାହାନ୍ତି । ମଣିଷ ସ୍ଵୟଂ ତାହାର ଭିଆଣ କରିଛି; ମନ୍ଦିରଗୁଡ଼ାକୁହିଁ ଭଗବାନ୍‍ଙ୍କର ଏକମାତ୍ର ନିବାସ ବୋଲି ଦେଖାଇ ଦେବାର ମତଲବରେ ସିଏ ଆଉସବୁ ଜାଗାରେ ସତେଅବା ଆଖି ବୁଜି ବସିଛି ।

 

ଭଗବାନ୍ ସବୁ ସ୍ଥାନରେ ଅବଶ୍ୟ ଅଛନ୍ତି । ସେହି ନ୍ୟାୟରେ ସେ ମଣିଷଦ୍ଵାରା ଗଢ଼ା ହୋଇଥିବା ମନ୍ଦିରଗୁଡ଼ିକ ଭିତରେ ମଧ୍ୟ ରହିଛନ୍ତି । ମାତ୍ର, ସବାଆଗ ମୋ’ ନିଜଭିତରେ ଅଛନ୍ତି ଏବଂ ସେହି ନ୍ୟାୟରେ ମୋ’ରି ପରି ଦିଶୁଥିବା ଅର୍ଥାତ୍ ମୋ’ ସହିତ ସବୁଠାରୁ ଅଧିକ ସାଦୃଶ୍ୟ ରଖିଥିବା ଅନ୍ୟ ମଣିଷମାନଙ୍କ ଭିତରେ ରହିଛନ୍ତି । ମଣିଷମାନେ ସେ କଥା ଜାଣି ମଧ୍ୟ ଯେ ସେହି ସତ୍ୟଟିକୁ ସ୍ଵୀକାର କରୁନାହାନ୍ତି, ଏଇଟା ମଣିଷର ନିଜର ମାୟା । ତାକୁ ସତେଅବା ଆହୁରି ଅନେକ ଅନ୍ୟ ଅର୍ଦ୍ଧସତ୍ୟ କାମୁଡ଼ି ଧରିଛନ୍ତି, ତା’ ଆଖିଗୁଡ଼ିକୁ ଆଚ୍ଛନ୍ନ କରି ରଖିଛନ୍ତି; ତେଣୁ, ଯେଉଁଠି ସବାଆଗ ମଙ୍ଗିଯିବା କଥା, ସେଠାରେ ସିଏ ମୋଟେ ମଙ୍ଗି ପାରୁନାହିଁ । ଏହି ମଣିଷମାନେ ପରସ୍ପର ମଧ୍ୟରେ ସବାଆଗ ଯାହାକୁ ଦେଖିବାର କଥା, ସବାଆଗ ଯାହାସହିତ ସାକ୍ଷାତ କରିବାର କଥା, ସତେଅବା ଅତ୍ୟନ୍ତ ଇଚ୍ଛାକୃତ ଭାବରେ ଛଳ କରି ସେମାନେ ତାକୁ ଦେଖୁନାହାନ୍ତି । ସଂସାରରୁ ଭ୍ରମ ଓ ଅଜ୍ଞାନ ଦୂର କରିବା ନିମନ୍ତେ ତେଣେ ଗାଡ଼ି ଗାଡ଼ି ବହି ଲେଖାଯାଉଛି । ସ୍ଵୟଂ ମଣିଷ ସେହି ବହିଗୁଡ଼ିକୁ ଲେଖୁଛି । ବହି ଲେଖି ଓ ବହି ଘୋଷି ସତେଅବା ମୋକ୍ଷ ହୋଇଗଲା ପରି ଭାବୁଛି । ତଥାପି ଜାଲଭିତରେ ପଡ଼ି ଛଟପଟ ହେଉଛି, ନାନାବିଧ ଅନ୍ଧାରକୁ ଡାକି ଆଣି ତାହାରି ଭିତରେ କଲବଲ ହେଉଛି । ଏପରି ଗୋଟିଏ ନୂଆ ଆନ୍ଦୋଳନ ଆରମ୍ଭ ହୁଅନ୍ତା, ଯାହାକି ଭଗବାନ୍‍ଙ୍କୁ ଭେଟିବା ଲାଗି ମନ୍ଦିରକୁ ଯିବାପାଇଁ ମନା କରନ୍ତା ଏବଂ ମଣିଷମାନେ ଆଗେ ପରସ୍ପର ଆଡ଼କୁ ନିରେଖି ଚାହାଁନ୍ତୁ ବୋଲି ନିବେଦନ କରିପାରନ୍ତା । ହୁଏତ ସେଥିରେ ମଣିଷମାନେ ବୁଝନ୍ତେ । ପୃଥିବୀ ଶାନ୍ତ ହୁଅନ୍ତା, ଅନ୍ତରିକ୍ଷ ଶାନ୍ତ ହୁଅନ୍ତା । ମଣିଷକୁ ବହୁ ପ୍ରଶ୍ନର ସମାଧାନ ମିଳିଯାଆନ୍ତା ।

 

୨୨ । ୧ । ୯୩

 

ଭୀରୁମାନେ ଭାରତରେ ରାଜନୀତିରେ ପଶି ଏଠି ରାଜନୀତିକୁ ଭାରି ଭୀରୁ କରି ପକାଇଲେ । ଗାନ୍ଧୀଯୁଗର ରାଜନୀତି ସାହସୀ ମଣିଷମାନଙ୍କର ରାଜନୀତି ଥିଲା । ଗାନ୍ଧୀଯୁଗର ଈଶ୍ଵର ଜଣେ ସାହସୀ ଈଶ୍ଵର ଥିଲେ । ଜଣେ ସାହସୀ ମଣିଷ ସାହସର ସହିତ ନିଜ ଭିତରେ ରହିଥିବା ଅସମର୍ଥତା ଏବଂ ଅପୂର୍ଣ୍ଣତାଗୁଡ଼ିକୁ ମଧ୍ୟ ସ୍ଵୀକାର କରେ । ସିଏ ଆପଣାକୁ ଗୋଟାସୁଦ୍ଧା ସୁନା ବୋଲି ଦେଖାଇ ଅପରପକ୍ଷକୁ କଦାପି ଭେଲ ବୋଲି ଦେଖାଇବାକୁ ଇଚ୍ଛା କରେନାହିଁ ।

 

ମଣିଷ ଆତ୍ମକାମୀ ହେଲେ ଭୀରୁ ହୁଏ । ସ୍ଵାଧୀନତା ପରେ ଭାରତବର୍ଷରେ ଯେଉଁଭଳି ରାଜନୀତି ହାତରେ ଅଢ଼ାଗୁଡ଼ିକ ଯାଇରହିଲା, ତାହା ମୂଳତଃ ଆତ୍ମକାମୀ ହେଲା । ଏହି ରାଜନୀତି ଭିତରେ ଘୁଷୁରୁଥିବା ମଣିଷମାନେ ପ୍ରକୃତରେ କିଛି କରିପାରିବେ ବୋଲି ବିଶ୍ଵାସ କରୁ ନଥିଲେ । ତେଣୁ ସେମାନେ କୃତସଙ୍କଳ୍ପ ହୋଇ ସେହିଦିଗରେ କୌଣସି ଚେଷ୍ଟା ମଧ୍ୟ କଲେନାହିଁ । ସେମାନେ ଯେକୌଣସି ପ୍ରକାରେ କ୍ଷମତାରେହିଁ ରହିବାକୁ ଇଚ୍ଛା କଲେ । ସେହି ଅନୁସାରେ ରାଜନୀତିକ ପ୍ରକ୍ରିୟାଗୁଡ଼ିକୁ ଭାରି ବଙ୍କା କରି ପକାଇଲେ । ଅସଲ ରାଜନୀତି, ଯାହାପଛରେ ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଥାଏ, ଯାହା ହାତରେ ଏକ ନିର୍ଦ୍ଦିଷ୍ଟ ଯୋଜନା ରହିଥାଏ, ତାହା ଦେଶରୁ ବିଦା ହୋଇଗଲା । ଗୋଟିଏ ଦଳଭିତରେ ମଧ୍ୟ ପ୍ରତ୍ୟୟଗତ କୌଣସି ସଙ୍ଗତି ଓ ସାମଞ୍ଜସ୍ୟତା ରହିଲାନାହିଁ । ସବୁଠାରୁ କୌଶଳୀ ଓ ସବୁଠାରୁ ସଫଳ ବ୍ୟକ୍ତିମାନେ ଦଳଗୁଡ଼ିକର ନେତା ହେଲେ । ଜଣେ ଜଣେ ଏପରି ଧୁରନ୍ଧର ଭାବରେବି ଉପରକୁ ଉଠିଗଲେ ଯେ, ଅନ୍ୟମାନେ ସେମାନଙ୍କ ପାଖରେ ମେଣ୍ଢା ହୋଇ ରହିଲେ । ଯାହାର ନିଜର କୌଣସି ବିଚାର ନଥାଏ, ବିଚାର ଅନୁସାରେ ଯାହାର ଆଦୌ କୌଣସି ଅଭିବୃଦ୍ଧି ଘଟୁନଥାଏ, ସିଏ ବିଚରା ମେଣ୍ଢାଟିଏ ନହୋଇ ଆଉ କ’ଣ ଅଧିକ ହୋଇ ପାରନ୍ତା ? ଭାରତବର୍ଷରେ ବର୍ତ୍ତମାନ ବାମ ଓ ଡାହାଣ ପ୍ରାୟ ପ୍ରତ୍ୟେକ ରାଜନୀତିକ ଦଳ ଅଳ୍ପବହୁତ ପରିମାଣରେ ଗୋଟିଏ ଗୋଟିଏ ମେଣ୍ଢାପଲ ପରିହିଁ ଦେଖା ଯାଉଛନ୍ତି । ରାଜନୀତିକ ବିବେକ ବୋଲି କିଛି ନାହିଁ, ରାଜନୀତିକ ଶିକ୍ଷା ବୋଲି କେଉଁଠି କିଛି ନାହିଁ । ଆଦୌ କୌଣସି political education ନଥିବା ମଣିଷମାନେ ଆମର ଏହି ଦେଶରେ ରାଜନୀତି ଉପରେ ରାଜା ହୋଇ ବସିଛନ୍ତି ।

 

୨୩ । ୧ । ୯୩

 

କାମରେ ପାହାଚେ ସରିବା ବେଳକୁ ଆର ପାହାଚଟି ଆପେ ଆପେ ଦିଶିଯାଏ । ତେଣୁ, ଅତ୍ୟନ୍ତ ସୁସ୍ଥ ଭାବରେ ତା’ ଭିତରକୁ ପ୍ରବେଶ କରିହୁଏ । ମାତ୍ର ଅନେକ ସମୟରେ କାର୍ଯ୍ୟଟିକୁ ଅର୍ଥାତ୍ କୌଣସି ଲେଖାକୁ ଆରମ୍ଭ କରିବା ପୂର୍ବରୁହିଁ ଆଗ ସବୁଯାକ ପାହାଚ ମୋତେ ଗୋଟାସୁଦ୍ଧା ଦିଶିଯାଇ ପାରନ୍ତୁ ବୋଲି ମୁଁ ସତେଅବା ଜିଦ୍ ଧରି ବସିଥାଏ ଏବଂ ତେଣୁ କଲବଲ ହେଉଥାଏ । ସେତେବେଳେ ହୁଏତ ସବୁ ଦିଶୁଥାଏ, ମାତ୍ର ତଥାପି ଆଦୌ କିଛିହେଲେ ଦିଶୁନଥାଏ । ସେତେବେଳେ ଆପଣା ପାଖରେ ଭାରି ରାମ୍ପୁଡ଼ି କାମୁଡ଼ି ହେଲାପରି ଲାଗେ । ଏକାବେଳେକେ ସବୁଯାକ ଖେଳନାକୁ ଆଣି ତୁମେ ମୋ’ ଆଗରେ ରଖି ବୋଲି କରୁଥିବା ରଡ଼ି ଛାଡ଼ୁଥିବା ପିଲାଟି ଭଳି ଭାରି କଲବଲ ହେବାକୁ ପଡ଼େ । ସେତିକିବେଳେ ମାଆଟିଏ ପରି ସେଇ ଭିତରେ ଥାଇ କିଏ ପିଠି ଥାପୁଡ଼େଇ ପ୍ରଥମ ପାହାଚଟିକୁ ଦେଖାଇଦିଏ । ମନ ସମ୍ପୂର୍ଣ୍ଣ ଭାବରେ ବୁଝିଯାଏ । ଯେଉଁଟି ଲେଖିବାକୁ ରହିଛି, ତାହା ଯେ କଦାପି ଏକାବେଳେକେ ଲେଖିହୋଇ ଯିବନାହିଁ, ତେଣୁ ପାହାଚ ପାହାଚ କରି ଲେଖିବାକୁ ହେବ, ପାହାଚ ପାହାଚ କରି ଅଗ୍ରସର ହେବାକୁ ହେବ, ସେତେବେଳେ କଥାଟିକୁ ବେଶ୍ ବୁଝିହୁଏ ।

 

ଏବଂ, ପ୍ରଥମ ପାହାଚଟି ଦୃଶ୍ୟ ହୋଇ ଆସୁଥିବା ପରି ଲାଗେ । ପରବର୍ତ୍ତୀ ପାହାଚଗୁଡ଼ିକ କିପରି ହୋଇଥିବ, କ’ଣ ହୋଇଥିବ ସେତେସେହି କଥାଟାକୁ ନେଇ କୌଣସି ଅଝଟ କରିବାକୁ ମନ ଯାଏଁ ନାହିଁ । ମୋ’ ଜୀବନରେ ଏହି ଅନୁଭବଟି ବହୁବାର ହୋଇଛି । ବହୁବାର ଅଝଟ ହୋଇଛି, ବହୁବାର ପିଠିଥାପୁଡ଼ା ପାଇଛି ଓ ଶାନ୍ତ ହୋଇଛି । ପ୍ରଥମ ପାହଚଟି ପାଖରେ ନିଜକୁ ପୂର୍ଣ୍ଣ ଭାବରେ ସଂହତ ଓ ସମର୍ପିତ କରି ରଖିପାରୁଛି । ଅନ୍ୟମାନଙ୍କର ଜୀବନରେ ଖୁବ୍‌ସମ୍ଭବ ସେହିଭଳି ହେଉଥିବ । ନିଜଭିତରେ ବାରବାର ସେହି ଜନନୀଙ୍କର ପରିଚୟ ମିଳି ଯାଉଥିବ । ନିଜଭିତରେ ଯେଉଁ ଚପଳ ବାଳକଟି ରହିଛି, ନିଜ ଗର୍ଭରେ ସବୁ ଧରି ବସିଛି ଅଥଚ ବାହାରକୁ କିଛି ବୁଝୁନାହିଁ, ବାରବାର ଅଝଟ ହେଇଛି, ସେଇ ବାଳକଟି ପାଖରେ ମୁଁ ବାରମ୍ବାର ପ୍ରଣାମ ଜଣାଉଛି । ଜୀବନର ବାଟଗୁଡ଼ିକୁ ସିଏ ଯେ କେଡ଼େ ବିଚିତ୍ର କରି ରଖିଛି, ବେଳେବେଳେ ତାକୁ ପାଖରେ ବସାଇ ମୁଁ ସେହିକଥାଟିକୁ ଭାବିଥାଏ ।

 

୨୪ । ୧ । ୯୩

 

ଲେଖି ବସିଥିବା ସମୟରେ ମୁଁ ଯେପରି କେଉଁ ସମଗ୍ର ଭିତରେ ହଜି ଯାଇଥାଏ । ଖାଲି ଲେଖାଟିଏ ଲେଖିବା ସମୟରେ ନୁହେଁ, ଚିଠିଟିଏ ଲେଖୁଥିବା ସମୟରେ ମଧ୍ୟ ସେଇକଥା ହୁଏ ।

 

ଆପେ ସମଗ୍ରଟିଏ ହୋଇ ପ୍ରସ୍ତୁତ ହୋଇ ନଥିଲେ ସମଗ୍ର ଭିତରେ ହଜିଯିବା ମୋତେ ସମ୍ଭବ ହୁଅନ୍ତାନାହିଁ । ସମଗ୍ର ଆସି ଗ୍ରାସ କରି ପକାନ୍ତା ସିନା, ମାତ୍ର ସମଗ୍ର ସହିତ ଖିଅ ଲଗାଇ ହୁଅନ୍ତାନାହିଁ, ସମଗ୍ର ସହିତ ବନ୍ଧୁ ବସି ହୁଅନ୍ତାନାହିଁ । ଲେଖାଟିଏ ଲେଖୁଥିବା ସମୟରେ ମୁଁ କାହା ସହିତ ବନ୍ଧୁ ବସିଥାଏ କେଜାଣି ? ଠିକ୍ କାହାସହିତ ବନ୍ଧୁ ବସିଥାଏ, ସେ କଥା ମୋଟେ ଅଲଗା କରି କହି ପାରେନାହିଁ, ତଥାପି କାହାରି ନା କାହାରି ସହିତ ଯେ ଅବଶ୍ୟ ବନ୍ଧୁ ବସିଛି, ସେ କଥାରେ ଆଦୌ କୌଣସି ସନ୍ଦେହ ନଥାଏ । ସେତେବେଳେ ମୋ’ ହୃଦୟଟା ନୁହେଁ, ମୋ’ ଦେହଟା ମଧ୍ୟ ସେହିକଥା କହି ଦେଉଥାଏ । କେବଳ ହୃଦୟଟା ଲାଗି ରହିନଥାଏ, ଦେହଟା ମଧ୍ୟ ଲାଗି ରହିଥାଏ-। ମୂର୍ତ୍ତିଟିଏ ପୂଜା କଲାବେଳେ ଯେପରି ମୂର୍ତ୍ତିଟି ଭିତରେ ହଜିଗଲା ପରି ମନେ ହେଉଥାଏ, ମୂର୍ତ୍ତିଟି ସତେଅବା ଯେପରି ଏକ ସମଗ୍ର ମହିମା ପରି ମନେ ହୁଏ, ଇଏ ପ୍ରାୟ ସେହିପରି ଗୋଟିଏ କଥା-। ସବୁ ହଜାଇ ଦେଇ ଯଦି ତୁମେ ସବୁ ପାଇବ ବୋଲି ନିଜ ଭିତରେ ଅଭିଳାଷ ରଖିଥିବ, ତେବେ ତୁମକୁ ଏହିପରି ଏକ ସମଗ୍ରହିଁ ହେବାକୁ ପଡ଼ିବ । ତୁମର ସମଗ୍ର ହୋଇଥିବ, ଅର୍ଥାତ୍ ତୁମ ଭିତରେ କୌଣସି ଜ୍ଵର ନଥିବ, କୌଣସି ଅଭିଯୋଗ ନଥିବ, ଲେଖାଟିଏ ଲେଖିପକାଇ ସତେଅବା କାହାକୁ ଯାଇ ଗିଳି ପକାଇବ ବୋଲି କୌଣସି ପ୍ରମତ୍ତତା ନଥିବ,–ତେବେଯାଇ ହେବ । ଅନ୍ତତଃ ନିଜ ଭିତରେ କୌଣସିମତେ ଖଣ୍ଡିଆ ହୋଇ ନରହିବାକୁହିଁ ଜଣେ ବ୍ୟକ୍ତି ସାହିତ୍ୟ ଆଡ଼କୁ, ବନ୍ଧୁଜଗତ୍ ଆଡ଼କୁ ମନ କରିବା ଉଚିତ । ଏପରି ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ଆପଣା ଭିତରେ ରହିଥିବା ଖଣ୍ଡିଆଗୁଡ଼ାକୁ ନେଇହିଁ ଗୋଟିଏ ଲେଖା ଲେଖିବାକୁ ଯାଆନ୍ତି, ଜଗତ୍ ମଧ୍ୟକୁ ପ୍ରବେଶ କରିଥାନ୍ତି । ସେମାନେ ନିଜ ଲେଖାଗୁଡ଼ିକର ମାଧ୍ୟମରେ ଆଦୌ କାହାକୁ କିଛିହେଲେ ଦେଇ ପାରନ୍ତିନାହିଁ, ଜଗତ୍‍କୁ ମଧ୍ୟ କିଛି ଦେଇ ପାରନ୍ତିନାହିଁ । ସେମାନେ ନିଜେ ଧରା ପଡ଼ିଯାଆନ୍ତି । ସେମାନେ କଦମ୍ବ ଗଛଟା ମୂଳରେ ଖାଲି ନିଜେହିଁ ଲଙ୍ଗଳା ହୋଇ ନାଚୁଥିବା ପରି ଦିଶନ୍ତି, ଦୁଃଖ ଦିଅନ୍ତି ।

 

୨୫ । ୧ । ୯୩

 

ମୁଁ ଏକୁଟିଆ ଥାଏ, ତଥାପି ଏହି ଘରଟି ପୂରି ରହିଥାଏ । ସାଙ୍ଗମାନେ ସତେଅବା ମୋ’ ଚାରିଆଡ଼େ ମୋତେ ଘେରି କରି ରହିଥାନ୍ତି । ତେଣୁ, ମୋଟେ ନିଃସଙ୍ଗ ବୋଧ ହୁଏନାହିଁ । ଲେଖକ ଲେଖିବା ସମୟରେ ଏକୁଟିଆ ବସି ଲେଖୁଥାଏ; ତଥାପି ସିଏ ଏକୁଟିଆ ବସି ଲେଖୁଛି ବୋଲି କୁହାଯାଇପାରିବ କି ? ସେତେବେଳେ ତା’ ସାଙ୍ଗରେ ପୃଥିବୀଟାଯାକ ରହିଥାଏ । ଖାଲି ବର୍ତ୍ତମାନ ନଥାଏ; ଅତୀତ ରହିଥାଏ, ଭବିଷ୍ୟତ୍ ମଧ୍ୟ ରହିଥାଏ । ଏଭଳି ଏକ ସମ୍ପଦ ରହିଥାଏ, ଯାହାକୁ ପାଇଲେ ମଣିଷକୁ କେବେହେଲେ ଏକୁଟିଆ ଲାଗେନାହିଁ ।

 

ମଣିଷ ଭିତରେ ରହିଥିବା ଅହଂଟା ହେଉଛି ସମ୍ଭବତଃ ତା’ର ଏକୁଟିଆ ଭଳି ଅନୁଭବ କରିବାର ସବୁଠାରୁ ବଡ଼ କାରଣ । ଅହଂ ଏପରି ଏକ ବିଚିତ୍ର ଉପାଦାନରେ ଗଢ଼ା ହୋଇଛି, ଯାହାକି କାହାକୁ ହେଲେ ଆପଣା ଭିତରେ ସ୍ଥାନ ଦିଏନାହିଁ, ଅଥଚ ସମସ୍ତେ ତା’ ସାଙ୍ଗ ଛାଡ଼ି ଚାଲିଗଲେ ବୋଲି ଅଭିଯୋଗ କରିବାରେ ଲାଗିଥାଏ । ନିଜ ହାତରେ ଡୋର କାଟେ, ନିଜ ହାତରେ କବାଟକୁ କିଳି ରଖିଥାଏ ଏବଂ ତେଣେ ଡୋର ଛିଣ୍ଡିଗଲା ଓ କବାଟଗୁଡ଼ାକ ବନ୍ଦ ହୋଇଗଲା ବୋଲି ଡକା ପଡ଼ିଥାଏ । ମୁଁ ଏଗୁଡ଼ାକୁ କେତେ ଅଙ୍ଗେ ନିଭାଇ ଆସିଛି । ସେତେବେଳେ ମୁଁ କେଡ଼େ ସଶଙ୍କ ହୋଇ ରହିଥିଲି, ଦୁଆରଟାକୁ ଖୋଲିଦେଲାମାତ୍ରକେ ପୃଥିବୀଟା ମତେ କୁଆଡ଼େ ମନ କୁଆଡ଼େ ଉଡ଼ାଇ ନେଇଯିବ ବୋଲି ମୁଁ କେତେପ୍ରକାର ସତର୍କ ରହିବାପାଇଁ ଚେଷ୍ଟା କରୁଥିଲି । ସବୁ ଥାଇ ମଧ୍ୟ ମୁଁ ନିଃସ୍ଵ ହୋଇଗଲି ବୋଲି କେତେ ରୋଦନ କରୁଥିଲି । ପୃଥିବୀରେ ମୋ’ଠାରୁ ବଳି ଅଭାଗା ଆଉ କଦାପି କେହି ନଥିବେ ବୋଲି ସତେଅବା କେଡ଼େ ଉତ୍ସାହର ସହିତ କହୁଥିଲି । ଆଜି ମଧ୍ୟ ସେହିଭଳି ବହୁ ବ୍ୟକ୍ତି ପୃଥିବୀରେ ରହିଛନ୍ତି, ମାତ୍ର ସେମାନେ ମୋତେ ଆଉ କୌଣସି ପ୍ରକାରେ ବିଚଳିତ କରୁନାହାନ୍ତି । ମୋ’ରି ନଜିର ଦେଇ ଭାବୁଛି, ଦିନେ ସେମାନଙ୍କରବି ଶଙ୍କା ଯିବ, ସେମାନେ ମଧ୍ୟ ଦିନେ ସେହି ସଙ୍ଗଟିକୁ, ସେହି ନିର୍ଭରଟିକୁ ଲାଭ କରିବେ, ଯାହାକୁ ପାଇଲେ ମଣିଷ ଆଉ କଦାପି ନିଃସଙ୍ଗ ଅନୁଭବ କରେନାହିଁ । ପୃଥିବୀ ନିଜର ଘରପରି ଲାଗେ । କବି ଭୀମଭୋଇଙ୍କ ପରି ଏହି ସଂସାରକୁ ସିଏ ନିଜ ପିତାର ସଂସାର ବୋଲି ଗ୍ରହଣ କରିନିଏ । ସଂସାରପାଇଁ ବଞ୍ଚେ, ସଂସାରର କାମରେହିଁ ଲାଗେ ଏବଂ କାମରେ ଲାଗି ଧନ୍ୟ ହୁଏ । ସ୍ଵୟଂ ଭଗବାନ୍ ମଧ୍ୟ ସେତେବେଳେ ନିଜ ସାଙ୍ଗରେ ଏକାଠି ବାଟ ଚାଲୁଥିବା ପରି ମନେ ହୁଅନ୍ତି । ସେତେବେଳେ ମଣିଷ ଭଗବାନ୍‍ଙ୍କୁ ନେଇ ଆଉ କୌଣସି କଳହ କରେନାହିଁ; ସିଏ ଭଗବାନ୍‍ଙ୍କୁ ବଞ୍ଚେ, ଅର୍ଥାତ୍ ତାଙ୍କରି ଯନ୍ତ୍ର ହୋଇ କାର୍ଯ୍ୟ କରେ, ଖୁସି ହୋଇ ରହେ ।

 

୨୮ । ୧ । ୯୩

 

ମଣିଷ ଲେଖୁ ଲେଖୁ କୁଆଡ଼େ ଏମିତି କେଉଁଠି ଦିନେ ଅଟକିଯାଏ ଯେ, ଆଉ ସିଏ କିଛି ଲେଖି ପାରେନାହିଁ । ସତେ ଯେମିତି ତା’ର ଆଉ କିଛିହେଲେ ଲେଖିବାକୁ ନାହିଁ, ସେହିପରି ଭାବିଥାଏ । କାହିଁ ମୁଁ ତ କେଉଁଠି ଆସି ଅଟକି ଯିବାପରି ମୋଟେ ମନେ ହେଉନାହିଁ ! ଭିତରେ ପରସ୍ତକୁ ପରସ୍ତ ଖୋଲି ଯାଉଛି, ତେଣୁ ବାହାରେ ମଧ୍ୟ ଅବଶ୍ୟ କିଛି କହିବାର ଅଛି ।

 

ଭିତରେ ପାହାଚଗୁଡ଼ିକ ଏବେ ମଧ୍ୟ ଆହୁରି ଉପରକୁ, ଆହୁରି ଗଭୀରକୁ ପଡ଼ି ପଡ଼ି ଯାଇଛି । ଏଗୁଡ଼ିକ କେବଳ ମୋ’ରିପାଇଁ ପଡ଼ିଛି । ଏହି ଶୃଙ୍ଖଳାଟି ସତେ କେଉଁଠି ଶେଷ ହେବ ବୋଲି ମୋଟେ ମନେ ହେଉନାହିଁ । ଜୀବନ ପାଖରେ ହଁ ବୋଲି କହିବାର କେତେ ପାହାଚ ରହିଛି-। ଆପଣାର ବନ୍ଧୁ ପାଖରେ ହଁ ବୋଲି କହିବାର ମଧ୍ୟ କେତେ ପାହାଚ ରହିଛି । ସେହି ‘ହଁ’ ଗୁଡ଼ାକହିଁ ମୋ’ର ଆଖିଗୁଡ଼ିକୁ ଖୋଲି ଖୋଲି ଦେଇ ଚାଲି ଯାଉଛନ୍ତି । ମୋ’ ପ୍ରୀତିର dimension ଗୁଡ଼ିକୁ ଫିଟାଇ ଫିଟାଇ ଦେଇ ଯାଉଛନ୍ତି । ସେହିସବୁ ପୀତି ସହିତ ପରିଚୟ ଘଟିବାମାତ୍ରକେ ସତେଅବା ପୁଣି ଏକ ନୂଆ ଅଭିବ୍ୟଞ୍ଜନା ଦେଇ ମୁଁ ଜଗତ୍‍କୁ ଦେଖୁଛି । ସମସ୍ତେ ନୂଆ ହୋଇ ଦିଶୁଛନ୍ତି, ଭଗବାନ୍ ମଧ୍ୟ ନୂଆ ହୋଇ ଦେଖା ଯାଉଛନ୍ତି । ଏହି ଆବିଷ୍କାର ଯାତ୍ରାର ଅନ୍ତ ନାହିଁ । ଏବଂ, ଏହିସବୁ ଯେଉଁ ଗୋଟିଏ ଗୋଟିଏ ଅନୁଭବ, ଏସବୁ କ’ଣ କେବଳ ନିଜେ ଅନୁଭବ କରି ଉଲ୍ଲସିତ ହୋଇ ରହିବାର ଓ ପାଇଲି ବୋଲି ଗଣ୍ଠି ପକାଇ ବସିଯିବାରହିଁ ଗୋଟିଏ ଗୋଟିଏ ପ୍ରସଙ୍ଗର ପାହାଚ ଉଠିବାର ଅର୍ଥ ହେଉଛି ଦୁଆରଟିଏ ଖୋଲିଯିବା । ଦୁଆରଟିଏ ଖୋଲିଯିବାର ଅର୍ଥ ହେଉଛି ଏହି ପୃଥିବୀକୁ ନୂଆ ଆଖି ଦେଇ ଦେଖିବା । ଏବଂ, ନୂଆ ଆଖି ଦେଇ ଏହି ଲାଗି ରହିଥିବା ପର୍ଯ୍ୟନ୍ତ ମୋ’ର ଅବଶ୍ୟ କିଛି ନା କିଛି କହିବାକୁ ରହିଥିବ । ମୁଁ ଯେପରି ଅନ୍ୟମାନଙ୍କୁ ଲୋଡ଼ୁଛି ଠିକ୍ ସେହିପରି ମୋତେବି ଅନ୍ୟମାନେ ଲୋଡ଼ୁଥିବେ । ନୂଆ ନୂଆ ଆଖିରେ ଲୋଡ଼ୁଥିବେ-। ତେଣୁ, ମୋ’ କଥା ଶୁଣିବାକୁ ଅବଶ୍ୟ ଅପେକ୍ଷା ମଧ୍ୟ କରୁଥିବେ । ମୁଁ ସେମାନଙ୍କ ଠାରୁ ନୂଆ କଥା ଶୁଣିବି, ସେମାନଙ୍କୁ ନୂଆ ଆଖିରେ ଦେଖିବି, ସତେଅବା ଏକ ନୂଆ ଉଚ୍ଚାଟନ ଦେଇ ସେମାନଙ୍କୁ ସ୍ପର୍ଶ କରିବି, ସେମାନଙ୍କ ସହିତ ନୂଆ ହୋଇ ମିତ ବସିବି, ଏହିଗୁଡ଼ିକହିଁ ତ ସାହିତ୍ୟ ରାଜ୍ୟର କଥା ! ତେଣୁ, ଏ ଲେଖା ସରିବନାହିଁ, ଏହି କଲମ କାଦପି କ୍ଳାନ୍ତ ହୋଇ ଯିବନାହିଁ ।

 

୨୯ । ୧ । ୯୩

 

ଯିଏ ବାଟ ଚାଲିବାକୁ ରାଜି ନଥାଏ, ମୁଖ୍ୟତଃ ସେଇ ବାଟଟିଏ ଚାଲିବା ନିମନ୍ତେ ସଂସାରକୁ ଉଦ୍‌ବୋଧନ ଦେବାକୁ ଆସିଥିବା ଜଗତ୍‍ ବନ୍ଧୁ ଠାକୁରଟିଏ କରି ଥାପିଦିଏ ଏବଂ ପୂଜିବାକୁ ଆରମ୍ଭ କରେ । ଭାରତବର୍ଷର କେତେ କେତେ ମନୀଷୀ ଆମକୁ ବାଟଟିଏ ଚାଲିବା ନିମନ୍ତେ ଏକାବେଳେକେ ଆମ ପାଖରେ ବସି କେତେକଥା କହିଛନ୍ତି । ମାତ୍ର ଆମେ ଅମଙ୍ଗମାନେ କେଡ଼େ ଚତୁରତାର ସହିତ ତାଙ୍କୁ ନେଇ ଭଜନ କୀର୍ତ୍ତନ କରିବାରେ (....) ହୋଇ ରହିଛୁ । ଏହି ପ୍ରମତ୍ତମାନଙ୍କୁ ପ୍ରକୃତରେ ଅସମ୍ମତ ବୋଲି କହିବାକୁ ହେବ ।

 

ସ୍ଵାଧୀନତା ପରେ ଦେଶରେ ଅସଲ ଉନ୍ମୋଚନଗୁଡ଼ିକୁ (.....) ଏହି ପ୍ରମତ୍ତମାନେହିଁ ସବୁଠାରେ ବଡ଼ ପ୍ରତିବନ୍ଧକରୂପେ କାର୍ଯ୍ୟ କରି ଆସିଥିବା ଚିତ୍ତରେ ଆଦୌ କୌଣସି ଉପନୟନ ଘଟିବା ପୂର୍ବରୁ ସେମାନେ ମୁଣ୍ଡରେ (....) ଲଗାଇଛନ୍ତି, ସତ୍ୟଗୁଡ଼ିକୁ ସମ୍ପ୍ରଦାୟରେ ପରିଣତ କରି ଦେଇ ଉଚ୍ଚସ୍ୱରରେ ଗଗନ କମ୍ପାଇଛନ୍ତି ଏବଂ ମଣିଷମାନଙ୍କୁ ଶୀତଳ କରି ରଖିବାର ସର୍ବପ୍ରଥମେ ଚେଷ୍ଟା କରିଛନ୍ତି । ଏ ଦେଶରେ ଧର୍ମଭୀରୁମାନେ ନିଜ ନିଜର ଧର୍ମକୁ (....) ଗୋଟିଏ ଗାତରେ ପରିଣତ କରି ତାହାରି ଭିତରେ ଶୀତଳ ହୋଇ ବସିଛନ୍ତି । ଶୀତଳ ହୋଇ ବସିଯିବାକୁ କରାଯାଉଥିବା ସେମାନଙ୍କର ନାନାବିଧ ଯୋଜନାରେ କେତେ ପଇସା ଖର୍ଚ୍ଚ ହେଉଛି, କେତେ ରାଜସିକ ଆଡ଼ମ୍ବରମାନ ହେବାରେ ଲାଗିଛି ଓ କେତେ ଶବ୍ଦବିଳାସକୁ ପ୍ରଶ୍ରୟ ମଧ୍ୟ ଦିଆଯାଇଛି । ଏହି ସବୁକିଛି ହେଉଛି; ତଥାପି ବାଟ ଚାଲିବାକୁ ମନ କରୁଥିବା ମଣିଷ ଲାଗି ପଥମାନେ, ଆହ୍ଵାନମାନେ ଉନ୍ମୁକ୍ତ ହୋଇ ରହିଛନ୍ତି । ସେମାନେ ମନ କଲେ ଏବେ ମଧ୍ୟ ବାକ୍ୟଗୁଡ଼ିକୁ ମନ୍ତ୍ରରୂପେ ନିଜ ଜୀବନରେ ଗ୍ରହଣ କରିନେଇ ପାରିବେ ଓ ବାଟଗୁଡ଼ିକୁ ଚାଲି ପାରିବେ । ଏହିପରି ଅଧିକରୁ ଅଧିକ ମଣିଷ ପ୍ରକୃତରେ ବାଟ ଚାଲିବାକୁ ଆରମ୍ଭ କଲେ ଆମକୁ ପୃଥିବୀର ଅନେକ ସମସ୍ୟାର ସମାଧାନ ମିଳିଯିବ, ଅନେକ ମିଛ କନ୍ଦଳ ବନ୍ଦ ହୋଇଯିବ । ଶକ୍ତିରୁ ବହୁ ଅପଚୟ ମଧ୍ୟ ବନ୍ଦ ହୋଇଯିବ । ଏହି ଶକ୍ତିଚୟ ମୂଳତଃ ଯାହାପାଇଁ, ସେତେବେଳେ ତାହା ତାଙ୍କରିପାଇଁ ନିୟୋଜିତ ହୋଇ ପାରିବ । କେହି କାହାରିକୁ ଗିଳି ପକାଇବାକୁ ଚେଷ୍ଟା କରୁନଥିବେ, ଭିନ୍ନ ଭିନ୍ନ ହୋଇ ବାଟ ଚାଲୁଥିଲେ ମଧ୍ୟ ଏକାଠି ଚାଲୁଥିବା ପରି ଅନୁଭବ କରୁଥିବେ । ଏବଂ, ସମ୍ଭବତଃ ସେହି ଗୋଟିଏ ପ୍ରେରଣା ପାଖରେ କୃତଜ୍ଞ ହୋଇ ରହିଥିବେ । ସେମାନେ ପରସ୍ପରର ମିତ୍ର ହୋଇ ରହିଥିବେ । ଜଣେ ଅନ୍ୟର ପରମାତ୍ମୀୟ ହୋଇ ରହିଥିବେ ।

 

୩୦ । ୧ । ୯୩

 

ସାହିତ୍ୟରେ ବୟସ ନାହିଁ, କେବଳ growth ଅଛି; ageing ନାହିଁ, କେବଳ ଉନ୍ମୋଚନହିଁ ରହିଛି । ତେଣୁ, ଜଣେ କେତେ ବର୍ଷ ହେଲା କେତେ ସାହିତ୍ୟ ଲେଖିଛି; ସେଥିରୁ ଜଣେ ସାହିତ୍ୟିକର କଦାପି ବିଚାର କରାଯାଇପାରିବ ନାହିଁ । ସାହିତ୍ୟକୁ ମାଧ୍ୟମ କରି ଜଣେ ଲେଖକ ଜୀବନରେ କେତେ ଉନ୍ମୋଚନ ଘଟାଇ ପାରିଛି, ତା’ର ବିଚାର ମୂଳତଃ ସେହି ଦୃଷ୍ଟିରୁ କରାଯାଇପାରିବ । ଆଧ୍ୟାତ୍ମିକତାରେ ମଧ୍ୟ ବୟସ ନାହିଁ ବା ageing ନାହିଁ, କେବଳ growth ରହିଛି ଏବଂ ଉନ୍ମୋଚନ ରହିଛି ।

 

ସାହିତ୍ୟରେ ଚାରଣା ସହିତ ଆଧ୍ୟାତ୍ମିକତା ଏହିଭଳି ଏକ ଗୁଣଗତ ଅର୍ଥାତ୍ ଧର୍ମଗତ ସମ୍ବନ୍ଧ ରହିଛି ବୋଲି ସାହିତ୍ୟ ଏତେ ଭଲ ଲାଗେ, ଏପରି ଭାବରେ ଯୁକ୍ତ କରାଏ, ଏପରି ହାଲୁକା କରିଦିଏ, ଭିତର ଓ ବାହାର ଉଭୟଟାକୁ ଏପରି ଆଲୋକିତ କରି ରଖିଥାଏ । ଆମେ ଅନେକ ସମୟରେ ସାହିତ୍ୟର ଏହି ତତ୍ତ୍ଵଟି ଭିତରେ ପଶି ନଥାଉ ବୋଲି ଅତ୍ୟନ୍ତ ଅସାହିତ୍ୟିକ ଏବଂ ରସହୀନ ଭାବରେ ସାହିତ୍ୟକୁ ପ୍ରାୟ ଏକ ହାସ୍ୟାସ୍ପଦତା ମଧ୍ୟରେ କିଳି କରି ରଖି ଦେଇ ଥାଉ । ଆମେ ବୟସର ହିସାବ କରୁ ଏବଂ ତେଣୁ ତଥାକଥିତ କନିଷ୍ଠମାନଙ୍କ ଠାରୁ ଜ୍ୟେଷ୍ଠର ମର୍ଯ୍ୟାଦା ପାଇବାଲାଗି ଲାଳାୟିତ ହୋଇ ରହି ଥାଉ । ଅଥବା, ଆମେ ନିଜ ଜୀବନରେ ଏତେ ବହି ଲେଖି ସାରିଲୁଣି, ତେଣୁ ଆମକୁ ଅନ୍ୟମାନେ ସେହି ମୁତାବକ ସମ୍ମାନ ବା ସ୍ଵୀକୃତି ଦିଅନ୍ତୁ ଅର୍ଥାତ୍ ସେତିକି ଆସନରେ ବସାନ୍ତୁ ବୋଲି ଭିତରେ ଭାରି ସନ୍ତାପିତ ହୋଇ ରହିଥାଉ । ଜଣେ ମଣିଷ ତା’ ଚାକିରିରେ କେତେ ଉଚ୍ଚପଦରେ ଯାଇ ବସି ପାରିଛି, ଆମେ ସେହି ଓଜନରେ ମଧ୍ୟ ସାହିତ୍ୟକାରମାନଙ୍କର ଉଚ୍ଚତାକୁ ମାପିଥାଉ । ଏହି ସବୁକିଛି ହୁଏତ ଏକ ସାମନ୍ତବାଦୀ କୁସଂସ୍କାରର ଅବଶେଷ ବୋଲି କୁହାଯାଇପାରିବ । ସାହିତ୍ୟର ଯାବତୀୟ ସମ୍ପର୍କରେ ଯେଉଁ ଅସଲ ମାନଦଣ୍ଡଟି ରହିବ, ତାହା ହେଉଛି ସମଧର୍ମିତାର ମାନଦଣ୍ଡ, ଏହି ପୃଥିବୀରେ ରହିଥିବା ସକଳ ସନ୍ତାପ ସତ୍ତ୍ୱେ ତଥାପି ସ୍ଵପ୍ନ ଦେଖିବାକୁ ମନ କରୁଥିବାର ମାନଦଣ୍ଡ । ଆପଣାର ଜୀବନରେ ସେହି ସ୍ଵପ୍ନଗୁଡ଼ିକୁ ସତେଅବା ପଦ୍ମପରି ଫୁଟାଇ ଆଣିବା ଲାଗି ସତତ ପ୍ରୟାସ କରୁଥିବାର ମାନଦଣ୍ଡ । ସାହିତ୍ୟର ମାନଦଣ୍ଡ ହେଉଛି ପରସ୍ପର ଭିତରେ ଏପରି କିଛି ଆବିଷ୍କାର କରିବାର ମାନଦଣ୍ଡ, ଯାହାକି ଆମକୁ ଆମ ସର୍ବୋତ୍ତମ ଆବିଷ୍କାରର ସ୍ତର ମଧ୍ୟକୁ ସତତ ଉତ୍ତୋଳିତ କରି ଧରି ରଖିଥିବ-

 

୪ । ୨ । ୯୩

 

ଜଣେ ଧର୍ମସ୍ଥ ବ୍ୟକ୍ତିହିଁ ଧର୍ମର ଗବେଷଣା କରୁ । ତା’ ନହେଲେ ଧର୍ମର ଗବେଷଣାରୁ ବହୁ ପ୍ରମାଦ ଉପୁଜିବାର ଭୟ ସବୁବେଳେହିଁ ରହିଥିବ । ଧର୍ମସ୍ଥ ବ୍ୟକ୍ତି ଅର୍ଥାତ୍ ଧର୍ମରେ ଅନୁରାଗ ରହିଥିବା ଜଣେ ବ୍ୟକ୍ତି, ଧର୍ମରେ ବାଟ ଚାଲିବାକୁ ମନ ଧର୍ମ ଆଗ୍ରହୀ ହୋଇଥିବା ଜଣେ ବ୍ୟକ୍ତି । ଧର୍ମସ୍ଥ ବ୍ୟକ୍ତି ଯେଉଁ ତଥାକଥିତ ଧର୍ମରେ ଜନ୍ମଗ୍ରହଣ କରିଥାଉ ପଛକେ, ସିଏ ନିଜକୁ ଜୀବନର ultimate question ଗୁଡ଼ିକୁ ପଚାରି ପାରୁଥିବ ଏବଂ, ପ୍ରଶ୍ନଗୁଡ଼ିକୁ ପଚାରି ସିଏ ଯେଉଁ ଉତ୍ତରଗୁଡ଼ିକ ପାଉଥିବ, ସେହି ଅନୁସାରେ ଜୀବନଟିଏ ବଞ୍ଚିବା ନିମନ୍ତେ ମଧ୍ୟ ସିଏ ଅନୁରାଗ ରଖିଥିବ । କେବଳ ଏକ ବୌଦ୍ଧିକତାଦ୍ଵାରା ପ୍ରେରିତ ହୋଇ ମନୁଷ୍ୟମାନେ ବାହାରେ ବାହାରେ ଥାଇ କିପରି ଯେ ଧର୍ମ ବିଷୟରେ ଗବେଷଣା କରନ୍ତି ଓ ତଥ୍ୟାଭିଜ୍ଞ ହୁଅନ୍ତି, ମୁଁ ସେହି କଥାଟିକୁ ଆଦୌ କଳ୍ପନା କରି ପାରେନାହିଁ । ଧର୍ମରେ ବିଚରଣ କରିବାର ଅର୍ଥ ହେଉଛି, ଭଗବାନ୍‍ଙ୍କୁ ଅର୍ଥାତ୍ ଆପଣା ଜୀବନର ସର୍ବୋତ୍ତମ ମୂଲ୍ୟକୁ ସାଙ୍ଗରେ ଧରି ଜୀବନଟିଏ ବଞ୍ଚିବା । ତେଣୁ, ଧର୍ମମାନଙ୍କର ଇତିହାସକୁ ଉଖାରି ଧର୍ମଗବେଷଣାର ଅଟ୍ଟାଳିକାଟିଏ ଗଢ଼ି ଥୋଇଦେବାରେ ଯେଉଁମାନେ ସତେଅବା କେତେ ନା କେତେ ଆନନ୍ଦ ଲାଭ କରୁଥାନ୍ତି, ସେମାନଙ୍କ ପାଖରେ ବସିଲେ ମତେ ଭାରି କେମିତି କେମିତି ଲାଗେ, ଆଦୌ କିଛି ଠଉରାଇ ନପାରୁଥିଲା ପରି ଲାଗେ ।

 

ଧର୍ମପ୍ରକରଣର ଯେଉଁ ଭେକରେ ଓ ସଂସ୍କାର ଭିତରେ ଜଣେ ମଣିଷ ଜନ୍ମଗ୍ରହଣ କରିଥାଉ ପଛକେ, ଯଦି ସେ ସତକୁସତ ଧର୍ମରେ ବାଟ ଚାଲୁଥିବା ଏବଂ ଧର୍ମସ୍ଥ ହେବାକୁହିଁ ଧର୍ମର ଅସଲ ଚାରଣା ବୋଲି ଅନୁଭବ କରୁଥିବ ତେବେ ସିଏ ନିଜର ବାହ୍ୟ ଭେକ ଓ ବାହ୍ୟ ଗାରଗୁଡ଼ିକୁ ଅବଶ୍ୟ ଅତିକ୍ରମ କରିଯିବ । କୌଣସି ଗୋଟିଏ ଧର୍ମର ବେଢ଼ାଗୁଡ଼ାକ ତାକୁ ଆଦୌ ଯଥେଷ୍ଟ ବୋଲି ମନେ ହେବନାହିଁ । ତେଣୁ, ତୁମେ ଯେଉଁ ଧର୍ମରେ ଜନ୍ମଗ୍ରହଣ କରିଥାଅ ପଛକେ, ଯଦି ଆଗକୁ ଆଗକୁ ବାଟ ଚାଲି ତୁମେ ଗାର ଡେଇଁ ପାରିନାହଁ, ତେବେ ତୁମ ନିଜର ସେହି ତଥାକଥିତ ଧର୍ମଦ୍ଵାରା ମଧ୍ୟ ତୁମେ ଯଥାର୍ଥ ଭାବରେ ଉପକୃତ ହୋଇନାହଁ ବୋଲି କହିବାକୁ ହେବ । ଏବଂ ତୁମରିଦ୍ଵାରାହିଁ ପୃଥିବୀରେ ବହୁ ପ୍ରମାଦର ସୂତ୍ରପାତ ହେବ । ଧର୍ମର ଯାବତୀୟ ଗବେଷଣା ଧର୍ମର ଇତିହାସଗୁଡ଼ିକୁ ଉଖାରି ମଣିଷମାନଙ୍କୁ ସେହି ଗାର ଡେଇଁବାର ଅସଲ ବିଦ୍ୟାଟିକୁ ଶିଖାଇ ଦେଉ । ତେବେ ଆମକୁ ଏହି ପୃଥିବୀରେ ଅନେକ ଅଡ଼ୁଆ ଲାଗି ସମାଧାନ ମିଳିଯାଇ ପାରିବ ।

 

୨୧ । ୨ । ୯୩

 

ରୋହିତର ଡାଏରୀ (ବିଂଶ ପର୍ବ)

ତାଙ୍କ ଜନ୍ମଦିନଟି ଠିକ୍ ମୋ’ ନିଜର ଜନ୍ମଦିନ ପରି ଲାଗେ । ସତକୁସତ ଏହିପରି ଏକ ଅନୁଭବ ହୁଏ ବୋଲି ତାଙ୍କ ଜନ୍ମଦିନଟି ମାନେ ଏଡ଼େ ଉଜ୍ଜ୍ଵଳ ହୋଇ ସ୍ପର୍ଶ କରିପାରେ । ଭିତରଟା କେଡ଼େ ହାଲୁକା ଲାଗେ, ଖୁସି ଲାଗେ ଏବଂ ବିଶ୍ଵାସରେ ଭରି ରହିଥିବା ପରି ଲାଗେ । ମୁଁ ଯେ କେବେହେଲେ ଏକୁଟିଆ ହୋଇ ରହିନାହିଁ, ଏହି ପୃଥିବୀରେ କେହି ଯେ କେତେବେଳେ ହେଲେ ଏକୁଟିଆ ହୋଇ ରହିନାହାନ୍ତି, ସେହି ସତ୍ୟ-ଅନୁଭବଟି ମୋତେ ବେଷ୍ଟିତ କରି ଧରିଥାଏ ।

 

ଅନେକ କହନ୍ତି ଯେ ଭକ୍ତିରୁ ଏକାତ୍ମକତା ଆସେ । ମୁଁ ଆଜି ଅନୁଭବ କୁରୁଛି ଯେ, ଅସଲ ଭକ୍ତି ଏକାତ୍ମକତାରୁ ଆସେ । ମୁଁ ପ୍ରଥମ ବାକ୍ୟଟିର ଆଦୌ କୌଣସି ବିରୋଧ କରୁନାହିଁ । ତଥାପି ଦ୍ଵିତୀୟ ବାକ୍ୟଟିକୁ ମଧ୍ୟ ସତ୍ୟ ବୋଲି ଅନୁଭବ କରୁଛି । ଦୁଇଟିଯାକ ବାକ୍ୟ କାହିଁକି ଯେ ଏକାବେଳେକେ ସତ୍ୟ ହୋଇ ନପାରିବେ, ତାହାରି ଆଦୌ କୌଣସି କାରଣ ନାହିଁ । ଦୁଇଟିଯାକ ବାକ୍ୟ କାହିଁକି ଯେ ଗୋଟିଏ ବାକ୍ୟ ହୋଇନଥିବେ ତାହାର ମଧ୍ୟ କୌଣସି କାରଣ ନାହିଁ । ମୁଁ ଯେତେବେଳେ ଯେଉଁ ଅବସ୍ଥାରେ ଥାଏ, ଅର୍ଥାତ୍ ଯେତେବେଳେ ମୋ’ର ଯେଉଁ ଦୁଆରଟି ଖୋଲିହୋଇ ରହିଥାଏ, ସେତେବେଳେ ସେହି ଅନୁସାରେହିଁ ଏହି ଅନୁଭୂତିଟି ହୁଏ ଅଥବା ସେହି ଅନୁଭୂତିଟି ହୁଏ । ଦୁଇଟିଯାକ ଅନୁଭୂତିହିଁ ମୋ’ର ଅନୁଭୂତି, ଯୁଆଡ଼ୁ ଆରମ୍ଭ କରି ଯେଉଁଠି ଛିଣ୍ଡାଇଲେ ମଧ୍ୟ ସେହି ଗୋଟିଏ ଥାନରେ ଯାଇ ପହଞ୍ଚି ହୁଏ । ଏକାତ୍ମକତାରୁ ଅସଲ ଜ୍ଞାନବି ସମ୍ଭବ ହୁଏ, ସେହି ଏକାତ୍ମକତାରୁ ତାଙ୍କରି କର୍ମକୁ କରି ଯିବାଲାଗି ଭିତରୁ ପରିପୂର୍ଣ୍ଣ ପ୍ରତ୍ୟୟ ମଧ୍ୟ ଆସି ସାଙ୍ଗ ଭଳି ହାଜର ହୋଇଯାଏ । ଆଉ ଟାଣିଓଟାରି ହୋଇ ଆଉ କିଛିହେଲେ କରିବାକୁ ବା ହେବାକୁ ପଡ଼େନାହିଁ । ମୋ’ ନିଜ ଜନ୍ମଦିନଟି ପରି ତାଙ୍କର ଜନ୍ମଦିନଟିକୁ ମଧ୍ୟ ମୁଁ କୌଣସି ବିଶେଷ ଔପଚାରିକତା ଦେଇ ପାଳନ କରିବାକୁ ମନ କରେନାହିଁ । ସେହି ଔପଚାରିକତାମାନଙ୍କର ମୋହକୁ ଅତିକ୍ରମ କରିଗଲେ ଯାଇ ତାଙ୍କ ଜନ୍ମଦିତ ଠିକ୍ ମୋ’ ନିଜର ଜନ୍ମଦିନ ପରି ଲାଗେ । ସତେଅବା ସମସ୍ତ ପୃଥିବୀ ଜନ୍ମଦିନ ପାଳନ କରୁଥିବା ପରି ଅନୁଭବ ହୁଏ । ତା’ପରେ, ସେହି ଅନୁଭବଟି ଭକ୍ତିରୁ ଆସିଲା, ଜ୍ଞାନରୁ ଆସିଲା ଅଥବା ଆଉ କେଉଁଠାରୁ ଆସିଲା, ଆଉ ସେହି ବିଷୟରେ କୌଣସି ଖିଆଲହିଁ ନଥାଏ । ଜ୍ଞାନ କୃତଜ୍ଞ ହେଉ, ଭକ୍ତି କୃତଜ୍ଞ ହୁଏ, କର୍ମ ମଧ୍ୟ କୃତଜ୍ଞ ହୁଏ । ଅର୍ଥାତ୍, କୃତଜ୍ଞତାରେହିଁ ସବୁ ଦେଉଳର ମୁଣ୍ଡି ମରେ । ଭିତର ବେଢ଼ାଟି ଭିତରେ ପଶିବାଟା ସମ୍ଭବ ହୋଇଗଲେ କୃତଜ୍ଞତା ବ୍ୟତୀତ ସତେଅବା ଆଉ କେଉଁଠି କିଛିବି ନଥାଏ । ଏବଂ, କୃତଜ୍ଞତା କୌଣସି ଔପଚାରିକତାକୁ ମୋଟେ ଅପେକ୍ଷା କରେନାହିଁ ।

 

୨୨ । ୨ । ୯୩

 

ବର୍ଷ ଆରମ୍ଭ ହେଉ ହେଉ ବର୍ଷର ଶେଷ ପର୍ଯ୍ୟନ୍ତ କାମ ଆସି ହାବୁଡ଼ି ଗଲାଣି । ଏହାଠାରୁ ଅଧିକ ଭାଗ୍ୟବାନ୍ କଥା ଆଉ କ’ଣ ଥାଇପାରେ ? ମୁଁ ଯେ ତାଙ୍କପାଇଁ ଲୋଡ଼ା ହେଉଛି, ଏହାଠାରୁ ଅଧିକ ନିର୍ଭରଯୋଗ୍ୟ ଅବଲମ୍ବନ ଆଉ କ’ଣ ଥାଇପାରେ ? ମୁଁ କେବେହେଲେ ଖୋଜି ଖୋଜି କାମଗୁଡ଼ିକ ପାଖକୁ ଯାଉନାହିଁ । ବର୍ତ୍ତମାନ ଏହାପରେ ମୋତେ କ’ଣ କରିବାକୁ ହେବ, ବ୍ୟସ୍ତ ହୋଇ ବା ବାଡ଼ି ବୁଲାଇ ମୁଁ ଏଠିସେଠି କୌଣସି ଏକ କାମପାଖରେ ଯାଇ ମୋଟେ ହାବୁଡ଼ି ଯାଉନାହିଁ । କାମ ଆସି ମୋ’ ପାଖରେ ପହଞ୍ଚୁଛି । ମୋ’ର ମନଲାଖି କାମ ଏବଂ ମୋ’ ଆଗ୍ରହଲାଖି କାମ ଆସି ମୋ’ ପାଖରେ ପହଞ୍ଚି ଯାଉଛି । ଯେତେଦିନ ପର୍ଯ୍ୟନ୍ତ ତାଙ୍କର କାମ ମୋ’ କାମରେ ପରିଣତ ହୋଇ ତାଙ୍କରି ବରାଦରେ ମୋ’ ଲାଗି ଆସି ପହଞ୍ଚି ଯାଉଛି ସେତେଦିନ ଯାଏଁ ମୁଁ ଆଗରେ କେବଳ ଜୀବନହିଁ ଜୀବନ ଦେଖିବାକୁ ପାଉଛି, ଭିତରେ କେବଳ ଉତ୍ସାହହିଁ ଉତ୍ସାହ ଅନୁଭବ କରୁଛି । ଏବଂ, ସେହି ଉତ୍ସାହ ଅନୁଭୂତ ହେଉଥିବା ପର୍ଯ୍ୟନ୍ତ ଭିତରେ ଶକ୍ତିର ଭଣ୍ଡାର କେବେ ମଧ୍ୟ ଖାଲି ହୋଇ ଯିବାପରି ଲାଗୁନାହିଁ ନିଜକୁ କେବେହେଲେ ଦରିଦ୍ର ଲାଗୁନାହିଁ ।

 

ଅନ୍ୟ ଅନେକ ମଣିଷ ଯେଉଁସବୁ କଥା ନେଇ ବ୍ୟସ୍ତ ହେଉଥାନ୍ତି, ମୋ’ର ମହାଭାଗ୍ୟ ଯେ ମୋତେ ସେସବୁ ପ୍ରଶ୍ନର ସମ୍ମୁଖୀନହିଁ ହେବାକୁ ପଡ଼େନାହିଁ । ସାଙ୍ଗରେ ସେଇ ବାଟ ଚାଲୁଥାନ୍ତି, ତେଣୁ କେମିତି ଏକୁଟିଆ ଏ ବାଟତକ ପାରି ହେବି ବୋଲି ମୋତେ ଆଦୌ ଆକୁଳ ହେବାକୁ ପଡ଼େନାହିଁ । ବାଟ ଯେତିକି ଯେତିକି ସରି ଯାଉଥିବା ପରି ଲାଗେ, ତା’ଠାରୁ ଅନେକ ଅଧିକ ବାଟ ଆଗରେ ଥାଇ ମୋ’ପାଇଁ ଅପେକ୍ଷା କରୁଥିବା ପରି ମନେ ହେଉଥାଏ । ତେଣୁ ବୟସ ସରେନାହିଁ । ବୟସ ଆସୁଥାଏ । ମୁଁ ଚିରଦିନ ଏହି କଥାଟିକୁହିଁ ମୋ’ର ପରମ ଭାଗ୍ୟ ବୋଲି ମନେ କରିଆସିଛି-। ଭାଗ୍ୟ, ଅର୍ଥାତ୍ ପରମ ଆଶୀର୍ବାଦ । ଏହି ଆଶୀର୍ବାଦ ସମସ୍ତଙ୍କ ପାଇଁ ସବୁବେଳେ ମହଜୁଦ ହୋଇ ରହିଥାଏ । ଅନ୍ତତଃ ମୋ’ପାଇଁ ସବୁବେଳେ ମହଜୁଦ ହୋଇ ରହିଥାଏ । ମୋ’ପାଇଁ ଯେତେବେଳେ ମହଜୁଦ ହୋଇ ରହିଥାଏ, ସେତେବେଳେ ମୁଁ ଭାବେ ଯେ, ତାହା ସମସ୍ତଙ୍କ ସକାଶେ ମଧ୍ୟ ସେହିପରି ମହଜୁଦ ହୋଇ ରହିଥିବ । ସେହି ବିବେକର ଆଖିଟିଏ ଦେଇ ମୁଁ ସଂସାରକୁ ଦେଖେ ଏବଂ ସେଇଥିପାଇଁ ବୋଧହୁଏ ମୋତେ ନିରନ୍ତର ଅନୁରୂପ ସାଙ୍ଗମାନେ ମିଳିବି ଯାଆନ୍ତି । ସାଙ୍ଗମାନଙ୍କର କେବେହେଲେ ଅଭାବ ହୁଏନାହିଁ । ମୁଁ ଅନାଇଦେବାମାତ୍ରକେ ମୋ’ ସହିତ ଆହୁରି କେତେ କେତେ ସାଙ୍ଗ ବାଟ ଚାଲୁଥିବାର ଦୃଷ୍ଟିଗୋଚର ହୋଇ ଥାଆନ୍ତି । ପୃଥିବୀ ତୀର୍ଥଟିଏ ପରି ଲାଗେ । ଏହି ତୀର୍ଥରେ ମୁଁ ପ୍ରତ୍ୟହ ଜନ୍ମଲାଭ କରେ, ପ୍ରତ୍ୟହ ନୂତନ ଭାବରେ ଓ ନୂତନ ବ୍ୟଞ୍ଜନାରେ ନିବେଦିତ ହେବାରେ ଲାଗିଥାଏ ।

 

୧୧ । ୩ । ୯୩

 

ସର୍ଜନାତ୍ମକତା,–ତାହାରି ଅନ୍ୟ ନାମ ହେଉଛି ଆଧ୍ୟାତ୍ମିକତା । ସାରା ପୃଥିବୀକୁ ଯିଏ ମୂଳତଃ ସର୍ଜନାତ୍ମକତାରେହିଁ ଏକ ପ୍ରତ୍ୟକ୍ଷ ଭୂମି କରି ରଖିଛନ୍ତି, ତାଙ୍କୁ ନିଜ ଭିତରେ ନିବିଡ଼ ଭାବରେ ଅନୁଭବ କରିପାରିଲେ ମଣିଷ ସର୍ଜନାତ୍ମକ ହେବା ବ୍ୟତୀତ ଆଉ କ’ଣ ହୋଇପାରିବ ?

 

ସର୍ଜନାତ୍ମକତା ନାମକ ଏହି ଶବ୍ଦଟିକୁ ଖାଲି ସାହିତ୍ୟ ଲେଖିବା, ଛବି ଆଙ୍କିବା ବା ସଙ୍ଗୀତ ଗାଇବା ଭିତରେ କିଳି ରଖିବାଲାଗି କିଏ କାହିଁକି ମନ ବଳାଇଥିଲା କେଜାଣି ? ଧର୍ମମାନେ ନିଜ ନିଜ ମନ୍ଦିର ଭିତରେ ଭଗବାନ୍‍ଙ୍କୁ କିଳି ରଖିବାଲାଗି ମନ କରିବା ଦିନଠାରୁ ଭଗବାନ୍ ଯେମିତି ଅରକ୍ଷିତ ହୋଇଗଲେ, ଠିକ୍ ସେହିପରି ସର୍ଜନାତ୍ମକତାକୁ ସାହିତ୍ୟ ବା ଚିତ୍ରକଳା ଭିତରେ କିଳି ରଖିବାପାଇଁ ମନ କରିବା ଦିନଠାରୁ ସର୍ଜନାତ୍ମକତା ମଧ୍ୟ ଭାରି ଖଣ୍ଡିଆ ହୋଇ ରହିଗଲା । ଏ ଜୀବନ କଦାପି ସୁନ୍ଦର ହୋଇ ପାରିବନାହିଁ ବୋଲି ଗୋଟାଏ ଅବିଶ୍ଵାସ ମଣିଷ ଭିତରେ ଦୃଢ଼ ହୋଇଯିବା ଦିନଠାରୁ ମଣିଷ ସମ୍ଭବତଃ ସାହିତ୍ୟ ଭିତରେ, ଛବି ଭିତରେ ବା ସେହିପରି ଆଉ କେତେଟା ବିଶେଷ କଥାରେ ଅଥବା ଅବସରରେ ସୌନ୍ଦର୍ଯ୍ୟକୁ ନେଇ କିଳି ରଖିଦେଲା । ମଣିଷର ଭିତର ପ୍ରକୃତିଟା କଦାପି ବଦଳି ପାରିବନାହିଁ ଏବଂ ଚିରଦିନ ଅସନା ଓ ଅଳିଆ ହୋଇ ପଡ଼ିଥିବ ବୋଲି ଏକ ଅବିଶ୍ଵାସ ମନ ଭିତରେ ଚେର ଭିଡ଼ିଦେଇ ରହିବା ଦିନଠାରୁ ମଣିଷମାନେ ସୌନ୍ଦର୍ଯ୍ୟର ଠାବ କରିବା ନିମନ୍ତେ ହ୍ରଦକୁ ଦଉଡ଼ିଲେ, ସାଗରକୁ ଦଉଡ଼ିଗଲେ, ଅରଣ୍ୟକୁ ଦୌଡ଼ିଲେ । ଭିତରେ ସବୁଜିମା ରହିଥିଲେ ମଣିଷ ଯେ ବାହାରର ସବୁଜିମାକୁ ଅଧିକ ଅନ୍ତରଙ୍ଗ ଭାବରେ ଦେଖିପାରେ, ସେହି କଥାଟିକୁ କେବଳ ବାହାରେ ସବୁଜିମା ବା ନୀଳିମା ଦେଖି ମୁଗ୍ଧ ହେଉଥିବା ମଣିଷମାନଙ୍କୁ କିପରି କିଏ ବୁଝାଇ ପାରିବ ? ନିଜର ଆଖିଭିତରେ ସର୍ଜନାତ୍ମକ ଭରି ରହିଥିଲେ ତାହା ଯୁଆଡ଼େ ପଡ଼ିବ, ସେଠାରେ କେବଳ ଭଗବାନ୍‍ଙ୍କୁହିଁ ଦେଖୁଥିବ । ନିଜର ଭାବନାରେ ସର୍ଜନାତ୍ମକତା ରହିଲେ ମଣିଷ ତେଣିକି ଯେତେବେଳେ ଯାହାକିଛି ଭାବିବ, ସେଥିରେ ଆଧ୍ୟାତ୍ମିକତାହିଁ ଅଧିଷ୍ଠାତା ଖୋଇ ରହିଥିବ । ଆଧ୍ୟାତ୍ମିକତାକୁ ଯେଉଁମାନେ ଏକ ଅଲଗା ବିଷୟ ବୋଲି ଭାବନ୍ତି, ସେମାନେ ହୁଏତ କୌଣସି କାରଣରୁ ଯଥାର୍ଥରେ ସର୍ଜନାତ୍ମକ ହୋଇ ପାରିନଥାନ୍ତି-। ଆମ ପୃଥିବୀରେ ସାହିତ୍ୟ ବଢ଼ୁଛି, ଶିଳ୍ପକଳା ଓ ସଙ୍ଗୀତ ବଢ଼ୁଛି,–ମାତ୍ର ସର୍ଜନାତ୍ମକ ଜୀବନ ସତେଅବା କ୍ରମେ ନିଭି ନିଭି ଯାଉଛି, ଧର୍ମମାନଙ୍କରେ ଅତ୍ୟାଚାରରେ ଆଧ୍ୟାତ୍ମିକତା ମଧ୍ୟ ସତେଅବା ଲଜ୍ଜିତ ଓ ଅପମାନିତ ହୋଇ ରହିଛି ।

 

୧୫ । ୩ । ୯୩

 

ସାହିତ୍ୟ ଏକ ଆବଶ୍ୟକତା, ସଙ୍ଗୀତ ଏକ ଆବଶ୍ୟକତା । ତଥାକଥିତ ମନୋରଞ୍ଜନ ଏକ ସାଧନରୂପେ ଯେଉଁ ସ୍ଥୂଳ ମଣିଷମାନେ ମଝିରେ ମଝିରେ କିଞ୍ଚିତ୍ ସୂକ୍ଷ୍ମାନୁଭୂତି ଲାଭ କରିବାର ମତଲବରେ କିଛି କରିବା ନିମନ୍ତେ ସଂସ୍କୃତିନାମକ ଏକ ଅନ୍ୟ ରଙ୍ଗ ବା ଅନ୍ୟ ମଞ୍ଚକୁ ମନ କରନ୍ତି, ସେମାନେ ଯେଉଁ ଗାଡ଼ିଆରେ ପଡ଼ି ଯେତେ ଲଟରପଟର ହେଉଥାନ୍ତୁ ପଛକେ, ସଂସ୍କୃତି ମଧ୍ୟ ଏକ ଆବଶ୍ୟକତା । ଏସବୁ କେହି ଘଡ଼ିକଲାଗି ନୁହନ୍ତି, ଘଡ଼ିକର ପଳାୟନ କିମ୍ବା ଘଡ଼ିକର ବିସ୍ମରଣ ଲାଗି ତ ଆଦୌ ନୁହନ୍ତି । ମଣିଷର ଅନ୍ନ ଯେତିକି ଆବଶ୍ୟକ ସାହିତ୍ୟ ମଧ୍ୟ ସେତିକି ଆବଶ୍ୟକ । ମାତ୍ର, ପୃଥିବୀର ପ୍ରାୟ ଅଧେ ମଣିଷଙ୍କୁ ସେମାନଙ୍କର ଆବଶ୍ୟକ ଅନ୍ନରୁ ଯେଉଁଠି ବଞ୍ଚିତ କରି ରଖାଯାଇଛି, ସେଠାରେ ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତିକୁ ଏକ ଆବଶ୍ୟକତା ବୋଲି କହିଲେ କିଏ କାହିଁକି ତେଣିକି କାନ ଦେବାକୁ ମନ କରିବ ?

 

ଦିବ୍ୟତା ମଧ୍ୟ ଏକ ସଉକ ନୁହେଁ, ଏକ କଥନିକା ନୁହେଁ କିମ୍ବା ଏକ ଭାବପ୍ରବଣତା ନୁହେଁ । ଦିବ୍ୟତା ହେଉଛି ଏକ ଆବଶ୍ୟକତା । ଆପଣା ଭିତରେ ଦିବ୍ୟତାର ଚେରଗୁଡ଼ିକୁ ଅର୍ଥାତ୍ ସମ୍ଭାବନାଗୁଡ଼ିକୁ ଅତ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଅନୁଭବ କରି ନପାରିଥିବା ଜଣେ ମଣିଷକୁ ବା ମଣିଷମାନଙ୍କୁ ଏକଥା କିପରି କଥାଦ୍ଵାରା ବୁଝାଇ ଦିଆଯାଇପାରିବ ? ଧର୍ମକୁ ପ୍ରଧାନତଃ ଏକ ବାହ୍ୟ ଧାର୍ମିକତା ଅର୍ଥାତ୍ ବହୁ ଆଡ଼ମ୍ବରମୟ କପଟଚର୍ଯ୍ୟାରେ ପରିଣତ କରି ରଖିବାର ନାନା ଅଭିସନ୍ଧିଦ୍ଵାରା ଧର୍ମରେ ଗଜପତି ବନିଥିବା ପାଷଣ୍ଡମାନଙ୍କୁ ତୁମେ କ’ଣ କହି ଏହି କଥାକୁ ବୁଝାଇଦେଇ ପାରିବ ? ପୃଥିବୀରେ ଅନ୍ନଟାକୁହିଁ ଏକମାତ୍ର ଆବଶ୍ୟକତା ବୋଲି କହି ତାହାରି ବାଡ଼ଗୁଡ଼ିକ ଭିତରେହିଁ ଅଧିକ ମଣିଷଙ୍କୁ ଅଜ୍ଞାନ ଓ ଅଚେତ କରି ରଖିବା ସକାଶେ ଅଭିସନ୍ଧି କରି ଆସିଥିବା ମଣିଷମାନେହିଁ ଏବେ ଧର୍ମରାଜ୍ୟରେ ସତେଅବା ଗଜପତି ବା ମହାମାନ୍ୟ ସାଜି ବୁଲୁଛନ୍ତି । ସେମାନେ ମନ୍ଦିରଗୁଡ଼ାକୁ ଭଗବାନ୍‍ଙ୍କର ଘର ବୋଲି ଦେଖାଉଛନ୍ତି, ପ୍ରତୀକମାନଙ୍କୁ ସତ୍ୟ ବୋଲି କହି ମଣିଷ ଭଣ୍ଡାଇ ବାହାରିଛନ୍ତି । ସେହି କାରଣରୁ ଦିବ୍ୟତା ମଧ୍ୟ ପୃଥିବୀର ଅଧିକାଂଶ ମଣିଷଙ୍କୁ ଠାକୁର ଭଳି ଦେଖାଯାଉଛି । ଦିବ୍ୟତାକୁ ପାଟ ପିନ୍ଧାଇ ଅଦିବ୍ୟ ମଣିଷମାନେ ଚାମର ହଲାଇ ନାଚିବାରେ ଲାଗିଛନ୍ତି । ସଂସାର ଧର୍ମ ଧର୍ମ ଭିତରେ ଭାଗ ଭାଗ ହୋଇ ରହିଛି । ମନୁଷ୍ୟର ଅନୁରାଗ ଜଗତ୍‍ରେ ମଝିରେ ମଝିରେ କେତେ କେତେ ବାଡ଼ ପଡ଼ି ନିତାନ୍ତ ଅନୁରାଗହୀନ ଦେଖାଯାଉଛି । ଆପଣା ନିମନ୍ତେ ଏକ ଅଲଗା ପତାକାର ଭିଆଣ କରି ଶିଷ୍ଟମାନେ କେବେହେଲେ ଦୁଷ୍ଟମାନଙ୍କର ପତାକାଗୁଡ଼ିକ ମଧ୍ୟ ଦୁଷ୍ଟ ବୋଲି ମନୁଷ୍ୟମାନଙ୍କର ଅର୍ଥାତ୍ କାଳର ହୃଦ୍‌ବୋଧ କରାଇପାରିବେନାହିଁ । ଅସଲ ଶିଷ୍ଟମାନେ ଏକାଠି ହେବେ, ସେମାନେ ଏକ ତଦନୁରୂପ ଜୀବନ ବଞ୍ଚିବେ । ଅସଲ ସାହିତ୍ୟିକମାନେ ଏକାଠି ହେବେ, ସେମାନେ ଏକ ତଦନୁରୂପ ଜୀବନ ବଞ୍ଚିବେ । ନିଜ ଭିତରେ ଦିବ୍ୟତାକୁହିଁ ଆପଣାର ଅସଲ ଆସ୍ଥାନ ବୋଲି ମାନୁଥିବା ମଣିଷମାନେ ମଧ୍ୟ ଏକାଠି ହେବେ ଏବଂ ସେହି ଦିବ୍ୟତାକୁ ବଞ୍ଚିବେ ଅର୍ଥାତ୍ ପରସ୍ପରକୁ ଅଗ୍ରଗତି କରିବାରେ ସାହାଯ୍ୟ କରିବେ ।

 

୧୭ । ୩ । ୯୩

 

ମୁଁ ଶବ୍ଦ ଖୋଜେନାହିଁ ସାନ୍ନିଧ୍ୟ ଖୋଜୁଥାଏ । ସାନ୍ନିଧ୍ୟ ପାଇବାମାତ୍ରକେ ଆବଶ୍ୟକ ଉଚିତ ଶବ୍ଦଗୁଡ଼ିକ ମୋତେ ଆପେ ଆପେ ମିଳିଯାଏ । ଆକାଶକୁ ଅନାଇଦେଲେ ମୋତେ ଶବ୍ଦମାନେ ସବାଆଗ ମୋଟେ ଦିଶନ୍ତିନାହିଁ, ସବାଆଗ ସାନ୍ନିଧ୍ୟଟି ଦିଶେ । ମଣିଷମାନଙ୍କ ଆଡ଼କୁ ଅନାଇଦେଲେ ମୁଁ ଏକ ସାନ୍ନିଧ୍ୟକୁହିଁ ଏତେ ନିବିଡ଼ ଭାବରେ ଅନୁଭବ କରେ ଯେ, ଶବ୍ଦଗୁଡ଼ିକର ଯାବତୀୟ ସୀମା କେଡ଼େ ଅନାୟାସରେ ଡେଇଁ ହୋଇଯାଏ ।

 

ଶବ୍ଦର ସୀମାଗୁଡ଼ିକୁ ଡେଇଁଯାଇ ପାରିଲେ ଯାଇ ଅସଲ ଶବ୍ଦଗୁଡ଼ିକୁ ମିଳିଯାଆନ୍ତି । ସୀମା ନଡେଇଁ ପାରୁଥିବା ମଣିଷମାନେହିଁ ନିଃସଙ୍ଗ ହୁଅନ୍ତି । ଶବ୍ଦଦ୍ଵାରା ନିଃସଙ୍ଗତାର ଜୟଗାନ କରୁଥାନ୍ତି, ଏକୁଟିଆ ହୋଇ ରହିଥିବାର ବିଳାପଶାସ୍ତ୍ରମାନ ଲେଖୁଥାନ୍ତି । ମୁଁ ବେଳେବେଳେ ଭାବେ, ସାନ୍ନିଧ୍ୟଟିଏ ନଖୋଜିଲେ ତୁମ ପାଖକୁ ଲୋକମାନେ କାହିଁକି; କିପରି ଅଥବା କେଉଁଠି ଆସିବେ ? ତେଣୁ, ମୁଁ ଶବ୍ଦଗୁଡ଼ିକୁ ନେଇ କେବେହେଲେ ବାଇ ହେବାକୁ ମନ ବଳାଇନାହିଁ । ମୁଁ ବ୍ରହ୍ମର ମାଧ୍ୟମରେ ଶବ୍ଦର ସ୍ପର୍ଶଲାଭ କରିଛି । କାରଣ, ତା’ ବ୍ୟତୀତ ଶବ୍ଦବ୍ରହ୍ମ ପାଖରେ ଯାଇ ପହଞ୍ଚି ପାରିବାର ଆଉ କୌଣସି ଉପାୟ ପ୍ରକୃତରେ ରହିଛି କି ? ଏବଂ, ବ୍ରହ୍ମସାନ୍ନିଧ୍ୟ ବ୍ୟତୀତ ବ୍ରହ୍ମକୁ ଜାଣିବାରେ ମଧ୍ୟ ଆଉକିଛି ଉପାୟ ଅଛି କି ? ଶାସ୍ତ୍ରରେ କେତେ ଅନୁଭବପୂର୍ଣ୍ଣ ଭାବରେ ବ୍ରହ୍ମସଂସ୍ପର୍ଶକୁହିଁ ଅତ୍ୟନ୍ତ ସୁଖ ବୋଲି କୁହାଯାଇଛି । ଯେଉଁମାନେ ଶବ୍ଦ ଦେଇ ବ୍ରହ୍ମକୁ ଚିହ୍ନିବାକୁ ମନ କରନ୍ତି, ମୁଁ ସେମାନଙ୍କର ଭାଷା ବୁଝି ପାରେନାହିଁ । ସେମାନଙ୍କର ଯାବତୀୟ ଖୋଜିବା ସତକୁସତ କେଉଁ ଧାତୁର ପ୍ରେରଣାରେ ଯେ ଗଢ଼ା ହୋଇଥିବ, ମୁଁ ତାହାର କୌଣସି ଅନ୍ତ ପାଏନାହିଁ । ସେହିପରି କୌଣସି ଧାତୁର ଉପଦ୍ରବ ଭିତରେ ପଡ଼ିଥିଲେ ବୋଧହୁଏ କେତେକ ମଣିଷ ଶବ୍ଦର ମାଧ୍ୟମରେ ସାହିତ୍ୟକୁ ମଧ୍ୟ ଖୋଜନ୍ତି । ଶବ୍ଦକୁହିଁ ସାହିତ୍ୟର ଜନକ ବୋଲି ମନେ କରୁଥାନ୍ତି । ନିଜକୁ ଦେଇ ଦେବାଲାଗି ସତକୁସତ ମନ କରି ସଂସାରକୁ ବାହାରିଥିଲେ ଯେପରି ସଂସାରରେ ମୋଟେ ସାଙ୍ଗର ଅଭାବ ହୁଏ ନାହିଁ, ସ୍ପର୍ଶକୁ, ସାନ୍ନିଧ୍ୟକୁ ମନ କରି ଆପଣା ତଥା ଏହି ସଂସାର ଭିତରେ ବାଟ ଚାଲୁଥିଲେ ସାହିତ୍ୟକୁ ଆଙ୍ଗେ ନିଭାଇ ହୁଏ, ଶବ୍ଦଗୁଡ଼ାକ ମଧ୍ୟ ସାଙ୍ଗ ପରି ଲାଗନ୍ତି ।

 

୧୯ । ୩ । ୯୩

 

ସିଏ ଦୂରରୁ କେଡ଼େବଡ଼ ଦିଶୁଥାନ୍ତି, ଆକାଶ ଓ ଅବନୀ ପୂର୍ଣ୍ଣ ହୋଇ ରହିଥାନ୍ତି । ମାତ୍ର ପାଖକୁ ଆସିପାରିଲେ ସିଏ ମୋ’ର ହୃଦୟ ଭିତରେ ଦିଶନ୍ତି, ସତେଅବା ମୋ’ର ସାନ ଅନୁରାଗଟିର ଡୋରିରେ ଗୋଟାସୁଦ୍ଧା ବାନ୍ଧିହୋଇ ରହିଥାଆନ୍ତି,–ଇଏ ପ୍ରାୟ ସେହିପରି ଗୋଟିଏ କଥା । ଲେଖାଟିଏ ଆରମ୍ଭ କରିବା ପୂର୍ବରୁ ରେଖାଟି ସତେଅବା ପର୍ବତଟାଏ ପରି ଦିଶୁଥାଏ । ପର୍ବତର ପାଦଦେଶରେ ସେହି ପର୍ବତ ଆଡ଼କୁ ଅନାଇ ଛିଡ଼ା ହୋଇଥିବା ମୁଁ ସତେ କ’ଣ ଏତେ ବାଟ ଉଠିପାରିବି ବୋଲି ଚିନ୍ତା କରୁଥାଏ, ଶଙ୍କା କରୁଥାଏ, ମାତ୍ର, ଲେଖା ଆରମ୍ଭ କରିଦେବା ପରେ ସେହି ପର୍ବତଟିକୁ ସତେଅବା ମୋ’ର ହୃଦୟ ଭିତରେ ଥାନ ମିଳିଯାଏ । କେତେବଡ଼ କଣଟିକୁ ସାନ ହୃଦୟଟି ଭିତରେ ଥାନ ମିଳିଯାଏ । ତା’ପରେ ସବୁ ସହଜ ଲାଗେ, ସହଜ ହୋଇଯାଏ । ଏବଂ, ଅନୁରାଗରେ ପାହାଡ଼ ଚଢ଼ି ହୋଇଯାଏ, ପାହାଡ଼ ଲଙ୍ଘି ହୋଇଯାଏ ।

 

ବର୍ଷର ଆରମ୍ଭ ବେଳକୁ ମୁଁ ଯେତେବେଳେ ସେହି ଲେଖାଟିକୁ ଆରମ୍ଭ କରୁଥିଲି, ସେତେବେଳେ କେତେ କୁନ୍ଥାଇ ହେଉଥିଲି । ମୋ’ଦ୍ଵାରା ସେହି ଲେଖାଟିର ମୁଣ୍ଡି ମରିପାରିବ ବୋଲି ମୋଟେ ପରତେ ହେଉ ନଥିଲା । ଠିକ୍ ସମୟରେ ଲେଖାଟି ସରିଗଲା ବେଳକୁ ମୁଁ ଭାରି ହାଲୁକା ହୋଇ ଭାବୁଛି, ଲେଖାଟିକୁ ଲେଖିବାରେ ମୁଁ ପ୍ରକୃତରେ କେତେ ନା କେତେ ଆନନ୍ଦ ନପାଇଲି ! ବର୍ତ୍ତମାନ ଆଉଗୋଟିଏ ଲେଖା ଆରମ୍ଭ ହେଉଛି । ପ୍ରଥମ ଦିନ ଭାରି କୁନ୍ଥେଇ ହେଉଥିଲା ପରି ଲାଗୁଥିଲା, ଭାରି କସମସ ହେଉଥିଲା ପରି ଲାଗୁଥିଲା । ପ୍ରଥମ ଦିନ ତ ମୁଁ ଗୋଟିଏ ପୃଷ୍ଠା ମଧ୍ୟ ଶେଷ କରି ପାରିଲିନାହିଁ । ସତେଅବା ଅତି ଶ୍ରମରେହିଁ ସକାଳ ଯାଇ ଦ୍ଵିପ୍ରହର ହେଲା ଓ ସଞ୍ଜ ଯାଇ ରାତି ହେଲା । କାଲି ଏକାବେଳେକେ ଅନ୍ୟପ୍ରକାର ହେଲା । ମୁଁ ଏକାବେଳେକେ ଛଅ ପାଖ ମାଡ଼ିଗଲି । ସତେଅବା ଅନୁରାଗ ଭିତରେ ପଡ଼ିଗଲା ପରି ମନେ ହେଉଥିଲା । ଖାଲି ବୁଦ୍ଧିରେ ସତେଅବା ଆଦୌ କିଛି ହୁଏନାହିଁ । ଏପରି ଗୋଟିଏ ବୁଦ୍ଧି ରହିଛି, ଯେଉଁଥିରେ କି ଅନୁରାଗ ମିଶିକରି ରହିଛି । ଏବଂ ସେଇଟି ଆସି ଜୁଟିଗଲେ ଆଉ ମୋଟେ କିଛିହେଲେ ଅସାଧ୍ୟ ରହେନାହିଁ । ସତେଅବା ସବୁକିଛି ସାନ ଓ ସହଜ ହୋଇ ହୃଦୟ ଭିତରେ ଉକୁଟି ଉଠନ୍ତି । ତା’ପରେ କୌଣସି କାମ ବୋଝ ପରି ଲାଗେନାହିଁ, ସତେଅବା କ’ଣ କେଉଁଠି ଫୁଟି ଉଠୁଥିବାର ଅନୁଭବ ହେଉଥାଏ ।

 

୨୨ । ୩ । ୯୩

 

ମାର୍କା ଦେଇ ଯେ ମୁଁ କେବେହେଲେ ମଣିଷକୁ ଚିହ୍ନିବାପାଇଁ ମନ କରିବିନାହିଁ, ମଣିଷ ଭିତରେ ରହିଥିବା ଅସଲ ମଣିଷଟି-ପୁରୁଷମାନଙ୍କ ଭିତରେ ଯାହାକୁ ଅନୁରାଗୀମାନେ ପୁରୁଷୋତ୍ତମ ବୋଲି କହିଛନ୍ତି,–ମୋତେ କେଉଁଦିନୁ ସେହି ନିର୍ଦ୍ଦେଶଟି ଦେଇ ସାରିଛନ୍ତି । ମୁଁ ମଣିଷକୁ ଦେଇ ତା’ର ମାର୍କାଗୁଡ଼ାକୁ ଚିହ୍ନିବି । ମୂଳତଃ ଜଣେ ଅବିଶ୍ଵାସୀ ମଣିଷହିଁ ଆଗ ମାର୍କାଗୁଡ଼ାକୁ ଦେଖେ ଓ ତା’ପରେ ଅସଲ ମଣିଷଟିକୁ ଆଦୌ ନଦେଖିଥିଲେ ମଧ୍ୟ ସତେଅବା ସବୁ ଦେଖି ସାରିଥିବା ପରି ଭ୍ରମ କରୁଥାଏ । କେବଳ ଜଣେ ଅବିଶ୍ଵାସୀହିଁ ଦମ୍ଭୀ ହୁଏ ।

 

ଜଣେ ମଣିଷ କେଉଁ ଘରେ ଜନ୍ମ ହୋଇଛି, କେଉଁ ଜାତିରେ, କେଉଁ ଦେଶ ଅଥବା ଧର୍ମରେ ଜନ୍ମ ହୋଇଛି, ସେଇଟା ଆଦୌ ତା’ର ଅସଲ ସନ୍ତକ ନୁହେଁ । ସଂସାରର ବଣିକ ଚଳିବାପାଇଁ ସଂସାରର ମଣିଷ ସେଗୁଡ଼ିକର ଭିଆଣ କରିଛି । ଏହି ସଂସାର ପ୍ରକୃତରେ ତାଙ୍କରି ସଂସାର ବୋଲି ଅନୁଭବ କରୁଥିବା ବ୍ୟକ୍ତି କଦାପି ସେହି ଭିଆଣଗୁଡ଼ିକ ପାଖରେ ଛନ୍ଦି ହୋଇ ରହି ଯିବନାହିଁ । ସିଏ ଖୋଳଗୁଡ଼ିକୁ ତୁଚ୍ଛା ଖୋଳଗୁଡ଼ିକରହିଁ ସମ୍ମାନ ଦେବ । ସିଏ ସେଗୁଡ଼ିକୁ ଚରମ ବୋଲି ଦେଖି ଚରମର କୌଣସି ଅବମାନନା କରିବାଲାଗି ଆଦୌ ମନ କରିବନାହିଁ । ଯାହା ମଣିଷ ଭିତରେ ରହିଛି, ତାହାରି ପରିପୂର୍ଣ୍ଣ କୁସୁମନ ନିମନ୍ତେହିଁ କାଳାଧୀନ ମଣିଷର ଯାବତୀୟ ବଣିଜର ଫନ୍ଦା କରନ୍ତି ଏବଂ ସେହି ପ୍ରକ୍ରିୟାରେହିଁ ମାର୍କାଗୁଡ଼ିକ ଜନ୍ମଲାଭ କରିଛନ୍ତି ! କୁସୁମିତ ହେବା ନିମନ୍ତେହିଁ ଯାବତୀୟ ମାର୍କା ବହୁତ ମାର୍କା ରହିଥିବା ଏହି ଜଗତ୍‍ରେ କ୍ରମେ ପୁରୁଣା କବି ହୋଇଯାଆନ୍ତି ଓ ତେଣୁ ଅଲୋଡ଼ା ହୋଇ ରହିଯାଆନ୍ତି । ଆମକୁ ଲୋଡ଼ୁଥିବା ମଣିଷ ତା’ପରେ ସେଗୁଡ଼ାକ ପ୍ରତି ଆଉ କୌଣସି ମୋହ ରଖେନାହିଁ ଓ ଗାର ଅତିକ୍ରମ କରି ବାହାରିଆସେ । ଆମର ଏହି ବିଜ୍ଞାନପ୍ରସାଦିତ ନିକଟ ପରିଚୟର ଯୁଗରେ ଆମେ ପୃଥିବୀରେ ଏକାବେଳେକେ କେତେ କେତେ ମାର୍କାର ସନ୍ନିଧାନରେ ଆସୁଛି । ତେଣୁ, ସବୁ ମାର୍କା ତଳେ ଯେଉଁ ଅସଲଟି ଉଦ୍ଦିଷ୍ଟ ହୋଇ ରହିଛି, ବର୍ତ୍ତମାନ ତାହାକୁ ସତକୁସତ ଚିହ୍ନି ନେବାଲାଗି ମଣିଷ ପାଖରେ ଏକ ଅଭିନବ ସୁଯୋଗ ଆସି ପହଞ୍ଚିଛି । ଅସଲକୁ ମନ କରୁଥିବା ମଣିଷହିଁ ଏହି ଅନ୍ୟ ବଣିଜଟିକୁ ମନ କରିପାରିବ । ସେହି ଅସଲ ବଣିଜଟିର ବେଳ ଆସୁଛି, ଅସଲ ମଣିଷମାନଙ୍କର ବେଳ ଆସୁଛି । ଅସଲ ନିର୍ବାଚନଟିକୁ କରିବାର ବେଳଟି ଅପେକ୍ଷା କରି ରହିଛି ।

 

୨୮ । ୩ । ୯୩

 

ପ୍ରତିମାକୁ ଏକାଧିକ ଅର୍ଥପ୍ରୟୋଜନରେ ସମ୍ଭବତଃ ଏକ placebo ବୋଲି କୁହାଯାଇପାରିବ । ସେହି ଦୃଷ୍ଟିରୁ ଯାବତୀୟ ପ୍ରତୀକକୁ ମଧ୍ୟ ଆମେ ସେହି placebo ବୋଲି କହିପାରିବା । ଏକ ମିଛ ଔଷଧ ଯେପରି ଅନେକ ସମୟରେ ଆମ ରୋଗକୁ ଭଲ କରିଦିଏ, ଇଏ ପ୍ରାୟ ସେହିପରି ଗୋଟିଏ କଥା । ରୋଗ ଭଲ ହୋଇଯାଏ ଅର୍ଥାତ୍ ରୋଗର ବାଡ଼ଟିକୁ ଡେଇଁ ସେପାଖକୁ, ସ୍ୱାସ୍ଥ୍ୟ ମଧ୍ୟକୁ ଚାଲି ଯାଇହୁଏ । ତାହାହିଁ ସବୁଠାରୁ ବଡ଼କଥା, ଏକ placeboର ସବୁଠାରୁ ବଡ଼ ଅବଦାନ । ଠିକ୍ ସେହିପରି, ପ୍ରତିମାଟିଏ ବିଶ୍ଵାସ ଦିଏ, ବିଶ୍ଵାସ ସମ୍ଭବ କରେ ଏବଂ ଆପଣାର ବାଡ଼ଟିକୁ ଡିଆଁଇ ଦେଇ ସେପାଖକୁ, ଆହୁରି ସେପାଖକୁ, ଅନ୍ତର ଭିତରକୁ ଏବଂ ବିଶ୍ଵଭୁବନ ବାଟ କଢ଼ାଇଦିଏ । ଏବଂ, ଯେକୌଣସି ପ୍ରତୀକ ବେଳକ ମଧ୍ୟ ସେହିକଥାହିଁ ହୁଏ । ପ୍ରତିମା ଓ ପ୍ରତୀକ ଏହିଭଳି ଭାବରେ ଏକ ନୌକା ପରି କାର୍ଯ୍ୟ କରନ୍ତି, ବନ୍ଧୁପରିବି କାର୍ଯ୍ୟ କରନ୍ତି । ସେମାନେ କଦାପି ବାନ୍ଧି ରଖିବାକୁ ଇଚ୍ଛା କରନ୍ତିନାହିଁ । ତାହା କଦାପି ସେମାନଙ୍କର ଧର୍ମବି ନୁହେଁ । ମାତ୍ର, ଯେଉଁ ମଣିଷ ଗାତ ଭିତରେ ରହିବାକୁ ଇଚ୍ଛା କରୁଥିବ, ଅର୍ଥାତ୍ ଗାର ଭିତରେ ଓ ଅଳପ ଭିତରେ ରହିବାକୁ ଯାହାକୁ ଭଲ ଲାଗୁଥିବ, ସେଇମାନେହିଁ ପ୍ରତିମା ଭିତରେ ବାନ୍ଧି ହୋଇ ରହିଯାଆନ୍ତି, ସେମାନେ ପ୍ରତିମାକୁ ବହୁତ କଷ୍ଟ ଦିଅନ୍ତି, ଏବଂ ପ୍ରତୀକର ଅପଚୟ କରନ୍ତି ।

 

ଅସଲ କଥା ହେଉଛି, ଯିଏ ପ୍ରତିମାକୁ ଡେଇଁ ଯାଇଥିବ, କେବଳ ସେଇ ପ୍ରତୀମାର ଏହି placebo ପରି କାର୍ଯ୍ୟ କରିବାର ପ୍ରକୃତ ଭୂମିକାଟିକୁ ବୁଝି ପାରିବ । ପ୍ରତିମା ଭିତରେ ମୁହଁ ମାଡ଼ି ପଡ଼ିଥିବା ମଣିଷ ତ ଏକଥା ଶୁଣିଲେ କୁପିତ ହୋଇ ଉଠିବ, ଏହାକୁ ତା’ ପ୍ରତିମାର ଏକ ଅବମାନନା ବୋଲି ମଣିବ । ପ୍ରତିମା ଭିତରେ ବାନ୍ଧି ହୋଇ ରହିବା, ପ୍ରତିମାଟିକୁ କାମୁଡ଼ି ପଡ଼ିରହିବା,–ସମ୍ଭବତଃ ତାହାହିଁ ପ୍ରତିମାର ଅବମାନନା । ଧର୍ମମାନଙ୍କରେ ଯୁଗେ ଯୁଗେ ସେହି ଅବମାନନା ହୋଇ ଆସିଛି । ମଣିଷମାନଙ୍କୁ ଅଳପ ଭିତରେ ଅଳସୁଆ କରି ରଖିବାଲାଗି ଏବଂ ସ୍ଵଧର୍ମ ଭୁଲାଇବା ଲାଗି ଧର୍ମନାମକ establishment ଯୁଗେ ଯୁଗେ ତାହାହିଁ କରି ଆସିଛି । ପ୍ରତିମାମାନଙ୍କୁ ନେଇ ଧର୍ମମାନେ କେତେ ଗୀତ ଓ କେତେ କାହାଣୀ ଫନ୍ଦାଇଛନ୍ତି, ସଂସାରକୁ ଭଣ୍ଡାଇ ଆପଣା ଲାଗି ପ୍ରାୟ ଏକ ବିମୋହନକାରୀ ଆୟୋଜନ କରି ରଖିଛନ୍ତି, ମଣିଷକୁ ବାଟବଣା କରି ରଖିଛନ୍ତି ।

 

୨୯ । ୩ । ୯୩

 

ସମ୍ପ୍ରଦାୟମାନେ କାଳଠାରୁ ଶିଖି ପାରୁଥାନ୍ତେ । ଆଦୌ ଏକ ଅଚଳାୟତନ ହୋଇ ରହିନଥାନ୍ତେ । ବିଷ୍ଣୁଙ୍କର ଆରାଧନା କରିବାକୁ ଯଦି ବୈଷ୍ଣବମାର୍ଗ ବୋଲି କୁହାଯାଏ, ତେବେ ବୈଷ୍ଣବ ସମ୍ପ୍ରଦାୟ ମଧ୍ୟ ବିଷ୍ଣୁଙ୍କ ବିଷୟରେ ନିଜର ସଚେତନତା ବଢ଼ି ବଢ଼ି ଅର୍ଥାତ୍ ଅଧିକ ଗଭୀର ହୋଇ ଯାଉଥିବା ସଙ୍ଗେ ସଙ୍ଗେ ଆପଣାର ବିଷ୍ଣୁକଳ୍ପନାକୁ ମଧ୍ୟ କେତେପ୍ରକାରେ ଅଧିକ ସମୃଦ୍ଧି କରି ପାରୁଥାନ୍ତା । ଅତ୍ୟନ୍ତ ସ୍ପଷ୍ଟ କଥା ଯେ, ପଞ୍ଚଦଶ ଶତାବ୍ଦୀରେ ବୈଷ୍ଣବ ସମ୍ପ୍ରଦାୟ ଯେଉଁ ପିତୁଳା ବା ଧର୍ମବାଟୁଳାଗୁଡ଼ିକୁ ଆଶ୍ରୟ କରି ରହିଥିଲା, ବିଂଶ ବା ଏକବିଂଶ ଶତାବ୍ଦୀରେ କଦାପି ସେହିଗୁଡ଼ିକୁ ଆଶ୍ରୟ କରି ରହି ପାରିବନାହିଁ । ସେପରି କଲେ ତାହା ସତେଅବା ନବମ ଶତାବ୍ଦୀର କୌଣସି ଆଦିମ ହାସ୍ୟାସ୍ପଦତା ପରି ମନେ ହେବ । ଠିକ୍ ସେହିପରି, ଶାକ୍ତ, ଶୈବ ବା ସେହିପରି ଅନ୍ୟାନ୍ୟ ସବୁ ସମ୍ପ୍ରଦାୟ ବିଷୟରେ ମଧ୍ୟ ସେହିକଥା କୁହାଯାଇପାରିବ । ଖାଲି ହିନ୍ଦୁଧର୍ମର ସମ୍ପ୍ରଦାୟଗୁଡ଼ିକ ବିଷୟରେ ନୁହେଁ, ଇତିହାସର ଅନ୍ୟ ଯେକୌଣସି ଧର୍ମର ସମ୍ପ୍ରଦାୟ ବା church ବିଷୟରେ ମଧ୍ୟ ସେହିକଥା କୁହାଯିବ ।

 

ମଣିଷ ବୈଷ୍ଣବ ହୁଏ ବିଷ୍ଣୁଙ୍କର ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାପାଇଁ ଓ ସେହି ଅନୁସାରେ ଏକ ବିଷ୍ଣୁ ସମର୍ପିତ ଜୀବନଯାପନ କରିବାପାଇଁ । ମାତ୍ର, ଅଧିକାଂଶ ମଣିଷ ସମ୍ପ୍ରଦାୟ ଭିତରେ ପଶି ଏପରି ମାଦଳ ଓ ଅଚଳ କାହିଁକି ହୋଇଯାଆନ୍ତି ? ସମ୍ପ୍ରଦାୟମାନେ ଗୋଟିଏ ଗୋଟିଏ ବାଟ ନହୋଇ ଗୋଟିଏ ଗୋଟିଏ ବାଡ଼ରେ କାହିଁକି ପରିଣତ ହୋଇଯାଆନ୍ତି ? ଏବଂ, ବାଡ଼ ଭିତରେ ରହିଥିବା ଲୋକମାନେ ପ୍ରାୟ ନିୟମତଃ ଉଗ୍ର ହୁଅନ୍ତି, ଅନ୍ଧ ହୁଅନ୍ତି । ଅସଲ ସମ୍ପଦଟିର ଦୃଷ୍ଟିରୁ ବିଚାର କାଳେ ପ୍ରାୟ ନିଃସ୍ଵ ହୋଇ ବସିଥାନ୍ତି । ଏବଂ, ଖାଲି ଧର୍ମଗୁଡ଼ିକ ମଧ୍ୟରେ ରହିଥିବା ସମ୍ପ୍ରଦାୟଗୁଡ଼ିକ ବିଷୟରେ ଯେ ଏପରି କଥା କୁହାଯାଇପାରିବ, ସେ କଥା ଆଦୌ ନୁହେଁ, ରାଜନୀତି ଓ ତତ୍ତୁଲ୍ୟ ଆଉ ଯାବତୀୟ କ୍ଷେତ୍ରରେ ସମ୍ପ୍ରଦାୟଗୁଡ଼ିକ ବିଷୟରେ ମଧ୍ୟ ସେହିକଥା କୁହାଯାଇପାରିବ । ମଣିଷକୁ ଗଧ, ଅନିଚ୍ଛୁକ ଓ ପଙ୍ଗୁ କରି ରଖିବାରେ, ମଣିଷ ଭିତରର ବର୍ଦ୍ଧିଷ୍ଣୁ ବ୍ୟକ୍ତିଟିକୁ ମାରିଦେବାରେ ସାମୂହିକତା ଏବଂ ସମ୍ପ୍ରଦାୟଗୁଡ଼ିକ ଯେ କେଡ଼େ ଅଭିସନ୍ଧିମୂଳକ ଭାବରେ ନିମିତ୍ତ ପରି କାର୍ଯ୍ୟ କରିଛନ୍ତି, ତାହା ନିରୀକ୍ଷଣ କରି ଦେଖିଲେ ଅନେକ ସମୟରେ ବିସ୍ମିତ ହେବାକୁ ପଡ଼ିଥାଏ ।

 

୩୦ । ୩ । ୯୩

 

ପ୍ରତିଦିନ ଶତଶତ ମଣିଷ ମରୁଛନ୍ତି । ସେମାନଙ୍କୁ ଭଗବାନ୍ ମାରୁନାହାନ୍ତି । ମଣିଷମାନେହିଁ ମଣିଷଙ୍କୁ ମାରୁଛନ୍ତି । ଛୁରି, ଭୁଜାଲି, ବୋମା ଓ ବନ୍ଧୁକ ନେଇ ପୃଥିବୀରେ ସବୁକିଛି ହାସଲ କରାଯାଇପାରିବ ବୋଲି ଯେଉଁମାନେ ଅତ୍ୟନ୍ତ ଉଗ୍ର ଭାବରେ ବିଶ୍ଵାସ କରୁଛନ୍ତି, ସେଇମାନେହିଁ ଆଖୁବୁଜି ମଣିଷ ମାରି ବାହାରିଛନ୍ତି । ପ୍ରତିକାର ନିମନ୍ତେ ସଜ୍ଜନମାନେ ଭଗବାନ୍‍ଙ୍କୁ ଡାକୁଛନ୍ତି । ବିଚରା ଭଗବାନ୍ ଏଥିରେ କ’ଣ କରିବେ ? ସ୍ଵୟଂ ମଣିଷ ଯଦି ତାକୁ ନଅନାଇବ, ତେବେ ଭଗବାନ୍ କିପରି ସେହି ମଣିଷର କୌଣସି କ୍ଷେତ୍ରରେ ଆସି ହସ୍ତକ୍ଷେପ କରିପାରିବେ ? ଏବଂ, ଯଦି ମଣିଷ ସତକୁସତ ତାଙ୍କୁ ଅନାଇବାକୁ ବାହାରିବ, ତେବେ ତ ସିଏ ନିଜ ଭିତରେହିଁ ତାଙ୍କ ନିର୍ଦ୍ଦେଶରୁ ଶୁଣିପାରିବ ଓ ତାଙ୍କର ନିମିତ୍ତ ହୋଇ କାମ କରିବ ।

 

ଆମ ବିଡ଼ମ୍ବନାୟମ ପୃଥିବୀରେ ମଣିଷମାନେ ଭଗବାନ୍‍ଙ୍କୁହିଁ ନିମିତ୍ତରୂପେ ବ୍ୟବହାର କରି ଆସିଛନ୍ତି । ସେମାନେ ଭଗବାନ୍‍ଙ୍କ ନିମନ୍ତେ ଗୋଟାଏ ଗୋଟାଏ ମନ୍ଦିର ଗଢ଼ି ଥୋଇ ଦେଇଛନ୍ତି, ଏବଂ ଭଗବାନ୍‍ଙ୍କୁ ନିଜର କାମରେ ଲଗାଉଛନ୍ତି । ମଣିଷ ନିଜେ ଯେଉଁଯାଏ ଯିବ, ତା’ର ଭଗବାନ୍ ସତେ ଯେପରି ସେହି ସ୍ତରରେ ତା’ର ସାଥୀ ହୋଇ କାର୍ଯ୍ୟ କରିବେ ବୋଲି ତାହାପାଇଁ ରହିଥାନ୍ତି । କ୍ରୂର ଓ ଉଗ୍ରମାନେ ଯେଉଁ ଭଗବାନ୍‍ଙ୍କୁ ନିଜର ସମ୍ପତ୍ତି ବୋଲି କରି ନେଇଥାନ୍ତି, ଏବେ ସେହି ଭଗବାନ୍‍ହିଁ ସେମାନଙ୍କ ନିମନ୍ତେ ଆମପରି ହୋଇ ସେମାନଙ୍କୁ ଆପ୍ୟାୟିତ କରିବାରେ ଲାଗିଛନ୍ତି । ଆଉ ଗୋଟାଏ ଭୂମି ରହିଛି, ଯେଉଁଠାରେ ସ୍ଵୟଂ ମନୁଷ୍ୟହିଁ ଆପଣାର ଖୁସିରେ ଭଗବାନ୍‍ଙ୍କର ନିମିତ୍ତ ହୋଇଯାଏ । ସେ ତା’ପରେ ଅସଲ ଐଶ୍ଵର୍ଯ୍ୟଟିକୁ ନିଜ ଭିତରେହିଁ ଅନୁଭବ କରେ । ସିଏବି ହୁଏତ ସମ୍ପ୍ରଦାୟ ଭିତରେ ଥାଏ, ହିନ୍ଦୁ ବା ମୁସଲମାନେ କିମ୍ବା ଆଉ ଯେଉଁ ମାର୍କାର ଭେକଟିଏ ଧାରଣା କରିଥାଏ ସତ, ମାତ୍ର ସେ ଭଗବାନ୍‍ଙ୍କର ନିମିତ୍ତ ହୋଇ ଜୀବନଟିଏ ବଞ୍ଚୁଥାଏ । ଏହି ପୃଥିବୀରେ ଭଗବାନ୍‍ଙ୍କର ପ୍ରତିଭୂ ହୋଇ ରହିଥାଏ । ଏବଂ, ସେଇ ଏହି ପୃଥିବୀର ଐଶ୍ଵର୍ଯ୍ୟକୁ ବଢ଼ାଏ । ଅନ୍ୟ ସମସ୍ତଙ୍କ ମଧ୍ୟରେ ନିଜର ସହୋଦରଟିଏ ଦେଖେ, ତେଣୁ ସହୋଦରଟିଏ ପୃଥିବୀରେ ବଞ୍ଚେ । ଏ ଶାସ୍ତ୍ର, ଏ ମନ୍ଦିର, ମନ୍ଦିର ଓ ଠାକୁରଙ୍କୁ ଫିସାଦରେ ପରିଣତ କରି ଏହି ରାଜନୀତି,–ଏହି ସବୁକିଛିର ଉପରେ ସେ ଏହି ସହୋଦରତ୍ଵକୁହିଁ ସବାବଡ଼ ବୋଲି ଆବିଷ୍କାର କରେ । ପୃଥିବୀରେ ସିଏ କୌଣସି ଗଡ଼ ଜୟ କରି ନୁହେଁ, ବନ୍ଧୁ ଖୋଜି ବାହାରିଥାଏ ।

 

୧ । ୪ । ୯୩

 

ଓଡ଼ିଶାରେ ନୂତନ ଉତ୍କଳର ସ୍ମୃତିରେ ସରକାରଙ୍କ ତରଫରୁ ଏବେ ମାସେ ଯାବତ୍ ଉତ୍ସବ ପାଳିତ ହେବ । ଉତ୍ସବ ଖୋର୍ଦ୍ଧାଗଡ଼କୁ ଯିବ, ହାତୀ ଗୁମ୍ଫାରେ ପଶିବ ଏବଂ ରାଜଧାନୀରେ ଲାଙ୍ଗୁଳା ଅଧିପତିମାନେ ତାହାରି ମୁଣ୍ଡି ମାରିବେ । ତା’ପରେ ସେମାନେ ସମସ୍ତେ ନିଜନିଜର ପଙ୍କ ଭିତରକୁ ପ୍ରସ୍ଥାନ କରିବେ । ସେମାନେ ଯେଉଁ କ୍ଷମତା ଭିତରେ ରହିଛନ୍ତି, ତାହାରିଦ୍ଵାରା ଆହୁରି ଶଢ଼ିବେ, ଆପଣାର ଉପେକ୍ଷା ଏବଂ ଉଦାସୀନତାଗୁଡ଼ିକରେ ଉଜ୍ଜ୍ଵଳ ହୋଇ ରହିବେ । ପ୍ରାୟ ଷାଠିଏ ପୂରି ଯାଉଥିବା ନୂତନ ଓଡ଼ିଶାଟା ଠିକ୍ ସେହି ଆଗପରି ନିଷ୍ପ୍ରଭ ହୋଇ ରହିଥିବ, ଭୀରୁ ଏବଂ ଆତ୍ମବିସ୍ମୃତ ହୋଇ ରହିଥିବ ।

 

ଯେଉଁମାନେ ଆଜି ପର୍ଯ୍ୟନ୍ତବି ଓଡ଼ିଶାରେ ଆଗ ମଣିଷମାନଙ୍କୁ ନଦେଖି ଓଡ଼ିଆମାନଙ୍କୁ ଦେଖିଲେ, ସେଇମାନେହିଁ ଏହି ଉତ୍ସବମାନଙ୍କରେ ପୁରୋଧା ହେବେ, ବକ୍ତୃତା ଦେବେ ଏବଂ ବକ୍ତୃତା ଶୁଣି ତାଳି ମାରିବେ । ସେମାନେ ଭାରି ସାବଧାନ ଏବଂ ଆତ୍ମସଚେତନ ହୋଇ କେବଳ ନିଜକୁହିଁ ଦେଖି ଆସିଛନ୍ତି, ନିଜକୁହିଁ ଓଡ଼ିଆ ବୋଲି କହି ଆସିଛନ୍ତି । ସବାଆଗ ମଣିଷକୁ ଦେଖିଥିଲେ ସେମାନେ ଓଡ଼ିଆ ନାମକ ଏହି ସାନ ଭୂମିଟିରେ ଆତଯାତ ହେଉଥିଲେ ମଧ୍ୟ ଅନ୍ୟପ୍ରକାରେ ପ୍ରେରିତ ହୋଇ ଥାଆନ୍ତେ, ଯଥୋଚିତ ଅର୍ଥରେ ସମ୍ବେଦନଶୀଳ ହୋଇଥାନ୍ତେ । ଜଣେ ଯଥାର୍ଥ ମଣିଷ ହୋଇପାରିଲେ ଯେ ଯଥାର୍ଥ ଓଡ଼ିଆ ହେବା ମଧ୍ୟ ସମ୍ଭବ ହେବ, ସେମାନେ ତାହା ହୃଦୟଙ୍ଗମବି କରିଥାଆନ୍ତେ । ଏହି ଉତ୍ସବଟିକୁ ହଜାର ହଜାର ମଣିଷ ଦେଖିବେ । ଯେଉଁମାନେ ମଣିଷ ହେବାର ସର୍ବମୂଳ ଔଚିତ୍ୟଗୁଡ଼ିକରୁ ମଧ୍ୟ ବଞ୍ଚିତ ହୋଇ ରହିଛନ୍ତି, ସେମାନେ ଏହି ଉତ୍ସବକୁ ସତେଅବା ରାଜାଘର ବାହାଘର ପରି ଉପଭୋଗ କରିବେ । ମଣିଷମାନଙ୍କୁ ସେମାନଙ୍କର ମଣିଷପଣିଆରୁ ହାତେ ଅନ୍ତର କରି ରଖିବାକୁ ରାଜାମାନେ କାଳେ କାଳେ ଏହିପରି ଚକ୍ରାନ୍ତ କରି ଆସିଛନ୍ତି । ଏହି ଚକ୍ରାନ୍ତକୁ ଅନେକ ସମୟରେ ସଂସ୍କୃତି ବୋଲି କୁହାଯାଇଛି ଏବଂ ସେହି ବିଭାଗଟିକୁ ଚଳାଇବା ପାଇଁ ଜଣେ ଖାସ୍ ମନ୍ତ୍ରୀ ନିଯୁକ୍ତି ହୋଇ ରହିଛନ୍ତି । ନିଜ ଭିତରର ରତ୍ନକୁ ଚିହ୍ନିବା, ସେହି ରତ୍ନକୁ ଉଢ଼ାଳ କରି ରଖିଥିବା ପ୍ରବଳମାନଙ୍କୁ ଚିହ୍ନିବା ଏବଂ ସେମାନଙ୍କର ଉପଦ୍ରବର ବନ୍ଦ କରିବା ଲାଗି ସଚେତନ ଭାବରେ ପ୍ରସ୍ତୁତ ହେବା ଯେ ଅସଲ ସଂସ୍କୃତି, ଗଜପତିମାନେ ଓଡ଼ିଶାର ମଣିଷମାନଙ୍କୁ କଦାପି ସେ କଥା କହିବେନାହିଁ । ଏବଂ ଏଠି ସବୁଦିନ ଅନ୍ଧାର ହୋଇ ରହିଥିବ ।

 

୨ । ୪ । ୯୩

 

ଆଧ୍ୟାତ୍ମିକତା ହେଉଛି ଅସଲ secularism; ଆମ ଦେଶରେ ଏବେ ରାଜନୀତିକ ଲୋକମାନେ ହାଟ ପରି ସଭାମାନ କରି ଧର୍ମନିରପେକ୍ଷତାର ଏପଟ ଏବଂ ସେପଟ ବିଷୟରେ କେତେସବୁ କ’ଣ କହିବାରେ ଲାଗିଛନ୍ତି । ସେମାନେ ଧର୍ମକୁ ରାଜନୀତିକ ଭିତରେ ପୂରାଇ ଗଡ଼ ଜିତିବେ ବୋଲି ବାହାରିଛନ୍ତି । କୌଣସି ଗୋଟିଏ ଧର୍ମର ଗୁଳା ଭିତରେ ଲାଖି ଯିବାକୁ ଯିଏ ଧର୍ମନିଷ୍ଠ ହେବାର ସଂଜ୍ଞା ବୋଲି ଧରି ନେଇଥାଏ, ସିଏ କଦାପି ଧର୍ମନିରପେକ୍ଷ ହୋଇ ପାରିବନାହିଁ । ମଣିଷ ଏକ ଧର୍ମ ଓ ସେ ଧର୍ମ, ମୋ’ ଧର୍ମ ଓ ତା’ ଧର୍ମର ବାଡ଼କୁ ଡେଇଁଲେ ଯାଇ ଯଥାର୍ଥରେ secular ହୋଇ ପାରିବ । ଠାକୁରମାନଙ୍କୁ ଛାଡ଼ି ଅସଲ ନାଭିଟି ପାଖରେ ପହଞ୍ଚିଲେ ଯାଇ ଯାବତୀୟ ଧର୍ମକୁ ଏକ ଆଧ୍ୟାତ୍ମିକ ପ୍ରସନ୍ନ ଦୃଷ୍ଟିରେ ଦେଖିବା ସମ୍ଭବ ହେବ । ନାଭି ଗୋଟିଏ, ଲୀଳା ଗୋଟିଏ, ପ୍ରେରଣା ଗୋଟିଏ, ଆକର୍ଷଣ ଗୋଟିଏ ଏବଂ ସ୍ପର୍ଶ ମଧ୍ୟ ଗୋଟିଏ । ଯିଏ ଆପଣାର ତଥାକଥିତ ନିଜ ଧର୍ମଟିରେ ଯଥାର୍ଥ ସ୍ପର୍ଶଟିକୁ ପାଇଥିବ, ସିଏ ସବୁଧର୍ମର ସବୁ ଦେଉଳରେ ଯାଇ ଭେକଗୁଡ଼ାକୁ ବାରିବା ପୂର୍ବରୁ ଆଗ ନମାଜ ପଢ଼ି ବସିବ, ସବାଆଗ ନିଜ ଭିତରକୁ ଚାଲିଯିବ ଏବଂ ତା’ପରେ ସବୁ ଦେଉଳ ତାକୁ ଏକାପରି ଦେଖାଯିବେ, ସତେଅବା ଗୋଟାଏ ଗୋଟାଏ ଖୋଳପରିହିଁ ଦେଖାଯିବେ ।

 

ତେଣୁ, secularism ଧର୍ମନିରପେକ୍ଷତା ନୁହେଁ, ତାହା ହେଉଛି ଆଧ୍ୟାତ୍ମିକତା । ଧର୍ମଗୁଡ଼ିକ ଭିତରେ ରହିଥିବ, ଅଥଚ ସେଗୁଡ଼ିକର ବାହାରେ ରହିଥିବ, ଭେକଟିଏ ପିନ୍ଧିଥିବ, ତଥାପି ସତେଅବା ଆଉଗୋଟିଏ କ’ଣ ପାଇଥିବ ଯେ; ଭେକକୁ ପ୍ରାୟ ଗୋଟାସୁଦ୍ଧା ଭୁଲି ଯାଇଥିବ-। ଏପରି ଏକ ସ୍ପର୍ଶର ଅଧିକାରୀ ହୋଇଥିବ, ଯାହାର ମାଧ୍ୟମରେ ତୁମେ ଏହି ସବୁଟିକୁ ସ୍ପର୍ଶ କରିପାରୁଥିବ, ସମସ୍ତଙ୍କୁ ତାଙ୍କରି ଭିନ୍ନ ଭିନ୍ନ symbol ବୋଲି ସ୍ଵୀକାର କରିନେଇ ପାରୁଥିବ । ଧର୍ମରେ ରହି ମଧ୍ୟ ଭାରତବର୍ଷରେ ଯୁଗେ ଯୁଗେ ଆଖି ଥିବା ବ୍ୟକ୍ତିମାନେ ଆମକୁ ଯେଉଁ ଆଧ୍ୟାତ୍ମିକତା ବାର୍ତ୍ତା ଦେଇ ଯାଇଛନ୍ତି, ଆମେ ତାହାକୁ ଠିକ୍ ଏହି ଅର୍ଥରେ ବୁଝିବାକୁ ପ୍ରୟାସ କରିବା-। ସେହି ଅର୍ଥଟି ଅନୁସାରେ ଆମେ ଜୀବନଟିଏ ବଞ୍ଚିବାକୁ ପ୍ରୟାସ କରିବା । ସେହି ଅଥଟ ଅନୁସାରେ ଆମେ ଜୀବନଟିଏ ବଞ୍ଚିବା, ସମ୍ବନ୍ଧଗୁଡ଼ିକୁ ବଞ୍ଚିବା । ଏବଂ, ଯାବତୀୟ ରାଜନୀତିକ ଦୁଷ୍ଟାମିରୁ କ୍ଷାନ୍ତ ହୋଇ ରହିବା ।

 

୧୧ । ୪ । ୯୩

 

ମୋତେ ନିଃଶବ୍ଦତା ଭଲ ଲାଗେ । ନୀରବତା ଭଲ ଲାଗେ ନିଜ ଭିତରେ ନୀରବ ହୋଇ ରହିଥିବା ସମୟରେ ମୋତେ ଏକାବେଳେକେ ଭୁବନଯାକ ଦିଶି ଦିଶି ଯାଉଯାଏ । ସମସ୍ତେ ଦିଶିଯାଆନ୍ତି । ଅସଲ କେନ୍ଦ୍ରଟି ଦିଶିଯାଏ, ଅସଲ ଡୋରଟି ମଧ୍ୟ ଦିଶିଯାଏ । ଏକାବେଳେକେ ସାକାର ହୋଇ ଦିଶିଯାଏ ଡୋରଟି ଦିଶୁଥିଲେ ସବୁ ଭଲ ଲାଗେ ।

 

ମାତ୍ର, ମୋତେ ନୀରବତା ଭଲ ଲାଗେ ବୋଲି କ’ଣ ଜଗତ୍‍ରେ କୌଣସି ଶବ୍ଦ ହେବନାହିଁ ? ଭିତରେ ମୁଁ ହୁଏତ ଜଣେ ରାଜଚକ୍ରବର୍ତ୍ତୀଙ୍କୁ ବହୁତ ଦିନ ଖୋଜିଲି, ଯିଏକି ଗୋଟାଏ ଆଦେଶ ଝାଡ଼ିଦେଇ ମୋ’ର ପ୍ରୀତ୍ୟର୍ଥ ମୋ’ ପାଖରେ ଥିବା ସମସ୍ତଙ୍କୁ ନୀରବ କରି ରଖିଦେଇ ପାରିବ । ରାଜଚକ୍ରବର୍ତ୍ତୀଟିକୁ ଖୋଜୁ ଖୋଜୁ ବନ୍ଧୁଟିଏ ପାଇଲି । କଠୋରଟିକୁ ଖୋଜୁ ଖୋଜୁ କୋମଳଟିଏ ପାଇଲି । ତା’ପରେ ଶବ୍ଦ ଭିତରେ ରହି ମଧ୍ୟ ନୀରବ ଲାଗିଲା, ଖୁସି ଲାଗିଲା । ଏହି ଶବ୍ଦଗୁଡ଼ିକ ରହିଲେ ଏବଂ ମୁଁ ତଥାପି ସତେଅବା ଆଦୌ ଚହଲି ଗଲିନାହିଁ । ଚିତ୍ରକାରଟିକୁ ଖୋଜି ବାହାରିଥିବା ମଣିଷଟିଏ ଚିତ୍ରକୁ କାହିଁକି ଭୟ କରିବ, ଚିତ୍ରକୁ ଦେଖି ସିଏ ଚହଲିଯିବ କାହିଁକି ? ଏଇଠୁ ଝଗଡ଼ା ସରିଗଲା । ଶବ୍ଦ ସହିତବି ଝଗଡ଼ା ସରିଗଲା । ସବୁ ଶବ୍ଦ ଭିତରେ ମଧ୍ୟ ଗୋଟିଏ ନୀରବତା ରହିଛି, ଏବଂ ସମ୍ଭବତଃ ମୁଁ ତାହାରି ସହିତ ପରିଚିତ ହୋଇଗଲି, ଖୋଳଗୁଡ଼ିକ ଭିତରେ ରହିଥିବା ଅସଲଟି ସହିତ ପରିଚିତ ହୋଇଗଲି । ଏହି ଯାବତୀୟ କୋଳାହଳ ମଧ୍ୟରେ ମୋତେ ସତେଅବା ଆମନ୍ତ୍ରଣ ବାଣୀଟିଏ ଶୁଣାଗଲା । ଅନ୍ୟମାନେ ମଧ୍ୟ ସତେ ଯେପରି ସେମାନେ କରୁଥିବା ଯାବତୀୟ କୋଳାହଳର ମାଧ୍ୟମରେ ଏକ ନୀରବତାକୁହିଁ ଖୋଜୁଛନ୍ତି, ମୁଁ ଯାହାସହିତ ନିତିଦିନିଆ ମିତ ବସିଯାଇଛି । ମିତ ବସି ପାରିଲେ ଆଉ କେଉଁଠି କାହାର ସାଧ୍ୟ ଅଛି ମୋତେ ଚହଲାଇ ଦେଇ ପାରିବ ? ମୁଁ ଭଗବାନ୍‍ଙ୍କୁ ଖୋଜୁ ଖୋଜୁ ଭଗବାନ୍‍ଙ୍କ ସହିତ ମିତ ବସିଗଲି ଏବଂ, ଭଗବାନ୍‍ଙ୍କ ସହିତ ମିତ ବସି ଆପଣା ସହିତ ମିତ ବସିବାକୁବି ଅଙ୍ଗେ ନିଭାଇଲି,–ସତେଅବା ଏହାହିଁ ହେଉଛି ମୋ’ ଜୀବନର ଇତିହାସ । ମୁଁ ସବୁ ସନ୍ତାପର ଦରିଆକୁ ପାର ହୋଇଗଲି । ମୋ’ ଭିତରେ ସେହି ନୀରବତାର ଜୟ ହେଉ, ସଂସାର ଭିତରେ ମଧ୍ୟ ସେହି ନୀରବତା ଜୟ ହେଉ, ମିତର ଜୟ ହେଉ !

 

୧୩ । ୪ । ୯୩

 

ସବାଆଗ ଭୂମିଟିଏ ଦରକାର, ସବାଆଗ ଭାଷାଟିଏବି ଦରକାର । ତେଣୁ ଆଗ ଭୂମିଟିଏ ରହୁ, ଆଗ ଭାଷାଟିଏ ଥାଉ; ହୁଏତ ତା’ପରେ ହୁଏତ ଆମେ କେଉଁ ଭୂମିଟିକୁ ମାତୃଭୂମି ବୋଲି କହିବା ଅଥବା କେଉଁ ଭାଷାଟିକୁ ନିଜର ମାତୃଭାଷା ବୋଲି କହିବା । ଭୂମିଟିଏ ନଥାଇ ଆଗ ମାତୃଭୂମିଟିଏ ରହିଥିଲେ ମଣିଷକୁ ଯେଉଁ ଦଶା ଭୋଗିବାକୁ ହୁଏ, ତାହାରି ଗୋଟିଏ ନାମ ହେଉଛି ନିଃସଙ୍ଗତା । ଆଗର, ପୁରାତନ କାଳର ମଣିଷମାନେ ଅଳପ ଜାଣିଥିଲେ ଓ ଅଳପକୁ ଆବୋରି ରହିଥିଲେ ସିନା, ମାତ୍ର ସେମାନଙ୍କର ନିଃସଙ୍ଗତ ନଥିଲା । ସେମାନଙ୍କ ହୃଦୟ-ଅଭିଧାନରେ ମାତୃଭାଷା ନାମକ ଗୋଟିଏ ଭାଷା ପଇଟି ନଥିଲା ସିନା, ମାତ୍ର ଭାଷାଟିଏ ଅବଶ୍ୟ ଥିଲା । ଯେଉଁ ଭୂମି ଅଭୟ ଦିଏ, ଗୋଡ଼ଟିକୁ ଦମ୍ଭ କରି ରଖିଥାଏ, ସେହି ଭୂମି ଥିଲା; ମମତାର ଭାଷାଟିଏବି ଥିଲା ।

 

ଏପରି ଗୋଟିଏ ପାହାଚ ଆସିବ, ଯେତେବେଳେ କି ସକଳ ଭୂମି ମାତୃଭୂମି ପରି ମନେ ହେବ ଓ ସବୁ ଭାଷା ମାତୃଭାଷା ପରି ଲାଗିବ । ଏହା ହେଉଛି ଚେତନାର କଥା, ଏହା ମମତାର କଥା । ଅନେକ ମଣିଷ ଏବେ ମମତାକୁ ସତେଅବା ଦଉଡ଼ି ପରି ବ୍ୟବହାର କରି ଖାସ୍ ନିଜର ବୋଲି କହି ଗୋଟିଏ ଭୂଇଁକୁ ବା ଗୋଟିଏ ଭାଷାକୁ ସ୍ଵତନ୍ତ୍ର କରି ବାନ୍ଧି ପକାଉଛନ୍ତି । ସେମାନେ ତା’ ବାହାରେ ଥିବା ସକଳ ଭୂମିକୁ ଆଦୌ ଭୂମି ବୋଲି ଘେନା କରୁନାହାନ୍ତି; ନିଜ ଭାଷାଟିର ଚଉବେଢ଼ା ବାହାରେ ରହିଥିବା ଅନ୍ୟ କୌଣସି ଭାଷାକୁ ଭାଷା ବୋଲି ସ୍ଵୀକାର କରୁନାହାନ୍ତି । ପୃଥିବୀରେ ଭୂମି ଭୂମି ଭିତରେ ପ୍ରତିଯୋଗିତା ଚାଲିଛି । ମମତା ମମତା ଭିତରେ ପ୍ରତିଯୋଗିତା ଚାଲିଛି । ସେହି କାରଣରୁହିଁ ନିଃସଙ୍ଗତା ବୃଦ୍ଧି ପାଉଛି, ଏଡ଼େବଡ଼ ପୃଥିବୀ ସାଙ୍ଗ ହେବାଲାଗି ଅପେକ୍ଷା କରି ରହିଥିବାବେଳେ ମଣିଷମାନେ ତଥାପି ନିଃସଙ୍ଗ ହୋଇ ରହିଛନ୍ତି । ସବୁ ଭୂମିକୁ ନିଜର ସମ୍ପତ୍ତି କରିବାର ଲୋଭ ସେମାନଙ୍କୁ ନିଃସଙ୍ଗ କରି ରଖିଛି । ବରଂ, ନିଜେ ସବୁ ଭୂମିର ଓ ନିଜେ ସବୁ ଭାଷାର ହୋଇଗଲେ ସେହି ଅବସ୍ଥାଟି କିପରି ହୁଅନ୍ତା କେଜାଣି ? ସେତେବେଳେ ଭୂମି ସହିତ ମାତୃଭୂମି ମଧ୍ୟ ରହନ୍ତା, ଏବଂ ଭାଷା ସହିତ ମାତୃଭାଷା ମଧ୍ୟ ରହନ୍ତା । ମୁଁ ନିମିତ୍ତ ହୋଇ ରହିଥାନ୍ତି ।

 

୧୪ । ୪ । ୯୩

 

Allergy କ’ଣ ଗୋଟାଏ ରୋଗ ? ନା ଗୋଟାଏ ଅନ୍ୟ ଅସଲ ରୋଗର ଲକ୍ଷଣ ? ଏବେ ଡାକ୍ତରମାନେ କେତେ କ’ଣ ବସ୍ତୁପ୍ରତି ବା ବ୍ୟାପାର ପ୍ରତି ଜଣେ ମଣିଷର ଏହି allergyକୁ ନିର୍ଣ୍ଣୟ କରିବାଲାଗି କେତେ ପରୀକ୍ଷା ଆମ୍ଭେ କଲେଣି ଏବଂ କେତେ କେତେ ଫଳ ମଧ୍ୟ ପାଇଲେଣି । ମାତ୍ର, ଯେଉଁ ଅସଲ antipathy ହେତୁ ଏହି ଯାବତୀୟ allergy ସମ୍ଭବ ହୋଇଥାଏ, ପରୀକ୍ଷା କରୁଥିବା ଯନ୍ତ୍ରଗୁଡ଼ିକର ହାତଗୋଡ଼ ସେ ଯାଏଁ ସହଜରେ ପ୍ରସାରିତ ହୋଇ ପାରେନାହିଁ । ମଣିଷର ଅତି ପାଖକୁ ଆସିପାରିଲେ, ତା’ ହୃଦୟ ଭିତରେ ପ୍ରବେଶ କରିପାରିଲେ ଯାଇ ତା’ ଦୁଃଖଟିକୁ, ତା’ ବୈରାଗୀର କାରଣଟିକୁ ବୁଝିହୁଏ । ଏଣୁ, ତୁମେ ନିଜେ ବୈରାଗୀଟିଏ ହୋଇଥିଲେ ଆଉଜଣଙ୍କର ବୈରାଗ୍ୟକୁ ମୋଟେ ଧରି ହୁଏନାହିଁ । ଯଥାର୍ଥ ସହାନୁଭୂତି ରହିଥିଲେ ଯାଇ ଧରିହୁଏ ।

 

ସବୁ allergy ପଛକେ ନିଜପ୍ରତି ଯେଉଁ allergy, ତାହାହିଁ ଅସଲ allergy, ଅସଲ ଦୁଃଖ, ଅସଲ ବୈରାଗ୍ୟ । କେଉଁଠି କ’ଣ ମନ ଛାଡ଼ି ଯାଇଥାଏ, ମୁହଁ ମୋଡ଼ି ହୋଇ ଯାଇଥାଏ,–ଏବଂ ସେଇଥିଲାଗି ମଣିଷ ନିଜର ବାଟକୁ ଚାଲିବା ବିଷୟରେ ବଡ଼ apathetic ହୋଇ ପଡ଼ିଥାଏ । ଯେଉଁ ସମ୍ପଦ ବା ସମ୍ପତ୍ତିଟିକୁ ନେଇ ଆମ ଜୀବନର ଯାବତୀୟ ଅସଲ କାରବାର, ଯାହାସହିତ ସବୁଠାରୁ ଅସଲ ବୁଝାମଣା, କୌଣସି କାରଣରୁ ତାହାରି ପାଖରୁ ମନ ଭାଙ୍ଗି ଯାଇଥାଏ । ଏହିପରି ମନୁଷ୍ୟମାନେ ଉପେକ୍ଷାର ରାଜକୀୟ ପୋଷାକଟିଏ ପିନ୍ଧି ସଂସାରକୁ ବାହାରିଥାନ୍ତି, ନିଜକୁ ଉପେକ୍ଷା କରୁଥାନ୍ତି ଅଥବା ନିଜ ପାଖରେ ଉପେକ୍ଷିତ ହୋଇ ରହିଥାନ୍ତି ବୋଲି ସେମାନେ ବାହାରେ ଏଇଟାକୁ ବା ସେଇଟାକୁ ଆଦରି ନେଇ ନପାରି ସତେଅବା ତାହାରି କ୍ଷତିପୂରଣ କରୁଥାନ୍ତି । ତେଣୁ, ଏଇଟା ପ୍ରତି ବା ସେଇଟା ପ୍ରତି ଘୃଣା, ଏଇଟା ମଧ୍ୟ ମୂଳତଃ ନିଜପ୍ରତି କୌଣସି କାରଣରୁ ରହିଥିବା ଏକ ଘୃଣା ଅର୍ଥାତ୍ ନିଜ ପାଖରେ ନିଜେ ଲୁଚି ରହିବାର ଏକ ଅଝଟ, ଏକ ଅତ୍ୟାସକ୍ତି, ଏବଂ ତାହାରି ବାହାନାରେ ନିଜ ଭିତରେ କୌଣସି ଦାଗକୁ ଭୁଲି ରହିବାର ଏକ ପ୍ରଚେଷ୍ଟା । ଭିତରେ ସେହି ଅସଲ ହନ୍ତସନ୍ତଟି ଅନବରତ ଲାଗି ରହିଥିବାରୁ ବାହାରେ ପ୍ରାୟ ଏକ aggressive ପ୍ରକାରର allergy,–ଆମେ କେଉଁ ଔଷଧରେ ତାହାକୁ ଭଲ କରିପାରିବା ? ଯେଉଁ ଔଷଧରେ ଆମର ଅସଲ ଭିତର ଯାଏଁ ଯାଇ ପାରିବ, ଏ କାମଟି ତାହାରିଦ୍ଵାରା ହେବ । ତେଣୁ, ନିଜର allergyକୁ ମଣିଷ ନିଜେ ଦୂର କରିପାରିବ, ନିଜର ବନ୍ଧୁ ହେଲେ ଯାଇ ଦୂର କରିପାରିବ । ଅର୍ଥାତ୍ allergyର ବାଡ଼ ଡେଇଁଲେ allergy ଦୂର ହେବ ।

 

୧୯ । ୪ । ୯୩

 

ସମନ୍ୱୟ ଆରୋହଣଦ୍ଵାରା । ଅନେକ ସମୟରେ ଏହି ଆରୋହଣଦ୍ଵାରାହିଁ ନିକଟବର୍ତ୍ତୀ ହେଉଥିବା ପରି ଲାଗୁଥାଏ । ହଠାତ ସତେଅବା କୌଣସି ହଠଦ୍ଵାରା ନିକଟବର୍ତ୍ତୀ ହୋଇଯିବାର ଅତ୍ୟୁତ୍ସାହରେ ମାତି ଅନେକ ମଣିଷ ତାଙ୍କୁ ଗାଡ଼ ଭିତରକୁ ଟାଣି ଆଣନ୍ତି; ଆହୁରି ଅଧିକ ସଳଖ ଭାବରେ କହିଲେ ସେମାନେ ନିଜପାଇଁ ଗୋଟିଏ ଗାଡ଼ର ଭିଆଣ ବା ବସାଣ କରି ତାଙ୍କୁ ମଧ୍ୟ ତାହାରି ଭିତରେ ଥାପି ରଖନ୍ତି, କିଳି ରଖନ୍ତି ଏବଂ ସମନ୍ଵୟର ଯାବତୀୟ ସମ୍ଭାବନାକୁ ଅତ୍ୟନ୍ତ ଅଶିଷ୍ଟ ଭାବରେ ମାରା କରି ରଖିଥାନ୍ତି ସେହି ବାଡ଼ ଦେଇ କିଳି ହୋଇ ଓ ଥାପନା ଭିତରେ ଆବଦ୍ଧ କରି ରଖିବାକୁହିଁ ସମ୍ପ୍ରଦାୟ ବୋଲି କୁହାଯାଇଛି । ଶାସ୍ତ୍ରରେ କୁହାଯାଇଛି ଏବଂ ଯାବତୀୟ ଅରୀତିର ବନ୍ଧ ଦେଇ କୁହାଯାଇଛି । ଅନେକ ଅଣଗୁରୁ ବା ଦରଗୁରୁ ସତେଅବା ଏକ ଷଡ଼ଯନ୍ତ୍ର କଲାପରି ମନୁଷ୍ୟମାନଙ୍କର ଆରୋହଣ ସମ୍ଭାବନାକୁ ବହୁବିଧ ସାମ୍ପ୍ରଦାୟିକତାର ଅଳ୍ପତା ଭିତରେ କିଳି ରଖିଛନ୍ତି ।

 

ଆରୋହଣ ଅର୍ଥାତ୍ କେବଳ ନିଜ ଭିତରେ ଆରୋହଣ କିମ୍ବା ଅତିକ୍ରମଣ ନୁହେଁ–ଏହି ସମ୍ପ୍ରଦାୟସବୁର ଯାବତୀୟ ବାଡ଼ର ଅତିକ୍ରମଣଙ୍କୁ ମଧ୍ୟ ବୁଝାଇବ । ସେହି ଅତିକ୍ରମଣଙ୍କୁ ସମନ୍ଵୟ ଆସିବ । Harmony ଭଳି harmony ଆସିବ । ମଣିଷ ହୁଏତ କୌଣସି ଏକ ନିର୍ଦ୍ଦିଷ୍ଟ ଉପାସନା, ନିର୍ଦ୍ଦିଷ୍ଟ ରୀତି ବା ନିର୍ଦ୍ଦିଷ୍ଟ ପରିପାଟୀ ଭିତରେ ପଶି ଆପଣାର ଭିତରକୁ ତଥା ବାହାରକୁ ନିଜର ଅସଲ ଅନ୍ଵେଷଣ ଅର୍ଥାତ୍ ଚିହ୍ନିବାଗୁଡ଼ିକୁ ଆରମ୍ଭ କରୁଥିବ । ଗୋଟିଏ ଚିହ୍ନା ସରିବା ବେଳକୁ ଚିହ୍ନିବାର ସେହି ଗାରଟି ଡେଇଁ ହୋଇ ଯାଉଥିବ । ତା’ର ଆଖିଗୁଡ଼ିକ କ୍ରମେ କ୍ରମେ ଅନ୍ତର ଭିତରକୁ ଦେଖି ପାରିବାର ଆଶୀର୍ବାଦ ଅର୍ଥାତ୍ ଅଧିକାରଟିକୁ ଲାଭ କରୁଥିବ । ତା’ପରେ ସମନ୍ଵୟ ବ୍ୟତୀତ ଆଉ ଅନ୍ୟ କୌଣସି ଦୃଷ୍ଟିହିଁ ରହିବନାହିଁ । ଗାରଗୁଡ଼ିକ କ୍ରମପ୍ରସାରିତ, ସମଗ୍ରର ଏବଂ ସର୍ବାନ୍ତଗତକାରୀ ହେବାରେ ଲାଗିଥିବେ । ତା’ପରେ ଏଇଟାକୁ ଗଢ଼ିବାପାଇଁ ସେଇଟାକୁ ଭାଙ୍ଗିବାର ବାଳୁଙ୍ଗାଗିରି କରିବା ନିମନ୍ତେ ଆଦୌ ମନ ହେବନାହିଁ । ସତେଯେପରି ସେହି ପ୍ରୀତିଟାର ସବୁ ଅଳ୍ପତା ଭାଙ୍ଗି ଭାଙ୍ଗି ଯାଉଥିବେ, ତଥାକଥିତ ସବୁ ଅପରମାନେ ଆପଣାର ହୋଇ ଦିଶୁଥିବେ । ଏବଂ, ସମ୍ପୃକ୍ତ ମନୁଷ୍ୟଟି ପଦପ୍ରାନ୍ତକୁ ଆସିବାପାଇଁ ଯୋଗ୍ୟ ହୋଇ ଆସୁଥିବ । ଭଗବାନ୍‍ଙ୍କୁ ପରମସୁହୃଦ୍‍ରୂପେ ଆବିଷ୍କାର କରିବାର ଆନନ୍ଦଯାତ୍ରା ଲାଗି ରହିଥିବ ।

 

୨୦ । ୪ । ୯୩

 

ଜ୍ଞାନର ଏକ ହୃଦୟ ରହିଛି, ଜ୍ଞାନ ଭିତରକୁ ଆସି ଯାହାର ଠାବ ପାଇଲେ ଆପଣା ସମେତ ଏହି ସମଗ୍ର ବିଶ୍ଵର ହୃଦୟ ଭିତରକୁ ବାଟ କାଢ଼ି ହୋଇ ଯାଉଥିବା ପରି ଲାଗୁଥାଏ । ଅନ୍ଧାରର ଏକ ହୃଦୟ ରହିଛି, ଯାହା ଭିତରେ ପଶି ପାରିଲେ ଆଲୋକ ସତେଅବା କେତେ ସମ୍ବେଦନା ନେଇ ଅପେକ୍ଷା କରି ରହିଥିବାର ଦୃଷ୍ଟିଗୋଚର ହୋଇଥାଏ । ଅତୀତ ତଥା ବର୍ତ୍ତମାନ ଭିତରେ ମଧ୍ୟ ଏକ ହୃଦୟ ରହିଛି, ଯାହା କେଡ଼େ ଅନୁରାଗ ସହିତ ଭବିଷ୍ୟତ୍ ଭିତରକୁ ପ୍ରସାରିତ କରି ନେଇଥାଏ । ନିଜ ଭିତରେ, ଅର୍ଥାତ୍ ନିଜର ଯାବତୀୟ ଆଖି, ଯାବତୀୟ ଜିଜ୍ଞାସା ଓ ଯାବତୀୟ ଶୁଭବାସନା ଭିତରେ ସେହି ଅସଲ innocenceଟି ରହିଥିଲେ ତାହାରିଦ୍ଵାରା ଏସବୁ ସମ୍ଭବ ହୁଏ ।

 

ଗୋଟିଏ ପ୍ରକାରର ଜ୍ଞାନ ଅଛି, ଯାହା ସେହି innocenceକୁ ମାରି ଦେବାକୁହିଁ ସର୍ବଦା ଚକ୍ରାନ୍ତ କରିବାକୁ ମନ କରୁଥାଏ । ସେହି ଜ୍ଞାନ ବହୁତ ଉପଦ୍ରବ କରେ, ସତେଅବା ଏକୁଟିଆ ଆପଣାକୁହିଁ ଚିହ୍ନିତ କରାଇ ରଖିବ ବୋଲି କେତେ କେତେ କାନ୍ଥ ଆଣି ଛିଡ଼ା କରାଇ ଦେଉଥାଏ । ନିକଟଗୁଡ଼ାକୁ ଜାଣି ଜାଣି ଦୂର ଓ ଆହୁରି ଦୂର କରି ପକାଇବାରେ ଖୁସି ପାଏ, ଏକ ଅତିଧୂର୍ତ୍ତ ପ୍ରକାରର ସାର୍ଥକତା ଓ ସିଦ୍ଧକାମତା ଅନୁଭବ କରେ । ସେହି ଜ୍ଞାନକୁ ମୁଁ ଅଜ୍ଞାନ ବୋଲି କହେ । ପୃଥିବୀର ଯାବତୀୟ ଜ୍ଞାନ ଆମ ଆଖି ଭିତରର ସେହି innocence ପାଖକୁ ବାଟ କଢ଼ାଇ ନେଇଯାଇ ପାରୁଥିବା ଉଚିତ । ଅନେକ ତଥାକଥିତ ଜ୍ଞାନଗୁରୁମାନଙ୍କ ପାଖକୁ ଗଲେ ମନେ ହୁଏ, ସେମାନେ ସତେ ଯେପରି ତୁମଭିତରେ ରହିଥିବା ସେହି ଅସଲ innocenceକୁ ମାରିଦେବାକୁହିଁ ଜାଲ ଫାନ୍ଦି ବସିଛନ୍ତି । ଆପଣାର ବ୍ୟୂହଟି ଭିତରେ ତୁମକୁ ନେଇ ପକାଇ ଦେବାକୁ ସେମାନେ କେତେ କେତେ କରିସ୍ମାର ଅଘଟନ ରଞ୍ଜାଇ ବସିଛନ୍ତି । ଆମ ପୃଥିବୀରେ ମଣିଷମାନେ ଯେ ନିଜ ହୃଦୟଟିକୁ ଲୁଚାଇ ରଖି ବାଟ ଚାଲିବାକୁ ଏବେ ଅଧିକ ନିରାପଦ ବୋଲି ଭାବୁଛନ୍ତି । ସେଥିଲାଗି ଆମେ ଅନେକ ପରିମାଣରେ ଏହି ଅଜ୍ଞାନୀ ଗୁରୁମାନଙ୍କୁ ମଧ୍ୟ ଦାୟୀ କରିପାରିବା । ଗୁରୁ ତ ନିଜ ଭିତରେ ବସିଛି । ତେଣୁ, ଗୁରୁ ବୋଲି ବାହାରେ ଅନ୍ୟ ପିତୁଳାମାନଙ୍କୁ ଖୋଜି ଯିବି ନାହିଁ ବୋଲି ମୁଁ କେଉଁକାଳୁ ଥିର କରି ସାରିଛି । ସେହି ନିଷ୍ପତ୍ତି ମୋ’ ଭିତରେ ସ୍ଥିରତା ଆଣି ଦେଇଛି, କେତେ କେତେ ବଳ ଆଣି ଦେଇଛି ଏବଂ ନିକଟବର୍ତ୍ତୀତା ଆଣିଦେଇଛି ।

 

୨୩ । ୪ । ୯୩

 

ବଡ଼ବଡ଼ ସଭାର ଅବସରମାନଙ୍କରେ ସାନସାନର ଉଦ୍‌ବୋଧନ ଦେଇ ଅଳପର ପ୍ରତିନିଧିତ୍ଵ କରୁଥିବା ଆତ୍ମଚାରୀ ଅଚେତନାମାନେ ଆମକୁ କେତେ ସାନବୁଦ୍ଧି କରି ରଖିବାକୁ ଚେଷ୍ଟା ନ କରୁଛନ୍ତି ! କିଏ ଓଡ଼ିଶାର ଉଦ୍‌ବୋଧନ ଦେଉଛି, କିଏ ଓଡ଼ିଆଙ୍କ ନାମରେ ଉଦ୍‌ବୋଧନ ଦେଉଛି, କିଏ ଭାରତବର୍ଷଟାକୁହିଁ ପରମବ୍ରହ୍ମଙ୍କର ଏକମାତ୍ର ସରୋବର ବୋଲି କହି ଆମର ବ୍ରହ୍ମାନୁଭବକୁ କେଡ଼େ ଠାଣିରେ ଚାପି ରଖୁଛି । କିଏ ଜାତି କଥା ଓ ଆଉକିଏ ଭାଷାର କଥାବି କହୁଛି । ଏମାନେ ଭଗବାନ୍‍ଙ୍କୁ ଏକ ଗୁମ୍ଫାରୂପେ ଉପଲବ୍‌ଧି କରିଛନ୍ତି; ତେଣୁ ଆପଣାର ଦୁର୍ବୁଦ୍ଧିଆ ଅଭିଧାନଗୁଡ଼ାକର ନୂଆ ବିଧାନ ଅନୁସାରେ ଆକାଶକୁ ମଧ୍ୟ ସତେଅବା ପୃଥିବୀର ସର୍ବବୃହତ୍ ଗୁମ୍ଫା ବୋଲି ପ୍ରମାଣ କରିବାରେ କେଡ଼େ ଉତ୍ସାହ ଦେଖାଉଛନ୍ତି ।

 

ଉଦ୍‌ବୋଧନ, ଅସଲ ଉଦ୍‌ବୋଧନ ଠିକ୍ ଓଲଟା ହେଉଥାନ୍ତା । ଏଠି ଓଡ଼ିଶା ଭିତରେ ପୃଥିବୀ ସହିତ ପରିଚୟ କରାଇଦେଇ ହେଇଥାନ୍ତା, ଓଡ଼ିଆ ଭାଷା ଭିତରେ ହୃଦ୍‌ବିସ୍ତାର ନାମକ ସେହି ଅସଲ ଭାଷାର ପରିଚୟଟିକୁ ଆଣି ଧରାଇ ଦିଆଯାଇ ପାରୁଥାନ୍ତା । ପୁରୀର ନାଥଙ୍କୁ ଦେଖୁଦେଖୁ ଜଗତ୍‍ର ନାଥଙ୍କର ଅନୁଭବ ଓ ଉଦ୍‌ବୋଧନ ମିଳି ଯାଉଥାନ୍ତା । ଜଗତ୍‍କୁ ଆଣି ମୋଡ଼ିମାଡ଼ି ପୁରୀ ଭିତରେ ଦେଖୁଥିବାର ଦୃଷ୍ଟତା ଯେ କେତେ ଅଭିସନ୍ଧିମୂଳକ, ତାହା ଅତ୍ୟନ୍ତ ସ୍ପଷ୍ଟ ହୋଇ ଯାଉଥାନ୍ତା । ସାହିତ୍ୟ ମଧ୍ୟ ବିଶ୍ଵ ଲାଗି ଦର୍ପଣଟିଏ ଖୋଜିବାର ଉଦ୍‌ବୋଧନ ଦିଅନ୍ତା । ନିଜର ଅନ୍ତରକୁ ସତକୁସତ ଏକ ଆକାଶ, ତାଙ୍କରି ଆକାଶ ବୋଲି ଅନୁଭବ କରିବାର ଏବଂ ସେହି ସତକୁସତ ବଞ୍ଚିବାର ଉଦ୍‌ବୋଧନ ମଧ୍ୟ ଆମକୁ ସେଥିରୁ ମିଳି ଯାଉଥାନ୍ତା । କାମିନୀ ଗଛରେ କାଲି ଫୁଟିଥିବା ଫୁଲଗୁଡ଼ିକ ଆଜି ବଡ଼ି ସକାଳୁ ପାଖୁଡ଼ା ହୋଇ ଝରି ପଡ଼ିଛନ୍ତି ଓ ସତେଅବା ସାରା ବିଶ୍ଵ ସହିତ ଚେତନାକୁ ସ୍ପର୍ଶ କରାଇଦେଇ ପାରିବାଭଳି କଅଁଳ ଗାଲିଚାଟିଏ, କଅଁଳ ମମତାମୟ ଆମନ୍ତ୍ରଣଟିଏ ପରି ବିଛାଇ ହୋଇ ପଡ଼ିଛନ୍ତି । ମୋ’ ଭାଷା କ’ଣ ଖାଲି ମୋ’ରି ଭାଷା, ମୋ ବଗିଚାଟି କ’ଣ ଖାଲି ମୋ’ରି ବଗିଚା, ମୋ’ ଠାକୁର ବା ଭଗବାନ୍ କ’ଣ ଖାଲି ମୋ’ରି ଠାକୁର,–ନିଜଭିତରେ ଥାଇ ମୋତେ ସତେଅବା ସ୍ନେହରେ ଛିଗୁଲେଇ ଦେଉଥିଲା ପରି କେଉଁ ଜନନୀ ମୋ’ ଚେତନାକୁ ଦୋହଲାଇ ଦେବାକୁ ଆସନ୍ତି । ଏକ Reaffirmation ରୂପେ ମୋ’ର ନିଦ ଭଙ୍ଗାଇ ଦେବାକୁ ଆସନ୍ତି, ମୋତେ ଅସଲଟି ଆଡ଼କୁ ବାଟ ଛାଡ଼ିଦିଅନ୍ତି ।

 

୧୦ । ୫ । ୯୩

 

ଯେଉଁ ପରମପୁରୁଷମାନେ ଆପଣାର ଜୀବଦ୍ଦଶାରେହିଁ ଭକ୍ତିଗ୍ରହଣରେ ଅତ୍ୟୁତ୍ସାହ ଲାଭ କରି ନିଜକୁ ସ୍ଵୟଂ ଭଗବାନ୍ ବୋଲି ଘୋଷିତ କରାଇଲେ, ସେମାନେ ଜଗତ୍‍ରେ ପୁରୁଷାର୍ଥର ଯଥାର୍ଥ ଏବଂ ଆଲୋକାମୁଖୀ ପୁରୁଷାର୍ଥର ବିକାଶରେ ବୈରୀ ହେଲେ ।

 

ଭଗବାନ୍ ସବୁରି ଭିତରେ ରହିଛନ୍ତି,–ଏହା ଏକ ଉପାସନାର କଥା ନୁହେଁ କିମ୍ବା ଝାଞ୍ଜମୃଦଙ୍ଗର କଥା ନୁହେଁ । ଏହା ଅଧ୍ୟାତ୍ମର କଥା ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣର କଥା । ମହାପୁରୁଷ ମନ୍ଦ ପ୍ରେରଣାରେ ପଡ଼ି ଆପଣାକୁ ଉପାସକମାନଙ୍କର ଦୌରାତ୍ମ୍ୟବନ୍ୟାରେ ଭସାଇ ଦେବାକୁ ମନ କରିବାମାତ୍ରକେ ଆମ ପୃଥିବୀ ସତେଅବା ଅଧିକରୁ ଅଧିକ ପରିମାଣରେ ଭୀରୁମାନଙ୍କର ଓ ତେଣୁ ଉଗ୍ରମାନଙ୍କର ଆଖଡ଼ାରେ ପରିଣତ ହୋଇ ରହିଲା । ମନ୍ଦିରମାନେ, ମାଗମାନେ, ସମ୍ପ୍ରଦାୟମାନେ ମନୁଷ୍ୟର ଉଦୟ ଇତିହାସରେ ଯେତେ ସହାୟତା କରିନାହାନ୍ତି, ପୃଥିବୀରେ ଉଗ୍ରତା ଏବଂ ଅହଂକାର ବଢ଼ାଇବାରେ ସମ୍ଭବତଃ ତା’ଠାରୁ ଅଧିକ ସାହାଯ୍ୟ କରିଛନ୍ତି । ମନୁଷ୍ୟମାନଙ୍କର ଉଦୟରେ ଅର୍ଥାତ୍ ପୃଥିବୀରେ ଦେବତାବତବରଣ ମନାସ ରଖିଥିବା କେହି ସେ କଥା କଦାପି ସେ କଥା କରିବନାହିଁ । ଯିଏ ନିଜ ଭିତରେ ବିଭୁତ୍ଵର ପରିଚୟ ପାଇବ, ସତେଅବା ସେହି ନ୍ୟାୟଟିଦ୍ଵାରା ନିର୍ଦ୍ଦେଶିତ ହୋଇ ସିଏ ଅନ୍ୟ ପ୍ରତ୍ୟେକ ମନୁଷ୍ୟଙ୍କୁ ମଧ୍ୟ ବିଭୁତ୍ଵର ପ୍ରତୀକରୂପେ ଅବଶ୍ୟ ଦେଖିବ । ସିଏ କଦାପି ପୀଠ ଅଥବା ମଠ ଜମାଇ ଭଗବାନ୍ ହୋଇ ବସି ଯିବନାହିଁ, ପୃଥିବୀ ପୃଷ୍ଠରେ ଅଧିକ ପରିପୂର୍ଣ୍ଣ ଭାବରେ ଦେବତ୍ଵକୁ ସମ୍ଭବ କରାଇ ଆଣିବାରେ ସିଏ ନିମିତ୍ତ ହେବ ଏବଂ ତାହାରିଦ୍ଵାରାହିଁ ସବୁଠାରୁ ଅଧିକ ସନ୍ତୋଷ ଲାଭ କରିବ । ଆମ ପୃଥିବୀରେ ଏହି କଥାଟି ଯଥାର୍ଥ ଭାବରେ ହୋଇ ପାରିଲାନାହିଁ । ଏଥିପାଇଁ ଆମେ କାହାକୁ, ଭୀରୁ ମହାପୁରୁଷମାନଙ୍କୁ ଅଥବା ସେମାନଙ୍କର ଉପାସନାଲୋଭୀ ଅନୁଗାମୀମାନଙ୍କୁ କାହାକୁ ଦୋଷ ଦେବା ? ଅଧ୍ୟାତ୍ମରେ ଚାଲିବାକୁ ଇଚ୍ଛା କରୁଥିବା ମଣିଷ ଆଦୌ କାହାକୁ ଦୋଷ ଦେବାରେ ସରାଗ ରଖିବନାହିଁ । ସିଏ ଭିତରେ ଓ ବାହାରେ ବାଟଟିଏ ଚାଲିବ, ଭିତରେ ଓ ବାହାରେ ସମ୍ମୁଖରେ ତାରାଟିଏ ଦେଖିବ: ନିଜ ଜୀବନରେ ସିଏ ସତେଅବା ନିଶୁଣିଟିଏ ହେବ, ଏଠିକା ସହିତ ସେଠିକାକୁ ଯୋଡ଼ି ଦେବାକୁହିଁ ଆପଣାର ସ୍ଵାଭାବିକ ଧର୍ମ ବୋଲି ଗ୍ରହଣ କରିନେବ । ସିଏ କଦାପି ଲୋଭରେ ପଡ଼ିବନାହିଁ ।

 

୧୫ । ୫ । ୯୩

 

ତଳେ ସମାନତା,–ସମାନ ସୁଯୋଗ, ସମାନ ସମ୍ମାନ, ଜଣେ ଜଣେ ମନୁଷ୍ୟ ହିସାବରେ ପ୍ରତ୍ୟେକକୁ ତା’ର ନ୍ୟାଯ୍ୟ ସମ୍ମାନ ତଥା ଅବସରର ପ୍ରଦାନ,–ଏବଂ ସବାଉପରେ excellence,–ଏକ ଆଦର୍ଶ ସମାଜ କହିଲେ ମୁଁ ବହୁଦିନରୁ ଅର୍ଥାତ୍ ମୋ’ ହୃଦୟର ହେତୁ ହେବା ଦିନଠାରୁ ମୁଖ୍ୟତଃ ଏହାହିଁ ବୁଝି ଆସିଛି । ଯେକୌଣସି ସମାଜର ସମ୍ପର୍କରେ ଆସିବାବେଳେ ମୁଁ ତଳକୁ ଅନାଇ ସମାନତାକୁ ଖୋଜିଛି, ପ୍ରତ୍ୟେକ ମନୁଷ୍ୟକୁ ତା’ର ପ୍ରାପ୍ୟ ଅବସରଗୁଡ଼କୁ ଦିଆଯାଉଛି କି ନାହିଁ, ସେହିକଥା ଦେଖିଛି । ଏବଂ, ଉପରକୁ ଅନାଇ ମୁଁ excellenceକୁ ଦେଖିଛି । ଏହି ଦୁଇଟିର ପରିପ୍ରେକ୍ଷୀରେ ମୁଁ ସେହି ସମାଜରେ ଲେଖା ହୋଇଥିବା ବହି ଓ କୁହା ଯାଉଥିବା କଥାଗୁଡ଼ିକର ବିଚାର କରିଛି । ଏପରି କରିବା ବ୍ୟତୀତ ହୁଏତ ମୋ’ର ଆଉ କୌଣସି ଚାରା ନଥିଲା । ବହୁତ ସମାଜରେ ତଳଟା ବଡ଼ ନରଖର ହୋଇ ପଡ଼ିଛି, ଅଥଚ ଉପରେ ତଥାକଥିତ excellence ଗୁଡ଼ାକର ଜୟଗାନ କରାଯାଉଛି । ଆହୁରି ଅନେକ ସମାଜରେ ସର୍ବନିମ୍ନ ପଣ୍ୟ ଓ ଅବସରଗୁଡ଼ିକ କେଡ଼େ ସୁବ୍ୟବସ୍ଥିତ ଭାବରେ ପ୍ରାୟ ପ୍ରତ୍ୟେକ ମନୁଷ୍ୟ ଲାଗି ଉପଲବ୍‌ଧ ହୋଇ ପାରୁଛି । ମାତ୍ର ସେଠାରେ ଅଧିକାଂଶ ମନୁଷ୍ୟ ସେଇ ତଳଟାରେହିଁ ସତେଅବା ମୁହଁ ମାଡ଼ି ସେହି ପଣ୍ୟ ଓ ଭୋଗଗୁଡ଼ାକୁ କାମୁଡ଼ି ପଡ଼ି ରହିଛନ୍ତି । କେହି excellenceକୁ ମନ କରୁନାହାନ୍ତି । ମୋତେ ଦୁଇଟିଯାକହିଁ ବିଡ଼ମ୍ବନା ପରି ବୋଧ ହୋଇଛି, ନିତାନ୍ତ ମନୁଷ୍ୟକୃତ ଗୋଟିଏ ଗୋଟିଏ ବିଡ଼ମ୍ବନା ପରି ବୋଧ ହୋଇଛି । ମଣିଷ କାହିଁକି ଯେ ଏହି ବିଡ଼ମ୍ବନାକୁ ଭିଆଇଛି ଏବଂ କାହିଁକି ଯେ ସହୁଛି, ମୁଁ ସେ କଥା ବୁଝିବାପାଇଁ ଚେଷ୍ଟା ମଧ୍ୟ କରିଛି ।

 

ଉପର ସହିତ ତଳର ଏକ ନିବିଡ଼ ସମ୍ପର୍କ ରହିଛି । ଏହି ତଳଟାହିଁ କ୍ରମେ ଉପରଆଡ଼କୁ ପ୍ରସାରିତ ହୋଇ ରହିଛି ଅଥବା ଉପରଟା କେଡ଼େ ସୌହାର୍ଦ୍ୟର ସହିତ ଏହି ତଳ ଯାଏଁ ଲମ୍ବି ଆସିଛି । ଯେଉଁଠି ଦୁହିଁଙ୍କୁ ଭିତରେ ବୈମନସ୍ୟ ରହିଛି, ସେଠାରେ, ଉଭୟ ସମାଜ ତଥା ବ୍ୟକ୍ତିର ଜୀବନରେ ସତେଅବା ଏକ ଅସୁସ୍ଥତା ଅର୍ଥାତ୍ ଅନିଚ୍ଛୁକତା ଘର କରି ରହିଥିବା ପରି ମୋ’ର ମନେ ହୋଇଛି । ମୁଁ ହୁଏତ ଆଉକିଛିକୁ ମନ କରିଛି, ଆଉକିଛି ଲାଗି ଶପଥ ଗ୍ରହଣ କରିଛି । ନିଜ ଭିତରେ ନୂଆ ସମରଟିଏ ଲଢ଼ିବାପାଇଁ ପ୍ରସ୍ତୁତ ହୋଇଛି ।

 

୧୭ । ୫ । ୯୩

 

ମୋ’ ପିଲାଦିନେ ଭାଇ ମୋତେ ନେଇ କେତେ କଳ୍ପନା କରୁଥିଲେ । ମୁଁ କ’ଣ କେତେ ହେବି ବୋଲି କହୁଥିଲେ । ସେ ମୋ’ ଆଗରେ ମଧ୍ୟ ସେହିସବୁ କଥା କହିବାକୁ କୌଣସି ସଙ୍କୋଚ କରୁ ନଥିଲେ । ଏହି ସଂସାରରେ ଅନ୍ୟମାନଙ୍କ ତୁଳନାରେ କେଡ଼େ ବଡ଼ ହେବା, ଅର୍ଥାତ୍ କେଡ଼େ ବଡ଼ ହୋଇ ଦିଶିବା, କେତେ ନା କେତେ ଦରମା ପାଇବା ଓ ଗୋଟାଏ କେଡ଼େ ଉଚ୍ଚ ପାହିଆର କ’ଣଟାଏ ହେବା,–କ୍ରମେ ମୁଁ ମଧ୍ୟ ସେହିପରି ଏକ ସମ୍ମୋହକଦ୍ଵାରା ନିଜକୁ ମଣ କରି ନେଉଥିଲି । ଅନ୍ୟମାନଙ୍କୁ ଅତିକ୍ରମ କରିଯିବା ଓ ସେହି କାରଣରୁ କେତେ ନା କେତେ ସ୍ଵଜନଙ୍କର ପ୍ରଶଂସାଭାଜନ ହେବା,–ସେତେବେଳେ ସେସବୁ କଳ୍ପନା କରି ପ୍ରଭୂତ ଆନନ୍ଦବି ମିଳୁଥିଲା ।

 

କ୍ରମେ ଗୋଟାଏ ବରଷର ଏହି ତାରିଖରେ ଘଟନାଟିଏ ଘଟିଲା, ଯାହାକି ମୋ’ ଭିତରେ ଗୋଟାଏ ନୂତନ ଗଣ୍ଠି, ମୋ’ର ଅସଲ ଗଣ୍ଠିଟାକୁ ଫିଟାଇ ଦେବାରେ ନିମିତ୍ତ ପରି କାର୍ଯ୍ୟ କଲା । ତେଣିକି, ମୁଁ କେତେ କ’ଣ ସ୍ଵପ୍ନ ଦେଖିଲି କେତେ କ’ଣ ହେଲି; ମାତ୍ର ଅନ୍ୟପ୍ରକାରେ ସ୍ଵପ୍ନ ଦେଖିଲି ଓ ଅନ୍ୟ ପ୍ରକାରର ହେଲି । ସଂସାରଦଉଡ଼ର ସହପ୍ରତିଦ୍ଵନ୍ଦ୍ୱୀମାନେ ମୋତେ ଅତିକ୍ରମ କରିଗଲେ, ଅଥଚ ମୁଁ ତଦ୍ଦ୍ଵାରା ଦୁଃଖ ପାଇଲି ନାହିଁ । ମୁଁ କିଛି ଜମାକରି ପାରିଲିନାହିଁ, ବଡ଼ ହୋଇ ଦିଶିବି ବୋଲି କୌଣସି ନିଶ ବା ଦାଢ଼ି ଯୋଗାଡ଼ କରି ଆଣିବାକୁ ମନ କଲିନାହିଁ । ମାତ୍ର ସେଥିରେ ଭିତରେ କୌଣସି ଖେଦ ହେଲାନାହିଁ । ମୁଁ ସେଇଦିନୁ ଅଧିକରୁ ଅଧିକ ନିକଟ ହେବାରେ ଲାଗିଲି । ଯାହାଙ୍କର ନିକଟ ହେଲେ ଜଗତ୍‍ରେ ସବୁକିଛି ନିକଟରେ ରହିଥିଲା ପରି ଅନୁଭବ କରିହୁଏ, ମୁଁ କ୍ରମେ ତାଙ୍କରି ନିକଟ ହେବାକୁ ଲାଗିଲି । ନିକଟ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ମୋତେ ବାହାରେ ଅଧିକ ଅଥବା ବିଶେଷ ବୋଲି ଦେଖାଇବାରେ ସବୁଯାକ ଫିସାଦ ଆପେ ଆପେ ଛାଡ଼ି ହୋଇଗଲା । ମୂଳତଃ ଓ ଧର୍ମତଃ ନିଜକୁ ଦେଇଦେବାହିଁ ସତେଅବା ମୋ’ର ଯାବତୀୟ ସଂଗ୍ରହ ଏବଂ ଅର୍ଜନ କରିବାର ମୂଳପ୍ରେରଣା ହୋଇ ରହିଲା । ସିଏ ବନ୍ଧୁ ବୋଲି ଲାଗିଲେ, ତେଣୁ ସମସ୍ତେ ବନ୍ଧୁ ବୋଲି ଲାଗିଲେ । ତଥାକଥିତ ଶତ୍ରୁମାନଙ୍କୁ ଦେଖି ଆଉ ଡର ମାଡ଼ିଲାନାହିଁ । ମୁଁ ସେମାନଙ୍କୁ ମଧ୍ୟ ନିଜ ପାଖକୁ ଟାଣି ଆଣି ପାରିବି ବୋଲି ପ୍ରତ୍ୟୟ ଆସିଲା । ମୁଁ ଏହିପରି ଭାବରେ ଧନ୍ୟ ହୋଇଗଲି ।

 

୧୮ । ୫ । ୯୩

 

ଶିକ୍ଷକ ଭିତରେ ସେହ୍ନୀଟିଏ, ସନ୍ୟାସୀଟିଏ । ଗୋଟିଏ ପାଖରେ ସ୍ନେହୀଟିଏ ଓ ଆଉଗୋଟିଏ ପାଖରେ ସନ୍ୟାସୀଟିଏ,–ଏଭଳି ଆଦୌ ନୁହେଁ । ସ୍ନେହୀ ଆଉ ସନ୍ୟାସୀ ମଧ୍ୟରେ କେଉଁଠି କିପରି ଯେ ଝଗଡ଼ା ଲାଗେ, ମୁଁ ସେ କଥା ଏପର୍ଯ୍ୟନ୍ତ ଜାଣି ପାରିଲିନାହିଁ । ଯଥାର୍ଥ ସନ୍ୟାସୀଟିଏ ହୋଇ ପାରିଲେ, ଯଥାର୍ଥ ସ୍ନେହୀଟିଏ ହେବା ନିମନ୍ତେ ସତେଅବା ଆବଶ୍ୟକ ଅନୁମତିପତ୍ରଟି ମିଳି ଯାଇଥାଏ । ଏବଂ, ଯଥାର୍ଥ ସ୍ନେହୀଟିଏ ହୋଇପାରିଲେ ଯଥାର୍ଥ ସନ୍ୟାସୀଟି ମଧ୍ୟ ସତେଅବା ନିଜ ଭିତରୁହିଁ ଜନ୍ମଗ୍ରହଣ କରେ, ମଣିଷକୁ ସତେଅବା ତା’ଲାଗି ଅଭିପ୍ରେତ ହୋଇ ରହିଥିବା ଦ୍ଵିଜତ୍ଵକୁ ପ୍ରଦାନ କରିଥାଏ ।

 

ଅନେକ ସ୍ନେହୀ ଅଛନ୍ତି, ଯେଉଁମାନେ ସନ୍ୟାସୀ ହେବାକୁ ଡରନ୍ତି; ପୁଣି, ଅନେକ ସନ୍ୟାସୀବି ଅଛନ୍ତି, ଯେଉଁମାନେ ସ୍ନେହୀ ହେବାକୁ ମଧ୍ୟ ପ୍ରାଣେଭୟ କରୁଥାନ୍ତି । ସ୍ନେହୀ ଭିତରେ କେଉଁଠି କାମୁକଟିଏ ବସିଥାଏ ଏବଂ ସନ୍ୟାସୀ ଭିତରେ କେଉଁଠି ଆର୍ତ୍ତ ଅରକ୍ଷିତଟିଏ ରହିଥାଏ, ଯାହାଫଳରେ କି ଏହିପରି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଥାଏ । କାମୁକ ଓ ଆର୍ତ୍ତ ମଧ୍ୟରେ ହୁଏତ କେଉଁଠି ସେହି ସମାନ ଉପାଦାନଟିଏ ରହିଥାଏ ଯାହାକି ମଣିଷକୁ ଭାରି କଲବଲ କରିବାରେ ଲାଗିଥାଏ । ଜଣେ ଶିକ୍ଷକ ଯେ ସତତ ବଢ଼ିବାରେ ଲାଗିଛି, ତା’ ଭିତରେ ଯେ ସିଏ ନିଜ ସହିତ ଆଦୌ କଳହରତ ହୋଇ ରହିନାହିଁ, ତାହାହିଁ ହେଉଛି ତା’ର ଅସଲ ସନ୍ତକ, ଅସଲ ଗୌରବ ଏବଂ ଅସଲ ବଳ ମୋ’ ସହିତ ବାଟ ଚାଲୁଥିବା ମୋ’ର ପରମବନ୍ଧୁ ମୋତେ ନିତି ସେହି ବଳ ଓ ସେହି ଆତ୍ମପ୍ରତ୍ୟୟ ପ୍ରଦାନ କରି ଆସିଛି । ତେଣେ କାମୁକମାନେ ନିଜକୁ ଲୁଚାଇରଖିବାକୁ ବାହାରେ କ୍ରୂର ପରି ସଂଯମ ଆଚରଣ କରିଛନ୍ତି ଏବଂ ଆର୍ତ୍ତମନେ ନିଜଭିତରେ ମଣିଷଗୁଡ଼ିକୁ ଚିହ୍ନିଥିଲେ ମଧ୍ୟ ନ ଚିହ୍ନିଲା ପରି ହୋଇଛନ୍ତି ଏବଂ ସତେଅବା ସେହି ଅପରାଧଫଳରେ ବାହାରେ ବାବାଜି ହେବାକୁ ବାଧ୍ୟ ହୋଇଛନ୍ତି । ସ୍ନେହୀ ନହେଲେ ଯେ ସନ୍ୟାସୀ ହୋଇ ହୁଏନାହିଁ, ଓ ସନ୍ୟାସୀ ନହେଲେ ଯେ ସ୍ନେହୀ ହୋଇ ହୁଏନାହିଁ, ମୋ’ ଜୀବନର ମାଆ ପାଖରୁ ମୁଁ ସେହି ପାଠଟିକୁ ପଢ଼ିଛି । ଏବେ ମଧ୍ୟ ମୋ’ର ସେହି ପଢ଼ିବା ବନ୍ଦ ହୋଇନାହିଁ ।

 

୧୯ । ୫ । ୯୩

 

Familiarityର ମୋହ, ତାହାହିଁ କ’ଣ ସଂସ୍କୃତି ? ମୁଁ ଓଡ଼ିଶାରେ ବେତେଟା ଥାନ, କେତେଟା ଘଟନା, କେତେଟା ବସ୍ତୁ ଏବଂ, କେତେଟା ନାମ ସହିତ ବିଶେଷଭାବେ ପରିଚିତ । ସେମାନେ ମୋତେ ଭାରି ନିକଟ ଲାଗନ୍ତି, ଏକାବେଳେକେ ମୋ’ର ପରି ଲାଗନ୍ତି, ଦୂରସ୍ଥ ଅନ୍ୟ ଅନେକ ବସ୍ତୁ, ନାମ ଘଟନା ଅଥବା ସ୍ଥାନର ତୁଳନାରେ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ମଧ୍ୟ ବୋଧ ହୁଅନ୍ତି । ଏହିଗୁଡ଼ିକୁ ମୋ’ ନିଜର ସଂସ୍କୃତି ବୋଲି କହି ଗର୍ବ ଅନୁଭବ କରିବାଲାଗି ମୋ’ ପିଲାଦିନରୁ ମୋତେ କୁହାହୋଇ ଆସିଛି । ତଥାପି କ’ଣ ମୁଁ ସେତିକିରେ ରହିଯିବି । ବାଡ଼ ବସାଇ ବୃହତ୍ତମ ଚାରିପାଖ ଭିତରକୁ ଯିବାକୁ କୁଣ୍ଠିତ ହେବି,–ମୋ’ ନିଜଭିତରେ ପଶି ମୋ’ରି ଭିତରେ ମୋ’ ସହିତ ମିତ ବସିବାକୁ ଚାହୁଁଥିବା ସେହି ବିଶ୍ଵଜନନୀକୁ ଘ୍ରାଣ କରିବା ଲାଗି କୌଣସି ପ୍ରୟାସ କରିବିନାହିଁ ଏବଂ ଏହି ଖୋଳଗୁଡ଼ାକ ଭିତରେ ରହିଥିବା ମର୍ମଟିକୁ ଅସଲ ବୋଲି କେବେହେଲେ ଅନୁଭବ କରିବି ନାହିଁ ? ଓଡ଼ିଆ ଘରର ପଖାଳ, ଓଡ଼ିଆ ଦେଉଳର ଅବଢ଼ା, ଓଡ଼ିଆ ଠାକୁର ଜଗନ୍ନାଥ ଓ ତାଙ୍କର ବିଶ୍ଵବିଖ୍ୟାତ ରଥଯାତ୍ରା, ଓଡ଼ିଶାର ଲୋକୋପାଖ୍ୟାନରୁ ମାଣିକ୍ୟ ଗଉଡ଼ୁଣୀ ଠାରୁ ଆରମ୍ଭ କରି କବି ଜୟଦେବଙ୍କ ପର୍ଯ୍ୟନ୍ତ ଯାବତୀୟ ଗୌରବର କାହାଣୀ,–ଏସବୁକୁ ନେଇ ଯେତେ ଫୁଲେଇ ହେଉଥିଲେ ମଧ୍ୟ ଭିତରେ ତଥାପି ଯେପରି ଏକ ଅପସଂସ୍କୃତି ମୋ’ ଘରେ ପଶି ତୁଚ୍ଛା ତାତ୍‍କାଳିକତାଗୁଡ଼ାକୁହିଁ ସଂସ୍କୃତି ବୋଲି ଗ୍ରହଣ କରିନେବାକୁ ସତତ ପ୍ରରୋଚନା ଦେଉଥିବା ପରି ମନେ ହୋଇଥାଏ ।

 

ଯେତେବେଳେ କବି ଜୟଦେବ ସଚେତନ ଭାବରେ ନିଜକୁ ଓଡ଼ିଆ ବୋଲି ଜାଣି ନଥିଲେ, ଯେତେବେଳେ ପୁରୀ ମନ୍ଦିରର ବେଢ଼ା ଭିତରକୁ ପଶି ଗଲାମାତ୍ରକେ ଓଡ଼ିଶାବାସୀମାନେ ଓଡ଼ିଶା ବୋଲି ଗୋଟାଏ ଭୂମି ଅଛି ବୋଲି ଆଦୌ ମନେ ପକାଉ ନଥିଲେ, ଯେତେବେଳେ ପ୍ରଧାନତଃ ଭକ୍ତମାନେହିଁ ଅବଢ଼ା ବାଣ୍ଟି ଖାଉଥିଲେ ଓ ଜାତି ହରାଉଥିଲେ, ସେତେବେଳେ ସଂସ୍କୃତିର କିଭଳି ସଂଜ୍ଞାନିରୂପଣ କରାଯାଉଥିଲା କେଜାଣି ? ବେଳେବେଳେ ସେହି ମାର୍କାହୀନ, ଖୋଳହୀନ, ବାଡ଼ହୀନ, ସମୁଦ୍ର ଭିତରେ ଅବଗାହିବାରେହିଁ ମୋର ଅସଲ ସଂସ୍କୃତି ନିହିତ ହୋଇ ରହିଛି ବୋଲି ମୋତେ ଦିବାଲୋକ ପରି ଅତ୍ୟନ୍ତ ନିବିଡ଼ ଭାବରେ ଦିଶି ଦିଶି ଯାଏଁ । ସେତେବେଳେ ପରିଚିତ ଏଗୁଡ଼ିକ କିଛିହେଲେ ମୋ’ର ବୋଲି ଦିଶନ୍ତିନାହିଁ । ଏବଂ, ମୁଁ ଏକାବେଳେକେ ସମସ୍ତଙ୍କର ବୋଲି ଅନୁଭବ ହୁଏ ଓ ମୋ’ ବିମୋଚନର କାରଣ ହୁଏ ।

 

୨୦ । ୫ । ୯୩

 

Fanatics galore fanatics rampant,–ଆମ ପୃଥିବୀରେ ବର୍ତ୍ତମାନ ସତେଅବା ଏହିମାନେହିଁ ସବୁଠାରୁ ଅଧିକ ପ୍ରବଳ ଓ ଅଧିକ ଗେହ୍ଲା ହୋଇ ଉଠିଛନ୍ତି । ସେମାନେ ସତ୍ୟକୁ ସମ୍ପୂର୍ଣ୍ଣ ଭାବରେ ଅଧିକାର କରି ତାହାକୁ ରମଣ କରିବେ ବୋଲି ବାହାରିଛନ୍ତି । ସତ୍ୟ କେବଳ ଗୋଟିଏ ବାଟରେହିଁ ମିଳିବ;–ଅର୍ଥାତ୍, କେବଳ ମୋ’ ବାଟରେ ଗଲେ ସତ୍ୟ, ମିଳିବ,–ଆଗେ ପ୍ରଧାନତଃ ଧର୍ମମାନେ ଓ ଧର୍ମନ୍ଧମାନେ ସେ କଥା କହୁଥିଲେ । ଏବଂ, ସେମାନଙ୍କର କଥାକୁ ବୁଝି ହେଉଥିଲା । ଏବେ ସାମୂହିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସତେଅବା ଧର୍ମାନ୍ଧମାନଙ୍କରହିଁ ପ୍ରବେଶ ଘଟିଲାଣି । ସେମାନେ ଅସ୍ତ୍ରଶସ୍ତ୍ର ଧରି ବାହାରିଲେଣି । ସେମାନଙ୍କର ସତ୍ୟରେ ଯିଏ ମଣ ନହେବ, ସେମାନେ ତାକୁ ଏକାବେଳେକେ ନିର୍ମୂଳ କରିଦେବେ ବୋଲି ପଦାକୁ ବାହାରି ପଡ଼ିଲେଣି-

 

ସହରର କାନ୍ଥ ଓ ବାଡ଼ଗୁଡ଼ାକ ସେଇମାନଙ୍କର ଲେଖାରେ ପୂରିଛି । ଗାଢ଼ କଳା କାଳିରେ ଏଡ଼େ ବଡ଼ବଡ଼ ଅକ୍ଷରରେ ସେମାନେ ଯେପରି ସାରା ପୃଥିବୀକୁ ଧମକ ଦେଇ ବଶ କରି ରଖିବେ ବୋଲି ଭାବୁଛନ୍ତି । ଧମକ ଦେବାଟାକୁହିଁ ଅସଲ ବିଶ୍ଵାସରେ ପ୍ରମାଣ ବୋଲି ଭାବୁଛନ୍ତି । ଗୋଟାଏ ଦୃଷ୍ଟିରୁ ଏପରି ହୋଇ ସମ୍ଭବତଃ ଭଲ ହୋଇଛି । ଆପଣାର ବାଟହିଁ ଏକମାତ୍ର ବାଟ ବୋଲି ଯେଉଁ ମତାନ୍ଧମାନେ ହୁଙ୍କାର ଦେଇ କହୁଛନ୍ତି ଓ ଯୁଦ୍ଧ ଭିଆଇ ବାହାରିଲେଣି, ସେମାନେ ପ୍ରଧାନତଃ ପରସ୍ପରକୁ ମାରିବେ ଏବଂ ସେହି ପ୍ରକ୍ରିୟାରେ ପରିଶେଷରେ ସମସ୍ତେ ନିର୍ମୂଳ ହୋଇଯିବେ । ଏମାନଙ୍କର ହାତରେ ଯେ ପୃଥିବୀର ଭବିଷ୍ୟତ୍ ଆଦୌ ନ୍ୟସ୍ତ ହୋଇ ରହିନାହିଁ, ସେ କଥା ମୋତେ ଜଳଜଳ ଦେଖାଯାଉଛି । ତେଣୁ, ଅସଲ ବିଶ୍ଵାସ ଅପେକ୍ଷା କରି ରହିବ, ସକ୍ରିୟ ଭାବରେ ଅପେକ୍ଷା କରିବ । ଅସତ୍ୟମାନେ ପ୍ରବଳରୁ ଅତିପ୍ରବଳ ହୋଇ ପରସ୍ପରକୁ ଯୁଦ୍ଧଂ ଦେହି ବୋଲି ଡାକରା ଦେବେ, ଏବଂ ଏହିପରି ଭାବରେ ନିଜ ହାତରେ ଭଗବାନ୍‍ଙ୍କର କାମକୁ କରାଇନେବେ । ଏହି ମତାନ୍ଧମାନଙ୍କରେ ଜଙ୍ଗଲ ଭିତରେ ରହି ମଧ୍ୟ ମୁଁ ଫୁଲଟିଏ ପରି ଜୀବନ ବଞ୍ଚିବି, ନିଜର ମହକରେ ବିଶ୍ଵାସ ରଖିବି, ଆଲୋକରେ ବିଶ୍ଵାସ ରଖିବି,–ବାସ ଚହଟାଇ ଦେବାରେ ଓ ସେହି ବାସ ଚହଟିବାର ବିଶ୍ଵକ୍ରିୟାକୁ ଅନୁଭବ କରିବାରେହିଁ ମୁଁ ଅନ୍ୟମାନଙ୍କୁ ଚିହ୍ନିବି । ଅସତ୍ୟ ଭିତରେ ତଥାପି ସତ୍ୟକୁ ଚିହ୍ନିବି ।

 

୨୧ । ୫ । ୯୩

 

ଜଣେ ସଂସାର ଛାଡ଼ି ଚାଲିଯାଏ, ଅନ୍ୟମାନେ ସମବେଦନା ଜଣାଇବାକୁ ଯାଆନ୍ତି, ଶୋକପ୍ରକାଶ କରନ୍ତି । ଯିଏ ଚାଲି ଯାଇଥାଏ, ସିଏ ସେସବୁ କିଛି ଗ୍ରହଣ କରିବାର ଅବସ୍ଥା ଭିତରେ ନଥାଏ । ତେଣୁ, ଯେଉଁମାନେ ତଥାପି ଥାଆନ୍ତି, ଯାବତୀୟ ଶୋକପ୍ରକାଶ ସେହିମାନଙ୍କ ଆଗରେ କରାଯାଏ, ଯାବତୀୟ ସମବେଦନା ସେହିମାନଙ୍କ ଆଗରେ ଜ୍ଞାପନ କରାଯାଏ । ଏସବୁ ମୋ’ ମନକୁ ଆଦୌ ମାନେନାହିଁ । ଯିଏ ଗଲା, ଏଇଠି ଥିଲା ଓ ଏଇଲାଗେ ଏଠା ଛାଡ଼ି ଚାଲିଗଲା, ମୁଁ ତାହାରି ଚେତନା ସହିତ ମିଶି ସତେଅବା ଖଣ୍ଡେ ବାଟ ତାହାରି ସହିତ ଯିବାରେ ଅଧିକ ଆଗ୍ରହ ଦେଖାଯାଏ । ମୁଁ ତାହାରି ସହିତ କଥା କହୁଥାଏ । ଏବଂ, ସିଏବି ମୋ’ ସହିତ କଥା କହୁଥାଏ । ନିର୍ଜୀବ ଓ ନିକାତ ହୋଇ ପଡ଼ି ରହିଥିବା ତା’ର ଶରୀରଟି ମଧ୍ୟ କଥା କହୁଥାଏ । ସେ କଥା ବୁଝିବି ହୁଏ, ତା’ ଅଭିଜ୍ଞତାକୁ ପ୍ରେରଣାବି ମିଳେ ।

 

ସିଏ କେଡ଼େ ନିଶ୍ଚିନ୍ତ ହୋଇ ଚାଲି ଯାଉଥାଏ । ଗଣ୍ଠିଗୁଡ଼ାକ ଆଦୌ କେଉଁଠି ହେଲେ ପଡ଼ିନଥାଏ । ପଛରେ କୌଣସି ଗ୍ଳାନି ନଥାଏ । କେଉଁଠି କିଛି ବାକି ନଥାଏ । ଦେହଟା ମଧ୍ୟ କେଡ଼େ ନିଶ୍ଚିନ୍ତ ହୋଇ ପଡ଼ିଥାଏ । ସେଥିଲାଗି ଭାରି ଉଜ୍ଜ୍ଵଳ ଓ ଭାରି ସମାବିଷ୍ଟ ପରି ଦିଶୁଥାଏ । ମୁଁ ତାହାରି ସହିତ କଥା ହୁଏ, ତାହାରି ସହିତ ଖଣ୍ଡେଦୂର ଯାଏଁ । ପାଛୋଟି ଦେଇଆସେ । ତାଙ୍କୁ ସତେଅବା ସାଙ୍ଗରେ ନେଇ ଏହି ସଂସାରକୁ ଆସେ । ଜୀବନ ଓ ସତ୍ୟ ଭିତରେ ସାଂସାରିକମାନଙ୍କର ଆଖିରେ ଯେଉଁ ବ୍ୟବଧାନଟି ରହିଛି, ମୁଁ ସେହି ବ୍ୟବଧାନଟିକୁ ଡେଇଁ ଭିତରୁ ମୁଁ ସେହିମାନଙ୍କୁହିଁ ଖୋଜୁଥାଏ । ମୁଁ ସେମାନଙ୍କର ଶବ୍ଦଗୁଡ଼ିକର ପ୍ରେମରେ ପଡ଼େନାହିଁ । ଶବ୍ଦଗୁଡ଼ିକର ପଛରେ ଲୁଚି ରହିଥିବା ସତେଅବା ସେହିମାନଙ୍କୁ ଖୋଜୁଥାଏ । ସେଠାରେ ସେମାନଙ୍କୁ ଠିକ୍ ବନ୍ଧୁ ଭଳି ଖୋଜୁଥାଏ । ମୋ’ର ନିଜ ବ୍ୟାକୁଳତାରେ ମୁଁ ସେମାନଙ୍କୁ ଖୋଜୁଥାଏ, ସତେଅବା ନିଜର କୌଣସି ଅନ୍ତର୍ଗତ ଆବଶ୍ୟକତାଦ୍ଵାରା ଟାଣିହୋଇ ମୁଁ ସେମାନଙ୍କୁ ଖୋଜୁଥାଏ । ସାଙ୍ଗଟିକୁ ଖୋଜୁଥାଏ । ତେଣୁ, ମୋଟେ ଶବ୍ଦଗୁଡ଼ାକରେ ଭୁଲେନାହିଁ । ସେମାନଙ୍କର ସବୁଯାକ ଶବ୍ଦ ସତ୍ତ୍ୱେ ମୁଁ ସେମାନଙ୍କୁ ଖୋଜୁଥାଏ । ଭିତରେ ପ୍ରବେଶ କରେ, ସେମାନଙ୍କୁ ସ୍ପର୍ଶ କରେ । ଏବଂ ଭାବେ, ଯଦି ଏହି ମୁଖାଗୁଡ଼ାକୁ ଆପେ ଆପେ ଖସି ପଡ଼ନ୍ତା, ତେବେ ସେମାନେ କେଡ଼େ ଉଶ୍ଵାସ ହୋଇଯାଇ ପାରନ୍ତେ ! ଏବଂ, ସେମାନଙ୍କର ସେହି ଉଶ୍ଵାସ ହୋଇଯିବାଦ୍ଵାରା ଏହି ପୃଥିବୀ ମଧ୍ୟ କେଡ଼େ ଉଶ୍ଵାସ ହୋଇଯାଆନ୍ତା !

 

୧୮ । ୬ । ୯୩

 

କିଏ ଜୀବନ ମଧ୍ୟଦେଇ ଶବ୍ଦ ପାଖକୁ ଆସେ ଓ ଆଉକିଏ ଶବ୍ଦ ମଧ୍ୟଦେଇବି ଜୀବନ ପାଖକୁ ଆସିଥାଏ । ଆଉପ୍ରକାରେ କହିଲେ, କେହି କେହି ଜୀବନକୁ ଖୋଜୁ ଖୋଜୁ ଶବ୍ଦପାଖରେ ଆସି ପହଞ୍ଚନ୍ତି ଏବଂ ଆଉ କେହି କେହି ଶବ୍ଦକୁ ଖୋଜି ଖୋଜି ଜୀବନ ପାଖରେ ଆସି ପହଞ୍ଚି ଥାଆନ୍ତି ଓ ଅବାକ ହୁଅନ୍ତା । ଅର୍ଥାତ୍, ଶବ୍ଦର ଶକ୍ତି ଯେ ସତକୁସତ କେତେ ବେଶି, ସେମାନେ ତାହାରି ପରିଚୟ ପାଆନ୍ତି ଓ ଅବାକ ହୁଅନ୍ତି । ଏହି ଉଭୟ କଥା ଘଟେ, ଯଦି କେହି ସତକୁସତ ଖୋଜୁଥାଏ । ମୋ’ ଜୀବନରେ ଏହି ଖୋଜିବାଲାଗି ରହିଥାଉ, ଅର୍ଥାତ୍ ଆଗକୁ ଆଗ ଯିବା ଏବଂ ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାଲାଗି ରହିଥାଉ । କୌଣସି ଅଳପ କିଛିକୁ ସବୁକିଛି ମଣି ମୁଁ ଯେପରି ଆଦୌ ଅଧାବାଟରେ ଅଟକି ନଯାଏଁ !

 

ତୁଚ୍ଛା ସାହିତ୍ୟିକମାନେ ଭାରି ଅଟକି ଯାଉଛନ୍ତି । ସେମାନେ ଛନ୍ଦ ପାଖରେ ଅଟକି ଯାଉଛନ୍ତି, ଶୈଳୀ ପାଖରେ ଅଟକି ଯାଉଛନ୍ତି; କିଏ ଜାତୀୟତା ପାଖରେ ଅଟକି ଯାଉଛି, ଆଉ କିଏ ନିଜ ନିଜର ସାନ ସାନ ପିତୁଳା ଏବଂ ଠାକୁରମାନଙ୍କୁ ପାଖରେ ଅଟକି ଯାଉଛି । ତେଣୁ ନିଃସଙ୍ଗ ହେଉଛି; ପ୍ରାୟ ଏକ ଆଡ଼ମ୍ବରୀ ଆତ୍ମବିଚ୍ଛିନ୍ନତାରେ ତା’ର ଜୀବନ ଅତ୍ୟନ୍ତ ମର୍ମନ୍ତୁଦ ଭାବରେ ବାନ୍ଧି ହୋଇ ରହିଯାଉଛି । ସିଏ ଆପଣା ଅନିଷାର ଶିଖରଟିରେ ଯାଇ ପହଞ୍ଚି ପାରୁନାହିଁ, ନିଜ ଭିତରେ ରହିଥିବା ଅନ୍ତରଙ୍ଗ ଈଶ୍ଵରଙ୍କର ନିର୍ଦ୍ଦେଶ ମତେ ସେ ବାହାରେ ମଧ୍ୟ ଆପଣାକୁ ସମ୍ପ୍ରସାରିତ କରି ପାରୁନାହିଁ । ଅର୍ଥାତ୍, ସିଏ ଆପଣାକୁ ଅନେକ ଭାଗ୍ୟରୁ ବଞ୍ଚିତ କରି ରଖିଛି । ମୁଁ ଭାବେ କୌଣସି କାରଣରୁ ବଞ୍ଚିତ ହୋଇ ରହିଥିବା, ଅର୍ଥାତ୍ ଆପଣାକୁ ବଞ୍ଚିତ କରି ରଖିଥିବା ଲୋକମାନେହିଁ ଚତୁର ହୁଅନ୍ତି, ଅଧିକ କୁହନ୍ତି, ଅଧିକ ଫେଣନ୍ତି । ସେହି ଫେଣେଇବାଦ୍ଵାରା ସେମାନେ ପଦାରେ ମଧ୍ୟ ପଡ଼ିଯାନ୍ତି । ଫେଣେଇ କହିବାର ରତିରେ ମାତି ସେମାନେ ଯଥାର୍ଥରେ ହୁଏତ ଆଦୌ କିଛିହେଲେ କହି ପାରନ୍ତିନାହିଁ । ସାହିତ୍ୟରେ ସୌଧମାନ ଚଢ଼ନ୍ତି, ତଥାପି ନିଜଭିତରେ ଚତୁର ଅଳପଟିଏ ହୋଇ ରହିଥାନ୍ତି, ସଂସାରର ଭାରା ବଢ଼ାନ୍ତି ।

 

୨୧ । ୬ । ୯୩

 

ଅସହିଷ୍ଣୁ ମଣିଷମାନଙ୍କର ଅଳିଅଳ ସକଳ ସହୁଥିବା ମଣିଷମାନଙ୍କୁ ପୃଥିବୀରେ ଯେ କେତେ କଷ୍ଟ ଭୋଗିବାକୁ ପଡ଼େ, ଯଦି ଅସହିଷ୍ଣୁ ମଣିଷମାନେ ସେ କଥାଟିକୁ ହୃଦୟଙ୍ଗମ କରିପାରନ୍ତେ, ତେବେ ସେମାନେ ହୁଏତ କଦାପି ଏତେ ଅଧିକ ଅସହିଷ୍ଣୁ ହୁଅନ୍ତେନାହିଁ । ଏବଂ, ପୃଥିବୀ ସହିବା ଭଳି ଅସହିଷ୍ଣୁ ମଣିଷମାନଙ୍କର ଅସହିଷ୍ଣୁତା ଏହି ପୃଥିବୀରେ ଥିଲେ ସେମାନଙ୍କ ଆଡ଼କୁ ପୃଥିବୀ ହୁଏତ ଆଦୌ କୌଣସି ଦୃଷ୍ଟି ଦିଅନ୍ତାନାହିଁ ।

 

ଯେଉଁମାନେ ଧର୍ମଲାଗି ଅସହିଷ୍ଣୁ ହୁଅନ୍ତି, ସେମାନଙ୍କ ଭିତରେ ଧର୍ମ ଅପେକ୍ଷା ହୁଏତ ଅସହିଷ୍ଣୁତାହିଁ ଅଧିକ ପରିମାଣରେ ରହିଥାଏ । ଯେଉଁମାନେ କୌଣସି ଆଦର୍ଶକୁ ଆଳ କରି ଅସହିଷ୍ଣୁ ହୁଅନ୍ତି, ସେମାନଙ୍କର ରଙ୍ଗଭୂମିରେ ଆଦର୍ଶ ପଛରେ ଥାଏ, ଅସହିଷ୍ଣୁତା ଆଗରେ ରହିଥାଏ । ତେଣୁ, ଏହି ଅସହିଷ୍ଣୁତା କ’ଣ ଜୀବନର ନାନା ଅଭିବ୍ୟକ୍ତି ଭିତରୁ ଗୋଟିଏ, ଯାହାକି ଏଇଟାକୁ ବା ସେଇଟାକୁ ଅବଲମ୍ବନରୂପେ ବ୍ୟବହାର କରି ତା’ ଉପରେ ନିର୍ମୂଳୀ ଲଟା ପରି ମାଡ଼ି ରହିଥାଏ ଓ ଚକ୍‍ଚକ୍ ଦିଶୁଥାଏ ? ଅସହିଷ୍ଣୁ ମଣିଷମାନେ ଏକାଧିକ କାରଣରୁ ହୁଏତ କେବଳ ନିଜକୁ ଦେଖୁଥାନ୍ତି,–ସେମାନେ ଆପଣାକୁ ସତେଅବା ଏଡେ ବଡ଼ ଗୋଟାଏ ଗଛ ପରି ଦେଖୁଥାଏ, ଆଉ ସବୁକିଛି ଯାହାର ଛାଇତଳେ କୁଆଡ଼େ ପୋତି ହୋଇ ରହି ଯାଇଥାଏ । ଆପଣାର ଛାଇ ଭିତରେ ସମସ୍ତଙ୍କୁ ପୋତି ପକାଇବା ବ୍ୟତୀତ ହୁଏତ ସେହି ବିରାଟ୍ ଦ୍ରୁମଟିର ଅନ୍ୟ କୌଣସି ଧର୍ମହିଁ ନଥାଏ । ଏପରି କାହିଁକି ହୁଏ ଯେ, ମଣିଷ କେବଳ ନିଜକୁ ଦେଖୁଥାଏ ଓ ଅନ୍ୟମାନଙ୍କୁ ମୋଟେ ଦେଖି ପାରେନାହିଁ ? ସିଏ କ’ଣ ଆପଣା ଭିତରେ ରହିଥିବା ବନ୍ଧୁଟିକୁ ଚିହ୍ନି ନଥାଏ ? ସେହି ଅସଲ ଜାଗାଟିରେ ଯିଏ ବନ୍ଧୁ ବାନ୍ଧିପାରିଛି, ସିଏ କିପରି ଓ କାହିଁକି ଏଭଳି ଅସହିଷ୍ଣୁ ଯେ ହୋଇ ପାରିବ, ମୁଁ ଅନେକ ସମୟରେ ସେହିକଥା ଭାବିଥାଏ । ଅସହିଷ୍ଣୁ ମଣିଷଟିର ଚାରିପାଖରେ ଦିଆଯାଉଥିବା ବାଡ଼ଟା ବାହାରକୁ ଏଡ଼େ ଅଭେଦ୍ୟ ଓ ଅଲଙ୍ଘ୍ୟ ବୋଲି ଦେଖା ଯାଉଥାଏ ସିନା, ମାତ୍ର ତା’ ଭିତରେ ତଥାପି କେଉଁଠି ଗୋଟିଏ ଭାରି ଦୁର୍ବଳ ଅରାଟିଏ ଥାଏ, ଯେଉଁଠି ସିଏ ସତେଅବା କେଡ଼େ ବିକଳରେ କାହାଲାଗି ଅପେକ୍ଷା କରି ରହିଥାଏ । କିଏ ଆସି ତାକୁ ସେଇଠି ସ୍ପର୍ଶ କରିପାରିବ ବୋଲି ସେ ଚାହିଁ ବସିଥାଏ । ଅସହିଷ୍ଣୁ ମଣିଷମାନଙ୍କର ସେଇ ଆବିଷ୍କାର କରିବାକୁ ମନ କରିହିଁ ପୃଥିବୀର ସହିଷ୍ଣୁ ମଣିଷମାନେ ଆପଣାର ସହିଷ୍ଣୁତାର ପରୀକ୍ଷା ଦେବେ । ତଦ୍‌ବ୍ୟତୀତ ହୁଏତ ଆଉ କୌଣସି ଗତିହିଁ ନାହିଁ ।

 

୩୦ । ୬ । ୯୩

 

ଆଧ୍ୟାତ୍ମିକତା ଏକ ସାମୂହିକତା ଆବଶ୍ୟକତା କରୁଥାଏ । ସମାଜକୁ ଲୋଡ଼ିବାମାତ୍ରକେ ମଣିଷ ଆଧ୍ୟାତ୍ମିକତା ମଧ୍ୟ ଲୋଡ଼େ । ଧର୍ମ କେବଳ ନିଜପାଇଁ ମାଗୁଥାଏ, ନିଜର ବୋଲି କହି ଫୁଲେଇ ହେଉଥାଏ ଏବଂ ଲାଖି ରହିଥାଏ, ନିଜର ଅଭିଧା ଏବଂ ପିତୁଳାଗୁଡ଼ାକ ଭିତରେ ସିଏ ଅତ୍ୟନ୍ତ ଅସହଜ ହୋଇ ରହିଥାଏ । ତା’ର ସବୁଯାକ ଦୁଆର ସତେଅବା କିଳିହୋଇ ରହି ଯାଇଥାଏ । ସିଏ ଏଇଟିକୁ ଚିହ୍ନିଲେ ଆରଟିକୁ ଚିହ୍ନି ପାରେନାହିଁ; ନିଜକୁ ଧର୍ମସ୍ଥ ବୋଲି ଧରି ନେଇଥାଏ ବୋଲି ଅନ୍ୟକୁ ସତେଅବା ମ୍ଳେଚ୍ଛ ବୋଲି କହେ ଏବଂ ନିଜକୁ ମ୍ଳେଚ୍ଛରେ ପରିଣତ କରିଦିଏ । ତା’ପରେ ସିଏ ଭକ୍ତ ହେଉ ବା ଜ୍ଞାନୀ ହେଉ କିମ୍ବା ଭଗବାନ୍‍ଙ୍କ ନାମରେ କ୍ରିୟାଶୀଳ ଓ ଉତ୍ତେଜିତ ହୋଇ ଯୁଆଡ଼େ ଦଉଡ଼ଧାପଡ଼ କରୁ ପଛକେ, ତଥାପି ନିଜର ମଞ୍ଚ ଭିତରେ ସିଏ ମ୍ଳେଚ୍ଛ ହୋଇ ରହିଥାଏ । ମ୍ଳେଚ୍ଛ ପରି ଦେଖେ, ମ୍ଳେଚ୍ଛ ପରି ବାରେ, ମ୍ଳେଚ୍ଛ ପରି ଆପଣା ଭିତରେ କିଳି ହୋଇ ରହିଥାଏ ।

 

ଆଧ୍ୟାତ୍ମିକତା ପ୍ରସାର ଦିଏ । ଆଧ୍ୟାତ୍ମିକତା ଅସଲ ଉଦ୍ଧାରର କାରଣ ହୁଏ । ସେତେବେଳେ ମଣିଷ ନିଜଭିତରେ ପରିଚୟ ପାଇ ଅନ୍ୟ ମଣିଷମାନଙ୍କୁ ଉଚିତ ଆତ୍ମୀୟତା ସହିତ ଚିହ୍ନି ବାହାରେ । ସିଏ ସତେଅବା ଏକ ନୂତନ ଆବିଷ୍କାରର ଏକ ପ୍ରତୀକରେ, ଏକ ନିମିତ୍ତରେ ପରିଣତ ହୋଇଯାଏ । ପିତୁଳାମାନେ ରହିଥାନ୍ତି, ତଥାପି ବିଶ୍ଵବ୍ରହ୍ମାଣ୍ଡ ଦୃଶ୍ୟ ହୋଇ ପାରୁଥାଏ । ନିଜ ଭିତରେ ବିଶ୍ଵବ୍ରହ୍ମାଣ୍ଡ ଦିଶେ, ଏବଂ ସେହି ବିଶ୍ଵପ୍ରତ୍ୟକ୍ଷରୁହିଁ ଅସଲ ମୁକ୍ତି ମିଳେ । ଆତ୍ମୀୟତା ଓ ପ୍ରସାରଣହିଁ ସତେଅବା ଏହି ନୂଆ ଯୋଗବାସନରେ ସାଧନ ହୋଇ ରହନ୍ତି । ଦୂର ସ୍ଵର୍ଗଟା ଆଉ ମୋଟେ ଆକର୍ଷଣୀୟ ମନେ ହୁଏନାହିଁ । ଏହିଠାରେହିଁ ସ୍ଵର୍ଗ ଦେଖିହୁଏ । ସେତେବେଳେ ଏଠାରେ ଲାଗିଥିବା ଡୋରଗୁଡ଼ିକୁହିଁ ସ୍ଵର୍ଗରୂପେ ଆବିଷ୍କାର କରି ହୁଏ । ଯାବତୀୟ ନାମ, ଯାବତୀୟ ରୂପ ଓ ଯାବତୀୟ ଏହି ଉପାସନାକୁ ଏହି ଡୋରଟି ସହିତ ଅତ୍ୟନ୍ତ ସ୍ଵାଭାବିକ ଭାବରେ ମିଶାଇ ଦେଇହୁଏ-। ଆପଣାକୁ ଲୋଡ଼ୁ ଲୋଡ଼ୁ ତାହା ଯେତେବେଳେ ବିଶ୍ଵକୁ ଲୋଡ଼ିବାରେ, ବିଶ୍ଵକୁ ଛୁଇଁବାରେ ଏବଂ ବିଶ୍ଵକୁ ନିଜଠାରୁ ଅଭିନ୍ନ କରି ଦେଖିବାରେ ପରିଣତ ହୋଇଯାଏ, ଠିକ୍ ସେତିକିବେଳେହିଁ ଆଧ୍ୟାତ୍ମିକତାର ପାହାଚଟିକୁ ନିଜର ପାଦତଳେ ଅନୁଭବ କରିହୁଏ । ତା’ପରେ ଖାଲି ଭଲ ପାଇବା ଓ ଏକ ନିମିତ୍ତରୂପେ ବଞ୍ଚିବାହିଁ ଏକମାତ୍ର ଉପାସନା ହୋଇ ରହେ ।

 

Image

 

 

 

ଜନ୍ମ

:

ଅକ୍ଟୋବର ୩, ୧୯୨୩

 

 

ବାଗଲପୁର, ଜି. କଟକ

ଶିକ୍ଷା

:

ବିଶ୍ଵଭାରତୀ, ଶାନ୍ତିନିକେତନ

 

 

କୋପେନ୍‌ହେଗେନ୍ ବିଶ୍ଵବିଦ୍ୟାଳୟ, ଡେନ୍‌ମାର୍କ

ଅଧ୍ୟାପକ

:

ଆଗ୍ରା, ପଶ୍ଚିମ ଜର୍ମାନୀ,

 

 

ଫିନ୍‌ଲାଣ୍ଡ, ଇସ୍ରାଏଲ୍

ବର୍ତ୍ତମାନ ଶ୍ରୀ ଅରବିନ୍ଦଙ୍କର ଶିକ୍ଷା ଦର୍ଶନ ଉପରେ

ଆଧାରିତ ଓଡ଼ିଶାରେ ଶିକ୍ଷା ପ୍ରୟୋଗର

କ୍ଷେତ୍ରରେ କାର୍ଯ୍ୟରତ ।

Image